My Blog List

Saturday, August 15, 2026

ଶୁଭକାମନା

ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶ ଛଡ଼ା ହାତଗଣତି କିଛି କ୍ରିକେଟ୍ ସ୍ପର୍ଦ୍ଧାକୁ ଛାଡ଼ି ଦେଲେ ଵର୍ଷର ୩୪୦ ଦିନ ଦେଶଭକ୍ତିର 'ଭ' ଜାଣୁନଥିଵା ଜଣେ ଗାଆଁ ସାଙ୍ଗକୁ ରମେଶ ଇଂରାଜୀ ଭାଷାରେ ସ୍ଵାଧୀନତା ଦିଵସର ଶୁଭକାମନା ଲେଖାଥିଵା ଫୋଟୋଟିଏ Whatsappରେ ପଠେଇ ଦେଲା ।

ସେପଟୁ ତା ସାଙ୍ଗ ଦିଲିପ ରାଗି ପାଚି ନିଆଁ! କହିଲା ଦେଶଦ୍ରୋହୀ କଳା ଇଂରେଜ କୋଉଠିକାର ଆଜି ଭଳି ଦିନରେ ବି ତୁଟା ଇଂରେଜମାନଙ୍କ ଦାସତ୍ବ ଛାଡ଼ିଲୁ ନାହିଁ ଯେ ଇଂରାଜୀ ଭାଷାରେ Happy Independence day ଲେଖି ପଠେଇଛୁ ? 

ରମେଶ ଫୋନ୍ ସ୍କ୍ରିନ୍‌କୁ ଚାହିଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା। ସେ ପରା ବଡ଼ କଷ୍ଟରେ ଗୋଟିଏ ୫୦୦ ଜଣିଆ ‘ଜୟ ଜଗନ୍ନାଥ ଗୁଡ୍ ମର୍ନିଂ’ ଗୋଷ୍ଠୀରୁ ଖୋଜି ଖୋଜି ଝଲସୁଥିଵା ତ୍ରିରଙ୍ଗା ପତାକା ଆଉ ସୁନା ଅକ୍ଷରରେ ‘’Happy Independence Day’’ ଲେଖାଥିଵା ସୁନ୍ଦର ଫୋଟୋଟିଏ ଡେଗେଇ ଦେଇଥିଲା! ଏଥିପାଇଁ ତାକୁ ଅନ୍ତତଃ ଦୁଇଟା "ରକ୍ତିମ ହୃଦୟ"ର ଇମୋଜି ମିଳିଵା କଥା, ଓଲଟି ମିଳିଲା କିରା ନା ‘କଳା ଇଂରେଜ’ର ସମ୍ମାନଜନକ ପଦଵୀ !

ସେପଟେ ଦିଲିପ ବି ଛାଡ଼ିଵା ଲୋକ ନୁହେଁ। ସେ ଗାଁ ଚା' ଦୋକାନରେ ବସି ଦେଶ-ଵିଦେଶର ଗମ୍ଭୀର ଚିନ୍ତାରେ ମଗ୍ନ ଥିଲା। ତା' ମତରେ, ଵର୍ଷସାରା ରାସ୍ତାଘାଟରେ ଛେପ ପକାଉଥିଵା, ମୋବାଇଲ୍‌ଟାର ମୁହଁ ସିଲେଇ ନକରି ପ୍ରେକ୍ଷାଳୟରେ ଗପୁଥିଵା ଆଉ ବାଟରେ ଗଲାବେଳେ ଶାଗୁଆ ଓ ରକ୍ତାଭ "ଯାତାୟାତ-ସଙ୍କେତ"କୁ ମାନୁନଥିଵା ରମେଶ ଆଜି ଗୋଟିଏ ଦିନରେ ‘ମହା-ଦେଶପ୍ରେମୀ’ ସାଜିଵାଟା ହିଁ ସବୁଠାରୁ ବଡ଼ ପ୍ରହସନ। ସେଥିରେ ପୁଣି କିସ ନା ଇଂରାଜୀ ଭାଷାରେ ଶୁଭକାମନା ପଠାଯାଉଛି ! 

