My Blog List

Wednesday, August 19, 2026

ମଣିଷ ଜାତିର ଇତିହାସ

ଵିଜ୍ଞାନର ଆଵିଷ୍କାର ଏଵଂ ଵିଵର୍ତ୍ତନଵାଦର ଜ୍ଞାନ ମିଳିଵା ପୂର୍ଵରୁ ପ୍ରାଚୀନ ମାନଵ ନିଜର ଏଵଂ ସମଗ୍ର ମାନଵ ଜାତିର ସୃଷ୍ଟି ସମ୍ବନ୍ଧରେ ଵିଭିନ୍ନ ପ୍ରକାରର ପୌରାଣିକ, କାଳ୍ପନିକ ଓ ଆଧ୍ୟାତ୍ମିକ ଵିଶ୍ୱାସ ପୋଷଣ କରୁଥିଲା। ସେତେବେଳେ ଗୁଗଲ୍ ସର୍ଚ୍ଚ କିମ୍ବା ଡାର୍ୱିନ୍‌ଙ୍କ ବହି ନଥିଵାରୁ ସେମାନେ ନିଜ କଳ୍ପନା ଶକ୍ତିକୁ ଏମିତି ଅଜବ ଢଙ୍ଗରେ ଖଟାଇଥିଲେ ଯେ ଆଜିର ଫିଲ୍ମ ନିର୍ଦ୍ଦେଶକମାନେ ବି ତାହା ଦେଖି ଶ୍ରଦ୍ଧାରେ ମଥାନତ କରିଦେବେ ! କେତେକ ସଭ୍ୟତାରେ କୌଣସି ଦିଵ୍ୟ ଶକ୍ତି ଵା ଈଶ୍ଵର ନିଜର ଖାଲି ସମୟରେ ଆଉ କିଛି କରିଵାକୁ ନପାଇ ଯେମିତି କୌଣସି କାରିଗର ମାଟିରେ ଖେଳନା ଗଢ଼େ ଠିକ୍ ସେହିପରି ମଣିଷକୁ ଗଢ଼ିଥିଲେ ବୋଲି ଵିଶ୍ୱାସ ପ୍ରଚଳିତ ଥିଲା । କିନ୍ତୁ ଆଜିର ମଣିଷର କାଣ୍ଡମାନ ଦେଖିଲେ ଲାଗେ ଯେ ସେହି କାରିଗର ବୋଧହୁଏ ମଡେଲ୍‌ଟିକୁ ଅଧାରେ ହିଁ ଛାଡ଼ି ପଳାଇଥିଲେ! ଆଉ କିଛି ସ୍ଥାନରେ ଗ୍ରୀକ୍ ପୁରାଣ କାହାଣୀ ପରି ମାଟି ଓ ପାଣି ମିଶାଇ ପ୍ରଥମ ମନୁଷ୍ୟକୁ କାଦୁଅରୁ ଗଢ଼ାଯାଇଥିଲା ବୋଲି କୁହାଯାଉଥିଲା, ଯାହା ପଢ଼ିଲେ ଲାଗେ ଯେ ଆମର ଆଦିମ ପୂର୍ଵଜମାନେ କୌଣସି ଜେନେଟିକ୍ ଲାବ୍ରୋଟୋରୀରୁ ନୁହେଁ ଵରଂ ବର୍ଷା ଦିନର କାଦୁଅ ପାଣିରୁ ଜନ୍ମ ନେଇଥିଲେ ଏଵଂ ସେଇଥିପାଇଁ ଆଜି ବି ମଣିଷର ମନ ସବୁବେଳେ ପଙ୍କିଳ ହୋଇ ରହେ ! ଆଦିମ ଜନଜାତିମାନେ ପୁଣି ଆହୁରି ଗୋଟିଏ ପାଦ ଆଗକୁ ଯାଇ ଭାବୁଥିଲେ ଯେ ସେମାନଙ୍କ ପ୍ରକୃତ ଜେଜେବାପା କୌଣସି ସିଂହ, ବାଘ, ଭାଲୁ ଵା ଗୋଟିଏ ଗଛ ଥିଲେ । କିଛି ଲୋକ ପୁଣି କହୁଥିଲେ ଯେ ଚାରିଆଡ଼େ କେଵଳ ଅସୀମ ଜଳରାଶି ଥିଲା ଏଵଂ ସେହି ସମୁଦ୍ରରୁ ହଠାତ୍ ଜୀଵଜଗତ ସହ ମନୁଷ୍ୟ ଉଭା ହୋଇଗଲା । ଆଉ କେତେକ ପୁଣି ଏକ ଵିଶାଳକାୟ ମହାକାଶୀୟ ଅଣ୍ଡା ଵା ହିରଣ୍ୟଗର୍ଭରୁ ସମଗ୍ର ବ୍ରହ୍ମାଣ୍ଡ ଓ ମାନଵ ଜାତି ଫାଟି ବାହାରିଛି ବୋଲି ଦାବି କରୁଥିଲେ । 
ପ୍ରାଚୀନ ମାନଵ ଭାବୁଥିଲା ସେ ଶ୍ରେଷ୍ଠ ଅନ୍ୟଜୀଵମାନେ ନୀଚ କାରଣ ସେ କଥା କହିପାରେ,ଚିନ୍ତନ କରିପାରେ,ଲେଖିପାରେ ଏଵଂ ନିଜ ବୁଦ୍ଧି ବଳରେ ଯେକୌଣସି ଅସାଧ୍ୟ କାର୍ଯ୍ୟ ସାଧାନ କରିପାରେ ମାତ୍ର ଅନ୍ୟଜୀଵମାନେ ତାହା କରିପାରନ୍ତି ନାହିଁ। ଏହି ସବୁ ଗୁଣଗୁଡ଼ିକ ଥିଵାରୁ ପ୍ରାଚୀନ ମାନଵ ନିଜକୁ କୌଣସି ପଶୁ ନୁହେଁ ଵରଂ ଈଶ୍ଵରଙ୍କ ସନ୍ତାନ ମନେ କରୁଥିଲା । 

ଵିଜ୍ଞାନର ଆଵିଷ୍କାର ଏଵଂ ଵିଵର୍ତ୍ତନଵାଦର ଜ୍ଞାନ ମିଳିଵା ପୂର୍ଵରୁ ପ୍ରାଚୀନ ମାନଵ ନିଜର ଏଵଂ ସମଗ୍ର ମାନଵ ଜାତିର ସୃଷ୍ଟି ସମ୍ବନ୍ଧରେ ଏହିପରି ଵିଭିନ୍ନ ପ୍ରକାରର ପୌରାଣିକ, କାଳ୍ପନିକ ଓ ଆଧ୍ୟାତ୍ମିକ ଵିଶ୍ୱାସ ପୋଷଣ କରୁଥିଲା। ତାପରେ ଆଜକୁ ମାତ୍ର ଦୁଇ ଶତାବ୍ଦୀ ତଳେ ହଠାତ୍ କିଛି ନାକରେ ଚଷମା ଲଗାଇଥିଵା ଚାର୍ଲ୍ସ ଡାରୱିନଙ୍କ ଭଳି ଜିଦ୍‌ଖୋର୍ ଵୈଜ୍ଞାନିକ ଆସି ପହଞ୍ଚିଗଲେ ଏଵଂ ସମସ୍ତଙ୍କ ହାତରୁ କାଳ୍ପନିକ ଗପର ବହି ଛଡ଼ାଇ ନେଇ କହିଲେ—"ଆରେ ଭାଇମାନେ, ତୁମେମାନେ କୌଣସି ଦିଵ୍ୟ ଅଣ୍ଡା ଵା ମାଟିରୁ ଜନ୍ମ ହୋଇନାହଁ ଵରଂ ଏକ ପ୍ରାଚୀନ Primatesର ଆଧୁନିକ ଵଂଶଧର ଅଟ !"

