ଖ୍ରୀଷ୍ଟୋଫର୍ କଲମ୍ବସ୍ ୧୪୯୨ରେ ସମୁଦ୍ର ପଥରେ ଏସିଆ ମହାଦେଶକୁ ଉଣ୍ଡୁ ଉଣ୍ଡୁ ଭୁଲ୍ଵଶତଃ ଆମେରିକା ମହାଦେଶକୁ ପାଇଯାଇଥିଲେ ବୋଲି ସମସ୍ତଙ୍କୁ ଜଣାଥିଵ । ତେବେ ସେହି କଲମ୍ବସ୍ ୧୨ ମଇ ୧୫୦୨ ମସିହାରେ ସ୍ପେନରୁ New World 'ଆମେରିକା' ଅଭିମୁଖେ ତାଙ୍କର ଚତୁର୍ଥ ଯାତ୍ରା ଆରମ୍ଭ କରିଥିଲେ। ଏକଵର୍ଷ ପରେ ଜୁନ୍ ୨୫, ୧୫୦୩ରେ କଲମ୍ବସ୍ ଗୋଟିଏ ସାମୁଦ୍ରିକ ଦ୍ୱୀପରେ ଆଶ୍ରୟ ନେଵାକୁ ବାଧ୍ୟ ହୋଇଥିଲେ ଯାହା ଵର୍ତ୍ତମାନ ଆଧୁନିକ ଜଗତରେ ‘ଜାମାଇକା’ ନାମରେ ଜଣାଶୁଣା । ସାହାଯ୍ୟ ଲାଭ ପାଇଁ ଏକ ଦଳକୁ ପଠାଇଵା ପରେ କଲମ୍ବସ୍ ସ୍ଥାନୀୟ ଟାଇନୋ ଜନଜାତିଙ୍କ ସହ ବନ୍ଧୁତା ସ୍ଥାପନ କରିଵା ଏଵଂ ଖାଦ୍ୟ ଆଦି ଲାଭ କରିଵା ସହିତ ଅନ୍ୟାନ୍ୟ ସହାୟତା ପାଇଵା ପାଇଁ ଵ୍ୟଵସ୍ଥା କରିଥିଲେ । ପ୍ରଥମେ ପ୍ରଥମେ, ନିରୀହ ସ୍ଥାନୀୟ ଟାଇନୋ ଲୋକମାନେ ଏହି ୟୁରୋପୀୟ ନଵାଗତ ଅତିଥିମାନଙ୍କୁ ସବୁପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ । କିନ୍ତୁ ୮ ମାସ ପର୍ଯ୍ୟନ୍ତ ବାହାରୁ କୌଣସି ସାହାଯ୍ୟ ଆସିଲା ନାହିଁ । କ୍ରମେ ସ୍ଥାନୀୟ ଟାଇନୋ ଜନଜାତୀୟ ଲୋକେ ଦେଖିଲେ ଯେ ସେମାନେ ନିଜ ପାଇଁ ବି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୁଟାଇ ପାରୁନାହାନ୍ତି ତେଣୁ ସେମାନେ ୨୬ ଫେବୃଆରୀ ୧୯୦୪ରେ କଲମ୍ବସ୍ ଓ ତାଙ୍କର ୟୁରୋପୀୟ ଦଳକୁ ଖାଦ୍ୟ ଯୋଗାଇ ପାରିବେନି ବୋଲି ସଵିନୟ ମନା କରିଦେଲେ ।
ଧୂର୍ତ୍ତ କଲମ୍ବସଙ୍କ ପାଖରେ ଜଣେ ଜର୍ମାନ ଜ୍ୟୋତିର୍ଵିଜ୍ଞାନୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଥିଲା ଯେଉଁଥିରେ ଆଗାମୀ କିଛି ଵର୍ଷ ମଧ୍ୟରେ ଘଟିଵାକୁ ଯାଉଥିଵା କେତେକ ଖଗୋଳୀୟ ଘଟଣାର ଭଵିଷ୍ୟତଵାଣୀ ଲେଖାଯାଇଥିଲା । ସୌଭାଗ୍ୟଵଶତଃ ଏହି ପୁସ୍ତକଟିରେ ତିନିଦିନ ଭିତରେ ହେଵାକୁ ଯାଉଥିଵା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଵିଷୟରେ ମଧ୍ୟ ଉଲ୍ଲେଖ ଥିଲା । କଲମ୍ବସ୍ଙ୍କ ମୁଣ୍ଡକୁ ଏକ କୁବୁଦ୍ଧି ଯୁଟିଲା ଏଵଂ ସେ ଟାଇନୋ ଲୋକଙ୍କୁ ଡାକି ଘୋଷଣା କଲେ...
