ରାମସାହୁ ଖାଦ୍ୟ ଅଭାଵରୁ ଦିନକୁ ଦିନ ଶୁଖି ଶୁଖିଗଲା ପୁଣି ତାକୁ ରୋଗ ବି ହୋଇଗଲା । ସେ ଆଉ ଭଲ କାମଦାମ ନକରିପାରି ଘରୁ ଅନ୍ୟତ୍ର ଚାକିରୀ କରିଵାକୁ ଚାଲିଆସିଲା । ହେଲେ ପତଳା ରୋଗିଣା ଲୋକକୁ କାମ କିଏ ଦେଵ ? କୋଉଠି ବି କାମ ନପାଇଵାରୁ ସେ ଆତ୍ମହତ୍ୟା କରିଵାକୁ
ଏକ ନଦୀକୁ ଡେଇଁପଡି଼ଲା । ପାଖରେ ମୁନି ଜଣେ ତପସ୍ୟା କରୁଥାନ୍ତି ।
ନଦୀକୁ ଡେଇଁଵା ଶବ୍ଦ ଶୁଣି ସେ ଧାଇଁ ଆସି ରାମସାହୁକୁ ବଞ୍ଚାଇଲେ । ତାକୁ ଗୋଟିଏ ମନ୍ତ୍ର ଦେଇ କହିଲେ ଏହି ମନ୍ତ୍ର ତିନି ଦିନ କାମ କରିଵ । ତମେ ଏହି ମନ୍ତ୍ର ଜାପ କଲେ ତିନିଦିନ ପାଇଁ ଯାହା ଚାହିଁଵ କରିପାରିଵ ଏଵଂ ତିନି ଦିନ ପରେ ୟେ ମନ୍ତ୍ର ତୁମ ପରି ଅନ୍ୟ କୌଣସି ଅଭାବୀ ଲୋକକୁ ଦେଇ ଦେଵ । ରାମସାହୁ ଖୁସି ମନରେ ଘରକୁ ଆସି ସବୁକଥା ସ୍ତ୍ରୀକୁ କହିଲା । ସ୍ତ୍ରୀ ତ ବଡ଼ କୋଠା ବାଡ଼ି ଚାହୁଁଥିଲା ତେଣୁ ସେ ଭଲ ଓ ବଡ଼ ଘରଟିଏ ମାଗିଵାକୁ ରାମସାହୁକୁ ମନ୍ତ୍ରଣା ଦେଲା । ରାମସାହୁ ମନ୍ତ୍ର ଜାପି ସେଇଆ ମାଗିଵାରୁ ଆପେ ତାହାର ଚାଳଘର ଏକ ତିନିମହଲା କୋଠା ହୋଇଗଲା । ଦ୍ଵିତୀୟ ଦିନ ରାମସାହୁର ସ୍ତ୍ରୀ
ଲକ୍ଷେ ଟଙ୍କା ମାଗିଵାକୁ କହିଲା । ସେତିକି ଟଙ୍କା ପାଖରେ ଥିଲେ ସାହୁକାରୀ ନହେଲେ ବେପାର କରି ସହଜରେ ଅନେକ ଦିନ ଘର ଚଳେଇ ହେଵ । ରାମସାହୁ ସେଇଆ ଇଚ୍ଛା କରି ମନ୍ତ୍ର ଜାପ କଲାରୁ ତାକୁ ଲକ୍ଷେ ଟଙ୍କା ମିଳିଗଲା । ତୃତୀୟ ଦିନ ରାମସାହୁ କ'ଣ ମାଗିଵ ବୋଲି ନିଜ ସ୍ତ୍ରୀକୁ ପଚାରିଲାରୁ ତା ସ୍ତ୍ରୀ ତାକୁ ୧୦୦ ବସ୍ତା ଚାଉଳ ମାଗିଵାକୁ କହିଲା । ୧୦୦ଟି ଚାଉଳ ବସ୍ତା ଥିଲେ ଖାଦ୍ୟାଭାଵ ଦୂର ହେଵା ସହ ବାକି ଚାଉଳ ବସ୍ତା ଵିକ୍ରି କରି ଘର ଚଳାଇ ହେଵ । ରାମସାହୁ ସ୍ତ୍ରୀ କହିଵା ଅନୁସାରେ ସେଇଆ କଲା । ଚତୁର୍ଥ ଦିନ ଆଉ ମନ୍ତ୍ର କାମ କରିଵ ନାହିଁ ଜାଣି ସେ ଆଉ ସେହି ମନ୍ତ୍ର ଵ୍ୟଵହାର କଲା ନାହିଁ । କେବେ ଦାଣ୍ଡର ଫକୀର ଥିଵା ରାମସାହୁ ଏବେ ବଡ଼ ଧନିକ ହୋଇଯାଇଥାଏ । ତା ଘରକୁ ଅନେକ ଅଭାବୀ ଦରିଦ୍ର ଲୋକ ଆସୁଥାନ୍ତି । ଏମତି ଦିନେ ଜଣେ ଭିକାରୀ ତା ଘରକୁ ଗୀତ ବୋଲି ବୋଲି ଭିକ୍ଷା ମାଗିଵାକୁ ଆସନ୍ତେ ଗୃହ ସମ୍ମୁଖରେ ମୁର୍ଚ୍ଛା ହୋଇଗଲା ।
