ମଣିଷର ଇତିହାସରେ କେତେକ ଶବ୍ଦ ସେନାଵାହିନୀଠାରୁ ମଧ୍ୟ ଦୂରକୁ ଯାତ୍ରା କରିଛନ୍ତି। ସେ ଶବ୍ଦମାନ କୌଣସି ରାଜ୍ୟ ଜୟ କରିନାହାନ୍ତି, କୌଣସି ସାମ୍ରାଜ୍ୟ ଗଢ଼ିନାହାନ୍ତି। ସେହି ଶବ୍ଦଗୁଡ଼ିକ କେଵଳ ଗୋଟିଏ ଜିନିଷ ସହିତ ଯାତ୍ରା କରିଛନ୍ତି—ମଣିଷର ଆକାଙ୍କ୍ଷା।
ମିଠା ଖାଇବାର ଆକାଙ୍କ୍ଷା ! ସେହି ଶବ୍ଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ସଂସ୍କୃତର 'ଖଣ୍ଡ' ଶବ୍ଦ । ଆଜି ଆମେ ‘ଖଣ୍ଡ’ କହିଲେ ଗୋଟିଏ ଭଙ୍ଗା ଅଂଶ, ଟୁକୁଡ଼ା କିମ୍ବା ଭାଗ ବୁଝୁ। କିନ୍ତୁ ପ୍ରାଚୀନ ଭାରତରେ ଏହି ଶବ୍ଦ ଚିନିର ଖଣ୍ଡ କିମ୍ବା ଜମା ହୋଇଥିଵା ମିଠା ପଦାର୍ଥ ସହିତ ମଧ୍ୟ ଜଡ଼ିତ ହେଲା। ଆଖୁର ରସକୁ ଫୁଟାଇ, ଘନ କରି, ଜମାଇ ତିଆରି ହେଉଥିଵା ସେହି କଠିନ ମିଠା ଖଣ୍ଡଗୁଡ଼ିକ ଶବ୍ଦଟିକୁ ଏକ ନୂଆ ଜୀବନ ଦେଲା। ତା'ପରେ ଆରମ୍ଭ ହେଲା ଯାତ୍ରା।
ଭାରତ କେଵଳ ମସଲାର ଦେଶ ନଥିଲା। ଏହା ଥିଲା ଚିନି ପ୍ରସ୍ତୁତିର ଜ୍ଞାନ ଓ ଆଖୁ ଚାଷର ଏକ ପ୍ରାଚୀନ କେନ୍ଦ୍ର। ଵ୍ୟାପାରୀମାନେ ଯେତେବେଳେ ସାମଗ୍ରୀ ନେଇ ସମୁଦ୍ର ଓ ସ୍ଥଳପଥରେ ଯାତ୍ରା କଲେ, ସେମାନେ କେଵଳ ଚିନି ନେଇଯାଇନଥିଲେ। ସେମାନେ ଚିନିର ନାମ ମଧ୍ୟ ନେଇଯାଇଥିଲେ।
ସଂସ୍କୃତ ଖଣ୍ଡ (khaṇḍa) ପଶ୍ଚିମ ଦିଗକୁ ଯାଇ ଇରାନୀ ଭାଷାଜଗତରେ କନ୍ଦ (kand) ରୂପ ନେଲା। ଏହା ଏକ ସାଧାରଣ ଧ୍ୱନିଗତ ଯାତ୍ରାର କାହାଣୀ—ଗୋଟିଏ ଭାଷାର ଧ୍ୱନି ଅନ୍ୟ ଭାଷାର ମୁହଁରେ ପହଞ୍ଚି ନିଜର ପୁରୁଣା ପୋଷାକ ବଦଳାଇଦିଏ। ତେବେ ଏଠାରେ ଧ୍ୟାନ ଦେଵାର ଵିଷୟ ହେଲା ସଂସ୍କୃତ ଭାଷାରେ ବି ଗୋଟିଏ କନ୍ଦ ଶବ୍ଦ ଥିଲା ଯାହା ମିଠା କନ୍ଦମୂଳକୁ ବୁଝାଇଥାଏ । ଏହାର ସମ୍ପର୍କ ସଂସ୍କୃତ ଖଣ୍ଡ ଶବ୍ଦ ସହିତ ନାହିଁ । ପାରମ୍ପରିକ ସଂସ୍କୃତ ନିରୁକ୍ତି ଅନୁସାରେ କନ୍ଦ ଶବ୍ଦଟି କନ୍ଦ୍ ଧାତୁରୁ ଆର୍ଦ୍ର ହେଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । ତେବେ ଆଧୁନିକ ଭାଷାଵିଦମାନେ କୁହନ୍ତି ଯେ ସଂସ୍କୃତ 'କନ୍ଦ ଏକ ପ୍ରାଚୀନ ଶବ୍ଦ, କିନ୍ତୁ ତାହାର ଶେଷ ଉତ୍ସ ନିଶ୍ଚିତ ନୁହେଁ। ଏହାକୁ ସମ୍ଭାଵ୍ୟ Proto-Indo-European *ken-d- “ଚାପିବା, ଚିପିବା” ସହ ଯୋଡ଼ାଯାଇଛି, କିନ୍ତୁ ଏହି ସମ୍ପର୍କ ଵିଵାଦହୀନ ନୁହେଁ।
