ଆକାଶରୁ ଖସୁଥିଵା ତାରାକୁ ଦେଖିଵା ମାତ୍ରେ ଆଖି ବନ୍ଦ କରି ନିଜର ଏକ ଇଚ୍ଛା ପ୍ରକଟ କରିଵାର ପ୍ରଵୃତ୍ତି ଆମ ମଣିଷ ସମାଜରେ ବହୁ ପୁରାତନ କାଳରୁ ରହିଆସିଛି। ରାତ୍ରିର ଅନ୍ଧକାରରେ ଯେତେବେଳେ ହଠାତ୍ ଗୋଟିଏ ଆଲୋକର ରେଖା ଆକାଶକୁ ଚିରି ତଳକୁ ଖସି ଆସେ, ତାହା ଦେଖିଵା ମାତ୍ରେ ମନରେ ଏକ ଆଶ୍ଚର୍ଯ୍ୟ ଓ ଭୟ ମିଶ୍ରିତ ଭାଵନା ଜାଗ୍ରତ ହେଵା ସ୍ୱାଭାଵିକ କଥା । ଏହି ଆଲୋକ ରେଖାଗୁଡ଼ିକ ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଓ ନିୟମିତ ଭାବରେ ଦେଖାଯାଉଥିଵା ଏକ ମହାଜାଗତିକ ଘଟଣା Perseids ଅଟେ । ପ୍ରତିଵର୍ଷ ଅଗଷ୍ଟ ମାସର ୧୧ରୁ ୧୩ ତାରିଖ ମଧ୍ୟରେ ପୃଥିଵୀଵାସୀ ଏହି ଅଦ୍ଭୁତ ଦୃଶ୍ୟର ସାକ୍ଷୀ ହୋଇଥାନ୍ତି। କିନ୍ତୁ ଏହି ଆଲୋକ ଖେଳ ପଛର ସତ୍ୟତା କ'ଣ ଏଵଂ ଆମର ପୂର୍ଵଜମାନେ ଏହାକୁ କିପରି ଦେଖୁଥିଲେ, ତାହାର ଇତିହାସ ଏଵଂ ମାନଵ ଚିନ୍ତାଧାରାର କ୍ରମଵିକାଶ ଅତ୍ୟନ୍ତ ରୋମାଞ୍ଚକର।
ପ୍ରଥମେ ଆମକୁ ବୁଝିଵାକୁ ହେଵ ଯେ Perseids ପ୍ରକୃତରେ କ'ଣ। ଯଦିଓ ଆମେ ସାଧାରଣ ଭାବରେ ଏହାକୁ ଉଲ୍କାପାତ ବୋଲି କହିଥାଉ, ଵାସ୍ତଵରେ ଏହା ମହାକାଶରେ ଘୂରି ବୁଲୁଥିଵା ଧୂଳି, ବରଫ ଓ ପଥରର ଛୋଟ ଛୋଟ କଣିକାର ପୃଥିଵୀ ଉପରେ ଵର୍ଷା ଅଟେ । ଏହି କଣିକାଗୁଡ଼ିକ ଏକ ଵିଶାଳ ଧୂମକେତୁରୁ ସୃଷ୍ଟି ହୋଇଛି, ଯାହାର ନାମ ହେଉଛି Comet Swift-Tuttle। ଏହି ଧୂମକେତୁ ସୂର୍ଯ୍ୟଙ୍କ ଚାରିପଟେ ନିଜର ଏକ ଅଣ୍ଡାକୃତି କକ୍ଷପଥରେ ପରିକ୍ରମା କରୁଛି ଏଵଂ ଏକ ଥର ସମ୍ପୂର୍ଣ୍ଣ ଘୂରି ଆସିଵା ପାଇଁ ଏହାକୁ ପ୍ରାୟ ୧୨୩ ଵର୍ଷ ଲାଗିଥାଏ। ନିଜର ମହାଜାଗତିକ ଯାତ୍ରା ସମୟରେ ଏହା ମହାକାଶରେ ପ୍ରଚୁର ପରିମାଣର ଧୂଳି ଓ ଭଗ୍ନାଵଶେଷ ଛାଡି଼ଯାଏ। ପ୍ରତିଵର୍ଷ ଅଗଷ୍ଟ ମାସରେ ଆମ ପୃଥିଵୀ ନିଜ କକ୍ଷପଥରେ ଗତି କରୁଥିଵା ବେଳେ Comet Swift-Tuttle ଦ୍ୱାରା ଛଡ଼ାଯାଇଥିଵା ଏହି ଧୂଳିପୂର୍ଣ୍ଣ ମାର୍ଗ ଦେଇ ଅତିକ୍ରମ କରିଥାଏ। ଏହି ସମୟରେ ଧୂମକେତୁର ଏହି ଅଗଣିତ ଛୋଟ ଛୋଟ କଣିକାଗୁଡ଼ିକ ପୃଥିଵୀର ଵାୟୁମଣ୍ଡଳରେ ଅତି କ୍ଷିପ୍ର ଗତିରେ ପ୍ରଵେଶ କରନ୍ତି। ଵାୟୁମଣ୍ଡଳର ଗ୍ୟାସ୍ ସହିତ ପ୍ରଵଳ ଘର୍ଷଣ ହେଵା ଫଳରେ ଏହି କଣିକାଗୁଡ଼ିକ ଅତ୍ୟଧିକ ଉତ୍ତାପରେ ଜଳି ଉଠନ୍ତି ଏଵଂ ଆମକୁ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକର ରେଖା