ବଡ଼ ଭଉଣୀ 'ଜିନସା' ଅତ୍ୟନ୍ତ ଧୀରସ୍ଥିର, ବୁଦ୍ଧିମତୀ ଓ ଦୂରଦର୍ଶୀ ଥିଲେ । ତାଙ୍କ କେଶରାଶି ସୁଵର୍ଣ୍ଣ ଭଳି ଚମକୁଥିଲା, ସେଥିପାଇଁ ତାଙ୍କୁ ସମସ୍ତେ "ସୁଵର୍ଣ୍ଣ ବାଲିର କନ୍ୟା" ବୋଲି ଡାକୁଥିଲେ। ମଝିଆଁ ଭଉଣୀ 'ଲାନକାଙ୍ଗ୍' ବହୁତ ଚଞ୍ଚଳ, ସ୍ୱାଭିମାନୀ ଓ ସାହସୀ ଥିଲେ। ନୀଳ-ସବୁଜ ପୋଷାକ ପିନ୍ଧି ସେ ସର୍ଵଦା ନୂଆ ସ୍ଥାନ ଆଵିଷ୍କାର କରିଵାକୁ ସୁଖ ପାଉଥିଲେ। ସାନ ଭଉଣୀ 'ନୁଜିଆଙ୍ଗ୍' ଥିଲେ ସବୁଠାରୁ ଅଶାନ୍ତ, ଜିଦଖୋର ଏଵଂ କ୍ରୋଧୀ। ତାଙ୍କ ମନ ଭିତରେ କେଵଳ ସ୍ଵାଧୀନତାର ନିଆଁ ଜଳୁଥିଲା, କାହାରି ଶାସନ ଵା ଅଙ୍କୁଶରେ ରହିଵା ତାଙ୍କ ସ୍ୱଭାଵରେ ନଥିଲା।
ତିନି ଭଉଣୀ ନିଜ ବଡ଼ଭାଇ ଖାୱା କାର୍ପୋଙ୍କ ସେହି ଶୀତଳ ସାମ୍ରାଜ୍ୟରେ ବନ୍ଦୀ ହୋଇ ରହିଵାକୁ ଚାହୁଁନଥିଲେ। ସେମାନେ ସର୍ଵଦା ଦୂର ଆକାଶରେ ଉଡ଼ୁଥିଵା ପକ୍ଷୀମାନଙ୍କୁ ଦେଖି ଭାବୁଥିଲେ "ଏହି ଵିଶାଳ ପାହାଡ଼ ଆରପାରିରେ କେଉଁ ଦୁନିଆ ଅଛି? ସେଠାରେ ରହୁଥିଵା ଜୀଵମାନେ କେମିତି ହୋଇଥିବେ ?"
ବଡ଼ ଭାଇ ଖାୱା କାର୍ପୋ ଚାହୁଁଥିଲେ ଯେ ତାଙ୍କର ତିନି ଭଉଣୀଙ୍କ ଵିଵାହ ସେହି ଉତ୍ତର ଅଞ୍ଚଳର ଅନ୍ୟ ଶକ୍ତିଶାଳୀ ପର୍ଵତ ଦେଵତାମାନଙ୍କ ସହ ହେଉ। କିନ୍ତୁ ତିନି ଭଉଣୀ ସେହି ଶୀତଳ ପାହାଡ଼ରେ ଆବଦ୍ଧ ହୋଇ ରହିଵାକୁ ଚାହୁଁନଥିଲେ ।
ଦିନେ ସେମାନେ ଶୁଣିଵାକୁ ପାଇଲେ ଯେ, ବହୁ ଦୂରରେ ଏକ ଵିଶାଳ, ନୀଳ ଓ ଗଭୀର 'ପୂର୍ଵ ସମୁଦ୍ର' (ପ୍ରଶାନ୍ତ ମହାସାଗର) ଅଛି ଯିଏ ସମସ୍ତ ନଦୀ ଓ ପ୍ରଵାହକୁ ନିଜ ଵକ୍ଷକୁ ଆଲିଙ୍ଗନ କରିନିଏ। ସେମାନେ ପୂର୍ଵ ସମୁଦ୍ରକୁ ଵିଵାହ କରିଵାକୁ ଇଚ୍ଛା କଲେ। ତେଣୁ ତିନି ଭଉଣୀ ପ୍ରତିଜ୍ଞା କଲେ ଯେ, ସେମାନେ ନିଜ ବଡ଼ଭାଇଙ୍କ ରାଜ୍ୟ ସୀମା ପାର୍ ହୋଇ ସେହି ମହାନ ସମୁଦ୍ରକୁ ଭେଟିଵା ପାଇଁ ଅଭିସାରରେ ବାହାରିବେ।
