My Blog List

Friday, August 28, 2026

ମାନଵ ସମାଜରେ କାହିଁକି ନାରୀମାନେ ହିଁ ନିଜ ବାପଘର ଛାଡ଼ନ୍ତି ?

୨୦୧୧ ମସିହାରେ ଵିଶ୍ୱର ଅନ୍ୟତମ ପ୍ରସିଦ୍ଧ ଓ ସମ୍ମାନଜନକ ଵିଜ୍ଞାନ ପତ୍ରିକା 'Nature'ର ପୃଷ୍ଠାରେ ଏକ ଗଵେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଲା, ଯାହା ମାନଵ ଵିଵର୍ତ୍ତନ ଏଵଂ ଆମ ସାମାଜିକ ଇତିହାସକୁ ଦେଖିଵାର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେଲା। ଏହି ଆଵିଷ୍କାରର ପଛରେ କୌଣସି ପୁରାତନ ଦୁର୍ଗର ଭଗ୍ନାଵଶେଷ, ଲିଖିତ ଶିଳାଲେଖ କିମ୍ଵା ତାଳପତ୍ର ପୋଥି ନଥିଲା; ଥିଲା କେଵଳ କିଛି ଖଣ୍ଡ ଭଙ୍ଗା, ପୁରୁଣା ଏଵଂ ମଳିନ ଦାନ୍ତ। ଗଵେଷିକା Sandi Copeland ଏଵଂ ତାଙ୍କର ଏକ ଵିଶେଷଜ୍ଞ ଅନ୍ତର୍ଜାତୀୟ ଵୈଜ୍ଞାନିକ ଦଳ ଦକ୍ଷିଣ ଆଫ୍ରିକାର ଵିଶ୍ୱଵିଦିତ 'Sterkfontein' ଓ Swartkrans ନାମକ ଦୁଇଟି ପ୍ରାଚୀନ ଗୁମ୍ଫା ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ଏହି ଗୁମ୍ଫାଗୁଡ଼ିକ ଥିଲା ସମୟର ଏକ ଏକ ଵିଶାଳ ସିନ୍ଦୁକ ଆଉ ସେହି ସିନ୍ଧୁକଗୁଡ଼ିକ ଭିତରେ ଲକ୍ଷ ଲକ୍ଷ ଵର୍ଷର ଅନ୍ଧକାରମୟ ଇତିହାସ ଜୀଵାଶ୍ମ ରୂପରେ ସାଇତା ହୋଇ ରହିଥିଲା। ଆଜି ଏହି ଅଞ୍ଚଳକୁ 'ମାନଵ ଜାତିର ଏନ୍ତୁଡ଼ିଶାଳ'
ଵା Cradle of Humankind ବୋଲି କୁହାଯାଏ।

ସାଣ୍ଡି କୋପଲ୍ୟାଣ୍ଡ ଏଵଂ ତାଙ୍କ ଦଳ ଯେଉଁ ଦାନ୍ତଗୁଡ଼ିକୁ ନିଜର ଅତ୍ୟାଧୁନିକ ପରୀକ୍ଷାଗାରକୁ ଆଣିଥିଲେ, ତାହା କୌଣସି ସାଧାରଣ ଦାନ୍ତ ନଥିଲା କିମ୍ଵା ଆମ ଭଳି କୌଣସି ମଣିଷର ନଥିଲା। ସେହି ଦାନ୍ତଗୁଡ଼ିକର ଵୟସ ଥିଲା ପ୍ରାୟ ୧୮ ରୁ ୨୪ ଲକ୍ଷ ଵର୍ଷ। ଏହି ଵିଶାଳ ସମୟଖଣ୍ଡକୁ ଟିକିଏ ଗଭୀର ଭାବରେ ଚିନ୍ତା କଲେ ମୁଣ୍ଡ ଘୂରାଇଯାଏ। ଏହା ଏମିତି ଏକ ସମୟ ଥିଲା, ଯେତେବେଳେ ପୃଥିଵୀ ପୃଷ୍ଠରେ ଆଜିର ଆଧୁନିକ ମଣିଷ ଵା Homo sapiensର ଜନ୍ମ ମଧ୍ୟ ହୋଇନଥିଲା। ଏପରିକି ଆମର ବହୁ ପ୍ରାଚୀନ ପୂର୍ଵଜମାନେ ନିଆଁର ଵ୍ୟଵହାର କିପରି କରିଵାକୁ ହୁଏ ତାହା ଶିଖିନଥିଲେ, ଚକର ଆଵିଷ୍କାର କିମ୍ଵା ଲୁହାର ଵ୍ୟଵହାର ତ ବହୁ ଦୂରର କଥା। ସେତେବେଳେ ଭାଷା, ସଂସ୍କୃତି, ଵିଵାହ କିମ୍ଵା ପରିଵାର ଭଳି ଶବ୍ଦର କୌଣସି ଅସ୍ତିତ୍ୱ ନଥିଲା। ପ୍ରକୃତିର ନିୟମ ହିଁ ଥିଲା ଏକମାତ୍ର ଆଇନ। ସେତେବେଳେ ଦକ୍ଷିଣ ଆଫ୍ରିକାର ସେହି ଵିସ୍ତୀର୍ଣ୍ଣ ଓ ଵିପଜ୍ଜନକ ତୃଣଭୂମିରେ ଵାସ କରୁଥିଲେ "Australopithecus africanus" ଏଵଂ "Paranthropus robustus" ନାମକ ଆମର ଦୁଇ ପ୍ରାକ୍-ମାନଵ ଵା hominins ପୂର୍ଵଜ ଜୀଵଜାତି। ଏମାନେ ଦେଖିଵାକୁ କିଛି ମାତ୍ରାରେ ମଣିଷ ଏଵଂ କିଛି ମାତ୍ରାରେ Ape ଭଳି ଥିଲେ। ସେମାନେ ଦୁଇ ଗୋଡ଼ରେ ଠିଆ ହୋଇ ଚାଲିପାରୁଥିଲେ ସତ, କିନ୍ତୁ ସେମାନଙ୍କର ମସ୍ତିଷ୍କର ଆକାର ଆମ ତୁଳନାରେ ବହୁତ ଛୋଟ ଥିଲା ଏଵଂ ସେମାନେ ସମ୍ପୂର୍ଣ୍ଣ ରୂପେ ଜଙ୍ଗଲର ଵଣ୍ୟଜନ୍ତୁଙ୍କ ଭଳି ଜୀଵନଯାପନ କରୁଥିଲେ।

କିନ୍ତୁ ଏହି ଆଦିମ ପ୍ରାଣୀମାନଙ୍କର ସମାଜ କିପରି ଥିଲା? ସେମାନେ କିପରି ଵଞ୍ଚୁଥିଲେ, ଦଳ ଗଠନ କରୁଥିଲେ ଏଵଂ ନିଜର ଵଂଶଵୃଦ୍ଧି କିପରି କରୁଥିଲେ? 