“ଯେହେତୁ ... ତୁମ୍ଭେମାନେ ଈଶ୍ବରଙ୍କ ପ୍ରିୟ ପୁତ୍ର କଲମ୍ବସକୁ ଖାଦ୍ୟ ଦେଵାକୁ ମନା କରିଦେଇଛ ତେଣୁ ଆମର ଭଗଵାନ ... ଅର୍ଥାତ୍ ଖ୍ରୀଷ୍ଟିଆନମାନଙ୍କ ଭଗଵାନ... ତୁମ ଉପରେ ଅତ୍ୟଧିକ କୁପିତ ହୋଇ ଯାଇଛନ୍ତି ! ଆମ ଭଗଵାନ ତୁମର ଭଗଵାନ ‘Atabey(ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ)’ଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ତେଣୁ ତିନି ଦିନ ପରେ ଆମର ଭଗଵାନ ତାଙ୍କ କ୍ରୋଧର ରକ୍ତଵର୍ଣ୍ଣରେ ଚନ୍ଦ୍ରକୁ ରକ୍ତରଞ୍ଜିତ କରିବେ ଆଉ ତାପରେ ତୁମମାନଙ୍କ ଉପରେ ସେ ପରମେଶ୍ବର ପ୍ରତିଶୋଧ ନେଵା ଆରମ୍ଭ କରିଦେବେ ।”
ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ Atabey ଥିଲେ ଟାଇନୋ ଜନଜାତୀୟ ଲୋକଙ୍କ ମୁଖ୍ୟ ଦେଵତା । ଟାଇନୋ'ମାନେ ନିଜକୁ Atabeyଙ୍କ ସନ୍ତାନ ସନ୍ତତି ମନେ କରୁଥିଲେ। ଟାଇନୋ ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ ଯେ ପୋଖରୀ,ହ୍ରଦ,ସମୁଦ୍ର ,ଜୁଆର ଓ ସମସ୍ତ ପ୍ରକାରର ଜୀଵଙ୍କ ଆତ୍ମାର ମୂଳ ସ୍ରୋତ ଓ ଶକ୍ତି ଉତ୍ସ ସ୍ବୟଂ Atabey ଅଟନ୍ତି । ଵିଜ୍ଞାନ ଦୃଷ୍ଟିରୁ ମଧ୍ୟ ଚନ୍ଦ୍ର ସହିତ ପୃଥିଵୀ ଜଳର ସମ୍ପର୍କ ଅଛି । ଚନ୍ଦ୍ର ଜଳକୁ ଆକର୍ଷଣ କରିଵା ଯୋଗୁଁ ଜୁଆର ସୃଷ୍ଟି ହୁଏ ପୁଣି ଚନ୍ଦ୍ର ପୃଥିଵୀ ସହିତ tidally locked ହୋଇଥିଵାରୁ ଏଵଂ ପୃଥିଵୀର ଘୂର୍ଣ୍ଣନକୁ ସନ୍ତୁଳିତ କରୁଥିଵାରୁ ପୃଥିଵୀରେ ଜୀଵଜଗତ ତିଷ୍ଠିପାରିଛି । ବୋଧହୁଏ ଏହାକୁ ଲକ୍ଷ୍ୟକରି ଟାଇନୋ ଜନଜାତିର ଲୋକେ Atabeyଙ୍କୁ ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ କଳ୍ପନା କରିଥିଲେ । Atabeyଙ୍କୁ ସୁନ୍ଦର,ସୁସ୍ଥ ସନ୍ତାନ ସନ୍ତତି ଲାଭ ପାଇଁ ତଥା ସୁଖ ଶାନ୍ତି ସମୃଦ୍ଧି ଲାଭ ହେତୁକ ଟାଇନୋ ଜନଜାତିର ଲୋକେ ଆରାଧନା କରୁଥିଲେ ।
