Wednesday, August 17, 2022

ସିନ୍ଧୁ - ସିନ୍ଧୁନଦୀ ଓ ଭାରତଵର୍ଷ

ସିନ୍ଧୁ ନଦୀ ଓ ଭାରତଵର୍ଷ ଆଵାହମାନ କାଳରୁ ଓତଃପ୍ରୋତ ଭାବେ ଜଡ଼ିତ । ଵର୍ତ୍ତମାନ ମୋଟ 1.12 million km2 ଆୟତନ ଵିଶିଷ୍ଟ ସିନ୍ଧୁ ଉପତ୍ୟକା ମଧ୍ୟରୁ ପାକିସ୍ତାନରେ ୪୭ଭାଗ,ଭାରତରେ ୩୯ଭାଗ ,ଚୀନରେ ୮ ଭାଗ ଏଵଂ ଆଫଗାନିସ୍ତାନରେ ୬ ଭାଗ ରହିଛି । ତେବେ ଆଜକୁ ୭୫ ଵର୍ଷ ତଳେ ଏ ସମସ୍ତ ଭୂଭାଗ ଭାରତଵର୍ଷର ଅଂଶଵିଶେଷ ଭାବେ ହିଁ ପରିଗଣିତ ହେଉଥିଲା । 

ସିନ୍ଧୁ ଶବ୍ଦଟି ମୂଳତଃ ଏକ ସଂସ୍କୃତ ଶବ୍ଦ ଏଵଂ ଵେଦରେ ଅଳ୍ପ ସ୍ଥାନରେ ହେଉ ପଛେ ଏହି ଶବ୍ଦର ପ୍ରୟୋଗ ହୋଇଛି । 

ସିନ୍ଧୁ ଶବ୍ଦକୁ ସ୍ଯନ୍ଦ୍ ଧାତୁରୁ ନିଷ୍ପନ୍ନ କରଯାଇଛି । 

ସ୍ଯନ୍ଦତେ ଇତି । ସ୍ଯନ୍ଦୂ ପ୍ରସ୍ରଵଣେ + “ସ୍ଯନ୍ଦେଃ ସମ୍ପ୍ରସାରଣଂ ଧଶ୍ଚ । ” 

ସ୍ୟନ୍ଦ୍ ଧାତୁରୁ ସ୍ରବିଵା, ବୋହିଵା, କ୍ଷରିଵା, ଗମନ କରିଵା ଓ ଗତି କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ କରଯାଇଥାଏ । ଵୈଦିକ ଯୁଗରେ ଜଳଧାରାକୁ ସିନ୍ଧୁ କୁହାଯାଉଥିଲା ବୋଲି Vedic Reference ନାମକ ଇଂରାଜୀ ଜ୍ଞାନକୋଷରେ ଲିଖିତ ହୋଇଛି । ଵେଦରେ କାଁ ଭାଁ ଅଳ୍ପ ସ୍ଥାନରେ ସିନ୍ଧୁ ନଦୀକୁ ସିନ୍ଧୁ ଉଲ୍ଲେଖ ଥିଵା ଦୃଶ୍ୟ ହୋଇଥାଏ । ତେବେ ଏହି ସିନ୍ଧୁ ଶବ୍ଦଟି ବହୁ ଅର୍ଥବୋଧକ । 

ପ୍ରଥମତଃ ସମୁଦ୍ରକୁ ସିନ୍ଧୁ କୁହାଯାଉଥିଲା ।

"ତାଵତ୍ତ୍ରିଭୁଵନଂ ସଦ୍ଯଃ କଳ୍ପାନ୍ତୈ ଧିତସିନ୍ଧଵଃ । ପ୍ଲାଵୟନ୍ତ୍ଯୁତ୍କଟାଟୋପଚଣ୍ଡଵାତେରିତୋର୍ମ୍ମୟଃ ॥"
(ଭାଗଵତ/ ୩ । ୧୧ । ୩୧ ।)

ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଶତାଧିକ ପ୍ରୟୋଗ କରାଯାଇଛି । ଯଥା—

ପାରି ହେଲେ ଦ୍ୱନ୍ଦୁ ପିଇ ସପ୍ତ ସିନ୍ଧୁ ଅଣାକାରଙ୍କର ଆଜ୍ଞାକାରୀ ।
ବାଲମିକ ମୁନି ବାଳୁତ କାଳରୁ ଅବଧୂତ ଦୀକ୍ଷା ଆଶ୍ରେ କରି ॥
(ଭୀମଭୋଇଙ୍କ ଭଜନ)

ଆହେ ପ୍ରଭୁ ଜଗତଜନ-ବନ୍ଧୁ । ଦୀନ-ଉଦ୍ଧାରଣ କରୁଣାସିନ୍ଧୁ । 
ତୁମ୍ଭେ ଦୁଃଖ-ସିନ୍ଧୁ । 
କରୁଣା କଲେ କରିପାର ବିନ୍ଦୁ । 
(ଜଗନ୍ନାଥ ଦାସଙ୍କ ମୃଗୁଣୀ ସ୍ତୁତି)

ଯେବେ ହୋଇବ ସିନ୍ଧୁ ପାର । ଗୋବିନ୍ଦପାଦେ ଆଶ୍ରେ କର ॥
(ଭାଗଵତ, ଜଗନ୍ନାଥ ଦାସ)

ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁ ସଙ୍ଗେ ଘେନିଗଲେ ଚିତ୍ର ଵିଚିତ୍ରଵୀର୍ଯ୍ୟକୁ । 
(ସାରଳା ମହାଭାରତ, ସାରଳା ଦାସ)

ପୁନଶ୍ଚ ନଦୀକୁ ମଧ୍ୟ ସିନ୍ଧୁ କୁହାଯାଉଥିଲା 

"ଵିନୀତାଧ୍ଵଶ୍ରମାସ୍ତସ୍ଯ ସିନ୍ଧୁ ତୀରଵିଚେଷ୍ଟନୈଃ ।
ଦୁଧୁଵୁର୍ଵାଜିନଃ ସ୍କନ୍ଧାନ୍ ଲଗ୍ନକୁଙ୍କୁମକେଶରାନ୍ ॥"
(ରଘୁବଂଶମ୍ । ୪ । ୬୭ ।)

ନବ ଲକ୍ଷ ବଙ୍ଗ ଅନେଶ୍ୱତ ରାଣୀ ଷୋଳଶତ ହସ୍ତୀ ଘୋଡ଼ା, ଚାରିଦେଗେ ସିନ୍ଧୁ ମଧ୍ୟରେ ନବର ଘର ତ‌ହିଁ ହୀରା ଯଡ଼ା ।
(ଟୀକା ଗୋଵିନ୍ଦ ଚନ୍ଦ୍ର ,ଯୋଗୀନ୍ଦ୍ର ଵିପ୍ର)

ସେହିପରି ମୁଣ୍ଡକୋପନିଷଦ(। ୨ । ୧ । ୯ ।)ରେ ସିନ୍ଧୁ ନଦୀ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି 

"ଅତଃ ସମୁଦ୍ରା ଗିରୟଶ୍ଚ ସର୍ଵ୍ଵେଽସ୍ମାତ୍ ସ୍ଯନ୍ଦନ୍ତେ ସିନ୍ଧଵଃ ସର୍ଵ୍ଵରୂପାଃ ।
 ଅତଶ୍ଚ ସର୍ଵ୍ଵା ଓଷଧୟୋ ରସଶ୍ଚ ଯେନୈଷ ଭୂତୈସ୍ତିଷ୍ଠତେ ହ୍ଯନ୍ତରାତ୍ମା ॥"

