Wednesday, August 9, 2023

ଭାଗଵତ ଟୁଙ୍ଗିରେ ସନ୍ଧ୍ୟା

ପ୍ରଥମସନ୍ଧ୍ୟା

ଆଜି ଟୁଙ୍ଗିରେ ଉପସ୍ଥିତ ବ୍ୟକ୍ତିମାନଙ୍କର କିଞ୍ଚିତ୍ ପରିଚୟ ଦେଵାର ଆଵଶ୍ୟକ-

•ପଣ୍ଡିତ ମହାଶୟ — ଗ୍ରାମଵାସୀ ବ୍ରାହ୍ମଣ, ଵୟସ ୫୦, କାଵ୍ୟ, ଵ୍ୟାକରଣ,
ମହାନାଟକ, କର୍ମକାଣ୍ଡରେ, ଜ୍ୟୋତିଷରେ ବେଶ୍ ପ୍ରଵେଶ । ସର୍ଵଦା ସଂସ୍କୃତ ପଢ଼ି ଉକ୍ତ
ଭାଷାର କେତେକ ଭାବ ଓ ଵ୍ୟାକରଣ ଏଵଂ ଶବ୍ଦଗତ ଵିଶେଷତ୍ଵ ତାଙ୍କ ମନରେ ଦୃଢ଼ମୂଳ
ହୋଇ ରହିଯାଇଅଛି । ଓଡ଼ିଆରେ ପଦେ ଅଧେ ଖାଣ୍ଟି ସଂସ୍କୃତ ନ ମିଶିଲେ ତାଙ୍କୁ ଭଲ
ଲାଗେ ନାହିଁ । ଓଡ଼ିଆ ଭାଷାକୁ ସଂସ୍କୃତରେ ପରିଣତ କରିଵା ତାଙ୍କ ଜୀଵନର ପ୍ରଧାନ
ଉଦ୍ଦେଶ୍ୟ ବୋଲି କହନ୍ତି । ଅତ୍ୟନ୍ତ ରକ୍ଷଣଶୀଳ ।

•ମାଷ୍ଟର ମହାଶୟ — ଏଠା ଅପର ପ୍ରାଇମେରୀ ସ୍କୁଲର ଶିକ୍ଷକ । ଵୟସ ୨୫,
ମାଇନର ଫେଲ୍, ଗୁରୁଵିଭାଗ (୩ୟ ଶ୍ରେଣୀ) ପାସ୍‌, ଘରେ ବହୁତ ଇଂରାଜୀ ବହି
ପଢ଼ିଅଛନ୍ତି, ୪ ମାସ ଉମେଦ୍ବାରି କରି ଏଠାରେ ୩ ମାସ ହେଲା ଅଛନ୍ତି । ଆଜିଯାକେ କିନ୍ତୁ ଚାକିରିର ଏକ ସପ୍ତାହ ପୂର୍ଵରୁ ଯେଉଁ ଟ୨୦/- କରଜ କରିଥିଲେ, ତାହା ପରିଶୋଧ ହୋଇ ନାହିଁ । ଓଡ଼ିଆ ଭାଷା ପ୍ରତି ଗୋଟାଏ ଵିଜାତୀୟ ଘୃଣା । ଇଂରାଜୀ ଶବ୍ଦମାନଙ୍କର ସାହାଯ୍ୟ ନ ନେଲେ ଓଡ଼ିଆର ଭାବମାନ ଵ୍ୟକ୍ତ କରିଵା ଅସମ୍ଭଵ ମନେକରନ୍ତି । ଖୁବ୍
ମାନ୍ୟଗଣ୍ୟ ଵ୍ୟକ୍ତିଙ୍କ ସଙ୍ଗେ କଥା କହୁଁ କହୁଁ ପଦେ ଅଧେ ଇଂରାଜୀ ଶବ୍ଦ ଅତର୍କିତ
ଭାବରେ ମୁହଁରୁ ବାହାରିଯାଏ । ବାଧ୍ୟହୋଇ ଓଡ଼ିଆ ଵିଦ୍ୟାଳୟରେ ଚାକିରି; କିନ୍ତୁ ମନରେ ପିଲାଦିନୁ ଗୋଟିଏ କ୍ଷୋଭ ରହିଅଛି ।