ଜଣେ କ୍ରୋଧୀ ବଡ଼ଭାଇଙ୍କ ଦୃଷ୍ଟିରୁ ବଞ୍ଚି ପଳାଇଵା ସହଜ ନଥିଲା। ତେଣୁ ଏକ କିଟିକିଟିଆ ଅନ୍ଧାର ରାତିରେ, ଯେତେବେଳେ ସମଗ୍ର ପର୍ଵତମାଳା ଶୋଇପଡ଼ିଥିଲା ଠିକ୍ ସେତିକିବେଳେ ତିନି ଭଉଣୀ ବରଫ ତରଳାଇ ଜଳର ରୂପ ନେଲେ ଏଵଂ ଗୁପ୍ତରେ ପାହାଡ଼ର ଗଭୀର ଖାଲ ଦେଇ ଦକ୍ଷିଣ ଦିଗକୁ ଦ୍ରୁତ ଗତିରେ ବହିଵାକୁ ଲାଗିଲେ।
ଯେତେବେଳେ ସେମାନେ ୟୁନ୍ନାନ ପ୍ରଦେଶର ସୀମା ଭିତରକୁ ପ୍ରଵେଶ କଲେ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ସେମାନେ ମନ୍ତ୍ରମୁଗ୍ଧ ହୋଇଗଲେ। କିନ୍ତୁ ସେହି ସମୟରେ ସେମାନଙ୍କ ମନରେ ଏକ ପ୍ରତିଯୋଗିତା ଆରମ୍ଭ ହେଲା। ପ୍ରତ୍ୟେକେ ଚାହୁଁଥିଲେ ଯେ ସେ ନିଜ ନିଜ ସ୍ୱଭାଵ ଅନୁସାରେ ସମୁଦ୍ର ପର୍ଯ୍ୟନ୍ତ ନିଜର ଶ୍ରେଷ୍ଠ ପଥ ପ୍ରସ୍ତୁତ କରିବେ।
ସେମାନେ ଚାଲିଵା ସମୟରେ ପରସ୍ପରର ଅତି ନିକଟରେ ଥିଲେ, କିନ୍ତୁ କେହି କାହାର ସୀମା ଭିତରକୁ ପଶୁନଥିଲେ। ବଡ଼ ଭଉଣୀ ଜିନସା ମଝିରେ ଚାଲୁଥିଲେ ଏଵଂ ତାଙ୍କର ଗୋଟିଏ ପଟେ ଚଞ୍ଚଳ ଲାନକାଙ୍ଗ୍ ଆଉ ଅନ୍ୟପଟେ କ୍ରୋଧୀ ନୁଜିଆଙ୍ଗ୍ ଥିଲେ। ଏହିପରି ଭାବେ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ସେମାନେ ସମାନ୍ତରାଳ ଭାବେ ପଥର କାଟି କାନ୍ଥ ଭଳି ଉଚ୍ଚ ଗିରିସଙ୍କଟ ସୃଷ୍ଟି କରି ଆଗକୁ ବଢ଼ିଚାଲିଲେ।
