ପଣ୍ଡିତମାନେ ଭୁଲ୍ ପ୍ରମାଣିତ ହେଲେ କାରଣ ସେମାନେ ପ୍ରକୃତ ସତ୍ୟର ଅନୁସନ୍ଧାନ ନକରି କେଵଳ ନିଜର ବଦ୍ଧମୂଳ ଧାରଣା ଉପରେ ନିର୍ଭର କରିଥିଲେ। ଏହି ଘଟଣାଟି ପ୍ରମାଣ କରେ ଯେ, ଯେତେବେଳେ କୌଣସି ଵିଷୟ ଦୀର୍ଘକାଳ ଧରି ଲୋକମାନସରେ କିମ୍ବା ସାହିତ୍ୟରେ ନିରଵଚ୍ଛିନ୍ନ ଭାବରେ ପ୍ରଵାହିତ ହେଉଥାଏ, ତାର କିଛି ନା କିଛି ଵାସ୍ତଵ ଭିତ୍ତି ନିଶ୍ଚୟ ରହିଥାଏ। କେଵଳ କିଛି କଠୋର ନିୟମ ଦ୍ୱାରା ତାହାକୁ 'ଭୁଲ୍' ବୋଲି ଆଖ୍ୟା ଦେଇଦେଲେ ସତ୍ୟ ଲୁଚିଯାଏ ନାହିଁ।
ଏହି ଐତିହାସିକ ଦୃଷ୍ଟାନ୍ତଟି ଆମ ମାତୃଭାଷା ଓଡ଼ିଆର ସାହିତ୍ୟରେ ଵ୍ୟଵହୃତ ଏକ ବହୁପ୍ରଚଳିତ ତଥା ବହୁଚର୍ଚ୍ଚିତ ଶବ୍ଦ 'ସଧୀରେ' କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ପ୍ରଯୁଜ୍ୟ ଅଟେ। ଆଧୁନିକ କାଳର କିଛି କଠୋର ଵ୍ୟାକରଣଵିତ୍ ଏଵଂ ନିୟମଵାଦୀ ଭାଷା ସମାଲୋଚକମାନେ ଟ୍ରୟ ନଗରୀକୁ ଅସ୍ୱୀକାର କରୁଥିଵା ସେହି ପଣ୍ଡିତମାନଙ୍କ ଭଳି ଵ୍ୟଵହାର କରିଆସିଛନ୍ତି। ସେମାନେ ନିଜର ସୀମିତ ଵ୍ୟାକରଣିକ ନିୟମର ପରିଧି ଭିତରେ ରହି 'ସଧୀରେ' ଶବ୍ଦକୁ ଏକ ଅଶୁଦ୍ଧ, ଅପଭ୍ରଷ୍ଟ ଏଵଂ ଵ୍ୟାକରଣଦୃଷ୍ଟିରୁ ସମ୍ପୂର୍ଣ୍ଣ ଭୁଲ୍ ଶବ୍ଦ ବୋଲି ଘୋଷଣା କରିଦେଇଛନ୍ତି। ସେମାନଙ୍କର ଏହି ଭୁଲ୍ ଧାରଣା ପଛରେ ଥିଵା ଯୁକ୍ତିଟି ହେଉଛି ଅତ୍ୟନ୍ତ ସାଧାରଣ ଓ ଯାନ୍ତ୍ରିକ। ସେମାନେ କହନ୍ତି ଯେ ମୂଳ ଶବ୍ଦଟି ହେଉଛି 'ଧୀର', ଯାହାର ଅର୍ଥ ହେଉଛି ଧୈର୍ଯ୍ୟଶୀଳ କିମ୍ବା ମନ୍ଥର। ଯେତେବେଳେ କୌଣସି କାର୍ଯ୍ୟ ମନ୍ଥର ଗତିରେ ଵା ଶାନ୍ତ ଭାବରେ କରାଯିଵାର ସୂଚନା ଦିଆଯାଏ, ସେତେବେଳେ ଆମେ ତାହାକୁ କ୍ରିୟାଵିଶେଷଣ ରୂପେ 'ଧୀରେ' ବୋଲି ଲେଖିଥାଉ। ଅନ୍ୟପକ୍ଷରେ, 'ଧୀର' ଶବ୍ଦ ପୂର୍ଵରୁ ଯଦି ଆମେ 'ସ' ଉପସର୍ଗ ଯୋଡ଼ିଦେଉ, ତେବେ ତାହା 'ସଧୀର' ପାଲଟିଯାଏ। ସଂସ୍କୃତ ନିୟମ ଅନୁସାରେ 'ସଧୈର୍ଯ୍ୟ' ରୂପେ ଏହାର ଅର୍ଥ ହେଉଛି ଧୈର୍ଯ୍ୟର ସହିତ। ତେଣୁ ସେମାନଙ୍କର ଯୁକ୍ତି ହେଉଛି, ଯେତେବେଳେ 'ସଧୀର' ଶବ୍ଦ ଭିତରେ ପୂର୍ଵରୁ ହିଁ 'ସହିତ' ଅର୍ଥ ଲୁଚି ରହିଛି, ସେତେବେଳେ ତା' ଶେଷରେ ପୁଣି ଏକ 'ଏ' କାର ଯୋଗ କରି ତାକୁ 'ସଧୀରେ' କହିଵା ଏକ ସମ୍ପୂର୍ଣ୍ଣ ଅନାବଶ୍ୟକ ପ୍ରୟୋଗ।