ମୁକ୍ତାରବାବୁ — ଏ ଗ୍ରାମର ଜଣେ କରଣ ଯୁଵକ, ଲେଖାପଢ଼ିରେ ଖୁବ୍ ଟାଣ,
ନଗରର ଜଣେ ଖ୍ୟାତନାମା ଓକିଲଙ୍କ ମୋହରିର । କିନ୍ତୁ ଗ୍ରାମରେ ମୁକ୍ତିଆରବାବୁ ବୋଲି ଖ୍ୟାତ । ଏଠାରେ ସମସ୍ତ ମାମଲା ମକଦ୍ଦମା ଓକିଲବାବୁଙ୍କଠାରେ ହାଜର କରନ୍ତି । ଅଵଶ୍ୟ ଟଙ୍କାମୁଣ୍ଡେ ଛ’ ଅଣାଟି ରୋକ୍‌ଠୋକ୍ । ଏହାଛଡ଼ା ମିଠେଇଖିଆ । ଦୋଳ ଦଶହରାରେ ଚନ୍ଦ୍ରକଣା ଯୋଡ଼, ମିଠେଇ ହାଣ୍ଡିଟା ଛାଡ଼ ନାହିଁ । ଆଇନିଆ ସମସ୍ତ ଫନ୍ଦି ଫିକରରେ କୁଶଳ,ଵିଶେଷତଃ ଚୋରି, ଜନାକାରୀ, ଫୌଜଦାରୀ, କାଞ୍ଜିହାଉସ ଓ ଜଳଡୁବି ଵିଷୟକ ଆଇନ ଏହାଙ୍କ ଜିଭ ଅଗରେ ଥୁଆ । ଶନିଵାର, ରଵିଵାର ଓ ପର୍ଵ ଛୁଟିରେ ଘରକୁ ଆସନ୍ତି । ମଫସଲରେ ବେଶ୍ ପ୍ରତିପତ୍ତି । ନ୍ୟାୟ-ନିଶାପ, କଜିଆ ତକରାର, ବଣ୍ଟୁଆରା ସବୁଠାକୁ ଆମନ୍ତ୍ରିତ ହୁଅନ୍ତି । ଗ୍ରାମରେ କିଛି ତଦାରଖି ମାମଲା
ପଡ଼ିଲେ ମୁକ୍ତାରବାବୁ ଯେବେ ଗ୍ରାମରେ ଉପସ୍ଥିତ ଅଛନ୍ତି, ତଦାରଖି ହାକିମ ମଧ୍ୟ ତାଙ୍କୁ ପଦେ ମିଠା କଥା ନ କହି ଯିବେ କାହିଁ ? କଚେରିକୁ ଓ ସହରକୁ ନ ଗଲେ କୌଣସି ଵିଷୟ ଉତ୍ତମରୂପେ ନିଷ୍ପତ୍ତି ହୁଏ ନାହିଁ ବୋଲି ଏହାଙ୍କର ଧାରଣା । ଅଭ୍ୟାସଵଶତଃ ଘରର ପିଲାଙ୍କ ସଙ୍ଗେ ସୁଦ୍ଧା କଥାବାର୍ତ୍ତା କରୁ କରୁ ପଦେ ପଦେ କଚିରିଆ କଥା ମିଶିଯାଏ ।

•ମହାଜନ - ଏ ଗ୍ରାମଵାସୀ ଯୁଵକ ସାହୁ ଉପାଧ୍ୟାକାରୀ, ଖୁବ୍ ସମ୍ପତ୍ତି, ଗ୍ରାମ ପ୍ରାନ୍ତରେ
ନିଜର ଗୋଟିଏ ଗୋଦାମ । ଏହାଙ୍କ ପିତା ଟ୧୦ ମୂଳଧନରେ ଦୋକାନଟି ଆରମ୍ଭ
କରିଥିଲେ । କିନ୍ତୁ ଵର୍ତ୍ତମାନ ସାହୁ ବଂଶ ଖୁବ୍ ବଢ଼ିଆ, ୪/୫ ଦିନେ ଗାଡ଼ି ସହରକୁ
ସଉଦା ନିମନ୍ତେ ଯାଏ । ଗ୍ରାମର ଚାଉଳ, ରବି, ସୋରିଷ, ଧନିଆର ଏହାଙ୍କର ଏକଚାଟିଆ ଅଧିକାର । ଜିନିଷ ପାଇଵା ପୂର୍ଵରୁ ଟଙ୍କା ଦାନ ଦେଇଥାନ୍ତି । ଟଙ୍କାମୁଣ୍ଡେ ସୁଉକିଏ ଲାଭ ଥୁଆ । କିପରି ଟଙ୍କାରେ ପଇସାଟିଏ ମିଳିଵ, ଦିନ ରାତି ଏହି ଚିନ୍ତା ।