ଭଉଣୀମାନେ ଭାଇଙ୍କ ନିଷ୍ପତ୍ତିକୁ ଅମାନ୍ୟ କରି ଜଳର ରୂପ ନେଇ ଉତ୍ତରରୁ ଦକ୍ଷିଣକୁ ପଳାଇଛନ୍ତି ଜାଣିପାରି ବଡ଼ ଭାଇ ଖାୱା କାର୍ପୋ କ୍ରୋଧିତ ହୋଇ ସେମାନଙ୍କ ପଛରେ ଗୋଡ଼ାଇଥିଲେ । ନିଜ ଭଉଣୀମାନଙ୍କୁ ଅଟକାଇବା ପାଇଁ ଉତ୍ତରରୁ ଗୋଡ଼ାଇ ଗୋଡ଼ାଇ ଖାୱା କାର୍ପୋ ଠିକ୍ 'ଶିଗୁ' ଏଵଂ ତା'ର ଆଖପାଖ ଅଞ୍ଚଳ ପର୍ଯ୍ୟନ୍ତ ଆସିଥିଲେ ଯେଉଁଠାରେ ଆଜିର 'ଟାଇଗର୍ ଲିପିଙ୍ଗ୍ ଗର୍ଜ' ରହିଛି। ସେଠାରେ ଅଟକି ଯାଇ ଖାୱା କାର୍ପୋ ଭଉଣୀମାନଙ୍କୁ ଅଟକାଇବା ପାଇଁ ନିଜର ଦୁଇ ସୈନ୍ୟ "ୟୁଲଙ୍ଗ୍ ଓ ହାବା"(କେତେକ ସଂସ୍କରଣରେ ଦୁଇ ସାନଭାଇ)ଙ୍କୁ ପଠାଇଥିଲେ।
ତିନି ଭଉଣୀ ୟୁନ୍ନାନର 'ଶିଗୁ' ନାମକ ସ୍ଥାନରେ ନିଜ ବଡ଼ଭାଇଙ୍କଠାରୁ ଖଣ୍ଡେ ଦୂରରେ ଥିଲାବେଳେ ସେମାନଙ୍କ ସମ୍ମୁଖରେ ଆସି ଠିଆ ହେଲା ତାଙ୍କ ଜୀଵନର ସବୁଠାରୁ ବଡ଼ ବାଧା। ସେମାନଙ୍କ ବାଟ ଓଗାଳିଵା ପାଇଁ ସେଠାରେ ତାଙ୍କ ବଡ଼ଭାଇଙ୍କ ଦୁଇ ସୈନ୍ୟ "ୟୁଲଙ୍ଗ୍ ଓ ହାବା" ଵିଶାଳକାୟ ପଥରର ପ୍ରହରୀ ରୂପେ ଠିଆ ହୋଇଥିଲେ । ଏହି ଦୁଇ ପର୍ଵତ ଏତେ ଉଚ୍ଚ ଓ ଦୃଢ଼ ଥିଲେ ଯେ ସେମାନଙ୍କୁ ଭେଦ କରି ଆଗକୁ ଯିଵା ପ୍ରାୟ ଅସମ୍ଭଵ ମନେହେଉଥିଲା।
ଗାଲେଇ ନୁଜିଆଙ୍ଗ୍ କ୍ରୋଧରେ କହିଲେ: "ମୁଁ କେବେ ହେଲେ ନିଜ ଦିଗ ବଦଳାଇବି ନାହିଁ। ଏହି ପାହାଡ଼ ଯେତେ ଶକ୍ତିଶାଳୀ ହେଲେ ବି ମୁଁ ଏହାର ଛାତି ଚିରି ମୋର ପ୍ରିୟତମକୁ ଭେଟିଵାକୁ ଦକ୍ଷିଣ ଦିଗକୁ ହିଁ ମାଡ଼ିଚାଲିବି।"
ଚଞ୍ଚଳା ଲାନକାଙ୍ଗ୍ ମଧ୍ୟ ତାଙ୍କ ସହ ସହମତ ହୋଇ କହିଲେ: "ହଁ, ଆମେ ଦକ୍ଷିଣର ସେହି ଜଙ୍ଗଲ ଆଡ଼କୁ ଯିଵା କାରଣ ସେଠି ଆମକୁ କେହି ଅଟକାଇ ପାରିଵେ ନାହିଁ।"
କିନ୍ତୁ ବଡ଼ ଭଉଣୀ ଜିନସା ଧୀର ଭାବରେ ସେହି ପାହାଡ଼କୁ ଦେଖିଲେ ଏଵଂ ନିଜ ମନରେ କିଛି ଵିଚାରିଵାକୁ ଲାଗିଲେ । ପୂର୍ଵ ସମୁଦ୍ରକୁ ଭେଟିଵାର ଯେଉଁ ପ୍ରକୃତ ପ୍ରତିଜ୍ଞା ସେମାନେ କରିଥିଲେ, ତାହା କେଵଳ ପୂର୍ଵ ଦିଗକୁ ଗଲେ ହିଁ ସମ୍ଭଵ ହେଵ।
