My Blog List

Thursday, August 20, 2026

୧୯୦୫ର ସ୍ୱଦେଶୀ ଆନ୍ଦୋଳନ ଓ ଓଡ଼ିଶାର ଜାତୀୟ ଜାଗରଣ: ୨୦ ଅଗଷ୍ଟର ଐତିହାସିକ କଟକ ସ୍ବଦେଶୀ ସଭା

୧୯୦୫ ମସିହାରେ ବ୍ରିଟିଶ ଭାରତର ବଡ଼ଲାଟ ଲର୍ଡ କର୍ଜନ ବଙ୍ଗ ପ୍ରଦେଶକୁ ଦୁଇ ଭାଗରେ ଵିଭାଜନ କରିଵା ପାଇଁ ଘୋଷଣା କରିଥିଲେ। ଭାରତୀୟ ଜାତୀୟତାଵାଦୀମାନେ ଏହାକୁ ବ୍ରିଟିଶ ସରକାରଙ୍କ “Divide and Rule” ନୀତିର ଅଂଶ ଭାଵେ ଦେଖିଥିଲେ, ଯାହା ସଂଗଠିତ ଜାତୀୟତାଵାଦୀ ଶକ୍ତିକୁ ଦୁର୍ଵଳ କରିଵା ଲକ୍ଷ୍ୟରେ ପ୍ରଣୀତ ହୋଇଥିଲା। ଏହି ଘୋଷଣା ପ୍ରକାଶ ପାଇଵା ପରେ ବଙ୍ଗଳା ସମେତ ଭାରତର ପ୍ରମୁଖ ରାଜନୈତିକ କେନ୍ଦ୍ରଗୁଡ଼ିକରେ ଵ୍ୟାପକ ପ୍ରତିଵାଦର ସ୍ୱର ଉଠିଥିଲା।

୧୯୦୫ ଅଗଷ୍ଟ ୭ ତାରିଖରେ କଲିକତାର ଐତିହାସିକ ଟାଉନ୍‌ ହଲ୍‌ରେ ଆୟୋଜିତ ଏକ ଵିଶାଳ ସଭାରେ ବ୍ରିଟିଶ ସାମଗ୍ରୀ ଵର୍ଜନ ଓ ସ୍ୱଦେଶୀ ଆନ୍ଦୋଳନର ଔପଚାରିକ ପ୍ରସ୍ତାଵ ଗ୍ରହଣ କରାଯାଇଥିଲା। ଏହି ଘଟଣା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଥିଲା। ବଙ୍ଗ ପ୍ରଦେଶର ଏହି ଵିଭାଜନ ୧୬ ଅକ୍ଟୋବର ୧୯୦୫ରୁ କାର୍ଯ୍ୟକାରୀ ହୋଇଥିଲେ ହେଁ, ଅଗଷ୍ଟ ମାସରୁ ହିଁ ସ୍ୱଦେଶୀ ଓ ଵର୍ଜନ ଆନ୍ଦୋଳନର ଶିଖା ଦେଶର ଵିଭିନ୍ନ ଭାଗକୁ ଵ୍ୟାପିଵାକୁ ଲାଗିଥିଲା।

କଲିକତା ଟାଉନ୍ ହଲ୍ ଘୋଷଣାର ମାତ୍ର ୧୩ ଦିନ ପରେ, ୧୯୦୫ ଅଗଷ୍ଟ ୨୦ ତାରିଖରେ ଓଡ଼ିଶାର ପ୍ରାଚୀନ ଓ ରାଜନୈତିକ କେନ୍ଦ୍ରସ୍ଥଳ କଟକର ମ୍ୟୁନିସିପାଲ୍‌ ହଲ୍‌ଠାରେ ଏକ ଵିଶାଳ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ସଭା ଓଡ଼ିଶାକୁ ଆଞ୍ଚଳିକ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ନେଇ ଜାତୀୟ ମୁକ୍ତି ସଂଗ୍ରାମର ମୁଖ୍ୟସ୍ରୋତ ସହ ଯୋଡ଼ିଥିଲା।
ଏହି ସଂଗ୍ରାମୀ ସଭାରେ କଟକର ପ୍ରସିଦ୍ଧ ଆଇନଜୀଵୀ, ଜାତୀୟତାଵାଦୀ ନେତା ଜାନକୀନାଥ ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପିତା) ସଭାପତିତ୍ୱ କରିଥିଲେ। ସଭାରେ କଟକର ଵିଶିଷ୍ଟ ବୁଦ୍ଧିଜୀଵୀ, ଆଇନଜୀଵୀ, ଛାତ୍ର, ଵ୍ୟଵସାୟୀ ଓ ସାଧାରଣ ନାଗରିକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ, ଯାହା ଓଡ଼ିଶାରେ ଜାତୀୟତାଵାଦୀ ସଚେତନତାର ପ୍ରସାରକୁ ସୂଚାଉଥିଲା।