•ମସ୍ତରାମ ପାଗଳ - ଦିନରାତି ପାଟିର ଵିରାମ ନାହିଁ । ସ୍ଥାନାତସ୍ଥାନ, ପାତ୍ରାପତ୍ର,
ସମୟାସମୟ, ଵିଷୟ ଅଵିଷୟର କିଛି ଵିଚାର ନାହିଁ । ଯାହା ଯେତେବେଳେ ମନକୁ ଆସେ, କହିପକାଏ । କିନ୍ତୁ ବେଳେବେଳେ ସେ ଯେଉଁ ପଦେ ପଦେ କଥା ଓ ମନ୍ତଵ୍ୟ କହେ,ତହିଁରେ ଆମ୍ଭେମାନେ ଏକାଧାରରେ ଆନନ୍ଦିତ ଓ ଵିସ୍ମିତ ହେଉ । ଵାକ୍ୟାଳାପ ସମୟରେ ତାହାର ଚିନ୍ତା ସୋପାନକୁ ଅନୁସରଣ କରିଵା ଵିଶେଷ ଆୟାସସାଧ୍ୟ ।
ଆଜି ସନ୍ଧ୍ୟାବେଳେ ଏହି ପାଞ୍ଚଜଣ ଓ ମୁଁ ଟୁଙ୍ଗିରେ ଉପସ୍ଥିତ ।