ଏକଥା ଶୁଣିଵା ମାତ୍ରେ ସେତେବେଳର ସମାଜର ଠାକୁରଘରୁ ଆରମ୍ଭ କରି ସଭ୍ୟତାର ଶୀର୍ଷରେ ବସିଥିଵା ପଣ୍ଡିତମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦେହ ଜଳାପୋଡ଼ା ହୋଇଗଲା। ଧାର୍ମିକ ଗୁରୁମାନେ ରାଗରେ ରାଗିପାଚି କହିଲେ—"ଆରେ, ଆମେ ଈଶ୍ୱରଙ୍କ ସୁପର-ସ୍ପେଶାଲ୍ ସୃଷ୍ଟି, ଆଉ ଏ ଵୈଜ୍ଞାନିକମାନେ ଆମକୁ ସିଧା ଗଛରେ ଡିଆଁଡେଇଁ କରୁଥିଵା ମାଙ୍କଡ଼ ସାଵ୍ୟସ୍ତ କରି ଦେଉଛନ୍ତି !" ଲୋକେ ପ୍ରଥମେ ଏହାକୁ ମାନିଵାକୁ ସମ୍ପୂର୍ଣ୍ଣ ମନା କରିଦେଲେ ଏଵଂ ଡାର୍ୱିନ୍‌ଙ୍କୁ ପାଗଳ କହି ଗାଳି ଦେଲେ।
କିନ୍ତୁ ସତ କ'ଣ କାହାରିକୁ ଡରି ଲୁଚି ରହେ କି? ଵୈଜ୍ଞାନିକମାନେ ମାଟି ଖୋଳି ଖୋଳି ଜୀଵାଶ୍ମ ବାହାର କରି ସମସ୍ତଙ୍କ ନାକ ଆଗରେ ପ୍ରମାଣ ଆଣି ରଖିଦେଲେ। ଆଉ ଶେଷରେ ସମାଜ ବାଧ୍ୟ ହୋଇ ମାନିନେଲା ଯେ, "ହଉ ଭାଇ, ଯଦି Primates ହିଁ ଆମ ପୂର୍ଵଜ ଥିଲେ, ତେବେ ସେଇଆ ଠିକ୍ ହୋଇଥିଵ !" ସମାଜ ଧୀରେ ଧୀରେ ଏହି ଵିଵର୍ତ୍ତନଵାଦକୁ ଆପଣେଇ ନେଲା ଏଵଂ ଜାଣିଵାକୁ ପାଇଲା ଯେ ଆମର ଇତିହାସଟା ପ୍ରକୃତରେ କିପରି ଥିଲା...

ଆଜକୁ ପ୍ରାୟ ୬୬ ନିୟୁତ ଵର୍ଷ ତଳେ ମହାକାଶରୁ ଗୋଟିଏ ରକ୍ତ ପିପାସୁ ରାକ୍ଷସ ଉଲ୍କାଟିଏ ପୃଥିଵୀ ଆଡ଼କୁ ଦାନ୍ତ ନିକୁଟି ମାଡ଼ି ଆସୁଥାଏ କିନ୍ତୁ ଡାଇନୋସରମାନେ ନିରକ୍ଷର ଥିଲେ ତେଣୁ ସାଟେଲାଇଟ୍ ଗଢ଼ିପାରିନଥିଲେ ଫଳତଃ ଏ ଵିଷୟରେ ଆଦୌ ଜାଣିପାରିନଥିଲେ । ମେକ୍ସିକୋର Chicxulub ଅଞ୍ଚଳରେ ଆସି ଗ୍ରହାଣୁଟି ପଡ଼ିଵା ମାତ୍ରେ ଡାଇନୋସରମାନଙ୍କର ଵଂଶ ସବୁ ଦିନ ପାଇଁ ଲୋପ ପାଇଗଲା । ରହିଗଲା ଡାଇନୋସରମାନଙ୍କର କିଛି ଜୀଵାଶ୍ମ ଯାହାକୁ ଧରି ଆଜିର ଗଵେଷକମାନେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରନ୍ତି । ତେବେ ଡାଇନୋସରମାନଙ୍କର ନାଶ ଯୋଗୁଁ ନୂଆ ଏକ ଜାତୀୟ ଜୀଵର କାହାଣୀ ଆରମ୍ଭ ହୋଇଥଲା ।‌ ସେମାନେ ପରେ ନିଜର ଏକ ଅତି ଅତି ଅତି ଅତି ଅର୍ଵାଚୀନ ଵଂଶଧରଙ୍କ ଦ୍ଵାରା primates ନାମରେ ନାମିତ ହୋଇଛନ୍ତି । ଏହି primatesମାନେ ପ୍ରାୟ ୬୫-୫୫ ନିୟୁତ ଵର୍ଷ ପୂର୍ଵେ Cretaceous-Paleogene କାଳରେ ଵିକଶିତ ହୋଇଥିଲେ ଏଵଂ ସମ୍ଭଵତଃ plesiadapiforms ନାମକ ଛୋଟ ସ୍ତନ୍ୟପାୟୀ ଜୀଵମାନଙ୍କଠାରୁ ଵିକଶିତ ହୋଇଥିଲେ । 
        (plesiadapiforms)

plesiadapiformsମାନେ ଡାଇନୋସରଙ୍କ ପରି ଵିଶାଳ ନଥିଲେ ଵରଂ ଛୋଟ ଗୁଣ୍ଡୁଚି ମୂଷା ପରି ଥିଵାରୁ ଦିନରେ ସହଜରେ ଶିକାରୀ ଜୀଵଙ୍କ ଭୋଜନ ହୋଇଯିବେ ସେଇ ଭୟରେ ରାତିରେ ହିଁ ଗଛ ଉପରେ ଡେଇଁ ଡେଇଁ ପୋକ ମାରି ଖାଉଥିଲେ । ଆଧୁନିକ treeshrews ଓ colugos ଜୀଵଙ୍କ ମଧ୍ୟରେ plesiadapiformsର ଗୁଣ ଓ ସ୍ଵରୂପ ଆଜି ବି କିଛି ପରିମାଣରେ ବଞ୍ଚି ରହିଛି । ହଁ ଏହି plesiadapiformsମାନେ ହିଁ ଆଜିର କାଢ଼ୁଆ Homo sapiensମାନଙ୍କର ପ୍ରାଚୀନତମ ପୂର୍ଵଜ ଥିଲେ । 