ଵ୍ୟାକରଣପରିଭାଷାରେ ସେମାନେ ଏହାକୁ ଦ୍ୱିରୁକ୍ତି ଦୋଷ ଵା ବାହୁଲ୍ୟ ଦୋଷ ବୋଲି ଦର୍ଶାନ୍ତି। ଉଦାହରଣ ସ୍ୱରୂପ, ଯେପରି କେହି 'ଆନନ୍ଦରେ' କହିଵା ବଦଳରେ 'ସାନନ୍ଦରେ' କହିଲେ ତାହା ଵ୍ୟାକରଣଦୃଷ୍ଟିରୁ ଭୁଲ୍ ବୋଲି ଧରାଯାଏ, ଠିକ୍ ସେହିପରି 'ଧୀରେ' ସ୍ଥାନରେ 'ସଧୀରେ' ପ୍ରୟୋଗ କରିଵା ଏକ ଭ୍ରମାତ୍ମକ ପ୍ରୟାସ ବୋଲି ସେମାନେ ଯୁକ୍ତି ବାଢ଼ନ୍ତି। ଏହି ପଣ୍ଡିତମାନେ ଆହୁରି ମଧ୍ୟ ଅନୁମାନ କରନ୍ତି ଯେ ପ୍ରାଚୀନ ଓଡ଼ିଆ କଵିମାନେ କେଵଳ ନିଜ କଵିତାର ପାଦ ଵା ଛନ୍ଦ ମେଳାଇଵା ପାଇଁ, ଅକ୍ଷର ସଂଖ୍ୟାକୁ ସମାନ କରିଵା ଉଦ୍ଦେଶ୍ୟରେ ଏଭଳି ଏକ ଶବ୍ଦ ନିଜ ମନରୁ ଗଢ଼ି ଦେଇଥିଲେ। ସେମାନେ ଏହାକୁ କଵିଙ୍କର ନିରଙ୍କୁଶ ସ୍ୱାଧୀନତା ଆଳରେ ଏଡ଼ାଇ ଦେଵାକୁ ଚେଷ୍ଟା କରନ୍ତି।
କିନ୍ତୁ ସେହି ସମାଲୋଚକମାନେ ଗୋଟିଏ ସାଧାରଣ ସତ୍ୟ ଭୁଲିଯାଆନ୍ତି ଯେ, ଭାଷା ଵ୍ୟାକରଣରୁ ଜନ୍ମ ନିଏ ନାହିଁ ଵରଂ ଵ୍ୟାକରଣ ହିଁ ଜୀଵନ୍ତ ଭାଷାର ପ୍ରଵାହରୁ ନିଜର ନିୟମ ସଂଗ୍ରହ କରେ। କୌଣସି ଏକ ଓଡ଼ିଆ ଶବ୍ଦର ଔଚିତ୍ୟ ଓ ପ୍ରାମାଣିକତାକୁ ମାପିଵା ପାଇଁ ଆମକୁ କେଵଳ ଗୋଟିଏ ଯାନ୍ତ୍ରିକ ନିୟମ ଉପରେ ନିର୍ଭର ନକରି ସେହି ଭାଷାର ସର୍ଵଵୃହତ୍ ଅଭିଧାନ ଏଵଂ ତାହାର ଐତିହାସିକ ଵ୍ୟଵହାର ଉପରେ ନିର୍ଭର କରିଵାକୁ ପଡ଼ିଵ। ଏହି ଦିଗରେ ଓଡ଼ିଆ ଭାଷାର ସର୍ଵଶ୍ରେଷ୍ଠ ଏଵଂ ସର୍ଵାଧିକ ପ୍ରାମାଣିକ କୋଷଗ୍ରନ୍ଥ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସମ୍ପାଦିତ 'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ'ର ତଥ୍ୟ ଆମ ଆଖି ଖୋଲିଦିଏ।
ଭାଷାକୋଷରେ 'ସଧୀର' ଏଵଂ 'ସଧୀରେ' ଶବ୍ଦକୁ କେବଳ କୌଣସି ଅପଭ୍ରଷ୍ଟ ବା କାଵ୍ୟିକ କଳ୍ପନା ଭାବରେ ଗ୍ରହଣ କରାଯାଇନାହିଁ, ବରଂ ଦୁଇଟି ପୃଥକ୍ ଏଵଂ ସ୍ୱୀକୃତିପ୍ରାପ୍ତ ଦେଶଜ ଶବ୍ଦ ଭାବରେ ସ୍ଥାନ ଦିଆଯାଇଛି। ଭାଷାକୋଷ ଅନୁସାରେ 'ସଧୀର' ହେଉଛି ଏକ ଦେଶଜ ଵିଶେଷଣ ଯାହାର ସଂସ୍କୃତ ମୂଳ ସଧୈର୍ଯ୍ୟ ଅଟେ ଏଵଂ ଯାହାର ସ୍ପଷ୍ଟ ଅର୍ଥ ହେଉଛି 'ଧୈର୍ଯ୍ୟଶୀଳ' କିମ୍ବା ଇଂରାଜୀରେ Patient । ତା' ସହିତ, ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଶବ୍ଦ ଭାବରେ 'ସଧୀରେ'କୁ ଏକ ଦେଶଜ କ୍ରିୟାଵିଶେଷଣର ମାନ୍ୟତା ଦିଆଯାଇଛି। ଏହାର ଦୁଇଟି ସ୍ପଷ୍ଟ ଅର୍ଥ ମଧ୍ୟ ଉଲ୍ଲେଖ କରାଯାଇଛି: ପ୍ରଥମଟି ହେଲା 'ଧୈର୍ଯ୍ୟ ସହକାରେ' ଏଵଂ ଦ୍ୱିତୀୟଟି ହେଲା 'ଆସ୍ତେ ଆସ୍ତେ କିମ୍ବା ଧୀରେ ଧୀରେ'। ଏହି ପ୍ରମାଣରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ, ଭାଷାକୋଷକାର ମହାଶୟ 'ସଧୀରେ'କୁ କୌଣସି ଦ୍ୱିରୁକ୍ତି ଦୋଷ ବୋଲି ଦର୍ଶାଇ ନାହାନ୍ତି କିମ୍ବା କେଵଳ କଵିଙ୍କର ଛନ୍ଦ-ସୃଷ୍ଟି ବୋଲି ଉପେକ୍ଷା କରିନାହାନ୍ତି। ଅର୍ଥାତ୍, ଏହା ଓଡ଼ିଆ ଭାଷାର ଏକ ନିଜସ୍ୱ, ସ୍ୱାଭାଵିକ ଓ ପାରମ୍ପରିକ ଶବ୍ଦ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଲୋକମାନଙ୍କ ମୁଖରେ ଓ ସାହିତ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି।
