ଦେଶିଆ ଶୈଳୀରେ ବେଙ୍ଗକୁ ଗେଣ୍ଡ୍କି ଓ ବେଙ୍ଗ୍ଟି କୁହାଯାଏ । ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳର ଜନଜାତୀୟ ଲୋକେ ଵର୍ଷା ନହେଲେ ଦିସାରୀର ଯୋଗ ଓ ପାଗ ମୁହୂର୍ତ୍ତ ଅନୁସାରେ ପୂଜାରୀ ଦ୍ଵାରା ବେଙ୍ଗ ଆଵାହନ କରି ପୂଜା କରିଥାନ୍ତି । ଏ ଅଞ୍ଚଳରେ ବ୍ରାହ୍ମଣୀ ବେଙ୍ଗକୁ ଆୟାଁବେଙ୍ଗ କୁହାଯାଏ ଏଵଂ ଵିଶେଷତଃ ଏହି ଜାତୀୟ ବେଙ୍ଗକୁ ପୂଜାକଲେ ଵର୍ଷା ହୋଇଥାଏ ବୋଲି ସ୍ଥାନୀୟ ଜନଜାତୀୟ ସମାଜରେ
ଲୋକଵିଶ୍ବାସ ରହିଛି । ଓଡ଼ିଆ ଭାଷାରେ ଆୟାଁବେଙ୍ଗକୁ ବ୍ରାହ୍ମଣୀ ବେଙ୍ଗ ମଧ୍ୟ କୁହାଯାଏ କାରଣ ଏମାନଙ୍କ ପିଠିରେ ବ୍ରାହ୍ମଣର ପଇତାପରି ଧଳା ଡୋରା ଥାଏ। ଏମାନେ ପାଣି ନିକଟରେ ଵାସ କରନ୍ତି ଏଵଂ ଏମାନଙ୍କ ଦେହ ମସୃଣ ହୋଇଥାଏ। ବ୍ରାହ୍ମଣୀବେଙ୍ଗମାନେ ଉଭୟଚର ଅଟନ୍ତି ଏଵଂ ଵର୍ଷାକାଳରେ ଖୁବ ଉଚ୍ଚୈଃସ୍ୱରରେ ରାବ କରନ୍ତି। କେତେକ ଲୋକେ ଏହି ବେଙ୍ଗର ଗୋଡ଼କୁ ରାନ୍ଧି ଖାଆନ୍ତି। ଏହାର ମାଂସ ଖାଇଲେ ବାତୁଳତା ଭଲ ହୁଏ ବୋଲି କେହି କେହି କହନ୍ତି। କିନ୍ତୁ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଆୟାଁବେଙ୍ଗ ଵା ବ୍ରାହ୍ମଣୀବେଙ୍ଗକୁ
ଵର୍ଷାର ପ୍ରତୀକ ମନେ କରି ଵଧ କରାଯାଏ ନାହିଁ ଵରଂ ତାକୁ ପୂଜା କରାଯାଏ ଏଵଂ ଈଶ୍ଵରଙ୍କୁ ଵର୍ଷା ପାଇଁ ପ୍ରାର୍ଥନା କରାଯାଇଥାଏ । ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଵର୍ଷା ଆଵାହନ ପାଇଁ ଏକ ପ୍ରକାରର ଗୀତ ନୃତ୍ୟ ପ୍ରଥା ପ୍ରଚଳିତ ଯାହାକୁ ବେଙ୍ଗ୍ଟିନାଟ୍ କୁହାଯାଏ । ଜ୍ୟେଷ୍ଠ ମାସ ଶେଷ ସପ୍ତାହ କିମ୍ବା ଆଷାଢ଼ ପ୍ରଥମ ସପ୍ତାହରେ ଵର୍ଷା ଆଦୌ ନ ହେଲେ ଏହି ବେଙ୍ଗ୍ଟିନାଟ୍ କରାଯାଏ । ଗୋଟିଏ ଝରଣା ଵା ଜଳସ୍ରୋତରୁ ଦିଶାରୀ ଗାଁ ଲୋକଙ୍କ ସହ ଯାଇ ପୂଜା କଲାପରେ ଏକ ବେଙ୍ଗ ସଂଗ୍ରହ କରାଯାଏ । ଉକ୍ତ ବେଙ୍ଗଟିକୁ ହଳଦୀ ପାଣିଥିଵା ଏକ ମାଟିହାଣ୍ଡିରେ ପୁରାଇ ଶିକାରେ ଓହଳାଇ ଦୁଇଟି ପିଲା ବୁହନ୍ତି । ଆମ୍ବ ଡାଳ ଖଣ୍ଡେଖଣ୍ଡେ ସେମାନେ ଧରିଥାନ୍ତି । ପିଲାମାନେ ଯେଉଁ ଘରକୁ ଯାଆନ୍ତି, ସେହି ଘରର ଲୋକେ ହଳଦୀ ପାଣି ତାଙ୍କ ଉପରେ ଢାଳିଥାନ୍ତି । ସେମାନେ ଗୀତ ଗାଉଥାଆନ୍ତି :
