ଜଗନ୍ନାଥପୁର ଗ୍ରାମରେ ଈଶ୍ଵର ଜେନା ଓ ରାଧା ଜେନା ନାମରେ ଦମ୍ପତି ରହୁଥାନ୍ତି ।ସେମାନଙ୍କର ବହୁ ଚେଷ୍ଟା ପରେ ବି ପିଲାପିଲି ହୋଇନଥାଏ । ଦିନେ ଈଶ୍ଵର ଅଭିମାନ କରି ଠାକୁରଙ୍କୁ ଡାକି କହିଲା ”ହେ ଠାକୁରେ ! ତୁମେ ସତରେ କେତେ ନିର୍ଦ୍ଦୟ !”...
“ମୁଁ ସତ୍ ମାର୍ଗରେ ଥାଇ ସତ୍ କର୍ମ କରି ସୁଦ୍ଧା ମୋତେ ସନ୍ତାନ ପ୍ରାପ୍ତି ହେଉନାହିଁ କିନ୍ତୁ ପରପ୍ରୀଡ଼କ,ଭ୍ରଷ୍ଟାଚାରୀ ନେଡ଼େମେଡ଼ିଆ ସୁକୁଟା ପଧାନକୁ ପାଞ୍ଚ ପାଞ୍ଚଟା ଛୁଆ ଦେଇ ଦେଇଛ ! ଯଦି ଭଲ କାମ କରି ମୋତେ ସନ୍ତାନ ପ୍ରାପ୍ତି ହୋଇପାରୁନାହିଁ ତାହେଲେ ମୁଁ ବି ଅଧର୍ମୀ କାହିଁକି ନହେବି ?”
ସେଦିନ ରାତିରେ ହଠାତ୍ ଜଣେ ସନ୍ୟାସୀଙ୍କର ଆଵିର୍ଭାଵ ହେଲା । ସେ ଈଶ୍ଵର ଜେନାଙ୍କ ଆତିଥ୍ୟ ଗ୍ରହଣ କଲେ ଏଵଂ ଶୁଦ୍ଧ ଖାଦ୍ୟ ପାନୀୟ ଗ୍ରହଣ ପରେ ଉଷତ ହୋଇ ଗୋଟିଏ ଅଜଣା ଫଳ ଦେଇ କହିଲେ ଦେଖ ଏଇ ଫଳକୁ ଶୁଦ୍ଧ ସ୍ନାନ ଶୌଚାଦି କରି ଭୁଞ୍ଜିଵ ଅନ୍ୟଥା ଵିପରୀତ ଫଳ ଭୋଗ ହେଵ ।
ଈଶ୍ୱର ଜେନାର ସ୍ତ୍ରୀ ଉତ୍କଣ୍ଠିତା ଥିଲା ତେଣୁ ସନ୍ୟାସୀ ଯିଵା ପରେ ଅଧରାତିରେ ଲୁଚିକରି ଫଳକୁ ଖାଇଦେଲା । ସନ୍ୟାସୀ କହିଥିଵା କଥା ଫଳିଲା । ଵର୍ଷ ପରେ ପୁଅଟିଏ ଜନ୍ମ ହେଲା କିନ୍ତୁ ସେ ବଡ଼ ହେଵା ଭିତରେ ମାତାପିତା ଜାଣିପାରିଲେ ଯେ ତାଙ୍କ ପୁତ୍ରଟା ନିର୍ବୁଦ୍ଧିଆ । ସେ ନିର୍ବୁଦ୍ଧିଆ ପୁଅର ନାଆଁ ଶଙ୍କର ଜେନା ଦେଇଥାନ୍ତି ।
ସେ ଶଙ୍କର ଜେନା ପାଠ ପଢି଼ଵାକୁ ଚାଟଶାଳୀକୁ ଗଲା । ଅଵଧାନ ଶହେ ଥରେ କହିଲେ ହଜାରେ ଥର ଶିଖାଇଲେ ବି ତା'ର ପାଠ କି ଶାଠ କିଛି ହେଲା ନାହିଁ । ବାଧ୍ୟ ହୋଇ ବାପା ମାଆ ଶଙ୍କରର ପାଠପଢ଼ା ସ୍ଥଗିତ ରଖିଲେ ।
ପୁଅର ବୋକାମୀ ଦେଖି ପୁଣି ଦିନେ ଈଶ୍ଵର ଜେନା ଠାକୁରଙ୍କୁ ଡାକିଲା ”ହେ ଠାକୁରେ ! ମୁଁ ତ ପୁଅଟିଏ ମାଗିଥିଲି ତୁମେ ପୁଅ ଦେଲ ଯେ ସେ ବୋକା, ଅପାଣ୍ଡୁକ। ମୁଁ ନିଃସ୍ଵାର୍ଥପର ଭାବରେ ଧର୍ମକାର୍ଯ୍ୟ କରି କି ଲାଭ ଯଦି ଏଭଳି ଅଯୋଗ୍ୟ ପୁତ୍ର ଲାଭ ହେଵାର ଥିଲା ?”
