My Blog List

Saturday, June 20, 2026

ଵ୍ୟଵହାର କରି ନଜାଣି ଏଆଇକୁ ଦୋଷ ଦେଵା ଠିକ୍ କି ?


ପ୍ରାଚୀନ ଗ୍ରୀକ୍ ଇତିହାସ ଓ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। କ୍ରେଟ୍ ଦ୍ୱୀପର ଜଣେ ମହାନ କାରିଗର ଥିଲେ Daedalus। ସେ ନିଜ ପୁତ୍ର Icarus ସହିତ ସେହି ଦ୍ୱୀପରୁ ମୁକ୍ତ ହେଵା ପାଇଁ ପକ୍ଷୀର ପର ଓ ମହମକୁ ମିଶାଇ ଦୁଇଟି ଶକ୍ତିଶାଳୀ ଡେଣା ପ୍ରସ୍ତୁତ କରିଥିଲେ। ଉଡ଼ିଵା ପୂର୍ଵରୁ ଜ୍ଞାନୀ ପିତା ନିଜ ପୁତ୍ରକୁ ଏକ ଚେତାଵନୀ ଦେଇ କହିଥିଲେ, "ପୁଅ, ଏହି ଡେଣା ତୁମକୁ ଅସୀମ ଶକ୍ତି ଓ ଆକାଶର ଶୀର୍ଷକୁ ଯିଵାର କ୍ଷମତା ତ ଦେଵ, କିନ୍ତୁ ମନେରଖିଵ—ସୂର୍ଯ୍ୟଙ୍କର ଅତି ନିକଟକୁ ଯିଵନାହିଁ, ନହେଲେ ତାଙ୍କ ଉତ୍ତାପରେ ମହମ ତରଳିଯିଵ ଏଵଂ ତୁମେ ମଧ୍ୟ ତଳେ ପଡ଼ିଯିଵ। ସେହିପରି ସମୁଦ୍ରର ଅତି ପାଖରେ ମଧ୍ୟ ଉଡ଼ିଵନାହିଁ, ନହେଲେ ଜଳର ଆର୍ଦ୍ରତା ଯୋଗୁଁ ଡେଣା ଓଜନିଆ ହୋଇଯିଵ।" 

କିନ୍ତୁ ଉଡ଼ିବା ଆରମ୍ଭ କରିଵା ମାତ୍ରେ, ଇକାରସ୍ ସେହି ନୂତନ ଟେକ୍ନୋଲୋଜିର ମାୟାରେ ଏତେ ଅନ୍ଧ ହୋଇଗଲେ ଯେ ସେ ପିତାଙ୍କ ନିର୍ଦ୍ଦେଶ ଏଵଂ ନିଜର ବୁଦ୍ଧି ଵିଵେକ ସବୁ ଭୁଲିଗଲେ। ସେ ଅତି ଆତ୍ମଵିଶ୍ୱାସର ସହ ସୂର୍ଯ୍ୟଙ୍କ ଆଡ଼କୁ ଉଡ଼ିଵାକୁ ଲାଗିଲେ, ଫଳରେ ମହମ ତରଳିଗଲା ଏଵଂ ସେ ସମୁଦ୍ର ଗର୍ଭରେ ଲୀନ ହୋଇଗଲେ।

ମାନଵ ଇତିହାସର ଏହି ପ୍ରାଚୀନ ରୂପକ କାହାଣୀ ଆଜିର ସମୟର ସବୁଠାରୁ ବଡ଼ ଆଵିଷ୍କାର 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' ଵା ଏଆଇ (AI) ପାଇଁ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ। ଆଧୁନିକ ଯୁଗରେ ଏଆଇ ମଣିଷ ତିଆରି ସେହି ଶକ୍ତିଶାଳୀ ଡେଣା, ଯାହା ଆମକୁ ଅନନ୍ତ ସମ୍ଭାଵନାର ଆକାଶ ଦେଖାଉଛି। କିନ୍ତୁ ଯଦି ଆମେ ଆମର ବୁଦ୍ଧି ଵିଵେକ ଓ ସନ୍ତୁଳନ ହରାଇଵା ତେବେ ଇକାରସ୍ ଭଳି ଆମର ପତନ ମଧ୍ୟ ନିଶ୍ଚିତ।