ଦେଖାଯାଏ। ଯେହେତୁ ଆକାଶରେ ଏହି ଉଲ୍କାଗୁଡ଼ିକ ମୁଖ୍ୟତଃ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରୁ, ଅର୍ଥାତ୍ ଉତ୍ତର ଆକାଶରେ ଥିଵା Perseus ନକ୍ଷତ୍ରମଣ୍ଡଳରୁ ଵିଚ୍ଛୁରିତ ହୋଇ ଆସୁଥିଵା ପରି ମନେହୁଏ, ତେଣୁ ଵିଜ୍ଞାନ ସମ୍ମତ ଭାବରେ ଏହି ଉଲ୍କାପାତକୁ Perseids ବୋଲି ନାମକରଣ କରାଯାଇଛି ।
ଵର୍ତ୍ତମାନ ପ୍ରଶ୍ନ ଉଠୁଛି, ମଣିଷ ପ୍ରଥମେ ଏହି ମହାଜାଗତିକ ଘଟଣା ସହିତ କିପରି ପରିଚିତ ହେଲା? ଆଜିର ଆଧୁନିକ ମଣିଷ ସହରର କୃତ୍ରିମ ଆଲୋକରେ ଘେରି ହୋଇ ରହିଛି, ତେଣୁ ରାତିର ଅନ୍ଧକାର ଆକାଶକୁ ଉପଭୋଗ କରିଵା ପାଇଁ ତା' ପାଖରେ ସୁଯୋଗ ଵା ସମୟ ବହୁତ କମ୍। କିନ୍ତୁ ଆମର ପ୍ରାଚୀନ ପୂର୍ଵଜମାନଙ୍କର ସାମାଜିକ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଅଲଗା ଥିଲା। ସେମାନଙ୍କର ରାତିର ଆକାଶ ଥିଲା ସମ୍ପୂର୍ଣ୍ଣ ପ୍ରାକୃତିକ, ଅନ୍ଧକାରମୟ ଏଵଂ ଅଗଣିତ ତାରାଗୁଡ଼ିକରେ ସଜ୍ଜିତ। ପ୍ରାଚୀନ ମଣିଷ ପାଇଁ ଖୋଲା ଆକାଶ ଏକ ରହସ୍ୟମୟ ପୁସ୍ତକ ଥିଲା। ଜଙ୍ଗଲରେ ଫଳମୂଳ ସଂଗ୍ରହ କରୁଥିଵା ଵା ଖୋଲା ପଡ଼ିଆରେ ଗୋଷ୍ଠୀଗତ ଭାଵରେ ନିଆଁ ଜାଳି ବସିଥିଵା ମଣିଷ ଯେତେବେଳେ ମୁଣ୍ଡ ଟେକି ଉପରକୁ ଅନାଇଥିଲା, ସେତେଵେଳେ ଆକାଶରେ ଘଟୁଥିଵା ପ୍ରତ୍ୟେକଟି ସାମାନ୍ୟ ଘଟଣା ମଧ୍ୟ ତାକୁ ଗଭୀର ଭାବରେ ପ୍ରଭାଵିତ କରୁଥିଲା। ହଜାର ହଜାର ଵର୍ଷ ଧରି ମାନଵ ସଭ୍ୟତା ଏହି Perseidsକୁ ଦେଖିଆସୁଛି। କିନ୍ତୁ ସେହି ଆଦିମ ମଣିଷମାନେ ଜାଣି ନଥିଲେ ଯେ ଏହା ଏକ ଵିଶାଳ ଧୂମକେତୁର ମାତ୍ର କିଛି ଭଗ୍ନାଵଶେଷ। ନିଜର ସୀମିତ ବୁଝାମଣା ଆଧାରରେ, ଏହି ଉଜ୍ଜ୍ୱଳ ଆଲୋକ ରେଖାଗୁଡ଼ିକ ସେମାନଙ୍କ ପାଇଁ କୌଣସି ଅଲୌକିକ ଓ ଦୈଵୀ ଶକ୍ତିର ପ୍ରଦର୍ଶନ ଥିଲା।
ପ୍ରାଚୀନ ମଣିଷ ଏହି ଘଟଣାକୁ ନିଜର ପ୍ରଚଳିତ ଵିଶ୍ୱାସ ଏଵଂ ସାମାଜିକ କଳ୍ପନା ଅନୁସାରେ ଵ୍ୟାଖ୍ୟା କରିଵା ଆରମ୍ଭ କଲା। ପ୍ରାଥମିକ ସ୍ତରରେ ମଣିଷ ଭାବୁଥିଲା ଯେ ପ୍ରକୃତିର ପ୍ରତ୍ୟେକ ଵସ୍ତୁର ନିଜସ୍ୱ ଏକ ସ୍ୱତନ୍ତ୍ର ଜୀଵନ ଵା ଆତ୍ମା ଅଛି। ତେଣୁ ଆକାଶରୁ ଖସୁଥିଵା ଏହି ଆଲୋକକୁ ସେମାନେ ସ୍ୱର୍ଗୀୟ ଦେଵତାମାନଙ୍କର ଯାଦୁକରୀ ଶକ୍ତି, ଭୂମି ଆଡକୁ ଫୋପଡା ଯାଉଥିଵା ନିଆଁର ତୀର, କିମ୍ଵା ଆକାଶରୁ ପୃଥିଵୀ ପୃଷ୍ଠକୁ ଖସି ଆସୁଥିଵା ଆତ୍ମା ବୋଲି ଵିଚାର କରୁଥିଲେ। କିଛି ପ୍ରାଚୀନ ସମାଜରେ ଏହା ଗଭୀର ଭାବରେ ଵିଶ୍ୱାସ କରାଯାଉଥିଲା ଯେ ଯେତେଵେଳେ ଆକାଶରେ ଅଦୃଶ୍ୟ ରୂପରେ ରହୁଥିଵା ଦେଵତାମାନେ ପୃଥିଵୀର ମଣିଷମାନଙ୍କର ଅଵସ୍ଥା ଦେଖିଵା ପାଇଁ ସ୍ୱର୍ଗର ଛାତକୁ ସାମାନ୍ୟ ଟିକିଏ ଖୋଲି ଦିଅନ୍ତି, ସେହି ଖୋଲା ବାଟ ଦେଇ ସ୍ୱର୍ଗର କିଛି ଅଂଶ ଵା ଦିଵ୍ୟ ଆଲୋକ ତଳକୁ ଖସିଆସେ, ଯାହାକୁ ଆମେ ଖସୁଥିଵା ତାରା ଵା ଉଲ୍କା ବୋଲି କହୁ। ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ଦେଵତାମାନେ ସିଧାସଳଖ ମଣିଷର କଥା ଶୁଣିପାରିବେ ବୋଲି ଵିଶ୍ୱାସ ସୃଷ୍ଟି ହୋଇଥିଲା ଏଵଂ ସେହି କାରଣରୁ ମଣିଷ ତାରା ଖସିଵା ସମୟରେ ଆଖି ବନ୍ଦ କରି ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଵା ଆରମ୍ଭ କଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରୀତି ନୀତି ଭାବରେ ରହିଆସିଛି।
ସମୟ କ୍ରମେ ମଣିଷର ଏହି ପ୍ରାଥମିକ କଳ୍ପନା ଅନେକ ଜଟିଳ କାହାଣୀରେ ରୂପାନ୍ତରିତ ହେଲା ଏଵଂ ଵିଭିନ୍ନ ଭୌଗୋଳିକ ସ୍ଥାନରେ ନୂଆ ନୂଆ ଲୋକକଥାମାନ ସୃଷ୍ଟି ହେଲା। ଗ୍ରୀକ୍ ପୁରାଣରେ Perseus ଜଣେ ଅତ୍ୟନ୍ତ ମହାନ ଵୀର ଏଵଂ ଦେଵପୁତ୍ର ରୂପେ ଵର୍ଣ୍ଣିତ ହୋଇଛନ୍ତି । Perseus ନିଜର ଅସାଧାରଣ ସାହସ ବଳରେ ଭୟଙ୍କର ରାକ୍ଷସୀ ମେଡୁସାକୁ ଵଧ କରିଥିଲେ। ସେହି ଅପରାଜେୟ ଵୀରଙ୍କ ସ୍ମୃତିରେ ଆକାଶରେ ଥିଵା ଵିଶାଳ ନକ୍ଷତ୍ରମଣ୍ଡଳରୁ ଉତ୍ପନ୍ନ ହେଉଥିଵା ଏହି ଉଲ୍କାପାତକୁ କିଛି ପୌରାଣିକ ଵର୍ଣ୍ଣନାରେ ଦେଵତାମାନଙ୍କର ସୁଵର୍ଣ୍ଣ ଵୃଷ୍ଟି ବୋଲି ମଧ୍ୟ କୁହାଗଲା। ସେହିପରି ୟୁରୋପୀୟ ଖିରସ୍ତାନୀ ସମାଜରେ ଏହି ଉଲ୍କାପାତକୁ ନେଇ ଆହୁରି ଏକ ଅତି କରୁଣ ଓ ଧାର୍ମିକ ଲୋକକଥା ପ୍ରଚଳିତ ହେଲା। ସାଧାରଣତଃ ଅଗଷ୍ଟ ମାସର ଦଶ ତାରିଖ ପାଖାପାଖି ଏହି ଵିଶେଷ ଉଲ୍କାପାତ ଏହାର ଚରମ ସୀମାରେ ପହଞ୍ଚିଥାଏ ଏଵଂ ସର୍ଵାଧିକ ଦୃଶ୍ୟମାନ ହୋଇଥାଏ। ଐତିହାସିକ ତଥ୍ୟ ଅନୁସାରେ, ତୃତୀୟ ଶତାବ୍ଦୀରେ ରୋମ୍ ଦେଶରେ St. Lawrence ନାମକ ଜଣେ ଧାର୍ମିକ ନେତାଙ୍କୁ ଜୀଵନ୍ତ ଦଗ୍ଧ କରି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ତାଙ୍କର ଶହୀଦ ଦିଵସ ମଧ୍ୟ ଠିକ୍ ଅଗଷ୍ଟ ମାସ ଦଶ ତାରିଖରେ ପଡିଥାଏ। ତେଣୁ ପରଵର୍ତ୍ତୀ ସମୟରେ କ୍ୟାଥୋଲିକ୍ ସମ୍ପ୍ରଦାୟର ଲୋକମାନେ ଦୃଢ଼ ଭାବରେ ଵିଶ୍ୱାସ କରିଵାକୁ ଲାଗିଲେ ଯେ ଆକାଶରୁ ଖସୁଥିଵା