ଆସବାବ ଆରବୀ ଶବ୍ଦ أَسْبَاب (ʔasbāb) ମୂଳର ଏଵଂ ଫ୍ରେଞ୍ଚ୍ fourniture ଶବ୍ଦଟି ଇଂରାଜୀ ଭାଷାରେ Furniture ରୂପେ ପ୍ରଚଳିତ ହୋଇଛି ।
ଓଡ଼ିଶାର ଲୋକେ ଅଧୁନା ଆସବାବ ଓ ଫ଼ର୍ନିଚର୍ ଶବ୍ଦଦ୍ଵୟକୁ ଘରକରଣା ଦରଵ ଓ ଗୃହସଜ୍ଜା ଉପକରଣ ଅର୍ଥରେ ଵ୍ୟଵହାର କରୁଛନ୍ତି । ତେବେ ଏହି ଆରବୀ ଓ ଇଂରାଜୀ ଶବ୍ଦଦ୍ଵୟ ଵ୍ୟଵହାର ପୂର୍ଵରୁ କ'ଣ ଭାରତୀୟମାନେ ଗୃହୋପକରଣ ରଖୁନଥିଲେ ଯେ ଆରବୀ ଆସିଲେକି ଇଂରାଜୀ ଆସିଲେ ଆଉ ଆମ ପୂର୍ଵଜଙ୍କୁ ଘରକରଣା ଦରଵ ସମ୍ବନ୍ଧୀୟ ଜ୍ଞାନ ଦେଇଥିଲେ ?
ଆମ ଭାଷାରେ କ'ଣ ଆସବାବ ଓ ଫ଼ର୍ନିଚର୍ ଅର୍ଥଜ ଶବ୍ଦ ନଥିଲା ଯେ ଆମେ ଏ ଵୈଦେଶିକ ଶବ୍ଦ ଵ୍ୟଵହାର କରୁଛନ୍ତି ?
ମରୁଭୂମି ଓ ଶୀତପ୍ରଧାନ ଦେଶଗୁଡି଼କର ଭାଷାରେ ଘରକରଣା ସାମଗ୍ରୀ ପାଇଁ ଶବ୍ଦ ଅଛି ଆମ ଭାରତୀୟ ଶାସ୍ତ୍ରୀୟ ଭାଷା ଓଡ଼ିଆ ତଥା ସଂସ୍କୃତରେ ନାହିଁ ?
ପ୍ରକୃତରେ ଆମ ପାଖରେ ସମାର୍ଥକ ଅନେକ ଶବ୍ଦ ଥିଲା,ଅଛି ଏଵଂ ଏବେବି ଵ୍ୟଵହାର କରାଯାଉଛି ।
ଓଡ଼ିଆ ଭାଷାରେ ସଜ,ସାଜ,ଘରସାଜ,ଘରସାଣ୍ଠ,ତୁଲ ଓ ଦରଵ୍ ସରଵ୍ ଭଳି ଶବ୍ଦ ସେହି ଵୈଦେଶିକ ଆସବାବ ଅର୍ଥରେ ପ୍ରୟୋଗ କରାଯାଏ। ସେହିପରି ସଂସ୍କୃତ ଭାଷାରେ ଗୃହୋପକରଣ,ପରିଚ୍ଛଦ,ପରିଵର୍ହ,ପରିବାପ,ପରିଣାହ୍ୟ,ସାଜସଜ୍ଜା,ସଜ୍ଜନା ଓ ଦ୍ରଵ୍ୟସର୍ଵ ଆଦି ଶବ୍ଦ ମଧ୍ୟ ସମାନ ଅର୍ଥରେ ରହିଛି ।
ଉଲ୍ଲେଖଯୋଗ୍ୟ ଯେ ଆସବାବ୍ ଯେମିତି ଆରବୀ ମୂଳର ଵୈଦେଶିକ ଶବ୍ଦ ଠିକ୍ ସେହିପରି ସରଞ୍ଜାମ୍ ଓ ଚିଜଵସ୍ତ ଶବ୍ଦଦ୍ଵୟ ମଧ୍ୟ ପାର୍ସୀ ମୂଳର ସମାର୍ଥକ ଵୈଦେଶିକ ଶବ୍ଦ ଅଟେ । ସାମାନ୍ ଶବ୍ଦଟି ପାର୍ସୀ ଶବ୍ଦ ଏଵଂ ସେହି ଅର୍ଥରେ ଆମ ପାଖରେ ସାମଗ୍ରୀ ଶବ୍ଦ ଅଛି ସେହିପରି ଓଡ଼ିଆ ଭାଷାରେ ସଜ ଓ ସାଜ ସଂସ୍କୃତ ସଜ୍ଜା ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପାର୍ସୀ ଭାଷାରେ ବି ସେହି ମୂଳର ସାଜ୍ ଶବ୍ଦ ଚଳୁଅଛି। ଚିଜ ଓ ଜିନିସ ଶବ୍ଦ ମଧ୍ୟ ପାର୍ସୀ ମୂଳର ଶବ୍ଦ । ଆମ ଭାଷାରେ ଦରଵ, ଦ୍ରଵ୍ୟ,ଵସ୍ତୁ, ପଦାର୍ଥ ଭଳି ଅନେକ ଶବ୍ଦ ଅଛି ଯହିଁର ପ୍ରୟୋଗ ଏସବୁ ଵୈଦେଶିକ ଶବ୍ଦଗୁଡି଼କ ଯୋଗୁଁ ପ୍ରଭାଵିତ ହୋଇଛି । ତାହେଲେ ନିଜ ଭାଷାର ଶବ୍ଦ ଛାଡ଼ି ପର ଭାଷାର ଶବ୍ଦ ଵ୍ୟଵହାର କଲେ ଭାଷା ସମୃଦ୍ଧି କେମିତି ହେଉଛି ?
ହିନ୍ଦୀ ଭାଷାରେ ବି ଆସବାବ୍ ଶବ୍ଦ ଅସବାବ ରୂପେ ଚଳୁଅଛି କିନ୍ତୁ ହିନ୍ଦୀ ପାଖରେ ମଧ୍ୟ अटाला,हँड़वाई ଓ गृहस्थी ଭଳି ଦୁଇ ତିନୋଟି ଦେଶୀୟ ସମାର୍ଥକ ଶବ୍ଦ ଥିଲା ଯାହା ଏବେ ଆଉ ମାନକ ହିନ୍ଦୀରେ ସ୍ଥାନ ପାଇନାହିଁ । ଆଜିକାଲି ତ ଲୋକେ ସିଧା ଇଂରାଜୀ ଶବ୍ଦ Furniture କହି କାମ ଚଳାଇ ଦେଉଛନ୍ତି।
ତେବେ ପ୍ରଶ୍ନ ଆସୁଛି ଆମ ପାଖରେ ଏତେ ଶବ୍ଦ ଥାଇ ବି ଆସବାବ ଭଳି ଵୈଦେଶିକ ଶବ୍ଦଗୁଡ଼ିକୁ କାହିଁକି ଆମ ପୂର୍ଵଜ ଆପଣାଇଥିଲେ ?
ପ୍ରକୃତରେ ଵୈଦେଶିକ ଆସବାବ ଶବ୍ଦ ଵ୍ୟଵହାର ଯୋଗୁଁ ଆମ ଭାଷାର ସଜ,ସାଜ,ଘରସାଜ,ଘରସାଣ୍ଠ,ତୁଲ ଓ ଦରଵ୍ ସରଵ୍ ପରି ଶବ୍ଦକୁ ଆଜି ଲୋକେ ଭୁଲିଗଲେଣି । ସେଥିପାଇଁ ମୁଁ ସବୁବେଳେ କୁହେ “ଗୋଟିଏ ଵୈଦେଶିକ ଶବ୍ଦ ଅନେକ ଦେଶୀୟ ଶବ୍ଦଗୁଡି଼କୁ ଏହିପରି ମାରିଦିଏ ।” ଵୈଦେଶିକ ଆସବାବ ଶବ୍ଦ ପ୍ରୟୋଗ ଯୋଗୁଁ ଓଡ଼ିଆ ଭାଷା ସମୃଦ୍ଧ ନୁହେଁ ଵରଂ ଦୁର୍ଵଳ ହୋଇଛି କାରଣ ମାନକ ଭାଷାରେ ଏ ଵୈଦେଶିକ ଶବ୍ଦ ଵ୍ୟଵହାର ହେଵା ଯୋଗୁଁ ସମାର୍ଥକ ପାଞ୍ଚୋଟି ଦେଶୀୟ ଶବ୍ଦ ହଜିଯାଇଛି ।
No comments:
Post a Comment