ସେଦିନ ଦ୍ଵିପହରେ ପୁଣି ସେହି ସନ୍ୟାସୀ ଆସିଲେ । ଈଶ୍ୱର ଜେନା ନିଜ ପୁଅର ବୋକାପଣ କଥା କହିଲା । ସନ୍ୟାସୀ ବୋଇଲେ ଶୁଣ, ଆମ୍ଭ କଥା ନମାନି ଅଶୌଚ ଅଵସ୍ଥାରେ ଅସମୟ କାଳରେ ଆମ୍ଭେ ଦେଇଥିଵା ଫଳ ଭୁଞ୍ଜିଥିଵାରୁ ଅନ୍ୟାଚାର ଘଟି ତୁମ୍ଭ ପୁତ୍ର ଅପାଣ୍ଡୁକ ହେଲା । କିନ୍ତୁ ଚିନ୍ତା କରିଵାର କିଛି ନାହିଁ । ତା ବାହାଘର ହୋଇଗଲେ ବୁଦ୍ଧି ଫିଟିଵ ତାପରେ ସେ ସମାଜରେ ପ୍ରତିଷ୍ଠିତ ହୋଇଯିଵ । ତେବେ ଗୋଟିଏ କାର୍ଯ୍ୟ କରିଵ । ତାକୁ ସବୁବେଳେ ଵର ବେଶରେ ସଜାଇ ରଖିଵ ନହେଲେ ବାହା ଯୋଗ ଫିଟିଵ ନାହିଁ।”
ସେଇଦିନଠାରୁ ଈଶ୍ଵର ଜେନାର ପୁଅ ଶଙ୍କର ଜେନା ଵର ବେଶରେ ବୁଲିଲା । ଦିନା କେତେ ଲୋକେ ଟାପରା କଲେ,ଶଙ୍କର ଜେନା ତୁଲେ ଵରବେଶକୁ ନେଇ ଗମାତ ହେଲେ । କିନ୍ତୁ ଶଙ୍କର ଜେନା ସେମିତି ଗୁଡ଼ାଏ ଵର୍ଷ ଵରବେଶ ଧରି ବୁଲିଲା । ଶଙ୍କର ଜେନା ବୋକା ହୋଇଥାଇପାରେ କିନ୍ତୁ ସେ ସଦାଚାରୀ, ମିଷ୍ଟଭାଷୀ,ଦୟାଳୁ,ମେଳାପୀ ହୋଇଥିଵାରୁ ଲୋକେ ତାକୁ ସ୍ନେହ ଆଦର କରୁଥିଲେ । ଧିରେ ଧିରେ ଆଖପାଖ ଅଞ୍ଚଳରେ ସେ ଵରପିଲା ନାଆଁରେ ଖ୍ୟାତ ହୋଇଗଲା । ଖ୍ୟାତ ସିନା ହେଲା କିନ୍ତୁ ସେ ବୋକାଟାଏ ବୋଲି ତାକୁ କେହି ଝିଅ ଦେଲେ ନାହିଁ ।
ଦିନେ ଶଙ୍କର ଜେନା ତା ବାପା ମାଆଙ୍କ ସହିତ ମାମୁଘର ଯାଉଥାଇ । ଆଜିକାଲି ଭଳି ସେ ଯୁଗରେ ଏତେ ଯନ୍ତ୍ରଯାନ ନଥିଲା । ଲୋକେ ଘୋଡ଼ାଗାଡ଼ି କି ଶଗଡ଼ରେ ଆତଯାତ କରୁଥିଲେ ତେଣୁ ଶହ ଶହ
କୋଶ ଦୂର ସ୍ଥାନକୁ ଯିଵା ପାଇଁ ଦିନେ ଦୁଇଦିନ ଲାଗିଯାଉଥିଲା । ବାଟରେ ଯାଉ ଯାଉ ରାତି ହୋଇଯିଵାରୁ ସେମାନେ ଏକ ଗାଆଁରେ ରହିଲେ । ସେଠାରେ ବାହାଘର ହେଵାକୁ ଯାଉଥିଲା କିନ୍ତୁ ଵରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ କୌଣସି କାରଣରୁ ଗୋଳ ହେଉଥିଲା ।