ରମେଶ ଏଣେ ସଙ୍ଗେ ସଙ୍ଗେ ତା’ର ଗାଁ ସାଙ୍ଗକୁ ତଳିତଳାନ୍ତ କରିଵା ପାଇଁ "ସ୍ବର-ସନ୍ଦେଶ" ଉତ୍ତୋଳନ କଲା, "ଆବେ ହେ ତଥାକଥିତ କଞ୍ଚା ଦେଶଭକ୍ତ ! ତୁ ଯେଉଁ American app ଯୋଗେ ମୋତେ ଗାଳି ଦେଉଛୁ, ସେଇଟା କ’ଣ ତୋ ମାମୁଁଘର ଗାଁ ଗାନ୍ଧୀ ପଡ଼ିଆରେ ତିଆରି ହୋଇଛି? ଆଉ ତୋ ଫୋଟୋରେ ଯେଉଁ ଟି-ସାର୍ଟ ପିନ୍ଧିଛୁ, ସେଥିରେ ତ ‘New York Gym’ ଲେଖାହେଇଛି! ତୁ ଆଗ ସେଇଟା ଖୋଲି ଧୋତି-କୁର୍ତ୍ତା ପିନ୍ଧିଵାର ଥିଲା !"

ଦିଲିପ ବି ସହଜେ ଛାଡ଼ିଵା ଜନ୍ତୁ ନୁହେଁ, ସେ ହସି ହସି ଟଙ୍କଣନ କରି ଲେଖିଲା, "କଥା ବୁଲା ନାହିଁ ରମେଶ! ଆମ ଭାରତୀୟ ସଂସ୍କୃତିରେ ମାତୃଭାଷା ଶ୍ରେଷ୍ଠ। ତୁ ‘’ସ୍ୱାଧୀନତା ଦିଵସର ହାର୍ଦ୍ଦିକ ଅଭିନନ୍ଦନ’’ ନଲେଖି ଇଂରେଜ ଶାସକଙ୍କ ଭାଷାକୁ ଆପଣେଇଲୁ, ଏଇଟା ତୋର ମାନସିକ ଗୋଲାମି ନୁହେଁ ତ ଆଉ କ’ଣ? ସ୍ୱାଧୀନତା ସଂଗ୍ରାମୀମାନେ ଏଇଥିପାଇଁ ଲଢ଼େଇ କରିଥିଲେ?"

ଦେଇକି, ଆରମ୍ଭ ହୋଇଗଲା ଦୁଇ ସାଙ୍ଗଙ୍କ ଭିତରେ ୱାଟ୍ସଆପ୍‌ର ମହାଭାରତ। ଵର୍ଷର ୩୪୦ ଦିନ ଦେଶର ରାଜନୀତି, ଅର୍ଥନୀତି କି ଭାଷା-ସାହିତ୍ୟ ପ୍ରତି ଆଦୌ ଦୃଷ୍ଟି ନଦେଉଥିଵା ଦୁଇ ରଥୀ-ଅତିରଥୀ ଆଜି 5G ଡାଟାର ସାହାରାରେ ଦେଶର ଭଵିଷ୍ୟତ ନିର୍ଦ୍ଧାରଣ କରିଵାରେ ଲାଗିପଡ଼ିଲେ। ଜଣେ ଭାଷାର ଶୁଦ୍ଧତା ଉପରେ ଭାଷଣ ଦେଉଥିଵାବେଳେ ଆଉ ଜଣେ Digital Indiaର ଦ୍ଵାହି ଦେଉଥିଲା।
ସନ୍ଧ୍ୟା ହେଉ ହେଉ କିନ୍ତୁ ଦେଶଭକ୍ତିର ସେହି ୨୪ ଘଣ୍ଟିଆ ୱାଟ୍ସଆପ୍ ଷ୍ଟାଟସ୍‌ର ଅଵଧି ଶେଷ ହୋଇ ଆସୁଥିଲା। ସୂର୍ଯ୍ୟ ଅସ୍ତ ହେଵା ସହ ଦୁଇଜଣଙ୍କର ଆଭାସୀ ରାଷ୍ଟ୍ରପ୍ରେମର ଉତ୍ସାହ ବି ଥଣ୍ଡା ପଡ଼ିଗଲା। ରାତି ନଅଟାରେ ଦିଲିପ ନିଜେ ଫୋନ୍ ଯୋଗେ ରମେଶକୁ ଡାକି କହିଲା, 
"ଆବେ ସନ୍ଧ୍ୟାରେ ଚା' ପିଇଵାକୁ ଆସିଲୁନି ଯେ? ଛାଡ଼ ସେ ସବୁ କଥା, କାଲି ତୁମ ଘରେ ରଵିଵାରିଆ ଦେଶୀ କୁକୁଡ଼ା ଝୋଳ ହେଉଛି ନା ନାହିଁରେ ?"