ତେବେ ଏହି ସଧୀର ଓ ସଧୀରେ ଶବ୍ଦର ମୂଳ ଏକ ସଂସ୍କୃତ ଶବ୍ଦ “ସଧୈର୍ଯ୍ୟ” ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସଧୈର୍ଯ୍ୟ ଶବ୍ଦଟି ଓଡ଼ିଆର ନିଜସ୍ୱ ନୂଆ ଗଢ଼ା ଶବ୍ଦ ନୁହେଁ ଵରଂ ଏହାର ମୂଳ ସଂସ୍କୃତ ଭାଷାରେ ରହିଛି। ସଂସ୍କୃତରେ ଏହାର ରୂପ ‘सधैर्यम्’ ଏଵଂ କେତେକ ଅଭିଧାନରେ ‘सधैर्य’ ମଧ୍ୟ ଦେଖିଵାକୁ ମିଳେ। କାଳକ୍ରମରେ ଏହି ଶବ୍ଦଟି ଓଡ଼ିଆ ଭାଷାରେ ପ୍ରଵେଶ କରି ନିଜର ମୂଳ ଅର୍ଥକୁ ସମ୍ପୂର୍ଣ୍ଣ ହରାଇନଥିଲେ ହେଁ, ଏହାର ଅର୍ଥରେ ଏକ ସାମାନ୍ୟ ପରିଵର୍ତ୍ତନ ଵା ଅର୍ଥ-ଵିଶେଷୀକରଣ ଘଟିଛି।
ସଂସ୍କୃତର ପ୍ରସିଦ୍ଧ ମୋନିୟର୍-ୱିଲିୟମ୍ସ ସଂସ୍କୃତ-ଇଂରାଜୀ ଅଭିଧାନରେ ‘सधैर्यम्’କୁ ଏକ ଅଵ୍ୟୟ ଭାବରେ ଗ୍ରହଣ କରାଯାଇ ଏହାର ଅର୍ଥ ‘ଦୃଢ଼ତା ସହିତ’, ‘ଦୃଢ଼ ଭାବରେ’ ଓ ‘ଗମ୍ଭୀର ଭାବରେ’ ବୋଲି ଦର୍ଶାଯାଇଛି। ଅର୍ଥାତ୍ ସଂସ୍କୃତରେ ଏହି ଶବ୍ଦଟିର ଅର୍ଥକ୍ଷେତ୍ର କେଵଳ ଧୈର୍ଯ୍ୟ ମଧ୍ୟରେ ସୀମିତ ନଥିଲା ଵରଂ ଦୃଢ଼ତା, ସ୍ଥିରତା ଓ ଗମ୍ଭୀରତା ସହିତ କୌଣସି କାର୍ଯ୍ୟ କରିଵାର ଭାବ ମଧ୍ୟ ଏଥିରେ ନିହିତ ଥିଲା। ସେହିପରି Schmidt ସଂସ୍କୃତ ଜର୍ମାନ୍ ଅଭିଧାନରେ ‘सधैर्य’କୁ ଏକ ଵିଶେଷଣ ପଦ ଭାବରେ ଦର୍ଶାଇ ଏହାର ଜର୍ମାନ ଅର୍ଥ ‘fest’ ଅର୍ଥାତ୍ ଦୃଢ଼, ସ୍ଥିର ଵା ଅଚଳ ବୋଲି ଉଲ୍ଲେଖ କରାଯାଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ, ସଂସ୍କୃତରେ ଶବ୍ଦଟିର ମୂଳ ଭାବ ଥିଲା ଧୈର୍ଯ୍ୟ ଓ ମାନସିକ ସ୍ଥିରତାରୁ ଉତ୍ପନ୍ନ ଦୃଢ଼ତା।
କିନ୍ତୁ ଓଡ଼ିଆ ଭାଷାରେ ଶବ୍ଦଟିର ପ୍ରଵେଶ ପରେ ତାହାର ଅର୍ଥ ଅଧିକ ନିର୍ଦ୍ଦିଷ୍ଟ ହୋଇଯାଇଛି। ଓଡ଼ିଆ ଅଭିଧାନଗୁଡ଼ିକରେ ସଧୈର୍ଯ୍ୟ ଶବ୍ଦକୁ ଏକ ଦେଶଜ କ୍ରିୟାଵିଶେଷଣ ଭାବରେ ଗ୍ରହଣ କରାଯାଇ ଏହାର ଅର୍ଥ ‘ଧୀରତା ସହକାରେ’ ଏଵଂ ‘ଧୈର୍ଯ୍ୟ ସହକାରେ’ ବୋଲି ପ୍ରଦାନ କରାଯାଇଛି(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ- ପୃ. ୮୦୭୯) । ଯେତେବେଳେ କୌଣସି ସଂସ୍କୃତ ମୂଳର ଶବ୍ଦ ଓଡ଼ିଆ ଭାଷାରେ ସ୍ଵତନ୍ତ୍ର ଅର୍ଥରେ ଵ୍ୟଵହୃତ ହୁଏ ତାହାର ସେହି ଅର୍ଥ ଘେନି ତାକୁ ଦେଶଜ ରୂପେ ଗ୍ରହଣ କରାଯାଏ । ଉଦାହରଣ ସ୍ଵରୂପ 'ଘର' ଏକ ସଂସ୍କୃତ ଶବ୍ଦ ଯାହାର ମୁଖ୍ୟ ଅର୍ଥ ଗୃହ କିନ୍ତୁ ଓଡ଼ିଆ ଭାଷାରେ ଏହାର ଅନେକ ଦେଶଜ ଵ୍ୟଵହାର ଅଛି ଏମନ୍ତକି ହାତୀ ଘୋଡ଼ା ବହୁମୂଲ୍ୟର ଜୀଵ ହୋଇଥିଵାରୁ ଲୋକେ ଏତେ ଗୋଟା ହାତୀ ଵା ଘୋଡ଼ା ନ କହି ଏତେ ଘର ହାତୀ ଵା ଘୋଡ଼ା ବୋଲି କହନ୍ତି(ଯଥା—ଆମ ରଜାଙ୍କର ଦୁଇଘର ହାତୀ ଅଛନ୍ତି।)। ଏ କ୍ଷେତ୍ରରେ ଘର ଶବ୍ଦଟି ଆଉ ସଂସ୍କୃତ ଶବ୍ଦ ନୁହେଁ ଵରଂ ଓଡ଼ିଆ ଦେଶଜ ଶବ୍ଦ ରୂପେ ଉଲ୍ଲେଖ କରାଯାଏ ।