ଵର୍ଷ ଵର୍ଷ ଧରି ଐତିହାସିକ ଓ ପ୍ରତ୍ନତତ୍ତ୍ୱଵିତ୍‌ମାନେ କେଵଳ ସେମାନଙ୍କର ହାଡ଼ ଏଵଂ ଖପୁରୀର ଆକାରକୁ ଦେଖି ଅନୁମାନ ଲଗାଉଥିଲେ। ହାଡ଼ରୁ ଗୋଟିଏ ପ୍ରାଣୀର ଉଚ୍ଚତା କିମ୍ଵା ରୋଗ ଵିଷୟରେ ଜଣାପଡ଼ିପାରେ, କିନ୍ତୁ ହାଡ଼ କେବେହେଲେ ତାର ସାମାଜିକ ସମ୍ପର୍କ କିମ୍ଵା ଵାସସ୍ଥାନ ପରିଵର୍ତ୍ତନର ଇତିହାସ କହିପାରେ ନାହିଁ। ଏହି ପ୍ରଶ୍ନର ଉତ୍ତର ଖୋଜିଵା ପାଇଁ ଵୈଜ୍ଞାନିକମାନଙ୍କ ପାଖରେ କୌଣସି ଲିଖିତ ଦଲିଲ ନଥିଲା। ଏହା ଆମ ସଭ୍ୟତାର ଏକ ବଡ଼ ଵିଡ଼ମ୍ଵନା ଯେ, ଅତୀତର ସବୁଠାରୁ ଗଭୀର ରହସ୍ୟକୁ ଭେଦ କରିଵା ପାଇଁ ଆମେ କୌଣସି ଵିଶାଳ ପ୍ରାସାଦ କିମ୍ଵା ସ୍ମୃତିସ୍ତମ୍ଭକୁ ନୁହେଁ ଵରଂ ଏକ ମୃତ ପ୍ରାଣୀର ଦାନ୍ତ ଭିତରେ ଥିଵା ଅଣୁଵୀକ୍ଷଣିକ ରାସାୟନିକ ଵୈଚିତ୍ର୍ୟକୁ ଅଧ୍ୟୟନ କରୁ। ସାଣ୍ଡି କୋପଲ୍ୟାଣ୍ଡଙ୍କ ଦଳ ମଧ୍ୟ ପ୍ରକୃତିର ସେହି ଅଦ୍ଭୁତ ଜ୍ଞାନକୌଶଳ ଉପରେ ନିର୍ଭର କଲେ, ଯାହା ସେହି ପ୍ରାକ୍-ମାନଵମାନଙ୍କ ଦାନ୍ତ ଭିତରେ ଲୁଚି ରହିଥିଲା।

ଏହି ରହସ୍ୟର ଉନ୍ମୋଚନ ପାଇଁ ସେମାନେ ଏକ ଅଭିନଵ ପଦ୍ଧତି ଆପଣାଇଲେ ଯାହାକୁ "ଷ୍ଟ୍ରୋନ୍ସିୟମ୍ ଆଇସୋଟୋପ୍ ଵିଶ୍ଲେଷଣ" କୁହାଯାଏ। ଷ୍ଟ୍ରୋନ୍ସିୟମ୍ ହେଉଛି ଆମ ପୃଥିଵୀର ମୃତ୍ତିକା ଏଵଂ ଶିଳାରେ ମିଳୁଥିଵା ଏକ ପ୍ରାକୃତିକ ରାସାୟନିକ ମୌଳିକ। ପୃଥିଵୀର ଭୂତାତ୍ତ୍ୱିକ ଗଠନ ଏତେ ଵୈଚିତ୍ର୍ୟମୟ ଯେ, ପ୍ରତ୍ୟେକ ଅଞ୍ଚଳର ପାହାଡ଼, ପଥର ଓ ମାଟିରେ ଥିଵା ଷ୍ଟ୍ରୋନ୍ସିୟମର ମାତ୍ରା କିମ୍ଵା ତାହାର ଆଇସୋଟୋପ୍ ଅନୁପାତ (ସାଧାରଣତଃ ଷ୍ଟ୍ରୋନ୍ସିୟମ୍-୮୭ ଏଵଂ ଷ୍ଟ୍ରୋନ୍ସିୟମ୍-୮୬ ମଧ୍ୟରେ ଥିଵା ଅନୁପାତ) ଭିନ୍ନ ଭିନ୍ନ ହୋଇଥାଏ। ଏହା ଠିକ୍ ଏକ Barcode ଭଳି କାମ କରେ, ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳର ପରିଚୟ ଵହନ କରେ। ଯେତେବେଳେ କୌଣସି ଶିଶୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜନ୍ମଗ୍ରହଣ କରେ ଏଵଂ ସେଠାରେ ବଡ଼ ହୁଏ ସେତେବେଳେ ସେ ସେହି ଅଞ୍ଚଳର ଝରଣାରୁ ପାଣି ପିଏ ଏଵଂ ସେହି ମାଟିରେ ଉଠିଥିଵା ଫଳମୂଳ, ଗଛପତ୍ର କିମ୍ଵା ଅନ୍ୟ ଛୋଟ ଜୀଵଜନ୍ତୁଙ୍କୁ ଖାଏ। ଖାଦ୍ୟ ଓ ଜଳ ମାଧ୍ୟମରେ ସେହି ଅଞ୍ଚଳର ମାଟିରେ ଥିଵା ଷ୍ଟ୍ରୋନ୍ସିୟମ୍ ସେହି ଶିଶୁର ଶରୀର ଭିତରକୁ ପ୍ରଵେଶ କରେ।

ମାନଵ ତଥା ପ୍ରାକ୍-ମାନଵମାନଙ୍କ ଶରୀରର ଜୈଵିକ ପ୍ରକ୍ରିୟା ବହୁତ ଜଟିଳ ଓ ଆଶ୍ଚର୍ଯ୍ୟଜନକ। ଶରୀର ଅନେକ ସମୟରେ ଖାଦ୍ୟରେ ଥିଵା ଷ୍ଟ୍ରୋନ୍ସିୟମ୍‌କୁ କ୍ୟାଲସିୟମ୍ ଭାବି ଗ୍ରହଣ କରିନିଏ ଏଵଂ ଶିଶୁଟିର ବଢ଼ୁଥିଵା ହାଡ଼ ତଥା ଦାନ୍ତରେ ଏହାକୁ ସଞ୍ଚୟ କରିଦିଏ। ଏଠାରେ ହାଡ଼ ଓ ଦାନ୍ତ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଜୀଵନକାଳ ମଧ୍ୟରେ ହାଡ଼ରେ ଥିଵା କୋଷଗୁଡ଼ିକ ବାରମ୍ଵାର ବଦଳନ୍ତି, ତେଣୁ ହାଡ଼ ଭିତରେ ଥିଵା ରାସାୟନିକ ତତ୍ତ୍ୱ ଵୟସ ଓ ଵାସସ୍ଥାନ ବଦଳିଵା ଅନୁସାରେ ପରିଵର୍ତ୍ତିତ ହୋଇଯାଏ। କିନ୍ତୁ ଦାନ୍ତର ଏନାମେଲ୍ (ଯାହା ଶରୀରର ସବୁଠାରୁ କଠିନ ଅଂଶ) ଥରେ ଗଠିତ ହୋଇଗଲା ପରେ ତାହା ଜୀଵନ ସାରା କେବେ ବି ପରିଵର୍ତ୍ତିତ ହୁଏ ନାହିଁ। ଶିଶୁଟି ଯେଉଁ ଅଞ୍ଚଳରେ ନିଜର ଶୈଶଵ ବିତାଇଥାଏ, ସେହି ଅଞ୍ଚଳର ଷ୍ଟ୍ରୋନ୍ସିୟମ୍ ସ୍ୱାକ୍ଷର ତାହାର ଦାନ୍ତର ଏନାମେଲ୍ ଭିତରେ ଏକ ଅଲିଭା ଛାପ ଭଳି ଚିରଦିନ ପାଇଁ ଲିପିଵଦ୍ଧ ହୋଇ ରହିଯାଏ। ସହଜ ଭାଷାରେ କହିଵାକୁ ଗଲେ, ପ୍ରକୃତି ପ୍ରତ୍ୟେକ ପ୍ରାଣୀର ଦାନ୍ତ ଭିତରେ ଏକ ଜୈଵିକ 'ଜିପିଏସ୍' (GPS) ଯନ୍ତ୍ର ଖଞ୍ଜିଦେଇଥାଏ। ଜଣେ ଵ୍ୟକ୍ତି ଵା ପ୍ରାଣୀ ପରଵର୍ତ୍ତୀ ସମୟରେ ପୃଥିଵୀର ଯେକୌଣସି କୋଣକୁ ଗଲେ ମଧ୍ୟ, ତାହାର ଦାନ୍ତ କହିଦେଵ ଯେ ସେ ନିଜର ପିଲାଦିନ କେଉଁଠାରେ କଟାଇଥିଲା।