ପ୍ରଥମ primates ଵିକଶିତ ହେଵା ପରେ ସେମାନେ ଵିଭିନ୍ନ ଭୌଗୋଳିକ ଅଞ୍ଚଳରେ ଵ୍ୟାପିଥିଲେ। ଵାନରଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସବୁ primates ଆଉ କିଛି ଜାଣନ୍ତୁ କି ନ ଜାଣନ୍ତୁ ଏଣେତେଣେ ଵ୍ୟାପି ଯାଇ ଗଣ୍ଡେ ଦିଗଣ୍ଡାଏ ଛୁଆ ଜନମ କରିଵାଟା ଭଲ ଭାବରେ ଜାଣନ୍ତି । ପ୍ରାରମ୍ଭିକ primatesମାନେ ବି ସେଇଆ କଲେ । 

ତତ୍କାଳୀନ ସମୟରେ ମହାଦେଶଗୁଡ଼ିକର ଅଵସ୍ଥିତି ଆଜି ଅପେକ୍ଷା ଭିନ୍ନ ଥିଲା ଏବଂ ଉତ୍ତର ଆମେରିକା, ୟୁରୋପ ଓ ଏସିଆ ଲାଗିକରି ରହିଥିଲା ଫଳତଃ ପ୍ରାରମ୍ଭିକ primates ଏକ ମହାଦେଶରୁ ଅନ୍ୟ ମହାଦେଶକୁ ଯିଵାରେ ଏହା ସହାୟକ ହୋଇଥିଲା। ହଁ ଡିଆଁ ଡେଇଁରେ ଆମ primates ପୂର୍ଵଜଙ୍କୁ କିଏ ବଳିଯିଵ । ପୃଥିଵୀସାରା ସେମାନେ ଖେଦିଗଲେ ଆଉ ଯୋଉଠିକି ଗଲେ ଗଣ୍ଡେ ଗଣ୍ଡେ ଛୁଆ କରି ନିଜ ଵଂଶ ବଢ଼େଇଦେଲେ । 

Eocene ଯୁଗରେ ୫୫-୩୪ ନିୟୁତ ଵର୍ଷ ପୂର୍ଵେ primates ଉତ୍ତର ଆମେରିକା ଓ ୟୁରୋପରେ ଵ୍ୟାପିଲେ । ଏହି ଅଞ୍ଚଳରେ Adapiformes ଓ Omomyiformes ଜାତୀୟ ପ୍ରାଥମିକ primatesମାନଙ୍କର ଜୀଵାଶ୍ମ ମିଳିଛି। କିନ୍ତୁ କିଛି primates ଅଧିକ ଉତ୍ସାହିତ ହୋଇପଡ଼ିଲେ ଆଉ ଆଫ୍ରିକା ଓ ଦକ୍ଷିଣ ଆମେରିକା ଭଳି ମହାଦେଶଗୁଡ଼ିକ ମଧ୍ୟରେ ସମୁଦ୍ର ଥାଇ ମଧ୍ୟ primates rafting ପ୍ରକ୍ରିୟା ମାଧ୍ୟମରେ ଵ୍ୟାପି ଯାଇଥିଲେ । ଆଜି ସେମାନଙ୍କ ଦୂର ସମ୍ପର୍କୀୟ ଵଂଶଧର Homo sapiensମାନେ କେତେକ ପ୍ରମାଣ ବଳରେ ଗର୍ଵରେ କୁହନ୍ତି ଯେ ହୁଏତ ସେହି ପ୍ରାରମ୍ଭିକ Primatesମାନେ ଭାସମାନ ଗଛ କିମ୍ବା ଉଦ୍ଭିଦ ଖଣ୍ଡରେ ସମୁଦ୍ର ପାର ହୋଇ ଅନ୍ୟ ମହାଦେଶରେ ପହଞ୍ଚିଥିଲେ। 

Platyrrhini ଅର୍ଥାତ୍ "ନୂଆ ଵିଶ୍ୱର ଵାନର" ପ୍ରାୟ ୪୦-୩୫ ନିୟୁତ ଵର୍ଷ ପୂର୍ଵେ ଆଫ୍ରିକାରୁ ଦକ୍ଷିଣ ଆମେରିକାକୁ ଏହି ପ୍ରକ୍ରିୟାରେ ପହଞ୍ଚିଥିଲେ। Primatesମାନେ ଵିଭିନ୍ନ ପରିଵେଶ ଯଥା ଜଙ୍ଗଲ,ସାଭାନା ଓ ପର୍ଵତ ଆଦିରେ ଅନୁକୂଳନ କରିଵାରେ ସକ୍ଷମ ଥିଲେ ଏଵଂ ସେମାନଙ୍କର ଖାଦ୍ୟ ଅଭ୍ୟାସ ଯଥା ଫଳ ପତ୍ର କୀଟ ଗଛରେ ଜୀଵନଯାପନ ଓ ସାମାଜିକ ଗଠନ ସେମାନଙ୍କୁ ଵିଭିନ୍ନ ଅଞ୍ଚଳରେ ତିଷ୍ଠି ରହିଵାରେ ସହାୟକ ହୋଇଥିଲା। ସର୍ଵଭକ୍ଷକ ହେଵା ଆମ Primates ପୂର୍ଵଜଙ୍କ ପାଇଁ ବଡ଼ ଲାଭଦାୟକ ଥିଲା । ଏକଥା ପଢ଼ିଲେ ଜାଣିଲେ ଅସଲି,ନକଲି ଓ ଅଂଶକାଳିକ ସମସ୍ତ ଜାତୀୟ ତଥାକଥିତ ଶାକାହାରୀମାନଙ୍କ ଦେହ ଜଳାପୋଡ଼ା ହୋଇପାରେ କିନ୍ତୁ ସେମାନଙ୍କ ସେହି ଅତି ଆଦିମ ପୂର୍ଵଜମାନେ ଯାହା ମିଳିଲା ଗେମ୍ଫିଦେଲେ । ଫଳମୂଳ,ଅଣ୍ଡା ଏମନ୍ତକି ଛୋଟ ଜୀଵଙ୍କୁ ବି ଖାଇଗଲେ । 
tactonic platesର ଗତି ମଧ୍ୟ primates ଙ୍କ ବିସ୍ତାରରେ ଭୂମିକା ନେଇଥିଲା । ଯେତେବେଳେ ମହାଦେଶଗୁଡ଼ିକ ପୃଥକ ହେଉଥିଲେ Primatesମାନେ ନିଜ ନିଜ ଅଞ୍ଚଳରେ ଵିକଶିତ ହୋଇ ଭିନ୍ନ primate ଜାତି ସୃଷ୍ଟି କରିଥିଲେ। Catarrhini ଅର୍ଥାତ୍ "ପୁରାତନ ଵିଶ୍ୱ ଵାନର" ଆଫ୍ରିକା ଓ ଏସିଆରେ ରହୁଥିଲାବେଳେ Platyrrhini ଦକ୍ଷିଣ ଆମେରିକାରେ ଵିକଶିତ ହୋଇଥିଲେ।