ଆଜିର ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଵା ଏଆଇ (AI)ର ଚର୍ଚ୍ଚା ସବୁଠି ହେଉଅଛି। କିନ୍ତୁ ଵାସ୍ତଵତା ହେଉଛି, ଏହାର ଯଥାର୍ଥ, ପୂର୍ଣ୍ଣାଙ୍ଗ ଓ ସକାରାତ୍ମକ ଵ୍ୟଵହାର ଵିଷୟରେ ଅଧିକାଂଶ ଲୋକଙ୍କୁ ଜଣାନାହିଁ କିମ୍ବା ସେମାନେ ଏହାର ଠିକ୍ ଉପଯୋଗ କରୁନାହାନ୍ତି। ଫଳରେ ସମାଜରେ ଏହାର ନକାରାତ୍ମକ ଵ୍ୟଵହାର ହିଁ ଅଧିକ ଦେଖିଵାକୁ ମିଳୁଛି। ଯଦ୍ୟପି କିଛି ଲୋକ ଏହାର ସକାରାତ୍ମକ ଵ୍ୟଵହାର କରୁଛନ୍ତି, ତଥାପି ସେମାନଙ୍କର ପ୍ରୟୋଗ ଶୈଳୀରେ ଅନେକ ତ୍ରୁଟି ରହୁଛି।

ପ୍ରଥମେ ଆମକୁ ବୁଝିଵାକୁ ହେଵ ଯେ, ଏଆଇ ଯାହା ଲେଖିଲେ ତାହା ସମ୍ପୂର୍ଣ୍ଣ ଭୁଲ୍‌ଶୂନ୍ୟ ଵା "ବେଦର ଗାର" ନୁହେଁ। ଏଆଇ ପାଖରେ ଯେଉଁ ତଥ୍ୟ ଵା Data ଥାଏ, ସେ କେଵଳ ତାହାକୁ ଆଧାର କରି ହିଁ ଉତ୍ତର ପ୍ରସ୍ତୁତ କରେ। ସେଥିପାଇଁ କେତେବେଳେ କେତେବେଳେ ଏହା ସମ୍ପୂର୍ଣ୍ଣ ମନଗଢ଼ା ଓ ଭୁଲ୍ ତଥ୍ୟକୁ ମଧ୍ୟ ଅତି ଆତ୍ମଵିଶ୍ୱାସର ସହ ଉପସ୍ଥାପନ କରିଥାଏ। ଵିଜ୍ଞାନ ଭାଷାରେ ଏହାକୁ 'AI Hallucination' କୁହାଯାଏ।
କିଛି ଦିନ ତଳେ ଚାଇନିଜ୍ ଏଆଇ ମଡେଲ୍ 'ଡିପ୍ ସିକ୍' ସହିତ କାମ କରିଵା ସମୟରେ ମୁଁ ନିଜେ ଏଭଳି ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲି। ସେ ଅନେକ ଥର ଭୁଲ୍ ତଥ୍ୟ ଦେଉଥିଲା ଏଵଂ ତାକୁ ସଂଶୋଧନ କଲେ ମଧ୍ୟ ସେ ନିଜ ଜିଦ୍‌ରେ ଦୃଢ଼ ରହି ଭୁଲ୍‌କୁ ସ୍ୱୀକାର କରୁନଥିଲା। ଯଦିଓ କିଛି ଏଆଇ ନିଜ ଭୁଲ୍‌କୁ ଗ୍ରହଣ କରି ସଂଶୋଧନ କରନ୍ତି, ତଥାପି ଏହା ଆମର ଦାୟିତ୍ୱ ଯେ ଏଆଇ ବ
ଵ୍ୟଵହାର ସମୟରେ ଆମେ କେଵଳ ଆଙ୍ଗୁଠି ନୁହେଁ ଵରଂ ନିଜ ବୁଦ୍ଧିର ମଧ୍ୟ ଉପଯୋଗ କରିଵା। ଏଆଇ ଯାହା ଲେଖୁଛି, ତାକୁ ଭଲ ଭାବରେ ବୁଝି, ତର୍ଜମା କରି ଏଵଂ ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରିଵା ପରେ ହିଁ ଗ୍ରହଣ କରିଵା ଉଚିତ୍।