ତେଣୁ ଅନ୍ତତଃ ପକ୍ଷେ ଏତିକି କୁହାଯାଇପାରେ ଯେ ସଂସ୍କୃତ 'ଖଣ୍ଡ' ଶବ୍ଦଟି ସହିତ ସଂସ୍କୃତ 'କନ୍ଦ'ର କୌଣସି ସମ୍ପର୍କ ନାହିଁ କି ପାର୍ସୀରେ ଯାଇ ସଂସ୍କୃତ 'ଖଣ୍ଡ' ଶବ୍ଦଟି 'Kand' ହୋଇ ଭାରତକୁ 'କନ୍ଦ' ରୂପେ ଫେରି ନାହିଁ । ଵରଂ ପ୍ରାଚୀନ କାଳରେ ପାର୍ସୀ 'kand' ଶବ୍ଦଟି
ଆରବୀ ଭାଷାଜଗତକୁ ଯାଇ قند (qand) ହୋଇଅଛି । قند (qand) ଶବ୍ଦ ଆରବରେ ମୁଖ୍ୟତଃ ଚିନିର କଠିନ ଖଣ୍ଡ କିମ୍ବା sugar candy ଅର୍ଥରେ ପ୍ରୟୋଗ ହେଲା । ଯେତେବେଳେ ସେ ଶବ୍ଦଟି ଆରବକୁ ପହଞ୍ଚିଲା, ସେତେବେଳେ ତାହା କେଵଳ ଭାଷାର ଶବ୍ଦ ନଥିଲା ଵରଂ ତାହା ପଛରେ ଥିଲା ଆଖୁ ଚାଷ, ଚିନି ତିଆରିର ପ୍ରଯୁକ୍ତି ଓ ଦୂରଦୂରାନ୍ତର ଵାଣିଜ୍ୟର ଇତିହାସ।
କିନ୍ତୁ ଇତିହାସ କେବେ ସିଧା ରାସ୍ତାରେ ଚାଲେ ନାହିଁ। ଶତାବ୍ଦୀ ପରେ ଏହି ଶବ୍ଦ ପୁଣି ପାର୍ସୀ ଭାଷାରେ ପ୍ରଵଳ ଭାବେ ଦେଖାଦେଲା—قند (qand) ରୂପରେ। ପୁରୁଣା ପାର୍ସୀ ରୂପ کند (kand) କିମ୍ବା کاند (kând) ଥିଲା ବୋଲି ଶବ୍ଦକୋଷୀୟ ପରମ୍ପରାରେ ଉଲ୍ଲେଖ ମିଳେ; ପରଵର୍ତ୍ତୀ କାଳରେ ଆରବୀ ପ୍ରଭାଵିତ qand ରୂପ ପ୍ରମୁଖ ହୋଇଗଲା।
ଏବେ ଆସେ ଏହି କାହାଣୀର ସବୁଠାରୁ ସ୍ୱାଦିଷ୍ଟ ଅଂଶ। ପାର୍ସୀରେ ଯେତେବେଳେ qandର ଅର୍ଥ ହେଲା ଚିନି କିମ୍ବା ମିଠା ଖଣ୍ଡ, ସେହି ମିଠା ଜଗତକୁ କେନ୍ଦ୍ର କରି ଗଢ଼ିଉଠିଲା ଏକ ପେଶାବାଚକ ଶବ୍ଦ—قناد (qannād)। ଅର୍ଥାତ୍— ଯିଏ ଚିନିରୁ ମିଠା ତିଆରି କରେ। ଯିଏ ମିଠାକୁ ଦୋକାନରେ ସଜାଇ ରଖେ। ଯିଏ ମିଠା ବିକ୍ରି କରେ।
ଏପଟେ ଓଡ଼ିଶାରେ ଲୋକେ ଗୁଡ଼ରୁ ମିଷ୍ଟାନ୍ନ ତିଆରି କରି ବିକୁଥିଲେ ତେଣୁ ସେମାନଙ୍କୁ ଗୁଡ଼ିଆ କୁହାଗଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗୁଡ଼ିଆ ଶବ୍ଦ ତଳେ ଏହାର ଇଂରାଜୀ ଭାଵାର୍ଥ
Confectioner ଲେଖା ହୋଇଛି ।
କିନ୍ତୁ ଏହି Confectioner ଶବ୍ଦର ଆଉ ଏକ ରୋଚକ ପାର୍ଶ୍ୱ ଅଛି। ଆଜି ଇଂରାଜୀରେ ମିଠା, କ୍ୟାଣ୍ଡି, ଚକୋଲେଟ୍ କିମ୍ବା ଅନ୍ୟାନ୍ୟ ମିଠା ପଦାର୍ଥ ପ୍ରସ୍ତୁତକାରୀଙ୍କୁ confectioner କୁହାଯାଏ। କିନ୍ତୁ ଏହି ଶବ୍ଦର ମୂଳରେ ପ୍ରଥମେ “ମିଠା” ନଥିଲା।
Confectioner ଶବ୍ଦଟି ଇଂରାଜୀରେ ପ୍ରାୟ ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ପ୍ରଚଳିତ ହେଲା। ଏହା ଆସିଛି confection ଶବ୍ଦରୁ। ଆଉ confectionର ଅର୍ଥ ମଧ୍ୟଯୁଗୀୟ ଇଂରାଜୀରେ ଥିଲା "ଵିଭିନ୍ନ ଉପାଦାନକୁ ମିଶାଇ ପ୍ରସ୍ତୁତ କରାଯାଇଥିଵା କୌଣସି ଜିନିଷ" । ଏହି ଶବ୍ଦଟି ପୁରୁଣା ଫରାସୀ confeccion ମାଧ୍ୟମରେ ମଧ୍ୟଯୁଗୀୟ ଲାଟିନ confectioରୁ ଆସିଥିଲା। ଲାଟିନରେ ଏହାର ଅର୍ଥ ଥିଲା—ପ୍ରସ୍ତୁତି, ତିଆରି କରିଵା, ମିଶାଇ ଗୋଟିଏ ପଦାର୍ଥ ତିଆରି କରିଵା । ଆଉ ଏହାର ଆଦି କ୍ରିୟା ଥିଲା conficere—ଅର୍ଥାତ୍ “ଏକାଠି କରି ତିଆରି କରିଵା” କିମ୍ବା “ସମ୍ପୂର୍ଣ୍ଣ କରିଵା”। ଏହାର ଭିତରେ ଥିଲା ଦୁଇଟି ଧାରଣା—
con- = ସହିତ, ଏକାଠି
facere = କରିଵା, ତିଆରି କରିଵା।
ଅର୍ଥାତ୍ ଆଦି ଅର୍ଥରେ confection ଥିଲା—“ଵିଭିନ୍ନ ଜିନିଷକୁ ଏକାଠି କରି ତିଆରି ହୋଇଥିଵା ପ୍ରସ୍ତୁତି”।
ସେଥିପାଇଁ ମଧ୍ୟଯୁଗରେ ଏହି ଶବ୍ଦ କେଵଳ ମିଠା ପାଇଁ ଵ୍ୟଵହୃତ ହେଉନଥିଲା। ଔଷଧରେ ମଧ୍ୟ ଵିଭିନ୍ନ ଉପାଦାନ ମିଶାଇ ତିଆରି କରାଯାଇଥିଵା ଔଷଧୀୟ ପ୍ରସ୍ତୁତିକୁ confection କୁହାଯାଉଥିଲା। ସେହି କାରଣରୁ ପ୍ରାୟ 1600 ମସିହା ପାଖାପାଖି confectionerର ଅର୍ଥ ଜଣେ ଔଷଧୀୟ ମିଶ୍ରଣ ପ୍ରସ୍ତୁତକାରୀ ମଧ୍ୟ ହୋଇପାରୁଥିଲା।
କିନ୍ତୁ ଧୀରେ ଧୀରେ ଶବ୍ଦର ସ୍ୱାଦ ବଦଳିଗଲା।