ଏହି ସଭାର ମୁଖ୍ୟ ଵକ୍ତା ଥିଲେ 'ଉତ୍କଳ ଗୌରବ' ମଧୁସୂଦନ ଦାସ। ସେ ନିଜର ପ୍ରଭାଵଶାଳୀ ଓ ଓଜସ୍ୱିନୀ ଭାଷଣରେ ଜନସାଧାରଣଙ୍କୁ ସ୍ୱଦେଶୀ ସାମଗ୍ରୀ ଵ୍ୟଵହାର ଏଵଂ ଵିଦେଶୀ ସାମଗ୍ରୀ ଵର୍ଜନ ପାଇଁ ଆହ୍ୱାନ କରିଥିଲେ। ଵିଶେଷ କରି ବିଲାତି ଲୁଗା (Manchester cloth) ଓ ବିଲାତି ଲୁଣ (Liverpool salt)ର ଵ୍ୟଵହାର ସମ୍ପୂର୍ଣ୍ଣ ବନ୍ଦ କରିଵାକୁ ସେ ଗୁରୁତ୍ୱ ଦେଇଥିଲେ। ମଧୁବାବୁ ଦର୍ଶାଇଥିଲେ ଯେ କିପରି ଭାରତର ସମ୍ପଦ ଓ ଆର୍ଥିକ ଶକ୍ତି ବ୍ରିଟେନକୁ ଚାଲାଣ ହେଉଛି। ସେ କେଵଳ ଭାଷଣରେ ସୀମିତ ନରହି, ସ୍ୱଦେଶୀ ଶିଳ୍ପ ଓ ଆତ୍ମନିର୍ଭରଶୀଳତାର ଏକ ଜ୍ୱଳନ୍ତ ଉଦାହରଣ ସ୍ୱରୂପ କଟକଠାରେ 'ଉତ୍କଳ ଟ୍ୟାନେରୀ' (Utkal Tannery) ସ୍ଥାପନ କରିଥିଲେ। ସ୍ଥାନୀୟ କାରିଗରୀର ଵିକାଶ ଓ ସ୍ୱଦେଶୀ ସ୍ୱାଵଲମ୍ବନ ପାଇଁ ତାଙ୍କର ଏହି ପ୍ରଚେଷ୍ଟା ଓଡ଼ିଶାରେ ଏକ ନୂତନ ଆର୍ଥିକ ଚେତନା ସୃଷ୍ଟି କରିଥିଲା।

କଟକ ସଭାର ସଫଳତା ପରେ ସ୍ୱଦେଶୀ ଚେତନା ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ମଧ୍ୟ ଦ୍ରୁତ ଗତିରେ ଵ୍ୟାପିଯାଇଥିଲା ।‌ ୧୯୦୫ ସେପ୍ଟେମ୍ବର ୩ ତାରିଖରେ ବାଲେଶ୍ୱର ଟାଉନ୍ ହଲ୍‌ରେ ଅବ୍ଦୁସ୍ ସୋଭାନ୍ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଏକ ଵିଶାଳ ସଭା ହୋଇଥିଲା। ସେହିପରି ବାରବାଟୀ ଏମ୍.ଇ. ସ୍କୁଲ୍‌ରେ ଵ୍ୟାସକବି ଫକୀର ମୋହନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ସ୍ୱଦେଶୀ ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ବିଲାତି ବସ୍ତ୍ର ଓ ଲୁଣ ଵର୍ଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୁରୀଠାରେ ମଧ୍ୟ ସ୍ୱଦେଶୀ ସଭାସମିତି ଆୟୋଜିତ ହୋଇଥିଲା ଏଵଂ ସ୍ୱଦେଶୀ ସାମଗ୍ରୀ ଆପଣାଇଵା ପାଇଁ ଜନଜାଗରଣ ସୃଷ୍ଟି କରାଯାଇଥିଲା।ସମ୍ବଲପୁର ସମେତ ଓଡ଼ିଆଭାଷୀ ପଶ୍ଚିମ ଅଞ୍ଚଳରେ ମଧ୍ୟ ସ୍ୱଦେଶୀ ଚେତନାର ପ୍ରଭାଵ ପଡ଼ିଥିଲା। ଛାତ୍ର, ଵ୍ୟଵସାୟୀ ଓ ଜନସାଧାରଣଙ୍କ ଭୂମିକା
ସ୍ୱଦେଶୀ ଆନ୍ଦୋଳନରେ ଯୁଵଛାତ୍ର ସମାଜ ଓ ଵ୍ୟଵସାୟୀଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। 