ରାଜନିର୍ଘଣ୍ଟଃ ଗ୍ରନ୍ଥରେ ସିନ୍ଧୁ ନଦୀ ଜଳର ଗୁଣ ଵିଷୟରେ ଆଲୋଚନା କରାଯାଇଛି 

"ଶତଦ୍ରୋର୍ଵିପାଶାୟୁଜଃ ସିନ୍ଧୁନଦ୍ଯାଃ ସୁଶୀତଂ ଲଘୁ ସ୍ଵାଦୁ ସର୍ଵ୍ଵାମୟଘ୍ନମ୍ ।
ଜଳଂ ନିର୍ମ୍ମଳଂ ଦୀପନଂ ପାଚନଞ୍ଚ ପ୍ରଦତ୍ତେ ବଳଂ ବୁଦ୍ଧିମେଧାଯୁଷଞ୍ଚ ॥"

ଏ ନଦୀର ନାମୋଲ୍ଲେଖ ଓଡ଼ିଆ ପୁରାଣରେ ଅଳ୍ପ ଦେଖିଵାକୁ ମିଳେ ତେବେ ମଧୁସୂଦନ ରାଓ ତାଙ୍କର ଜନ୍ମଭୂମି କଵିତାରେ ଏହି ନଦୀର ଏମନ୍ତ ନାମ ଉଲ୍ଲେଖ କରିଛନ୍ତି

"ଧନ୍ୟ ମହିମା ତୋହର 
ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତଵର
ଦୁଇ ପାରୁଶେ ଜଳଧି 
ବ୍ରହ୍ମପୁତ୍ର ସିନ୍ଧୁ ନଦୀ
ଚରଣରେ ବିରାଜିତ ମହାସାଗର ।
ବିନ୍ଧ୍ୟ ଗିରିବର କଟିରେ
ଗଙ୍ଗା ଆଦି କେତେ ନଦୀ 
ଶୋଭେ ଶରୀରେ ॥"

ସିନ୍ଧୁ ନଦୀ ଉପତ୍ୟକାକୁ ସିନ୍ଧୁ ତଥା ସିନ୍ଧୁ ଦେଶ କୁହାଯାଉଥିଲା

"ଯୁଧାଜିତଶ୍ଚ ସନ୍ଦେଶାତ୍ ସ ଦେଶଂ ସିନ୍ଧୁନାମକମ୍ ।
ଦଦୌ ଦତ୍ତପ୍ରଭାଵାୟ ଭରତାୟ ଭୃତପ୍ରଜଃ ॥"
(ରଘୁଃ । ୧୫ । ୮୭ ।)

ଵୈଦେହୀଶ ଵିଳାସରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵିଭିନ୍ନ ଦେଶର ନାମୋଲ୍ଲେଖ ସମୟରେ ସିନ୍ଧୁଦେଶର ମଧ୍ୟ ନାମ ଲେଖିଛନ୍ତି 

"ବିତପନ କଲେ ନେଇ ତପନବଂଶିକ ତହିଁ ସଭାରେ ଲୋଭା ଅନାଇ ନୃପ ସକଳ।

ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ।
ବହ୍ନିକ, ତୁରଷ୍କ, ନିଷେଧ।
ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡଙ୍ଗ, ମଗଧ।

ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ, ଗଉଡ, ମ୍ଳେଚ୍ଛ, ଆରବ, ମାଳବ, କଚ୍ଛ, କୁରୁ, ସଞ୍ଚାଳ।

ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ, ଗଳ, ଡାହାଳ, ଲୋମଶ, ପୁଣ୍ଡ୍ର, କୋଶଳ(ଅଯୋଧ୍ୟା)।”

ସଂଗୀତ ଶାସ୍ତ୍ରରେ ଏକ ରାଗକୁ ସିନ୍ଧୁରାଗ କୁହାଯାଉଥିଲା । ଏହା ମାଳକୋଶ ରାଗର ପୁତ୍ର ବୋଲି କଳ୍ପିତ। ଏଥିରେ ଗାନ୍ଧାର ରେ ନିଷାଦ, ଦୁଇ କୋମଳ ସ୍ବର ଲାଗେ। 