ଜିନସା ନିଜ ଭଉଣୀମାନଙ୍କୁ ବୁଝାଇଵାକୁ ଚେଷ୍ଟା କଲେ: "ଭଉଣୀମାନେ, ଆସ ଆମେ ସମସ୍ତେ ଏଠାରୁ ପୂର୍ଵ ଆଡ଼କୁ ବୁଲିଯିଵା କାରଣ ସେଠାରେ ହିଁ ଆମର ପ୍ରିୟତମ ଅଛନ୍ତି ବୋଲି ଶୁଣିଵାକୁ ମିଳେ । ସେପଟେ ବହୁତ ବଡ଼ ଦୁନିଆ ଆମକୁ ଅପେକ୍ଷା କରିଛି।"
କିନ୍ତୁ ଜିଦଖୋର ମଝିଆଁ ଓ ସାନ ଭଉଣୀ ବଡ଼ ଭଉଣୀ ଜିନସାଙ୍କ କଥା ଶୁଣିଲେ ନାହିଁ।
ମଝିଆଁ ଭଉଣୀ ଲାନକାଙ୍ଗ୍ ଏଵଂ ସାନ ଭଉଣୀ ନୁଜିଆଙ୍ଗ୍ ଦେଖିଲେ ଯେ ସିଧା ପୂର୍ଵକୁ ଯିଵାକୁ ହେଲେ ସେହି ଭୟଙ୍କର ପଥର ପାହାଡ଼ ୟୁଲଙ୍ଗ୍ ଓ ହାବାଙ୍କ ସହ ସିଧାସଳଖ ଲଢ଼ିଵାକୁ ପଡ଼ିଵ ଯାହା ଅସମ୍ଭଵ ମନେହେଉଥିଲା। ପୁଣି ପଛରେ ବଡ଼ ଭାଇ ଖାୱା କାର୍ପୋ ଗୋଡ଼ାଉଥିଲେ, ତେଣୁ ସେଠାରେ ଅଟକିଵା କିମ୍ବା ପାହାଡ଼ ସହ ଲଢ଼ି ସମୟ ନଷ୍ଟ କରିଵା ଵିପଜ୍ଜନକ ଥିଲା।
ଲାନକାଙ୍ଗ୍ ଓ ନୁଜିଆଙ୍ଗ୍ ଭାବିଲେ,ସିଧା ପୂର୍ଵକୁ ଯାଇ ପାହାଡ଼ରେ ପିଟି ହେଵା ଅପେକ୍ଷା, ଦକ୍ଷିଣ ଦିଗରେ ଥିଵା ସୁନ୍ଦର ଉପତ୍ୟକା ଓ ଗଳି ଦେଇ ବହିଯିଵା ସହଜ। ସେମାନଙ୍କର ଵିଶ୍ୱାସ ଥିଲା ଯେ ଦକ୍ଷିଣ ଦିଗ ଦେଇ ଘୂରି ଘୂରି ଗଲେ ମଧ୍ୟ ସେମାନେ ଶେଷରେ କେଉଁଠି ନା କେଉଁଠି ସମୁଦ୍ରକୁ ଭେଟି ପାରିବେ । ତେଣୁ ସାନ ଦୁଇ ଭଉଣୀ ନିଜ ଶକ୍ତି ବଳରେ ପାହାଡ଼ର ସଂକୀର୍ଣ୍ଣ ଗଳି ଦେଇ ଦକ୍ଷିଣ ଦିଗକୁ ଆଗେଇ ଚାଲିଲେ।
ସାନ ଭଉଣୀମାନଙ୍କ ଏହି ଵିଚ୍ଛେଦ ଦେଖି ଜିନସା ଦୁଃଖିତ ହେଲେ, କିନ୍ତୁ ସେ ନିଜ ନିଷ୍ପତ୍ତିରେ ଅଟଳ ଥିଲେ। ସେ ଶିଗୁ ସହର ନିକଟରେ ଏକ ଅଦ୍ଭୁତ ଚମତ୍କାର କଲେ। ସେ ସିଧା ବହିଵା ବଦଳରେ ସେଠାରେ ହଠାତ୍ ଏକ ୧୮୦ ଡିଗ୍ରୀର ଓଲଟା ମୋଡ଼ ନେଲେ। ଜିନସା ସିଧା ଦକ୍ଷିଣକୁ ଯାଉଥିବା ପାଣିକୁ ପଛକୁ ବୁଲାଇ ଉତ୍ତର-ପୂର୍ଵ ଦିଗକୁ କରିଦେଲେ। ଏହି ଐତିହାସିକ ଘଟଣାକୁ ଭୂଗୋଳରେ "The First Bend of the Yangtze" ବୋଲି କୁହାଯାଏ।
