ସ୍ପେଶାଲ ଏଜୁକେସନ୍ ଵା ମାନସିକ କିମ୍ବା ଶିକ୍ଷଣ ଦୁର୍ବଳତା ଥିବା ଶ୍ରେଣୀରେ ୭୧% ପିଲା କୃଷ୍ଣକାୟ ଥିଲେ। ସ୍କୁଲରୁ ବେଦଖଲ ଵା ଫେଲ୍ ହେଉଥିଵା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୪% କୃଷ୍ଣକାୟ ଥିଲେ। ଏହି ସଂକଟର ସମାଧାନ ପାଇଁ ସ୍କୁଲ ବୋର୍ଡ ଏକ 'ଆଫ୍ରିକାନ-ଆମେରିକାନ ଟାସ୍କ ଫୋର୍ସ' ଗଠନ କଲା। ଗଭୀର ଅନୁସନ୍ଧାନ ପରେ ଜଣାପଡ଼ିଲା ଯେ, ଏହି ପିଲାମାନେ ମେଧାଵୀ ହୋଇଥିଲେ ବି କେଵଳ ଭାଷାଗତ ସମସ୍ୟା ଯୋଗୁଁ ପଛେଇ ଯାଉଛନ୍ତି। ସେମାନେ ଘରେ ଯେଉଁ ଇଂରାଜୀ କହୁଥିଲେ, ତାହା ସ୍କୁଲର 'Standard English' ଵା ମାନକ ଇଂରାଜୀଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା।
ସେତେବେଳେ ଭାଷା ଵିଜ୍ଞାନୀମାନେ କୃଷ୍ଣକାୟମାନଙ୍କ ଦ୍ୱାରା ବୋଲାଯାଉଥିଵା ଏହି ସ୍ୱତନ୍ତ୍ର ଶୈଳୀକୁ AAVE ଵା African-American Vernacular English ବୋଲି କହୁଥିଲେ। କିନ୍ତୁ ୧୯୭୩ ମସିହାରେ ଜଣେ କୃଷ୍ଣକାୟ ମନୋଵିଜ୍ଞାନୀ ଡଃ ରବର୍ଟ ଉଇଲିୟମ୍ସ ଏକ ନୂଆ ଶବ୍ଦ ଗଢ଼ିଥିଲେ ଏଵଂ ତାହା 'Ebonics' ଥିଲା ।
Ebony ଓ Phonics ମିଶାଇ ଏହି Ebonics ଶବ୍ଦ ସୃଷ୍ଟି କରାଯାଇଥିଲା ।
କିନ୍ତୁ ଏହାର ମୂଳ ଇତିହାସ ଦାସତ୍ୱ ପ୍ରଥା ସହ ଜଡ଼ିତ ଥିଲା। ଆଫ୍ରିକାରୁ ଦାସତ୍ୱର ଶିକୁଳିରେ ବାନ୍ଧି ଅଣାଯାଇଥିଵା ନିଗ୍ରୋମାନେ ନିଜର ନାଇଜର-କଙ୍ଗୋ ଭାଷାର ଵ୍ୟାକରଣ ନିୟମ ସହ ଇଂରାଜୀ ଶବ୍ଦକୁ ମିଶାଇ ଏକ ନୂଆ ପ୍ରକାରର କଥାଵାର୍ତ୍ତା ଶୈଳୀ ପ୍ରସ୍ତୁତ କରିଥିଲେ। ଉଦାହରଣ ସ୍ୱରୂପ, ସେମାନେ "He is working" ପରିଵର୍ତ୍ତେ "He working" କିମ୍ବା "She be happy" (ସେ ସବୁବେଳେ ଖୁସି ରହେ) ଭଳି ଵାକ୍ୟ ଗଠନ କରୁଥିଲେ ଯାହାର ନିଜସ୍ୱ ସ୍ଥିର ଵ୍ୟାକରଣ ନିୟମ ଥିଲା।