ଅଷ୍ଟାଦଶ ଶତାବ୍ଦୀର ଵିଜ୍ଞାନୀମାନଙ୍କ ପାଖରେ ସେତେବେଳେ ବୋଧହୁଏ ଏତେ ବଡ଼ ବଡ଼ କାମ ନଥିଲା, ତେଣୁ ନାକ ଦେଖି Catarrhini ଓ Platyrrhiniଙ୍କ ନାମ ରଖିଦେଲେ! ଯେଉଁମାନଙ୍କର ନାକ ଟିକେ ଚଉଡ଼ା ଓ ନାସାରନ୍ଧ୍ର ଦୁଇ ପାଖକୁ ଖୋଲିଥିଲା, ସେମାନଙ୍କୁ କହିଦେଲେ Platyrrhini—ଅର୍ଥାତ୍ "ଚଉଡ଼ା ନାକିଆ"। ଆଉ ଯେଉଁମାନଙ୍କର ନାକ ଟିକେ ସରୁ ଓ ନାସାରନ୍ଧ୍ର ତଳକୁ ମୁହଁ କରିଥିଲା, ସେମାନଙ୍କୁ କହିଦେଲେ Catarrhini—ଅର୍ଥାତ୍ "ତଳମୁହାଁ ନାକିଆ"। ସେ ଦୁଇ ଭାଇଙ୍କ ମଧ୍ୟରେ ଆଉ ଏକ ପ୍ରଭେଦ ଥିଲା । Platyrrhini ଭାଇମାନଙ୍କର ଲାଞ୍ଜ ବହୁତ କାମର ଜିନିଷ ଥିଲା। ଅନେକଙ୍କର ଲାଞ୍ଜ ଆଉ ଗୋଟିଏ ହାତ ପରି କାମ କରେ—ଡାଳରେ ଝୁଲି ଫଳ ଖାଇବେ, ଛୁଆକୁ ଧରିବେ, ଆରାମରେ ଜୀଵନ କଟାଇବେ। ଅନ୍ୟପଟେ Catarrhini ଭାଇମାନେ ଭାବିଲେ, "ଏତେ ଲମ୍ବା ଲାଞ୍ଜ ବୋହି କ'ଣ ଲାଭ?" ଫଳରେ ଏମାନଙ୍କ ଵଂଶରୁ ପରେ ଵିଵର୍ତ୍ତନ ଯୋଗୁଁ ଜାତ ହୋଇଥିଵା Great Apes ଵା ମହାଵାନରମାନଙ୍କର ଲାଞ୍ଜଟା ହିଁ ଅଦରକାରୀ ହେଵାରୁ ସମ୍ପୂର୍ଣ୍ଣ ଗାଏବ ହୋଇଗଲା!

ସେହି Catarrhini ଉପକ୍ରମର ଦୀର୍ଘ ଵିଵର୍ତ୍ତନ ଇତିହାସର ସର୍ଵଶେଷ ଶାଖାଗୁଡ଼ିକ ମଧ୍ୟରୁ Homo sapiens ଗୋଟିଏ। ଅର୍ଥାତ୍ ଯେଉଁ ପ୍ରାଣୀ ନିଜକୁ ପୃଥିଵୀର ସବୁଠାରୁ ବୁଦ୍ଧିମାନ ବୋଲି ଘୋଷଣା କରେ, ସେ ପ୍ରକୃତରେ ଏକ "ଲାଞ୍ଜ ହରାଇଥିଵା Catarrhini" ଛଡ଼ା ଆଉ କିଛି ନୁହେଁ! 

ଆଛକୁ ପ୍ରାୟ ୩୫ରୁ ୩୦ ନିୟୁତ ଵର୍ଷ ପୂର୍ଵେ Oligocene ଯୁଗରେ ଆଫ୍ରିକାରେ ଵିକଶିତ ହୋଇଥିଵା Catarrhini ପ୍ରାଇମେଟ୍‌ମାନଙ୍କ ଭାଗ୍ୟ ଖୋଲିଗଲା। ସେଠାର ଉଷ୍ଣ ଜଙ୍ଗଲ, ପ୍ରଚୁର ଫଳ ଓ ଅନୁକୂଳ ପରିଵେଶ ଦେଖି ସେମାନେ ତାକୁ ନିଜର ସ୍ଥାୟୀ ଠିକଣା କଲେ। ଲକ୍ଷ ଲକ୍ଷ ଵର୍ଷରେ ବଦଳି ବଦଳି ସେମାନେ Aegyptopithecus ଜାତିରେ ପରିଣତ ହେଲେ। Aegyptopithecus ନାମଟା ଯେତେ କଠିନ, କାମଟା ସେତେ ବଡ଼। ପ୍ରକୃତି ଏମାନଙ୍କ ମସ୍ତିଷ୍କକୁ ଟିକେ ବଡ଼ କଲା, ଆଖିର ଦୃଷ୍ଟିଶକ୍ତିକୁ ତୀକ୍ଷ୍ଣ କଲା ଆଉ ଡାଳରୁ ଡାଳକୁ ଡେଇଁଵା କଳାରେ PhD କରାଇଦେଲା।

ତା'ପରେ ଆଜକୁ ପ୍ରାୟ ୨୫ରୁ ୨୩ ନିୟୁତ ଵର୍ଷ ପୂର୍ଵେ ଆସିଲା Miocene ଯୁଗ । 

Catarrhini ଉପକ୍ରମରୁ ଦୁଇଟି ବଡ଼ ଶାଖା ଅଲଗା ହେଲା—ଗୋଟିଏ ପଟେ ପୁରୁଣା ଵିଶ୍ୱର ଵାନର (Old World Monkeys) ଆଉ ଅନ୍ୟପଟେ Hominoidea ଵା ଵାନରମାନଙ୍କ ମହାପରିଵାର ଵା Superfamily ହୋଇଗଲା । ଏହି ନୂଆ Hominoidea ପରିଵାରର ପ୍ରଥମ ଚର୍ଚ୍ଚିତ ସଦସ୍ୟ ଥିଲେ Proconsul। ଵିଚରାଙ୍କର ଲାଞ୍ଜ ଆଗରୁ ହିଁ ଇତିହାସ ହୋଇସାରିଥିଲା। ସେ ଲାଞ୍ଜ ବିନା ଡାଳ ଉପରେ ଚାଲିଵା ଶିଖିଲେ, ଫଳ ଖାଇଲେ ଏଵଂ ବୋଧହୁଏ କେବେ କେବେ ଭାବୁଥିବେ—"ଏହି ଲାଞ୍ଜଟା ରଖିଥିଲେ ଟିକେ ସୁବିଧା ହୋଇନଥାନ୍ତା ?"
               (Proconsul)