ଚିନି, ସିରା ଓ ଅନ୍ୟାନ୍ୟ ଉପାଦାନ ମିଶାଇ ତିଆରି ହେଉଥିଵା ମିଠା ପଦାର୍ଥକୁ confection କୁହାଯିଵା ଆରମ୍ଭ ହେଲା। ଚତୁର୍ଦ୍ଦଶ ଶତାବ୍ଦୀର ଶେଷଭାଗରୁ “ଚିନି କିମ୍ବା ସିରାରେ ପ୍ରସ୍ତୁତ ମିଠା ପଦାର୍ଥ” ଅର୍ଥ ଦେଖାଦେଲା। ଷୋଡ଼ଶ ଶତାବ୍ଦୀରେ ଆସି ଏହି ଅର୍ଥ ଏତେ ପ୍ରଭାଵଶାଳୀ ହେଲା ଯେ confection ପ୍ରାୟତଃ candy, bonbon ଓ ହାଲୁକା ମିଠା pastryର ଜଗତ ସହ ଜଡ଼ିତ ହୋଇଗଲା। ତା'ପରେ ସ୍ୱାଭାବିକ ଭାବରେ ଜନ୍ମ ନେଲା—
confection + -er = confectioner
ଅର୍ଥାତ୍—ଯିଏ confection ତିଆରି କରେ।
ଆଚ୍ଛା ହିନ୍ଦୀଭାଷୀ ମିଠା ପ୍ରସ୍ତୁତକାରୀଙ୍କୁ ହଲୱାଇ କୁହନ୍ତି । ହଲୱା ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଦରଵର ନାମ କିନ୍ତୁ ଆଜି ଆମେ ହଲୱାଇ କହିଲେ କେଵଳ ହଲୱା ତିଆରି କରୁଥିଵା ଲୋକକୁ ବୁଝୁନାହୁଁ ଵରଂ ମିଷ୍ଟାନ୍ନ ପ୍ରସ୍ତୁତକାରୀ, ମିଠା ଦୋକାନୀ କିମ୍ବା confectionerକୁ ବୁଝୁ। କିନ୍ତୁ ଏହି ଶବ୍ଦଟିର ମୂଳ ମଧ୍ୟ ଭାରତରେ ନୁହେଁ। ଏହାର ଭିତରେ ଲୁଚିଛି ଆରବ, ପାର୍ସିଆ ଓ ଭାରତର ଦୀର୍ଘ ସାଂସ୍କୃତିକ ଯାତ୍ରା।
ଏହି ଶବ୍ଦର ଦୂର ମୂଳ ଆରବୀ ଭାଷାର حلو (ḥulw) ସହ ଜଡ଼ିତ, ଯାହାର ମୂଳ ଅର୍ଥ—ମିଠା, ସୁମଧୁର। ଏହି ଶବ୍ଦପରିଵାରରୁ ଗଢ଼ିଉଠିଲା حلوى (ḥalwā / ḥalwā)—ଅର୍ଥାତ୍ ମିଠା ପଦାର୍ଥ କିମ୍ବା sweetmeat।
ତା'ପରେ ଏହି ମିଠା ଶବ୍ଦଟି ପାର୍ସୀ ଭାଷାଜଗତକୁ ପହଞ୍ଚିଲା। ପାର୍ସୀରେ حلوا (halwā) ରୂପେ ଏହା ପ୍ରଚଳିତ ହେଲା। କାଳକ୍ରମେ ହଲୱା କେଵଳ ଗୋଟିଏ ନିର୍ଦ୍ଦିଷ୍ଟ ଖାଦ୍ୟର ନାମ ହୋଇ ରହିଲା ନାହିଁ; ଏହା ଵିଭିନ୍ନ ପ୍ରକାରର ମିଠା ପଦାର୍ଥର ସାଂସ୍କୃତିକ ଜଗତର ଏକ ପରିଚିତ ଶବ୍ଦ ହୋଇଉଠିଲା।