ଆଠ ମାସ କାଳ ଟାଇନୋ ଲୋକଙ୍କ ସହିତ ରହିଥିଵା ଯୋଗୁଁ କଲମ୍ବସଙ୍କୁ ଏସବୁ କଥା ଜଣାଥିଲା ତେଣୁ ସେ ସିଧା ଟାଇନୋ ଲୋକଙ୍କ ମୁଖ୍ୟ ଦେଵତାଙ୍କ ନାଆଁ ନେଇ ସେହି ସରଳ ସ୍ଥାନୀୟ ଲୋକଙ୍କୁ ଡରାଇଵାକୁ ଚେଷ୍ଟା କରିଥିଲେ ।
କଲମ୍ବସ୍ଙ୍କଠାରୁ ତିନିଦିନ ଚନ୍ଦ୍ର ରକ୍ତଵର୍ଣ୍ଣରେ ପରିଵର୍ତ୍ତିତ ହେଵା କଥା ଶୁଣିଵା ପରେ ସ୍ଥାନୀୟ ଲୋକ ଦ୍ୱନ୍ଦ୍ୱରେ ପଡ଼ିଗଲେ ଏଵଂ ମନେ ମନେ ଭୟଭୀତ ମଧ୍ୟ ହେଲେ । ବୋଧହୁଏ ସେମାନେ ଚନ୍ଦ୍ରର ଲାଲ୍ ରଙ୍ଗ ସହିତ Atabey ଦେଵତାଙ୍କ ରକ୍ତ ଓ ହତ୍ୟା ତଥା ଭଵିଷ୍ୟତରେ ହେଵାକୁ ଥିଵା ଦୁର୍ଗତିକୁ ନେଇ ଶଙ୍କିତ ହୋଇପଡ଼ିଥିଲେ ।
ସେ ଯାହା ହେଉ ତିନି ଦିନ ପରେ ୨୯ ଫେବୃଆରୀ ୧୫୦୪ରେ କଲମ୍ବସ୍ କହିଵା ଅନୁଯାୟୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେଲା ଓ ଚନ୍ଦ୍ର ରକ୍ତଵର୍ଣ୍ଣରେ ଆଚ୍ଛାଦିତ ହୋଇଗଲା । ସତେ ଯେପରି କେହି ଚନ୍ଦ୍ରକୁ ମାରି ରକ୍ତ ଯୁଡ଼ୁବୁଡ଼ୁ କରିଦେଇଛି ! ସ୍ଥାନୀୟ ଲୋକମାନେ ଏହା ଦେଖି ଅତ୍ୟନ୍ତ ଭୟଭୀତ ହୋଇ କଲମ୍ବସଙ୍କ ପାଦ ତଳେ ପଡି଼ଗଲେ ଏଵଂ ତାଙ୍କର ସବୁ ସର୍ତ୍ତରେ ରାଜି ହୋଇଗଲେ ।
କିନ୍ତୁ ସେହିଦିନଠାରୁ ଜାମାଇକା ଓ ଏହାର ଆଖପାଖ ଅଞ୍ଚଳରେ ଵସଵାସ କରୁଥିଵା ସ୍ଥାନୀୟ ଅଧିଵାସୀମାନଙ୍କର ଦୁଷ୍କାଳ ଆରମ୍ଭ ହୋଇଗଲା । ସହସ୍ରାଧିକ ସ୍ଥାନୀୟ ଅଧିଵାସୀ ଦାସ ହେଲେ,ଶହ ଶହ ନାରୀ ବଳାତ୍କାରର ଶିକାର ହେଲେ ଓ ଅନେକ ଵିରୋଧ କରି ମୃତ୍ୟୁ ମୁଖରେ ପଡ଼ିଲେ । ସେମାନେ ଥିଲେ 'ଟାଇନୋ' ଜନଜାତି
