ଭାଷା କେଵଳ ସଂକେତ କିମ୍ବା ମନର ଭାବ ପ୍ରକାଶ କରିଵାର ମାଧ୍ୟମ ନୁହେଁ, ଏହା ଏକ ଜାତିର ଚିନ୍ତାନାୟକତା, ସଂସ୍କୃତି ଓ ସଂଵେଦନଶୀଳତାର ଜୀଵନ୍ତ ସ୍ଵର ଅଟେ । ପ୍ରତିଟି ଭାଷାର ନିଜସ୍ଵ ଗଠନପ୍ରଣାଳୀ, ପ୍ରକୃତି ଓ ଅନ୍ତର୍ନିହିତ ଦୃଷ୍ଟିଭଙ୍ଗୀ ଥାଏ, ଯାହା ସେହି ଭାଷାଭାଷୀ ସମାଜର ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ଓଡ଼ିଆ ଭାଷାର ସବୁଠାରୁ ବଡ଼ ଵୈଶିଷ୍ଟ୍ୟ ହେଉଛି ଏହାର ପ୍ରାଣଵନ୍ତତା, କରୁଣା ଏଵଂ ପ୍ରତ୍ୟେକ ସତ୍ତା ପ୍ରତି ନିହିତ ଥିଵା ନିଵିଡ଼ ସମ୍ମାନବୋଧ। ଭାଷାର ଏହି ମାନଵୀୟ ଓ ସଂଵେଦନଶୀଳ ଦିଗଟିକୁ ଆମ୍ଭେ ଓଡ଼ିଆ ଵ୍ୟାକରଣ ଓ ଦୈନନ୍ଦିନ ଵ୍ୟଵହାରରେ ସ୍ପଷ୍ଟ ଭାବେ ଦେଖିଵାକୁ ପାଉ। ଵିଶେଷ କରି ସାଧାରଣ ଵାକ୍ୟ ଗଠନ, ଵିଶେଷଣ-କ୍ରିୟାର ସମ୍ବନ୍ଧ ଏଵଂ ଵଚନ ପ୍ରୟୋଗରେ ଓଡ଼ିଆ ଭାଷା ଅନ୍ୟ ଅନେକ ଭାଷା ତୁଳନାରେ ଅଧିକ ଜୀଵନ୍ତ ଓ ଆତ୍ମୀୟ ମନେହୁଏ।
ସାମ୍ପ୍ରତିକ କାଳରେ ଗଣମାଧ୍ୟମ, ଯାନ୍ତ୍ରିକ ଅନୁଵାଦ ଏଵଂ କୃତ୍ରିମ ବୁଦ୍ଧିମତ୍ତା ଵା ଏ.ଆଇ.ର ଵ୍ୟାପକ ଵ୍ୟଵହାର ହେତୁ ଓଡ଼ିଆ ଲେଖାରେ ଅନ୍ୟ ଭାଷାର, ଵିଶେଷ କରି ହିନ୍ଦୀର ଅନ୍ଧାନୁକରଣ ଵୃଦ୍ଧି ପାଇଵାରେ ଲାଗିଛି। ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି 'ସରକାର' ଶବ୍ଦର ପ୍ରୟୋଗ ଏଵଂ ସେଥିରେ ଵ୍ୟଵହୃତ କ୍ରିୟାପଦ। ସାଧାରଣ ଚଳିତ ଓଡ଼ିଆରେ "ସରକାର କହୁଛନ୍ତି", "ସରକାର ନିଷ୍ପତ୍ତି ନେଇଛନ୍ତି" କିମ୍ବା "ସରକାର ଘୋଷଣା କରିଛନ୍ତି" ବୋଲି କହିଵା ଅତ୍ୟନ୍ତ ସ୍ଵାଭାଵିକ, ଶ୍ରୁତିମଧୁର ଓ ଵ୍ୟାକରଣଗତ ଭାବେ ସଙ୍ଗତ। କିନ୍ତୁ ହିନ୍ଦୀ ଵାକ୍ୟଶୈଳୀ "सरकार कहती है"ର ମକ୍ଷିକାପାତୀ ଅନୁଵାଦ କରି ଅନେକ ସମୟରେ ଓଡ଼ିଆରେ "ସରକାର କହୁଛି" କିମ୍ବା "ସରକାର ନିଷ୍ପତ୍ତି ନେଉଛି" ବୋଲି ଲେଖାଯାଉଛି। ଵ୍ୟାକରଣ ଦୃଷ୍ଟିକୋଣରୁ 'ସରକାର'କୁ ଏକ ନିର୍ଜୀଵ କିମ୍ବା ଅମୂର୍ତ୍ତ ସଂସ୍ଥା ଭାବେ ଗ୍ରହଣ କଲେ "ସରକାର କହୁଛି" ସମ୍ପୂର୍ଣ୍ଣ ଅସମ୍ଭଵ ନ ହୋଇପାରେ, କିନ୍ତୁ ଓଡ଼ିଆ ଭାଷାର ଆତ୍ମା ଓ ଲୋକପ୍ରଚଳିତ ସ୍ଵାଭାଵିକତା ଦୃଷ୍ଟିରୁ ଏହା ଅତ୍ୟନ୍ତ କଠୋର, ଅସୁନ୍ଦର ଓ ଅସ୍ଵାଭାଵିକ ଶୁଣାଯାଏ।
ଓଡ଼ିଆ ଜାତିର ସଂସ୍କୃତି ଓ ଚିନ୍ତନ ପ୍ରକ୍ରିୟା ସଦାସର୍ଵଦା ଜୀଵମାତ୍ରକେ ପ୍ରାଣର ସତ୍ତା ଦେଖିଵାରେ ବିଶ୍ଵାସ କରେ। ଆମ ଓଡ଼ିଆ ଭାଷା ସଂସ୍କୃତିରେ କେଵଳ ମାନଵ ନୁହେଁ ଵରଂ କୀଟପତଙ୍ଗ, ପଶୁପକ୍ଷୀ ଓ ଵୃକ୍ଷଲତାଙ୍କୁ ମଧ୍ୟ ଆଦର ଓ ଚେତନାର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ଓଡ଼ିଆ ସାହିତ୍ୟ ଓ ସାଧାରଣ କଥିତ ଓ ଲିଖିତ ଭାଷାରେ 'ପିମ୍ପୁଡ଼ିମାନେ', 'ଗଛମାନେ', 'ଚଢ଼େଇମାନେ' ଭଳି ବହୁଵଚନସୂଚକ 'ମାନେ' ପ୍ରତ୍ୟୟର ପ୍ରୟୋଗ କରାଯାଇଥାଏ। ଯେଉଁ ଭାଷା ନିଜର ପରିଵେଶ, କ୍ଷୁଦ୍ର ଜୀଵ ଓ ପ୍ରକୃତିକୁ ହେୟ ମନେ ନ କରି ସମ୍ମାନର ସହ 'ମାନେ' ଯୋଡ଼ି ସମ୍ବୋଧନ କରେ, ସେହି ଜାତି ମାନଵଙ୍କ ଦ୍ଵାରା ପରିଚାଳିତ, ସମାଜର ମୁଖ୍ୟ ନିୟନ୍ତ୍ରକ 'ସରକାର'କୁ କେଵଳ ଏକ ନିର୍ଜୀଵ ଇଟା-ପଥରର ଅମୂର୍ତ୍ତ ଅନୁଷ୍ଠାନ ଭାବେ ଗ୍ରହଣ କରି ତାହା ପ୍ରତି ଅସମ୍ମାନଜନକ କ୍ରିୟା ପ୍ରୟୋଗ କରିଵ କିପରି? ଓଡ଼ିଆ ଚିନ୍ତନରେ ସରକାର କେଵଳ ଏକ କାଗଜପତ୍ରର ସଂସ୍ଥା ନୁହଁନ୍ତି ଵରଂ ତାହା ପଛରେ ଥିଵା ଶାସକ, ନୀତିନିର୍ଦ୍ଧାରକ, କର୍ତ୍ତୃପକ୍ଷ ଓ ଜନପ୍ରତିନିଧିମାନଙ୍କ ସମୁଦାୟ। ସେହି ଶାସକ ସମୁଦାୟଙ୍କ ଵାଚନିକ ଓ କାର୍ଯ୍ୟଗତ ପ୍ରତିନିଧିତ୍ଵକୁ ଦର୍ଶାଉଥିଵାରୁ, ସରକାର ଶବ୍ଦ ସହ ସମ୍ମାନାର୍ଥକ ବହୁଵଚନ କ୍ରିୟା "କହୁଛନ୍ତି" କିମ୍ବା "ନିଷ୍ପତ୍ତି ନେଇଛନ୍ତି" ଵ୍ୟଵହାର କରିଵା ହିଁ ଓଡ଼ିଶାର ଭାଷାଗତ ପରମ୍ପରା।
