Sunday, July 9, 2023

ଭାରତ ଓ ଶାକାହାରୀ

ଵିଶ୍ଵରେ ଭାରତ ଏକମାତ୍ର ଦେଶ ଯେଉଁଠି ୧୦ରୁ ଅଧିକ ପ୍ରକାରର ଶାକାହାରୀ ଲୋକ ଦେଖାଯାଆନ୍ତି । 

୧•ପ୍ରକୃତ ଶୁଦ୍ଧ ଶାକାହାରୀ
ଏମାନଙ୍କର ସଂଖ୍ୟା ଵିଗତ କିଛି ଶତାବ୍ଦୀ ମଧ୍ୟରେ ଧିରେ ଧିରେ କମି କମି ଯାଇଛି। ଏମାନେ ପୁଣି ଦୁଇଜାତୀୟ । ନିର୍ମାୟା ଶୁଦ୍ଧ ଶାକାହାରୀ ଓ ଜ୍ଞାନୀ ଶୁଦ୍ଧ ଶାକାହାରୀ । ନିର୍ମାୟା ଶୁଦ୍ଧ ଶାକାହାରୀ ଶାକାହାର ତ କରନ୍ତି କିନ୍ତୁ କିଏ ଶାକାହାରୀ କି ମାଂସାହାରୀ ତାକୁ ନେଇ କାହା ସହ ଵାଦଵିଵାଦ କରନ୍ତି ନାହିଁ । କିନ୍ତୁ ଜ୍ଞାନୀ ଶୁଦ୍ଧ ଶାକାହାରୀମାନେ ଶାକାହାର ବି କରନ୍ତି ଆଉ ଏହା ସପକ୍ଷରେ ଵିଶ୍ଵଯୁଦ୍ଧ କରିଵାକୁ ବି ପଛାନ୍ତି ନାହିଁ ।‌ ହିଟଲର୍ ଏହି ଶ୍ରେଣୀର ଶାକାହାରୀ ଥିଲା ଏଵଂ ଏକଦା ସମ୍ପୂର୍ଣ୍ଣ ଵିଶ୍ଵର ଲୋକଙ୍କୁ ଶାକାହାରୀ କରିଵାକୁ ଚେଷ୍ଟା କରିଥିଲା । କିନ୍ତୁ ଏ ପୃଥିଵୀର ମଦ୍ୟପ ମାଂସାହାରୀମାନେ ହିଟଲର୍‌କୁ କେଵଳ ମାଉଁସ ଆଉ ମଦ'ର ଲାଳସା ଛାଡ଼ି ନପାରି ମାରିଦେଇଥିଲେ । ଦ୍ଵିତୀୟ ଵିଶ୍ଵଯୁଦ୍ଧ ପ୍ରକୃତରେ ମାଂସାହାର ବନାମ୍ ଶାକାହାରର ଯୁଦ୍ଧ ଥିଲା କିନ୍ତୁ ମାଂସାହାରୀମାନେ ଏ ଯୁଦ୍ଧରେ ଵିଜୟୀ ହେଵାରୁ ଲୋକଙ୍କୁ ଧର୍ମ ସମ୍ବନ୍ଧୀୟ କାରଣ ଦର୍ଶାଇ ମିଛ ଇତିହାସ ପଢ଼ାଇ ଭ୍ରମିତ କରିଛନ୍ତି। 

୨•ଲୋକଦେଖାଣିଆ ଶୁଦ୍ଧ ଶାକାହାରୀ
ଏମାନେ ଲୋକଙ୍କୁ ନିଜର ପରିଚୟ ଶାକାହାରୀ ବୋଲି ଦେଲେ ବି ଲୁଚି ଛପି ମାଂସାହାର କରନ୍ତି । ଏହି ଜାତୀୟ ଶାକାହାରୀ ଜ୍ଞାନୀ ଶୁଦ୍ଧ ଶାକାହାରୀମାନଙ୍କୁ ସମର୍ଥନ ଦିଅନ୍ତି ଏଵଂ ନିଜେ ଗୁପ୍ତରେ ମାଂସାହାର କରୁଥିଲେ ବି ଅନ୍ୟକୁ ଶାକାହାର ସମ୍ବନ୍ଧରେ ବଡ଼ ବଡ଼ ଭାଷଣ ଦିଅନ୍ତି ‌।