“ନାଚ ନାଚରେ ବେଙ୍ଗ୍ଟି ରାନୀ,
ରାତି ଭିତରେ ମାର୍ରେ ପାନି ।”
ଶେଷରେ ଗାଁ ସାରା ବୁଲି ସାରିଵାପରେ ଯେଉଁ ଜଳାଶୟରୁ ଆୟାଁବେଙ୍ଗକୁ ଧରିଥାଆନ୍ତି, ତାକୁ ନେଇ ସେଇଠି ଛାଡ଼ି ଦିଅନ୍ତି । ଲୋକ ଵିଶ୍ବାସ ପ୍ରଚଳିତ ଯେ ଏହା ପରେପରେ,ନିଶ୍ଚିତ ଵର୍ଷା ହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଲୋକପରମ୍ପରାକୁ ଡାଳଭୂତ ତଥା ଏଥିରେ ଭାଗ ନେଇ ଡାଳ ଦ୍ଵାରା ସଜ୍ଜିତ ହେଉଥିଵା ପିଲାକୁ ଡାଳମାକୁଡ଼ୀ କୁ଼ହାଯାଇଛି । ସାଧାରଣତଃ ଉପକୂଳଵର୍ତ୍ତୀ ଓଡ଼ିଶାରେ ଗଛ ଉପରେ ଚଢ଼ି ଏକ ଡାଳରୁ ଅନ୍ଯ ଡାଳକୁ ମାଙ୍କଡ଼ଙ୍କ ପରି ଡେଇଁ ଖେଳାଯିଵା ପିଲାମାନଙ୍କର ଏକପ୍ରକାରର ଖେଳକୁ ଡାଳ ମାକୁଡ଼ୀ,ଡାଳମାକଡ଼ୀ, ଡାଳମାଙ୍କଡ଼ୀ ଓ ଡାଳମାଙ୍କୁଡ଼ୀ ଇତ୍ୟାଦି କୁହାଯାଏ । ଢେଙ୍କାନାଳର କେତେକ ଅଞ୍ଚଳରେ ଏହି ଜାତୀୟ ଖେଳକୁ ଡାଳୁଆମାଙ୍କୁଡ଼ୀ ଓ ଡାଳୁଆଆଙ୍କୁଡି଼ କୁହାଯାଇଥାଏ । କିନ୍ତୁ ଓଡ଼ିଶାର ପାର୍ଵତ୍ୟାଞ୍ଚଳରେ ଵର୍ଷା ପାଇଁ ଯେଉଁ ବେଙ୍ଗ୍ଟି ନାଟ୍ ହୋଇଥାଏ ତାକୁ ଗଡ଼ଜାତ ଓଡ଼ିଶାରେ ଡାଳ ମାକୁଡ଼ୀ ଓ ଡାଳଭୂତ କୁ଼ହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୨୧୪ତମ ପୃଷ୍ଠାରେ ଉଲ୍ଲେଖ କରାଯାଇଛି । ଭାଷାକୋଷ ଅନୁସାରେ ଗଡ଼ଜାତରେ ପିଲାମାନେ ଦେହରେ ଡାଳପତର ଗୁଡ଼େଇ ହୋଇ ନାଚିଵା ଖେଳକୁ ଡାଳଭୂତ ଓ ଡାଳମାକୁଡ଼ୀ ଵା ଡାଳମାଙ୍କୁଡ଼ୀ କୁ଼ହାଯାଉଥିଲା । ମେଘ ଵର୍ଷା ନ ହେଲେ ଗୋଟିଏ ପିଲାର ସର୍ଵାଙ୍ଗକୁ ଜାମୁଡ଼ାଳରେ ଗୁଡ଼ାଇ ତା ମୁଣ୍ଡରେ ଗୋଟାଏ ବେଙ୍ଗ ରଖି ବାଜା ବଜାଇ ଦାଣ୍ଡରେ ବୁଲାଯାଉଥିଲା । ଗଡ଼ଜାତଵାସୀ ସେହି ପିଲାର ମୁଣ୍ଡ ଉପରେ ଇନ୍ଦ୍ରରାଜାଙ୍କ ନାମ ଧରି ସମସ୍ତେ ହଳଦି ପାଣି ଢାଳୁଥିଲେ। ଏହିପରି କଲେ ଗଡ଼ଜାତିଆ ସାଧାରଣ ଲୋକେ ଵିଶ୍ୱାସ କରୁଥିଲେ ଯେ ଶୀଘ୍ର ଇନ୍ଦ୍ର ଵର୍ଷା କରିବେ। ସେହି ସଜ୍ଜିତ ବାଳକକୁ ଡାଳମାକୁଡ଼ୀ ବୋଲାଯାଉଥିଲା । ବରଗଡ଼ର ପଦ୍ମପୁର ଅଞ୍ଚଳରେ ବାଂଜାରା ଜନଜାତିର ଲୋକେ ସେହିପରି ଵର୍ଷା ପାଇଁ ବେଙ୍ଗ ଵିଵାହର ଆୟୋଜନ କରିଥାନ୍ତି । ଏହି ଅଵସରରେ ଗ୍ରାମର ମନ୍ଦିରରେ ବେଙ୍ଗ ବାହାଘର ସମୟର ହଳଦୀ ଖେଳ ଠାରୁ ଆରମ୍ଭ କରି ପାରମ୍ପରିକ ନୃତ୍ୟ ଆୟୋଜନ କରାଯାଇଥାଏ । ମାଲକାନଗିରି ଜିଲ୍ଲାରେ ବି କେତେକ ଗ୍ରାମରେ ମରୁଡ଼ି ସମସ୍ୟା ଦେଖାଦେଲେ ଭଲ ତିଥି ଦେଖି ବେଙ୍ଗ ବେଙ୍ଗୁଲି ଵିଵାହର ଆୟୋଜନ କରାଯାଇଥାଏ । ଏଥି ପାଇଁ ଗାଁର ଦୁଇ ପରିଵାରକୁ ବର ପକ୍ଷ ଓ କନ୍ୟା ପକ୍ଷ ଭାବେ ମନୋନିତ କରାଯାଏ। ଏହିଭଳି ପରମ୍ପରା ତେଲେଙ୍ଗାନା ଓ କର୍ଣ୍ଣାଟକରେ ବି ପ୍ରଚଳିତ ଥିଵା ଜଣାପଡି଼ଛି ।
କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଵର୍ଷା ପାଇଁ ଲୋକେ ଅନ୍ୟ ଏକ ଗ୍ରାମରୁ ପାଣି ଚୋରି କରି ଗ୍ରାମ ଠାକୁରଙ୍କୁ ଗାଧୋଇଵା ସହ ବେଙ୍ଗ ନାଚ କରିଥାନ୍ତି । ଗ୍ରାମଵାସୀମାନେ ଯେଉଁ ଗାଆଁକୁ ପାଣି ଚୋରି କରିଵାକୁ ଯାଆନ୍ତି ସେ ଗାଆଁରୁ ବେଙ୍ଗଟିଏ ଧରି ଆଣନ୍ତି ଏଵଂ ଠାକୁରାଣୀଙ୍କୁ ସ୍ନାନ କଲାପରେ ସେହି ବେଙ୍ଗକୁ ହଳଦୀ ଲଗାଇ ପୂଜାର୍ଚ୍ଚନା ପରେ ବେଙ୍ଗନାଚର ଆୟୋଜନ କରାଯାଏ । ଏହି ନୃତ୍ୟ ଵିଶେଷକରି ମହିଳାମାନେ କରିଥାନ୍ତି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର କେତେକ ଗ୍ରାମରେ ବେଙ୍ଗ ସମ୍ବନ୍ଧୀୟ ଆଉ ଏକପ୍ରକାରର ପରମ୍ପରା ପ୍ରଚଳିତ। ଏହି ପରମ୍ପରାରେ ଗାଁର ପିଲାଠୁ ବୁଢା ସମସ୍ତେ ଯୁଟିଯାଆନ୍ତି । ଏକ ବାଉଁଶରେ କଳସ ବନ୍ଧା ହୁଏ । ସେହି କଳସରେ ବେଙ୍ଗ ଓ ମାଛ ରଖାଯାଏ। କୁନିକୁନି ପିଲାମାନେ ପୋଖରୀରୁ ପାଣି ଆଣି ସେହି କଳସ ଉପରେ ଢାଳିଥାନ୍ତି। ଏମିତି କରି କରି ଗାଁ ସାରା ବୁଲିଵା ପରେ ଗାଁ ଶେଷ ମୁଣ୍ଡରେ ଥିଵା ପୋଖରରେ ମାଛ ଓ ବେଙ୍ଗକୁ ଛାଡି ଦିଆଯାଏ । ଗଞ୍ଜାମ ଜିଲ୍ଲାରେ ବି ଵର୍ଷା ପାଇଁ ଏହି ଧରଣର ଏକପ୍ରକାରର ପରମ୍ପରା ପ୍ରଚଳିତ । ଆଷାଢ଼ ମାସରେ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ଗଞ୍ଜାମର କେତେକ ଗ୍ରାମର ଛୋଟ ପିଲାମାନେ ଏକ ପାଣି ବେଙ୍ଗକୁ ଜଳାଶୟରୁ ଆଣି ଜଳପୂର୍ଣ୍ଣ ଏକ କଳସକୁ ବାହୁଙ୍ଗାରେ ରଖି କଳସ ଉପରେ ସରା ଘୋଡାଇ ଉକ୍ତ କଳସକୁ ଶିକାରେ ଓହଳାଇ ବାହୁଙ୍ଗାରେ ରଖି ଗ୍ରାମ ପରିକ୍ରମା କରନ୍ତି । ଗ୍ରାମ ପରିକ୍ରମା କଲାବେଳେ ପ୍ରତି ଘରର ସ୍ତ୍ରୀ ଲୋକ ମାଠିଆ ମାଠିଆ ପାଣି ଆଣି ଛୋଟ ପିଲା ଏଵଂ ବେଙ୍ଗୁଲି ଥିଵା କଳସ ଉପରେ ଢାଳନ୍ତି । ପିଲାମାନେ ଖୁସି ମନରେ ନାଚ କରି ଗାଆନ୍ତି
“ବେଙ୍ଗୁଲି ନାନୀ ନାଚିଲା ,
ଧେଇ ଧେଇ ପାଣି ଵର୍ଷିଲା ।”
ପିଲାମାନେ ବେଙ୍ଗକୁ ଧରି ନାଚି ନାଚି ଗୀତ ଗାଉଥିଵା ଯୋଗୁଁ ଏହାକୁ ଗଞ୍ଜାମର କେତେକ ଅଞ୍ଚଳରେ ବେଙ୍ଗୁଲିନାଚ ଓ ବେଙ୍ଗେଇନାଚ କୁହାଯାଏ । କଟକର ଆଠଗଡ଼ ଅଞ୍ଚଳରେ ବି ଢାଇପୁର ଭଳି କେତେକ ଗ୍ରାମରେ ଵର୍ଷା ନହେଲେ ଆଷାଢ଼ ମାସରେ ବେଙ୍ଗନାଚ କରାଯାଏ ଓ ଏହାକୁ ବେଙ୍ଗନାଚ କୁହାଯାଏ । ଏ ଅଞ୍ଚଳରେ ଅପେକ୍ଷାକୃତ ଅଳ୍ପ ଵର୍ଷା ହେଲେ ଗ୍ରାମଵାସୀ ବେଙ୍ଗ ନାଚର ଆୟୋଜନ କରନ୍ତି । ବେଙ୍ଗର ଗୋଡ଼ରେ ସୂତା ବାନ୍ଧି ତାକୁ ନଚେଇଵା ସହ ଯୁଵକମାନେ ଗାଁ ଦାଣ୍ଡରେ ପାଣି ଢାଳି ଗଡ଼ନ୍ତି । ଏପରି କଲେ ଇନ୍ଦ୍ରଦେଵ ପ୍ରସନ୍ନ ହୋଇ ଵର୍ଷା କରାନ୍ତି ବୋଲି ଏମାନଙ୍କର ଵିଶ୍ୱାସ ରହିଛି । ଏଥିରୁ ଜଣାଯାଏ ଯେ ଆଗେ ଓଡ଼ିଶାରେ ଅନେକ ଅଞ୍ଚଳରେ ଵର୍ଷା ପାଇଁ ଏହି ବେଙ୍ଗ ପୂଜା ପରମ୍ପରା ପ୍ରଚଳିତ ଥିଲା କିନ୍ତୁ ଅଧୁନା କେତେକ ଅଞ୍ଚଳରେ ହିଁ ଏହା ସୀମିତ ହୋଇ ରହିଯାଇଛି।
ତେବେ କେଵଳ ଓଡ଼ିଶା ନୁହେଁ ଵରଂ ଭାରତ ଓ ଵିଶ୍ଵର ଵିଭିନ୍ନ ସ୍ଥାନରେ ବେଙ୍ଗମାନଙ୍କର ପୂଜା ହୋଇଥାଏ । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିର ଓୟଲ୍ ଅଞ୍ଚଳରେ ତ ମେଁଢକ୍ ମନ୍ଦିର୍ ନାମରେ ଏକ ଶୈଵ ମନ୍ଦିର ଅଛି ଯହିଁର ଆଗ ସାମ୍ନାରେ ବେଙ୍ଗର ଵିଶାଳ ମୂର୍ତ୍ତି ରହିଛି ଏଵଂ ଏଠାରେ ବେଙ୍ଗମାନଙ୍କର ପୂଜା କରାଯାଇଥାଏ ।