କିନ୍ତୁ ଶିଗୁଠାରୁ ବୁଲିଵା ପରେ ଜିନସା ଯେତେବେଳେ ଉତ୍ତର-ପୂର୍ଵ ଆଡ଼କୁ ଆଗେଇଲେ, ତାଙ୍କୁ ସେହି ୟୁଲଙ୍ଗ୍ ଓ ହାବା ପାହାଡ଼ର ମଝି ଭାଗ ଦେଇ ହିଁ ଯିଵାକୁ ପଡ଼ିଲା। ବୁଲିଵା ପରେ ଜିନସାଙ୍କ ପାଖରେ ପଛରୁ ଆସୁଥିଵା ଵିପୁଳ ଜଳରାଶି ଏକାଠି ଜମା ହୋଇ ଏକ ଵିଶାଳ ଶକ୍ତିର ରୂପ ନେଇଥିଲା। ସେ ନିଜର ସେହି ସମଗ୍ର ସ୍ରୋତକୁ ନେଇ ୟୁଲଙ୍ଗ୍ ଓ ହାବା ପାହାଡ଼ର ଠିକ୍ ମଝି ସନ୍ଧିସ୍ଥଳରେ ପ୍ରଵଳ ଗତିରେ ପିଟି ହେଲେ।
ପାହାଡ଼ ଦୁଇଟି ଯେତେ ଶକ୍ତିଶାଳୀ ହେଲେ ବି ଜିନସାଙ୍କ ଏହି ମହାଶକ୍ତି ଆଗରେ ହାର ମାନିଲେ। ଜିନସା ସେହି ଦୁଇ ଵିଶାଳ ପାହାଡ଼ର ଛାତିକୁ ମଝିରୁ ଦୁଇ ଭାଗ କରି ଚିରି ଦେଲେ ଏଵଂ ଏକ ଅତ୍ୟନ୍ତ ସଂକୀର୍ଣ୍ଣ, ଗଭୀର ଗରିସଙ୍କଟ ସୃଷ୍ଟି କରି ସେପଟ ପାରିକୁ ବାହାରିଗଲେ। ଏହି ସ୍ଥାନଟି ହିଁ ଆଜିର ପ୍ରସିଦ୍ଧ Tiger Leaping Gorge ଅଟେ ।
ଏହିପରି ଭାଵେ ତିନି ଭଉଣୀ ସେହି ଶିଗୁ ନାମକ ସ୍ଥାନରୁ ସବୁଦିନ ପାଇଁ ପରସ୍ପରଠାରୁ ଅଲଗା ହୋଇଗଲେ ଏଵଂ ଭିନ୍ନ ଭିନ୍ନ ଦିଗରେ ପ୍ରଵାହିତ ହେଲେ ।
ଯେତେବେଳେ ବଡ଼ଭାଇ ଖାୱା କାର୍ପୋ ଦେଖିଲେ ଯେ ତାଙ୍କର ଦୁଇ ଶକ୍ତିଶାଳୀ ପଥର ସୈନ୍ୟ—ୟୁଲଙ୍ଗ୍ ଓ ହାବା ମଧ୍ୟ ତାଙ୍କ ଭଉଣୀମାନଙ୍କୁ ଅଟକାଇ ପାରିଲେ ନାହିଁ ସେତେବେଳେ ସେ କ୍ରୋଧ, ଅପମାନ ଓ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଲେ।
