୧୮୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସୀ ରାଜ୍ୟରେ ଅଵସ୍ଥିତ ସାଲେମ୍ ନଗରର ଜଣେ ଆମେରକୀୟ କୃଷକ
ରବର୍ଟ ଗିବନ୍ ଜନସନ୍(୨୩ ଜୁଲାଇ, ୧୭୭୧ - ଅକ୍ଟୋବର ୨, ୧୮୫୦) ଘୋଷଣା କରିଥିଲେ ଯେ ସେ ଓଲ୍ଡ ସାଲେମ କାଉଣ୍ଟି କୋର୍ଟହାଉସରେ ସର୍ଵସାଧାରଣଙ୍କ ସମ୍ମୁଖରେ ଵିଷାକ୍ତ ମନେ କରାଯାଉଥିଵା ଏକ ଜାତୀୟ ଆମେରକୀୟ ଫଳ ଖାଇଵାକୁ ଯାଉଛନ୍ତି । ସେ ଯୁଗରେ ସେହି ଆମେରକୀୟ ଫଳଗଛଟି କେଵଳ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଉଥିଲା ଏଵଂ ଲୋକମାନେ ତାହାର ଫଳକୁ ଵିଷାକ୍ତ ମନେ କରୁଥିଵାରୁ ତାକୁ ଖାଉନଥିଲେ ।
ନ୍ୟୁଜର୍ସୀ ଓ ଏହାର ଆଖପାଖ ଜନଵସତିରେ ଉକ୍ତ ଫଳ ଜଣେ ଭକ୍ଷଣ କରିଵାକୁ ଯାଉଛନ୍ତି ବୋଲି ପ୍ରଚାରିତ ହେଵାରୁ ବହୁ ଦୂରଦୂରାନ୍ତରୁ ଲୋକେ ଏହି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ଦେଖିଵାକୁ ସାଲେମ୍କୁ ଯାଇଥିଲେ । ନିର୍ଦ୍ଧାରିତ ଦିନ ସେହି ଵିଷାକ୍ତ ମନେ କରାଯାଉଥିଵା ସୁନ୍ଦର ଲାଲ୍ ଫଳ ଅଣାଯାଇ ଏକ ଝୁଡ଼ିରେ ରବର୍ଟଙ୍କ ସମ୍ମୁଖରେ ରଖାଗଲା । ରବର୍ଟ ନିର୍ଦ୍ବନ୍ଦ୍ବରେ ଗୋଟାକ ପରେ ଗୋଟିଏ ଫଳ ଖାଇଵାକୁ ଲାଗିଲେ । ସେଠାରେ ଉପସ୍ଥିତ ଥିଵା ଲୋକମାନେ ତାଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଅନାଇ ଥାଆନ୍ତି । କାଳେ କିଛି ଅଘଟଣ ଘଟିପାରେ ଏହି ଆଶଙ୍କାରେ ଲୋକେ ସେଠାରେ ଅନେକ ଘଣ୍ଟା ଅପେକ୍ଷା କଲେ କିନ୍ତୁ ରବର୍ଟଙ୍କର କିଛି ବି ହେଲା ନାହିଁ । ସେଇଦିନଠାରୁ ଆମେରିକାର ଲୋକେ ଜାଣିଲେ ଯେ ସେମାନେ ଯେଉଁ ଫଳକୁ ଵିଷାକ୍ତ ମନେକରି ଖାଉନଥିଲେ ତାହା ପ୍ରକୃତରେ ଵିଷାକ୍ତ ନୁହେଁ । ତାପରେ ଆମେରକାରେ ଉକ୍ତ ଫଳ ବହୁ ପରିମାଣରେ ଚାଷ କରାଗଲା । ଏତେ ପରିମାଣରେ ଚାଷ କରାଗଲା ଯେ ତାହାର ଚାଷ ବଢ଼ି ବଢ଼ି ଵର୍ତ୍ତମାନ କେଵଳ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଵର୍ଷ ସେହି ଫଳ ଵାର୍ଷିକ ଦଶରୁ ଏଗାର ନିୟୁତ ଟନ୍ ଉତ୍ପାଦିତ ହୋଇଥାଏ । ସେହି ଫଳଟିର ନାଆଁ ଟମାଟୋ ଯାହାକୁ ଆମେ ଓଡ଼ିଆମାନେ ଟମାଟର,ବିଲାତି,ବିଲାତିବାଇଗଣ,ଭେଜରୀ,ଭେଜରା, ପାଚଲଘଣ୍ଟା ଓ ପାତଲଘଣ୍ଟା ନାମରେ ଜାଣନ୍ତି ।
ସେହି ଊନବିଂଶ ଶତାବ୍ଦୀର କିଛି ଦଶନ୍ଧି ପରେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଟମାଟୋ ସର୍ଵତ୍ର ଚାଷ ହେଵାକୁ ଲାଗିଲା ତତ୍କାଳୀନ ସ୍ଥାନୀୟ ପ୍ରଶାସନ ଏହା ଉପରେ କର ବସାଇଵାକୁ ନିଷ୍ପତ୍ତି ନେଇଥିଲା । ସେ ସମୟରେ ପରିବା ଉପରେ କର ପ୍ରଶାସନ ପକ୍ଷରୁ ଅତିରିକ୍ତ କର ଲାଗୁଥିଲା । କିନ୍ତୁ ସ୍ଥାନୀୟ ଆମେରକୀୟ କୃଷକମାନେ ଟମାଟୋକୁ ପରିବା ଅଭିହିତ କରି କର ଲଗାଯିଵା ଵିରୋଧରେ ସର୍ଵୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ । ଫଳତଃ “ଟମାଟୋ ଏକ ଫଳ ନା ପରିଵା ?” ଏହି ଵିଵାଦ ହାଟରୁ ଆରମ୍ଭ ହୋଇ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ନ୍ୟାୟାଳୟରେ ସବା ଶେଷରେ ନ୍ୟାୟାଧୀଶ ଵିଚାର ଶୁଣାଇ ଦେଲେ ଯେ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଟମାଟୋ ଏକ ଫଳ ହୋଇଥିଲେ ବି ଦୈନନ୍ଦିନ ଜୀଵନରେ ଏହା ଏକ ପରିବା ଭଳି ଵ୍ୟଵହୃତ ହୋଇଥାଏ । ତେଣୁ ଟମାଟୋକୁ ପରିବା ଅଭିହିତ କରାଯିଵା ଅଧିକ ଯୁକ୍ତିଯୁକ୍ତ ଅଟେ । ଏହାପରେ ଆମେରକୀୟ କୃଷକ ଓ ବେପାରୀମାନେ ଟମାଟୋ ସମ୍ବନ୍ଧୀୟ ୧୦% ଆମଦାନୀ କର ଦେଵାକୁ ବାଧ୍ୟ ହୋଇଥିଲେ ।