ଏହି ଅଗ୍ନିମୟ ଉଜ୍ଜ୍ୱଳ ଆଲୋକ କଣିକାଗୁଡ଼ିକ ପ୍ରକୃତରେ St. Lawrence ଙ୍କର ପଵିତ୍ର ଲୁହ, ଯିଏ ମୃତ୍ୟୁ ପରେ ସ୍ୱର୍ଗରୁ ନିଜର ଅସହ୍ୟ ଯନ୍ତ୍ରଣା ଏଵଂ ମାନଵ ଜାତିର ପାପ ଦେଖି ଵିଳାପ କରୁଛନ୍ତି। ତେଣୁ ଏହି Perseids କୁ ୟୁରୋପର ଵିଭିନ୍ନ ଅଞ୍ଚଳରେ Tears of St. Lawrence ବୋଲି ବହୁଳ ଭାବରେ କୁହାଯିଵାକୁ ଲାଗିଲା।
ମଧ୍ୟଯୁଗୀୟ ଇତିହାସକାର ଏଵଂ ଵିଭିନ୍ନ ଆଶ୍ରମର ଧର୍ମଯାଜକମାନେ ରାତି ଆକାଶରେ ଘଟୁଥିଵା ପ୍ରତ୍ୟେକଟି ଵିଶେଷ ଘଟଣାକୁ ଲିପିବଦ୍ଧ କରି ରଖିଵାରେ ସିଦ୍ଧହସ୍ତ ଥିଲେ। ସେମାନେ ଏହିସବୁ ମହାଜାଗତିକ ଦୃଶ୍ୟକୁ କେଵଳ ପ୍ରାକୃତିକ ଘଟଣା ଭାବରେ ଗ୍ରହଣ ନକରି, ଏହାକୁ ସିଧାସଳଖ ଈଶ୍ୱରଙ୍କର ଗୁପ୍ତ ଵାର୍ତ୍ତା ଵା ଭଵିଷ୍ୟତରେ ଘଟିଵାକୁ ଥିଵା କୌଣସି ମହାମାରୀ, ଯୁଦ୍ଧ କିମ୍ଵା ଅଶୁଭ ଘଟଣାର ସଙ୍କେତ ଭାଵରେ ଦେଖୁଥିଲେ। ଆକାଶରୁ ଉଲ୍କା ଖସିଵା, ଗ୍ରହଣ ଲାଗିଵା, କିମ୍ଵା ରଙ୍ଗ ପରିଵର୍ତ୍ତନ ହେଵା ଵିଷୟରେ ସେମାନେ ନିଜର ଦସ୍ତାବିଜରେ ଅତି ନିଖୁଣ ଭାବରେ ଵର୍ଣ୍ଣନା କରିଛନ୍ତି। ଆକାଶର ଅଦ୍ଭୁତ ଘଟଣାଵଳୀର ଐତିହାସିକ ଲିପିବଦ୍ଧତାର ଏକ ଜ୍ୱଳନ୍ତ ଉଦାହରଣ ସ୍ୱରୂପ ତତ୍କାଳୀନ ଇଂରେଜ ଐତିହାସିକ Gervasius Dorobornensis ଏହି କଥାକୁ ସେ ଏହିପରି ଲେଖିଥିଲେ “the upper horn [of the moon] split in two.From the midpoint of t[...]” ଯାହାକି ସେହି ସମୟର ଲୋକମାନଙ୍କର ମହାକାଶ ପ୍ରତି ଥିଵା ତୀକ୍ଷ୍ଣ, ଭୟଭୀତ ଦୃଷ୍ଟି ଏଵଂ ତାହାକୁ ନିଜସ୍ୱ ଧାର୍ମିକ ରୂପରେ ଵ୍ୟାଖ୍ୟା କରିଵାର ନିଆରା ଶୈଳୀକୁ ଦର୍ଶାଏ। କେଵଳ ୟୁରୋପ ନୁହେଁ, ଵରଂ ପ୍ରାଚ୍ୟ ଦେଶଗୁଡ଼ିକରେ ମଧ୍ୟ ସମାନ ଚିତ୍ର ଦେଖିଵାକୁ ମିଳିଥିଲା। ଚୀନ୍ ଓ କୋରିଆର ପ୍ରାଚୀନ ରାଜକୀୟ ଜ୍ୟୋତିର୍ଵିଦମାନେ ନିଜର ଦରଵାରୀ ନଥିପତ୍ରରେ ଖ୍ରୀଷ୍ଟାବ୍ଦ ୩୬ ମସିହା ବେଳକୁ ହିଁ ଏହି ଅଗଷ୍ଟ ମାସର ପ୍ରଵଳ ଉଲ୍କାପାତ ଵିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିସାରିଥିଲେ। ସେମାନେ ଏହି ଘଟଣାଗୁଡ଼ିକୁ ସତର୍କତାର ସହିତ ଗଣନା କରୁଥିଲେ ଏଵଂ ଲିପିବଦ୍ଧ କରୁଥିଲେ ସତ, କିନ୍ତୁ ଏହା ପଛର ଵାସ୍ତଵିକ ଵୈଜ୍ଞାନିକ କାରଣ ସେତେଵେଳେ ସମଗ୍ର ମାନଵ ସମାଜ ପାଇଁ ଅଜ୍ଞାତ ଥିଲା।