ପଣ୍ଡିତ ମହାଶୟ ପ୍ରସଙ୍ଗ ଆରମ୍ଭ କଲେ-
ଆହା ! ଶରତ୍ ପୂର୍ଣ୍ଣିମାର ଶୋଭା ସନ୍ଦର୍ଶନ କରି ଅସ୍ଵାଦାଦି ଅକଥିତପୂର୍ଵ
ଆନନ୍ଦୋପଲବ୍ଧ କରୁଁ । ଏ ସମ୍ବନ୍ଧ ଆମ୍ଭେ ଗୋଟିଏ ପଦ୍ୟ ରଚନା କରିଛୁ । ପାଠାନ୍ତେ
ସେ ପଦ୍ୟଟି ଭଵଦୀୟାନୁମତି ହେଲେ ମୁଦ୍ରିତାର୍ଥେ ଯତ୍ନ କରିବୁ ।
ମୁକ୍ତାରେ କହିଲେ- ମୁଁ ଚାନ୍ଦା ଅସୁଲ କରି ବହିଖଣ୍ଡିକ ଛପାଇଦେବି । ସହରର
ବଡ଼ ଲୋକମାନେ ମୋତେ ବି ଖାତିର କରନ୍ତି । ତୁମର ଏଥିରେ ଦି’ପଇସା ରୋଜଗାର
ହେଵ; କିନ୍ତୁ ବହିଖଣ୍ଡିକ ଜୟରାମଲାଲବାବୁଙ୍କୁ ଉତ୍ସର୍ଗ କରିଵ ।
ମହାଜନ କହିଲେ- ବହି ବିକ୍ରିରେ ମୂଳ ଉଠିଵା କଷ୍ଟ । ଥରେ ଛାପାଖାନାରୁ ଶଏ ଖଣ୍ଡ
‘ଶାଶୂବୋହୂ ରହସ୍ୟ’ କିଣି ଆଣିଥିଲି । ଫି ଟଙ୍କାରେ ଦି’ ପଇସା ସୁଦ୍ଧା ମିଳିଲା ନାହିଁ ।
ଏଣେ ପଣ୍ଡିତ-ମହାଶୟ ମୁକ୍ତାରଙ୍କ ‘ଉତ୍ସର୍ଗ’ କଥା ଶୁଣି ଆଁ କରି ଚାହିଁ ରହିଲେ
ଓ ଅତି ଵିଷଣ୍ଣ ଭାବରେ କହିଲେ- ଏଡ଼େ ବଡ଼ ଲୋକ ଥିଲା, ଶୁଦ୍ଧ ଶ୍ରାଦ୍ଧ ବେଳକୁ କେହି
ପଣ୍ଡିତାଶୀର୍ଵାଦାର୍ଥେ ଯତ୍ନୀ ହେଲେ ନାହିଁ । ପରକାଳରେ କି ଦୁଃଖଭୋଗୀ ହେଵ ।
ମୁଁ ଈଷତ୍ ହାସ୍ୟ କରି କହିଲି- ପଣ୍ଡିତ-ମହାଶୟ, ଦୁଃଖିତ ହେଵାର କାରଣ ନାହିଁ ।
ଜୟରାମବାବୁ ଵର୍ତ୍ତମାନ ଜୀଵିତ । ପୂର୍ଵେ ଯେପରି ଭୋଜ୍ୟଵସ୍ତୁ କିମ୍ବା ଅର୍ଥ ଜୀଵିତ କିମ୍ବା
ମୃତଵ୍ୟକ୍ତିଙ୍କ ନାମରେ ଉତ୍କୃଷ୍ଟ ହେଉଥିଲା, ଆଜିକାଲି ପୁସ୍ତକମାନଙ୍କର ସେହିପରି
ହେଲାଣି । ଏପରି କରିଵି ଦ୍ଵାରା ଦେଶର ଓ ଆପଣାର ଅନେକ ପ୍ରକାର ଲାଭଯୋଗ୍ୟଲୋକର ପୂଜା, ନିଜର ଅର୍ଥଲାଭ ‘କୁସୁମ ପରଶେ ପଟ ନିଷ୍କରେ’
ଖ୍ୟାତନାମା ଵ୍ୟକ୍ତିଙ୍କ ସଙ୍ଗେ ଘନିଷ୍ଠତା, ଵିଶେଷତଃ ଯାହାଙ୍କ ନାମରେ ଉତ୍ସର୍ଗ ହୋଇଥାଏ,
ଯେବେ କୌଣସି ପ୍ରକାରେ ତାଙ୍କର ଅନୁକୂଳମତପୂର୍ଣ୍ଣ ପ୍ରଶଂସାପତ୍ର ଖଣ୍ଡେ ସେ ପୁସ୍ତକରେ
ଯୁକ୍ତ ହୁଏ, ତେବେ ସେ ସର୍ଵୋତ୍କୃଷ୍ଟ ପୁସ୍ତକ ହେଲା ଓ ତାହା ଦେଶଯାକ ବିଞ୍ଚି ହୋଇଯାଏ ।
ମାଷ୍ଟର-ମହାଶୟ କହିଲେ- Certificate (ପ୍ରଶଂସାପତ୍ର) ପାଇଵା ସହଜ କଥା,
regularly (ନିୟମିତରୂପେ) ଦୁଇଓଳି ଜଣକ ନିକଟକୁ ଯାଅ, କେତେବେଳେ ଶାଗଟାଏ,