ତେବେ ଟମାଟୋ ଏକ ଵିଷାକ୍ତ ଫଳ ଏହି ଧାରଣା ଷୋହଳଶହ ଶତାବ୍ଦୀରୁ ଏହାର ୟୁରୋପରେ ଆଗମନ ସହିତ ଜନ୍ମିଥିଲା ।
ଧନୀ ୟୁରୋପୀୟମାନେ ସିସା ମିଶ୍ରିତ ଥାଳି ଵ୍ୟଵହାର କରୁଥିଲେ । ଟମାଟୋରେ ଥିଵା ଅମ୍ଳ ଉକ୍ତ ଥାଳି ର ସିସା ସହିତ ପ୍ରତିକ୍ରିୟା ଘଟାଇଵା ଯୋଗୁଁ ତାହା ବିଷାକ୍ତ ହୋଇଯାଉଥିଲା । ସମ୍ଭଵତଃ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଧନୀକ ସିସାପାତ୍ରରେ ଟମାଟୋ ଖାଇ ଅସୁସ୍ଥ ହୋଇଥିବେ ଫଳତଃ ଏଭଳି ଏକ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀ ପରେ ୟୁରୋପୀୟମାନେ ଵିଶେଷକରି ଇଟାଲୀ ଓ ସ୍ପେନର ଲୋକେ ଧିରେ ଧିରେ ଟମାଟୋକୁ ସୁରକ୍ଷିତ ଭାବେ କେମିତି ଖାଇ ହେଵ ତାହାର ଉପାୟ ପାଇ ଵ୍ୟଵହାର କରିଵାକୁ ଲାଗିଲେ ଫଳତଃ ପରଵର୍ତ୍ତୀ କାଳରେ ଏହା ୟୁରୋପୀୟମାନଙ୍କ ଦ୍ଵାରା ଆଦୃତ ହୋଇଥିଲା ।
ଵିଶ୍ଵର ଏହି ଲୋକପ୍ରିୟ ଫଳ ଵା ପରିବା ଟମାଟ,ଟମାଟୋ ଵା ଟମାଟରର ମୂଳ ଜନ୍ମସ୍ଥାନ ମଧ୍ୟ ଆମେରକା ତଥା ଦକ୍ଷିଣ ଆମେରିକା ବୋଲି ଗଵେଷଣାରୁ ଜଣାପଡି଼ଛି । ଗଵେଷକମାନେ କୁହନ୍ତି
ସର୍ଵପ୍ରଥମେ ଟମାଟୋ ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପାର୍ଵତ୍ୟାଞ୍ଚଳ(ପେରୁ,ଇକ୍ଵେଡର୍)ରେ ଚାଷ ହୋଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଯେ ଟମାଟୋର ଚାଷ କେତେ ଶତାବ୍ଦୀ ପୂର୍ଵେ ଆରମ୍ଭ ହୋଇଥିଲା । ଅଵଶ୍ୟ କେତେକ ତଥ୍ୟରୁ ଅନୁମାନ କରାଯାଏ ଯେ ପ୍ରାରମ୍ଭିକ ଟମାଟୋ ଚାଷର ସମୟକାଳ ପାଞ୍ଚଶହ ଖ୍ରୀଷ୍ଟପୂର୍ଵ ପୂର୍ଵେ ହୋଇଥିଵା ସମ୍ଭଵ । ପ୍ରଥମେ ଦକ୍ଷିଣ ଆମେରିକାରେ ଚାଷ ହେଵା ପରେ ଆମେରକୀୟ ଆଦିଵାସୀମାନେ ମଧ୍ୟ ଆମେରିକାରେ ଟମାଟୋ ଚାଷ କରିଵାକୁ ଲାଗିଲେ । ୟୁରୋପୀୟମାନେ ଆମେରିକାରେ ପଦାର୍ପଣ କରିଵା ପୂର୍ଵରୁ 'ମଧ୍ୟ ଆମେରକା'ର ଆଜଟେକ୍ସମାନେ ଟମାଟୋକୁ ଖାଦ୍ୟ ଭାବେ ଗ୍ରହଣ କରୁଥିଲେ । ଟମାଟୋ ଶବ୍ଦଟି ବି ମୂଳତଃ ଆମେରକୀୟ ଆଜଟେକ୍ସ ଜନଜାତୀୟ ଲୋକମାନଙ୍କର ଭାଷା Nahuatlର ଏକ ଶବ୍ଦ tomatlରୁ ଗୃହୀତ ହୋଇଛି । ଏହି ମୂଳ ଶବ୍ଦରୁ ସ୍ପାନିଶ୍ ଭାଷାରେ tomate ତଥା ଇଂରାଜୀ ଭାଷାରେ tomato ଶବ୍ଦ ପ୍ରଚଳିତ ହୋଇଥିଲା । ମୂଳ Nahuatl ଶବ୍ଦ tomatlର ଆକ୍ଷରିକ ଅର୍ଥ ଥିଲା ଫୁଲୁକା ଫଳ ଵା ଫୁଲିଯାଉଥିଵା ଫଳ । ଟମାଟୋ କଞ୍ଚା ଥିଵାବେଳେ ଟାଣ ଲାଗେ କିନ୍ତୁ ଏହା ପାଚିଵା ପରେ ପଚପଚିଆ ହୁଏ ଏଵଂ ଫୁଲିଯାଏ ସେଥିପାଇଁ ସ୍ଥାନୀୟ ଆମେରକୀୟ ଜନଜାତୀୟ ଲୋକେ ଟମାଟୋର ଏଭଳି ନାମକରଣ କରିଥିଲେ ।
ସ୍ପେନ ଓ ପର୍ତ୍ତୁଗୀଜମାନେ ଏହି ଆମେରିକୀୟ ପାଦପକୁ ସାରା ଵିଶ୍ଵରେ ଲୋକପ୍ରିୟ କରାଇଥିଲେ । କୁହାଯାଏ ସ୍ପେନୀୟ ଵିଜେତା Hernán Cortés ପ୍ରଥମେ ଏକ ଜାତୀୟ ହଳଦିଆଵର୍ଣ୍ଣର ଟମାଟୋକୁ ଆଜଟେକ୍ ନଗର Tenochtitlan ଵା ଆଜିର ମେକ୍ସିକୋରୁ ୧୫୨୧ ଖ୍ରୀଷ୍ଟାବ୍ଦରେ ଆଣିଥିଲେ । ହଳଦିଆ ରଙ୍ଗର ସେହି ବିଲାତି ବାଇଗଣକୁ ସେତେବେଳେ "pomi d'oro" ନାମ ଦିଆଯାଇଥିଲା ଯାହା ଆଜି ବି ଅନେକ ଭାଷାରେ ପ୍ରଚଳିତ ଏଵଂ ଏହାର ଆକ୍ଷରିକ ଅର୍ଥ "ସ୍ଵର୍ଣ୍ଣ ସେଓ" ଅଟେ ।
ବହୁତ ପରେ ୧୯୪୫ ଜାନୁଆରୀ ମାସରେ ସେଇ ସ୍ପେନର Buñol ନଗରରେ ଗୋଟିଏ ଶୋଭାଯାତ୍ରାର ଆୟୋଜନ ହେଉଥିଲା । ତେବେ ଉକ୍ତ ଶୋଭାଯାତ୍ରାରେ ଦୁଇପକ୍ଷ ମଧ୍ୟରେ କୌଣସି କାରଣରୁ ସଂଘର୍ଷ ହେଲା । ଝଗଡ଼ା ଏତେ ଭୀଷଣ ହେଲା ଯେ ଲୋକ ଯାହା ପାଇଲେ ପରସ୍ପର ଉପରକୁ ଫିଙ୍ଗିଲେ । ପାଖରେ ଥିଵା ପରିବା ଦୋକାନରୁ ଟମାଟୋ ଫିଙ୍ଗାଗଲା । ପରେ ପୋଲିସଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ସେହି ବର୍ଷ ଅଗଷ୍ଟ ମାସର ଶେଷ ବୁଧଵାର ଦିନ Buñol ନଗରର କିଛି ଯୁଵକ ପରସ୍ପର ଉପରକୁ ଟମାଟୋ ଫିଙ୍ଗିଵା ଆରମ୍ଭ କରିଦେଲେ । କୁହାଯାଏ ସେହିଦିନଠାରୁ ଧୀରେ ଧୀରେ ଏହା ପ୍ରତିଵର୍ଷ ପାଳନ କରାଗଲା ଏଵଂ ବର୍ତ୍ତମାନ ସାରା ପୃଥିଵୀରେ La Tomatina ନାମରେ ପ୍ରସିଦ୍ଧି ଲାଭ କରିଅଛି ।