ପ୍ରାଚୀନ ମିଶର୍ ଓ ମେସୋପୋଟାମିଆରେ ବେଙ୍ଗମାନଙ୍କୁ ଜୀଵନ ଓ ପ୍ରଜନନ କ୍ଷମତାର ପ୍ରତୀକ ଵିଚାର କରାଯାଉଥିଲା । ସେହିପରି ପ୍ରାଚୀନ ଗ୍ରୀକ୍ ଓ ରୋମାନ୍ମାନେ ବେଙ୍ଗକୁ ପ୍ରଜନନ, ସଦ୍ଭାଵ ଓ କାମୁକତାର ପ୍ରତୀକ ରୂପେ କଳ୍ପନା କରିଥିଲେ । ପ୍ରାଚୀନ ଇଜିପ୍ଟରେ Heqet ନାମରେ ଜଣେ "ଭେକ ଦେଵୀ"ଙ୍କ କଥା ବହୁତ ଲୋକପ୍ରିୟ ଥିଲା । ବେଙ୍ଗ ମସ୍ତକଯୁକ୍ତା ସେ ଦେଵୀ ଜୀଵନ ଓ ପ୍ରଜନନର ଅଧିଷ୍ଠାତ୍ରୀ ଦେଵୀ ଭାବେ ମିଶରରେ ପୂଜା ପାଉଥିଲେ । ଏହିପରି Kek ନାମରେ ଆଉ ଜଣେ "ଭେକ ଦେଵ" ବି ମିଶରରେ ଲୋକଙ୍କ ଦ୍ଵାରା ଫସଲର ସୁରକ୍ଷା ପାଇଁ ପୂଜିତ ହେଉଥିଲେ ବୋଲି ଜଣାଯାଏ । ପ୍ରାଚୀନ ମିଶରରେ ସେହିପରି Heh ବୋଲି ଜଣେ ଦେଵତାଙ୍କୁ ଆରାଧନା କରାଯାଇଥିଲା ଯିଏ ପୁରୁଷ ରୂପ ଧାରଣ କଲାବେଳେ ବେଙ୍ଗ ଓ ସ୍ତ୍ରୀ ରୂପ ଧାରଣ ସମୟରେ ସର୍ପ ଭାବେ ପରିଵର୍ତ୍ତିତ ହେଉଥିଲେ । ଭିଏତନାମୀ ବାହନର ଲୋକେ ଵିଶ୍ଵାସ କରନ୍ତି ଯେ ସେମାନଙ୍କ ପୂର୍ଵଜ ଜଣେ ସ୍ଵର୍ଗର ବେଙ୍ଗ ଥିଲେ ଯିଏ କୃଷିର ଅଧିଷ୍ଠାତା ଦେଵତା ଅଟନ୍ତି ।
ଵିଏତନାମର ବାହାନର ଜନଜାତିର ଲୋକେ ଵିଶ୍ଵାସ କରନ୍ତି ଯେ ସେମାନଙ୍କ ପୂର୍ଵଜ ଜଣେ ଭେକଦେଵ ଥିଲେ ଯିଏ ସ୍ଵର୍ଗରେ ଵାସ କରନ୍ତି ଏଵଂ ସେ କୃଷିର ଅଧିଷ୍ଠାତା ଦେଵତା ଅଟନ୍ତି । ଚୀନ ଦେଶୀୟ ପୌରାଣିକ ଦେଵୀ Nüwa ମନୁଷ୍ୟମାନଙ୍କୁ କଣ୍ଢେଇ ଗଢ଼ି ସୃଷ୍ଟି କରିଥିଵା କାହାଣୀ ରହିଛି । ଅଵଶ୍ୟ ସେ ଦେଵୀ ଜଣେ ଭେକୀ ବୋଲି କେଉଁଠି ଲିଖିତ ହୋଇନଥିଲେ ବି ଏହାଙ୍କ ନାମରେ ଥିଵା wa ଶବ୍ଦର ଅର୍ଥ ବେଙ୍ଗ ଏଵଂ ୟେ ଜଳର ଅଧିଷ୍ଠାତ୍ରୀ ଦେଵୀ ହୋଇଥିଵାରୁ କେହି କେହି ଗଵେଷକ ଏହାଙ୍କର ପୌରାଣିକ ଆଖ୍ୟାନକୁ ବେଙ୍ଗ ସମ୍ବନ୍ଧୀୟ ପ୍ରାଚୀନ ଲୋକଗାଥାର ପରଵର୍ତ୍ତୀ ସଂସ୍କରଣ ଅଭିହିତ କରିଥାନ୍ତି । ବୋର୍ଣ୍ଣିଓ ଦ୍ଵୀପରେ ଇବାନ୍ ଜନଜାତିର