୩•ମାସିକିଆ ଶାକାହାରୀ
ଵର୍ଷର କେତେକ ନିର୍ଦ୍ଦିଷ୍ଟ ମାସରେ ଏମାନେ ଶାକାହାରୀ ହୋଇଯାଆନ୍ତି ଏଵଂ ଵର୍ଷର ବାକି ମାସଗୁଡ଼ିକରେ ମାଂସ ମାଛ ଅଣ୍ଡା ଖାଆନ୍ତି । ଓଡ଼ିଶାରେ କେହି କେହି ଚର୍ତୁମାସ୍ୟା(ଶ୍ରାଵଣ, ଭାଦ୍ରଵ,ଆଶୁନ୍ୟ, କାର୍ତ୍ତିକ) ଯାକ ମାଛ ମାଂସକୁ ଛୁଅଁନ୍ତି ନାହିଁ ତ କିଛି ଲୋକ ଶ୍ରାଵଣ ମାସ ଓ କାର୍ତ୍ତିକ ମାସରେ ମାଂସ ମାଛ ଖାଆନ୍ତି ନାହିଁ । କିନ୍ତୁ ଵର୍ଷର ବାକି ମାସଗୁଡ଼ିକରେ ପେଟ ଫଟେଇ ଆମିଷ ଗେମ୍ଫି ଦିଅନ୍ତି 🤣

୪•ଅଣ୍ଡାଖିଆ ଶାକାହାରୀ
ଏମାନେ ଅଣ୍ଡା ଏକ ଶାକାହାରୀ ଖାଦ୍ୟ ବୋଲି ଯୁକ୍ତି କରନ୍ତି । ଅଣ୍ଡାକୁ ଏମାନେ ଫଳ ଅଭିହିତ କରିଥାନ୍ତି। ଏହି ଧରଣର ଶାକାହାରୀମାନେ ହିଁ ଓଡ଼ିଶାରେ ଅଣ୍ଡାର ଏକ ନାଆଁ ଗାଣ୍ଡିଫଳ ଦେଇଛନ୍ତି ।‌ ଅଣ୍ଡାଖିଆ ଶାକାହାରୀମାନେ କେଵଳ ଅଣ୍ଡା ଖାଆନ୍ତି ଏଵଂ ଶାକାହାରୀ ଫଳ ଅଣ୍ଡା ଖାଇଲେ ଧୁଣ୍ଡା ହଵ ବୋଲି ବି ମଧ୍ୟ ପ୍ରଚାର କରନ୍ତି ‌। ଉଲ୍ଲେଖଯୋଗ୍ୟ ଯେ ହିନ୍ଦୀର ଏକ ଲୋକପ୍ରିୟ ଗୀତ "ଆଓ ବତାଉଁ ତୁମ୍ହେ ଅଣ୍ଡେ କା ଫଣ୍ଡା"କୁ ଗୀତିକାର ଏହିମାନଙ୍କର ଅଣ୍ଡାପ୍ରେମ ଅନୁଭଵ କରି ଲେଖିଥିଲେ । 

୫•ପ୍ରୋସେସ୍ଡ ଆମିଷଖିଆ ଶାକାହାରୀ
ଅଣ୍ଡାଯୁକ୍ତ ବିଲାତିପିଠା(କେକ୍) ଖାଆନ୍ତି କିନ୍ତୁ ଆମଲେଟ୍ ଖାଆନ୍ତି ନାହିଁ । ଏମାନେ ଜୀଵର ମାଂସରୁ ପ୍ରସ୍ତୁତ ଚକୋଲେଟ ଓ ଅନ୍ୟାନ୍ୟ ଖାଦ୍ୟ ଦ୍ରଵ୍ୟ ଖାଆନ୍ତି କିନ୍ତୁ ନିଜକୁ ଶାକାହାରୀ ପରିଚୟ ଦିଅନ୍ତି ‌। ଏମାନେ ଯୁକ୍ତି କରନ୍ତି ମାଂସକୁ ସିଧାସଳଖ ଖାଇଲେ ମାଂସାହାର କିନ୍ତୁ ପ୍ରୋସେସ୍ଡ ଆମିଷକୁ ଯେହେତୁ ଗଙ୍ଗା,ଥେମ୍ସ,ନୀଳ ଓ ହୋୟାଙ୍ଗ୍‌ହୋ ନଦୀର ପଵିତ୍ର ଜଳ ଢାଳି ଶୁଦ୍ଧ କରାଯାଇଥାଏ ତେଣୁ ତାହା ଶାକାହାର ପଦଵାଚ୍ୟ ଅଟଇ । ଏହିଧରଣର ଶାକାହାରୀମାନଙ୍କ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଜୀଵ ଯନ୍ତ୍ର ଦ୍ଵାରା କଟାହୁଅନ୍ତି ଏଵଂ ସେମାନଙ୍କ ମାଂସ ରସାୟନିକ ଉପାୟରେ ପଵିତ୍ର ହୁଏ ତଥା ଶାକାହାର ଦ୍ରଵ୍ୟରେ ରୂପାନ୍ତରିତ ହୋଇଯାଏ । 


୬•ଆମିଷ ଝୋଳପାନକାରୀ ଶାକାହାରୀ 
ଭାରତରେ ଏଭଳି ଶାକାହାରୀମାନେ ଵିଚାର କରନ୍ତି ଯେ ମାଂସଖଣ୍ଡ ଖାଇଲେ ସିନା ମାଂସାହାର ହେଵ କିନ୍ତୁ ମାଂସ ତୁଣର ବାଟଣା ରସଯୁକ୍ତ ଝୋଳ ଆଦୌ ଆମିଷ ନୁହେଁ । ତେଣୁ ଏମାନେ ମାଂସ ରାନ୍ଧନ୍ତି ଏଵଂ ତାହିଁରେ ପକ୍ଵ ମାଂସଖଣ୍ଡଗୁଡ଼ିକୁ ମାଂସାହାରୀ ମନୁଷ୍ୟ,କୁକୁର ଓ ବିଲେଇ ଆଦିଙ୍କୁ ଦେଇ ଝୋଳ ତକ ଭାତ ସହିତ ଗୋଳେଇ ଖାଇଯାଆନ୍ତି ‌। 

୭•ଘରୁଆ ଶାକାହାରୀ
ଏହି ଜାତୀୟ ଶାକାହାରୀମାନେ ଘରେ ଆମିଷକୁ ଛୁଅଁନ୍ତି ନାହିଁ କିନ୍ତୁ ବାହାରେ ସୁଵିଧା ମିଳିଲେ ଲୁଚି ଛପି ଖାଇଦିଅନ୍ତି ‌‌। ଫଳରେ ଏମାନଙ୍କର ଘରଲୋକଙ୍କ ପାଇଁ ଏମାନେ ଶାକାହାରୀ ହୋଇ ରୁହନ୍ତି। 
 
୮•ନିଶାଛଡ଼ା ଶାକାହାରୀ 
ଏ ଧରଣର ଶାକାହାରୀମାନେ ନିଶାଶକ୍ତ ନଥିଲା ଯାଏଁ ଶାକାହାରୀ ଥାଆନ୍ତି କିନ୍ତୁ ଯେମିତି ଏମାନଙ୍କ ସମ୍ମୁଖରେ ମଦ୍ୟ ରଖାଯାଏ ଏମାନେ ମାଂସାହାରୀ ପାଲଟି ଯାଆନ୍ତି । ମଦ୍ୟ ସହିତ ମାଂସ ମାଛ ଅଣ୍ଡା ଖାଇ ନିଶାରେ ଥିଲା ପର୍ଯ୍ୟନ୍ତ ଏମାନଙ୍କର ମାଂସାହାରୀ ସ୍ବରୂପ ବଳବତ୍ତର ରୁହେ କିନ୍ତୁ ନିଶା ଛାଡ଼ିଗଲା ପରେ ଏମାନେ ପୁଣି ନିଜର ପୂର୍ଵ ଶାକାହାରୀ ରୂପକୁ ଧାରଣ କରି ନିଅନ୍ତି । 
୯•ବାଧ୍ୟ ଶାକାହାରୀ 
ଏମାନେ ପ୍ରକୃତରେ ପୂର୍ଵତନ ମାଂସାହାରୀ। ତେବେ ମଧୁମେହ,ଅର୍ଶ ଆଦି କେତେକ ରୋଗର ଶିକାର ହେଵା ପରେ ଏମାନେ ଶାକାହାରୀ ହେଵାକୁ ବାଧ୍ୟ ହୋଇଥାନ୍ତି ‌। ଆମିଷ ଖାଇନପାରିଲେ ବି ଏମାନଙ୍କ ମନରେ ଆଜୀଵନ ମାଂସ,ମାଛ,ଅଣ୍ଡା ପ୍ରତି ଲାଳସା ରହିଥାଏ ସେଥିପାଇଁ ଅନ୍ତର୍ଜାଲରେ ଆମିଷ ଚିତ୍ର ଦେଖି ଓ ତାହା ବାଣ୍ଟି ନିଜର ଜିହ୍ଵା ଲାଳସା ପ୍ରଶମନ କରିଵାକୁ ତୁଚ୍ଛା ଚେଷ୍ଟା କରନ୍ତି ‌। ଏତଦଵ୍ୟତୀତ ଆଉ ଏକ ଜାତିର ଶାକାହାରୀ ବି ଅଛନ୍ତି ଯୋଉମାନଙ୍କୁ ଆମିଷ ଖାଇଵାକୁ ବାରମ୍ବାର ବାଧ୍ୟ କଲେ ସେମାନେ ଆଇଁଷ ଖାଇଥାନ୍ତି ଅନ୍ୟଥା ନିଜ ଇଚ୍ଛାରେ କେବେହେଲେ ମାଛ ମାଂସକୁ ହାତ ଲଗାନ୍ତି ନାହିଁ । ଏ ଉଭୟ ଜାତିର ଶାକାହାରୀମାନଙ୍କୁ ତେଣୁ ବାଧ୍ୟ ଶାକାହାରୀ ବୋଲାଯାଏ ‌। 