ମନ୍ଦ ଅଭିନୟ ପାଇଁ ଅଭିନେତାମାନଙ୍କ ଉପରକୁ ଦର୍ଶକମାନେ ଭାରତରେ ପ୍ରାଚୀନକାଳରୁ ଢେଲାମାଡ଼ କରି ଆସିଛନ୍ତି । ଆଧୁନିକ ଯୁଗରେ ଢେଲାର ସ୍ଥାନ ଅଧିକାଂଶତଃ ଅଣ୍ଡା ଓ ଟମାଟୋ ନେଇ ଯାଇଛି । କୁହାଯାଏ ସର୍ଵପ୍ରଥମେ ମନ୍ଦ ଅଭିନୟ ପାଇଁ ଅଭିନେତା ଜନ୍ ରିଚିଙ୍କ ଉପରକୁ ୧୮୮୩ରେ ଅଣ୍ଟା ଓ ଟମାଟୋ ଫିଙ୍ଗାଯାଇଥିଲା । ସେବେଠାରୁ ଏଯାଵତ୍ ଅଭିନେତା ଓ ନେତାମାନଙ୍କ ଉପରକୁ ଲୋକେ ଟମାଟୋ ଫିଙ୍ଗୁଛନ୍ତି ।
Rotten Tomatoes ଜାଲସ୍ଥଳ ଏହି ଟମାଟୋ ଫିଙ୍ଗା ଆଧାରରେ ଗଠିତ ହୋଇଥିଲା ।
ସେ ଯାହାହେଉ ଇଂଲଣ୍ଡରେ କିନ୍ତୁ ୧୫୯୦ ମସିହା ଯାଏଁ ଟମାଟୋ ଗଛ ଲଗାଯାଇନଥିଲା । ଇଂଲଣ୍ଡକୁ ଟମାଟୋ ଆଣିଵାର ଶ୍ରେୟ ଓ୍ଵଲଟର ରାଲେଙ୍କୁ ଦିଆଯାଏ କିନ୍ତୁ ପ୍ରଥମେ ପ୍ରଥମେ ଏହାକୁ ଇଂଲଣ୍ଡରେ ଵିଷାକ୍ତ ଵିଚାର କରି ଖାଉନଥିଲେ ଏଵଂ କେଵଳ ମାତ୍ର ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ହେତୁ ଲଗାଉଥିଲେ । ବ୍ରିଟେନର ଜଣେ ଚିକିତ୍ସକ John Gerard ତାଙ୍କର ଏକ ପୁସ୍ତକ Gerard's Herbal ଲେଖିଥିଲେ ଏଵଂ ସେଥିରେ ଟମାଟୋକୁ ଏକ ଵିଷାକ୍ତ ଫଳ ଵା ପରିଵା ଅଭିହିତ କରିଥିଲେ । ଜେରାର୍ଡଙ୍କ ମତ ପ୍ରଭାଵଶାଳୀ ଥିଲା ଏଵଂ ଟମାଟୋ ବ୍ରିଟେନ ତଥା ଏହାର ଉତ୍ତର ଆମେରିକୀୟ ଉପନିଵେଶଗୁଡ଼ିକରେ ଦୀର୍ଘ ଵର୍ଷ ଧରି ଖାଇଵା ପାଇଁ ଅନୁପଯୁକ୍ତ ବୋଲି ଵିଵେଚନା କରାଯାଉଥିଲା । ବ୍ରିଟେନରେ ପ୍ରଥମେ ପ୍ରଥମେ ଟମାଟୋକୁ love apple କୁହାଯାଉଥିଲା । ଇଂଲଣ୍ଡର ଧନୀକମାନେ ଅନ୍ୟ ୟୁରୋପୀୟ ଦେଶର ଧନାଢ଼୍ୟ ଲୋକଙ୍କ ପରି ଯେଉଁ ଧାତଵ ଵାସନରେ ଖାଉଥିଲେ ସେଥିରେ lead ଵା ସୀସାଧାତୁର ପରିମାଣ ଅଧିକ ରହୁଥିଲା ଫଳରେ ତହିଁରେ ଟମାଟୋ ଖାଇଲେ ତାହା ପେଟ ପାଇଁ ଵିଷାକ୍ତ ହୋଇଯାଉଥିଲା ତେଣୁ ଟମାଟୋ ଵିଷାକ୍ତ ବୋଲି ମାନ୍ୟତା ଚଳୁଥିଲା । ତେବେ ଇଂଲଣ୍ଡର ଦରିଦ୍ରଲୋକେ ଧନୀକଙ୍କ ପରି ପ୍ରୋକ୍ତ ଵାସନରେ ଟମାଟୋକୁ ଖାଉନଥିଵାରୁ ଗରିଵ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଏହା ଲୋକପ୍ରିୟ ହେଵାକୁ ଲାଗିଲା ଏଵଂ ଏହାର ନାମ ରଖାଗଲା "poor mens apple" ।
ଦକ୍ଷିଣ ପୂର୍ଵ ଏସିଆରେ ସ୍ପେନ ଓ ପର୍ତ୍ତୁଗୀଜ ଲୋକଙ୍କ ଦ୍ଵାରା ଟମାଟର ପ୍ରଥମେ ଆନିତ ହୋଇଥିଲା ଏଵଂ ପରେ ଏହା ସେଠାରୁ ସାରା ଏସିଆ ମହାଦେଶରେ ଵ୍ୟାପିଗଲା । ଚୀନ ଦେଶକୁ ଟମାଟୋ ଫିଲିପାଇନସ କିଂଵା ମକାଓଠାରୁ ଆସି ପହଞ୍ଚିଲା ତେବେ ଚୀନାମାନେ କିନ୍ତୁ ଟମାଟୋର fānqié ନାମ ଦେଲେ ଯାହାର ଆକ୍ଷରିକ ଅର୍ଥ barbarian eggplant ଅଟଇ । ଆଜି ଚୀନ ଵିଶ୍ଵରେ ଟମାଟୋ ଉତ୍ପାଦନରେ ପ୍ରଥମ ହୋଇଥିଵାବେଳେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ଚୀନ,ଭାରତ, ଯୁକ୍ତରାଷ୍ଟ୍ର ଆମେରିକା,ତୁର୍କୀ, ଇଜିପ୍ଟ, ଇଟାଲୀ,ଇରାନ,ସ୍ପେନ୍, ବ୍ରାଜିଲ ଓ ମେକ୍ସିକୋରେ ପୃଥିଵୀର ସର୍ଵାଧିକ ଟମାଟୋ ଉତ୍ପାଦନ ହୋଇଥାଏ ।