ମାଛଟାଏ, ଆଚାର ଟିକିଏ, କେତେବେଳେ ଵା child (ପିଲା)ଙ୍କୁ ପ୍ରେମରେ କାଖେଇ
ପକାଇଲେ ଆହୁରି easy (ସହଜ) । ତେବେ ଖଣ୍ଡେ good certificate (ଉତ୍ତମ
ପ୍ରଶଂସାପତ୍ର) ମିଳିଲା । ଅନେକ ସ୍ଥଳରେ Certificate (ପ୍ରଶଂସାପତ୍ର) ମାନଙ୍କରେ
author (ଗ୍ରନ୍ଥକର୍ରା)ଙ୍କୁ ଅଯଥା ବାହାଦୁରି ଦିଆଯାଇଥାଏ । ଯେଉଁଠାରେ ଏ class
(ଶ୍ରେଣୀ)ର certificate (ପ୍ରଶଂସାପତ୍ର ଦେଖିଵ, ନିଶ୍ଚୟ ଜାଣିଵ ଯେ ଉମେଦ୍ବାରଙ୍କ
repeated (ଉପର୍ୟ୍ୟପରି) ଜ୍ଵାଳାରୁ ରକ୍ଷା ପାଇଵା ନିମନ୍ତେ ଏ Plan (ଉପାୟ)
କରାଯାଇଥିଲା । Certificate (ପ୍ରଶଂସାପତ୍ର) ଦାତାଙ୍କର କିଛି ଦୋଷ ନାହିଁ । ପ୍ରକୃତ
quality (ଗୁଣ) ପରୀକ୍ଷା କରି certificate (ପ୍ରଶଂସାପତ୍ର) ଦେବାକୁ ହେଲେ time
(ସମୟ) ଏଵଂ labour (ପରିଶ୍ରମ) ଆଵଶ୍ୟକ । ଏତେ trouble (କଷ୍ଟ) କରୁଛି
କିଏ ? ଟିକିଏ ଭଲ କରି ଲେଖିଦେଲେ ଖଲାସ । ଏହାଦ୍ଵାରା ମଧ୍ୟ ପରୋପକାର
କରାଯାଏ । ମୋର ନାମରୂପ flag (ବାନା)ଧରି ଯେବେ ଜଣେ କିଛି earn (ଉପାର୍ଜନ)
କରି ନେଲା, ତେବେ ଦାତାଙ୍କର ଇହକାଳରେ ପରୋପକାର ଓ ପରକାଳରେ ସ୍ୱର୍ଗଲାଭ ।
ଅଳ୍ପଦିନ ପୂର୍ଵେ ଜଣେ famous (ପ୍ରସିଦ୍ଧ) ଏଵଂ ଦେଶମାନ୍ୟ ଲୋକ ତାଙ୍କ ନାମରେ
ଉତ୍ସର୍ଗ କରି ଖଣ୍ଡେ ବହି ଲେଖିଵାକୁ ମୋତେ କହିଥିଲେ । ହାୟ ! ମୋର ସେ power
(କ୍ଷମତା) ନାହିଁ । Newspaper (ସମ୍ବାଦପତ୍ର)ରେ ପ୍ରକାଶିତ certificate
(ପ୍ରଶଂସାପତ୍ର) ମାନଙ୍କ କଥା ଭିନ୍ନ class (ଶ୍ରେଣୀ)ର ।
ମୁଁ କହିଉଠିଲି - ‘ମାଷ୍ଟର ମହାଶୟ ! ବନ୍ଦ କରନ୍ତୁ । Certificate (ପ୍ରଶଂସାପତ୍ର)
ମାହାତ୍ମ୍ୟ ବୋଲି ଖଣ୍ଡେ ବହି ଛପାଇଲେ ଆପଣ ଦୁଇପଇସା ଆୟ କରନ୍ତେ ଓ ବାଟରେ
ହଗିଲେ ନାଁ ପଡ଼େ’, ଆପଣଙ୍କୁ ଦେଶ ଵିଦେଶରେ ଅନେକ ଲୋକ ଜାଣିଯାଆନ୍ତେ ।
ମହାଜନ କହିଲେ- ପଣ୍ଡିତ ଗୀତଟି ଆରମ୍ଭ କରିଥାନ୍ତେ, ତୁମେ ବାଢେଗପ ବନ୍ଦ
କର, ନଇଲେ କାଲ ଆଗରେ କାହିଁକି ମୂଳା ଚୋଵାଉଛ ? ମୁଁ ଯାଉଛି ।
ମହାଜନଙ୍କୁ ଗମନୋନ୍ମୁଖ ଦେଖି ଆମ୍ଭେମାନେ ଅଗତ୍ୟା ପଣ୍ଡିତ-ମହାଶୟଙ୍କୁ
ଅନୁରୋଧ କଲାରୁ ସେ ପଦ୍ୟଟି ଆରମ୍ଭ କଲେ ।
ଶାରଦୀ ପୌର୍ଣ୍ଣମାସୀ ।