ଈଶ୍ଵର ଜେନା,ରାଧା ଜେନା ଓ ତାଙ୍କ ପୁଅ ଶଙ୍କର ଜେନା ସେଠାରେ କ'ଣ ହେଉଛି ବୋଲି ଦେଖିଵାକୁ ଗଲେ । ଭୀଷଣ ପାଟିତୁଣ୍ଡ ଭିତରେ ଶଙ୍କରା ଜେନା ବାହା ଵେଦୀ ଚାରିପଟେ ବୁଲି ଦେଖୁଥାଏ । ସେ ତ ଵର ଵେଶରେ ଥାଏ ତେଣୁ ତାକୁ ଵର ଵେଶରେ ଦେଖି ପୁରୋହିତ ଭାବିଲେ ଵରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ଵିଵାଦ ତୁଟିଗଲାଣି ବୋଲି ଵରପିଲାଟି ବାହା ଵେଦୀ ପାଖକୁ ଆସିଛି । ପୁରୋହିତ ଶଙ୍କର ଜେନାକୁ ପଚାରିଲେ ତୁମ ନାଆଁ କ'ଣ ? ଶଙ୍କର ଜେନାକୁ ତ ତା ଗାଆଁ ଲୋକେ ବରପିଲା ଡାକୁଥିଲେ ତେଣୁ ସେ ସେହି ଡାକ ନାଆଁଟି କହିଦେଲା । ଲଗ୍ନ ଗଡ଼ି ଯାଉଥାଏ ତେଣୁ ପୁରୋହିତ ଵରବେଶଧାରୀ ଶଙ୍କର ଜେନାକୁ କହିଲେ ଆଉ ଵିଳମ୍ବ କାହିଁକି ? ଆସ ବସିପଡ଼ !
ବରପିଲା ଶଙ୍କର ଜେନାର ବରବେଶ ଦେଖି ପୁରୋହିତର ଵା କାହିଁକି ସନ୍ଦେହ ହୁଅନ୍ତା । ତେଣେ ଝଗଡ଼ା ଚାଲିଥାଏ ଏଣେ ବରପିଲାର ବାହାଘର ହେଉଥାଏ । ବାହାଘର ପାଇଁ ଆସିଥିଵା ପରପକ୍ଷ ଉତ୍ୟକ୍ତ ହୋଇ ସେ ସ୍ଥାନ ଛାଡି଼ ଚାଲିଯିଵା ପରେ କନ୍ୟାପିତା ଆସି ଦେଖିଲେ ଝିଅର ବାହାଘର ହୋଇ ସାରିଛି । ଈଶ୍ଵର ଓ ରାଧା ବି ପୁଅକୁ ଚାରିଆଡ଼େ ଉଣ୍ଡି ସେଠାରେ ଆସି ପହଞ୍ଚିଲେ । ଏ ଘଟଣାକୁ ସମସ୍ତେ ଦୈଵ ଵିଧାନ ମାନିନେଲେ । ଅଵଶ୍ୟ ଵିଵାହ ପରେ ପରେ ବରପିଲା ଶଙ୍କର ଜେନାର ବୁଦ୍ଧି ଫିଟିଲା ଏଵଂ ସେ ସମାଜର ଜଣେ ଗଣ୍ୟମାନ୍ୟ ଵ୍ୟକ୍ତି ହେଲା ।
(ଵି:ଦ୍ର —ଜହ୍ନମାମୁଁ ୧୯୭୭ ଇଂରାଜୀ ଵର୍ଷ ମେ ମାସ ଓଡ଼ିଆ ସଂଖ୍ୟାରେ ପ୍ରକାଶିତ ‘ବର’ ଗଳ୍ପକୁ ସାମାନ୍ୟ ପରିଵର୍ତ୍ତନ କରି ଏହି ଗଳ୍ପଟି ଲେଖିତ ହୋଇଛି ।)
No comments:
Post a Comment