ଓକଲାଣ୍ଡ ସ୍କୁଲ ବୋର୍ଡ ଭାବିଲା, ଯଦି ଆମେ କୃଷ୍ଣକାୟ ପିଲାଙ୍କ ଘରର ଭାଷା Ebonicsକୁ ସ୍କୁଲରେ ସମ୍ମାନ ନଦେଵା ତେବେ ସେମାନେ କେବେବି ସ୍କୁଲର ମାନକ ଇଂରାଜୀ ଶିଖିପାରିବେ ନାହିଁ। ତେଣୁ, ୧୮ ଡିସେମ୍ବର ୧୯୯୬ରେ ବୋର୍ଡ ସର୍ଵସମ୍ମତି କ୍ରମେ ଏକ ପ୍ରସ୍ତାବ ଗ୍ରହଣ କଲା ।
'Ebonics' କୁ ଇଂରାଜୀର କୌଣସି ଅଶୁଦ୍ଧ ରୂପ ଵା Slang ନଭାବି, ଏହାକୁ କୃଷ୍ଣକାୟ ପିଲାଙ୍କର ଏକ ସ୍ୱତନ୍ତ୍ର ପ୍ରାଥମିକ ଭାଷାର ମାନ୍ୟତା ଦିଆଯାଉ ବୋଲି ବୋର୍ଡ୍ ସଦସ୍ୟମାନେ ଇଚ୍ଛା ପ୍ରକାଶ କରିଥିଲେ ।
ପ୍ରସ୍ତାଵରେ ଲେଖାଗଲା ଯେ ଏହି ଭାଷାଟି "Genetically-based" ଅର୍ଥାତ୍ ଏହାର ମୂଳ ଆଫ୍ରିକୀୟ ଭାଷାର ଉତ୍ସ ସହ ଜଡ଼ିତ ଅଟେ ।
ଶିକ୍ଷକମାନଙ୍କୁ Ebonics ଶିଖାଯିଵ ଯଦ୍ଦ୍ୱାରା ସେମାନେ ପିଲାଙ୍କ ଭାଷା ବୁଝିପାରିବେ ଏଵଂ Positive Transfer ପଦ୍ଧତିରେ Contrastive Analysis ଵା ଦୁଇ ଭାଷାର ତୁଳନା କରି ସେମାନଙ୍କୁ ସହଜରେ 'Standard English' ଶିଖାଇପାରିବେ।
ଡିସେମ୍ବର ଶେଷ ସପ୍ତାହରେ କୌଣସି ବଡ଼ ଖବର ନଥିଵାରୁ, ଗଣମାଧ୍ୟମ ଏହି ଵିଷୟକୁ ତିଳକୁ ତାଳ କରି ସାରା ଦେଶରେ ଚର୍ଚ୍ଚିତ କଲା ଫଳତଃ ସମ୍ପୂର୍ଣ୍ଣ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଭୁଲ୍ ପ୍ରଚାର ଚାଲିଲା। ଗଣମାଧ୍ୟମ ଦର୍ଶାଇଲା ଯେ "ଓକଲାଣ୍ଡ ସ୍କୁଲ ବୋର୍ଡ ଏବେ ପିଲାଙ୍କୁ ଶୁଦ୍ଧ ଇଂରାଜୀ ପରିଵର୍ତ୍ତେ ଷ୍ଟ୍ରିଟ୍ ସ୍ଲାଙ୍ଗ ଵା ଗଳିର ଖରାପ ଭାଷା ଶିଖାଇଵ !"