ଖାୱା କାର୍ପୋ ବୁଝିଗଲେ ଯେ ତାଙ୍କ ଭଉଣୀମାନଙ୍କର ସ୍ୱାଧୀନ ହେଵାର ଏଵଂ ସମୁଦ୍ରକୁ ପାଇଵାର ଇଚ୍ଛାଶକ୍ତି ଆଗରେ ତାଙ୍କର ସମସ୍ତ ବଳ ଓ ଶାସନ ହାର ମାନିଛି। ସେ ନିଜର ପରାଜୟ ସ୍ୱୀକାର କଲେ ଏଵଂ କ୍ରୋଧରେ ଜଳିପୋଡ଼ି ଆଉ ଆଗକୁ ନ ବଢ଼ି, ଠିକ୍ ସେହି ସୀମାନ୍ତରେ ହିଁ ସବୁଦିନ ପାଇଁ ଏକ ଵିଶାଳ ବରଫ ପାହାଡ଼ ପାଲଟିଗଲେ। ଆଜି ବି ଚୀନର ୟୁନ୍ନାନ ଓ ତିବ୍ବତ ସୀମାରେ ଥିଵା ମେଇଲି ବରଫ ପାହାଡ଼ର ସର୍ଵୋଚ୍ଚ ଶୃଙ୍ଗକୁ 'ଖାୱା କାର୍ପୋ' କୁହାଯାଏ ଯାହା ପ୍ରାୟ ୬,୭୪୦ ମିଟର ଉଚ୍ଚ ଏଵଂ ଏକ କ୍ରୋଧିତ ଓ ସ୍ଥିର ଭାଇ ଭଳି ଠିଆ ହୋଇ ରହିଛି।
ଏପଟେ ବଡ଼ ଭଉଣୀ ଜିନସା ପୂର୍ଵ ଆଡ଼କୁ ଯାଇ ଚୀନର ମହାନ ୟାଙ୍ଗଜେ ନଦୀ (Yangtze River) ରୂପେ ପରିଣତ ହେଲେ।
ସେ ନିଜ ରାସ୍ତାରେ ବିଶାଳ ଉପତ୍ୟକା, ପାହାଡ଼ ଓ ସମତଳଭୂମିକୁ ସିଞ୍ଚିତ କରି ଅନେକ ସଭ୍ୟତା ଓ ଜୀଵନକୁ ପୋଷଣ କଲେ। ଶେଷରେ ସେ ପ୍ରତିଜ୍ଞା ଅନୁସାରେ ପୂର୍ଵ ସମୁଦ୍ର (ପ୍ରଶାନ୍ତ ମହାସାଗର)ରେ ମିଶିଗଲେ।
ମଝିଆଁ ଭଉଣୀ ଲାନକାଙ୍ଗ୍ ଦକ୍ଷିଣ ଆଡ଼କୁ ବହିଯାଇ ପରଵର୍ତ୍ତୀ ସମୟରେ ମେକଙ୍ଗ୍ ନଦୀ (Mekong River) ରୂପେ ଦକ୍ଷିଣ-ପୂର୍ଵ ଏସିଆର (ଲାଓସ୍, କାମ୍ବୋଡିଆ, ଭିଏତନାମ) ଜୀଵନରେଖା ସାଜିଲେ ଏଵଂ ଦକ୍ଷିଣ ଚୀନ ସାଗରରେ ମିଶିଲେ।
ସାନ ଭଉଣୀ ନୁଜିଆଙ୍ଗ୍ ନିଜର ଜିଦ୍ରେ ଅତ୍ୟନ୍ତ ସଂକୀର୍ଣ୍ଣ ପାହାଡ଼ ଦେଇ ମିଆଁମାର୍ ଆଡ଼କୁ ଚାଲିଗଲେ ଏଵଂ ସେଠାରେ ସାଲୱିନ୍ ନଦୀ (Salween River) ଭାବେ ଜଣାଶୁଣା ହେଲେ ତଥା ଆଣ୍ଡାମାନ ସାଗର(ଭାରତ ମହାସାଗର)ରେ ମିଶିଗଲେ ।
ତେବେ ଏହି ଲୋକକଥାଟି କେଵଳ ଏକ ମନଗଢ଼ା କାହାଣୀ ନୁହେଁ ଵରଂ ଏହା ୟୁନ୍ନାନ ପ୍ରଦେଶର ଭୌଗୋଳିକ ଚିତ୍ରକୁ ଏତେ ସୁନ୍ଦର ଭାବେ ଵର୍ଣ୍ଣନା କରେ ଯେ, ଯେକେହି ବି ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିଵେ। ଆଜି