"ମାଧଵଃ ଶୋଭନଃ ସିନ୍ଧୁ ର୍ମ୍ମାରୁମେଵାଡୁକୁନ୍ତଳାଃ ।
କଳିଙ୍ଗଃ ସୋମସଂଯୁକ୍ତଃ କୌଶିକସ୍ଯ ସୁତା ଇମେ ॥"
(॥ ସଙ୍ଗୀତସିନ୍ଧୁ ଶାସ୍ତ୍ର ॥)

ସିନ୍ଧୁଵାର ଵା ବେଗୁନିଆ ଗଛକୁ ମଧ୍ୟ କେଵଳ ସିନ୍ଧୁ କୁହାଯାଉଥିଲା । ଶବ୍ଦରତ୍ନାଵଳୀ ଗ୍ରନ୍ଥ ଅନୁସାରେ 

ଵିସୁନ୍ଧକଃ ସିନ୍ଧୁ ଵାରଃ ସିନ୍ଧୁକଂ ସୁରସୋଽପି ଚ ।
ତଥେନ୍ଦ୍ରସୁରସସ୍ତ୍ଵିନ୍ଦ୍ରସୁରିସଃ ସିନ୍ଧୁ ଵାରିତଃ । ନିର୍ଗୁଣ୍ଡୀନ୍ଦ୍ରାଣିକେନ୍ଦ୍ରାଣୀ ସୁରସା ସିନ୍ଧୁଵାରକଃ ॥"

ଏତଦଵ୍ୟତୀତ ଶ୍ବେତ ଟଙ୍କଣ,ଦଣ୍ଡ,ଵମନ,ହସ୍ତି,ହସ୍ତି,ହାତୀର ଶୁଣ୍ଢରୁ ବୋହିଵା ପାଣି (ଲାଳ),ଆଦ୍ରତା,ବରୁଣ ଦେବତାଙ୍କୁ ମଧ୍ୟ ସିନ୍ଧୁ କୁହାଯାଉଥିଲା । 

ତେବେ ସିନ୍ଧୁ ଶବ୍ଦର ଏତେ ସବୁ ଅର୍ଥ ଥିଲେ ମଧ୍ୟ ଵିଶେଷତଃ ସିନ୍ଧୁ ନଦୀ,ନଦୀ, ସମୁଦ୍ର ତଥା ସିନ୍ଧୁ ଦେଶର ନାମ ସିନ୍ଧୁ ବୋଲି ସମସ୍ତେ ଜାଣିଥିଲେ । 

ଭାରତର ପଶ୍ଚିମ ପ୍ରଵେଶ ପଥରେ ସିନ୍ଧୁନଦୀ ଅଵସ୍ଥିତ ଥିଵାରୁ ପଶ୍ଚିମ ତଥା ମଧ୍ୟପ୍ରାଚ୍ୟର ଲୋକେ ଭାରତକୁ ଆସିଵାକୁ ଚେଷ୍ଟା କଲାବେଳେ ସିନ୍ଧୁ ନଦୀ ସହିତ ପରିଚିତ ହେଉଥିଲେ । ଫଳତଃ ସିନ୍ଧୁ ନଦୀର ନାମାନୁସାରେ ସେମାନେ ଭାରତଵର୍ଷର ନାମକରଣ କରିଛନ୍ତି । ଏହି ଆଧାରରେ ଭାରତଵର୍ଷର ଏକ ନାମ ଦିଆ ହେଲା ଏଵଂ ତାହା ହେଉଛି india !

ପର୍ତ୍ତୁଗୀଜ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ଦ୍ଵାରା ଭାରତଵର୍ଷକୁ ପ୍ରଦତ୍ତ ଏହି ଇଣ୍ଡିଆ ନାମ ସହିତ ଭାରତୀୟଙ୍କ ପରିଚୟ ହୋଇଥିଲା । 

ପୂର୍ଵେ ଇଂରାଜୀରେ ଭାରତକୁ Indea କୁହାଯାଉଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମୋଦ୍ଧୃତ । ଲାଟିନ୍‌ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍‌ରୁ ସିଧାସଳଖ ଗ୍ରହଣ କରାଯାଇଛି ତଥା ସେଇ ମୂଳଗ୍ରୀକ୍ ଶବ୍ଦଟି ହେଉଛି Ἰνδία(Indía) ।