ଫଳତଃ ରାତାରାତି ଏହା ଆମେରିକାର ସବୁଠାରୁ ବଡ଼ ଵିତର୍କ ପାଲଟିଗଲା । The New York Times ଏହାକୁ ଓକଲାଣ୍ଡ ବୋର୍ଡର ଏକ "ବଡ଼ ଭୁଲ" ଵା Blunder) ବୋଲି କହିଲା ଏଵଂ ଯୁକ୍ତି କଲା ଯେ ଏହା ଦ୍ୱାରା ପିଲାମାନେ ମୁଖ୍ୟ ସ୍ରୋତରୁ ଦୂରେଇଯିବେ।
ଲୋକମାନେ ଏହି ଵିଷୟକୁ ନେଇ ଟିଵି ଚ୍ୟାନେଲ୍ରେ ଵ୍ୟଙ୍ଗ ଚିତ୍ର ଵା Cartoons ଏଵଂ ମଜାକଥାମାନ କଲେ ଏଵଂ ତହିଁରେ ସାଧାରଣ ଇଂରାଜୀ ଵାକ୍ୟକୁ ଅତି ମଜାଳିଆ ଭାବେ ଲେଖାଯାଇଥିଲା। ଇଣ୍ଟରନେଟ୍ରେ ଏକ 'Ebonics Translator' ୱେବସାଇଟ୍ ମଧ୍ୟ ଆସିଗଲା, ଯାହାକୁ ଅପମାନଜନକ ଦର୍ଶାଇ ପରେ ବନ୍ଦ କରାଯାଇଥିଲା।
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରସ୍ତାଵକୁ ସେତେବେଳେ କେଵଳ ଶ୍ୱେତକାୟ ନୁହେଁ ଵରଂ ବଡ଼ ବଡ଼ କୃଷ୍ଣକାୟ ନେତାମାନେ ମଧ୍ୟ ତୀଵ୍ର ଵିରୋଧ କରିଥିଲେ । ପ୍ରସିଦ୍ଧ ନାଗରିକ ଅଧିକାର ନେତା Jesse Jackson ଏ ଘଟଣା ସଂକ୍ରାନ୍ତରେ ପ୍ରଥମେ କହିଥିଲେ ଯେ "ଏହା ଆମ ପିଲାମାନଙ୍କୁ ସୀମିତ କରିଦେଵ। ଆମେ ସେମାନଙ୍କୁ ଗଳିର ଭାଷାରେ ବାନ୍ଧି ରଖିଵାକୁ ଚାହୁଁନାହୁଁ।" ଅଵଶ୍ୟ ପରେ ପ୍ରକୃତ ଉଦ୍ଦେଶ୍ୟ ବୁଝି ସେ ନିଜ ମତ ବଦଳାଇଥିଲେ।
ସେହିପରି ଆମେରିକାର ସେତେବେଳର କୃଷ୍ଣକାୟ କଵିୟତ୍ରୀ ଓ ଲେଖିକା ମାୟା Maya Angelou କହିଥିଲେ ଯେ ସେ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ଆହତ ହୋଇଛନ୍ତି।
ଆମେରିକାର ଶିକ୍ଷା ସଚିଵ ରିଚାର୍ଡ ରିଲେ ସ୍ପଷ୍ଟ କରିଦେଲେ ଯେ Ebonicsକୁ କୌଣସି ପ୍ରକାରର ସରକାରୀ ଦ୍ୱିଭାଷୀ ଶିକ୍ଷା ଵା Bilingual Educationର ପାଣ୍ଠି ମିଳିଵ ନାହିଁ।