ତା'ପରେ ଶବ୍ଦଟି ସହ ଯୋଡ଼ି ହୋଇଗଲା ପାର୍ସୀ-ପ୍ରଭାଵିତ -ī / -īy ପ୍ରତ୍ୟୟ। ଏହିପରି ଗଢ଼ିଉଠିଲା ḥalwāʾī / halwāī ଶବ୍ଦ ଅର୍ଥାତ୍— ହଲୱା ସହ ଜଡ଼ିତ ଵ୍ୟକ୍ତି ଅର୍ଥରୁ ହଲୱା ପ୍ରସ୍ତୁତକାରୀ ଏଵଂ ଶେଷରେ ହଲୱାଇ ଶବ୍ଦର ଅର୍ଥ ମିଷ୍ଟାନ୍ନ ପ୍ରସ୍ତୁତକାରୀ ହେଲା । ପରେ ପାର୍ସୀ ଭାଷା ଓ ସଂସ୍କୃତିର ଦୀର୍ଘ ସମ୍ପର୍କ ମାଧ୍ୟମରେ ଏହି ଶବ୍ଦଟି ଭାରତୀୟ ଉପମହାଦେଶକୁ ପହଞ୍ଚିଲା। ହିନ୍ଦୁସ୍ତାନୀ, ହିନ୍ଦୀ ଓ ଅନ୍ୟାନ୍ୟ ଉତ୍ତର ଭାରତୀୟ ଭାଷାରେ ଏହା ହେଲା—
हलवाई। ଆଜି ଉତ୍ତର ଭାରତରେ ହଲୱାଇ କେଵଳ ହଲୱା ନୁହେଁ—ଲଡ୍ଡୁ, ଜିଲେବି, ବରଫି, ପେଡ଼ା, ରସଗୋଲା ଓ ଅନ୍ୟାନ୍ୟ ମିଷ୍ଟାନ୍ନ ପ୍ରସ୍ତୁତ କରୁଥିଵା କାରିଗରଙ୍କ ନାମ ହୋଇ ଯାଇଛି ।
ଏହି ସମସ୍ତ ଭାଷାଗତ ଯାତ୍ରା ପଛରେ ଲୁଚି ରହିଛି ମାନଵ ଜାତିର ଏକ ଗଭୀର, ଚିରନ୍ତନ ସତ୍ୟ। ଆମେ କେଵଳ ଖାଦ୍ୟ ଓ ଵ୍ୟଵସାୟର ଆଦାନପ୍ରଦାନ କରିନାହୁଁ ଵରଂ ଶବ୍ଦ ମାଧ୍ୟମରେ ନିଜର ଆକାଙ୍କ୍ଷା, ସଂସ୍କୃତି ଓ ସଭ୍ୟତାକୁ ପୃଥିଵୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବୋହି ନେଇଛୁ।
ମାଟିର ଭୌଗୋଳିକ ସୀମାରେଖା, ରାଜନୈତିକ ସାମ୍ରାଜ୍ୟ, ଶାସକଙ୍କ ପତନ ଓ ଶତାବ୍ଦୀ ଶତାବ୍ଦୀର ଭାଷାଗତ ଵ୍ୟଵଧାନକୁ ଅତିକ୍ରମ କରି ସଂସ୍କୃତର ‘ଖଣ୍ଡ’ ଆରବୀର ‘qand’, ପାର୍ସୀର ‘ହଲୱାଇ’ କିମ୍ବା ଲାଟିନ୍ର ‘confection’ ଭାବେ ରୂପାନ୍ତରିତ ହୋଇସାରିଛି। ରାଜାମାନଙ୍କ ଶାସନକାଳ ଶେଷ ହୋଇଯାଇଛି, ପ୍ରାଚୀନ ଵାଣିଜ୍ୟ ପଥସବୁ ସମୟ ସ୍ରୋତରେ ମିଶିଯାଇଛି; କିନ୍ତୁ ଗୋଟିଏ ମିଠା ଖଣ୍ଡର ସ୍ୱାଦ ଚାଖିଵାର ଏଵଂ ସେହି ମିଠାକୁ ଏକାଠି ବାଣ୍ଟିଵାର ଯେଉଁ ଆଦିମ ମାନଵୀୟ ଇଚ୍ଛା, ତାହା ଅପରିଵର୍ତ୍ତିତ ରହିଛି। ଶେଷରେ, ଶବ୍ଦଗୁଡ଼ିକ କେଵଳ ଭାଷାର ଅଂଶ ହୋଇ ରହିନାହାନ୍ତି—ସେଗୁଡ଼ିକ ପାଲଟିଛନ୍ତି ମଣିଷର ନିରନ୍ତର ସମ୍ପର୍କ, ସଂଯୋଗ ଓ ସୀମାହୀନ କଳ୍ପନାଶକ୍ତିର ଜୀଵନ୍ତ ସ୍ମାରକୀ। ଆଜି ଆମେ ଯେତେବେଳେ କୌଣସି ମିଷ୍ଟାନ୍ନର ଆସ୍ବାଦନ କରୁ, ଆମେ କେଵଳ କିଛି ଚିନି କିମ୍ବା ଗୁଡ଼ ଖାଉନାହୁଁ ଵରଂ ମାନଵ ସଭ୍ୟତାର ହଜାର ହଜାର ଵର୍ଷର ଏକ ମିଠା ମହାଯାତ୍ରାକୁ ନିଜ ଓଷ୍ଠରେ ଅନୁଭଵ କରୁ।
No comments:
Post a Comment