Proconsulଙ୍କଠାରୁ Afropithecus ଜନ୍ମ ହେଲେ । ସେମାନଙ୍କ ଵଂଶ ବଢ଼ିଲାରୁ ଆଉ ଏକ ଜୀଵଜାତି Kenyapithecus ଦେଖାଦେଲେ । ଆଜକୁ ପ୍ରାୟ ୨୦ରୁ ୧୫ ନିୟୁତ ଵର୍ଷ ପୂର୍ଵେ, ଯେତେବେଳେ ଭୂ-ସଂଯୋଗ ପୁଣି ଗଠନ ହେଲା, ଆଫ୍ରିକାର ଜଙ୍ଗଲରୁ Kenyapithecus ଏଵଂ ଅନ୍ୟ ଅନେକ ଵାନର ଵଂଶର ସଦସ୍ୟମାନେ ୟୁରୋପ ଓ ଏସିଆ ଆଡ଼କୁ ପ୍ରଵାସରେ ବାହାରିଗଲେ। ହଁ ତାଙ୍କ ପାସପୋର୍ଟରେ "Unlimited World Tour" ଭିସା ଲାଗିଥିଲା ତେଣୁ ଯୁଆଡ଼େ ମନ ଟେକିଲା ଡିଆଁ ଡେଇଁ କରି ଝୁଲି ହଲି ପହଞ୍ଚି ଯାଉଥିଲେ ! ୟୁରୋପରେ Dryopithecus, Ouranopithecus ଓ Griphopithecus, ଆଉ ଏସିଆରେ Sivapithecus ପରି ଲାଞ୍ଜହୀନ ଵାନରମାନେ ବେଶ୍ ନାଆଁ କଲେ। Sivapithecusର ଖପୁରୀକୁ ଦେଖି ଵିଜ୍ଞାନୀମାନେ ଆଜି ବି ହସି କହନ୍ତି—"ଆରେ! ଏ ତ ଓରାଙ୍ଗଉଟାନ୍ ପରିଵାରର ପୁରୁଣା ଫ୍ୟାମିଲି ଆଲବମ୍‌ରୁ ବାହାରି ଆସିଛି !"

