ସପୁରୀପଣସ(Ananas comosus) ଦକ୍ଷିଣ ଆମେରିକା ମହାଦେଶର ଗଛ । ଏହାର ଏକ ପାଶ୍ଚାତ୍ୟ ନାମ Ananas ମୂଳତଃ ଏକ ଦକ୍ଷିଣ ଆମେରକୀୟ ଜନଜାତୀୟ ଭାଷା Tupi ଭାଷାରୁ ଗୃହୀତ ହୋଇଛି । Tupi ଭାଷାରେ ସପୁରୀ ପଣସକୁ nanas କୁହାଯାଉଥିଲା ଯାହା ପର୍ତ୍ତୁଗୀଜ ଭାଷାରେ ananás ହେଇ ଅନ୍ୟାନ୍ୟ ୟୁରୋପୀୟ ଭାଷାରେ ପର୍ତ୍ତୁଗୀଜ ଭାଷା ଦେଇ ପ୍ରଚଳିତ ହେଲା । ୧୭ଶହ ଶତାବ୍ଦୀରେ ପ୍ରଥମେ ୟୁରୋପରେ ସପୁରୀପଣସ ପହଞ୍ଚିଥିଲା ଏଵଂ ତାପରେ ଏହା ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି ।
ଗୋଲଆଳୁ ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶଦ୍ଵୟର ଗଛ । ଏହାର ଇଂରାଜୀ Potato ନାମ ଆମେରିକୀୟ ଜନଜାତୀୟ ଭାଷା Quechuaର 'papa' ('ଆଳୁ') ଓ ଜାମାଇକା ଦ୍ଵୀପର ସ୍ଥାନୀୟ ଭାଷା Taínoର batata ('ମିଠାଆଳୁ') ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି । ଗୋଲ ଆଳୁର ଚାଷ ପ୍ରଥମେ ଦକ୍ଷିଣ ଆମେରକୀୟ ଦେଶ ପେରୁରେ ୨୫୦୦ ଖ୍ରୀଷ୍ଟପୂର୍ଵ ସମୟରେ ହୋଇଥିଵାର ଐତିହାସିକ ପ୍ରମାଣ ମିଳିଛି ।
ଆମେ ଯାହାକୁ ଚିନାବାଦାମ ଵା ଭୁଇଁଚଣା କହିଥାଉ ତାହା ପ୍ରକୃତରେ ଏକ ଦକ୍ଷିଣ ଆମେରକୀୟ ପାଦପ ଅଟେ । ଏହି ପାଦପଟି Fabaceae ପାଦପ କୁଳ ଵା ପରିଵାର(family)ର Arachis ବଂଶ(genus) ସହିତ ସମ୍ବନ୍ଧିତ । ପ୍ରକୃତରେ ଆମେ ଯେଉଁ ଚିନାବାଦାମକୁ ଖାଆନ୍ତି ତାହା ଦୁଇଟି ଜଙ୍ଗଲୀ ଜାତି Arachis duranensis ଓ Arachis ipaensisର ସଙ୍କରଣରୁ ଜାତ ହୋଇଅଛି । ଚିନା ବାଦମ ଦକ୍ଷିଣ ଆମେରିକାର
ପେରୁ,ବୋଲିଭିଆ,ଆର୍ଜେଣ୍ଟିନା ଓ ବ୍ରାଜିଲ ଆଦି ଦେଶର ପାଦପ ।