ଟମାଟୋ ଗଛର ଵୈଜ୍ଞାନିକ ନାମ Solanum lycopersicum ଅଟେ । ତେବେ ଟମାଟୋର ଅଧୁନା ସାରା ପୃଥିଵୀରେ ଦଶ ସହସ୍ରାଧିକ ଚାଷ କିସମ ଦେଖିଵାକୁ ମିଳେ । ସେହିସବୁ ଟମାଟୋ ଚାଷ କିସମ ମଧ୍ୟରେ Alicante(ନାଲି),Azoychka (ହଳଦିଆ),Aunt Ruby's German Green(ସବୁଜ),Beefsteak (ନାଲି),Better Boy(ନାଲି),Black Beauty(କଳା),Black Krim( Purple/Brown),Brandywine(ଗୋଲାପୀ),Carbon (Burgundy),Cherokee Purple (Brown/Purple),Dad's Sunset (ନାରଙ୍ଗୀ),Yellow Brandywine(ସ୍ଵର୍ଣ୍ଣ ରଙ୍ଗ) ଓ White Queen Creamy (ଦୁଧିଆ ଧଳା) ଆଦି ଵିଶେଷ ଲୋକପ୍ରିୟ । କିନ୍ତୁ ସାଧାରଣତଃ ଵିଭିନ୍ନ ଚାଷକିସମ ମଧ୍ୟରେ ଲାଲ୍ ରଙ୍ଗର ଟମାଟୋ ଚାଷ କିସମର ଟମାଟୋ ହିଁ ଅଧିକାଂଶ ହାଟ ଵିପଣୀରେ ଦେଖିଵାକୁ ମିଳିଥାଏ । ଆଧୁନିକ ଟମାଟୋ Solanum lycopersicum ଓ ପୃଥିଵୀରେ ଵର୍ତ୍ତମାନ ଚାଷ କରାଯାଉଥିଵା ୧୦୦୦୦ରୁ ଅଧିକ ଟମାଟୋ ଚାଷ କିସମଗୁଡ଼ିକର ଜଙ୍ଗଲୀ ପୂର୍ଵଜର ଵୈଜ୍ଞାନିକ ନାମ Solanum pimpinellifolium ଅଟଇ । ଅର୍ଥାତ୍ ଏଇ ଗୋଟିଏ ଜଙ୍ଗଲୀ ଗଛରୁ ମନୁଷ୍ୟମାନେ ଅନେକ ଜାତୀୟ ଟମାଟୋ କିସମକୁ ପ୍ରସ୍ତୁତ କରିଛନ୍ତି । ଜଙ୍ଗଲୀ ଟମାଟୋ Solanum pimpinellifoliumର ଫଳ ଆଧୁନିକ ଚାଷୋପଯୋଗୀ ଟମାଟୋ ଅପେକ୍ଷା ଛୋଟ ପ୍ରାୟତଃ ବାଟି ଆକାର ଵା ତାଠାରୁ ସାମାନ୍ୟ ବଡ଼ ହୋଇଥାଏ ।
ଗୋଟିଏ ଟମାଟୋ ମଧ୍ୟରେ ୯୫ଭାଗ ଜଳ,ଚାରି ଭାଗ କାର୍ବୋହାଇଡ୍ରେଟ୍ ଓ ଏକ ଭାଗ ପ୍ରୋଟିନ୍ ତଥା ଫ୍ୟାଟ୍ ଥାଏ । ଏତଦ୍ଵ୍ୟତୀତ ଟମାଟୋରେ ଥାଇଆମିନ୍,ରାଇବୋଫ୍ଲାଵିନ୍,ନିଆସିନ୍,ପାଣ୍ଟୋଥେନିକ୍ ଅମ୍ଳ,ଵିଟାମିନ୍ A, ଵିଟାମିନ୍ B6, ଵିଟାମିନ୍ C,ଫୋଲେଟ୍(B9), ଵିଟାମିନ୍ E, ଵିଟାମିନ୍ K, କାଲସିଅମ,ଆଇରନ୍, ମାଗ୍ନେସିଅମ୍,ମାଙ୍ଗାନିଜ୍, ଫସଫରସ, ପୋଟାସିୟମ,ସୋଡିୟମ୍,ଜିଙ୍କ୍ ଓ ଲାଇକୋପିନ୍ ଇତ୍ୟାଦି ତତ୍ତ୍ଵ ମଧ୍ୟ ଥାଏ ।
ପୃଥିଵୀରେ ଏକ ସ୍ଵାସ୍ଥ୍ୟବର୍ଦ୍ଧକ ପରିବା ହୋଇଥିଵାରୁ ଟମାଟୋ ସର୍ବାଧିକ ଚାଷ ହୋଇଥାଏ । ଅନେକେ ତ ଟମାଟୋ ବିନା ତୁଣ କରିଵା କଥା ଚିନ୍ତା ବି କରିପାରନ୍ତି ନାହିଁ । କିନ୍ତୁ ଅଧୁନା ଭାରତୀୟମାନଙ୍କର ରୋଷେଇଶାଳକୁ ଅଧିକାର କରିନେଇଥିଵା ଟମାଟୋ ନଥିଵାବେଳେ ଭାରତୀୟମାନେ ଅଚାର ପାଇଁ ,ତୁଣକୁ ଖଟାଳିଆ ତଥା ସ୍ଵାଦିଷ୍ଟ କରିଵା ପାଇଁ ଅନେକ ଭାରତୀୟ ଖଟାଫଳ ଓ କୋଳି ଵ୍ୟଵହାର କରୁଥିଲେ । ପ୍ରକୃତି ଭାରତଭୂମିକୁ ଅନେକ ଖଟାଫଳ ଓ କୋଳି ଦେଇଛି । ଅଅଁଳା,ଆମ୍ବ, ଆମ୍ବଡ଼ା କଇଁଥ,ବରକୋଳି, କଣ୍ଟେଇ କୋଳି,ତେନ୍ତୁଳି,ଟଭା,ଲେମ୍ବୁ,ବାତାପି,ଓରୁଅ,କରମଙ୍ଗା,କରନ୍ଦା,କାନ୍ଧିଆ ଵା ଜମ୍ଭୀରା,ଚଲଣା ଓ କୁସୁମ ଆଦି ଏ ଦେଶରେ ଅନେକ ଖଟାଫଳର ଗଛ ଅଛି । ଓଡ଼ିଶାରେ ତୁଣ ଓ ଡାଲିକୁ ଖାଟାଳିଆ କରିଵାକୁ ତେନ୍ତୁଳି ଓ ଆମ୍ବଖଟା ଵ୍ୟଵହୃତ ହେଉଥିଲା । ମାତ୍ର ଟମାଟୋ ଭଳି ଆକାରରେ ବହୁତ ଛୋଟ ଗଛଟିଏ ଚାଷ ହେଵାରୁ ଏହି ସବୁ ଖଟାଫଳ ଓ କୋଳିଗଛଗୁଡ଼ିକର ଆଵଶ୍ୟକତା କମିଗଲା । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଗୋଟିଏ ଫୁଟେ ଦେଢ଼ ଫୁଟର ଵୈଦେଶିକ ଖଟାଫଳ ଵା ପରିଵା ଗଛ ତାଠାରୁ ଉଚ୍ଚତା ତଥା ଆକାରରେ ଅନେକଗୁଣ ବଡ଼ ଵିଵିଧ ଭାରତୀୟ ଖଟାଳିଆ ଗଛଗୁଡ଼ିକର ରୋଷେଇଶାଳରେ ମହତ୍ତ୍ଵ କମାଇଵାରେ ସଫଳ ହୋଇଗଲା ।
ଟମାଟୋ ଭାରତ ଆସିଵା ପରେ ଏହା ଧିରେ ଧିରେ ବହୁଳ ଭାବରେ ଚାଷ ହେଲା । ତହୁଁ ସଂସ୍କୃତରେ ଏହାର “ରକ୍ତଫଳ,ତାମ୍ରତର,ବାର୍ତ୍ତକୀ ଓ ରାଗାଳୁ” ଆଦି ନାମ ରଖାଯାଇଥିଲା । ସେହିପରି ଓଡ଼ିଶାରେ ଟମାଟୋ ଏକ ବାଇଗଣ ଜାତୀୟ ପାଦପ ହୋଇଥିଵାରୁ ଏଵଂ ବିଲାତରୁ ଵା ପୃଥିଵୀର ପଶ୍ଚିମଭାଗରୁ ଏହାକୁ ଅଣାଯାଇଥିଵାରୁ ଏହାକୁ ବିଲାତି ବାଇଗଣ ନାମ ଦିଆଗଲା । ବଙ୍ଗରେ ମଧ୍ୟରେ ଏହାକୁ ବିଲିତି ବେଗୁନ୍ ତଥା ଉତ୍ତର ଭାରତରେ ବିଲାୟତି ଭଣ୍ଟା(ବାଇଗଣ) କୁହାଯାଉଥିଲା କିନ୍ତୁ ଅଧୁନା ହିନ୍ଦୀଭାଷୀଙ୍କ କଥିତ ଭାଷାରୁ ପ୍ରାୟତଃ ବିଲାୟତି ଭଣ୍ଟା ଶବ୍ଦ ପ୍ରାୟତଃ ଲୁପ୍ତ ହୋଇସାରିଛି ଏଵଂ ଅଧିକାଂଶ ଉତ୍ତରଭାରତୀୟ ଟମାଟର୍ ଶବ୍ଦ ପ୍ରୟୋଗ କରୁଅଛନ୍ତି ।