ଏହି ଜୈଵିକ ଜିପିଏସ୍‌ର ତଥ୍ୟକୁ ପଢ଼ିଵା ପାଇଁ ସାଣ୍ଡି କୋପଲ୍ୟାଣ୍ଡଙ୍କ ଦଳ ପ୍ରସ୍ତୁତ ହେଲେ। ଏହି ପ୍ରକ୍ରିୟା ଅତ୍ୟନ୍ତ କଷ୍ଟକର ଥିଲା। ସେମାନେ ଷ୍ଟର୍କଫୋଣ୍ଟେନ୍ ଆଉ ସ୍ୱାର୍ଟକ୍ରାନ୍ସ ଗୁମ୍ଫାରୁ ମିଳିଥିଵା ସେହି ମୂଲ୍ୟଵାନ ଜୀଵାଶ୍ମ ଦାନ୍ତଗୁଡ଼ିକ ଉପରେ ଅତ୍ୟନ୍ତ ସାଵଧାନତାର ସହ ଲେଜର (Laser) ରଶ୍ମି ପକାଇ ତାହାର ଏନାମେଲରୁ ଏକ ଅତି କ୍ଷୁଦ୍ର ଅଂଶ ଵାଷ୍ପୀଭୂତ କଲେ। ତା'ପରେ ତାହାକୁ 'ମାସ୍ ସ୍ପେକ୍ଟ୍ରୋମିଟର୍' ନାମକ ଏକ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ଵିଶ୍ଲେଷଣ କଲେ। ଏହା ଏକ ପ୍ରକାର ରୋମାଞ୍ଚକର ଯାତ୍ରା ଥିଲା - ଏକଵିଂଶ ଶତାବ୍ଦୀର ସବୁଠାରୁ ଉନ୍ନତ ପ୍ରଯୁକ୍ତିଵିଦ୍ୟାକୁ ଵ୍ୟଵହାର କରି ୨୦ ଲକ୍ଷ ଵର୍ଷ ତଳର ଏକ ଅନ୍ଧକାରମୟ ଆଦିମ ଜୀଵନଶୈଳୀ ଉପରୁ ପରଦା ଉଠାଇଵାର ଏକ ଅଦ୍ୱିତୀୟ ପ୍ରୟାସ।

ସେହି ଆଦିମ ପ୍ରାକ୍-ମାନଵମାନଙ୍କ ମଧ୍ୟରେ ଏକ ସ୍ପଷ୍ଟ ଶାରୀରିକ ଵିଶେଷତ୍ୱ ଵା Sexual dimorphism ଦେଖିଵାକୁ ମିଳୁଥିଲା। ପୁରୁଷମାନଙ୍କର ଶରୀର ଏଵଂ ଦାନ୍ତର ଆକାର ନାରୀମାନଙ୍କ ତୁଳନାରେ ଯଥେଷ୍ଟ ବଡ଼ ଥିଲା। ଆଜିକାଲିର ଗରିଲା କିମ୍ଵା ବବୁନ୍ ମହାଵାନର ଓ ଵାନରମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ଏମିତି ଦେଖାଯାଏ। ତେଣୁ ଵୈଜ୍ଞାନିକମାନେ ବିନା କୌଣସି ଅସୁଵିଧାରେ କେଵଳ ଦାନ୍ତର ଆକାରକୁ ଦେଖି ପୁରୁଷ ଓ ନାରୀମାନଙ୍କର ଦାନ୍ତକୁ ଅଲଗା କରିପାରିଥିଲେ। ଯେତେବେଳେ କମ୍ପ୍ୟୁଟର ସ୍କ୍ରିନ୍ ଉପରେ ସେହି ଆଇସୋଟୋପ୍ ଵିଶ୍ଲେଷଣର ଫଳାଫଳ ଗୋଟିଏ ପରେ ଗୋଟିଏ ଆସିଵାକୁ ଲାଗିଲା, ସମଗ୍ର ଗଵେଷକ ଦଳ ନିଜ ଆଖିକୁ ଵିଶ୍ୱାସ କରିପାରିଲେ ନାହିଁ। ସେହି ତଥ୍ୟ କେଵଳ କିଛି ନିର୍ଜୀଵ ସଂଖ୍ୟାର ସମାହାର ନଥିଲା ଵରଂ ତାହା ଥିଲା ଲକ୍ଷ ଲକ୍ଷ ଵର୍ଷ ପୂର୍ଵରୁ ଲୁଚି ରହିଥିଵା ଏକ ଵିରାଟ ସାମାଜିକ ଵ୍ୟଵସ୍ଥାର ନିରଵ ପ୍ରମାଣ।

ପ୍ରଥମେ ସେମାନେ ଆକାରରେ ବଡ଼ ଥିଵା ଦାନ୍ତଗୁଡ଼ିକର, ଅର୍ଥାତ୍ ପୁରୁଷ ପ୍ରାକ୍-ମାନଵମାନଙ୍କ ଦାନ୍ତର ତଥ୍ୟକୁ ପରୀକ୍ଷା କଲେ। ସେମାନେ ଦେଖିଵାକୁ ପାଇଲେ ଯେ, ପାଖାପାଖି ୯୦ ପ୍ରତିଶତ ପୁରୁଷଙ୍କ ଦାନ୍ତରେ ଥିଵା ଷ୍ଟ୍ରୋନ୍ସିୟମ୍ ସ୍ୱାକ୍ଷର ସେହି ଷ୍ଟର୍କଫୋଣ୍ଟେନ୍ ଓ ସ୍ୱାର୍ଟକ୍ରାନ୍ସ ଗୁମ୍ଫା ଆଖପାଖ ଅଞ୍ଚଳର ସ୍ଥାନୀୟ ମୃତ୍ତିକା ସହିତ ସମ୍ପୂର୍ଣ୍ଣ ରୂପେ ମେଳ ଖାଉଥିଲା। ଅର୍ଥାତ୍ ସେହି ପୁରୁଷମାନେ ଯେଉଁଠାରେ ଜନ୍ମ ହୋଇଥିଲେ, ସେହି ଗୁମ୍ଫା ଏଵଂ ଆଖପାଖ ଜଙ୍ଗଲରେ ହିଁ ନିଜର ସମ୍ପୂର୍ଣ୍ଣ ଶୈଶଵ ବିତାଇଥିଲେ ଏଵଂ ଶେଷରେ ଯୁଵାଵସ୍ଥା ଓ ଵାର୍ଦ୍ଧକ୍ୟ ଅତିକ୍ରମ କରି ସେହିଠାରେ ହିଁ ମୃତ୍ୟୁଵରଣ କରିଥିଲେ। ସେମାନେ ନିଜ ଜନ୍ମମାଟି ଏଵଂ ନିଜର ସୁରକ୍ଷିତ ଗୋଷ୍ଠୀ ଛାଡ଼ି କେବେ ବି ଅନ୍ୟ କୌଣସି ଅଚିହ୍ନା ଅଞ୍ଚଳକୁ ଵାସସ୍ଥାନ ପରିଵର୍ତ୍ତନ କରିନଥିଲେ। ସେମାନେ ନିଜ ନିଜର ଛୋଟ ଅଞ୍ଚଳରେ ଭିତରେ ସୀମିତ ହୋଇ ରହୁଥିଲେ, ଏକାଠି ଖାଦ୍ୟ ସଂଗ୍ରହ କରୁଥିଲେ ଏଵଂ ବୋଧହୁଏ ହିଂସ୍ର ଜନ୍ତୁଙ୍କ କଵଳରୁ ନିଜର ସୀମା ଓ ପରିଵାରକୁ ସୁରକ୍ଷା ଦେଉଥିଲେ। ସେମାନଙ୍କର ସମ୍ପୂର୍ଣ୍ଣ ଜୀଵନଚକ୍ର ଗୋଟିଏ ନିର୍ଦ୍ଦିଷ୍ଟ ପରିଵେଶ ଏଵଂ ମାଟିର ଗନ୍ଧ ଭିତରେ ହିଁ ଘୁରି ବୁଲୁଥିଲା।