ଏହାର ଵିପରୀତରେ, ହିନ୍ଦୀ ଭାଷାର ଲିଙ୍ଗ ଓ ଵଚନ ପ୍ରକରଣ ସମ୍ପୂର୍ଣ୍ଣ ଭିନ୍ନ। ହିନ୍ଦୀରେ ପ୍ରତ୍ୟେକ ନିର୍ଜୀଵ ଵସ୍ତୁ କିମ୍ବା ଅମୂର୍ତ୍ତ ଧାରଣାକୁ ମଧ୍ୟ ପୁଂଲିଙ୍ଗ କିମ୍ବା ସ୍ତ୍ରୀଲିଙ୍ଗ ଭାବେ ଵର୍ଗୀକୃତ କରାଯାଇଥାଏ। ସେଠାରେ 'ସରକାର' ଶବ୍ଦଟି ସ୍ତ୍ରୀଲିଙ୍ଗ ଏକଵଚନ ଭାବେ ଵିଵେଚିତ ହେଉଥିଵାରୁ "सरकार कहती है" କିମ୍ବା "सरकार ने फैसला किया है" ବୋଲି କୁହାଯାଏ। କାହିଁକି ସରକାର ସ୍ତ୍ରୀଲିଙ୍ଗ ତହିଁର କୌଣସି ସ୍ପଷ୍ଟ ପ୍ରାମାଣିକ ଵ୍ୟାକରଣ ନିୟମ ନାହିଁ କିନ୍ତୁ ସେମିତି ବୋଲାଯାଏ ବୋଲି ହିନ୍ଦୀରେ ବୋଲାଯାଉଅଛି । ତେବେ ହିନ୍ଦୀ ଵ୍ୟାକରଣର ଏହି ନିଜସ୍ଵ ନିୟମ ସେହି ଭାଷା ପାଇଁ ଠିକ୍ ହୋଇପାରେ, କିନ୍ତୁ ସେହି ସ୍ତ୍ରୀଲିଙ୍ଗୀ ଏକଵଚନର ଶବ୍ଦାନୁଵାଦ କରି ଓଡ଼ିଆରେ "ସରକାର କହୁଛି" କହିଵା ଵା ଲେଖିଵା ଓଡ଼ିଆ ଵ୍ୟାକରଣର ମୂଳ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଓଡ଼ିଆରେ ନିର୍ଜୀଵ କିମ୍ବା କ୍ଷୁଦ୍ର ଵସ୍ତୁ ପାଇଁ 'ଉଛି' ପ୍ରତ୍ୟୟ ଵ୍ୟଵହୃତ ହୁଏ, ଯେପରିକି "ଗାଈ ଘାସ ଖାଉଛି" କିମ୍ବା "ପଵନ ବହୁଛି"। କିନ୍ତୁ ସରକାର ଭଳି ଏକ ଦାୟିତ୍ଵଵାନ୍ ଓ ସାମାଜିକ ପ୍ରତିଷ୍ଠାନ ପାଇଁ ଏପରି ଅସମ୍ମାନଜନକ କ୍ରିୟାର ଵ୍ୟଵହାର ଭାଷାର ସଂସ୍କାରହୀନତାକୁ ଦର୍ଶାଏ।
ଆଜିର ଡିଜିଟାଲ୍ ଯୁଗରେ ଗୁଗୁଲ୍ ଅନୁଵାଦ, ବିଭିନ୍ନ ଏ.ଆଇ. ସଫ୍ଟୱେୟାର୍ ଏଵଂ ଗଣମାଧ୍ୟମର ଦ୍ରୁତ କାର୍ଯ୍ୟଶୈଳୀ ଯୋଗୁଁ ଆମେ ପ୍ରାୟତଃ ହିନ୍ଦୀ ଵା ଇଂରାଜୀରୁ ସାଙ୍ଗେ ସାଙ୍ଗେ ଅନୁଵାଦ କରି ଓଡ଼ିଆ ଖବର କିମ୍ବା ପ୍ରବନ୍ଧ ପ୍ରସ୍ତୁତ କରୁଛୁ। କୃତ୍ରିମ ବୁଦ୍ଧିମତ୍ତା ନିଜର ଆଲଗୋରିଦମ୍ ଅନୁସାରେ ଶବ୍ଦରୁ ଶବ୍ଦ ଅନୁଵାଦ କରିଦିଏ, କିନ୍ତୁ ସେହି ଭାଷାର ସାଂସ୍କୃତିକ ଆତ୍ମା ଓ ସୂକ୍ଷ୍ମ ଵ୍ୟାକରଣଗତ ଅନୁଭୂତିକୁ ବୁଝିପାରେ ନାହିଁ। ଫଳରେ ହିନ୍ଦୀର "सरकार कहती है" ସହଜରେ "ସରକାର କହୁଛି" ହୋଇ ଓଡ଼ିଆ ସାହିତ୍ୟ ଓ ଗଣମାଧ୍ୟମରେ ପ୍ରଵେଶ କରୁଛି। ଜଣେ ଭାଷାଵିତ୍, ସମ୍ପାଦକ କିମ୍ବା ସଚେତନ ଲେଖକର ଦାୟିତ୍ଵ ହେଉଛି ଏହି ଯାନ୍ତ୍ରିକ ଭୁଲଗୁଡ଼ିକୁ ସୁଧାରିଵା । ଆମେ ଯେତେବେଳେ କୌଣସି ଅନୁଵାଦିତ କିମ୍ବା ଏ.