ତେବେ ଭାରତରେ ସର୍ଵାଧିକ ସଂଖ୍ୟାରେ "ଦିନିକିଆ ଶାକାହାରୀ" ଦୃଶ୍ୟ ହୋଇଥାନ୍ତି । ତେବେ ଏହି ଶେଷ ପ୍ରକାରର ଶାକାହାରୀମାନଙ୍କ ଵିଷୟରେ ଵର୍ଣ୍ଣନା କରିଵା ପୂର୍ଵରୁ ସୂଚୀରେ ସ୍ଥାନିତ ହୋଇନଥିଵା ଆଉ ଦୁଇ ଜାତିର ଶାକାହାରୀମାନଙ୍କ ଵିଷୟରେ ସଂକ୍ଷେପରେ ଉଲ୍ଲେଖ କରାଗଲା...

(କ)ସୁଵିଧାଵାଦୀ ଶାକାହାରୀ
ଏମାନେ ବନ୍ଧୁଘର ଓ ଭୋଜି ଆଦିରେ ମାଉଁସ ମାଛ ହୋଇଥିଲେ ଖାଇ ଦିଅନ୍ତି କିନ୍ତୁ ଘରେ କେବେ ଆଇଁଷ ଖାଆନ୍ତି ନାହିଁ
(ଖ)ଛିଞ୍ଚିଡ଼ା ଶାକାହାରୀ
ଏହି ଧରଣର ଶାକାହାରୀମାନେ ମାଂସ ମାଛ ଖାଇଵା ପାଇଁ ଏକ ଅଭିନଵ ଉପାୟରେ ଶାକାହାରୀ ଖାଦ୍ୟ ସହିତ ମାଂସ ମାଛ ରାନ୍ଧି ହୋଇଥିଵା ଖାଦ୍ୟ ଖାଆନ୍ତି କିନ୍ତୁ ଅଣ୍ଡାଭଜା, ମାଉଁସ ଓ ମାଛ ତୁଣରେ ହାତ ମାରନ୍ତି ନାହିଁ । 

୧୦•ଦିନିକିଆ ଶାକାହାରୀ
ସର୍ଵାଧିକ ସଂଖ୍ୟାରେ ଦୃଶ୍ୟ ହେଉଥିଵା ଏହି ଧରଣର ଶାକାହାରୀମାନେ ସୋମ,ମଙ୍ଗଳ,ଗୁରୁ,ଶନି,ଅମାଵାସ୍ୟା,ସଂକ୍ରାନ୍ତି, ଏକାଦଶୀ ଓ ପୂର୍ଣ୍ଣିମା ଭଳି କେତେକ ନିର୍ଦ୍ଦିଷ୍ଟ ଦିନ ଓ ତିଥିରେ ଆମିଷକୁ ହାତ ଲଗାନ୍ତି ନାହିଁ ବାକି ବୁଧ,ଶୁକ୍ର ଓ ରଵିଵାର ଦିନ ଟାଙ୍କେ ଆଇଁଷ ଠୁଁସି ପେଟ ଫୁଲେଇ ବୁଲନ୍ତି । ଏମାନଙ୍କର ପ୍ରିୟ ଵାର କିନ୍ତୁ ରଵିଵାର,ଏଦିନ ଏମାନେ ପେଟ ଫଟେଇ ଆଇଁଷ ଖାଆନ୍ତି । ରଵିଵାର ଦିନ ଆଇଁଷ ପାଇଲେ ଏହି ଜାତୀୟ ଶାକାହାରୀମାନେ କିଛି ବି ଛାଡ଼ନ୍ତି ନାହିଁ ସବୁକିଛି ଗେମ୍ପି ପକାନ୍ତି, ସାମ୍ପୁଡ଼ି ଦିଅନ୍ତି ଓ ସମସ୍ତ ଆଇଁଷିଆ ଝୋଳକୁ ହାମ୍ପୁଡ଼ି ଦିଅନ୍ତି । 

ସତରେ ଭାରତ ଦେଶରେ ଅନେକ ଵିଚିତ୍ରକଥା ଥିଵା ଭଳି ଵିଭିନ୍ନ ଜାତିର ଶାକାହାରୀମାନଙ୍କର ମଧ୍ୟ ଅଭ୍ୟୁଦୟ ଘଟିଛି ‌। ଆହା ! ସଂସାରରେ ଭାରତ ଭଳି ଆଉ କୋଉଠି ଏତେ ଜାତିର ଶାକାହାରୀ ଥିଵା ଶୁଣାଯାଏ ନାହିଁ । 


No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...