ତେବେ ସଧୈର୍ଯ୍ୟ ଶବ୍ଦର ଅପେକ୍ଷାକୃତ ଵ୍ୟାପକ ସଂସ୍କୃତ ଅର୍ଥଗୁଡ଼ିକ (ଯଥା: ଦୃଢ଼ତା ସହିତ ଵା ଗମ୍ଭୀର ଭାବରେ) ଓଡ଼ିଆରେ କ୍ରମେ ସଂକୁଚିତ ହୋଇ କେଵଳ ଧୀରତାର ସହିତ ଓ ଧୈର୍ଯ୍ୟର ସହିତ ଅର୍ଥରେ ପ୍ରମୁଖ ହୋଇପାରିଛି। ଭାଷାଵିଜ୍ଞାନ ଦୃଷ୍ଟିରୁ ଏହାକୁ ଏକ ପ୍ରକାରର ଅର୍ଥ-ସଂକୋଚନ ଵା ଅର୍ଥ-ଵିଶେଷୀକରଣ (semantic narrowing) କୁହାଯାଇପାରେ।
ଅତଏଵ ସାମଗ୍ରିକ ଭାବେ ଵିଚାର କଲେ, ସଂସ୍କୃତର “ସଧୈର୍ଯ୍ୟ” ଶବ୍ଦଟି ଓଡ଼ିଆରେ ଆସି ନିଜର ମୂଳ ଭାବ ଯଥା ସ୍ଥିରତା ଓ ଧୈର୍ଯ୍ୟକୁ ବଜାୟ ରଖିଛି, କିନ୍ତୁ ଦୃଢ଼ତା ଓ ଗମ୍ଭୀରତା ପରି ଵ୍ୟାପକ ଅର୍ଥଗୁଡ଼ିକ ପଛକୁ ଛାଡ଼ିଦେଇ ଓଡ଼ିଆ ଭାଷାରେ ଏହା ମୁଖ୍ୟତଃ ‘ଧୀରତା ସହକାରେ’ କିମ୍ବା ‘ଧୈର୍ଯ୍ୟ ସହକାରେ’ ଅର୍ଥରେ ହିଁ ବହୁଳ ଭାବରେ ପ୍ରଚଳିତ ହେଉଛି।
ଯେତେବେଳେ ଏହି ସଧୈର୍ଯ୍ୟ ଶବ୍ଦଟି ଆହୁରି ସରଳ ହୋଇ ଓଡ଼ିଆ ଭାଷାରେ ସଧୀର ଓ ସଧୀରେ ହେଲା ସେତେବେଳେ ସାହିତ୍ୟିକମାନେ ତାକୁ ବହୁଳ ଭାବରେ ଵ୍ୟଵହାର କଲେ । ଵିଶେଷତଃ ସଧୀରେ ଶବ୍ଦ ବହୁଳ ଭାବରେ ଵ୍ୟଵହାର କରାଗଲା ।
ଏହି ସଧୀରେ ଶବ୍ଦର ପ୍ରକୃତ ଶକ୍ତି ଏଵଂ ଵ୍ୟାପକ ଗ୍ରହଣୀୟତାକୁ ହୃଦୟଙ୍ଗମ କରିଵାକୁ ହେଲେ ଆମକୁ ଓଡ଼ିଆ ସାହିତ୍ୟର ସମୃଦ୍ଧ ଇତିହାସ ଏଵଂ ମହାକଵିମାନଙ୍କର କାଳଜୟୀ ସୃଷ୍ଟିର ପୃଷ୍ଠା ଉଲ୍ଲେଖ କରିଵାକୁ ପଡ଼ିଵ। ଆଦିକଵି ସାରଳା ଦାସଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ଯୁଗର ଶ୍ରେଷ୍ଠ ସ୍ରଷ୍ଟାମାନେ ଏହି ଶବ୍ଦକୁ ନିଜର ରଚନାରେ ସସମ୍ମାନେ ସ୍ଥାନ ଦେଇଛନ୍ତି। ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସ ତାଙ୍କର ଅମର କୃତି 'ସାରଳା ମହାଭାରତ'ରେ ଵର୍ଣ୍ଣନା କରିଛନ୍ତି,
"ମୁଖେ ପାଣି ସିଞ୍ଚିଣ ସେ ସଚେତ କରାଇ ସଧୀରେ ଵଚନ ସେ ଯେ ସ୍ୱାମୀକି ଭାଷଇ ।"
ସାରଳା ଦାସଙ୍କ ଭାଷା ଥିଲା ଖାଣ୍ଟି ମାଟିର ଭାଷା, ସାଧାରଣ କୃଷକ ଓ ପଲ୍ଲୀଵାସୀଙ୍କ ଭାଷା। ସେ କୌଣସି ସଂସ୍କୃତ ଵ୍ୟାକରଣର କଠୋର ଛାଞ୍ଚରେ ବାନ୍ଧି ହୋଇ ନଥିଲେ। ମୁର୍ଚ୍ଛା ଯାଇଥିଵା ଵ୍ୟକ୍ତିର ମୁହଁରେ ପାଣି ସିଞ୍ଚି ଚେତା କରାଇଵା ପରେ ଅତି ସ୍ନେହ, ଧୈର୍ଯ୍ୟ ଏଵଂ ଯତ୍ନର ସହିତ ସ୍ୱାମୀଙ୍କୁ କଥା କହିଵାର ଯେଉଁ ଆଵେଗପୂର୍ଣ୍ଣ ଚିତ୍ର ଏଠାରେ ରହିଛି, ତାହାକୁ 'ସଧୀରେ' ଶବ୍ଦଟି ଅତ୍ୟନ୍ତ ଜୀଵନ୍ତ କରିପାରିଛି।
ତାଙ୍କ ପରଵର୍ତ୍ତୀ ସମୟରେ, ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ପଞ୍ଚସଖା ଯୁଗରେ ଏହି ଶବ୍ଦର ବହୁଳ ଆଦୃତି ଦେଖିଵାକୁ ମିଳେ। ଓଡ଼ିଆ ଜାତିର ପରମ ଆରାଧ୍ୟ ଗ୍ରନ୍ଥ ଶ୍ରୀମଦ୍ ଭାଗଵତର ସ୍ରଷ୍ଟା ଅତିବଡ଼ୀ ଜଗନ୍ନାଥ ଦାସ ତାଙ୍କର ତୃତୀୟ ସ୍କନ୍ଧରେ ଲେଖିଛନ୍ତି,
"ଦେଖିଲି ସରସ୍ୱତୀତୀରେ ।
ଏକାନ୍ତ-ଆସନ ସଧୀରେ ॥
ଶ୍ୟାମସୁନ୍ଦର ତନୁ ଵର୍ଣ୍ଣ । ପ୍ରଶାନ୍ତ-ଅରୁଣଲୋଚନ ॥"
ଭାଗଵତର ସୁଲଳିତ ନଵାକ୍ଷରୀ ଵୃତ୍ତରେ ଭଗଵାନଙ୍କର ଶାନ୍ତ, ପ୍ରଶାନ୍ତ ଏଵଂ ଧ୍ୟାନମଗ୍ନ ରୂପକୁ ଵର୍ଣ୍ଣନା କରିଵା ବେଳେ ଏକାନ୍ତ ଆସନରେ ଅତି ଧୀରସ୍ଥିର ଭାବରେ ବସିଵାର ଯେଉଁ ଗାମ୍ଭୀର୍ଯ୍ୟ ରହିଛି, ତାହାକୁ ଜଗନ୍ନାଥ ଦାସ 'ସଧୀରେ' ମାଧ୍ୟମରେ ହିଁ ପ୍ରକାଶ କରିଛନ୍ତି। ଏଵଂ କେଵଳ ଏହି ଗୋଟିଏ ସ୍ଥାନରେ ନୁହେଁ ଵରଂ ଭାଗଵତର ଅନେକ ସ୍ଥାନରେ ଏହି ସଧୀରେ ଶବ୍ଦଟି ଵ୍ୟଵହାର କରାଯାଇଛି ।
ସେହିପରି ବଳରାମ ଦାସ ତାଙ୍କର ଲୋକପ୍ରିୟ ରଚନା 'ମାଣବସା ଲକ୍ଷ୍ମୀପୁରାଣ'ରେ ଦେଵୀ ଲକ୍ଷ୍ମୀଙ୍କର ସ୍ନେହପୂର୍ଣ୍ଣ ଵଚନକୁ ଉଦ୍ଧାର କରି ଲେଖିଛନ୍ତି,
"ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ।
ଶୁଣ ସାଧଵାଣୀ ଵ୍ୟତ ହୁଏ ଏ ଵିଧିରେ ।"
ଲକ୍ଷ୍ମୀପୁରାଣ ଭଳି ଏକ ପଵିତ୍ର ଓଷାବ୍ରତ କଥାରେ ଦେଵୀଙ୍କର କଥା କହିଵାର କୋମଳ ଓ ଶାନ୍ତ ଢଙ୍ଗକୁ ଏହି ଶବ୍ଦଟି ପରିପୂର୍ଣ୍ଣତା ପ୍ରଦାନ କରିଛି। ବଳରାମ ଦାସଙ୍କ ଅନ୍ୟ ଏକ ଶ୍ରେଷ୍ଠ କୃତି 'ବଟ ଅବକାଶ'ରେ ମଧ୍ୟ ପ୍ରଭୁଙ୍କର ବିଜେ କରିଵା ଦୃଶ୍ୟ ଵର୍ଣ୍ଣିତ ହୋଇଛି,
"ଵିଭୀଷଣ ଵଚନ ପ୍ରଭୁ ମନରେ ସୁମରି । ଗରୁଡ଼ ପିଠିରେ ପ୍ରଭୁ ସଧୀରେ ବିଜେ କରି ।"
ଶ୍ରୀରାମଚନ୍ଦ୍ରଙ୍କର ଗରୁଡ଼ ପୃଷ୍ଠରେ ଶାନ୍ତ, ଧୈର୍ଯ୍ୟଵାନ୍ ଓ ଗମ୍ଭୀର ଭାବରେ ଆରୋହଣ କରିଵା ଅଵସ୍ଥାକୁ ଏହା ଦର୍ଶାଉଛି। ପଞ୍ଚସଖା ଯୁଗର ଅନ୍ୟତମ ମହାନ ସାଧକ ଅଚ୍ୟୁତାନନ୍ଦ ଦାସ ମଧ୍ୟ ତାଙ୍କର 'ଜଗନ୍ନାଥ ତତ୍ତ୍ୱ ଚଉତିଶା'ରେ ମହାପ୍ରଭୁଙ୍କ ଦର୍ଶନ ଵିଷୟରେ ଲେଖିଛନ୍ତି,
"ଛାମୁ ଦର୍ଶନକୁ ବାଟ ପଡ଼ିଛି ସଧୀରେ ଜଗନ୍ନାଥ ମହାପ୍ରଭୁ ସିଂହାସନ ପରେ ।"
ଆଉ ତାଙ୍କର 'ହରିଵଂଶ' ଗ୍ରନ୍ଥରେ ଉଲ୍ଲେଖ ଅଛି,
"ନିତ୍ୟକର୍ମ ସାରିଵାରୁ ଉଛୁର ଯେ ବେଳ ସଧୀରେ ଚଳନ୍ତି ମହାଦେଈ ପ୍ରାତଃକାଳ ।"
ଏଠାରେ ମହାଦେଈଙ୍କର ଚାଲିଵାର ମନ୍ଥରତା ଓ ରାଜକୀୟ ଶାଳୀନତା ପ୍ରକାଶ କରିଵା ପାଇଁ ଏହି ଶବ୍ଦର ପ୍ରୟୋଗ ହୋଇଛି। ଯଦି ଏହି ଶବ୍ଦଟି ଵ୍ୟାକରଣଦୃଷ୍ଟିରୁ ଏତେ ବଡ଼ ଦୋଷ ହୋଇଥାନ୍ତା, ତେବେ ଷୋଡ଼ଶ ଶତାବ୍ଦୀର ଏତେଗୁଡ଼ିଏ ଵିଶିଷ୍ଟ ଧର୍ମଗ୍ରନ୍ଥ ଓ କାଵ୍ୟରେ ଏହାର ବାରମ୍ବାର ପ୍ରୟୋଗ କେବେହେଲେ ହୋଇପାରିନଥାନ୍ତା।