ବି ଶିଗୁ (Shigu) ସହରକୁ ଗଲେ, ଲୋକେ ସେହି ସ୍ଥାନକୁ ଦେଖାଇ କହନ୍ତି ଯେ ଏହା ହିଁ ସେହି ସ୍ଥାନ, ଯେଉଁଠି ବଡ଼ ଭଉଣୀ ନିଜ ସାନଭଉଣୀମାନଙ୍କୁ ଵିଦାୟ ଦେଇ ଚୀନର କଲ୍ୟାଣ ପାଇଁ ନିଜ ବାଟ ବଦଳାଇ ଦେଇଥିଲେ।
ତିବ୍ବତୀ ଜନଜାତି,ୟୁନ୍ନାନର ନାଖି ଜନଜାତି ଏଵଂ ୟୁନ୍ନାନର ଡାଲି ଅଞ୍ଚଳରେ ଵାସ କରୁଥିଵା ବାଇ ଜନଜାତିର ଲୋକମାନେ ଵିଶ୍ୱାସ କରନ୍ତି ଯେ ତିନି ଭଉଣୀମାନେ ଶିଗୁଠାରେ ଅଲଗା ହୋଇଯାଇଥିଲେ ମଧ୍ୟ ସେମାନଙ୍କ ମନର ସ୍ନେହ ଆଜି ବି ସେହି ନଦୀଗୁଡ଼ିକର କୂଳରେ ଥିଵା ସବୁଜିମା ଓ ସଭ୍ୟତା ମଧ୍ୟରେ ଜୀଵନ୍ତ ହୋଇ ରହିଛି। ସେଥିପାଇଁ ଏହି ତିନି ନଦୀ ଅଵଵାହିକାକୁ ପୃଥିଵୀର ସବୁଠାରୁ ପଵିତ୍ର ପ୍ରାକୃତିକ ସ୍ଥଳ ମାନାଯାଏ। ଏହି ସମଗ୍ର ଅଞ୍ଚଳକୁ UNESCO ଦ୍ୱାରା "Three Parallel Rivers of Yunnan" ଭାବେ ଵିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦିଆଯାଇଛି ।
ଆଜିର ଭୂଗୋଳଵିଦ୍ମାନେ ଏହି ଅମର ଲୋକଗଳ୍ପକୁ ଏକ ଅଦ୍ଭୁତ 'ଭୌଗୋଳିକ ରୂପକ' ଭାବେ ଦେଖନ୍ତି। କୋଟି କୋଟି ଵର୍ଷ ପୂର୍ଵେ ଯେତେବେଳେ ଭାରତୀୟ ଭୂଖଣ୍ଡର ପ୍ଲେଟ୍ ଏସିଆ ମହାଦେଶ ସହ ଧକ୍କା ହେଲା, ସେତେବେଳେ ହିମାଲୟ ଓ ତିବ୍ବତର ମାଳଭୂମି ଉପରକୁ ଉଠିଵାକୁ ଲାଗିଲା। ଏହି ପ୍ରାକୃତିକ ହଲଚଲ୍ ଯୋଗୁଁ ନଦୀଗୁଡ଼ିକର ପଥ ବଦଳିଵା ଏଵଂ ପାହାଡ଼ କାଟି ଗଭୀର ଗିରିସଙ୍କଟ ସୃଷ୍ଟି ହେଵା ଏକ ଵୈଜ୍ଞାନିକ ସତ୍ୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ପୃଥିଵୀରେ କୌଣସି ମାନଚିତ୍ର କିମ୍ବା ସାଟେଲାଇଟ୍ ନଥିଲା, ସେତେବେଳେ ଏହି ଅଞ୍ଚଳର ପ୍ରାଚୀନ ଆଦିଵାସୀମାନେ ନିଜର ସୂକ୍ଷ୍ମ ପର୍ଯ୍ୟଵେକ୍ଷଣ ବଳରେ ନଦୀଗୁଡ଼ିକର ଏହି ଜଟିଳ ପ୍ରଵାହକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିଥିଲେ। ସେମାନେ ନଦୀର ସେହି ପ୍ରାକୃତିକ ସଂଘର୍ଷକୁ କେଵଳ ପାଣିର ସ୍ରୋତ ନଭାବି, ତାହା ଭିତରେ ମାନଵୀୟ ପ୍ରେମ, ଜିଦ୍, ଭ୍ରାତୃତ୍ଵ ଓ ସ୍ଵାଧୀନତାର ଏକ ଜୀବନ୍ତ ନାଟକ ଦେଖିଵାକୁ ପାଇଲେ। ଏହା ହିଁ ପ୍ରକୃତି ସହ ମଣିଷର ଆତ୍ମିକ ସମ୍ପର୍କର ସବୁଠାରୁ ବଡ଼ ଉଦାହରଣ।
ସ୍ଥାନୀୟ ଲୋକଗୀତରେ କୁହାଯାଏ, ତିନି ଭଉଣୀ ଯଦିଓ ପରସ୍ପରଠାରୁ ଅଲଗା ହୋଇ ଵିଭିନ୍ନ ଦିଗକୁ ବହିଗଲେ କିନ୍ତୁ କେହି ହେଲେ ନିଜ ପ୍ରତିଜ୍ଞାରେ ହାରିନାହାନ୍ତି। 'ଜିନସା' ପୂର୍ଵ ସମୁଦ୍ରରେ ମିଶିଲେ, 'ଲାନକାଙ୍ଗ୍' ଦକ୍ଷିଣ ଚୀନ ସାଗରକୁ ଆଲିଙ୍ଗନ କଲେ ଏଵଃ 'ନୁଜିଆଙ୍ଗ୍' ଭାରତ ମହାସାଗରର ନୀଳ ଜଳରେ ନିଜକୁ ହଜାଇଦେଲେ। ଵିଭିନ୍ନ ଦିଗରେ ଯାଇଥିଲେ ମଧ୍ୟ ଶେଷରେ ସେହି ସମଗ୍ର ପୃଥିଵୀର ସମୁଦ୍ର ଏକାଠି ଜଡ଼ିତ। ତେଣୁ, ଅନନ୍ତ ମହାସାଗରର ବକ୍ଷରେ ଯାଇ ତିନି ଭଉଣୀ ପୁଣି ଏକାଠି ମିଳିତ ହୋଇଛନ୍ତି।
ଏବେ ବି ଯେତେବେଳେ ମେଇଲି ପାହାଡ଼ର ସର୍ଵୋଚ୍ଚ ଶୃଙ୍ଗ 'ଖାୱା କାର୍ପୋ' ଉପରେ ଶ୍ଵେତ ବରଫ ଚମକେ, ସେତେବେଳେ ମନେହୁଏ ବଡ଼ଭାଇ ଆଜି ବି ଗର୍ଵର ସହ ଦୂର ସମୁଦ୍ର ଆଡ଼କୁ ଚାହିଁଛନ୍ତି। ତାଙ୍କ ମନର ସେହି ପୁରୁଣା କ୍ରୋଧ ଏବେ ନିଜ ଭଉଣୀମାନଙ୍କର ଵିଜୟ ଏଵଂ ମହାନତା ଦେଖି ପ୍ରଶାସନିକ ଗୌରଵ ଓ ଆଶୀର୍ଵାଦରେ ପରିଣତ ହୋଇଯାଇଛି। ସେଥିପାଇଁ ୟୁନ୍ନାନର ପାର୍ଵତ୍ୟ ସଭ୍ୟତାରେ ଏହି କାହାଣୀ କେଵଳ ଏକ ଗପ ନୁହେଁ ଵରଂ ଏହା ଜୀଵନ ଜୀଇଁବାର ଏକ ଅମର ପ୍ରେରଣା ଅଟେ ।
No comments:
Post a Comment