Thursday, July 20, 2023

ଅସରପା ଓ ଏହାର ଵିଭିନ୍ନ ଓଡ଼ିଆ ନାଆଁ

୨୦୦୭ରେ ରୁଷିଆର Foton-M mission ଦ୍ଵାରା ଗୋଟିଏ ଜୀଵକୁ Nadezhd(ଆଶା/hope) ନାମ ଦେଇ ଅନ୍ତରୀକ୍ଷକୁ ଛଡ଼ା ଯାଇଥିଲା । ଏହି Nadezhda ଜୀଵ ଅନ୍ତରୀକ୍ଷରେ ୩୩ଗୋଟି ଛୁଆ ଜନ୍ମଦେଇ ଏମନ୍ତ କରିଥିଵା ପୃଥିଵୀର ପ୍ରଥମ ଜୀଵ ହୋଇଯାଇଥିଲା । ହଁ ସେଇ ଜୀଵଟି ଆଉ କେହି ନୁହେଁ ପୃଥିଵୀରେ ଦେଖାଯାଉଥିଵା ପ୍ରାୟ ୪୬୦୦ ଜାତିର ଅସରପାଙ୍କ ମଧ୍ୟରୁ ଗୋଟିଏ ଜାତିର ଅସରପା ଥିଲା । 

ତେବେ ଆମ ଗ୍ରହରେ ସହସ୍ରାଧିକ ଅସରପା ଜାତି ଥିଲେ ବି ମୁଖ୍ୟତଃ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ପ୍ରକାର ଵା ଜାତିର ଅସରପା ହିଁ ମନୁଷ୍ୟମାନଙ୍କ ଗୃହରେ ରୁହନ୍ତି । 
ପୃଥିଵୀରେ ଦେଖାଯାଉଥିଵା ମୋଟ ଅସରପା ଜାତୀୟ ଜୀଵଙ୍କ ମଧ୍ୟରେ ଭାରତରେ ଛଅଗୋଟି ଅସରପା କୁଳର ପ୍ରାୟ ୧୮୧ ପ୍ରକାରର ଅସରପା ମିଳିଛନ୍ତି ଏଵଂ ତନ୍ମଧ୍ୟରେ ୮୨ ଜାତିର ଅସରପା କେଵଳ ଭାରତରେ ହିଁ ଦେଖାଯାଆନ୍ତି । ଭାରତରେ Blaberidae କୁଳର ୮୩ ଜାତିର ଅସରପାଙ୍କ ମଧ୍ୟରୁ Periplaneta americana, Homalosilpha ustulata ,Heberdina concina ଓ Neostylophyga rhombifolia ata ସାଧାରଣତଃ ସର୍ଵତ୍ର ଦେଖାଯାଆନ୍ତି । ସେହିପରି Ectobiidae ଅସରପା କୁଳର ପ୍ରାୟ ୫୩ଟି ଜାତି ଭାରତରେ ଦେଖାଯାଆନ୍ତି । ଏତଦ୍‌ଵ୍ୟତୀତ Corydiidae ଓ Nocticolidae କୁଳର ଅସରପା ମଧ୍ୟ ଭାରତରେ ଗଵେଷମାନଙ୍କୁ ମିଳିଛନ୍ତି । ଅସରପା ଜାତୀୟ କେତେକ ଜୀଵ କେଵଳ ଭାରତ ଓ ଏହାର ଆଖପାଖ ଦେଶଗୁଡି଼କରେ ହିଁ ଦେଖାଯାଇଥାନ୍ତି ଉଦାହରଣ ସ୍ଵରୂପ Therea (Indian Domino Cockroach) କେଵଳ ଭାରତରେ ଦେଖାଯାଉଥିଵା ସାତଗୋଟି ଧଳା ଚିହ୍ନଯୁକ୍ତ (ମୋଟ ଆଠଗୋଟି ଜାତି)ଅସରପା ଜାତୀୟ ଜୀଵ କେଵଳ ଭାରତ ଓ ଶ୍ରୀଲଙ୍କାରେ ମିଳିଛନ୍ତି । 

ଭାରତଵର୍ଷର ଵିଭିନ୍ନ ଭାଷାରେ ଅସରପା ପାଇଁ ଭିନ୍ନ ଭିନ୍ନ ପ୍ରତିଶବ୍ଦ ପ୍ରଚଳିତ । ନିମ୍ନରେ କେତେକ ଭାଷାରେ ଅସରପା ଅର୍ଥଜ ଶବ୍ଦର ଉଲ୍ଲେଖ କରାଗଲା । 