କିନ୍ତୁ ମାନଵ ଜାତିର ଚିନ୍ତାଧାରା କେବେହେଲେ ଚିରକାଳ ଗୋଟିଏ ଵିଶ୍ୱାସରେ ସ୍ଥିର ହୋଇ ରହିପାରିଵ ନାହିଁ। କାହାଣୀ, ପୁରାଣ ଓ ଅନ୍ଧଵିଶ୍ୱାସର କୁହୁଡ଼ିରୁ ବାହାରି ଏକ ଦୃଢ଼, ପ୍ରମାଣଭିତ୍ତିକ ସତ୍ୟର ସନ୍ଧାନ କରିଵା ଆମ ମାନଵଜାତିର ଏକ ମୌଳିକ ଓ ଅନ୍ତର୍ନିହିତ ଗୁଣ। ଅଷ୍ଟାଦଶ ଓ ଊନଵିଂଶ ଶତାବ୍ଦୀ ବେଳକୁ ମଣିଷ ନିଜର ଆଖି ସହିତ ବୌଦ୍ଧିକ ମସ୍ତିଷ୍କର ଏକ ନୂତନ ସମ୍ପର୍କ ସ୍ଥାପନ କରିଵା ଆରମ୍ଭ କଲା। ମଣିଷ ବୁଝିଵାକୁ ଚେଷ୍ଟା କଲା ଯେ ଆକାଶର ଏହି ରହସ୍ୟମୟ ଘଟଣାଗୁଡ଼ିକ କୌଣସି କ୍ରୋଧିତ ଦେଵତାର ଅଶ୍ରୁ ନୁହେଁ କିମ୍ଵା ପ୍ରକୃତିର ଖାମଖିଆଲି ଖେଳ ନୁହେଁ ଵରଂ ଏହି ଵିଶାଳ ବ୍ରହ୍ମାଣ୍ଡ ପଛରେ ଏକ ଅତ୍ୟନ୍ତ ଶୃଙ୍ଖଳିତ ଓ ନିର୍ଦ୍ଦିଷ୍ଟ ପ୍ରାକୃତିକ ନିୟମ ରହିଛି। ଵିଜ୍ଞାନ କିପରି ଏହି ଵିଶାଳ ଉଲ୍କାପାତର ସତ୍ୟତା ଵିଷୟରେ ଜାଣିଲା ଏଵଂ ସମଗ୍ର ଵିଶ୍ୱକୁ ଜଣେଇଲା, ତାହାର ପ୍ରକ୍ରିୟା ଥିଲା ଧୈର୍ଯ୍ୟ, ପର୍ଯ୍ୟଵେକ୍ଷଣ ଓ ଗଣିତର ଏକ ଅଦ୍ଭୁତ ମିଶ୍ରଣ। ଵିଭିନ୍ନ ଦେଶର ଵୈଜ୍ଞାନିକମାନେ ପୃଥକ ପୃଥକ ସ୍ଥାନରୁ ସୁଦୂର ଆକାଶକୁ ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିଵା ଆରମ୍ଭ କଲେ।
ଊନଵିଂଶ ଶତାବ୍ଦୀର ପ୍ରାରମ୍ଭରେ ବେଲଜିୟମ୍ର ଜଣେ ପରିସଂଖ୍ୟାନଵିତ୍ ତଥା ଜ୍ୟୋତିର୍ଵିଜ୍ଞାନୀ Adolphe Quetelet ଏଵଂ ଆମେରିକାର Edward Herrick ଏହି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ଆଵିଷ୍କାର କଲେ। ସେମାନେ ଶହ ଶହ ଵର୍ଷର ଵିଭିନ୍ନ ଐତିହାସିକ ନଥିପତ୍ର ଏଵଂ ନିଜର ଦୀର୍ଘକାଳୀନ ପର୍ଯ୍ୟଵେକ୍ଷଣରୁ ଦୃଢ଼ତାର ସହିତ ପ୍ରମାଣ କଲେ ଯେ ଏହି ଉଲ୍କାପାତ ଆଦୌ କୌଣସି ଆକସ୍ମିକ ଘଟଣା ନୁହେଁ। ଵରଂ ଏହା ପ୍ରତିଵର୍ଷ ଅଗଷ୍ଟ ମାସରେ ହିଁ ନିର୍ଦ୍ଦିଷ୍ଟ ସମୟରେ ନିୟମିତ ଭାଵ୍ବରେ ଘଟିଥାଏ ଏଵଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ଏହି ସମସ୍ତ ଆଲୋକ ରେଖାଗୁଡ଼ିକ ଆକାଶର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁ, ଅର୍ଥାତ୍ ଠିକ୍ Perseus ନକ୍ଷତ୍ରମଣ୍ଡଳ ଆଡୁ ସମାନ୍ତରାଳ ଭାବରେ ଆସୁଥିଵାର ସ୍ପଷ୍ଟ ଜଣାପଡ଼େ। ଏହି ଆଵିଷ୍କାର ମାନଵିକ ଦୃଷ୍ଟିକୋଣରେ ଏକ ବଡ଼ ପରିଵର୍ତ୍ତନ ଥିଲା। ଏଥିରୁ ମଣିଷ ସମାଜ ବୁଝିଲା ଯେ ପୃଥିଵୀ ବାହାରେ ମଧ୍ୟ ଶୃଙ୍ଖଳା ଅଛି ଏଵଂ ସେଠାରେ ଵିଶ୍ୱସ୍ତରୀୟ ଗଣିତ ଏଵଂ ପଦାର୍ଥ ଵିଜ୍ଞାନର ନିୟମ ହିଁ ନିରନ୍ତର କାର୍ଯ୍ୟ କରୁଛି।