କିନ୍ତୁ ଯେତେବେଳେ ଵୈଜ୍ଞାନିକମାନେ ଆକାରରେ ଛୋଟ ଥିଵା ଦାନ୍ତଗୁଡ଼ିକର, ଅର୍ଥାତ୍ ନାରୀମାନଙ୍କର ଦାନ୍ତର ତଥ୍ୟ ଵିଶ୍ଲେଷଣ କଲେ, ସେତେବେଳେ ସମଗ୍ର କାହାଣୀଟି ଏକ ନାଟକୀୟ ମୋଡ଼ ନେଲା। ପରୀକ୍ଷାରୁ ସ୍ପଷ୍ଟ ଜଣାପଡ଼ିଲା ଯେ, ୫୦ ପ୍ରତିଶତରୁ ଅଧିକ ନାରୀଙ୍କ ଦାନ୍ତରେ ଥିଵା ଷ୍ଟ୍ରୋନ୍ସିୟମ୍ ସ୍ୱାକ୍ଷର ସେହି ସ୍ଥାନୀୟ ଗୁମ୍ଫା ଅଞ୍ଚଳର ଭୌଗୋଳିକ ସ୍ୱାକ୍ଷର ସହ ଆଦୌ ମିଶୁନଥିଲା ! ସେହି ଦାନ୍ତଗୁଡ଼ିକରେ ଏକ ସମ୍ପୂର୍ଣ୍ଣ ଅଜଣା ଏଵଂ ଭିନ୍ନ ଭୌଗୋଳିକ ଅଞ୍ଚଳର ରାସାୟନିକ ଛାପ ଲୁଚି ରହିଥିଲା। ଏହି ତଥ୍ୟର ଏକମାତ୍ର ଐତିହାସିକ ଏଵଂ ଜୈଵିକ ଅର୍ଥ ଥିଲା ଯେ, ସେହି ନାରୀମାନେ ନିଜର ପିଲାଦିନ ଏହି ଷ୍ଟର୍କଫୋଣ୍ଟେନ୍ କିମ୍ଵା ସ୍ୱାର୍ଟକ୍ରାନ୍ସ ଅଞ୍ଚଳରେ ବିତାଇ ନଥିଲେ। ସେମାନେ ବହୁ ଦୂରରେ ଥିଵା କୌଣସି ଅନ୍ୟ ଜଙ୍ଗଲ, ପାହାଡ଼ କିମ୍ଵା ଅଚିହ୍ନା ଉପତ୍ୟକାରେ ଜନ୍ମ ହୋଇଥିଲେ। ସେମାନେ ନିଜ ଶୈଶଵରେ ଅନ୍ୟ କେଉଁଠାର ପାଣି ପିଇଥିଲେ ଏଵଂ ସେଠାକାର ଖାଦ୍ୟ ଖାଇ ବଡ଼ ହୋଇଥିଲେ। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ଵୟସରେ ପହଞ୍ଚିଵା ପରେ, ସମ୍ଭଵତଃ ଯୌଵନାଵସ୍ଥାରେ ପଦାର୍ପଣ କରିଵା ବେଳେ, ସେମାନେ ନିଜର ପରିଚିତ ଜନ୍ମମାଟି ଓ ଜନ୍ମିତ ପରିଵାରକୁ ଛାଡ଼ିଦେଇଥିଲେ।

ମାତ୍ର ୨୦ ଲକ୍ଷ ଵର୍ଷ ପୂର୍ଵେ ପ୍ରାକ୍-ମାନଵୀଟିଐ ନିଜର ଜନ୍ମିତ ମାତୃଭୂମି ଓ ଗୋଷ୍ଠୀ ଛାଡ଼ି ଅନ୍ୟ ଅଜଣା ଅଞ୍ଚଳକୁ ସ୍ଥାନାନ୍ତରିତ ହେଵା ପଛରେ କୌଣସି ସାଂସ୍କୃତିକ କିମ୍ବା ସାମାଜିକ ସଚେତନତା ନଥିଲା ଵରଂ ଏହା ଥିଲା ଜୈଵିକ ଉଦ୍ବିବର୍ତ୍ତନ (Biological Evolution) ଓ ପ୍ରାକୃତିକ ନିର୍ଵାଚନ 
(Natural Selection)ର ଏକ ସୁଚିନ୍ତିତ ଗଣିତ। ଏହି ସ୍ଥାନାନ୍ତରଣକୁ ଵିଜ୍ଞାନ ଭାଷାରେ Female-biased Dispersal ବୋଲି କୁହାଯାଏ ଏଵଂ ଏହା ପଛରେ କେତେକ ମୁଖ୍ୟ କାରଣମାନ ରହିଛି । 
ଯଦି ଗୋଟିଏ ଛୋଟ ଗୋଷ୍ଠୀ ଭିତରେ ବାପା-ଝିଅ, ଭାଇ-ଭଉଣୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ହିଁ ଵଂଶବୃଦ୍ଧି ଚାଲେ, ତେବେ ଜିନ୍‌ଗତ ଦୁର୍ଵଳତା ଵା Recessive Genetic Defects ଵୃଦ୍ଧି ପାଏ। ଏହାଦ୍ବାରା ସନ୍ତାନ୍ନମାନେ ଶାରୀରିକ ଵିକଳାଙ୍ଗତା, ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଓ ମୃତ୍ୟୁର ଶିକାର ହୁଅନ୍ତି। ଵଂଶକୁ ଜିନ୍‌ଗତ ଭାବେ ସୁସ୍ଥ ଓ ସବଳ ରଖିବା ପାଇଁ ପ୍ରକୃତି ଏକ ନିୟମ ତିଆରି କରିଥିଲା ।‌ ଗୋଟିଏ ଲିଙ୍ଗର ପ୍ରାଣୀକୁ ଵୟସପ୍ରାପ୍ତ ହେଵା ପରେ ଗୋଷ୍ଠୀ ଛାଡ଼ିଵାକୁ ପଡ଼ିଵ । ଆମର ନିକଟତମ ପ୍ରାକୃତିକ ସମ୍ପର୍କୀୟ (ସିମ୍ପାଞ୍ଜି ଓ ବୋନୋବୋ) ଏଵଂ ପ୍ରାକ୍-ମାନଵଙ୍କ କ୍ଷେତ୍ରରେ ଏହି ଦାୟିତ୍ୱ ନାରୀମାନଙ୍କ ଉପରେ ପଡ଼ିଥିଲା।