ରମେଶ ହସିଦେଇ କହିଲା, "ହଁ ହେଉଛି ହେଉଛି ଵା, ତୁ ସକାଳୁ ସକାଳୁ ଚାଲିଆସିବୁ ଗେମ୍ଫିଵାକୁ ହେଲା ।"

ସୂର୍ଯ୍ୟାସ୍ତ ସହିତ ୱାଟ୍ସଆପ୍ ଷ୍ଟାଟସ୍‌ରେ ଉଡ଼ୁଥିଵା ୨୪-ଘଣ୍ଟିଆ ଡିଜିଟାଲ୍ ଦେଶପ୍ରେମର 'ଵୈଧତା' ମଧ୍ୟ ଶେଷ ହୋଇଗଲା। ରାତି ପାହିଲେ ଅଗଷ୍ଟ ୧୬; ପୁଣି ସେଇ ମେଡ୍-ଇନ୍-ଚାଇନା ମୋବାଇଲ୍‌ରେ ଦେଶୋଦ୍ଧାରର ଚିନ୍ତା, ଵିଦେଶୀ ବ୍ରାଣ୍ଡ୍ ପଛରେ ଧାଁଦଉଡ଼ ଆଉ ନିତିଦିନିଆ ଅଭାବ-ଅଭିଯୋଗର ପୁରୁଣା ନିତ୍ୟକର୍ମ ଆରମ୍ଭ ହୋଇଯିଵ। ପ୍ରକୃତରେ, ଏହି 'ଅଂଶକାଳିକ' ଜାତୀୟତାଵାଦ ଯେତେ ବଡ଼ ଦର୍ଶନ ଝାଡ଼ିଲେ ବି, ରଵିଵାରିଆ ଦେଶୀ ଖାସି ମାଂସ କି କୁକୁଡ଼ା ଝୋଳ ଆଉ ପିଲାଦିନର ନିଷ୍କପଟ ବନ୍ଧୁତା ଆଗରେ ସବୁ ଯୁକ୍ତିତର୍କ ହାରିଯାଏ। କାହିଁକି ନା ଦେଶ ହୁଏତ ସମ୍ବିଧାନ ଓ ଆଇନ୍‌କାନୁନ୍‌ରେ ଚାଲୁଥାଇପାରେ, କିନ୍ତୁ ଗାଁର ସ୍ପନ୍ଦନ ଚାଲେ ସେଇ ଆପଣାପଣ ଆଉ ସୁଆଦିଆ ଖାଇଵା ଉପରେ। ତେଣୁ ସାମ୍ବିଧାନିକ ଭାବେ ‘ଭାରତ ମାତାଙ୍କ ଜୟ’ ନିଶ୍ଚୟ, କିନ୍ତୁ ଵ୍ୟଵହାରିକ ଜୀଵନରେ ଅତୁଟ ବନ୍ଧୁତା ଆଉ ରଵିଵାରିଆ ଆଇଁଷର ମହିମା ଚିର ଅକ୍ଷୟ !
•••••••••••••••••••••••••••••••••••
ଶବ୍ଦାର୍ଥ:
•••••••••••••••••••••••••••••••••••
ସ୍ପର୍ଦ୍ଧା — Match
ରକ୍ତିମ — Red
ଯାତାୟାତ-ସଙ୍କେତ — Traffic Signal
ସ୍ୱର-ସନ୍ଦେଶ — Voice Message
ଟଙ୍କଣନ — Typing
ଵୈଧତା — Validity
ନିତ୍ୟକ୍ରମ — Routine
ଅଂଶକାଳିକ — Part-time

No comments:

Post a Comment