•ଅହମିଆ—পঁইতাচোৰা (põitasüra),পঁইতাচোৰা(pam̐itācorā)
•ଆଙ୍ଗାମୀ—bouluo
•ଆଓ—leplu
•ଓଡ଼ିଆ— ଅସରପା,ଅସ୍ରପା,ଅସଲା,ଅସରଲା,ଅସରଡ଼ା,ପରା,ପାରା,ପରହ,ପେରିଆ,ପେର୍‌ପେରା,ପେର୍‌ପେରିଆ,ଜୁର୍ଲା,ଝୁର୍ଲା,ଝୁରୁଲା,ଝୁଲ୍‌ରା,କବାଟକଣିଆ,ଘରରଖା,ତଇଳପିଆ,ତେଲଚଟା, ସମ୍ବଲପୁରିଆପୋକ ଓ ତେଲିଆପୋକ
•ବଙ୍ଗାଳୀ—তেলাপোকা (telapōka), আরশুলা (arśula)
•ବର୍ମୀଭାଷା—ပိုးဟပ်(poehaut)
•ହିନ୍ଦୀ — तिलचट्टा,चपड़ा
•କଶ୍ମୀରୀ —ؤٹِل‎ (vạṭil)
•କନ୍ନଡ଼ —ಜಿರಳೆ(Jiraḷe),ಹಾತೆ(Hāte), ಜೊಂಡಿಗ(joṇḍiga), ಹಕ್ಕಳೆ(hakkaḷe)
•କୋଙ୍କଣୀ — जरलो
•ମରାଠୀ —बागुरडा,झूरळ
•ମଳୟାଳ଼ମ —പാറ്റ (pāṟṟa)
•ପଞ୍ଜାବୀ —ਤਿੱਲਚਟਾ
•ନେପାଳୀ —साङ्ला,झिङुर् 
•ତାମିଳ଼— கக்கலாத்து (kakkalāttu), கரப்பான் பூச்சி (karappāṉ pūcci),pāccai
•ତେଲୁଗୁ—బొద్దింక (boddiṅka),jillapurugu,bariNepurugu, బొద్దు(boddu),బరిణ (bariṇa)
•ସିଂହଳୀ—කැරපොත්තා(kærapottā),ඛලාධාරා(khalādhārā)

ଆମ ଦେଶରେ ଵିଭିନ୍ନ ଜାତିର ଅସରପା ଦେଖାଯାଉଥିଲେ ବି ଆମ ଘରେ ଓ ଏହାର ଆଖପାଖରେ Periplaneta americana,Blattella germanica,Supella longipalpa ଓ Blatta orientalis ଜାତିର ଅସରପା ହିଁ ସର୍ଵାଧିକ ଦେଖାଯାଆନ୍ତି। ଏହି ଚାରୋଟି ଅସରପା ଜାତି ମଧ୍ୟରେ ବି ଓଡ଼ିଶାରେ ଅଧିକାଂଶଙ୍କ ଘରେ Periplaneta americana ଜାତୀୟ ଅସରପା ଦେଖାଯାଆନ୍ତି । Periplaneta ଏକ ଲାଟିନ ଶବ୍ଦ ଏଵଂ ପ୍ରାଚୀନ ଗ୍ରୀକ୍ ଶବ୍ଦ περί (perí, “round about, all around”) ଓ πλανήτης (planḗtēs, “wanderer, vagabond”) ଶବ୍ଦକୁ ନେଇ ଗଠିତ ହୋଇଅଛି । ଗ୍ରୀକ୍ περί(perí) ଶବ୍ଦର ସଗୋତ୍ରୀୟ ସମ୍ପର୍କ ଆମ ଭାରତୀୟ 'ପରି' ଶବ୍ଦ ସହିତ ଥିଲାବେଳେ πλανήτης (planḗtēs)ର ସଗୋତ୍ରୀୟ ସମ୍ପର୍କ ପ୍ରଥାନ ଓ ପୃଥ ଇତ୍ୟାଦି ଶବ୍ଦ ସହିତ ରହିଛି। 