ଗୋଟିଏ ଗୋଷ୍ଠୀର ପୁରୁଷମାନେ ପରସ୍ପରର ରକ୍ତ-ସମ୍ପର୍କୀୟ (ଭାଇ, ବାପା,ଦଦା, ପୁତୁରା) ଥିଲେ। ସେମାନେ ନିଜ ଜନ୍ମିତ ଅଞ୍ଚଳର ପାହାଡ଼, ଗୁମ୍ଫା, ଜଳାଶୟ ଏଵଂ ଖାଦ୍ୟ ମିଳୁଥିଵା ସ୍ଥାନ ଵିଷୟରେ ଭଲ ଭାବେ ଜାଣିଥିଲେ। ସେମାନେ ମିଳିତ ଭାବେ ଶିକାରୀ ହିଂସ୍ର ଜନ୍ତୁ ଏଵଂ ଅନ୍ୟ ଶତ୍ରୁ ଗୋଷ୍ଠୀଙ୍କ ଆକ୍ରମଣରୁ ନିଜ ଅଞ୍ଚଳକୁ ସୁରକ୍ଷିତ ରଖୁଥିଲେ। ଯଦି ପୁରୁଷମାନେ ନିଜ ଭିଟାମାଟି ଛାଡ଼ି ଚାଲିଯାଇଥାନ୍ତେ, ତେବେ ଗୋଷ୍ଠୀର ସୁରକ୍ଷା ଵ୍ୟଵସ୍ଥା ଭାଙ୍ଗିପଡ଼ିଥାନ୍ତା। ତେଣୁ ସୁରକ୍ଷିତ ଅଞ୍ଚଳ ଓ ପୁରୁଷମାନଙ୍କର ମିଳିତ ଶକ୍ତିକୁ ସ୍ଥାୟୀ ରଖିଵା ପାଇଁ ମହିଳାମାନଙ୍କୁ ନୂଆ ଗୋଷ୍ଠୀକୁ ଯିଵାକୁ ପଡ଼ୁଥିଲା।

ପ୍ରାକ୍-ମାନଵମାନେ ଶିକାରୀ ଓ ସଂଗ୍ରାହକ ଥିଲେ। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ମିଳୁଥିଵା ଫଳ, ମୂଳ, ସରିସୃପ କିମ୍ବା କ୍ଷୁଦ୍ର ଜୀଵଙ୍କ ସଂଖ୍ୟା ସୀମିତ ଥିଲା। ଯଦି ଗୋଟିଏ ଗୋଷ୍ଠୀର ସମସ୍ତ ଝିଅ ବଡ଼ ହୋଇ ସେହି ଗୋଷ୍ଠୀରେ ରହି ସନ୍ତାନ ଜନ୍ମ କରନ୍ତେ, ତେବେ ସ୍ଥାନୀୟ ସମ୍ବଳ ଉପରେ ବିରାଟ ଚାପ ପଡ଼ିଥାନ୍ତା। ଯୁଵତୀମାନେ ଅନ୍ୟ ଗୋଷ୍ଠୀକୁ ସ୍ଥାପାନ୍ତରିତ ହେଵା ଦ୍ବାରା ପ୍ରାକୃତିକ ସମ୍ବଳର ସମାନ ଵିଭାଜନ ହୋଇପାରୁଥିଲା।

ତେବେ ପ୍ରାକ୍-ମାନଵୀମାନେ ପୁରୁଷମାନଙ୍କ ଚାପରେ ନିଜ ଗୋଷ୍ଠୀ ଛାଡ଼ୁ ନଥିଲେ ଵରଂ ଏହା ପଛରେ ଶାରୀରିକ ଓ ମାନସିକ କାରଣ ଥିଲା ବୋଲି ଜଣାପଡି଼ଛି। ଉପଲବ୍ଧ ତଥ୍ୟ ଅନୁସାରେ ପ୍ରାକ୍-ମାନଵୀମାନେ ଯେତେବେଳେ ଯୌଵନାଵସ୍ଥାରେ ପଦାର୍ପଣ କରୁଥିଲେ ସେତେବେଳେ ସେମାନଙ୍କ ଶରୀରରେ ହେଉଥିଵା ଜୈଵ-ରାସାୟନିକ ଵା Hormonal ପରିଵର୍ତ୍ତନ ସେମାନଙ୍କ ମନରେ ନିଜ ନିକଟ ସମ୍ପର୍କୀୟ ପୁରୁଷଙ୍କ ପ୍ରତି ଏକ ପ୍ରକାରର "ଲିଙ୍ଗଗତ ଅରୁଚି" ସୃଷ୍ଟି କରୁଥିଲା ଯାହାକୁ ଵିଜ୍ଞାନର ଭାଷାରେ Westermarck effect ଵା Inbreeding avoidance କୁହାଯାଏ । ଏହି ପ୍ରାକୃତିକ ପ୍ରଵୃତ୍ତି ସେମାନଙ୍କୁ ଅଜଣା, ନୂଆ ଏବଂ ଭିନ୍ନ ଜିନ୍‌ବିଶିଷ୍ଟ ଗୋଷ୍ଠୀର ପୁରୁଷଙ୍କ ପ୍ରତି ଆକର୍ଷିତ କରୁଥିଲା, ଯାହା ସେମାନଙ୍କୁ ସ୍ବତଃପ୍ରଵୃତ୍ତ ଭାବେ ନୂତନ ଅଞ୍ଚଳର ସନ୍ଧାନ କରିଵାକୁ ବାଧ୍ୟ କରୁଥିଲା।

ତେଣୁ ୨୦ ଲକ୍ଷ ଵର୍ଷ ତଳର ମହିଳାମାନଙ୍କର ଏହି ଭୟଙ୍କର ଓ ଵିପଜ୍ଜନକ ଯାତ୍ରା କୌଣସି ସାମାଜିକ ପ୍ରଥା ନଥିଲା ଵରଂ ପ୍ରାକ୍-ମାନଵ ଜାତିକୁ ଲୋପ ପାଇଵାରୁ ରକ୍ଷା କରିଵା ପାଇଁ ପ୍ରକୃତି ଦ୍ବାରା ନିର୍ଦ୍ଧାରିତ ଏକ ଜୈଵିକ ସୁରକ୍ଷା କବଚ ଵା Evolutionary Survival Strategy ଥିଲା।

କିନ୍ତୁ ଜଣେ "ପ୍ରାକ୍-ମାନଵୀ" ପାଇଁ ୨୦ ଲକ୍ଷ ଵର୍ଷ ପୂର୍ଵେ, ଆଫ୍ରିକାର ସେହି ଖୋଲା ତୃଣଭୂମିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଵା ଆଦୌ ସହଜ ନଥିଲା। ପଦେ ପଦେ ମୃତ୍ୟୁର ଭୟ ଥିଲା। ସେତେବେଳେ ସେହି ଅଞ୍ଚଳରେ Dinofelis ଭଳି ଭୟଙ୍କର saber-tooth ବିରାଡ଼ି ଜାତୀୟ ହିଂସ୍ର ଜନ୍ତୁମାନେ ଘୁରି ବୁଲୁଥିଲେ, ଯେଉଁମାନେ ଆଖିପିଛୁଳାକେ ଏହି ଦୁର୍ଵଳ ପ୍ରାକ୍-ମାନଵମାନଙ୍କୁ ଶିକାର କରିପାରୁଥିଲେ। ତଥାପି, ନିଜ ଜୀଵନକୁ ଏତେ ବଡ଼ ଵିପଦରେ ପକାଇ, ସେହି ନାରୀମାନେ ଏକ ଦୀର୍ଘ ଏଵଂ ଵିପଜ୍ଜନକ ଯାତ୍ରା କରି ଏହି ନୂତନ ଅଞ୍ଚଳକୁ ଆସିଥିଲେ। ସେମାନେ ସ୍ଥାନୀୟ ପୁରୁଷମାନଙ୍କର ଗୋଷ୍ଠୀରେ ମିଶି ଯାଇଥିଲେ ଏଵଂ ନିଜର ବାକି ଜୀଵନ ସେହିଠାରେ ହିଁ ବିତାଇଥିଲେ, ଯେଉଁଠାରେ ଶେଷରେ ସେମାନଙ୍କର ମୃତ୍ୟୁ ହୋଇଥିଲା ଓ ସେମାନଙ୍କ ଦାନ୍ତଗୁଡ଼ିକ ମାଟି ତଳେ ପୋତିହୋଇ ଆଜି ଜୀଵାଶ୍ମରେ ପରିଣତ ହୋଇସାରିଛି। ଏହି ଗୋଟିଏ ତଥ୍ୟ, ମଣିଷ ସମାଜର ଉତ୍ପତ୍ତି ଏଵଂ ପରିଵାରର ଢାଞ୍ଚା ଵିଷୟରେ ରହିଥିଵା ଆମର ସମସ୍ତ ପୁରୁଣା ଧାରଣାକୁ ମୂଳରୁ ଦୋହଲାଇ ଦେଇଥିଲା।