ଟମାଟରକୁ ଓଡ଼ିଶାର କେତେକ ଅଞ୍ଚଳରେ ବିଲାତି ବାଇଗଣ ନକହି କେଵଳ ବିଲାତି,ବିଲାଇତି,ବିଲେଇତି ଇତ୍ୟାଦି ମଧ୍ୟ କୁହାଯାଏ । ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ବିଲାତି ବାଇଗଣକୁ ଭେଦରା,ଭେଦରୀ,ଭେଜରା ଓ ଭେଜରୀ ଇତ୍ୟାଦି କୁହାଯାଏ । ଏ ସମସ୍ତ ଶବ୍ଦ ତତ୍ସମ ବର୍ତ୍ତକୀ ତଥା ଓଡି଼ଆ ଭେଜୀ ଶବ୍ଦ ସହିତ ସମୋଦ୍ଧୃତ । ଓଡ଼ିଆ ଭାଷାରେ ଏକ ପ୍ରକାରର ବାଇଗଣ ଜାତୀୟ ପାଦପକୁ ଭେଜି ବାଇଗଣ କୁହାଯାଏ ଯାହାର ଵୈଜ୍ଞାନିକ ନାମ Solanum virginianum ଵା Solanum Xanthocarpum । ଏହି ଭାରତୀୟ ଗଛଟି ଦେଖିଵାକୁ ଆମେରକୀୟ ଟମାଟୋ ଗଛ ଭଳି ହୋଇଥିଵାରୁ ଓଡ଼ିଶାରେ ଵିଦେଶରୁ ଆଗତ ଟମାଟୋକୁ ବି ଭେଜ୍ରି କୁହାଗଲା । ଏହି ବିଲାତି ବାଇଗଣ ସାଦୃଶ୍ୟ କଣ୍ଟାଯୁକ୍ତ ଭାରତୀୟ ଗଛଟି ଏକ ଔଷଧୀୟ ପାଦପ ଭାବେ ପ୍ରତିଷ୍ଠିତ।
ପୂର୍ଵ ଓଡ଼ିଶାରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ୧୯୮୦ ମସିହା ସୁଦ୍ଧା ବିଲାତି ବାଇଗଣକୁ ପାଚଲ ଓ ପାଚଲଘଣ୍ଟା କୁହାଯାଉଥିଲା । ତେବେ ସ୍ଥାନୀୟ କଟକୀ କଥିତ ଭାଷାରେ ଟମାଟର ଓ ବିଲାତି ବାଇଗଣ ଆଦି ଶବ୍ଦର ବହୁଳ ପ୍ରୟୋଗ ଯୋଗୁଁ ଏ ଶବ୍ଦଦ୍ଵୟ ଏଠାକାର ଗ୍ରାମାଞ୍ଚଳରେ ରହୁଥିଵା ବୁଢ଼ାବୁଢ଼ୀଙ୍କ ମୁଖରୁ କ୍ଵଚିତ୍ ଶୁଣାଯାଏ ।
ପଶ୍ଚିମ ଓଡ଼ିଶାରେ ବିଲାତି ବାଇଗଣକୁ ପାତଲ୍ ଘଣ୍ଟା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୪୭୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି ଏଵଂ ଏ ଶବ୍ଦର ଅନ୍ୟ ପ୍ରତିରୂପ ମଧ୍ୟ ସେଠାରେ ଉଲ୍ଲେଖ କରାଯାଇଛି ଯଥା : ପାତଲ୍ ଘଣ୍ଟା,ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା,ପାତଲ୍ ଭାଣ୍ଟା ଓ ପାତଲ୍'ଘଟା ।
ପାତଲ୍ ଘଣ୍ଟା ଶବ୍ଦର ଅନେକ ରୂପ ଭଳି ଏ ଶବ୍ଦର ସୃଷ୍ଟିକୁ ନେଇ ମଧ୍ୟ ନାନା ମତ ରହିଛି । ନିମ୍ନରେ ତନ୍ମଧ୍ୟରୁ କେତେକ ମତ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରାଗଲା ।
ଆଉ ଏକ ମତ ଅନୁସାରେ ସମ୍ବଲପୁରୀ ଓଡ଼ିଆରେ ପାତଲ୍ ଶବ୍ଦର ଅର୍ଥ ପତଳା ,କ୍ଷୀଣ ଓ ସରୁଆ । ବିଲାତି ବାଇଗଣର ଉପର ଆଵରଣ ଦେଶୀୟ ବାଇଗଣ ଅପେକ୍ଷା ଅତିସରୁ,କ୍ଷୀଣକାୟ ଓ ପତଳା ହୋଇଥାଏ । ତେଣୁ କିଛି ଲୋକଙ୍କ ମତ ଯେ "ପତଳା" ଅର୍ଥଜ "ପାତଲ୍" ସହ "ଭଣ୍ଟା" ଶବ୍ଦର ଏକ ଦେଶଜ ରୂପ "ଘଣ୍ଟା" ଯୁକ୍ତ ହୋଇ ପାତଲ୍ ଘଣ୍ଟା ଶବ୍ଦ ସୃଷ୍ଟି ହୋଇଅଛି । ପ୍ରକାଶ ଥାଉକି ‘ଭଣ୍ଟା’ ଶବ୍ଦଟି ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ ବାଇଗଣ ଅର୍ଥରେ ଵ୍ୟଵହୃତ ହୋଇଥାଏ ।