ଅଵଶ୍ୟ Periplaneta americana ନାଆଁ ଶୁଣି ଅନେକେ ଭାରତରେ ସର୍ଵତ୍ର ଓ ସର୍ଵାଧିକ ଦେଖାଯାଉଥିଵା ଏହି ନାଲି ଅସରପାଗୁଡ଼ିକୁ ଆମେରକୀୟ ବୋଲି ମନେ କରନ୍ତି ‌। ତେବେ ଏହି ଵୈଜ୍ଞାନିକ ନାଆଁରେ ଆମେରକାନା ଥିଲେ ବି ଏହା ମୂଳତଃ ଏସିଆ ଓ ଆଫ୍ରିକାର ଅସରପା ଅଟଇ। ଆଫ୍ରିକାରୁ ଆମେରକାକୁ ଦାସ ଚାଲାଣ ସମୟରେ Periplaneta americana ଅସରପା ଷୋହଳଶହ ଶତାବ୍ଦୀରେ ବୋଇତ ଯୋଗେ ପ୍ରଥମେ ଆମେରକାକୁ ଚାଲିଯାଇଥିଲା । ଗଵେଷକମାନେ ଯେଉଁଠି ପ୍ରଥମେ ଗୋଟାଏ ନୂତନ ଜୀଵ ଓ ପାଦପ ଠାଵ କରନ୍ତି ସେହି ସ୍ଥାନର ନାମାନୁସାରେ ସେ ଜୀଵର ନାମକରଣ କରାଯାଇଥାଏ । ଫଳରେ ଏସୀୟ ଓ ଆଫ୍ରିକୀୟ ଅସରପା ହୋଇଥିଲେ ବି Periplaneta americanaକୁ ଗଵେଷକ ପ୍ରଥମେ ଆମେରକାରେ ପାଇଥିଲେ ବୋଲି ଏହାର ନାମକରଣ ଆମେରିକାନା ହୋଇଅଛି । 

ଭାରତରେ ପ୍ରାୟ ୧୮୧ ଜାତିର ଅସରପା ଦେଖାଯାଉଥିଲେ ମଧ୍ୟ କଳିଙ୍ଗ ଦେଶରେ ସାଧାରଣତଃ Periplaneta americana ଓ ଆଉ କେତେକ ଅଳ୍ପ ଦେଖାଯାଉଥିଵା ଅସରପା ଜାତୀୟ ଜୀଵଙ୍କୁ ହିଁ ଅସରପା କୁହାଯାଇଥାଏ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅସ୍ରପ ଵା ଅସ୍ରପା ଶବ୍ଦରୁ ଅସରପା ଶବ୍ଦ ସୃଷ୍ଟି ହୋଇଛି ।‌ଅସ୍ରପ ଶବ୍ଦର ଅର୍ଥ ଅସୁର ଓ ଜୋକ ହୋଇଥିଲା ବେଳେ ଅସ୍ରପା ଶବ୍ଦର ଅର୍ଥ ରକ୍ତପାୟିନୀ ଓ ରାକ୍ଷସୀ ଅଟେ । ତେବେ ପ୍ରକୃତରେ ଅସରପା ମନୁଷ୍ୟାଦି ଜୀଵଙ୍କର ରକ୍ତପାନ କରନ୍ତି ନାହିଁ କିନ୍ତୁ ବେଳେ ବେଳେ କାମୁଡ଼ି ଦିଅନ୍ତି ଫଳତଃ ସେମାନେ ରକ୍ତପାନ କରନ୍ତି ବୋଲି ଲୋକଵିଶ୍ଵାସ ପ୍ରଚଳିତ ହୋଇ ଏଭଳି ନାମକରଣ ହୋଇଥାଇପାରେ । ପୁଣି ଅସ୍ର ଵା ଅଶ୍ର ଶବ୍ଦର ଅର୍ଥ ରକ୍ତ ଓ ଲୁହ ଛଡ଼ା ଆଉ ଏକ ଅର୍ଥ କୋଣ ସେହିପରି 'ପ' ଶବ୍ଦର ଅର୍ଥ ରକ୍ଷା,ରକ୍ଷକ,ଶାସକ,ରାଜା । ଅସରପାମାନେ ଘର ଓ କବାଟ କୋଣରେ ରହିଵାକୁ ଭଲ ପାଆନ୍ତି ତେଣୁ ହୁଏତ ଏହି ଆଧାରରେ ଅସ୍ର ଵା କୋଣର ପ ଅର୍ଥାତ୍ ଶାସକ ଵିଚାର କରି ଅସ୍ରପ ନାମକରଣ ହୋଇଥିଵ ଏଵଂ ପରେ ତାହା ଅସରପା ରୂପେ ପ୍ରଚଳିତ ହୋଇଥିଵା ସମ୍ଭଵ । ଅସରପାମାନେ ଘର ଓ କବାଟ କୋଣରେ ରହିଵାକୁ ଭଲ ପାଆନ୍ତି ବୋଲି ଓଡ଼ିଶାରେ ସେମାନଙ୍କୁ କବାଟକଣିଆ ବି କୁହାଯାଏ ‌।
କିନ୍ତୁ ଉତ୍ତର,ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅସରପାକୁ ଅସଲା,ଅସରଲା ଓ 
ଅସରଡ଼ା କୁହାଯାଏ ଯାହା ଏ ଶବ୍ଦର ଅନ୍ଯ କୌଣସି ଶବ୍ଦ ମୂଳରୁ ସୃଷ୍ଟି ହୋଇଥିଵା ଇଙ୍ଗିତ କରିଥାଏ । 