ତେବେ ୟୁରୋପ ଓ ଏସିଆକୁ ଯାଇଥିବା ଅନେକ ଵାନର ଵା Ape ପରଵର୍ତ୍ତୀ ସମୟରେ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ଲୋପ ପାଇଗଲେ। ଅନ୍ୟପଟେ ଆଫ୍ରିକାରେ ରହିଯାଇଥିବା Hominoidea ଶାଖାଟି ସୁରକ୍ଷିତ ରହିଲା। ସେଠାରେ ଲକ୍ଷ ଲକ୍ଷ ଵର୍ଷ ଧରି ସେମାନଙ୍କର ଵିଵର୍ତ୍ତନ ଚାଲିଲା। ପ୍ରାୟ ୧୦ ନିୟୁତ ଵର୍ଷ ପୂର୍ଵେ ସେମାନଙ୍କ ମଧ୍ୟରୁ ଗୋରିଲାଙ୍କ ଵଂଶ ଅଲଗା ହୋଇଗଲା। ଶେଷରେ ପ୍ରାୟ ୭ରୁ ୬ ନିୟୁତ ଵର୍ଷ ପୂର୍ଵେ ଆସିଲା ସେହି ଐତିହାସିକ ମୁହୂର୍ତ୍ତ। ଆଫ୍ରିକାର ଗୋଟିଏ ଵଂଶ କହିଲା—"ଚାଲ, ଆମେ ସିମ୍ପାଞ୍ଜି ହେଵା ।" ଆଉ ଅନ୍ୟ ଵଂଶଟି କହିଲା—"ନା, ଆମେ ଟିକେ ଅଲଗା ରାସ୍ତା ଧରିଵା।" ସେହି ଦ୍ୱିତୀୟ ଵଂଶଟି ହେଉଛି Hominini ଆଉ ଏମାନେ ମଣିଷଙ୍କ ପୂର୍ଵଜ ଥିଲେ ।
ଠିକ୍ ସେହି ସମୟରେ ଆଫ୍ରିକାର ଜଳଵାୟୁ ଶୁଷ୍କ ହେଵାକୁ ଲାଗିଲା। ଘନ ଜଙ୍ଗଲର ସ୍ଥାନରେ ଧୀରେ ଧୀରେ ସାଭାନା ଘାସଭୂମି ବଢ଼ିଲା। ଗଛରୁ ଗଛକୁ ଡେଇଁଵାର ସୁଯୋଗ କମିଗଲା, ତେଣୁ ଗଛରୁ ତଳକୁ ଓହ୍ଲାଇଵା ଛଡ଼ା ଉପାୟ ନଥିଲା। ପ୍ରକୃତି ଯେମିତି କହୁଥିଲା—"ବାବୁମାନେ, ଏତେଦିନ ଗଛରେ ଖେଳିଲ। ଏବେ ଟିକେ ତଳେ ଓହ୍ଲାଇ ଦେଖ, ପୃଥିଵୀଟା କେମିତି ଲାଗୁଛି!"
ସେହି ପରିଵର୍ତ୍ତିତ ଦୁନିଆରେ ଦେଖାଦେଲେ Sahelanthropus tchadensis (ପ୍ରାୟ ୭-୬ ନିୟୁତ ଵର୍ଷ ପୂର୍ଵେ)। ସେ ପୂରାପୂରି ଆଜିର ମଣିଷ ନୁହଁନ୍ତି, ପୂରାପୂରି ଵାନର ବି ନୁହଁନ୍ତି; ଦୁଇ ପାଦରେ ଟିକେ ଟିକେ ଛିଡ଼ା ହୋଇ ଚାଲିଵାର ପ୍ରଥମ ସାହସିକ ଚେଷ୍ଟା କରୁଥିଲେ।
ତା'ପରେ ଆମ Hominin ପୂର୍ଵଜମାନଙ୍କ ଜୀଵନରେ ଆରମ୍ଭ ହେଲା ଆଉ ଏକ ରୋମାଞ୍ଚକର ଅଧ୍ୟାୟ। ପ୍ରାୟ ୬ରୁ ୪ ନିୟୁତ ଵର୍ଷ ପୂର୍ଵେ Orrorin ଓ Ardipithecus ଭଳି ମହାଶୟମାନେ ଆଫ୍ରିକାର ଜଙ୍ଗଲରେ ବୁଲାବୁଲି କରୁଥିଲେ। ସେମାନେ ଏଯାଏଁ ଗଛ ସହ ପୁରୁଣା ସମ୍ପର୍କ ସମ୍ପୂର୍ଣ୍ଣ ଛିନ୍ନ କରିନଥିଲେ। ଡାଳ ଉପରେ ଚଢ଼ୁଥିଲେ, ପୁଣି ତଳକୁ ଓହ୍ଲାଇ ଦୁଇ ପାଦରେ ଟିକେ ଟିକେ ଚାଲିଵାର ଅଭ୍ୟାସ ବି କରୁଥିଲେ। ଵିଶେଷକରି Ardipithecus ramidus ବଡ଼ ଚାଲାକ୍ ଆଉ ମଜାଳିଆ ଚରିତ୍ର ଥିଲା। ଗଛ ଚଢ଼ିଵାକୁ ବି ଭଲ ପାଉଥିଲା, ପୁଣି ମାଟିରେ ଦୁଇ ପାଦରେ ଚାଲିଵାର ପ୍ରୟାସ ବି କରୁଥିଲା। ସିଏ ଗଛକୁ ପୂରା ଛାଡ଼ିପାରୁନଥିଲା କି ମାଟିକୁ ପୂରା ଆପଣେଇ ପାରୁନଥିଲା—ପୂରାପୂରି ଏକ ତ୍ରିଶଙ୍କୁ ଅଵସ୍ଥାରେ ତା'ର ଜୀଵନ କାଟୁଥିଲା !
ପ୍ରାୟ ୪ ନିୟୁତ ଵର୍ଷ ପୂର୍ବେ ମଞ୍ଚକୁ ଆସିଲେ Australopithecus ଵଂଶ । "Lucy"ର କଙ୍କାଳରୁ ମଣିଷ ସେମାନଙ୍କର ପରିଚୟ ପାଇଲା । ଵିଚାରୀ Lucy ଜୀଵିତ ଥିଵାବେଳେ ଜାଣି ବି ନଥିଲା ଯେ କୋଟି କୋଟି ଵର୍ଷ ପରେ ତାହାର ହାଡ଼ଗୁଡ଼ିକୁ ନେଇ Homo sapiensମାନେ ମୋଟା ମୋଟା ବହି ଲେଖିବେ ଏଵଂ ରିସର୍ଚ୍ଚ ପେପର ଛାପିବେ ! Lucy ଦୁଇ ପାଦରେ ସିଧା ହୋଇ ଚାଲିଵାରେ ବେଶ୍ ପାରଙ୍ଗମ ଥିଲା, କିନ୍ତୁ ସୁଯୋଗ ମିଳିଲେ ଗଛ ଚଢ଼ିଵାକୁ ବି ଭୁଲୁନଥିଲା—ଆଖିବୁଜି ପୁରୁଣା ଅଭ୍ୟାସ ଯାଏ କୁଆଡ଼େ! ଏହାପରେ ସେହି ଵଂଶଟି ପୁଣି ଦୁଇଟି ଅଲଗା ଵଂଶରେ ପରିଣତ ହେଲା । ଗୋଟିଏ ପଟେ Paranthropus ଵଂଶ ଵିଵର୍ତ୍ତିତ ହେଲେ ଏଵଂ ନିଜର ଦାନ୍ତକୁ ଵିରାଟ ଵିରାଟ ତଥା ଚିବୁକକୁ ସଶକ୍ତ କରି କଠିନ ଗଛପତ୍ର ଓ ମୂଳ ଚୋବାଇଵାରେ ଅଭ୍ୟସ୍ତ ହୋଇଗଲେ ।" ଅନ୍ୟପଟେ ଆମ Homo ଵଂଶ ଭାବିଲା—"ନା, ଶରୀର ବଦଳରେ ଟିକେ ମୁଣ୍ଡର ବୁଦ୍ଧି ଖଟାଇଵା ଅଧିକ ଉପଯୁକ୍ତ ହେଵ ।"
ପ୍ରାୟ ୨.୪ ନିୟୁତ ଵର୍ଷ ପୂର୍ଵେ ଆଵିର୍ଭାଵ ହେଲେ Homo habilis—ଯାହାଙ୍କୁ ଵିଜ୍ଞାନୀମାନେ "Handy Man" ଵା କର୍ମକୁଶଳ ମଣିଷ କୁହନ୍ତି। ଏମାନଙ୍କ ମସ୍ତିଷ୍କର ଆକାର ଆଗ ଅପେକ୍ଷା ବେଶ୍ ବଡ଼ ହୋଇଗଲା। ସେମାନେ ପଥରଖଣ୍ଡକୁ କେଵଳ ଭୂମିରେ ପଡ଼ିଥିଵା ଟେକା ଭାବରେ ନଦେଖି ଭାବିଲେ, "ଏ ପଥରକୁ ସାମାନ୍ୟ ଧାରୁଆ କଲେ ଭଲ କାଟୁଥିଵା ହାତହତିଆର ହୋଇଯିଵ !" ଆଉ ସେଇଠୁ ଆରମ୍ଭ ହେଲା ମାନଵ ସଭ୍ୟତାର ପ୍ରଥମ ଟେକ୍ନୋଲୋଜି—ପଥର ହତିଆର ! ପ୍ରାୟ ୨ ନିୟୁତ ଵର୍ଷ ପୂର୍ଵେ ମଞ୍ଚକୁ ଆସିଲେ Homo erectus। ଏମାନେ ଥିଲେ ପୂରା ଦୁଃସାହସପ୍ରିୟ ସାହସୀ ବାଟୋଇ! ଆଫ୍ରିକାର ସୀମା ଡେଇଁ ଏମାନେ ବାହାରିଗଲେ—ଏସିଆ ଗଲେ, ୟୁରୋପ ଗଲେ। ଦୀର୍ଘ ପାଦ, ସିଧା ଶରୀର, ଶକ୍ତ ଗଢ଼ଣ ଏଵଂ ଅଧିକ ଉନ୍ନତ ପଥର କୁରାଢ଼ି ସେମାନଙ୍କୁ ଦୂରଦୂରାନ୍ତକୁ ପହଞ୍ଚାଇଦେଲା। ପରେ ନିଆଁକୁ ଵଶ କରିବାର କଳା ବି Homo erectusମାନେ ଆୟତ୍ତ କଲେ। ପ୍ରକୃତି ବୋଧହୁଏ ସେତେବେଳେ ମନେ ମନେ କହୁଥିଲା—"ଏହି ନୂଆ ମଡେଲ୍‌କୁ ଟିକେ ସାଵଧାନରେ ଦେଖିଵାକୁ ପଡ଼ିଵ, ଏମାନେ ନିଆଁ ସହ ଖେଳିଵା ଶିଖିଗଲେଣି!"
ସମୟ ଗଡ଼ିଚାଲିଲା। ପ୍ରାୟ ୮ ଲକ୍ଷ ବର୍ଷ ପୂର୍ଵେ Homo heidelbergensis ଭଳି ମଣିଷମାନେ ଆହୁରି ଚତୁର ହୋଇଗଲେ। ବଡ଼ ବଡ଼ ଶିକାର କରୁଥିଲେ, ଦଳ ବାନ୍ଧି କାମ କରୁଥିଲେ ଏଵଂ ଅସ୍ତ୍ରଶସ୍ତ୍ରକୁ ଆହୁରି ଶାଣିତ କରିଦେଲେ।
ଶେଷରେ ପ୍ରାୟ ୩ ଲକ୍ଷ ଵର୍ଷ ପୂର୍ଵେ ଆଫ୍ରିକାରେ ଆଵିର୍ଭାଵ ହେଲା ଆମ ନିଜି ଜାତି Homo sapiens। ପ୍ରକୃତି କୋଟି କୋଟି ଵର୍ଷ ଧରି ଯେଉଁ ପରୀକ୍ଷା-ନିରୀକ୍ଷା କରୁଥିଲା, ଏହା ଥିଲା ତାହାର ସବୁଠାରୁ ନୂଆ ଏଵଂ ଅଧିକ ଉନ୍ନତ "ଶ୍ରେଷ୍ଠ ସଂସ୍କରଣ" ! 