ମତାନ୍ତରେ ବିଲାତି ବାଇଗଣ ପାତାଳର ଫଳ ଅଟେ । ଵାସ୍ତଵରେ ଟମାଟୋ ଆମ ଦେଶର ଫଳ ନୁହେଁ । ଏହା ମୂଳତଃ ଆମେରିକାରୁ ଅଣାଯାଇ ଆମ ଦେଶରେ ଚାଷ କରାଯାଇଛି । ପୁରାଣରେ ସପ୍ତ-ପାତାଳର କାହାଣୀ ରହିଛି । କିଛି ଲୋକଙ୍କ ଅନୁସାରେ ମାଟି ତଳେ ସପ୍ତ ପାତାଳ ଅଵସ୍ଥିତ ତେଵେ ଆଉ କିଛି ଲୋକ କୁହନ୍ତି ପ୍ରାଚୀନ ତଥା ହିଂସ୍ର ମାନଵଜାତିଙ୍କ ଦ୍ଵାରା ଵସଵାସ କରାଯାଉଥିଵା ବଡ଼ ଦ୍ଵୀପ ଓ ମହାଦେଶଗୁଡି଼କୁ ସନାତନୀ ପୁରାଣକାରମାନେ ପାତାଳ ଅଭିହିତ କରିଅଛନ୍ତି । ସେମାନଙ୍କ ମତରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,ଆଣ୍ଟାର୍କଟିକା, , ଅଷ୍ଟ୍ରେଲିଆ,ଆରବ,ଇରାକ ଓ ଆଫ୍ରିକାର କିଛି ଅଂଶକୁ ସେତେବେଳର ପୁରାଣରେ ପାତାଳ ଅଭିହିତ କରାଯାଇଥିଵା ସମ୍ଭଵ । ଏସବୁ ଅଞ୍ଚଳରେ ଏମିତି ମାନଵ ସଭ୍ୟତା ଗଢିଉଠିଥିଲା ଯେଉଁମାନେ ବହିରାଗତଙ୍କ ପ୍ରତି ହିଂସ୍ର ଵ୍ୟଵହାର କରୁଥିଲେ । ଆରବରେ ଓ ଇରାକ୍'ରେ ବାର୍ବାରିକ ଓ ଆସିରୀୟ ଲୋକେ ହିଂସ୍ର ଓ ଦୁର୍ଦ୍ଧାନ୍ତ ଥିଵା ଜଣାଯାଏ । ଏଣୁ ଯେହେତୁ ବିଲାତି ବାଇଗଣ ଆମେରିକା ମହାଦେଶର ପାଦପ ଏଵଂ ଆଧୁନିକ ଯୁଗରେ ଏହାର ଆଵିଷ୍କାର ପରେ ଏହାକୁ ଏକ ପାତାଳ ଭାଵରେ ଭାରତୀୟ ଲୋକେ ଅନୁମାନ କରିଥିଲେ ତେଣୁ ସେମାନେ ବିଲାତି ବାଇଗଣର ,ପାତାଳର ଭଣ୍ଟା = ପାତାଳଘଣ୍ଟା ନାମକରଣ କରିଥାଇପାରନ୍ତି । ପାତାଳ ଶବ୍ଦ ସହ ଯୁକ୍ତ ଘଣ୍ଟା ଶବ୍ଦଟି ଭଣ୍ଟାକୀ ଶବ୍ଦର ଏକ ରୂପ ହୋଇଥିଵ କିଂଵା ଘଣ୍ଟାର ପେଣ୍ଡୁଲିୟମ୍ ପରି ଏ ଫଳଟି ତଳକୁ ଓହଳି ଥିଵାରୁ ପାତାଳ ଶବ୍ଦ ସହ ଘଣ୍ଟା ଶବ୍ଦ ଯୋଡ଼ା ହୋଇଥାଇପାରେ ।
ଏହି ଶବ୍ଦର ସୃଷ୍ଟିକୁ ନେଇ ଆହୁରି ଗୋଟିଏ ଵ୍ୟୁତ୍ପତ୍ତି ମତ ବି ଶୁଣିଵାକୁ ମିଳେ । ଓଡ଼ିଆ ଭାଷାରେ ପାତଳ ବୋଲି ଶବ୍ଦଟିଏ ଅଛି । ଆମ ଭାଷାରେ ଏହି ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି ! ଯଥା :
ପାଦ ତଳ,ପାଆତଳିଆ/ପାଦତଳସ୍ଥିତ(ଵିଶେଷଣ),ଅନୁଗତ,ଅତି ହୀନ,ପତଳା ଵା ସରୁ(ସମ୍ବଲପୁରୀ ଓଡ଼ିଆରେ ଏହି ଓଡ଼ିଆ ଶବ୍ଦ ପାତଲ୍ ହୋଇଅଛି ),କୃଶ ଵା ଶୀର୍ଣ୍ଣକାୟ,ଜଳରେ ଗୋଳିଆ ହୋଇଥିଵା,ଜଳୀୟ ଵା ତରଳ ଓ ଅଘନ । ଏହି ପାତଳ ଶବ୍ଦଟି ପତଳା ଵା ସରୁ ଅର୍ଥ ଛଡ଼ା ଜଳୀୟ ଵା ତରଳ ଅର୍ଥରେ ମଧ୍ୟ ଵ୍ୟଵହାର ହୋଇଥାଏ । ସେଇଥିପାଇଁ "ଯାଉ(ଯଵାଗୂ)"କୁ ଆମ ଭାଷାରେ "ପାତଳ ଭାତ" କୁହାଯାଏ କାରଣ ସାଧାରଣ ଭାତ ଶୁଷ୍କ ହୋଇଥିଵାବେଳେ ଯାଉଭାତରେ ଜଳୀୟ ଅଂଶ ରହିଥାଏ । ଦେଶୀୟ ବାଇଗଣ ପାଚି ଧୀରେ ଧୀରେ ଶୁଖିଯାଏ କିନ୍ତୁ ବିଲାତି ବାଇଗଣ ପାଚିଲେ ଈଷତ ଲାଲ ଵର୍ଣ୍ଣ ଧାରଣ କରେ ଏଵଂ ତା ମଧ୍ୟରେ ମଞ୍ଜି ସହ ତରଳ ପଦାର୍ଥ ସୃଷ୍ଟି ହୋଇଥାଏ । ସମ୍ଭଵତଃ ବିଲାତି ବାଇଗଣରେ ତରଳ ଶସ ମିଳୁଥିଵାରୁ ଜଳୀୟ ଅର୍ଥରେ ପାତଳ ଶବ୍ଦର ଵ୍ୟଵହାର କରାଯାଇଥିଲା ଏଵଂ ତାହା ସହ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଯୋଡ଼ା ଯାଇଥିଲା ଯାହା ସମୟାନୁକ୍ରମେ କେତେକ ଅଞ୍ଚଳରେ ଘଣ୍ଟା ହୋଇଅଛି ।
ଏତଦଵ୍ୟତୀତ ଅନ୍ୟ ଏକ ଵ୍ୟୁତ୍ପତ୍ତି ମତ ବି ଅଛି । କିଛି ଗଵେଷକ ଅନୁମାନ କରନ୍ତି ଯେ ପାତଳଘଣ୍ଟାରେ ଥିଵା ପାତଲ ଶବ୍ଦର ପାଚଳ ଶବ୍ଦ ସହିତ ସମ୍ପର୍କ ଥାଇପାରେ । ସମ୍ଭଵତଃ ପାତଲ୍ ଘଣ୍ଟା ଶବ୍ଦ ମଧ୍ୟରେ ଥିଵା ପାତଲ୍ ଶବ୍ଦଟି ଏକ ପ୍ରାଚୀନ ଓଡ଼ିଆ ଶବ୍ଦ "ପାଚଳ"ର ଆଧୁନିକ ରୂପ ଅଟେ । ପ୍ରକୃତରେ ଏହି ଓଡ଼ିଆ ଖଟା ଅର୍ଥଜ ପାଚଳ ଶବ୍ଦଟି ସଂସ୍କୃତର ସମାର୍ଥକ "ପାଚନ" ସହିତ ସମଦ୍ଧୃତ ଅଟେ । ଓଡିଆ ମହାଭାରତରେ ତଥା ଅନ୍ଯାନ୍ଯ ପୁରାତନ ଓଡ଼ିଆ ଗ୍ରନ୍ଥରେ ପାଚଲ ଶବ୍ଦଟି ଖଟା ବା ଆମ୍ବିଳ ଅର୍ଥରେ ଵ୍ୟଵହୃତ ହୋଇଅଛି । ବିଲାତି ବାଇଗଣ ଖଟାଳିଆ ହୋଇଥିଵାରୁ ଏଵଂ ଖଟାରେ ଘଣ୍ଟା ହେଉଥିଵାରୁ ଏହାକୁ ଆଗେ ପୂର୍ଵାଞ୍ଚଳରେ ପାଚଲଘଣ୍ଟା ଵା କେଵଳ ପାଚଲ୍ କହୁଥିଲେ । 'ଚ' ଓ 'ତ' ଵର୍ଣ୍ଣ ପରସ୍ପର ପରିଵୃତ୍ତ ହେଇପାରନ୍ତି ତେଣୁ ପୂର୍ଵାଞ୍ଚଳର ପାଚଲଘଣ୍ଟା ଶବ୍ଦଟି ପଶ୍ଚିମାଞ୍ଚଳରେ ପାତଲଘଣ୍ଟା ହୋଇଅଛି ।