ଏହି ଆଵିଷ୍କାର କେଵଳ କେତୋଟି ଦାନ୍ତର ରାସାୟନିକ ଵିଶ୍ଲେଷଣ ନଥିଲା, ଵରଂ ଏହା ଥିଲା ମାନଵ ଇତିହାସର ଏକ ବହୁ ପ୍ରଚଳିତ ଧାରଣାର ମୂଳପୋଚ୍ଛ। ଆମେ ସାଧାରଣତଃ ଭାବିଥାଉ ଯେ, ସମାଜରେ ପରିଵାରର ଗଠନ, ଵିଵାହ ପ୍ରଥା ଏଵଂ ଵିଶେଷକରି 'ପିତୃସ୍ଥାନିକତା' (Patrilocality) ଵା ନାରୀଟିଏ ଵିଵାହ ପରେ ପୁରୁଷର ଘରକୁ ଯିଵାର ପରମ୍ପରା ଏକ ଆଧୁନିକ ସାଂସ୍କୃତିକ ଉଦ୍ଭାଵନ। ଅନେକ ଐତିହାସିକ ଓ ସମାଜଵିଜ୍ଞାନୀ ମାନିଆସୁଥିଲେ ଯେ, ପାଖାପାଖି ଦଶ ହଜାର ଵର୍ଷ ପୂର୍ଵେ କୃଷିର ଵିକାଶ ଏଵଂ ଵ୍ୟକ୍ତିଗତ ସମ୍ପତ୍ତିର ଧାରଣା ସୃଷ୍ଟି ହେଵା ପରେ ହିଁ ପୁରୁଷମାନେ ନିଜ ଜମି ଓ ସମ୍ପତ୍ତି ପାଖରେ ରହିଵାକୁ ଉଚିତ୍ ମଣିଲେ ଏଵଂ ନାରୀମାନଙ୍କୁ ସ୍ଥାନାନ୍ତରିତ ହେଵାକୁ ପଡ଼ିଲା। କିନ୍ତୁ ସାଣ୍ଡି କୋପଲ୍ୟାଣ୍ଡଙ୍କ ଗଵେଷଣା ଏହି ସମସ୍ତ ତତ୍ତ୍ୱକୁ ଏକାବେଳକେ ଭୁଲ୍ ପ୍ରମାଣିତ କରିଦେଲା। ଏହା ସ୍ପଷ୍ଟ କରିଦେଲା ଯେ, ପିତୃସ୍ଥାନିକତା କୌଣସି ରାଜା, ପୁରୋହିତ କିମ୍ଵା ଆଧୁନିକ ସମାଜ ଦ୍ୱାରା ତିଆରି ହୋଇଥିଵା କୌଣସି କୃତ୍ରିମ ନିୟମ ନୁହେଁ। ଵରଂ ଏହା ମାନଵ ଜାତିର ଉତ୍ପତ୍ତିର ଲକ୍ଷ ଲକ୍ଷ ଵର୍ଷ ପୂର୍ଵରୁ ଆମର ଜୈଵିକ ଏଵଂ ଵିଵର୍ତ୍ତନ ପ୍ରକ୍ରିୟାରେ ଗଭୀର ଭାବରେ ଚେର ଲମ୍ଵେଇ ସାରିଥିଲା। ଆମର ସେହି ଆଦିମ ପୂର୍ଵଜମାନେ, ଯେଉଁମାନେ ଠିକ୍ ଭାବରେ କଥା ମଧ୍ୟ କହିପାରୁନଥିଲେ କିମ୍ଵା ଶରୀରକୁ ଢାଙ୍କିଵା ପାଇଁ ପତ୍ରର ଵ୍ୟଵହାର ମଧ୍ୟ ଶିଖିନଥିଲେ, ସେମାନେ ମଧ୍ୟ ଏହି ଜଟିଳ ସାମାଜିକ ଗଠନର ଅନୁସରଣ କରୁଥିଲେ।