ପ୍ରକୃତି ସେମାନଙ୍କୁ ସମସ୍ତ ଉନ୍ନତ ସାମର୍ଥ୍ୟରେ ସୁସଜ୍ଜିତ କରି ପୃଥିଵୀକୁ ପଠାଇଥିଲା । ଵିଶାଳ ମସ୍ତିଷ୍କ, ଜଟିଳ ଭାଷା, ଭଵିଷ୍ୟତ ଯୋଜନା କରିଵାର କ୍ଷମତା, କଳା, ସଙ୍ଗୀତ ଆଉ ଅସୀମ କୌତୂହଳ ଇତ୍ୟାଦି ଅନେକ ସୁଗୁଣ Homo sapiens ପାଖରେ ଥିଲା।
କିନ୍ତୁ ଗୋଟିଏ ପୁରୁଣା ଜାତୀୟ ରୋଗ ତଥାପି ଯାଇନଥିଲା—ବୁଲିଵା ! ଆମ ଆଦିମ ପ୍ରାଇମେଟ୍ ପୂର୍ଵଜମାନଙ୍କ ପରି Homo sapiens ମଧ୍ୟ ଗୋଟିଏ ଜାଗାରେ ଶାନ୍ତିରେ ବସି ରହିପାରିଲା ନାହିଁ। ପ୍ରାୟ ୭୦ରୁ ୬୦ ହଜାର ଵର୍ଷ ପୂର୍ବେ ଆଫ୍ରିକା ଛାଡ଼ି ସେମାନେ ମଧ୍ୟପ୍ରାଚ୍ୟ ଆଡ଼କୁ ବାହାରିଲେ। ସେଠାରେ ତାଙ୍କର ସାକ୍ଷାତ୍ ହେଲା Neanderthal ମହାଶୟମାନଙ୍କ ସହ। କେଉଁଠି ପ୍ରତିଯୋଗିତା ହେଲା, କେଉଁଠି ପଡ଼ୋଶୀ ପରି ସହାଵସ୍ଥାନ ହେଲା, ଆଉ କେଉଁଠି ପ୍ରେମ-ଵିଵାହ ମଧ୍ୟ ହୋଇଗଲା! ସେଥିପାଇଁ ଆଜି ୟୁରୋପ ଓ ଏସିଆର ଅଧିକାଂଶ ଲୋକଙ୍କ DNAରେ କିଛି ପରିମାଣରେ Neanderthal ମାନଵଙ୍କ ଅଂଶ ରହିଯାଇଛି । 
ତା'ପରେ Homo sapiensମାନଙ୍କ କେତେକ ଦଳ ସମୁଦ୍ର କୂଳେ କୂଳେ ଚାଲି ଦକ୍ଷିଣ ଏସିଆରେ ପହଞ୍ଚିଲେ। ଭାରତରେ ସେତେବେଳେ ପ୍ରଚୁର ଖାଦ୍ୟ ମିଳୁଥିଲା ‌କିନ୍ତୁ ଏ ଭୂମି ହିଂସ୍ରଜନ୍ତୁପୂର୍ଣ୍ଣ ମଧ୍ୟ ଥିଲା । ତେବେ Homo sapiensମାନଙ୍କ ପାଖରେ ଉନ୍ନତ ହାତ ହତିଆର ଥିଲା , ନିଆଁର ଵ୍ୟଵହାର ତାଙ୍କୁ ଜଣାଥିଲା ତେଣୁ ସେମାନେ ଭାରତରେ ତିଷ୍ଠିଗଲେ । କେଵଳ ତିଷ୍ଠିଲେ ନାହିଁ ଵଂଶ ମଧ୍ୟ ବଢ଼େଇଲେ । ଖାଦ୍ୟର ଅଭାଵ ନଥିଲା । 
ମାଛ, କଙ୍କଡ଼ା, ଶାମୁକା,ଫଳ ମୂଳ ଯାହା ମିଳିଲା ତାହା ଗେମ୍ଫି-ଖାଇ ଗଣ୍ଡେ ଗଣ୍ଡେ ଛୁଆ କଲେ ଜନସଂଖ୍ୟା ଏତେ ବଢ଼ିଗଲା ଯେ ସେମାନେ ପୁଣି ଅନ୍ୟତ୍ର ଯିଵାକୁ ଅଣ୍ଟା ଭିଡ଼ିଲେ । ଥୋକେ ଗଲେ ଦକ୍ଷିଣ-ପୂର୍ଵ ଏସିଆ ଏଵଂ ସେଠାରୁ ଶେଷରେ ପ୍ରାୟ ୬୫ରୁ ୫୦ ହଜାର ଵର୍ଷ ପୂର୍ବେ ସେମାନେ ଡଙ୍ଗା ଚଲାଇ ଅଷ୍ଟ୍ରେଲିଆରେ ମଧ୍ୟ ପହଞ୍ଚିଗଲେ। ଅର୍ଥାତ୍ ସେତେବେଳକୁ ଆମ Homo sapiens ସମୁଦ୍ର ପାର ହେଵାର ନୌକା କୌଶଳ ବି ଶିଖିସାରିଥିଲା। କିଛି Homo sapiensଙ୍କ ଦଳ ଭାରତରୁ ଦକ୍ଷିଣ-ପୂର୍ଵ ଏସିଆ ଯାଇ ସେଠାରୁ ଚୀନ ଏଵଂ ଜାପାନକୁ ଗଲେ । ଭାରତରୁ ଆଉ ଏକ ଦଳ ତିବତ୍ତ ତଥା ପୂର୍ଵ ଋଷିଆକୁ ଗଲା । ଭାରତରୁ ଗୋଟିଏ ଦଳ ଇରାନ ଦେଇ ୟୁରୋପ ଓ ମଧ୍ୟ ଏସିଆକୁ ମଧ୍ୟ ଗଲା । ଭାରତ ସେତେବେଳେ Homo sapiensମାନଙ୍କର ଵଂଶଵିସ୍ତାର କେନ୍ଦ୍ର ପାଲଟିଥିଲା ତେଣୁ ଭାରତକୁ Beehive of humankind ମଧ୍ୟ କୁହାଯାଏ । 
ତେବେ ଅନ୍ୟପଟେ ଆଫ୍ରିକାରୁ Homo sapiensମାନଙ୍କର କେତେକ ଦଳ ଉତ୍ତରକୁ ବାହାରି ୟୁରୋପ ଓ ମଧ୍ୟ ଏସିଆର ଶୀତଳ ଅଞ୍ଚଳରେ ପହଞ୍ଚିଲେ। ସେଠାରେ ପ୍ରଚଣ୍ଡ ଥଣ୍ଡା, ବରଫ, ଵିରାଟ୍ ମୃଗ ଓ ମାମଥ୍‌ମାନଙ୍କ ସହ ଲଢ଼ିଵାକୁ ପଡ଼ିଲା। ସେମାନେ ପଶୁଚର୍ମର ପୋଷାକ ସିଲେଇ କରି ପିନ୍ଧିଲେ, ଧାରୁଆ ବର୍ଚ୍ଛା ତିଆରି କଲେ ଏଵଂ ଗୁମ୍ଫା କାନ୍ଥରେ ଆଶ୍ଚର୍ଯ୍ୟଜନକ ସୁନ୍ଦର ଚିତ୍ର ଆଙ୍କିଲେ। ଲାଗୁଥିଲା, ମାନଵ ଜାତିର ପ୍ରଥମ "ଆର୍ଟ ଗ୍ୟାଲେରୀ" ଖୋଲିଗଲା!