ଯୋଉମାନଙ୍କର ୟୁରୋପୀୟମାନେ ସେମାନଙ୍କର ଜାତି ଓସଂସ୍କୃତି ହିଁ ଲୋପ କରିଦେଇଥିଲେ ଏଵଂ ତାଙ୍କ ଦେଶକୁ ପରାଧୀନ କରି ଶତାଧିକ ଵର୍ଷ ପର୍ଯ୍ଯନ୍ତ ଶୋଷଣ କରିଥିଲେ। ଅଵଶ୍ୟ ଅଧୁନା ନଅ ହଜାର ପାଖାପାଖି ଲୋକ ନିଜକୁ ଟାଇନୋ ଜନଜାତି ମୂଳର ଲୋକ ବୋଲି ପରିଚୟ ଦେଉଛନ୍ତି ଏଵଂ କାରବିୟାନ୍ ଅଞ୍ଚଳରେ ଵସଵାସ କରୁଥିଵା ସ୍ଥାନୀୟ ଅଧିଵାସୀମାନେ ଏହି ଟାଇନୋ ଜନଜାତିର ଵର୍ତ୍ତମାନ ବଂଶଜ ବୋଲି ୨୦୧୮ର ଏକ DNA ସମ୍ବନ୍ଧୀୟ ଅନୁସନ୍ଧାନରୁ ଜଣାପଡି଼ଛି । ତେବେ ଆଧୁନିକ ଟାଇନୋ ବଂଶଜମାନେ ଵର୍ଣ୍ଣସଂକର କାରଣ ଆଫ୍ରିକୀୟ କଳାଲୋକ ତଥା ୟୁରୋପୀୟ ଗୋରାଲୋକଙ୍କ ସହିତ ଵିଜାତୀୟ ସାମାଜିକ ସମ୍ବନ୍ଧ ଯୋଗୁଁ ସେମାନଙ୍କର ମୂଳଜାତି ଓ ମୂଳ ସଂସ୍କୃତି ଲୋପ ହୋଇଯାଇଛି। ୟୁରୋପୀୟମାନଙ୍କ କୁକୃତ୍ୟ ଯୋଗୁଁ ଆଜି Taino ଭାଷା ମଧ୍ୟ ଲୁପ୍ତ ହୋଇଯାଇଅଛି ଏଵଂ ଏହି ଭାଷା ମୂଳର କେତେକ ଶବ୍ଦ ମାତ୍ର ବଞ୍ଚିଯାଇଛି । ହାଇତୀ,ବାହାମା,କ୍ୟୁବା ଓ ଜାମାଇକା ଭଳି କେତେ କାରିବିୟାନ୍ ଦେଶ ଓ ସ୍ଥାନର ନାମ ଏହି ଟାଇନୋ ଭାଷା ମୂଳର ସେହିପରି ଇଂରାଜୀ ଭାଷାରେ ପ୍ରଚଳିତ barbecue(ଏକ ଜାତୀୟ ରନ୍ଧନ ଶୈଳୀ), caiman(ଏକ ଜାତୀୟ କୁମ୍ଭୀର), canoe(ଏକ ଜାତୀୟ ଡଙ୍ଗା), cassava(Manihot esculenta; ଏକ ଜାତୀୟ କନ୍ଦ), cay(ଏକ ଜାତୀୟ ଛୋଟ ଶୈଵାଳ ଦ୍ଵୀପ), guava(ପିଜୁଳି), hammock(ଏକ ଜାତୀୟ ଝୁଲା), hurricane(ଆମେରିକାରେ ଦେଖାଯାଉଥିଵା ଵାତ୍ୟା ଵିଶେଷ), hutia(Capromys;ଏକ ଜାତୀୟ ମୂଷା), iguana(ଏକଜାତୀୟ ସରଟ), macana(ଏକ ଜାତୀୟ ଅସ୍ତ୍ର), maize(ମକା), manatee(Trichechus; ସମୁଦ୍ର ଗାଈ), mangrove(ହେନ୍ତାଳ), maroon(ବାଦାମୀ ଲାଲରଙ୍ଗ), potato(ଆଳୁ), savanna(ସାଭାନା),Papaya(ଅମୃତଭଣ୍ଡା) ଓ tobacco(ତମାଖୁ) ଇତ୍ୟାଦି ଶବ୍ଦ ମୂଳତଃ ଟାଇନୋ ଭାଷାରୁ ଗୃହୀତ ହୋଇଛି ।