ଲୋକେ ସେହିପରି ସେଲମାପାଣ୍ଡାଇ ନାମରେ ଜଣେ ଭେକଦେଵଙ୍କ ଆରାଧନା କରୁଥିଵା ଜଣାଯାଏ । ଏ ଅଞ୍ଚଳରେ ବେଙ୍ଗ ଦୈଵାତ୍ ଘରକୁ ଚାଲିଆସିଲେ ଆଜି ବି ଲୋକେ ସେମାନଙ୍କୁ ଭଗଵାନଙ୍କ ରୂପ ମନେ କରନ୍ତି । ଵିଶ୍ଵରେ ବେଙ୍ଗକୁ ନେଇ ସହସ୍ରାଧିକ ଲୋକଗାଥା ଓ ଲୋକଗଳ୍ପ ରହିଛି । ଭାରତୀୟ ପୁରାଣଗାଥାରେ ଭେକୀ ବୋଲି
ଜଣେ ସୁନ୍ଦର ମହିଳାର କାହାଣୀ ଅଛି । ଉକ୍ତ କାହାଣୀ ଅନୁସାରେ ଥରେ ଜନୈକ ରାଜା ଭେକି ନାମ୍ନୀ କନ୍ୟାକୁ ତାଙ୍କ ପତ୍ନୀ କରିଵାକୁ ଇଚ୍ଛା କଲେ, ତେଣୁ ଭେକି ରାଜାଙ୍କୁ ଗୋଟିଏ ସର୍ତ୍ତରେ ଵିଵାହ କରିଵାକୁ ରାଜି ହୋଇଥିଲେ ଯେ ରାଜା ତାଙ୍କୁ ଏକ ବୁନ୍ଦା ପାଣି ବି ଦେଖାଇବେ ନାହିଁ । ଦିନେ ସେହି ସୁନ୍ଦରୀ ମହିଳା ଭେକି ଅତି ଶୋଷ ହେଵାରୁ ରାଜାଙ୍କୁ ପାଣି ମାଗିଲେ। ରାଜା ପୂର୍ଵ ସର୍ତ୍ତ ଭୁଲିଯାଇଥିଲେ ତେଣୁ ସେ ଭେକିଙ୍କୁ ପାଣି ଦେଇଦେଲେ ଫଳତଃ ତତ୍କଷଣାତ୍ ସେଠାରୁ ଭେକି କୁଆଡେ଼ ଅଦୃଶ୍ୟ ହୋଇଗଲେ । ସାଗର ଜଳକୁ ସୂର୍ଯ୍ୟ ଜଳ ଛୁଇଁଵା ପରେ ଅଦୃଶ୍ୟ ହୋଇଯାଆନ୍ତି । ଏହି କଥାକୁ କାହାଣୀ ମାଧ୍ୟମରେ ଦର୍ଶାଯାଇଥିଲା ।
ଅତି ପ୍ରାଚୀନ କାଳରୁ ବେଙ୍ଗକୁ ଭାରତରେ ଵର୍ଷା ଆଗମନର ସୂଚକ ଭାବେ ଵିଚାର କରାଯାଇଛି ଏହି କାରଣରୁ ଅନେକ ଶାସ୍ତ୍ରୀୟ ସର୍ଵଭାରତୀୟ ଶବ୍ଦ ମଧ୍ୟ ସୃଷ୍ଟି ହୋଇଛି । ଉଦାହରଣ ସ୍ୱରୂପ ବେଙ୍ଗର ଏକ ଶାସ୍ତ୍ରୀୟ ନାମ ତୋୟସୂଚକ । ତୋୟର ଅର୍ଥ ଜଳ ଏଵଂ ସୂଚକର ଅର୍ଥ ଜ୍ଞାପକ । ବେଙ୍ଗର ରଵ ଶୁଣିଲେ ଶୀଘ୍ର ବୃଷ୍ଟି ହେଵ ବୋଲି ଭାରତୀୟମାନେ ଵିଶ୍ଵାସ କରୁଥିଲେ ତେଣୁ ବେଙ୍ଗର ନାମ ତୋୟସୂଚକ ହୋଇଥିଲା । ସେହିପରି ବେଙ୍ଗର ଅନ୍ୟ ଏକ ଶାସ୍ତ୍ରୀୟ ନାମ ଵର୍ଷାଘୋଷ କାରଣ ବେଙ୍ଗ ଵର୍ଷା ସମୟରେ ଘୋଷ ଵା କେଁ କଟର,କଟକଟ ଭକଭକ ଓ ମକମକ ଆଦି ଧ୍ୱନି ଉତ୍ପନ୍ନ କରିଥାଏ ଏଵଂ ଵର୍ଷା ପୂର୍ଵର ସୂଚନା ଦେଇଥାଏ । ଏ ଦେଶରେ ପୁଣି ବେଙ୍ଗ ତଥା ମୟୂରକୁ ଵର୍ଷାମଦ ନାମ ଦିଆଯାଇଛି କାରଣ ଏମାନେ ଵର୍ଷା ସମୟରେ ପ୍ରଜନନ ପାଇଁ ମଦମତ୍ତ ହୋଇ ନାଚନ୍ତି ତଥା ବୋବାନ୍ତି । ବେଙ୍ଗକୁ ମୁଦିର ମଧ୍ୟ କୁହାଯାଏ କାରଣ ଏହା ଵର୍ଷା ପୂର୍ଵରୁ ଉନ୍ମତ୍ତ ଚିତ୍ତ ହୋଇ ଚିତ୍କାର କରିଥାଏ ।