କୌମାରୀ ପୂର୍ଣ୍ଣିମାରେ ଜଳଦଗଣ ଵିନା ନିର୍ମଳାକାଶଦେଶେ
ପୂର୍ଵେଦୁଃଖେ ଵିରାଜେ ଜୀଵଗଣମୁଦକ ବିଞ୍ଚଇ ଦେଶଦେଶେ ।
ଅନୂଢ଼ା କନ୍ୟକାଏ ନିଜ ନିଜ ଗୃହରେ ଭୋଗଚାଙ୍ଗୁଡ଼ିମାନ
ଯତ୍ନ ନୈଵେଦ୍ୟପୂର୍ଵେ କରି ଚଳିଗଲେଣି ଚନ୍ଦ୍ରନୈଵେଦ୍ୟଦାନେ ।
ଶସ୍ୟ କେଦାର ପୂନଃ ପଥଗଣ ଶୁଖଇ ଦେଵୀପର୍ଵ ପ୍ରକାଶେ
ଆନନ୍ଦେ ଚାଷୀମାନେ ନିଜ ନିଜ ବିଲକୁ ଚାହିଁ ନାଚନ୍ତି ହର୍ଷେ ।

ମସ୍ତରାମ ପାଗଳ ଏହି ସମୟରେ ଚିତ୍କାର କରିଉଠିଲା -
କେଶାକର୍ଷଣ ହାବୁକା ଗଡ଼ଗଡ଼ା ଚାପୋଡ଼ ବିଦ୍ଧା କଡ଼ି
ଲେଡ଼ା ନାକମୋଡ଼ା କହୁଣି କୋରଡ଼ା ପାଥୋଇ ଠେଙ୍ଗା ହଡ଼ି ।
ଝିଙ୍କା ବାହୁଛଟା ସମର୍ଥ ଗୋଇଠା ଚେଙ୍ଗା ମୁଖୀ ଚେଙ୍ଗିଵା ।
ଶାଙ୍କୋଳି ତଡ଼କାନ୍ତି ଚାବୁକଡିହଃ ତୋଟ୍ୟାଧ୍ଵକନ୍ନାତ୍ମକ ।
ପଣ୍ଡିତ-ମହାଶୟ ‘ଚିତ୍ରାପିତାରମ୍ବଇବାବତ’ କିଛିକ୍ଷଣ ପରେ ଅତି ଵିରକ୍ତ ଓ
ରାଗାନ୍ଵିତ ହୋଇ କହିଲେ, ‘ଅରସିକେଷୁ ରସସ୍ୟ ନିଵେଦନଂ - ଶିରସି ମା ଲିଖ, ମା
ଲିଖ ।’ ଏହା କହି ଟୁଙ୍ଗି ପରିତ୍ୟାଗ କରିଵାକୁ ଉଦ୍ୟତ ହେଲେ ।
ମୁକ୍ତାରେ ଏଥିମଧ୍ୟରେ ତନ୍ଦ୍ରାଭିଭୂତ ଥିଲେ । ସହସା ଏ କୋଳାହଳ ଶୁଣି ତନ୍ଦ୍ରାତ୍ୟାଗ
କରି କହିଲେ – ‘ପଣ୍ଡିତେ, ପିଙ୍ଗଳ କୋଡ଼ର ୩୩୫ ଦଫା, ଆମେ ଜଣେ ସାକ୍ଷୀ, ଆମେ
ବସୁ ବସୁ ଏପରି ଦଙ୍ଗା ଫିସାଦ !’