ଜମାଇକା ଦ୍ଵୀପରେ ମୂଳତଃ ଟାଇନୋ ଜନଜାତିର ଲୋକମାନେ ଵସଵାସ କରୁଥିଲେ, ୧୪୯୪ ମସିହାରେ କ୍ରିଷ୍ଟୋଫର କଲମ୍ବସଙ୍କ ଆଗମନ ପରେ ଏହି ଦ୍ୱୀପ ସ୍ପେନିଶ ଶାସନ ଅଧୀନରେ ଆସିଥିଲା । ଅନେକ ଟାଇନୋ ଜନଜାତୀୟ ଲୋକଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ରୋଗରେ ମୃତ୍ୟୁଵରଣ କରିଥିଲେ । ଏହା ପରେ ସ୍ପାନିଶମାନେ ବହୁ ସଂଖ୍ୟକ ଆଫ୍ରିକୀୟ ଦାସଙ୍କୁ ଶ୍ରମିକ ଭାବରେ ଜାମାଇକାକୁ ଆଣିଥିଲେ । ଯେଉଁ ଟାଇନୋ ଜନଜାତୀୟ ଲୋକମାନେ ବଞ୍ଚିଯାଇଥିଲେ ସେମାନଙ୍କର ଗୋରା ଓ କଳାଲୋକଙ୍କ ସଂସର୍ଗରୁ ଆଧୁନିକ ବଂଶଧର ଜାତ ହୋଇଛନ୍ତି । ୧୬୫୫ ମସିହା ପର୍ଯ୍ୟନ୍ତ ଜାମାଇକା ଦ୍ୱୀପ ସ୍ପେନ୍ ଅଧୀନରେ ରହିଥିଲା, ଯେତେବେଳେ ଇଂଲଣ୍ଡ ଏହାକୁ ସ୍ପାନିଶ୍ମାନଙ୍କ ହରାଇ ଜିତିଲା ଏହାର ନାମ ବଦଳାଇ ଜାମାଇକା ରଖାଗଲା । ଜାମାଇକାକୁ ଟାଇନୋ ଜନଜାତିର ଲୋକେ Xaymaca କହୁଥିଲେ ଯାହାର ଆକ୍ଷରିକ ଅର୍ଥ ଜଳ ଓ କାଠର ଭୂମି ।
ବ୍ରିଟିଶ ଔପନିବେଶିକ ଶାସନ ଅଧୀନରେ ଜାମାଇକା ଏକ ପ୍ରମୁଖ ଚୀନୀ ରପ୍ତାନିକାରୀ ଅଞ୍ଚଳ ପାଲଟିଥିଲା, ଯାହାର ଚାଷ ଏଠାକୁ ଅଣାଯାଇଥିଵା ଆଫ୍ରିକୀୟ ଦାସ ଏଵଂ ସେମାନଙ୍କର ବଂଶଧରଙ୍କ ଉପରେ ନିର୍ଭର କରୁଥିଲା । ୧୮୩୮ ମସିହାରେ ଇଂରେଜମାନେ ସମସ୍ତ ଦାସଙ୍କୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରିଥିଲେ ଏବଂ ସେହି ମୁକ୍ତ କଳାଲୋକଙ୍କ ମଧ୍ୟରେ ଅନେକେ ଗୋରାଲୋକଙ୍କ ଆଖୁ ଆଦିର ଖେତରେ କାମ କରିଵା ପରିଵର୍ତ୍ତେ ଜୀଵିକା ନିର୍ଵାହ ପାଇଁ ନିଜସ୍ବ କୃଷିକ୍ଷେତ୍ର ଓ ଫାର୍ମକୁ ବାଛିଥିଲେ । ୧୮୪୦ ଦଶକର ପ୍ରାରମ୍ଭରେ ଇଂରେଜମାନେ କୃଷିକ୍ଷେତ୍ରରେ କାମ କରିଵା ପାଇଁ ଚୀନ ଓ ଭାରତରୁ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଵ୍ୟଵହାର କରିବା ଆରମ୍ଭ କରିଥିଲେ ଯେଉଁମାନଙ୍କୁ ସେତେବେଳେ ଓଡ଼ିଶାରେ ଗିରମାଟିଆ ଓ ଦାଦନ କୁହାଯାଉଥିଲା । ତେବେ ପ୍ରାୟ ପାଞ୍ଚଶହ ଵର୍ଷ ୟୁରୋପୀୟମାନଙ୍କ ଦ୍ଵାରା ପରାଧୀନ ହେଲାପରେ ଜାମାଇକା ଦ୍ୱୀପ ୬ ଅଗଷ୍ଟ ୧୯୬୨ରେ ବ୍ରିଟେନଠାରୁ ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ସେହି ପାଞ୍ଚଶହ ଵର୍ଷ ମଧ୍ୟରେ ଜାମାଇକାର ମୂଳ ସଂସ୍କୃତି ଆଉ ଭାଷା ଲୁପ୍ତ ହୋଇସାରିଥିଲା ।
କଲମ୍ବସଙ୍କ ଭଳି ଅଯୋଗ୍ୟଙ୍କ ହାତରେ ଯଦି ଜ୍ଞାନ ଥାଏ ତେବେ ତାହା ଅନ୍ୟମାନଙ୍କ ପାଇଁ ଵିପଜ୍ଜନକ ହୋଇଯାଏ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଓ ଚନ୍ଦ୍ର ରକ୍ତଵର୍ଣ୍ଣରେ ପରିଵର୍ତ୍ତିତ ହେଵା ଵିଷୟ କଲମ୍ବସଙ୍କ ଭଳି ଧୂର୍ତ୍ତଙ୍କୁ ଜଣାଥିଵାରୁ ସିନା ସେ ସ୍ଥାନୀୟ ଟାଇନୋ ଜନଜାତିର ଲୋକଙ୍କୁ ଭୁଆଁ ବୁଲେଇଵାରେ ସକ୍ଷମ ହୋଇପାରିଲେ ।
କିନ୍ତୁ ଏବେବି ଗୋଟିଏ ପ୍ରଶ୍ନର ଉତ୍ତର ବାକି ରହିଗଲା । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ବେଳେ ବେଳେ ଚନ୍ଦ୍ର ଲାଲ ରଙ୍ଗର କାହିଁକି ଦେଖାଯାଏ ?
ଆସନ୍ତୁ ଏହା ପଛର ଵିଜ୍ଞାନକୁ ବୁଝିଵା !!!
ଯେଉଁ କାରଣରୁ ଆମର ଆକାଶ ଆମକୁ ନୀଳ ଆଉ ଉଦୟ-ଅସ୍ତ ହେଵା ସମୟରେ ସୂର୍ଯ୍ୟ ଲାଲ ରଙ୍ଗର ଦେଖାଯାଆନ୍ତି ସେହି କାରଣ ଯୋଗୁଁ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ବେଳେ ବେଳେ ରକ୍ତଵର୍ଣ୍ଣ ଦେଖାଯାଇଥାନ୍ତି
ସରଳ ଶବ୍ଦରେ କହିଲେ...