ବେଙ୍ଗ ଵର୍ଷା ସମୟରେ ପ୍ରଜନନ ପରେ ବେଙ୍ଗଫୁଲାରୁ ଜନ୍ମନ୍ତି ବୋଲି ଏହାର ଆଉ ଦୁଇଗୋଟି ଶାସ୍ତ୍ରୀୟ ନାମ ଵର୍ଷାଭୂ ଓ ଵୃଷ୍ଟିଭୂ ହୋଇଅଛି ।
ଵର୍ଷା ସହିତ ବେଙ୍ଗର ସମ୍ପର୍କ ନିଵିଡ଼ । ଵର୍ଷ ସାରା ମାଟି ଭିତରେ,ପଥର ସନ୍ଦିରେ ବେଙ୍ଗମାନେ hibernationରେ ରହିଥାନ୍ତି । ସେମାନଙ୍କ ଶରୀର ଏଵଂ ସେମାନଙ୍କର ସମଗ୍ର ଜୀଵନ ଚକ୍ର ପରିଵର୍ତ୍ତିତ ପାଣିପାଗ ଉପରେ ନିର୍ଭର କରିଥାଏ । ଵର୍ଷା ଋତୁ ହେଉଛି ବେଙ୍ଗମାନଙ୍କର ମିଳନର ଋତୁ ।
ବହୁ ଦିନ ଧରି ନିଷ୍କ୍ରିୟ ରହିଵା ପରେ ବେଙ୍ଗମାନେ ଵର୍ଷାକାଳରେ ବାହାରକୁ ଆସି ପ୍ରଜନନ ପାଇଁ ନିଜର ସଙ୍ଗୀ ସାଥୀକୁ କେଁକଟର କଟକଟ,ମକମକ ଓ ଭକଭକ ଆଦି ଶବ୍ଦ ସୃଷ୍ଟି କରି ଡାକିଥାନ୍ତି । ଅଵଶ୍ୟ ବେଙ୍ଗ ଛଡ଼ା ଅନେକ ପ୍ରଜାତିର କୀଟପତଙ୍ଗ, ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀ ତଥା ସରୀସୃପମାନେ ମଧ୍ୟ ଵର୍ଷା ଋତୁ ପୂର୍ଵରୁ ନିଜର ସମସାଦୃଶ୍ୟ ଆଚରଣ ପରିଵର୍ତ୍ତନ କରିଥାନ୍ତି । ଉଦାହରଣ ସ୍ୱରୂପ ପୁରୁଷ ମୟୂର ଯିଏ ତା'ର ପୂରା ପକ୍ଷ ଖୋଲି ଉନ୍ମତ୍ତ ନୃତ୍ୟ କରେ, କୋଙ୍କଣ ଉପକୂଳ ଜଳରେ ପୃଷ୍ଠକୁ ଆସୁଥିଵା ଏକ ନିର୍ଦ୍ଦିଷ୍ଟ ପ୍ରକାରର ମାଛ ମଧ୍ୟ ଏହି ଅଵସରରେ ଏକ ଵିଶେଷ ଧରଣର ପ୍ରତିକ୍ରିୟା ଦେଖାଏ ଯାହା ସ୍ଥାନୀୟ ମତ୍ସ୍ୟଜୀଵୀମାନଙ୍କ ପାଇଁ ଵାର୍ଷାର ଆଗମନ ଵିଷୟରେ ସୂଚିତ କରାଇଥାଏ ।
ମନୁଷ୍ୟମାନଙ୍କ ଦ୍ଵାରା ପୃଥିଵୀର ଅନେକ ଅଞ୍ଚଳରେ କୃତ୍ରିମ ତଥା ଵିଶାଳ ଗୃହନିର୍ମାଣ, ମନୁଷ୍ୟଙ୍କର ତଥାକଥିତ ଵାସ୍ତୁଵାଦୀ ଵିକାଶ ଯୋଗୁଁ ଜଳାଶୟ ହ୍ରାସ, ମନୁଷ୍ୟକୃତ ପ୍ରାକୃତିକ ପରିଆଵାସର ନିର୍ମୂଳନ, ମନୁଷ୍ୟମାନଙ୍କ ଯୋଗୁଁ ଜଳଵାୟୁ ପରିଵର୍ତ୍ତନ,ଵିଶ୍ଵତାପନ ଓ ଵାୟୁ ତଥା ମୃତ୍ତିକ ପ୍ରଦୂଷଣ ଯୋଗୁଁ କୀଟପତଙ୍କମାନଙ୍କର ସଂଖ୍ୟା ହ୍ରାସ ଘଟିଛି ଫଳତଃ ବେଙ୍ଗମାନଙ୍କର ଖାଦ୍ୟ କମିଯାଇଛି ତେଣୁ ସେମାନେ ଆଉ ଆଗଭଳି ସେତେ ଦେଖାଯାଉନାହାନ୍ତି ।
ବେଙ୍ଗ ଆମ ପୃଥିଵୀର ଏକ ଗୁରୁତ୍ବପୂର୍ଣ୍ଣ ଜୀଵ । ସେମାନେ ଆମକୁ ଅଯଥାରେ କାମୁଡ଼ି ରୋଗାକ୍ରାନ୍ତ କରନ୍ତି ନାହିଁ ଵରଂ ସେମାନେ ଆମ ଶରୀରରେ ରୋଗ ଉତ୍ପନ୍ନ କରୁଥିଵା ଵିଷାକ୍ତ କୀଟପତଙ୍ଗକୁ ଖାଇଥାଆନ୍ତି, ସେମାନେ ଆମ ଫସଲ ନଷ୍ଟ କରୁଥିଵା ପୋକ ଜୋକଙ୍କୁ ମାରି ଆମର ଉପକାର କରନ୍ତି । ସେମାନେ ପୃଥିଵୀର ଜୈଵ ପରିସଂସ୍ଥା(Ecosystem)କୁ ନିୟନ୍ତ୍ରଣ କରନ୍ତି ।
ତତ୍ ପରିଵର୍ତ୍ତରେ ଆମ୍ଭେ ମନୁଷ୍ୟମାନେ ତାଙ୍କୁ ଧରି ଗଵେଷଣାଗାରରେ ମାଂସପେଶୀର କାର୍ଯ୍ୟ ,ଗର୍ଭଧାରଣ ଓ କ୍ଳୋନିଂ ସମ୍ବନ୍ଧୀୟ ଅଧ୍ୟୟନ କରୁ ଏଵଂ ନିଜର ସ୍ଵାର୍ଥ ଲାଭ ହେତୁକ ସେମାନଙ୍କର ପରିଆଵାସକୁ ଜାଣତରେ ହେଉ ଵା ଅଜାଣତରେ ହେଉ ନଷ୍ଟ କରିଥାଉ । ଏଥିରୁ ଜଣାଯାଏ ଆମେ ଏହି ଆଧୁନିକ ଵାସ୍ତୁଵାଦୀ ଵିକାଶ ଦ୍ଵାରା କେତେ ସଭ୍ୟ ହୋଇଅଛନ୍ତି ।
ପ୍ରାଚୀନ ପାର୍ଵତ୍ୟ-ଵନଵାସୀ ମନୁଷ୍ୟମାନେ ତଥା ଉପକୂଳଵର୍ତ୍ତୀ ଓଡ଼ିଶାର ଗ୍ରାମଵାସୀମାନେ ହୁଏତ ଅଜ୍ଞାନତା ଯୋଗୁଁ ଵର୍ଷା ପାଇଁ ବେଙ୍ଗମାନଙ୍କର ପୂଜା କରୁଥିଲେ ମାତ୍ର ସେମାନେ କେବେବି କୃଷିକ୍ଷେତ୍ରରେ ଵିଷାକ୍ତ କୀଟନାଶକ ଓ କୃତ୍ରିମ ରସାୟନିକ ପ୍ରୟୋଗ କରି ବେଙ୍ଗମାନଙ୍କର ପରୋକ୍ଷ ଵିନାଶ କରୁନଥିଲେ । ସେମାନେ ବେଙ୍ଗମାନଙ୍କର ପରିଆଵାସର କୌଣସି କ୍ଷତି କରୁନଥିଲେ ଵରଂ ବେଙ୍ଗକୁ ପୂଜା କରି ତାକୁ ସୁରକ୍ଷିତ ତାହାର ଵାସସ୍ଥାନରେ ଛାଡ଼ି ଦେଉଥିଲେ । ତେଣୁ କଳିଙ୍ଗର ଗ୍ରାମଵାସୀମାନଙ୍କର ବେଙ୍ଗପୂଜା ଓ ବେଙ୍ଗନାଚ ସମ୍ବନ୍ଧୀୟ ଲୋକ ପରମ୍ପରା ଵିଷୟରେ ଜାଣି ତାକୁ ଅନ୍ଧଵିଶ୍ୱାସର ନାମ ଦେଵା ଆଗରୁ ଥରୁଟିଏ ଭାବନ୍ତୁ ଆମେ ଆଖି ଖୋଲି ଯେଉଁ ଵାୟୁ,ଜଳ,ମୃତ୍ତିକା,ଆଲୋକ ଓ ଶବ୍ଦ ପ୍ରଦୂଷଣ କରୁଛନ୍ତି ତାହା କେତେଦୂର ଯଥାର୍ଥ ଓ ଯୁକ୍ତିଯୁକ୍ତ ?
No comments:
Post a Comment