ଢେଙ୍କାନାଳର ପାରିମାଳ ପ୍ରଗଣାରେ ଆମେ ଅସରପାକୁ ପେରପେରିଆ କହିଥାଉ ଏଵଂ House centipede ଵା ମାଙ୍କଡ଼ସାକୁ ଅସରପା କହିଥାଉ । ସମ୍ଭଵତଃ ଆମ ପାରିମାଳ ଅଞ୍ଚଳରେ ମାଙ୍କଡ଼ସାକୁ ସ୍ରହସ୍ରପଦ ଵିଚାରକରି ଏଭଳି କୁହାଯାଉଥିଵ କିମ୍ବା ଅସରପାକୁ ପେରପେରିଆ କୁହାଯାଉଥିଵାରୁ ମାଙ୍କଡ଼ସା ପାଇଁ ଅସରପା ଶବ୍ଦ ଵ୍ୟଵହୃତ ହେଉଥିଵ । 
ଢେଙ୍କାନାଳର ଆଉ କେତେକ ଅଞ୍ଚଳରେ ଅସରପାକୁ ପେର୍‌ପେରା ପୋକ ଓ ପେରିଆ ପୋକ ମଧ୍ୟ କୁହାଯାଏ । ସେହିପରି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଅସରପାକୁ ପରା,ପାରା ଓ ପରହ କୁହାଯାଏ । ଉଲ୍ଲେଖଯୋଗ୍ୟ ଯେ ମଳୟାଳ଼ମରେ ବି ଅସରପାକୁ പാറ്റ (pāṟṟa) କୁହାଯାଇଥାଏ ‌। ତାମିଳ ଭାଷାରେ ମଧ୍ୟ pāccai ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ ଅସରପା ଅଟେ । ପୁଣି ସଂସ୍କୃତ ଭାଷାରେ ପରୋଷ୍ଟୀ ଓ ପରୋଷ୍ଣୀ ଶବ୍ଦଦ୍ଵୟର ଅର୍ଥ ମଧ୍ୟ ଅସରପା । ଅତଃ ଢେଙ୍କାନାଳ, ରାୟଗଡ଼ା ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ପରା,ପାରା,ପରହ,ପେର୍‌ପେରା,ପେରିଆ ଓ ପେରପେରିଆ ଆଦି ଶବ୍ଦ ପ୍ରୋକ୍ତ ଦ୍ରାଵିଡ଼ କିମ୍ବା ସଂସ୍କୃତ ଉତ୍ସ ସହିତ ସମୋଦ୍ଧୃତ ହୋଇଥାଇପାରେ। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ପଶ୍ଚିମ ଵିଚ୍ଛିନ୍ନାଞ୍ଚଳରେ ଅସରପାକୁ ଜୁର୍ଲା,ଝୁର୍ଲା,ଝୁରୁଲା ଓ ଝୁଲରା କୁହାଯାଇଥାଏ । ଢେଙ୍କାନାଳର ପାରିମାଳ ପ୍ରଗଣାରେ ବିଲ ବାଡ଼ିରେ ଦେଖାଯାଉଥିଵା ଏକ ଜାତୀୟ କାଳିଆ ରଙ୍ଗର ଅସରପା ଜାତୀୟ ଜୀଵକୁ ସେହିପରି ଝଲ୍ରା ପୋକ କୁହାଯାଏ । 