ଏସିଆର ବରଫାଵୃତ ଅଞ୍ଚଳରେ ସେମାନଙ୍କର ଦେଖାହେଲା ଆଉ ଏକ ରହସ୍ୟମୟ ମାନଵଗୋଷ୍ଠୀ Homo Denisovansଙ୍କ ସହ। ସେଠାରେ ମଧ୍ୟ ଟିକିଏ "ପାରିଵାରିକ ସମ୍ପର୍କ" ଗଢ଼ିଉଠିଲା। ଆଜି ବି ତିବ୍ବତୀୟ, ମେଲାନେସିୟ,ଭାରତର ପୂର୍ଵ ଓ ଉତ୍ତର ପୂର୍ଵ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏଵଂ କେତେକ ଏସୀୟ ଜନଗୋଷ୍ଠୀଙ୍କ DNAରେ Denisovanଙ୍କର ଆନୁଵଂଶିକ ସ୍ମାରକୀ ରହିଛି।
ଶେଷ ହିମଯୁଗରେ (Ice Age) ସମୁଦ୍ରର ପାଣି ବରଫ ହୋଇ ରହିଵାରୁ ଜଳସ୍ତର ଯଥେଷ୍ଟ କମିଗଲା। ଫଳରେ ସାଇବେରିଆ ଓ ଆଲାସ୍କା ମଧ୍ୟରେ Bering Land Bridge ନାମକ ଏକ ସ୍ଥଳସେତୁ ପ୍ରକଟ ହେଲା। ମଣିଷ କହିଲା—"ଆରେ! ପୃଥିଵୀ ନୂଆ ରାସ୍ତା ଖୋଲିଦେଇଛି, ଚାଲ ଆଉ ଟିକେ ବୁଲିଆସିଵା !" ପ୍ରାୟ ୨୦ରୁ ୧୬ ହଜାର ବର୍ଷ ପୂର୍ଵେ Homo sapiensମାନେ ଆମେରିକା ମହାଦେଶରେ ପହଞ୍ଚିଲେ ଏଵଂ ଦେଖୁ ଦେଖୁ ଉତ୍ତରରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଵ୍ୟାପିଗଲେ।
ଏହି ଦୀର୍ଘ କୋଟି କୋଟି ବର୍ଷର ଯାତ୍ରାରେ Homo sapiensଙ୍କର ସବୁଠାରୁ ବଡ଼ ଅସ୍ତ୍ର କେଵଳ ପଥରର ବର୍ଚ୍ଛା କିମ୍ବା ଛୁରୀ ନଥିଲା। ସେମାନଙ୍କର ପ୍ରକୃତ ଶକ୍ତି ଥିଲା—ସଂଘବଦ୍ଧ ଭାବେ ଏକାଠି କାମ କରିଵା, ଭାଷା ମାଧ୍ୟମରେ ଜ୍ଞାନ ଆଦାନପ୍ରଦାନ କରିଵା, ଅଭାଵନୀୟ ପରିଵେଶକୁ ଶୀଘ୍ର ଆପଣେଇ ନେଵା ଏଵଂ ନୂଆ ନୂଆ ଉଦ୍ଭାଵନ କରିଵା । ଏହି ଅସାଧାରଣ ଗୁଣ ହିଁ Homo sapiensକୁ ପୃଥିଵୀର ପ୍ରତ୍ୟେକ କୋଣରେ ନିଜର ଆଧିପତ୍ୟ ଵିସ୍ତାର କରିଵାରେ ସାହାଯ୍ୟ କଲା।

ଏଵଂ ଶେଷରେ, ଲକ୍ଷ ଲକ୍ଷ ବର୍ଷ ଧରି ଗଛ ଡାଳରେ ଝୁଲୁଥିଵା, ଲାଞ୍ଜ ହରାଇଥିଵା, ଡରି ଡରି ଦୁଇ ପାଦରେ ଚାଲିଵା ଶିଖିଥିଵା, ପଥରକୁ ପିଟି ଘସି ଅସ୍ତ୍ର ତିଆରି କରିଥିଵା ସେହି Primate ଵଂଶଧରଟି ଆଜି ସୁଟ୍-ବୁଟ୍ ପିନ୍ଧି, ଚନ୍ଦ୍ରରେ ଅଵତରଣ କରୁଛି, ମଙ୍ଗଳ ଗ୍ରହକୁ ଯିଵାର ରକେଟ୍ ପ୍ରସ୍ତୁତ କରୁଛି, କୃତ୍ରିମ ବୁଦ୍ଧିମତ୍ତା ଗଢ଼ିଛି ଏଵଂ ସଙ୍ଗଣକ ସାମ୍ନାରେ ବସି ନିଜ ଅତି ପୁରୁଣା ପୂର୍ଵଜଙ୍କ ଵିଷୟରେ ରସାଳ ପ୍ରବନ୍ଧ ଲେଖୁଛି!

ପ୍ରକୃତି ବୋଧହୁଏ ଏସବୁ ଦେଖି ମନେ ମନେ ହସୁଥିଵ ଆଉ କହୁଥିଵ—"ଗଛ ଡାଳରେ ଡେଇଁ ଡେଇଁ ପୋକ ମାରି ଖାଉଥିଵା ସେହି ଛୋଟ ଗୁଣ୍ଡୁଚି ମୂଷା ପରି ଜୀଵଟିର ଵଂଶଧରମାନେ ଦିନେ ଏତେ ଦୂର ପହଞ୍ଚିବେ ବୋଲି ମୁଁ ବି ବୋଧହୁଏ ସ୍ବପ୍ନରେ ଭାବିନଥିଲି !"

No comments:

Post a Comment