ପୁଣି ଓଡ଼ିଆ ଭାଷାରେ ‘ପାଚଳ’ ଶବ୍ଦର ଅର୍ଥ “ଵିନା ଅଗ୍ନି ସହାୟତାରେ ପକ୍ଵ ଖାଦ୍ୟଦ୍ରଵ୍ୟ” ଏଵଂ ‘ପାଚଲ’ ଶବ୍ଦର ଅର୍ଥ “ଘାଣ୍ଟିଆ ତିଅଣ ଵା ଆମ୍ବିଳ ତିଅଣ” ଓ ‘ଵିହନ’ । ତତ୍ସମ ‘ପାଚଳ’ ଶବ୍ଦ ସହ ଓଡ଼ିଆ ‘ପାଚଲ’,‘ପାଚିଲା’ ଓ ‚'ପାକଲା' ଇତ୍ୟାଦି ଶବ୍ଦ ସମଦ୍ଧୃତ ଅଟେ ।
କିଡନୀ ଫ଼େଲ୍ ଵା ବୃକ୍କ ଅପକାର୍ଯ୍ୟ ରୋଗୀଙ୍କୁ ଖାଦ୍ୟ ମଧ୍ୟରେ ଆମିଷ, ପାଚିଲା ଫଳ ମନା ଓ ତା ସହ ପରିବା ମଧ୍ୟରେ ଟମାଟୋ ମଧ୍ଯ ମନା l ତେବେ "ଫଳ ତ ମନା ପରିବା ଭିତରେ ଟମାଟୋ କାହିଁକ ମନା ?" କାରଣ "ଫଳ ପାଚିବା ପରି ଟମାଟୋ ବି ପାଚିଥାଏ l" ନୟାଗଡ଼, କଟକ, ଢେଙ୍କାନାଳରେ ପାଚେ ବୋଲି ସେଠାକାର ଲୋକେ ତେଣୁ ଟମାଟୋକୁ 'ପାଚଲ' କହନ୍ତି l କଟକର ପୁରପଲ୍ଲୀରେ ଅଦ୍ୟାାବଧି କିଛି ଅଞ୍ଚଳରେ ପାଚଲଘଣ୍ଟା ଶବ୍ଦର ପ୍ରଚଳନ ରହିଛି ଏଵଂ ଏଇ ମାତ୍ର କୋଡି଼ଏ ତିରିଶ ଵର୍ଷ ପୂର୍ଵେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଟମାଟୋକୁ ପାଚଲଘଣ୍ଟା କହୁଥିଲେ ବୋଲି ଅନୁସନ୍ଧାନରୁ ଜଣାଯାଏ। ସମ୍ଭଵତଃ "ପାଚିଲା" ଅର୍ଥରେ "ପାଚଲ" ଶବ୍ଦଟି ପାଚଲଘଣ୍ଟା ଶବ୍ଦରେ ଵ୍ୟଵହାର ହୋଇଅଛି । ସମ୍ଭଵତଃ ଘାଣ୍ଟତିଅଣରେ ଆମ୍ବିଳ ଖଟା ଭାଵରେ ଵ୍ୟଵହାର ହେଉଥିଵାରୁ ଘଣ୍ଟା ଶବ୍ଦଟି ସେହି ଅର୍ଥ ଆଧାରରେ ପାଚଲ ଶବ୍ଦ ସହ ଯୋଡ଼ା ହୋଇଅଛି ।
ଆଉ କିଛି ଲୋକଙ୍କ ଅନୁସାରେ ବିଲାତି ବାଇଗଣ ପାଚିଲେ ପଚ୍ ପଚ୍ ପୁଚପୁଚିଆ ଗୁଣକୁ ପ୍ରାପ୍ତ କରିଥାଏ । ବିଲାତି ବାଇଗଣ ଅତି ପାଚିଗଲେ ତାକୁ ଯଦି ଆଙ୍ଗୁଠି ଦ୍ଵାରା ଅତିଶୟ ଚାପ ପ୍ରୟୋଗକରି ଚିପାଯାଏ ତେଵେ ତାହା ପଚ୍ ଶବ୍ଦ ସୃଷ୍ଟି ସହ ଫାଟିଯାଏ । ବିଲାତି ବାଇଗଣକୁ ନିଆଁ ମଧ୍ୟରେ ପୋଡ଼ାଗଲେ ମଧ୍ୟ ଏହା ମଧ୍ୟରେ ଥିଵା ଜଳୀୟ ଅଂଶ ଯୋଗୁଁ ପଚ୍ ପଚ୍ ଶବ୍ଦ ଉତ୍ପନ୍ନ ହୋଇଥାଏ । ସମ୍ଭଵତଃ ଏଥିପାଇଁ ଏହି ପଚ୍ ପଚ୍ ଶବ୍ଦ ସୃଷ୍ଟିକାରୀ ପରିଵାକୁ ପୂର୍ଵାଞ୍ଚଳରେ ପାଚଲ ଵା ପଚଲ୍ କୁହାଯାଏ ଏଵଂ ଏହି ଶବ୍ଦର ଅନ୍ୟ ଏକ ରୂପ ପଶ୍ଚିମାଞ୍ଚଳରେ ପାତଲ୍ ହୋଇ ପ୍ରଚଳିତ ଥିଲା ।
କେହି କେହି କୁହନ୍ତି ଟମାଟୋର ରଙ୍ଗକୁ ଦୃଷ୍ଟିରେ ରଖି ଏହାର ନାମକରଣ ପାତଲଘଣ୍ଟା ହୋଇଥିଲା । ସଂସ୍କୃତରେ ପାଟଳ ବୋଲି ଶବ୍ଦଟିଏ ଅଛି ଯାହା "ଫକା ନାଲି","ଶ୍ବେତ ରକ୍ତବର୍ଣ୍ଣ" ଵା "ଈଷତ ଗୋଲାପି ରଙ୍ଗ" ଅର୍ଥରେ ଵ୍ୟଵହୃତ ହୋଇଥାଏ । ଇଂରାଜୀରେ ଏହି ରଙ୍ଗକୁ Pale red colour ଵା whitish red colour କୁହାଯାଏ । ଏହି ରଙ୍ଗଟି ଠିକ୍ ଟମାଟୋ 🍅 ରଙ୍ଗ ପରି ହୋଇଥାଏ । ନାଗେଶ୍ଵର ଗଛ(Mesua ferrea)ର କଅଁଳ ପତ୍ର ଅତି ଈଷତ ଶ୍ଵେତ ରକ୍ତଵର୍ଣ୍ଣର ହୋଇଥାଏ ବୋଲି ତାକୁ ମଧ୍ୟ ପାଟଳଗଛ କୁହନ୍ତି । ଏକ ଜାତୀୟ ସେଵତୀ ପୁଷ୍ପ ଈଷତ ଗୋଲାପି ରଙ୍ଗର ହେଉଥିଵା ହେତୁ ତାକୁ ପାଟଳ କୁହାଯାଏ । ସେହିପରି Stereospermum chelonoides ଗଛକୁ ମଧ୍ୟ ଏହାର ଫିକା ଗୋଲାପି ରଙ୍ଗର ପୁଷ୍ପ ଯୋଗୁଁ ପାଟଳିପୁଷ୍ପ କୁହାଯାଏ । ତେଣୁ ସମ୍ଭଵତଃ ଟମୋଟୋର ଉପର ଆଵରଣ ଫିକା ନାଲି ରଙ୍ଗର ହେଉଥିଵାରୁ ଏହାକୁ ଏହାର ରଙ୍ଗ ଆଧାରରେ ସମାଜର ପଣ୍ଡିତଵର୍ଗଙ୍କ ଦ୍ଵାରା "ପାଟଳ ଭଣ୍ଡାକି" ନାମକରଣ କରାଯାଇଥିଲା । ତେବେ ସମୟକ୍ରମେ ଓଡ଼ିଆ ଭାଷାର ଶବ୍ଦ ପରିଵୃତ୍ତି ପ୍ରକ୍ରିୟା ଯୋଗୁଁ ପାଟଳ ଶବ୍ଦ ପାତଳ ଓ ପରେ ପାତଲ୍ ରେ ପରିଵୃତ୍ତ ହୋଇଥିଵାବେଳେ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଭଣ୍ଟା,ଭାଁଟା ,ଘଣ୍ଟା ଓ ଘଟା ଇତ୍ୟାଦିରେ ପରିଵର୍ତ୍ତିତ ହୋଇଅଛି ।