ଆମ୍ଭେମାନେ ମଫସଲୀ - ଆଇନ କଥା ଶୁଣିଲେ ଆମ୍ଭେମାନେ ଡରୁଁ । ଦେଖିଲି
ଯେ ‘ଦିଅଁ ଗଢୁ ଗଢୁ ମାଙ୍କଡ଼ ।’ ମୁକ୍ତାରବାବୁଙ୍କୁ ପ୍ରକୃତ କଥା ବୁଝାଇ ଦେଵାରୁ ମୁକ୍ତାର
ଟିକିଏ ଥଣ୍ଡା ହେଲେ । ମୁଁ ପଣ୍ଡିତ-ମହାଶୟଙ୍କୁ ସମ୍ବୋଧନ କରି କହିଲି-
ଆପଣଙ୍କ ପଦ୍ୟଟି ମନ୍ଦ ହୋଇ ନାହିଁ । (ସତ୍ୟ ବୃୟାତ୍ ପ୍ରିୟ ବୃୟାତ୍,
ସତ୍ୟମପ୍ରିୟଂ ।’ ବିଶେଷତଃ ପଣ୍ଡିତ-ମହାଶୟଙ୍କର ଜ୍ଵଳନୋନ୍ମୁଖ କେରାସିନ ତୈଳର
ଅଵସ୍ଥା) କିନ୍ତୁ ଏପରି ଚେଷ୍ଟା କରିବାରେ ଆପଣଙ୍କ ମୂଲ୍ୟଵାନ୍ ସମୟ ଵ୍ୟୟ ନ କରି
ଉତ୍କଳଭାଷା ପ୍ରଚଳିତ ଛନ୍ଦମାନଙ୍କରେ ପଦ୍ୟ ରଚନା କଲେ, ସମୟରେ ଜଣେ ଉତ୍କୃଷ୍ଟ
କଵି ହୁଅନ୍ତେ । ସଂସ୍କୃତ ରାଗରେ ଉତ୍କଳ ପଦ୍ୟ ଲେଖିଵା ଆମ୍ଭମାନଙ୍କ ପକ୍ଷରେ ସହଜ
ନୁହେଁ । ସଂସ୍କୃତରେ ସନ୍ଧି ଓ ସମାସର ସାହାଯ୍ୟରେ ପଦ୍ୟ ରଚନାର ଯେଉଁ ସୁଵିଧା
ଅଛି, ଉତ୍କଳ ଭାଷାରେ ତାହା ନ ଥିଵାରୁ ଉତ୍କଳୀୟ କଵିମାନେ ଦୀର୍ଘ, ହ୍ରସ୍ବ, ଗୁରୁ, ଲଘୁ
ଇତ୍ୟାଦି ଵର୍ଣ୍ଣଯୋଜନ ପ୍ରଣାଳୀ ଭାଷାରେ ଚଳାଇ ପାରି ନାହାନ୍ତି । ସଂସ୍କୃତ ପଦ୍ୟରେ
କ୍ଳିଷ୍ଟତା ଦୋଷ, ଦୋଷ ମଧ୍ୟରେ ଗଣ୍ୟ ନୁହେଁ; କିନ୍ତୁ ଉତ୍କଳ ପଦ୍ୟରେ ଅପ୍ରଚଳିତ କ୍ଲିଷ୍ଟତା

ଦୋଷ ଉପର୍ୟ୍ୟପରି ଲକ୍ଷିତ ହେଲେ ପଦ୍ୟଟିକୁ ନିରସ କରିପକାଏ । ଆଉ ମଧ୍ୟ ସଂସ୍କୃତରେ ଶବ୍ଦରୂପ ନିୟମ ଅପେକ୍ଷା ଉତ୍କୃଷ୍ଟତର ଥିଵାରୁ ପଦ୍ୟ ରଚନା ସଂସ୍କୃତ ଭାଷାରେ ସହଜତର । ସଂସ୍କୃତ ଛନ୍ଦରେ ଉତ୍କଳପଦ୍ୟ ରଚନା କରିଵାକୁ ଗଲେ ଯତିଭଙ୍ଗ ଅଵଶ୍ୟମ୍ଭାବୀ ହୋଇଉଠେ । କିନ୍ତୁ ଆପଣଙ୍କର ଏପରି ଚେଷ୍ଟା ପ୍ରଶଂସାଯୋଗ୍ୟ । ପଣ୍ଡିତ - ମହାଶୟ ଟିକେ ସ୍ଥିର ହୋଇ କହିଲେ- ‘ ବାତୁଳା କିଂ ନ ଜଳ୍ପନ୍ତି । ’ ଯେତେବେଳେ ସଂସ୍କୃତ ଆମ୍ଭମାନଙ୍କ ଭାଷାର ମାତୃଭାଷା , ପରନ୍ତୁ ଦେଵଭାଷା , ତେତେବେଳେ ଉତ୍କଳୀୟ ଭାଷାକୁ ଯଥାଶକ୍ତି ମାତୃଭାଷା ସଙ୍ଗେ ମିଳନ କରିଵା ଅସ୍ମଦୁଦ୍ଦେଶ୍ୟ । 