ଅସରପା ଅର୍ଥଜ ଝୁର୍ଲା ଇତ୍ୟାଦି ଶବ୍ଦଗୁଡି଼କ ଦ୍ରାଵିଡ଼ ଭାଷାପରିଵାରର ଶବ୍ଦ ଅଟେ । T. Burrow ଓ M. B. Emeneauଙ୍କ ଦ୍ଵାରା ସଂକଳିତ A Dravidian etymological dictionaryରୁ ଜଣାଯାଏ ଯେ ତେଲୁଣିପୋକକୁ ମଳୟାଳ଼ମରେ cēraṭṭa, tēraṭṭa ଓ କନ୍ନଡ ଭାଷାରେ jaṟi କୁହାଯାଏ । ସେହିପରି କନ୍ନଡ଼ ଭାଷାରେ ଅସରପାକୁ jiṟale କୁହାଯାଇଥାଏ । ତେଲୁଗୁ ଭାଷାରେ ତେଲୁଣିପୋକକୁ jeṟi ଓ jeṟṟi ତଥା ଅସରପାକୁ jillapurugu କୁହାଯାଏ । ସଂସ୍କୃତ ଭାଷାରେ ଝୁର୍ଲା ସହିତ ସମୋଦ୍ଧୃତ ହୋଇଥିଵା ଭଳି କୌଣସି ଶବ୍ଦ ନଥିଵାରୁ ବହୁତ ସମ୍ଭଵ ଏହା ଏକ ଦ୍ରାଵିଡ଼ୀୟ ଶବ୍ଦ ହୋଇଥାଇପାରେ । ଗଡ଼ଜାତରେ ସାଧାରଣତଃ ଅସରପାକୁ ଝୁର୍ଲା କୁହାଯାଏ ତେବେ ଆଉ କେତେକ ଅଞ୍ଚଳରେ ଝିଟିପିଟି ପରି ଅସରପା ଘରେ ରହୁଥିଵାରୁ ତାକୁ ମଧ୍ୟ ଘରରଖା କହିଥାନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ ଓ କଥିତ ଓଡ଼ିଆ ଶବ୍ଦକୋଷରେ ଘରରଖା ଶବ୍ଦର ଏକ ଅର୍ଥ ଅସରପା ବୋଲି ଉଲ୍ଲେଖ ରହିଛି । କଥିତ ଓଡ଼ିଆ ଶବ୍ଦକୋଷ ଅନୁସାରେ ଦେଵଗଡ଼ ଜିଲ୍ଲାରେ ଅସରପାକୁ ଘରରଖା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଘରରଖା ଶବ୍ଦର ଅର୍ଥ ଅସରପା ଓ ଚମ୍ପେଇନେଉଳ ଲେଖା ହୋଇଛି । ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ ଅନୁସାରେ ଘରେ ରହୁଥିଵା ଚମ୍ପେଇନେଉଳ,ଅସରପା ଓ ଝିଟିପିଟି ଆଦି କ୍ଷୁଦ୍ର ଜୀଵଗଣଙ୍କୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଘରରଖା କୁହାଯାଏ । କେତେକ ଅସରପା ଘରେ ଵିଶେଷତଃ ଘର ଓ କବାଟ କୋଣରେ ରହିଵାକୁ ଭଲପାଆନ୍ତି ସେଥିପାଇଁ ଢେଙ୍କାନାଳ ଓ ପୁରୀ ଆଦି କେତେକ ଜିଲ୍ଲାରେ ଅସରପାକୁ କବାଟକଣିଆ କୁହାଯାଏ । ସିଂହଭୂମି ଵିଚ୍ଛିନ୍ନାଞ୍ଚଳରେ ଅସରପାକୁ ସମ୍ବଲପୁରିଆପୋକ ଓ ତେଲିଆପୋକ କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ତଇଳପିଆ ଓ ତେଲଚଟା ଶବ୍ଦ ମଧ୍ୟ ଅସରପାର ପ୍ରତିଶବ୍ଦ ଭାବେ ଯୋଡ଼ାଯାଇଅଛି । ଏହିପରି ଭାବେ ସାରା ଭାରତରେ ଵିଭିନ୍ନ ଭାଷାରେ ଅସରପାର ଗୋଟିଏ ଦୁଇଟି ନାଆଁ ଥିଲାବେଳେ ଅସରପାର ଓଡ଼ିଶାରେ ଦଶରୁ ଅଧିକ ନାଆଁ ଅଛି । ଏହା ଆମ ଓଡ଼ିଶାରେ ଭାଷା ଵୈଵିଧ୍ୟର ଅନ୍ୟ ଏକ ଉଦାହରଣ ନୁହେଁ କି ? 

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...