ଏହା ପରେ ଆସେ ଓଡ଼ିଆ ସାହିତ୍ୟର ରୀତିଯୁଗ ଵା ଭଞ୍ଜଯୁଗ, ଯେତେବେଳେ କି କାଵ୍ୟର ଶବ୍ଦବିନ୍ୟାସ, ଅଳଙ୍କାର ଏଵଂ ଵ୍ୟାକରଣଗତ ଉତ୍କର୍ଷତା ତାର ଶୀର୍ଷରେ ପହଞ୍ଚିଥିଲା। ଏହି ଯୁଗର କଵିମାନେ ଶବ୍ଦ ଓ ଵ୍ୟାକରଣ ଵିଷୟରେ ଅତ୍ୟନ୍ତ ସଚେତନ ଥିଲେ। କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ଜଣେ ପ୍ରକାଣ୍ଡ ପଣ୍ଡିତ ଏଵଂ ଶବ୍ଦର ଯାଦୁକର ମଧ୍ୟ ତାଙ୍କର ଶ୍ରେଷ୍ଠ କାଵ୍ୟ 'ଵୈଦେହୀଶ ଵିଳାସ'ରେ 'ସଧୀରେ' ଶବ୍ଦକୁ ଅତ୍ୟନ୍ତ ସମ୍ମାନର ସହ ଅନେକ ସ୍ଥାନରେ ଵ୍ୟଵହାର କରି ଗ୍ରହଣ କରିଛନ୍ତି। ଵୈଦେହୀଶ ଵିଳାସର ଏକ ସ୍ଥାନରେ ସେ ଲେଖିଛନ୍ତି,
"ବନାଳୀ ପ୍ରଭୁ କରିଣ କର ସମ୍ଭାଵନା ଯେ । ଵ୍ୟାଘ୍ରଗତିରେ ସଧୀରେ କହନ୍ତି ଵୀର ସେ ।"
ଏଠାରେ ଵୀରତ୍ୱର ଦର୍ପ ସହିତ ଯେଉଁ ଧୈର୍ଯ୍ୟ ଏଵଂ ଗାମ୍ଭୀର୍ଯ୍ୟର ମିଶ୍ରଣ ରହିଛି, ତାହା ଵର୍ଣ୍ଣନାତୀତ। ସେହିପରି ଅନ୍ୟ ଏକ ପଦରେ ସେ ଵର୍ଣ୍ଣନା କରିଛନ୍ତି,
"ବଞ୍ଚିଲାଇଁ ତୋଷ ରଚି ଵାନରେ ସଧୀରେ ନାଚି ରଣସ୍ଥାନେ ପୁଷ୍ପସିଞ୍ଚି ବିଲୋକି ସୁରେ ।"
ରଣକ୍ଷେତ୍ରରେ ଵାନରମାନଙ୍କର ଆନନ୍ଦ ଉଲ୍ଲାସ ମଧ୍ୟରେ ଥିଵା ଧୀରସ୍ଥିର ନୃତ୍ୟର ଏକ ସୁନ୍ଦର ଦୃଶ୍ୟ ଏଠାରେ ଅଙ୍କିତ ହୋଇଛି। ଉପେନ୍ଦ୍ର ଭଞ୍ଜଙ୍କ ଭଳି ଜଣେ ଵ୍ୟାକରଣ-ନିଷ୍ଠାଵାନ୍ କଵି କେବେହେଲେ ଏକ ଭୁଲ୍ ଶବ୍ଦକୁ ନିଜର ସର୍ଵଶ୍ରେଷ୍ଠ କାଵ୍ୟରେ ସ୍ଥାନ ଦେଵାର କଳ୍ପନା ମଧ୍ୟ କରାଯାଇନପାରେ।
ସେହି ଯୁଗର ଅନ୍ୟତମ କଵି ଦୀନକୃଷ୍ଣ ଦାସ ତାଙ୍କର 'ରସ କଲ୍ଲୋଳ'ରେ ଅତି ଚମତ୍କାର ଭାବରେ ଲେଖିଛନ୍ତି,
"କେମନ୍ତ ମନ୍ଦ, ହସ କହିଵା ଚତୁରତା କେମନ୍ତ ପ୍ରକାରେ ନାଚଇ ସଧୀରେ କାମଧନୁଜିତା ଭ୍ରୂଲତା ।"
ନାୟିକାର ଭ୍ରୂଲତାର ଧୀର, ମନ୍ଥର ଏଵଂ ଆକର୍ଷଣୀୟ ଚାଳନାକୁ ପ୍ରକାଶ କରିଵାକୁ ଯାଇ ଦୀନକୃଷ୍ଣ 'ସଧୀରେ' ଶବ୍ଦଟି ବାଛିଛନ୍ତି, ଯାହାକି ଶବ୍ଦଗତ ମାଧୁର୍ଯ୍ୟରେ ପରିପୂର୍ଣ୍ଣ। ଏହା ସହିତ ଭକ୍ତ କଵି ଭକ୍ତ ଚରଣ ଦାସଙ୍କ 'କଳା କଳେବର ଚଉତିଶା'ର ପଦ ରହିଛି
"ସଧୀରେ ପଵନ ବହଇ ସରୁ କଟିମେଖଳା , ଶିବ ଡ଼ମରୁ କି କୈଳାସୁଁ ଶ୍ୟାମ ବଦନ କଳା"
ଏଵଂ ଏହି ପଦକୁ ଵିଚାର କଲେ ମୃଦୁମନ୍ଦ ସମୀରଣର ଶାନ୍ତ ପ୍ରଵାହ ଅନୁଭୂତ ହୁଏ। ନାଥ ଧର୍ମାଵଲମ୍ବୀ ଯୋଗୀନ୍ଦ୍ର ଵିପ୍ର ତାଙ୍କର 'ଟୀକା ଗୋବିନ୍ଦ ଚନ୍ଦ୍ର'ରେ ସଧୀରେ ଶବ୍ଦଟି ଵ୍ୟଵହାର କରି ଲେଖିଛନ୍ତି
"କୈଳାସ କନ୍ଦରେ ପ୍ରଵେଶ ହୋଇଣ ତହିଁ ନିଶ୍ଚିନ୍ତେ ରହିଲେ,
ଗୋଵିନ୍ଦକୁ ଚାହିଁ ମୁକ୍ତାଦେଇ ରାଣୀ ସଧୀରେ ଵଚନ ବୋଲେ ॥"
ଏଵଂ ଏଠାରେ କଵି ରାଣୀଙ୍କର ଧୈର୍ଯ୍ୟପୂର୍ଣ୍ଣ ଵାକ୍ୟାଳାପକୁ ପ୍ରକାଶ କରିଛନ୍ତି।