ସବୁଠାରୁ ବଡ଼ କଥା ହେଲା ଏହା ପ୍ରାକୃତିକ କାରଣରୁ ଆରମ୍ଭ ହୋଇଥିଲା ଏଵଂ ପ୍ରକୃତି ଏପରି ଏକ ଵ୍ୟଵସ୍ଥା ସୃଷ୍ଟି କଲା ଉତ୍ତରଟି ଅନ୍ତର୍ପ୍ରଜନନ' ଵା 'Inbreeding'ରୁ ରକ୍ଷା ପାଇଵା ପାଇଁ। ପ୍ରକୃତିର ଏକ ଅଲିଖିତ ନିୟମ ହେଉଛି, ଗୋଟିଏ ରକ୍ତ ସମ୍ପର୍କ ଭିତରେ କିମ୍ଵା ନିଜ ପରିଵାର ଭିତରେ ଵଂଶଵୃଦ୍ଧି ହେଲେ ତାହା ଭଵିଷ୍ୟତ ପିଢ଼ି ପାଇଁ ମାରାତ୍ମକ ଜିନ୍‌ଗତ ରୋଗ ଏଵଂ ଦୁର୍ଵଳତାର କାରଣ ହୋଇଥାଏ। ସୁସ୍ଥ ଓ ସଵଳ ସନ୍ତାନ ପାଇଁ ଜିନ୍‌ଗତ ଵିଵିଧତା ନିତାନ୍ତ ଆଵଶ୍ୟକ। ଏହି ଦୁର୍ଵଳତାକୁ ଏଡ଼ାଇଵା ପାଇଁ ପ୍ରାୟତଃ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କ୍ଷେତ୍ରରେ ଗୋଟିଏ ଲିଙ୍ଗର ପ୍ରାଣୀକୁ ଵୟସପ୍ରାପ୍ତ ହେଵା ପରେ ନିଜ ଜନ୍ମିତ ଗୋଷ୍ଠୀ ଛାଡ଼ି ଅନ୍ୟତ୍ର ଯିଵାକୁ ପଡ଼ିଥାଏ। କିନ୍ତୁ କିଏ ଗୋଷ୍ଠୀ ଛାଡ଼ିଵ, ତାହା ଵିଭିନ୍ନ ପ୍ରାଣୀଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ। ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀ, ଯେପରିକି ସିଂହ, ହାତୀ, ଗରିଲା ଏଵଂ ଅଧିକାଂଶ ମାଙ୍କଡ଼ ଜାତିରେ ଅଣ୍ଡିର ପ୍ରାଣୀମାନଙ୍କୁ ଦଳରୁ ବାହାର କରିଦିଆଯାଏ। ମାଈ ପ୍ରାଣୀମାନେ ଏକାଠି ରହନ୍ତି ଏଵଂ ଅଣ୍ଡିର ପ୍ରାଣୀମାନଙ୍କୁ ଏକାକୀ ନୂଆ ଦଳ ଖୋଜିଵାକୁ ପଡ଼େ। କିନ୍ତୁ ଆମର ସବୁଠାରୁ ନିକଟତମ ସମ୍ପର୍କୀୟ— ସିମ୍ପାଞ୍ଜି ଓ ବୋନୋବୋମାନଙ୍କ କ୍ଷେତ୍ରରେ ଏହାର ଓଲଟା ଘଟିଥାଏ। ସେମାନଙ୍କ ସମାଜରେ ମାଈମାନେ ଵୟସପ୍ରାପ୍ତ ହେଵା ପରେ ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯାଆନ୍ତି ଏଵଂ ଅଣ୍ଡିରାମାନେ ଆଜୀଵନ ନିଜ ମା' ଓ ଭାଇମାନଙ୍କ ସହ ଏକାଠି ରହନ୍ତି। ଦକ୍ଷିଣ ଆଫ୍ରିକାର ସେହି ଗୁମ୍ଫାରୁ ମିଳିଥିଵା ଦାନ୍ତଗୁଡ଼ିକ ପ୍ରମାଣ କଲା ଯେ, ଆମର ପ୍ରାକ୍-ମାନଵ ପୂର୍ଵଜମାନେ ଠିକ୍ ସିମ୍ପାଞ୍ଜିମାନଙ୍କ ଭଳି ସମାନ ସାମାଜିକ ଵିଵର୍ତ୍ତନ ଧାରାକୁ ଆପଣେଇଥିଲେ।
ଏହି ଗୋଟିଏ ନିଷ୍ପତ୍ତି ଵା ପ୍ରାକୃତିକ ନିର୍ଵାଚନ ମାନଵ ଇତିହାସର ଗତିପଥକୁ କିପରି ବଦଳାଇ ଦେଇଥିଲା, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଯେହେତୁ ପୁରୁଷମାନେ କେବେ ବି ନିଜ ଦଳ ଛାଡ଼ୁନଥିଲେ, ତେଣୁ ଗୋଟିଏ ଗୋଷ୍ଠୀରେ ଥିଵା ସମସ୍ତ ପୁରୁଷ ପରସ୍ପରର ରକ୍ତ ସମ୍ପର୍କୀୟ ଥିଲେ। ସେମାନେ ଥିଲେ ବାପା, ଭାଇ, କକା ଏଵଂ ପୁତୁରା। ରକ୍ତ ସମ୍ପର୍କ କାରଣରୁ ସେମାନଙ୍କ ମଧ୍ୟରେ ଏକ ପ୍ରାକୃତିକ ଏକତା ଓ ଵିଶ୍ୱାସ ଗଢ଼ି ଉଠିଥିଲା। ସେମାନେ ଏକାଠି ମିଶି ଶିକାର କରୁଥିଲେ, ଖାଦ୍ୟ ସଂଗ୍ରହ କରୁଥିଲେ ଏଵଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନ୍ୟ ଦଳର ପୁରୁଷ କିମ୍ଵା ହିଂସ୍ର ଜନ୍ତୁଙ୍କ ଆକ୍ରମଣରୁ ନିଜ ଅଞ୍ଚଳକୁ ମିଳିତ ଭାବରେ ସୁରକ୍ଷା ଦେଉଥିଲେ। ଏହି 'ପୁରୁଷ ମେଣ୍ଟ' ଵା 'Male Coalition' ଥିଲା ଆମ ରାଜନୈତିକ ଓ ସାମରିକ ଇତିହାସର ପ୍ରଥମ ମୂଳଦୁଆ। ନିଜ ଭାଇ ଓ ସମ୍ପର୍କୀୟମାନଙ୍କ ସହ ମିଶି ଶତ୍ରୁ ସହ ଲଢ଼ିଵାର ଏହି ଆଦିମ ପ୍ରଵୃତ୍ତି ପରଵର୍ତ୍ତୀ ସମୟରେ ଵିଵର୍ତ୍ତିତ ହୋଇ ଆଧୁନିକ ମାନଵର ସୈନ୍ୟଵାହିନୀ, ରାଷ୍ଟ୍ର ଗଠନ ଓ ଯୁଦ୍ଧ ଭଳି ଵ୍ୟଵସ୍ଥାରେ ରୂପାନ୍ତରିତ ହୋଇଛି। ଯଦି ଆମର ପୂର୍ଵଜମାନେ ଗରିଲାଙ୍କ ଭଳି ପୁରୁଷମାନଙ୍କୁ ଦଳରୁ ବାହାର କରିଦେଉଥାନ୍ତେ, ତେବେ ବୋଧହୁଏ ମାନଵ ଇତିହାସରେ ଏତେ ବଡ଼ ବଡ଼ ସାମ୍ରାଜ୍ୟ ଏଵଂ ମିଳିତ ସାମରିକ ଶକ୍ତିର ଉତ୍ଥାନ କେବେ ହେଲେ ସମ୍ଭଵ ହୋଇପାରିନଥାନ୍ତା।
ଅନ୍ୟପକ୍ଷରେ, ନାରୀମାନଙ୍କ ପାଇଁ ଏହି ଵ୍ୟଵସ୍ଥା ଥିଲା ଅତ୍ୟନ୍ତ କଠିନ ଏଵଂ ସଂଘର୍ଷପୂର୍ଣ୍ଣ। ଏକ ଯୁଵାଵସ୍ଥାର ନାରୀ ପ୍ରାକ୍-ମାନଵୀର କଳ୍ପନା କରନ୍ତୁ। ଦିନେ ତାକୁ ନିଜର ପରିଚିତ ଜଙ୍ଗଲ, ନିଜର ମା', ଭଉଣୀ ଏଵଂ ପିଲାଦିନର ଖେଳସାଥୀମାନଙ୍କୁ ଚିରଦିନ ପାଇଁ ଛାଡ଼ିଵାକୁ ପଡ଼ୁଥିଲା। ଏକ ଅଜଣା ଭଵିଷ୍ୟତ ଆଡ଼କୁ ଏକାକୀ ପାଦ ବଢ଼ାଇଵାକୁ ପଡ଼ୁଥିଲା, ଯେଉଁଠି ପଦେ ପଦେ ଵିପଦ ଛପି ରହିଥିଲା। ଯେତେବେଳେ ସେ ଦୀର୍ଘ ପଥ ଅତିକ୍ରମ କରି ଏକ ନୂଆ ଗୋଷ୍ଠୀରେ ପହଞ୍ଚୁଥିଲା, ସେଠାରେ ତାର କୌଣସି ରକ୍ତ ସମ୍ପର୍କୀୟ ନଥିଲେ। ସେ ଥିଲା ସମ୍ପୂର୍ଣ୍ଣ ରୂପେ ଏକାକୀ ଏଵଂ ଜଣେ ଵିଦେଶିନୀ। ନୂଆ ଦଳର ଅନ୍ୟ ନାରୀମାନେ ମଧ୍ୟ ଵିଭିନ୍ନ ଅଞ୍ଚଳରୁ ଆସିଥିଲେ, ତେଣୁ ସେମାନଙ୍କ ମଧ୍ୟରେ କୌଣସି ପାରିଵାରିକ ସମ୍ପର୍କ ନଥିଲା। ଏପରି ଏକ ଅଚିହ୍ନା ଏଵଂ ବେଳେବେଳେ ଶତ୍ରୁତାପୂର୍ଣ୍ଣ ପରିଵେଶରେ ବଞ୍ଚି ରହିଵା ପାଇଁ କେଵଳ ଶାରୀରିକ ବଳ ନୁହେଁ, ଵରଂ ତୀକ୍ଷ୍ଣ ବୁଦ୍ଧିର ଆଵଶ୍ୟକତା ଥିଲା। ସେହି ନାରୀଟିକୁ ନୂଆ ଦଳର ନିୟମ ବୁଝିଵାକୁ ପଡ଼ୁଥିଲା, ନୂଆ ବନ୍ଧୁ ତିଆରି କରିଵାକୁ ପଡ଼ୁଥିଲା ଏଵଂ କ୍ଷମତାଶାଳୀ ପୁରୁଷ ଵା ନାରୀମାନଙ୍କର ଅନୁଗ୍ରହ ଲାଭ କରିଵାକୁ ପଡ଼ୁଥିଲା। ଫଳତଃ ଏହି ସାମାଜିକ ଚାପ ଆମ ପୂର୍ଵଜଙ୍କ ମସ୍ତିଷ୍କର ଵିକାଶରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଏକ ନୂତନ ପରିଵେଶରେ ନିଜକୁ ଖାପ ଖୁଆଇଵା ଏଵଂ ବିନା ଭାଷାରେ ଅନ୍ୟର ମନୋଭାଵକୁ ବୁଝିଵାର ଏହି କ୍ରମାଗତ ପ୍ରୟାସ, ପ୍ରାକ୍-ମାନଵମାନଙ୍କ ମଧ୍ୟରେ 'ସାମାଜିକ ବୁଦ୍ଧିମତ୍ତା' ଵା 'Social Intelligence'ର ଵିକାଶ କରାଇଲା। ନାରୀମାନଙ୍କୁ ଏକ ଅଚିହ୍ନା ଦଳ ଭିତରେ ରାଜନୀତି କରିଵାକୁ ପଡ଼ୁଥିଲା ଏଵଂ ପୁରୁଷମାନଙ୍କୁ ଅନ୍ୟ ଗୋଷ୍ଠୀ ସହ ଲଢ଼ିଵା ପାଇଁ ରଣନୀତି ପ୍ରସ୍ତୁତ କରିଵାକୁ ପଡ଼ୁଥିଲା। ଅନ୍ୟାନ୍ୟ ଅନେକ କାରଣ ସହିତ ଏହି ଜଟିଳ ସାମାଜିକ ନେଟୱର୍କ କାରଣରୁ ମଧ୍ୟ ଆମ ପୂର୍ଵଜମାନଙ୍କର ମସ୍ତିଷ୍କର ଆକାର ଧୀରେ ଧୀରେ ଵୃଦ୍ଧି ପାଇଵାକୁ ଲାଗିଲା। ସମୟକ୍ରମେ ଏହି ଛୋଟ ଛୋଟ ପରିଵର୍ତ୍ତନଗୁଡ଼ିକ ମିଶି ଏକ ଵିରାଟ ଵୌଦ୍ଧିକ ଵିପ୍ଳଵର ମୂଳଦୁଆ ପକାଇଥିଲା, ଯାହା ଶେଷରେ Homo sapiens ଭଳି ଏକ ଅତ୍ୟାଧୁନିକ ଚିନ୍ତାଶୀଳ ପ୍ରାଣୀର ସୃଷ୍ଟିର କାରଣ ପାଲଟିଲା।