ରାମସାହୁ ତାହାର ଦୁର୍ଵଳ ଶରୀର ଦେଖି ବୁଝିଗଲା ଯେ ଏହି ଲୋକକୁ ମନ୍ତ୍ରଟି ଦେଲେ ସେ ମଧ୍ୟ ତାପରି ସୁଖରେ କାଳାତିପାତ କରନ୍ତା । ତେଣୁ ସେ ଭିକାରୀକୁ ଦାଣ୍ଡରୁ ଉଠାଇ ଆଣି ଖାଇଵାକୁ ପିଇଵାକୁ ଦେଲା ଭୁରି ଭୋଜନ କରାଇଲା ଏଵଂ ତା କାନରେ ମନ୍ତ୍ରଟି ଶୁଣାଇ ତାକୁ ତିନି ଦିନ ପର୍ଯ୍ୟନ୍ତ ଏହି ମନ୍ତ୍ର ଦ୍ଵାରା ସେ ଯାହା ମାଗିଵ ପୂର୍ଣ୍ଣ ହେଵ ବୋଲି କହିଲା ।
ଭିକାରୀ ଜଣକ ନିଜ ସ୍ତ୍ରୀ ପାଖକୁ ଯାଇ ସବୁକଥା ମୂଳରୁ ଶେଷ ଯାଏଁ ଗୋଟି ଗୋଟି କରି ଶୁଣେଇଲା । ଭିକାରୀର ସ୍ତ୍ରୀ ବଡ଼ ଲୋଭୀ ଥିଲା ଏଵଂ ସେ ଗାଆଁ ତଥା ଦେଶର ଲୋକଙ୍କ ପ୍ରତି ତାହାର ମନରେ ରାଗ ଥିଲା । "ଅଭାଵ ଅନଟନ ମଣିଷକୁ ଲୋଭୀ ଏଵଂ ବେଳେ ବେଳେ ଇର୍ଷାଳୁ ଓ ଦ୍ଵେଷୀ ମଧ୍ୟ କରିଦିଏ" । ନିଜର ଦୁରାଵସ୍ଥା ପାଇଁ ଭିକାରୀର ସ୍ତ୍ରୀ ସବୁବେଳେ ଗ୍ରାମ ତଥା ଦେଶଵାସୀଙ୍କୁ ଦୋଷୀ ମନେକରୁଥିଲା । ତେଣୁ ଭିକାରୀର ସ୍ତ୍ରୀ ଭିକାରୀକୁ ମନ୍ତ୍ରଣା ଦେଲା ଏହି ମନ୍ତ୍ର ସାହାଯ୍ୟରେ ସେମାନେ ଧନୀ ହେଵା ସହ ଏହି ଦେଶର ଲୋକମାନଙ୍କଠାରୁ ପ୍ରତିଶୋଧ ବି ନେଇପାରିବେ । ପ୍ରଥମେ ପ୍ରଥମେ ଭିକାରୀ ଜଣକ ତା ସ୍ତ୍ରୀ କଥାରେ ସମ୍ମତ ହେଉନଥାଏ ହେଲେ କଥାରେ ଅଛି “ପାଖରେ ଶୁଏ କାନରେ କୁହେ ତା କଥା କି ଅନ୍ୟଥା ହୁଏ ?” । ଶେଷରେ ବହୁତ କହିଵାରୁ ଭିକାରୀ ନିଜ ସ୍ତ୍ରୀ କଥାରେ ପଡ଼ି ପ୍ରଥମ ଦିନ ମନ୍ତ୍ର ବଳରେ ଗାଆଁ ପାଖ ଜଙ୍ଗଲରେ ଗୋଟିଏ ଵିଶାଳ ପ୍ରାସାଦ ନିର୍ମାଣ କରାଇଲା । ତହୁଁ ଦ୍ଵିତୀୟ ଦିନ ତା ସ୍ତ୍ରୀ ତାକୁ କହିଲା ଏ ଦେଶର ଲୋକମାନଙ୍କ ଯୋଗୁଁ ଆମେ ଦରିଦ୍ର ହୋଇଛେ । ଯେଉଁ ଚାଉଳ ଗଣ୍ଡେ ପାଇଁ ଆମେ ଆଜିଯାଏଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛେ ତାକୁ ସମସ୍ତଙ୍କଠୁଁ ଛଡ଼େଇ ନେଵା। ଭିକାରୀ ଅନ୍ୟ ଉପାୟ ନପାଇ ସେଇଆ ମନରେ ଇଚ୍ଛା କରି ମନ୍ତ୍ର ପଢି଼ଵାରୁ ସେ ଦେଶରେ ଯାହା ପାଖରେ ଯେତେ ଚାଉଳ ଥିଲା ସେ ସବୁ ଜଙ୍ଗଲ ଭିତରେ ଥିଵା ଵିଶାଳ ପ୍ରାସାଦ ମଧ୍ୟରେ ଗଚ୍ଛିତ ହୋଇଗଲା ।