ଏହିପରି ଭାବେ ଟମାଟୋ ଅର୍ଥରେ ଵ୍ୟଵହୃତ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ନିରୁକ୍ତି ସମ୍ବନ୍ଧରେ ନାନା ମତ ପ୍ରକାଶ ପାଇଥାଏ ଏଵଂ ଵ୍ୟାଖ୍ୟା ଦୃଷ୍ଟିରୁ ଅଧିକାଂଶ ମତ ଯୁକ୍ତିଯୁକ୍ତ ମଧ୍ୟ ଲାଗେ ତେଣୁ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ମୂଳକୁ ନେଇ ଵିଵାଦ ଛିଣ୍ଡିଵା ପରିଵର୍ତ୍ତେ ଦ୍ଵନ୍ଦ୍ଵ ବଢ଼ିଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାତଲ୍ ଶବ୍ଦ ସହିତ ଯୁକ୍ତ ହୋଇଥିଵା ଘଣ୍ଟା ଶବ୍ଦକୁ ନେଇ ପ୍ରାୟ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥାଏ । କେହି କେହି ଭାବି ପାରନ୍ତି ଯେ ଏହି ଘଣ୍ଟା ଶବ୍ଦଟି ଘାଣ୍ଟିଵା କ୍ରିୟା ଶବ୍ଦ ସହିତ ସମୋଦ୍ଧୃତ ହୋଇଥିଵା ସମ୍ଭଵ । ପୂର୍ଵେ "ଆମ୍ଵିଳ ଘାଣ୍ଟିଆ ତିଅଣ" କଲାଵେଳେ ବିଲାତି ବାଇଗଣ ପକାଇ ଘଣ୍ଟା ଯାଉଥିଵା ହେତୁ କିମ୍ବା ବିଲାତି ବାଇଗଣରେ ଥିଵା ଈଷତ ଲାଲ ଵର୍ଣ୍ଣର ଶସ ଓ ତାହାର ଵୀଜ ଗୋଳେଇ ଘାଣ୍ଟି ହୋଇ ରହିଥାଏ ବୋଲି ପାତଲ୍ ଶବ୍ଦ ସହିତ ଘଣ୍ଟା ଶବ୍ଦ ଯୁକ୍ତ ହୋଇଅଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାତଲ୍ ଘଣ୍ଟା ଶବ୍ଦର ଉଲ୍ଲେଖିତ ଅନ୍ଯ ପ୍ରତିରୂପ ଏହି ମତର ଖଣ୍ଡନ କରିଥାଆନ୍ତି । ପାତଲଘଣ୍ଟାର ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା ଓ ପାତଲ୍ ଭାଣ୍ଟା ଆଦି ପ୍ରତିରୂପରେ ଭଣ୍ଟା ଶବ୍ଦଟି ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଭଣ୍ଟାକୀ ମୂଳର ଭଣ୍ଟା ଶବ୍ଦରୁ ପାତଲଘଣ୍ଟା ଶବ୍ଦରେ ଥିଵା ଘଣ୍ଟା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । "ଭ" ଓ "ଘ" ଉଭୟ ମହାପ୍ରାଣ ଵର୍ଣ୍ଣ ହୋଇଥିଵାରୁ ଏମନ୍ତ ହେଵା ଅସମ୍ଭଵ ନୁହେଁ। ଏମିତି ବି ହୋଇପାରେ ଯେ ବୋଧହୁଏ ଓଡ଼ିଶାର ପୂର୍ଵ ଓ ପଶ୍ଚିମରେ ବିଲାତି ବାଇଗଣ ପାଇଁ ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି ହୋଇଥିଲା ।
ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା(ସରୁ ଆଵରଣ ଵା ପାଟଳ ରଙ୍ଗଯୁକ୍ତ ଭଣ୍ଟା ଅର୍ଥାତ୍ ବାଇଗଣ) ଭଳି ଆଗେ ପୂର୍ଵ ଓଡ଼ିଶାରେ ପାଚଲଘଣ୍ଟା(ପାଚଲ ଵା ଆମ୍ଵିଳ ତୁଣରେ ଯେଉଁ ପରିଵା ଵା ଫଳକୁ ଘଣ୍ଟାଯାଏ) ଶବ୍ଦ ବି ଚଳୁଥିଲା । ଏ ଉଭୟ ଶବ୍ଦ ମଧ୍ୟରେ କୌଣସି ନା କୌଣସି ସମ୍ପର୍କ ନିଶ୍ଚୟ ଥାଇପାରେ । ହୁଏତ ଏକତ୍ର ସହାଵସ୍ଥାନ ଯୋଗୁଁ ପୂର୍ଵାଞ୍ଚଳର କଥିତ ଭାଷାଦ୍ଵାରା ପ୍ରଭାଵିତ ହୋଇ ସମୟକ୍ରମେ ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା ଶବ୍ଦରେ ଥିଵା ଭଣ୍ଟା ଶବ୍ଦଟି ଘଣ୍ଟାରେ ପରିଵର୍ତ୍ତିତ ହୋଇଯାଇଥିଵ । ଫଳତଃ ପଶ୍ଚିମ ଓଡ଼ିଶାର ପାତଲଭଣ୍ଟାରୁ ପାତଲ୍ ଓ ପାଚଲଘଣ୍ଟାରୁ ଘଣ୍ଟା ଶବ୍ଦଦ୍ଵୟ ଓଡ଼ିଆ ଭାଷାର ସ୍ଵାଭାଵିକ ଶବ୍ଦ ମାନକୀକରଣ ପ୍ରକ୍ରିୟା ଯୋଗୁଁ ପାତଲଘଣ୍ଟାରେ ପରିଣତ ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ । ଆଜି ପୂର୍ଵାଞ୍ଚଳରୁ ପାଚଲଘଣ୍ଟା ଓ ପାଚଲ ଶବ୍ଦ ପ୍ରାୟତଃ ଲୁପ୍ତ ହୋଇ ସରିଛି ତେବେ ପଶ୍ଚିମ ଓଡ଼ିଶାରେ ପାତଲଘଣ୍ଟା ଵା ପାତଲଭଣ୍ଟା ଶବ୍ଦଟି ଵୈଦେଶିକ ଟମାଟର,ଟମାଟୋ ଶବ୍ଦ ସହିତ ଏଯାବତ୍ ସଂଘର୍ଷ କରି ବଞ୍ଚି ରହିଛି । ତେଣୁ ଆମ ସମସ୍ତ ଓଡ଼ିଆଙ୍କ ଦାୟିତ୍ଵ ଆମ୍ଭମାନଙ୍କୁ ଲୁପ୍ତ ପାଚଲଘଣ୍ଟା ଓ ଵୈଦେଶିକ ଶବ୍ଦ ସହ ଶେଷ ସଂଗ୍ରାମ ଚଳାଇଥିଵା ପାତଲଘଣ୍ଟା(ଭଣ୍ଟା) ଶବ୍ଦଦ୍ଵୟର କଥିତ ଓ ଲିଖିତ ଭାଷାରେ ବହୁଳ ଭାବରେ ଵ୍ୟଵହାର କରି ଏ ଉଭୟ ଶବ୍ଦକୁ ବଞ୍ଚାଇ ରଖିଵାକୁ ହେଵ ।
No comments:
Post a Comment