ଆଲୋକ ଵିଭିନ୍ନ ପ୍ରକାରର wave ଵା ତରଙ୍ଗ ମଧ୍ୟରେ ଏକ ପ୍ରକାରର ତରଙ୍ଗ ଅଟେ । ଯେତେବେଳେ କଣିକାର ଗତି Energy ଵା ଶକ୍ତିର ଗତି ସହିତ ସମକୋଣ ଵା ଲମ୍ଵଵତ୍ ହୋଇଥାଏ ସେତେବେଳେ ଉକ୍ତ ତରଙ୍ଗ ଆଲୋକରେ ପରିଵର୍ତ୍ତିତ ହୋଇଥାଏ । ଏ ପ୍ରକାରର ତରଙ୍ଗକୁ transverse wave ଵା ଅନୁପ୍ରସ୍ଥ ତରଙ୍ଗ କୁହାଯାଏ । ଆଲୋକ ଏହି ଅନୁପ୍ରସ୍ଥ ତରଙ୍ଗ ଶ୍ରେଶୀର ତରଙ୍ଗ ଅଟଇ ।
ଲାଲ୍ ତରଙ୍ଗ ସବୁଠାରୁ ଅଧିକ ମୋଟା ଵା ସ୍ଥୂଳ ଏଵଂ ନୀଳ ତରଙ୍ଗ ସର୍ଵାଧିକ ସୂକ୍ଷ୍ମ । ଯେତେବେଳେ ସୂର୍ଯ୍ୟାଲୋକ ଆମ ଵାୟୁମଣ୍ଡଳରେ ପ୍ରଵେଶ କରେ ସେତେବେଳେ ଅତି ସୂକ୍ଷ୍ମ ଅମ୍ଳଜାନ-ଯଵକ୍ଷାରଜାନର କଣିକା ସହ ଆଲୋକର ନୀଳ ତରଙ୍ଗ ବାଧାପ୍ରାପ୍ତ ହେଵାର ଯୋଗୁଁ ତାହା ବିଛୁରିତ ହୋଇ ଆମ ପାଖରେ ପହଞ୍ଚେ, ଫଳତଃ ଆକାଶ ନୀଳ ଦେଖାଯାଏ।
ସେହିପରି ସୂର୍ଯଉଦୟ ଵା ଅସ୍ତ ସମୟରେ ସୂର୍ଯ୍ୟଙ୍କର ସ୍ଥିତି horizon ଵା ଦିଗ୍ବଳୟରେ ଥିଵାରୁ, ସେହି ସମୟରେ ଆଲୋକକୁ ଆମ ପାଖକୁ ପହଞ୍ଚିଵାକୁ ଆହୁରି ଅଧିକ ଵାୟୁକଣିକାକୁ ପାର କରିଵାକୁ ପଡ଼ିଥାଏ । ଅଧିକ କଣିକା ପାର କରିଵା ଅର୍ଥ ରଶ୍ମିର ଅଧିକ ଵିକିରଣ... ଏତେ ଵିକିରଣ ଯେ ଏହା ଆମ ଆଖିରେ ପହଞ୍ଚିଵା ପର୍ଯ୍ୟନ୍ତ ଆଲୋକରେ ଲାଲ ତରଙ୍ଗ ଵ୍ୟତୀତ ଆଉ କିଛି ବଞ୍ଚିଯାଇନଥାଏ ।ଏହି କାରଣରୁ ସୂର୍ଯ୍ୟ ଉଦୟ ଓ ଅସ୍ତ ହେଵକ ସମୟରେ ହଳଦିଆ-ଲାଲ ମିଶା ରଙ୍ଗର ଦେଖାଯାଇଥାଏ।
ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ପୃଥିଵୀ ,ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ରହିଥାଏ। ସେହି ସମୟରେ ଚନ୍ଦ୍ରରେ ପହଞ୍ଚୁଥିଵା ସୂର୍ଯ୍ୟକିରଣକୁ ପ୍ରଥମେ ପୃଥିଵୀର ଵାୟୁମଣ୍ଡଳ ଦେଇ ଅତିକ୍ରମ କରି ପୁଣି ଏହି ବାୟୁମଣ୍ଡଳ ଦେଇ ଫେରିଵାକୁ ବି ପଡ଼ିଥାଏ। ଏହି ଦ୍ବିତୀୟ ଵିକିରଣ କାରଣରୁ ଚନ୍ଦ୍ରକୁ ଆଘାତ ଦେଇ ଆମ ଆଖି ପର୍ଯ୍ଯନ୍ତ ପହଞ୍ଚୁଥିଵା ଆଲୋକରେ ମୁଖ୍ୟତଃ ଲାଲ ତରଙ୍ଗ ରହିଯାଇଥାଏ, ଯେଉଁକାରଣରୁ ଚନ୍ଦ୍ର ଲାଲ ଦେଖାଯାଏ ।