ମସ୍ତରାମ ମିଠାସ୍ବରରେ କହିଲା ‘ ହକ୍ କହେଗା , ଗୁରୁ ଚିଡ଼େଗା ତ ଚିଡ଼େଗା ’ । ଗଛ ଗଣ୍ଡିରୁ ସିନା ଡାଳ ବାହାରେ , ଡାଳ କେବେ ଗଣ୍ଡି ହେଵ ? କେଜାଣି ଅବା ଡାଳରେ କାଦୁଅ ଲେସିଲେ ଗଣ୍ଠି ପରି ମୋଟ ଦିଶିଵ । ଏକା ଅସ୍ରାଏ ଵର୍ଷାରେ ସବୁ ଧୋଇଯିଵ । ମୁଁ ଓ ମାଷ୍ଟର - ମହାଶୟ ପାଗଳର ଲୁପ୍ତାପମାଟିକୁ ହୃଦୟଙ୍ଗମ କରି ଆନନ୍ଦିତ ହେଲୁ । ମାଷ୍ଟର - ମହାଶୟ ମୋତେ ଗୁପ୍ତ ଭାବରେ କହିଲେ , ସଂସ୍କୃତ Poem ( ପଦ୍ୟ ) ଲେଖିଵା ପଣ୍ଡିତଙ୍କର ଗୋଟିଏ Whim ( ଖିୟାଲ ) । ବେଶି argue ( ଯୁକ୍ତ ) କଲେ ସେ ନିଆଁ ହୋଇଯିବେ । ଅତଏଵ୍ ଅନ୍ୟ matter ( ବିଷୟ ) ପକାଅ । କିନ୍ତୁ ପଣ୍ଡିତ- ମହାଶୟ ନଛୋଡ଼ବନ୍ଦା । ସ୍ୱରଚିତ ପଦ୍ୟଟି ଶେଷ କରିଵାକୁ ଅତ୍ୟନ୍ତ ଵ୍ୟାକୁଳ ହେଵାର ଦେଖି ମୁଁ କହିଲି , ପଣ୍ଡିତ - ମହାଶୟ ! ଆପଣଙ୍କୁ ଚାଳିଶ ହେଲାଣି । ଆପଣ ଆଉ କଷ୍ଟ ସ୍ୱୀକାର କରି ପଢ଼ିବେ କାହିଁକି ? ସେ ପଦ୍ୟଟି ମତେ ଦିଅନ୍ତୁ , ମୁଁ ପଢ଼ିସାରି ମୁକ୍ତାରବାବୁଙ୍କୁ ଦେଲେ ସେ ଛପାଇଵାରେ ଉଦ୍‌ଯୋଗ କରିବେ । ମୁକ୍ତାରବାବୁ ଏଥି ମଧ୍ୟରେ ପୁନର୍ଵାର ତନ୍ଦ୍ରାଭିଭୂତ ଥିଲେ । ନିଜର ନାମ ଉଚ୍ଚାରିତ ହେଵାମାତ୍ରେ ତନ୍ଦ୍ରା ତ୍ୟାଗ କରି କହିଲେ , ‘ ପଣ୍ଡିତେ , ମତେ ସେ ବହିଟି ଦିଅ , ମୁଁ ଆରଥରକୁ ଛପାଇ ଆଣିବି । ଏହା କହି ପଦ୍ୟଟି ପଣ୍ଡିତଙ୍କ ହାତରୁ ନେଲେ । ମାଷ୍ଟର ମୁକ୍ତାରଙ୍କୁ ପଚାରିଲେ , କାହା ନାମରେ dedicate ( ଉତ୍ସର୍ଗ ) ହେଵ ? ମୁକ୍ତାରେ- ଯାହାଙ୍କ ନାମରେ ଉତ୍ସର୍ଗ ହେଵ , ତାହାଙ୍କ ନାମ କେତେ ଆଡ଼େ ବାଜିଵ । ଯେ ବେଶି ଜରସମନ ଦେବେ , ତାଙ୍କରି ନାମରେ ହେଵ । ଆମେ କଣ ଫୋକଟ ପାଣି ବାଡ଼େଇବୁ ? ଆଉ ବି ଯେଉଁମାନେ ଗଦା ଗଦା ଟଙ୍କା ଗଣୁଛନ୍ତି , ସେମାନେ କଣ ପାଗଳ ? ଏହା କହି ମୁକ୍ତାର ପ୍ରସ୍ଥାନ କଲେ ଓ ଆମ୍ଭେମାନ ଟୁଙ୍ଗିରୁ ଯିଵାକୁ ବସିଅଛୁ , ଏହି ସମୟରେ ମାଷ୍ଟର - ମହାଶୟଙ୍କ ଉପରେ ଗୋଟିଏ ଵିପତ୍ତି ପଡ଼ିଲା । ହଠାତ୍ ବଳଦଙ୍କ ଘଣ୍ଟି ଶୁଭିଵାରୁ ଆମ୍ଭେମାନେ ବାହାରକୁ ଯାଇ ଦେଖିଲୁ ଯେ , ଜଣେ ସ୍କୁଲର ଅତିଥୁ ବାବୁ ସଦଳବଳ ସଯାନବାହନ ଆସି ହାଜର । ମାଷ୍ଟର - ମହାଶୟଙ୍କର ସବୁ ସରସତା କେଉଁଆଡ଼େ ଉଭେଇ ଗଲା । ‘ ଇସ୍କୁଲର ବାବୁ ’ ବୋଲି ମାଷ୍ଟରଙ୍କ ଇଙ୍ଗିତରୁ ଜାଣିଲୁ । କେଉଁ ଇସ୍କୁଲର କି ବାବୁ , କିଛି ଠିକ୍ କରିପାରିଲୁ ନାହିଁ । ବାବୁଙ୍କ ଗାଡ଼ି ଅପର ପ୍ରାଇମେରୀ ସ୍କୁଲ ଅଭିମୁଖରେ ଶ୍ରୁତିମଧୁର ଟୁଣୁ ଟୁଣୁ ଓ କେଁ କେଁ କରି ଚାଲିଲା । ମାଷ୍ଟର - ମହାଶୟ ଯାଇଁ ମହାଜନ ସାହୁଙ୍କ ହାତ ଧରିଲେ । ଦୁଇମାସ ତଳେ କିଏ ଜଣେ ବାବୁ ମାଷ୍ଟରଙ୍କ ବସାରେ ଅତିଥି ହୋଇଥିଵା ସମୟରେ ମାଷ୍ଟର ମହାଜନ ସାହୁଙ୍କ ଦୋକାନରୁ ହାଣ୍ଡି , କାଠ , ଚାଉଳ , ଡାଲି , ଦାନା , କୁଣ୍ଡା , ଘିଅ , ତେଲ , ପାନଗୁଆ ଇତ୍ୟାଦି ଇତ୍ୟାଦି ଯାହା ଯାହା ନେଇଥିଲେ , ତାହା ଗତ ଦୁଇ ମାସର ବିଲ୍‌ରୁ ସମ୍ପୂର୍ଣ୍ଣରୂପେ ପରିଶୋଧ ହୋଇ ନାହିଁ ବୋଲି ମହାଜନ ସାହୁ ଆଜି ସଉଦା ଦେବାକୁ ନିତାନ୍ତ ଅନିଚ୍ଛୁକ ହେଲେ । ଆମ୍ଭେମାନେ ମାଷ୍ଟରଙ୍କ ଵିପଦ ବୁଝିପାରି ସାହୁଙ୍କ ନିକଟରେ ଜାମିନ ରହିଲୁ । ମାଷ୍ଟର ଵିଚରା , ସଉଦାପତ୍ରର ବନ୍ଦୋବସ୍ତ କରି ଗଉଡ଼ସାହି , ଗୁଡ଼ିଆସାହି ଓ କଣ୍ଡରାସାହି ଅଭିମୁଖରେ ଦଉଡ଼ିଲେ ଓ ପଣ୍ଡିତ - ମହାଶୟଙ୍କ ଘରୁ ସ୍କୁଲରୁ ଗୋଛାଏ କୁଟା , ପୁଞ୍ଜାଏ ନଡ଼ିଆ , ଦୁଇପୁଞ୍ଜା କଖାରୁବଡ଼ି , କେରାଏ କୋଶଳା ଶାଗ ଯିଵାର ବନ୍ଦୋବସ୍ତ କରିଗଲେ । ମୁଁ ଓ ମହାଜନ ସାହୁ ନଵାଗତ ଅତିଥିଙ୍କ ଗୁଣାବଳୀ ସ୍ମରଣ କରି କରି ଟୁଙ୍ଗିରୁ ଫେରିଲୁ । ବିଚାରିଲୁ , ଆଜି ସକାଳେ ମାଷ୍ଟରେ କାହା ମୁହଁ ଚାହିଁ ଉଠିଥିଲେ ! 

ଲେଖକ — ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ 
(ଉତ୍କଳ ସାହିତ୍ୟ | ୪ର୍ଥ ଭାଗ | ୭ - ୮ମ ସଂଖ୍ୟା ୧୩୦୭ ସାଲ ୧୩)

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...