ଆମର ସାମାଜିକ ଜୀଵନ ସହ ଜଡ଼ିତ ଗୋପୀନାଥ ଦାସଙ୍କ 'ଖୁଦୁରୁକୁଣୀ ଓଷା'ରେ ମଧ୍ୟ ଵର୍ଣ୍ଣନା ଅଛି,
“ସୁଵର୍ଣ୍ଣ କଳସ ପୀଢ଼ାରେ ।
ପତାକା ଉଡ଼ଇ ସଧୀରେ ॥
ଧନ୍ୟ ସେ ନଗର ଉତ୍ତମ ।
ସମସ୍ତ ଘର ଲୋକ ସମ ॥”
ଏଵଂ ଏଠାରେ ଶାନ୍ତ ପଵନରେ ପତାକା ଆସ୍ତେ ଆସ୍ତେ ଉଡ଼ିଵାର ଚିତ୍ର ଉପସ୍ଥାପିତ।
ପ୍ରାଚୀନ ଏଵଂ ମଧ୍ୟଯୁଗର କାଵ୍ୟକଵିତା ପରେ ଉନଵିଂଶ ଶତାବ୍ଦୀର ମହିମା ଧର୍ମର ମହାକଵି ଭୀମଭୋଇ ମଧ୍ୟ ନିଜର ଦର୍ଶନରେ ଏହି ଶବ୍ଦର ମହତ୍ତ୍ୱକୁ ସ୍ୱୀକାର କରିଛନ୍ତି। ତାଙ୍କର 'ପରଚେ ହୋଇ ପାରିଲେ' ଭଜନରେ ସେ ଉଦଘୋଷଣା କରିଛନ୍ତି,
"ବ୍ରହ୍ମ ଅନଳ ଦିହୁଡି ଜାଳି ଫିଟାଅ କୁହୁଡି ଅର୍ଗଳୀ କବାଟ ଫିଟିଯିଵ ସଧୀରେ ।"
ଅଜ୍ଞାନର ଅନ୍ଧକାର ଦୂର ହେଲେ କିପରି ଜ୍ଞାନର ଆଲୋକ ଧୀରେ ଧୀରେ ଉନ୍ମୋଚିତ ହୁଏ, ଏହି ଗଭୀର ଆଧ୍ୟାତ୍ମିକ ଭାବନା ଏହି ପଦରେ ନିହିତ। ସେହିପରି ତାଙ୍କର 'ଚଉତିଶା ମଧୁଚକ୍ର'ରେ ସେ ଲେଖିଛନ୍ତି,
"ସତ ଶାନ୍ତି ଦୟା କ୍ଷମା ନ ପାଳି... ସଧୀରେ ସୁନ୍ଦର ରୂପକୁ ଚାହିଁ ସେ, ସରିଲାଣି ସର୍ଵ ଆସି ଯେ ।"
ଭୀମଭୋଇ ଯିଏକି ନିଜର ସହଜ ସରଳ ଏଵଂ ଲୋକମୁଖର ଭାଷା ପାଇଁ ପରିଚିତ ଥିଲେ, ତାଙ୍କ ଦ୍ୱାରା ଏହି ଶବ୍ଦର ପ୍ରୟୋଗ ପ୍ରମାଣ କରେ ଯେ ଏହା ସାଧାରଣ ଜନଜୀଵନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ଥିଲା। କେଵଳ ସେତିକି ନୁହେଁ, ଆଧୁନିକ ଜାତୀୟତାଵାଦୀ ସାହିତ୍ୟର ଅନ୍ୟତମ କର୍ଣ୍ଣଧାର ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ପ୍ରସିଦ୍ଧ କଵିତା 'କାଠଯୋଡ଼ି ତୀରେ ସନ୍ଧ୍ୟା'ରେ ଲେଖିଛନ୍ତି,
"କ୍ରମେ କ୍ରମେ ଏବେ ହୋଇଲା ଆସି ମୁହଁ ଅନ୍ଧାରି, କଳନାଚ ରଚି ସଧୀରେ ବହେ ତଟିନୀ-ଵାରି ।"
ଗୋପବନ୍ଧୁଙ୍କ ପରି ଜଣେ ଉଚ୍ଚଶିକ୍ଷିତ ତଥା ସଂସ୍କୃତ ଓ ଓଡ଼ିଆରେ ଅଗାଧ ପାଣ୍ଡିତ୍ୟ ଥିଵା ଵ୍ୟକ୍ତି ଯଦି ଏହି ଶବ୍ଦକୁ ନିଜର କଵିତାରେ ସ୍ଥାନ ଦେଇଛନ୍ତି, ତେବେ ଏହାକୁ ଭୁଲ୍ କହିଵା କିପରି ସମୀଚୀନ ହେଵ? ଯଦି ଏହା କେଵଳ ଏକ ଛନ୍ଦଗତ ଦୋଷ କିମ୍ବା ଵ୍ୟାକରଣିକ ଭୁଲ୍ ହୋଇଥାନ୍ତା, ତେବେ ଛଅ ଶହ ଵର୍ଷ ଧରି ଵିଭିନ୍ନ ଯୁଗର ଏତେଜଣ ଵିଶିଷ୍ଟ କଵି ଏହାକୁ କ୍ରମାଗତ ଭାବରେ ଵ୍ୟଵହାର କରିନଥାନ୍ତେ।
ଗୋଟିଏ ଵା ଦୁଇଟି କଵିତାରେ ସଧୀରେ ଶବ୍ଦଟି ଆସିଥିଲେ ଆମେ ତାହାକୁ ସାମୟିକ କଳ୍ପନା ବୋଲି ମାନିନେଇଥାନ୍ତେ, କିନ୍ତୁ ଯେତେବେଳେ ଭିନ୍ନ ଭିନ୍ନ ସମୟର, ଭିନ୍ନ ଭିନ୍ନ ଶୈଳୀର ଶ୍ରେଷ୍ଠ ସ୍ରଷ୍ଟାମାନେ ଏହାକୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ସୁସଙ୍ଗତ ଭାବରେ ଵ୍ୟଵହାର କରିଆସିଛନ୍ତି, ସେତେବେଳେ ଏହାର ଐତିହାସିକ ଵୈଧତା ଅସ୍ୱୀକାର୍ଯ୍ୟ ହୋଇଯାଏ। ଵାସ୍ତଵରେ ଓଡ଼ିଆ ଭାଷାର ଗଠନ ଏଵଂ ଵିକାଶ କେବଳ ସଂସ୍କୃତ ଵ୍ୟାକରଣ ଉପରେ ଆଧାରିତ ନୁହେଁ ଵରଂ ଏଥିରେ ପାଲି, ପ୍ରାକୃତ, ଉଡ୍ରପ୍ରାକୃତ ଏଵଂ ଅପଭ୍ରଂଶର ଵ୍ୟାପକ ପ୍ରଭାବ ରହିଛି। ଭାଷାର ନିଜସ୍ୱ ଏକ ପ୍ରଵାହ ଥାଏ ଏଵଂ ଶବ୍ଦର ଅର୍ଥ ଓ ଵ୍ୟଵହାର ସେହି ପ୍ରଵାହ ଅନୁଯାୟୀ ରୂପାନ୍ତରିତ ହୁଏ। 'ସଧୀରେ' ଶବ୍ଦଟି ସେହିଭଳି ଏକ ସ୍ୱାଭାଵିକ ପ୍ରକ୍ରିୟା ଦେଇ ଗତି କରି ଆଜି ଏକ ମାନ୍ୟତାପ୍ରାପ୍ତ ଶବ୍ଦ ରୂପେ ଦଣ୍ଡାୟମାନ।
ସବୁଠାରୁ ବଡ଼ କଥା ହେଲା ଓଡ଼ିଆ ଦେଶଜ ଶବ୍ଦ ରୂପେ ଗୃହୀତ ଓ ଵ୍ୟଵହୃତ ଶବ୍ଦଗୁଡ଼ିକୁ ଭୁଲ୍ କିମ୍ବା ଅଶୁଦ୍ଧ ବୋଲାଯାଏ ନାହିଁ । ସଧୀରେ ଶବ୍ଦଟି ସଂସ୍କୃତ ମୂଳର ସୈଧର୍ଯ୍ୟ ଶବ୍ଦରୁ ଆସିଥିଵାରୁ ଏହାକୁ ଏକ ଓଡ଼ିଆ ଦେଶଜ ରୂପେ ହିଁ ଗ୍ରହଣ କରାଯିଵା ଉଚିତ୍ । ଯଦି ସଂସ୍କୃତ ମୂଳର ସବୁ ଓଡ଼ିଆ ଦେଶଜ ଶବ୍ଦଗୁଡ଼ିକୁ ଵ୍ୟାକରଣ ଦୃଷ୍ଟିରୁ ଅଶୁଦ୍ଧ ଵା ଭୁଲ୍ ଶବ୍ଦ ବୋଲି କହିଵା ତେବେ ଗାଈ(ଗାଭୀ),ଆମ୍ବ(ଆମ୍ର),ବଣ(ଵନ),ଅକୁଟା(ଅକୁଟ୍ଟିତ),ହିଞ୍ଜିଡ଼ା(ହୀନଜଟା),ନିକାଞ୍ଚନ(ନିଷ୍କାଞ୍ଚନ) ଓ ଯାଉଁଳି(ଯୁଗଳ) ଆଦି ଶବ୍ଦଗୁଡ଼ିକୁ ମଧ୍ୟ ଅଶୁଦ୍ଧ ବୋଲିଵାକୁ ପଡ଼ିଵ । ଯଦି ଏମନ୍ତ ଅନ୍ଧ ଭାବରେ ଏ ସମସ୍ତ ଓଡ଼ିଆ ଶବ୍ଦଗୁଡ଼ିକୁ ଅଶୁଦ୍ଧ ବୋଲି ତ୍ୟାଗ କରିଦିଆଯାଏ ତେବେ ଆମ ଭାଷାରେ ଆଉ କେଉଁ ଶବ୍ଦ ରହିଯିଵ ?
ତେଣୁ, ଆଧୁନିକ ଵ୍ୟାକରଣର ଏକ ସଙ୍କୁଚିତ ନିୟମକୁ ଅସ୍ତ୍ର କରି ଏତେ ବଡ଼ ଐତିହାସିକ ପ୍ରମାଣ ଥିଵା ଶବ୍ଦକୁ ଅଶୁଦ୍ଧ କହିଵା ଭାଷାର ପ୍ରକୃତ ଇତିହାସକୁ ଅପମାନିତ କରିଵା ସହ ସମାନ। ଏହା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ, ଅର୍ଥପୂର୍ଣ୍ଣ ଏଵଂ ଓଡ଼ିଆ ଭାଷାର ଗୌରଵୋଜ୍ଜ୍ୱଳ ପରମ୍ପରାର ପ୍ରତୀକ ଅଟେ।
ଯେପରି ମାଟି ତଳୁ ଉଦ୍ଧାର ହୋଇଥିଵା ଟ୍ରୟ ନଗରୀର ସତ୍ୟତା ଦିନେ ପଣ୍ଡିତମାନଙ୍କର ବୌଦ୍ଧିକ ଅହଙ୍କାରକୁ ଧୂଳିସାତ୍ କରିଦେଇଥିଲା, ଠିକ୍ ସେହିପରି ଓଡ଼ିଆ ସାହିତ୍ୟର ପୃଷ୍ଠାରୁ ମିଳୁଥିଵା ଏହି ଅକାଟ୍ୟ ପ୍ରମାଣଗୁଡ଼ିକ କଠୋର ଵ୍ୟାକରଣଵିତ୍ଙ୍କ ସଂକୀର୍ଣ୍ଣ ଯୁକ୍ତିକୁ ଖଣ୍ଡନ କରେ। ହୋମରଙ୍କ ମହାକାଵ୍ୟ ପରି ଆମ ମହାକଵିମାନଙ୍କ ରଚନା ଏଵଂ ଭାଷାକୋଷ ହିଁ ଏଠାରେ ସେହି 'ଖନନ-ସତ୍ୟ', ଯାହା ସ୍ପଷ୍ଟ ପ୍ରମାଣ କରେ ଯେ କୌଣସି ଯାନ୍ତ୍ରିକ ନିୟମ ଏକ ଜୀଵନ୍ତ ଭାଷାର ଐତିହାସିକ ପ୍ରଵାହକୁ କେବେହେଲେ ମିଥ୍ୟା ସାଵ୍ୟସ୍ତ କରିପାରିଵ ନାହିଁ ।
No comments:
Post a Comment