ଏଆଇ କେଵଳ ସେତିକି ହିଁ ଆଉଟପୁଟ୍ ଦିଏ, ଯେତିକି ଆମେ ତାକୁ ପଚାରିଥାଉ। ଯଦି ଆମର ପ୍ରଶ୍ନ ଵା ନିର୍ଦ୍ଦେଶ (Prompt) ଅସ୍ପଷ୍ଟ କିମ୍ବା ଦ୍ୱନ୍ଦ୍ୱାତ୍ମକ ହେଵ, ତେବେ ତାର ଉତ୍ତର ମଧ୍ୟ ସେତିକି ଭ୍ରମାତ୍ମକ ହେଵ। ତେଣୁ "ଏଆଇ"ର ସକାରାତ୍ମକ ଓ ସଫଳ ଵ୍ୟଵହାର ଶିଖିଵା ପାଇଁ ପ୍ରଥମେ ତାକୁ ଠିକ୍ ଭାବେ ପ୍ରଶ୍ନ କରିଵା ଶିଖିଵାକୁ ହେବ। ଏହା ଏକ ଆଧୁନିକ ଵୈଷୟିକ କଳା, ଯାହାକୁ ଆଜିକାଲି 'Prompt Engineering' କୁହାଯାଉଛି।

ଅନେକ ସମୟରେ ଲୋକେ ନିଜର କ୍ରିଏଟିଵିଟି ଵା ମୌଳିକ ଚିନ୍ତାଧାରା ପ୍ରୟୋଗ ନକରି, ଏଆଇ ଯାହା ଲେଖିଦେଲା ତାକୁ ସେମିତି ଅବିକଳ ଉତ୍ତାରି ଵ୍ୟଵହାର କରିଦିଅନ୍ତି। ଏହାଦ୍ୱାରା ମଣିଷର ନିଜସ୍ୱ ଭାଷା, ସୃଜନଶୀଳତା ଓ ଭାବନା ହଜିଯାଏ।
ଆମକୁ ମନେରଖିଵାକୁ ହେଵ ଯେ, ଏଆଇ ଆମର "ଵିକଳ୍ପ" ନୁହେଁ, ଵରଂ ଜଣେ "ସହଯୋଗୀ" ବା ରିସର୍ଚ୍ଚ ଆସିଷ୍ଟାଣ୍ଟ ଅଟେ। ସେ ଆମକୁ ତଥ୍ୟ ଯୋଗାଇପାରେ, କିନ୍ତୁ ସେହି ତଥ୍ୟରେ ମାନଵୀୟ ପ୍ରାଣ ଦେଵା ଏଵଂ ତାକୁ ସଂସ୍କାର କରିଵା କେଵଳ ମଣିଷର ହିଁ କାମ।

ଵାସ୍ତଵରେ ଦେଖିବାକୁ ଗଲେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଉ ମଣିଷ ମଧ୍ୟରେ ଵିଶେଷ କିଛି ପ୍ରଭେଦ ନାହିଁ। ଏଆଇର ଅନେକ ଭୁଲ୍ ଭଳି ମଣିଷର ମଧ୍ୟ ଜୀଵନରେ ଅନେକ ଭୁଲ୍ ହୋଇଥାଏ। ଏଆଇ ଆଉ କିଛି ନୁହେଁ, ଏହା ମାନଵୀୟ ବୁଦ୍ଧିମତାର ହିଁ ଏକ ଵିସ୍ତାରିତ ଓ ଶକ୍ତିଶାଳୀ ସ୍ୱରୂପ ଅଟେ। ତେଣୁ ଏଆଇକୁ ଭୟ କରିଵା ଵା ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଵା କୌଣସି ସମାଧାନ ନୁହେଁ। ଯେହେତୁ ଏହା ଆମ ବୁଦ୍ଧିର ହିଁ ଏକ ପ୍ରତିଵିମ୍ବ ତେଣୁ ଏହାର ନିୟନ୍ତ୍ରଣ ଚାବିକାଠି ସଦାସର୍ଵଦା ଆମ ହାତରେ ହିଁ ରହିଵା ଦରକାର। ଶିକ୍ଷା, ଚାଷକାମ ଓ ସ୍ୱାସ୍ଥ୍ୟ ସେଵା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଯଦି ଆମେ ଆମର ଵିବେକ ଖଟାଇ ଏହାର ଉପଯୁକ୍ତ ଵ୍ୟଵହାର କରିଵା ତେବେ ସମାଜର ଏକ ବହୁତ ବଡ଼ ମଙ୍ଗଳ ସାଧିତ ହୋଇପାରିଵ ।


No comments:

Post a Comment