ଟକର ପ୍ରସିଦ୍ଧ ରାଵେନ୍ସା କଲେଜ ଓ ସ୍କୁଲର ଛାତ୍ରମାନେ ସ୍ୱଦେଶୀ ପ୍ରଚାରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। କଟକ ଓ ବାଲେଶ୍ୱରର ଅନେକ ସ୍ଥାନୀୟ ଵ୍ୟଵସାୟୀ ନିଜ ଦୋକାନରେ ବିଲାତି ଲୁଣ ଓ ବିଲାତି ଲୁଗା ଵିକ୍ରି ନକରିଵାକୁ ନିଷ୍ପତ୍ତି ନେଇଥିଲେ। ଏହା ଫଳରେ ସ୍ଥାନୀୟ ତନ୍ତୁଵାୟ ଓ କାରିଗରମାନେ ବ୍ୟାପକ ପ୍ରୋତ୍ସାହନ ପାଇଥିଲେ।

୨୦ ଅଗଷ୍ଟ ସଭାରେ ଜାନକୀନାଥ ବୋଷଙ୍କ ସଭାପତିତ୍ୱ ଓଡ଼ିଶାର ଜାତୀୟତାଵାଦୀ ଆନ୍ଦୋଳନକୁ ଏକ ସଂଗଠିତ ରୂପ ଦେଇଥିଲା। ସେହି ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ନିଜର ଶୈଶଵ ଅତିଵାହିତ କରୁଥିଲେ ଏଵଂ ସେତେବେଳେ ତାଙ୍କୁ ପ୍ରାୟ ୮ ଵର୍ଷ ହୋଇଥିଲା । ନିଜ ପରିଵାରର ଦେଶପ୍ରେମୀ ଵାତାଵରଣ, ପିତା ଜାନକୀନାଥ ବୋଷଙ୍କ ଜାତୀୟତାଵାଦୀ ଚିନ୍ତାଧାରା ଏଵଂ କଟକ ସହରର ଏହି ରାଜନୈତିକ ଜାଗରଣ ନେତାଜୀଙ୍କ ମାନସପଟରେ ଦେଶଭକ୍ତି ଓ ସ୍ୱାଧୀନତା ଚେତନାର ପ୍ରାରମ୍ଭିକ ଭିତ୍ତି ସ୍ଥାପନ କରିଵାରେ ସହାୟକ ହୋଇଥିଲା।

୧୯୦୫ ଅଗଷ୍ଟ ୨୦ର କଟକ ସଭା କେଵଳ ବଙ୍ଗ ଵିଭାଜନର ପ୍ରତିଵାଦ ମଧ୍ୟରେ ସୀମିତ ନଥିଲା। ଏହା 'ଉତ୍କଳ ସମ୍ମିଳନୀ' ମାଧ୍ୟମରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଚାଲିଥିଵା ଦାବି ସହ ଭାରତର ସାର୍ବଜନୀନ ଜାତୀୟ ମୁକ୍ତି ସଂଗ୍ରାମକୁ ଯୋଡ଼ିଵାରେ ଏକ ସେତୁ ସଦୃଶ କାର୍ଯ୍ୟ କରିଥିଲା।

ଏହି ଘଟଣା ଓଡ଼ିଶାରେ ରାଜନୈତିକ ଚେତନା ସୃଷ୍ଟି କରି ପରଵର୍ତ୍ତୀ ସମୟରେ ଅସହଯୋଗ ଆନ୍ଦୋଳନ ଓ ଅନ୍ୟାନ୍ୟ ଜାତୀୟ ସଂଗ୍ରାମ ପାଇଁ ଏକ ସାମାଜିକ ଓ ରାଜନୈତିକ ପରିଵେଶ ଗଢ଼ିଵାରେ ସହାୟକ ହୋଇଥିଲା। ୨୦ ଅଗଷ୍ଟ ୧୯୦୫ର କଟକ ସ୍ୱଦେଶୀ ସଭା ଓଡ଼ିଶାରେ ଜାତୀୟ ଆନ୍ଦୋଳନର ପ୍ରାରମ୍ଭିକ ଵିକାଶର ଏକ ଉଲ୍ଲେଖନୀୟ ଅଧ୍ୟାୟ ଥିଲା।

No comments:

Post a Comment