ସାପେଟା ଵା ସାପଟା ଭାରତରେ ପ୍ରାୟତଃ ମିଳିଯାଏ କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଏହା ମୂଳତଃ ଏକ ଆମେରକୀୟ ପାଦପ ଅଟଇ । ସାପେଟା ମୂଳତଃ ମଧ୍ୟ ଆମେରିକାର ମେକ୍ସିକୋ ଆଦି ଦେଶ ତଥା west indies ଦ୍ଵୀପପୁଞ୍ଜଗୁଡି଼କର ସ୍ଥାନୀୟ ଫଳ ତେବେ ଏ ଅଞ୍ଚଳରେ ଵୈଦେଶିକ ୟୁରୋପୀୟମାନେ ଶାସନ କଲାପରେ ସାପେଟା ଗଛଟି ସହିତ ୟରେସିଆ ଓ ଆଫ୍ରିକାର ଲୋକେ ପରିଚିତ ହେଲେ । ସାପେଟାର ଵୈଜ୍ଞାନିକ ନାମ Manilkara zapota ଏଵଂ ଏହାର ମୁଖ୍ୟ ଇଂରାଜୀ ନାମଟି
sapote ଅଟେ । ଏହି ସାପେଟା ନାମଟି “ମଧ୍ୟ ଆମେରିକୀୟ ଜନଜାତୀୟ ଭାଷା” #Nahuan ଭାଷାର ଏକ ଶବ୍ଦ *ȼapotlର chapote, zapote ଓ sapote ଭଳି ଏକ ପରିଵର୍ତ୍ତିତ ଆଧୁନିକ ରୂପ ଅଟଇ ।
Morinda citrifolia ଗଛଟି ଭାରତରେ ନୋନୀ(Noni) ନାମରେ ଲୋକପ୍ରିୟ ହୋଇଗଲାଣି । ଅନେକେ ଏ ଗଛର ଉପକାରିତା ଵିଷୟରେ ଜାଣିଥିବେ ତେବେ ଅନେକଙ୍କୁ ଜଣାନଥିଵ ଯେ ଏହି ଗଛଟି ପ୍ରକୃତରେ ଦକ୍ଷିଣ ପୂର୍ଵ ଏସିଆ,ହାୱାଇ ତଥା ଅଷ୍ଟ୍ରେଲିଆ ଅଞ୍ଚଳର ପାଦପ ଅଟଇ । ଏହି ଫଳର ନୋନି ନାମଟି Austronesian ଭାଷାପରିଵାରର Hawaiian ଭାଷାରୁ ଇଂରାଜୀ ଭାଷାରେ ଗୃହୀତ ହୋଇଛି । ଅନେକ ଆଷ୍ଟ୍ରୋନେସୀୟ ଭାଷାରେ Noni ଶବ୍ଦ ସହିତ ସଗୋତ୍ରୀୟ ଶବ୍ଦ ସମାର୍ଥକ ଶବ୍ଦ ଚଳୁଅଛି ଉଦାହରଣ ସ୍ୱରୂପ Samoan ଭାଷାରେ ନୋନି ଫଳକୁ nonu କୁହାଯାଏ । ଉଭୟ ନୋନି(Morinda citrifolia) ଆଉ ଆଛୁ(Morinda tinctoria) Morinda ବଂଶ(ଜେନସ)ର ଗଛ କିନ୍ତୁ ସେମାନଙ୍କ ଜାତି(ସ୍ପିସିଜ୍) ଭିନ୍ନ ଭିନ୍ନ ! ଜାମୁ(Syzygium cumini) ଆଉ ଜାମୁରୋଳ(Syzygium samarangense) ଯେମିତି ଗୋଟିଏ Syzygium ବଂଶର ଅଲଗା ଅଲଗା ଜାତି ସେହିପରି କିନ୍ତୁ କିଛି ଲୋକ ଉଭୟଙ୍କୁ ଗୋଟିଏ ଭାବି ନିଅନ୍ତି । ପ୍ରଥମେ ଵିଦେଶୀମାନେ ଭାରତର ଆଛୁଗଛ(Morinda tinctoria) ସହିତ ପରିଚିତ ହୋଇଥିଲେ କାରଣ ଏ ଗଛ ବହୁ ପ୍ରାଚୀନ କାଳରୁ ଵସ୍ତ୍ର ରଙ୍ଗ ପାଇଁ ଵ୍ୟଵହୃତ ହୋଇଆସୁଛି । ଵିଦେଶୀମାନେ ଭାରତୀୟ ଆଚ୍ଛୁଗଛର ନାମ indian mulberry ଦେଇଥିଲେ । ପରେ ୟୁରୋପୀୟମାନେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜ, ଅଷ୍ଟ୍ରେଲିଆ ନିକଟସ୍ଥ ଦ୍ଵୀପପୁଞ୍ଜ ତଥା ହୱାଇ ଦ୍ଵୀପରୁ ନୋନି ଗଛ(Morinda citrifolia) ସହିତ ପରିଚିତ ହେଲେ । ଆଚ୍ଛୁ ଓ ନୋନି ଗଛ ଗୋଟିଏ ବଂଶ ଓ ଭିନ୍ନ ଭିନ୍ନ ଜାତିର ଗଛ ହୋଇଥିଵାରୁ ଉଭୟ ଗଛ ମଧ୍ୟରେ କେତେକ ସମାନତା ଥିଵା ଦେଖାଯାଏ । ଵିଦେଶୀମାନେ ନୋନୀ ଗଛ ସହିତ ପରିଚିତ ହୋଇ ତାକୁ ମଧ୍ୟ ଭାରତୀୟ ଆଚ୍ଛୁ ଗଛର ଇଂରାଜୀ ନାମ indian mulberry ଦେଇ ଦେଲେ ।
ଲିଚୁ ଆଜିକାଲି ଭାରତରେ ମିଳୁଥିଵା ଅନ୍ୟତମ ଵୈଦେଶିକ ଫଳ । ଏହାର ଵୈଜ୍ଞାନିକ ନାମ
Litchi chinensis ଏଵଂ ଇଂରାଜୀ ନାମ Lychee ଅଟେ । ଲିଚୁ ହେଉଛି Sapindaceae ପାଦପ କୁଳର ଗଛ ଏଵଂ ସେହି କୁଳର ଭାରତୀୟ ମୂଳର ପାଦପ ହେଉଛି Schleichera oleosa ଵା କୁସମ ଗଛ । ଲିଚୁ ଶବ୍ଦଟି ମୂଳତଃ ଏକ Cantonese ଶବ୍ଦ 荔枝 (lai6 zi1)ରୁ ଗୃହୀତ ହୋଇଛି ।
ଆଜିକାଲି ଭାରତରେ କିୱି(kiwi) ନାମରେ ଗୋଟିଏ ଫଳ ମିଳୁଛି ଯାହାର ପଣା କରି ଭାରତୀୟ ନଗରଵାସୀ ଲୋକେ ପିନ କରୁଥିଵା ଦେଖାଯାଏ । ଭାରତରେ କେତେକ ଅଞ୍ଚଳରେ ଏହାର ଚାଷ ମଧ୍ୟ ଆରମ୍ଭ ହୋଇଛି । କିୱି କିନ୍ତୁ ପ୍ରକୃତରେ ଏକ ଚୀନ ଦେଶୀୟ ଫଳ ଅଟେ । ଏହା ଚୀନଦେଶର ମଧ୍ୟ ଓ ପୂର୍ଵାଞ୍ଚଳର ଫଳ ଏଵଂ ପ୍ରଥମେ ଚୀନରୁ ବିଂଶ ଶତାବ୍ଦୀରେ ନ୍ୟୁଜିଲାଣ୍ଡକୁ ଯାଇ ପ୍ରଥମେ ଚାଷ ହୋଇଥିଲା । ନ୍ୟୁଜିଲାଣ୍ଡରୁ ଏ ଫଳ ଆମେରିକା ଓ ୟୁରୋପରେ ଲୋକପ୍ରିୟ ହେଲା ଫଳତଃ ନ୍ୟୁଜିଲାଣ୍ଡଵାସୀଙ୍କ ଡାକନାମ kiwi ନାମରେ ଏ ଫଳକୁ ନାମିତ କରାଯାଇଛି ।
No comments:
Post a Comment