ପରେ ଇଟାଲୀର ଜଣେ ଅତ୍ୟନ୍ତ ପ୍ରଖ୍ୟାତ ଜ୍ୟୋତିର୍ଵିଜ୍ଞାନୀ Giovanni Schiaparelli ଏହି ଅଧ୍ୟୟନ ଦିଗରେ ଆହୁରି ଏକ ବଡ଼ ଓ ନିର୍ଣ୍ଣାୟକ ପଦକ୍ଷେପ ନେଲେ। ସମୟ ଚକ୍ରରେ ୧୮୬୨ ମସିହାରେ ଆମେରିକାର ଦୁଇ ଜଣ ଜ୍ୟୋତିର୍ଵିଦ୍ Lewis Swift ଏଵଂ Horace Parnell Tuttle ନିଜ ଦୂରଵୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମିଳିତ ଭାବରେ ଆକାଶରେ ଏକ ନୂତନ ଧୂମକେତୁ ଆଵିଷ୍କାର କରିଥିଲେ, ଯାହାର ନାମ ନିୟମାନୁସାରେ ସେମାନଙ୍କ ନାମ ଅନୁଯାୟୀ Comet Swift-Tuttle ଦିଆଯାଇଥିଲା। Giovanni Schiaparelli କଠିନ ଗାଣିତିକ ସୂତ୍ର ଵ୍ୟଵହାର କରି Perseids ଉଲ୍କାଗୁଡ଼ିକର ମହାକାଶରେ କକ୍ଷପଥ ଏଵଂ ସେଗୁଡ଼ିକର ପ୍ରକୃତ ଗତିଵିଧିର ଟିକିନିଖି ହିସାବ କଲେ। Giovanni ଯେତେବେଳେ ନିଜର ଦୀର୍ଘ ଗଣନା ପରେ ଫଳାଫଳକୁ ଦେଖିଲେ, ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। Giovanni ସ୍ପଷ୍ଟ ଭାବରେ ଲକ୍ଷ୍ୟ କଲେ ଯେ ଏହି ଉଲ୍କା କଣିକାଗୁଡ଼ିକର ଯାତ୍ରାପଥ ସମ୍ପୂର୍ଣ୍ଣ ରୂପେ ନିକଟରେ ଆଵିଷ୍କୃତ ହୋଇଥିଵା Comet Swift-Tuttleର କକ୍ଷପଥ ସହିତ ଅଵିକଳ ମେଳ ଖାଉଛି। ଏହା କୌଣସି ସାଧାରଣ ସାମଞ୍ଜସ୍ୟ ନଥିଲା। Giovanni ସମଗ୍ର ଦୁନିଆକୁ ଜଣାଇଲେ ଯେ ଆମେ ଯାହାକୁ ହଜାର ହଜାର ଵର୍ଷ ଧରି ଖସୁଥିଵା ତାରା, ଦେଵତାଙ୍କର କୋପ ଵା ଶହୀଦ ସନ୍ଥମାନଙ୍କର ଲୁହ ବୋଲି ଅନ୍ଧ ଭାଵରେ ଭାବି ଆସୁଛୁ, ତାହା ଵାସ୍ତଵରେ ଅନ୍ୟ କିଛି ନୁହେଁ ଵରଂ ସୌରମଣ୍ଡଳରେ ଯାତ୍ରା କରୁଥିଵା ଗୋଟିଏ ଵିଶାଳକାୟ ଧୂମକେତୁ ନିଜ ପଛରେ ତ୍ୟାଗ କରିଥିଵା ମାମୁଲି ବରଫ, ଧୂଳି ଓ ପଥରର ଛୋଟ ଛୋଟ ଟୁକୁଡ଼ା ମାତ୍ର। ଯେତେବେଳେ ପୃଥିଵୀ ନିଜ ଵାର୍ଷିକ କକ୍ଷପଥରେ ଘୂରି ଘୂରି ମହାକାଶର ସେହି ଅଞ୍ଚଳ ଦେଇ ଗତି କରେ ଯେଉଁଠାରେ ଏହି ଟୁକୁଡାଗୁଡ଼ିକ ଭାସମାନ ଅଵସ୍ଥାରେ ଥାଆନ୍ତି, ସେତେବେଳେ ପୃଥିଵୀର ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ସେଗୁଡ଼ିକୁ ନିଜ ଆଡକୁ ପ୍ରଵଳ ଵେଗରେ ଟାଣି ଆଣେ। ସେଗୁଡ଼ିକ ଘଣ୍ଟାପ୍ରତି ହଜାର ହଜାର କିଲୋମିଟର ଵେଗରେ ଵାୟୁମଣ୍ଡଳରେ ପ୍ରଵେଶ କରନ୍ତି ଏଵଂ ଵାୟୁକଣା ସହିତ ଭୟଙ୍କର ଘର୍ଷଣ ହେଵା ଫଳରେ ସେଗୁଡ଼ିକ କ୍ଷଣିକ ପାଇଁ ଉଜ୍ଜ୍ୱଳ ହୋଇ ଜଳିଉଠନ୍ତି ଓ ପାଉଁଶ ହୋଇଯାଆନ୍ତି।