ତେଣୁ ଏହି ସମସ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ମାନଵ ସମାଜରେ ନାରୀମାନେ ନିଜ ବାପଘରକୁ ଛାଡ଼ିଵାର ପ୍ରକ୍ରିୟାଟି ସାରା ଵିଶ୍ଵରେ ସବୁ ଦେଶରେ ବିନା କାରଣରେ ପ୍ରଚଳିତ ହୋଇନାହିଁ ଵରଂ ଏହା ଲକ୍ଷ ଲକ୍ଷ ଵର୍ଷରୁ ହିଁ ଆମ ମାନଵ ସମାଜ ତଥା ଆମ ପୂର୍ଵଜଙ୍କ କ୍ଷେତ୍ରରେ ରହିଆସିଛି । ଏହା କୌଣସି ଆଧୁନିକ ସାଂସ୍କୃତିକ କଳ୍ପନା, ଧାର୍ମିକ କର୍ମକାଣ୍ଡ କିମ୍ବା ପୁରୁଷକେନ୍ଦ୍ରିକ କ୍ଷମତାର କୃତ୍ରିମ ସୃଷ୍ଟି ନୁହେଁ। ଏହା ହେଉଛି ଆମ ଜୈଵିକ ସ୍ୱଭାଵ ଓ ଜିନ୍‌ଗତ ଵିଵର୍ତ୍ତନର ସେହି ଅଦୃଶ୍ୟ ମାନଚିତ୍ର, ଯାହା ଲକ୍ଷ ଲକ୍ଷ ଵର୍ଷ ଧରି ମାନଵ ଜାତିର ନୀରଵ ପରିଚାଳକ ହୋଇ ରହିଆସିଛି। ଆମେ ପ୍ରାୟତଃ ଆମର ସାମାଜିକ ନିୟମଗୁଡ଼ିକୁ କେବଳ ସଂସ୍କୃତିର ପ୍ରଭାଵ ବୋଲି ଭାବି ଭୁଲ୍ କରିଥାଉ, କିନ୍ତୁ ଵାସ୍ତଵତା ହେଉଛି ଆମର ଶ୍ରେଷ୍ଠ ଆଭିଜାତ୍ୟ, ଆଇନ ଓ ପରମ୍ପରାଗୁଡ଼ିକ ପ୍ରକୃତିର ସେହି ଆଦିମ ଆଵଶ୍ୟକତା ଉପରେ ହିଁ ନିର୍ମିତ।
ଯେଉଁ ଦିନ ପ୍ରାକ୍-ମାନଵୀଟିଏ ନିଜର ଶରୀରରେ କେଵଳ ଏକ ହୋର୍ମୋନ୍‌ଗତ ପରିଵର୍ତ୍ତନ ଅନୁଭଵ କରି ନିଜର ନିରାପଦ ଗୋଷ୍ଠୀ ଓ ଜନ୍ମମାଟିକୁ ଛାଡ଼ି ଅଜଣା ଜଙ୍ଗଲ ଆଡ଼କୁ ପାଦ ବଢ଼ାଇଥିଲା, ସେଦିନ ସେ କେଵଳ ନିଜ ଵାସସ୍ଥାନ ବଦଳାଇ ନଥିଲା, ଵରଂ ମାନବ ଜାତିର ଭଵିଷ୍ୟତକୁ ସୁରକ୍ଷିତ କରିଥିଲା। ତାହାର ସେହି ଵିପଜ୍ଜନକ ଓ ସାହସିକ ଯାତ୍ରା ନଥିଲେ ଅନ୍ତପ୍ରଜନନର ଦୁର୍ଵଳତା ଆମ ମାନଵଜାତିକୁ କେଉଁ କାଳରୁ ମାଟିରେ ମିଶାଇ ସାରନ୍ତାଣି। ନାରୀର ଏହି ଅଜଣା ପରିଵେଶକୁ ଆପଣେଇଵାର ବୌଦ୍ଧିକ ଦକ୍ଷତା ମାନଵ ମସ୍ତିଷ୍କକୁ ଜଟିଳ ସାମାଜିକ ଜାଲ ବୁଣିଵାକୁ ଶିଖାଇଲା ଏଵଂ ପୁରୁଷମାନଙ୍କର ନିଜ ଜନ୍ମମାଟିରେ ରହି ମେଣ୍ଟ ବାନ୍ଧିଵାର ପ୍ରଵୃତ୍ତି ଆମକୁ ସୈନ୍ୟଵାହିନୀ ଓ ରାଷ୍ଟ୍ର ଗଢ଼ିଵାର କ୍ଷମତା ଦେଲା। ଆଜି ଆମେ ଵ୍ୟଵହାର କରୁଥିଵା ଆଧୁନିକ ପରିଵାର,ଵିଵାହ ଓ ସାମାଜିକ ଢାଞ୍ଚା ସେହି ଜୈଵିକ ସୁରକ୍ଷା କଵଚର ହିଁ ଏକ ପରିଵର୍ତ୍ତିତ ରୂପ। ଆମେ ନିଜକୁ ଯେତେ ସଭ୍ୟ ଓ ଆଧୁନିକ ବୋଲି ଦାବି କଲେ ମଧ୍ୟ, ଆମ ଜୀଵନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପଛରେ ଆଜି ବି ୨୦ ଲକ୍ଷ ଵର୍ଷ ତଳର ସେହି ଆଦିମ ପ୍ରାକୃତିକ କାହାଣୀ ହିଁ ଗୁଞ୍ଜରିତ ହେଉଛି।


No comments:

Post a Comment