ଵସ୍ତୁତଃ ମୂଳ ଗ୍ରୀକ୍ Ἰνδία(Indía) ଶବ୍ଦଟି Ἰνδός(Indós) ଶବ୍ଦରୁ Ἰνδ
ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ ସୃଷ୍ଟ ।

Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ ଆସିଅଛି ।

 ଏହାର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ
 ରୂପ *síndʰuš(ନଦୀ/ସାଗର) ଥିଲା ।

ଆଗେ ଇଂରାଜୀ ଲୋକେ ଆରବୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ ।

 ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି । 

ସେହିପରି ସିନ୍ଧୁ ନଦୀର ନାମ ଆଧାରରେ ଭାରତଵର୍ଷର ଅନ୍ୟ ଏକ ନାମ ମଧ୍ୟ ରଖାଯାଇଥିଲା ଏଵଂ ତାହା ହେଉଛି ହିନ୍ଦୁସ୍ତାନ । 

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଏହି ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । 

ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ସ୍ଥାନୀୟ ବ୍ରଜବୋଲୀ ଭାଷାରେ ଆରବୀ ପାର୍ସୀ ତୁର୍କ ଶବ୍ଦର ମିଶ୍ରଣ କରି ସେହି ଭାଷାକୁ ହିନ୍ଦୀ ନାମ ଦିଆଗଲା । 

ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି ।

 ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାରୋପୀୟ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ ।
 
 ଢେଙ୍କାନାଳରେ ସେଇଟା କୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!!
 
 ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଏଵଂ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣ ପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ । 

କିନ୍ତୁ କେଵଳ ଵିଦେଶୀ ହିଁ ନୁହନ୍ତି ଭାରତଵାସୀ ମଧ୍ୟ ସିନ୍ଧୁ ନଦୀର ନାମାନୁସାରେ ଭାରତଵର୍ଷର ଏକ ଵିଶିଷ୍ଟ ଶାସ୍ତ୍ରୀୟ ନାମ ରଖିଥିଲେ । ଭାରତଵର୍ଷର ସେହି ନାମଟି ହେଉଛି "କୁମାରଖଣ୍ଡ" । 

  ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁମାର ଶବ୍ଦ ତଳେ ଉଲ୍ଲେଖ କରାଯାଇଛି । 
  
କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । 

କିନ୍ତୁ ଭାଷାଵିଦଙ୍କ ମଧ୍ୟରେ ଏହାକୁ ନେଇ ମତାନ୍ତର ରହିଛି । କେତେକ ଗଵେଷକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ । 

ହେଲେ ଏକଦା ଭାରତଵର୍ଷର ପରିଚୟ ପାଲଟିଥିଵା ସିନ୍ଧୁନଦୀ ଉପତ୍ୟକାର ଅର୍ଦ୍ଧାଧିକ ଭୂଭାଗ ଭିନ୍ନ ଦେଶରେ ଵିଦ୍ୟମାନ । ପୁଣି ଭାରତୀୟ ଜାତୀୟ ସଂଗୀତ ଲେଖିଲାବେଳେ ଏକଦା ରଵିନ୍ଦ୍ରନାଥ ଠାକୁର ଯେଉଁ ସିନ୍ଧୁ ଦେଶ ପାଇଁ ଲେଖିଲେ "ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା" ଆଜି ତାହା ଆଧୁନିକ ପାକିସ୍ତାନ ଦେଶରେ ଅଵସ୍ଥିତ ।
••••••••••••••••••••••••••
ତଥ୍ୟ ଉତ୍ସ—
©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© କଳ୍ପଦ୍ରୁମ ସଂସ୍କୃତ ଅଭିଧାନ
     ଶିଶିର ସାହୁ ମନୋଜ 
••••••••••••••••••••••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...