ଵିଵାଦର ସମାଧାନ କରିଵାକୁ ଯାଇ ସେତେବେଳେ କିଛି ଆଲୋଚକ ଓ ଶିକ୍ଷାଵିତ୍ ଯୁକ୍ତି ଦର୍ଶାଇଲେ ଯେ, ଇଂରାଜୀ ବହି କିମ୍ବା ଶ୍ରେଣୀଗୃହର ଆନୁଷ୍ଠାନିକ ପଦ୍ଧତିରେ ଏକ ଅଣ-ମାନକ ଶୈଳୀକୁ ସ୍ଥାନିତ କଲେ, ପିଲାମାନେ ହେଉଥିଵା 'Language Interference' ଯୋଗୁଁ ମାନକ ଭାଷା ଶିଖିଵାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କ ମତରେ, ଏହା ପିଲାଙ୍କୁ ଭଵିଷ୍ୟତରେ ଵିଶ୍ୱସ୍ତରୀୟ ଚାକିରି କିମ୍ବା ଉଚ୍ଚଶିକ୍ଷା କ୍ଷେତ୍ରରେ ପଛକୁ ଠେଲିଦେଵାର ଆଶଙ୍କା ରହିଛି।
ଚାରିଆଡ଼ୁ ପ୍ରବଳ ଚାପ ଏଵଂ ଅପମାନିତ ହେଵା ପରେ ଓକଲାଣ୍ଡ ସ୍କୁଲ ବୋର୍ଡକୁ ପଛଘୁଞ୍ଚା ଦେଵାକୁ ପଡ଼ିଲା। ୧୫ ଜାନୁଆରୀ ୧୯୯୭ରେ, ବୋର୍ଡ ନିଜର ପ୍ରସ୍ତାଵକୁ ସଂଶୋଧନ କଲା । ସେମାନେ ବହିରୁ "Genetically-based" ଭଳି ଵିଵଖଦୀୟ ଶବ୍ଦକୁ ହଟାଇଦେଲେ। ସେମାନେ ସ୍ପଷ୍ଟ କଲେ ଯେ, ସେମାନଙ୍କର ଉଦ୍ଦେଶ୍ୟ Ebonics ପଢ଼ାଇଵା ନୁହେଁ ଵରଂ ଏହାକୁ ଏକ 'ସେତୁ' ଭାବେ ଵ୍ୟଵହାର କରି କେଵଳ ମାନକ ଇଂରାଜୀ ଶିଖାଇଵା ଥିଲା।
ଆମେରିକାର ଏହି ୩୦ ଵର୍ଷ ତଳର ଘଟଣା ଆଜି ଓଡ଼ିଶାର 'ପଲ୍ଲବୀ' ବହିର ଵିତର୍କ ସହ ଶତପ୍ରତିଶତ ମେଳ ଖାଉଛି। ଓକଲାଣ୍ଡ ବୋର୍ଡ ଭଳି ଓଡ଼ିଶାର ପାଠ୍ୟପୁସ୍ତକ କମିଟି ମଧ୍ୟ 'ସାଂସ୍କୃତିକ ସମନ୍ୱୟ' ଓ 'ସହଜ ଶିକ୍ଷଣ' ନାଁରେ ଇଂରାଜୀ ବହିରେ ଓଡ଼ିଆ ରଜଗୀତ ରଖିଦେଲେ।
ଆମେରିକାର ଏହି ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ପାଠ୍ୟପୁସ୍ତକ ଓ ଶିକ୍ଷା ପଦ୍ଧତିରେ ମାନକ ଏଵଂ ଆଞ୍ଚଳିକ ଭାଷାର ସୀମାରେଖା ନିର୍ଦ୍ଧାରଣ କରିଵା କେତେ ଜଟିଳ। ଓକଲାଣ୍ଡ ସ୍କୁଲ ବୋର୍ଡକୁ ପ୍ରବଳ ସାମାଜିକ ଓ ଗଣମାଧ୍ୟମର ଚାପ ଯୋଗୁଁ ନିଜର ପ୍ରସ୍ତାଵକୁ ସଂଶୋଧନ କରିଵାକୁ ପଡ଼ିଥିଲା। ଏହି ଘଟଣାରୁ ବୁଦ୍ଧିଜୀଵିମାନେ ବୁଝିଲେ ଯେ ଶିକ୍ଷକ ଶ୍ରେଣୀଗୃହରେ ପିଲାଙ୍କୁ ବୁଝିଵା ପାଇଁ ସହଯୋଗ କରିଵା ଅଲଗା କଥା, କିନ୍ତୁ ପାଠ୍ୟପୁସ୍ତକର ଗଠନ ସବୁବେଳେ ଵୈଜ୍ଞାନିକ ଓ ମାନକ ହେଵା ଆଵଶ୍ୟକ ଅଟେ।