ଏହି ସରଳ କିନ୍ତୁ ଗଭୀର ଵୈଜ୍ଞାନିକ ସତ୍ୟର ଉନ୍ମୋଚନ ମାନଵଜାତିର ସାମଗ୍ରିକ ଇତିହାସରେ ଏକ ଅତି ଵିଶେଷ ଓ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଏହା କେଵଳ ରାତି ଆକାଶର ଏକ ରହସ୍ୟକୁ ପଦାରେ ପକାଇଲା ନାହିଁ, ଵରଂ ଏକ ଜୀଵଜାତି ଭାବରେ ମଣିଷର ନିଜ ପ୍ରତି ଏଵଂ ନିଜ ଚାରିପଟେ ଥିଵା ପରିଵେଶ ପ୍ରତି ଥିଵା ଦୃଷ୍ଟିକୋଣକୁ ମୂଳରୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଯେଉଁ ସାମାନ୍ୟ ଧୂଳିକଣାର ଦୃଶ୍ୟକୁ ଦେଖି ଦିନେ ପ୍ରାଚୀନ ମଣିଷ ଅଜଣା ଭୟରେ ଥରୁଥିଲା ଏଵଂ ଅଦୃଶ୍ୟ ଦେଵତାଙ୍କୁ ସନ୍ତୁଷ୍ଟ କରିଵା ପାଇଁ ହାତ ଯୋଡ଼ୁଥିଲା ଵା ଵଳି ଦେଉଥିଲା, ସେହି ସମାନ ଧୂଳିକଣାକୁ ଆଧୁନିକ ମଣିଷ ନିଜର ଉନ୍ନତ ଦୂରଵୀକ୍ଷଣ ଯନ୍ତ୍ର ଏଵଂ ସ୍ପେକ୍ଟ୍ରୋସ୍କୋପି ସାହାଯ୍ୟରେ ମାପିଵା ଏଵଂ ତାହାର ରାସାୟନିକ ଗଠନର ଵିଶ୍ଳେଷଣ କରିଵା ଆରମ୍ଭ କଲା। ସମାଜର ମନରୁ ପୁରାତନ କାହାଣୀ ଏଵଂ କଳ୍ପନାର ସ୍ଥାନ ଧୀରେ ଧୀରେ ନେଵାକୁ ଲାଗିଲା ଜଟିଳ ଗଣିତ ଓ ପଦାର୍ଥ ଵିଜ୍ଞାନ। ମହାକାଶର ଅଜ୍ଞାତକୁ ଅନ୍ଧ ଭାବରେ ଭୟ କରିଵା ପରିଵର୍ତ୍ତେ ମଣିଷ ଏବେ ସେହି ଅଜ୍ଞାତକୁ ଅନୁସନ୍ଧାନ କରିଵାର ଅଦମ୍ୟ ସାହସ ଜୁଟାଇ ପାରିଲା। ଦେଵତାମାନଙ୍କର ଉପସ୍ଥିତି ଏଵଂ ସ୍ୱର୍ଗର ଦ୍ୱାର ଖୋଜୁଥିଵା ଆଖିଗୁଡ଼ିକ ଏବେ ମହାକାଶର ଭୌତିକ ନିୟମ ଏଵଂ ନକ୍ଷତ୍ରଗୁଡ଼ିକର ଜୀଵନଚକ୍ର ଖୋଜିଵାକୁ ଲାଗିଲା।
ଆମେ ଯଦି ପଛକୁ ଫେରି ଅତୀତରୁ ଆରମ୍ଭ କରି ଆଜିର ଡିଜିଟାଲ୍ ଯୁଗ ପର୍ଯ୍ୟନ୍ତର ଏହି ଦୀର୍ଘ ଯାତ୍ରାକୁ ଵିଶ୍ଳେଷଣ କରିଵା, ତେବେ ସ୍ପଷ୍ଟ ହୋଇଯିଵ ଯେ ଏହା କେଵଳ ଗୋଟିଏ ପ୍ରତିଵର୍ଷ ଘଟୁଥିଵା ମହାଜାଗତିକ ଘଟଣାର ସାଧାରଣ ଵ୍ୟାଖ୍ୟା ନୁହେଁ। ଵରଂ ଏହା ହେଉଛି ମାନଵିକ ବୁଦ୍ଧିମତ୍ତା, ଅନୁସନ୍ଧାନ ଓ ଚିନ୍ତାଧାରାର ଵିଵର୍ତ୍ତନର ଏକ ଅନନ୍ୟ ଇତିହାସ। କୋଟି କୋଟି ଵର୍ଷ ଧରି ଏହି ଶୂନ୍ୟ ମହାକାଶରେ ଘୂରି ବୁଲୁଥିଵା ସେହି ଧୂଳି ଓ ବରଫ କଣିକାଗୁଡ଼ିକର ମୌଳିକ ସ୍ୱରୂପ କିମ୍ଵା ଵେଗ କେବେହେଲେ ବଦଳି ନାହିଁ। କିନ୍ତୁ ଆମେ ମଣିଷମାନେ ନିଶ୍ଚିତ ଭାବରେ ବଦଳି ଯାଇଛୁ। ଆମର ଚିନ୍ତା କରିଵାର ପରିସୀମା ଏଵଂ ପ୍ରକୃତିକୁ ବୁଝିଵାର କ୍ଷମତା ଅନେକ ଗୁଣ ଵିସ୍ତାରିତ ହୋଇଛି। ଗୋଟିଏ ସାଧାରଣ ସ୍ତନ୍ୟପାୟୀ ପ୍ରାଣୀ, ଯିଏ ଦିନେ ଆଫ୍ରିକାର ଘଞ୍ଚ ଜଙ୍ଗଲରେ କେଵଳ ବଞ୍ଚିଵା ପାଇଁ ସଂଘର୍ଷ କରୁଥିଲା ଏଵଂ ଆକାଶର ଵଜ୍ରପାତ ଵା ଉଲ୍କାପାତକୁ ଦେଵତାର କ୍ରୋଧ ବୋଲି ମାନି ନେଉଥିଲା, ସେ ଆଜି ନିଜର ମସ୍ତିଷ୍କ ପ୍ରୟୋଗ କରି ଗୋଟିଏ ଉଲ୍କାପାତର ଗତି, ଆକାର ଓ ଉତ୍ପତ୍ତିସ୍ଥଳର ଠିକ୍ ଗାଣିତିକ ହିସାବ କରିପାରୁଛି। ତଥାପି, ଏହି ନିଷ୍ଠୁର ଵୈଜ୍ଞାନିକ ସତ୍ୟ ଜାଣିଵା ପରେ ମଧ୍ୟ ଏକଥା ସତ୍ୟ ଯେ Perseidsକୁ ନିଜ ଆଖିରେ ଖସୁଥିଵାର ଦେଖିଲେ ଆଜି ବି ଆମ ମନରେ ସେହି ପୁରାତନ ଏଵଂ ଆଦିମ ଆଶ୍ଚର୍ଯ୍ୟ ହିଁ ସର୍ଵପ୍ରଥମେ ଜାଗ୍ରତ ହୁଏ। ଯେତେବେଳେ ନିସ୍ତଵ୍ଧ ରାତିର ଆକାଶରୁ ହଠାତ୍ ଗୋଟିଏ ତାରା ଖସିଵାର ଦିଵ୍ୟ ଦୃଶ୍ୟ ଆମ ଆଖିରେ ପଡ଼େ, ଆମର ଅଜାଣତରେ ଆମ ହୃଦୟର ସ୍ପନ୍ଦନ କିଛି ମୁହୂର୍ତ୍ତ ପାଇଁ ଅଟକିଯାଏ ଏଵଂ ମୁଖରୁ ଏକ ଆଶ୍ଚର୍ଯ୍ୟର ଶବ୍ଦ ବାହାରି ଆସେ। କାରଣ ଆଜି ଆମେ ଦୃଢ଼ ଭାବରେ ଜାଣୁ ଯେ ଆମେ ଯାହା ଦେଖୁଛୁ ତାହା କେଵଳ ଵାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ଜଳୁଥିଵା ମାମୁଲି ଧୂଳିକଣା ନୁହେଁ, ତାହା ହେଉଛି ଆମର ଏହି ଵିଶାଳ, ରହସ୍ୟମୟ ବ୍ରହ୍ମାଣ୍ଡ ସହିତ ଥିଵା ଏକ ଅତ୍ୟନ୍ତ ନିଵିଡ଼ ଓ ପ୍ରାଚୀନ ସମ୍ପର୍କର ଜ୍ୱଳନ୍ତ ପ୍ରମାଣ। ଏହା ଆମକୁ ବାରମ୍ଵାର ମନେ ପକାଇଦିଏ ଯେ ଆମେ କେଵଳ ଏହି ଛୋଟ ପୃଥିଵୀ ନାମକ ଗ୍ରହର ଏକାକୀ ଅଧିଵାସୀ ନୋହୁଁ, ଆମେ ମଧ୍ୟ ଏହି ଅନନ୍ତ ମହାକାଶର ଏକ କ୍ଷୁଦ୍ର, ଗୁରୁତ୍ୱପୂର୍ଣ୍ଣ ଓ ଅଵିଚ୍ଛେଦ୍ୟ ଅଂଶ। ଆମର ମାନଵିକ ଶରୀରରେ ଥିଵା କାର୍ବନ, ଲୌହ ଏଵଂ ଅନ୍ୟାନ୍ୟ ଉପାଦାନଗୁଡ଼ିକ ମଧ୍ୟ କୌଣସି ଏକ ସମୟରେ ଏହିପରି ତାରାଗୁଡ଼ିକର ଗର୍ଭରୁ ହିଁ ସୃଷ୍ଟି ହୋଇଥିଲା। ତେଣୁ ଯେତେବେଳେ Perseidsର ଗୋଟିଏ ଛୋଟିଆ କଣିକା ପୃଥିଵୀର ଵାୟୁମଣ୍ଡଳରେ ଆତ୍ମାହୁତି ଦେଇ ଜଳିଉଠେ, ତାହାକୁ ଦେଖିଵା ମାନେ ଏକ ପ୍ରକାର ନିଜର ବହୁ ପୁରାତନ ଅତୀତ ଏଵଂ ମହାକାଶୀୟ ଉତ୍ପତ୍ତିକୁ ଦର୍ପଣରେ ଦେଖିଵା ସହିତ ସମ୍ପୂର୍ଣ୍ଣ ସମାନ। ଆକାଶର ଏହି ନିରନ୍ତର ଆଲୋକ ଖେଳ ଏଵଂ ମଣିଷର ତାହାକୁ ବୁଝିଵା ପାଇଁ ଥିଵା ଅସରନ୍ତି ପ୍ରୟାସ ଏକତ୍ର ମିଶି ଏକ ଏପରି ମହାନ ଐତିହାସିକ କାହାଣୀ ସୃଷ୍ଟି କରନ୍ତି, ଯାହା ସମଗ୍ର ମାନଵ ଜାତିର ଚିନ୍ତାଧାରା ଏଵଂ ଵିଜ୍ଞାନ କ୍ଷେତ୍ରରେ ସବୁଠାରୁ ବଡ଼ ଉପଲଵ୍ଧି ଅଟେ।
No comments:
Post a Comment