ସତ କହିବାକୁ ଗଲେ, ୭୦୦ ନାନୋମିଟର ଆଲୋକ ଲାଲ ହୋଇଥାଏ କାରଣ ଆପଣଙ୍କ ଆଖିରେ ଥିଵା ଵିଶେଷ କୋଷଗୁଡ଼ିକ ଏହି ମୋଟାପଣର ଆଲୋକ ତରଙ୍ଗଦୈର୍ଘ୍ୟକୁ "ଲାଲ" ଭାବରେ ଧରିଵା ପାଇଁ ପ୍ରୋଗ୍ରାମ୍ କରାଯାଇଛି । ଵାସ୍ତଵରେ ନା ଆକାଶ ନୀଳ, ନା ସୂର୍ଯ୍ୟ ନା ଚନ୍ଦ୍ର ଲାଲ... ସମସ୍ତ ଖେଳ ଆପଣଙ୍କ ଇନ୍ଦ୍ରିୟର ଅଟେ । ଯଦି ଆପଣଙ୍କର ଇନ୍ଦ୍ରିୟରେ ଏହି ଵିଶେଷ ସାମର୍ଥ୍ୟ ନଥାନ୍ତା, ତେବେ ଏହି ଜଗତ ଆପଣଙ୍କୁ ସମ୍ପୂର୍ଣ୍ଣ ରଙ୍ଗହୀନ ଦେଖାଯାଆନ୍ତା । ରଙ୍ଗ କେଵଳ ମନୁଷ୍ୟ ଇନ୍ଦ୍ରିୟରୁ ସୃଷ୍ଟି ହୋଇଥିବା ଏକ ଭ୍ରମ । ଭିନ୍ନ ଭିନ୍ନ ଜୀଵଙ୍କୁ ସେମାନଙ୍କର ଆଖିରେ ଥିଵା ଵିଶେଷ କୋଷିକା ଯୋଗୁଁ ଵିଭିନ୍ନ ରଙ୍ଗ ଦେଖାଯାଏ । ଗୋଟିଏ ଜୀଵ କେଉଁ କେଉଁ ଓ କେତୋଟି ରଙ୍ଗକୁ ଦେଖିଵାକୁ ଯୋଗ୍ୟ ତାହା ଉକ୍ତ ଜୀଵର ଆଖି ମଧ୍ୟରେ ଥିଵା ରଙ୍ଗ-ସଂଵେଦନଶୀଳ ପିଗମେଣ୍ଟରେ ସଂଯୋଜନ ଓ ମସ୍ତିଷ୍କ ଦ୍ଵାରା ତତ୍ ଆଧାରିତ ପ୍ରସଂସ୍କରଣ ପର ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ କୁକୁର କେଵଳ ହଳଦିଆ ଓ ନୀଳ ରଙ୍ଗକୁ ଦେଖିପାରୁଥିଵାବେଳେ ମନୁଷ୍ୟମାନେ ଲାଲ,ନୀଳ ଓ ହଳଦିଆ ରଙ୍ଗ ଦେଖିପାରନ୍ତି । Mentis shrimp ଭଳି ସାମୁଦ୍ରିକ ଚିଙ୍ଗୁଡ଼ି ତ ବାରପ୍ରକାରର ରଙ୍ଗ ସହିତ ଅତିବାଇଗଣି ରଶ୍ମି (ultra violet Ray) ଓ ଧ୍ରୁଵୀକୃତ ଆଲୋକ (polarised light) ମଧ୍ୟ ଦେଖିପାରନ୍ତି । ତେଣୁ ଭଵିଷ୍ୟତରେ କେବେ ରକ୍ତଵର୍ଣ୍ଣର ଚନ୍ଦ୍ର ଦେଖିଲେ ମନେ ରଖିବେ...
“ଆମେ ଲାଲ୍ ରଙ୍ଗର ଚନ୍ଦ୍ର ଦେଖୁଛନ୍ତି କାରଣ ଆମ୍ଭମାନେ ମନୁଷ୍ୟ” !!!
No comments:
Post a Comment