ଏଣେ ଦେଶଯାକ ଲୋକ ଚାଉଳ ନପାଇ ଫଳମୂଳ ଖାଇ ରହିଲେ । ରାଜାଘରେ ବି ମୁଠେ ଚାଉଳ ବଞ୍ଚିଲା ନାହିଁ । ରାଜା ଜାଣି ଚିନ୍ତାରେ ପଡି଼ଲେ ଏଵଂ ଏହାର କାରଣ ଜାଣିଵାକୁ ସୈନ୍ୟ ତଥା ଗୁପ୍ତଚର ପଠାଇଲେ । ସମସ୍ତଙ୍କ ଘରୁ ଚାଉଳ ଚାଲିଯିଵାରୁ ମୂଷାମାନେ ଲୋକଙ୍କ ଘରୁ ବାହାରି ପଦରେ ବୁଲିଲେ ଆଉ ହଠାତ୍ କ'ଣ ହେଲା କେଜାଣି ସେମାନେ ଗୋଟିଏ ଦିଗକୁ ବଢି଼ଚାଲିଲେ । ରାଜାଙ୍କ ସୈନ୍ୟମାନେ ମୂଷା ଯାଉଥିଵା ଦିଗକୁ ଘୋଡ଼ା ଝପଟାଇ ଦେଲେ ।
ସୈନିକମାନେ ଆସି ଜଙ୍ଗଲ ଭିତରେ ଭିକାରୀର ଵିଶାଳ ପ୍ରାସାଦ ନିକଟରେ ପହଞ୍ଚିଲେ । ପ୍ରାସାଦ ଭିତରେ ଅମାପ ଚାଉଳ ବସ୍ତା ଦେଖି ସେମାନଙ୍କର ଆଉ କିଛି ବୁଝିଵା ବାକି ରହିଲା ନାହିଁ । ଭିକାରୀ ଓ ତାହାର ସ୍ତ୍ରୀ ବନ୍ଧା ହୋଇ ରାଜାଙ୍କ ପାଖକୁ ନିଆଗଲେ । ରାଜା ସବୁ ବୁଝିଵାରୁ ଜାଣିଲେ ଯେ ଏସବୁ କାଣ୍ଡ ଭିକାରୀ ତା ସ୍ତ୍ରୀର କଥାରେ ପଡ଼ି କରିଛି । ରାଜା ସେହି ଭିକାରୀଠାରୁ ମନ୍ତ୍ର ନେଇ ଯାହା ଘରେ ଯେତିକି ଚାଉଳ ଚାଲିଯାଇଥିଲା ସେତିକି ଫେରେଇ ଦେଲେ । ତାପରେ ଭିକାରୀ ଓ ଭିକାରୀର ସ୍ତ୍ରୀ କାରାଗାରକୁ ପଠାଗଲେ । ଭିକାରୀ ତା ସ୍ତ୍ରୀର ବୁଦ୍ଧି ଯୋଗୁଁ ଆଗକୁ ରାଜଦଣ୍ଡ ଭୋଗିପାରେ ବୋଲି ଅନୁମାନ କରିଥିଲା ତେଣୁ ମନ୍ତ୍ର ଶକ୍ତି ରାଜାଙ୍କୁ ଦେଵା ଆଗରୁ ସେ ମନ୍ତ୍ର ପଢି଼ ରାଜଦଣ୍ଡ ମିଳିଲେ ତାକୁ ଅନ୍ୟ ରାଜ୍ୟକୁ ପଠାଇ ଦେବା ପାଇଁ ମାଗିଦେଇଥିଲା । ଫଳତଃ କାରାଗାରରେ ପହଞ୍ଚିଵାର କେତେକ ସମୟ ପରେ ଭିକାରୀ ସେଠାରୁ ଅଦୃଶ୍ୟ ହୋଇଗଲା ଏଵଂ ତାହାର ସ୍ତ୍ରୀ ସେଇ କାରାଗାରରେ ବାକି ଜୀଵନ କଟେଇଲା ।
(ହିନ୍ଦୀ चंदामामाର ୧୯୬୬ ସଂଖ୍ୟା ଫେବୃଆରୀ ମାସରେ ପ୍ରକାଶିତ ଗଳ୍ପ "लापता चावल"ର ଓଡ଼ିଆ ଅନୁଵାଦ । ମୂଳ କାହାଣୀକୁ କେତେକାଂଶରେ ପରିଵର୍ତ୍ତିତ କରାଯାଇଛି । )
No comments:
Post a Comment