ଆମେରିକାର ଏହି ୩୦ ଵର୍ଷ ତଳର ଘଟଣା ଅନେକାଂଶରେ ଆଜି ଓଡ଼ିଶାର 'ପଲ୍ଲବୀ' ବହିର ଵିତର୍କ ସହ ସାଦୃଶ୍ୟ ରଖୁଛି। ଓକଲାଣ୍ଡ ବୋର୍ଡ ଭଳି ଓଡ଼ିଶାର ପାଠ୍ୟପୁସ୍ତକ ପ୍ରସଙ୍ଗରେ ମଧ୍ୟ 'ସହଜ ଶିକ୍ଷଣ' ନାଁରେ ମାନକ ପଦ୍ଧତି ସହ କରାଯାଇଥିଵା ପରୀକ୍ଷା-ନିରୀକ୍ଷାକୁ ନେଇ ଵିତର୍କ ସୃଷ୍ଟି ହୋଇଛି।
ତେଣୁ, ଭାଷାର ମାନକ ରୂପ ଓ ଶୁଦ୍ଧତା ରକ୍ଷା କରିଵା ସହିତ ପିଲାଙ୍କୁ ସହଜରେ ଶିଖାଇଵା ପାଇଁ ଏଭଳି ସମ୍ବେଦନଶୀଳ ଶିକ୍ଷାଗତ ନିଷ୍ପତ୍ତିଗୁଡ଼ିକର ପୁନର୍ଵିଚାର ଓ ସଂଶୋଧନ କରିଵା ହିଁ ଶିକ୍ଷାଵିତ୍ମାନଙ୍କ ମତରେ ଏକ ଗ୍ରହଣୀୟ ସମାଧାନ ହୋଇପାରିଵ। ଭାଷା ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ପିଲାଙ୍କ ମଧ୍ୟରେ ଏକ ନୂତନ 'Thinking Zone' ଵା ଚିନ୍ତା କରିବାର କ୍ଷମତା ତିଆରି କରିଵା ଅଟେ । ସ୍କୁଲ ବହିରେ ଅଣ-ମାନକ ଶୈଳୀର ପ୍ରୟୋଗ ଶିକ୍ଷଣ ପ୍ରକ୍ରିୟାକୁ କିଛି ସମୟ ପାଇଁ ସହଜ କରିପାରେ, କିନ୍ତୁ ଦୀର୍ଘକାଳୀନ ସ୍ତରରେ ଏହା ପିଲାଙ୍କୁ ମୁଖ୍ୟ ସ୍ରୋତର ଭାଷା ଉପରେ ଦକ୍ଷତା ଲାଭ କରିଵାରେ ବାଧା ସୃଷ୍ଟି କରିଥାଏ। ଓକଲାଣ୍ଡର ପ୍ରୋକ୍ତ ଇତିହାସ ଆମକୁ ଏହା ଶିଖାଏ ଯେ ଶିକ୍ଷା କ୍ଷେତ୍ରରେ କରାଯାଉଥିଵା ପରୀକ୍ଷା-ନିରୀକ୍ଷା ଯେତେବେଳେ ଵ୍ୟାଵହାରିକ ସମସ୍ୟା ସୃଷ୍ଟି କରେ, ସେତେବେଳେ ନିଜର ଭୁଲ୍ ସ୍ୱୀକାର କରି ପଛକୁ ହଟିଵା ଏଵଂ ପାଠ୍ୟପୁସ୍ତକକୁ ଵୈଜ୍ଞାନିକ ରୂପ ଦେଵା ହିଁ ଶ୍ରେଷ୍ଠ ପଦକ୍ଷେପ। ଓଡ଼ିଶା ପ୍ରସଙ୍ଗରେ ମଧ୍ୟ ଭାଷାର ଗରିମା ଏଵଂ ମାନକ ଶିକ୍ଷା ପ୍ରଦାନର ପ୍ରତିଶ୍ରୁତିକୁ ବଜାୟ ରଖିଵାକୁ ହେଲେ ଏଭଳି ଵିଵାଦୀୟ ନିଷ୍ପତ୍ତିର ସଂଶୋଧନ ଏକ ଏକମାତ୍ର ଶାସ୍ତ୍ରସମ୍ମତ ତଥା ସ୍ଥାୟୀ ସମାଧାନର ମାର୍ଗ ପ୍ରଶସ୍ତ କରିଵ ।
No comments:
Post a Comment