ଆଇ. ଦ୍ଵାରା ପ୍ରସ୍ତୁତ ଲେଖାକୁ ସମ୍ପାଦନା କରୁ, ସେତେବେଳେ କେଵଳ ଶବ୍ଦର ଅର୍ଥ ନୁହେଁ, ଵରଂ ଵାକ୍ୟଟି ଓଡ଼ିଆ ଜିଭରେ କିପରି ସ୍ଵାଭାଵିକ ଶୁଣାଯାଉଛି, ତାହା ଦେଖିଵା ନିତାନ୍ତ ଆଵଶ୍ୟକ।
ଯେକୌଣସି ଜୀଵନ୍ତ ଭାଷା ଅନ୍ୟ ଭାଷାରୁ ଶବ୍ଦ ଗ୍ରହଣ କରି ଆତ୍ମସାତ୍ କରିଵାରେ କୌଣସି ଦୋଷ ନାହିଁ। ଓଡ଼ିଆ ଭାଷା ମଧ୍ୟ ଅତୀତରେ ଆରବୀ, ଫାରସୀ, ଇଂରାଜୀ ଓ ହିନ୍ଦୀରୁ କିଛି ଶବ୍ଦ ଗ୍ରହଣ କରିଛି। କିନ୍ତୁ ଅନ୍ୟ ଭାଷାର ଵ୍ୟାକରଣଗତ ଵିକୃତି କିମ୍ବା ସୀମାବଦ୍ଧତାକୁ ଆଖିବୁଜି ନିଜ ଭାଷା ଉପରେ ଲଦିଦେଵା ଅଜ୍ଞାନତାର ପରିଚାୟକ। ହିନ୍ଦୀରେ ରହିଥିଵା ଅନେକ ଅସଙ୍ଗତି ଓ ଭାଷାଗତ ଜଟିଳତାକୁ ଆମେ ଓଡ଼ିଆ ଭାଷାରେ ପୂରାଇ ଆମ ଭାଷାର ସହଜ, ସୁନ୍ଦର ଓ ସମ୍ମାନଜନକ ଗଠନକୁ ନଷ୍ଟ କରିଵା ଉଚିତ୍ ନୁହେଁ।
ଭାଷାର ସୁରକ୍ଷା ଓ ଶୁଦ୍ଧତା କେଵଳ ପୁରୁଣା ପୋଥିରେ ସୀମିତ ନୁହେଁ, ଏହା ଆମର ପ୍ରତିଦିନର ଭାଷା ଲିଖନ ଓ କଥନରେ ଜୀଵନ୍ତ ରହେ। ଓଡ଼ିଆ ଭାଷା ଶତାବ୍ଦୀ ଶତାବ୍ଦୀ ଧରି ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖିଆସିଛି। ସମ୍ମାନ, ସଂଵେଦନଶୀଳତା ଓ ସ୍ଵାଭାଵିକତା ଏହାର ମୂଳପିଣ୍ଡ। ତେଣୁ ହିନ୍ଦୀର ଅନ୍ଧାନୁକରଣରୁ ଦୂରେଇ ରହି, "ସରକାର କହୁଛନ୍ତି", "ସରକାର ନିଷ୍ପତ୍ତି ନେଇଛନ୍ତି" ଭଳି ସ୍ଵାଭାଵିକ ଓ ଶୁଦ୍ଧ ଓଡ଼ିଆ ପ୍ରୟୋଗକୁ ଆଦରି ନେଵା ପ୍ରତ୍ୟେକ ଓଡ଼ିଆ ଭାଷାପ୍ରେମୀଙ୍କ କର୍ତ୍ତଵ୍ୟ। ଭାଷାର ସ୍ଵାଭାଵିକତା ଓ ସମ୍ମାନବୋଧକୁ ରକ୍ଷା କରିପାରିଲେ ହିଁ ଓଡ଼ିଆ ଭାଷାର ଗୌରଵ ଅକ୍ଷୁଣ୍ଣ ରହିପାରିଵ ।
No comments:
Post a Comment