Monday, September 4, 2023

●ଚନ୍ଦ୍ରପୃଷ୍ଠରେ ଭାରତୀୟ ଅଵତରଣ ସ୍ଥଳକୁ ଶିଵଶକ୍ତି ନାମକରଣ ଉଚିତ୍ କି ? ●

ତାରାଗୁଡ଼ିକ ଆମଠାରୁ ବହୁ ଦୂରରେ ଅଵସ୍ଥିତ ଥିଵାରୁ ଆକାଶରେ ସେଗୁଡ଼ିକ ସ୍ଥିର ଥିଵା ପରି ମନେ ହୁଏ । କିନ୍ତୁ ବହୁତ ଧ୍ୟାନର ସହ ଦେଖିଲେ ତନ୍ମଧ୍ୟରୁ ପାଞ୍ଚଟି ତାରା ଅନ୍ୟାନ୍ୟ ତାରାଗୁଡ଼ିକ ତୁଳନାରେ ରାତି ଆକାଶରେ ଅପେକ୍ଷାକୃତ ଦ୍ରୁତ ତଥା ନିର୍ଦ୍ଧିଷ୍ଟ ପଥରେ ଗତି କରନ୍ତି ବୋଲି ଜଣାପଡ଼େ । ସେହି ପାଞ୍ଚଟି ତାରା ପ୍ରକୃତରେ ଆମ ସୌରଜଗତର ବୁଧ,ଶୁକ୍ର,ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହ । ଏହି ଗ୍ରହଗୁଡ଼ିକ ଧ୍ରୁଵ ଚାରିପଟେ ଘୂରୁନଥିଵାରୁ ଏଗୁଡ଼ିକୁ ଲୋକେ ତାରାମାନଙ୍କଠାରୁ ଭିନ୍ନ ଗ୍ରହ ଆଖ୍ୟା ଦେଇଥିଲେ । ସୌରଜଗତର ଏ ପାଞ୍ଚଗୋଟି ଗ୍ରହଗୁଡ଼ିକୁ ବିନା କୌଣସି ଉପକରଣ ସାହାଯ୍ୟରେ ମଣିଷ ଖାଲି ଆଖିରେ ଦେଖିପାରୁଥିଲା ଫଳତଃ ସମସ୍ତ ପ୍ରାଚୀନ ସଭ୍ୟତା ଏହି ଗ୍ରହଗୁଡ଼ିକ ଵିଷୟରେ ଅଵଗତ ଥିଲେ । 
ପାଶ୍ଚାତ୍ୟ ଓ ପ୍ରାଚ୍ୟ ସର୍ଵତ୍ର ପୌରାଣିକ ପାତ୍ରଙ୍କ ନାମାନୁସାରେ ଗ୍ରହ ଓ ନକ୍ଷତ୍ରଗୁଡ଼ିକର ନାମକରଣ ହୋଇଥିଲା । ଯଥା : ପାଶ୍ଚାତ୍ୟରେ Mercury ଯେ ଗତିର ଦେଵତା ତାଙ୍କ ନାମରେ ବୁଧ ଗ୍ରହର ନାମକରଣ ହୋଇଥିଲା । Venus ପ୍ରେମର ଦେଵୀ ତାଙ୍କ ନାମରେ ଶୁକ୍ରଗ୍ରହର ନାମକରଣ ହୋଇଥିଲା । Mars ଯୁଦ୍ଧର ଦେଵତା ଏଵଂ ତାଙ୍କ ନାମରେ ମଙ୍ଗଳ ଗ୍ରହ ନାମିତ ହୋଇଥିଲା । Jupiter ଦେଵତାଙ୍କ ମଧ୍ୟରେ ମୁଖ୍ୟ ଦେଵତା ତେଣୁ ସୌରଜଗତର ସବୁଠାରୁ ଵିଶାଳ ବୃହସ୍ପତି ଗ୍ରହର ନାମ ଜୁପିଟର ରଖା ଯାଇଥିଲା । ସେହିପରି ଶନିଗ୍ରହକୁ କୃଷିର ଦେଵତା Saturn ଙ୍କ ନାମରେ ନାମିତ କରାଯାଇଥିଲା । 
୧୭୮୧ ମସିହାରେ ଯେତେବେଳେ ୱିଲିୟମ୍ ହର୍ଚେଲ ୟୁରେନସ୍ ଗ୍ରହ ଆବିଷ୍କାର କରିଥିଲେ, ସେତେବେଳେ ସେ ଚାଟୁକାରିତାରେ ଵଶୀଭୂତ ହୋଇ ସେହି ନୂତନ ଆଵିଷ୍କୃତ ଗ୍ରହକୁ ତାଙ୍କ ସାମନ୍ତ 'ଜର୍ଜ'ଙ୍କ ନାମରେ ନାମିତ କରିଥିଲେ ଏଵଂ ପରଵର୍ତ୍ତୀ ୭ ଦଶନ୍ଧି ପର୍ଯ୍ୟନ୍ତ ୟୁରେନସ୍ ଵିଶ୍ୱଵ୍ୟାପୀ "ଜର୍ଜ ପ୍ଲାନେଟ୍" ନାମରେ ପରିଚିତ ହୋଇଥିଲା । ତେବେ ପରେ ଵୈଜ୍ଞାନିକ ସମୁଦାୟ ନିଷ୍ପତ୍ତି ନେଇଥିଲେ ଯେ ମହାକାଶୀୟ ପିଣ୍ଡଗୁଡ଼ିକର ପୌରଣିକ ପାତ୍ରଙ୍କ ନାମାନୁସାରେ ନାମକରଣ ପରମ୍ପରା ବଳବତ୍ତର ରହିଵ। ତେଣୁ ନୂତନ ଭାବରେ ଆଵିଷ୍କୃତ ହୋଇଥିଵା ଉକ୍ତ ଗ୍ରହର ନାମ ସ୍ଵର୍ଗ ଓ ଆକାଶର ପ୍ରାଚୀନ ଗ୍ରୀକ୍ ଦେଵତା ୟୁରେନସ୍‌ଙ୍କ ନାମାନୁସାରେ ରଖାଯାଇଥିଲା । 
ପରଵର୍ତ୍ତୀ ସମୟରେ ଆଵିଷ୍କୃତ ସୌରଜଗତର ଗ୍ରହଗୁଡ଼ିକୁ ଜଳର ରୋମାନ୍ ଦେଵତା Neptune ଓ ପାତାଳର ଗ୍ରୀକ୍ ଦେଵତା Plutoଙ୍କ ନାମରେ ନାମିତ କରାଯାଇଥିଲା । 

ଉପଗ୍ରହ ନାମରେ ସୌରଜଗତରେ କେଵଳ ପୃଥିଵୀର ଚନ୍ଦ୍ର ଉପଗ୍ରହକୁ ହିଁ ଲୋକେ ଜାଣିଥିଲେ ଏଵଂ ତାକୁ ମଧ୍ୟ ଗ୍ରହ ରୂପେ ପ୍ରାଚୀନ କାଳରୁ ଗଣନା କରି ଆସୁଥିଲେ । 
ସର୍ଵପ୍ରଥମେ ଗାଲିଲିଓ ଗାଲିଲି ହିଁ ଚନ୍ଦ୍ରକୁ ଗ୍ରହ ନୁହେଁ ଵରଂ ଉପଗ୍ରହ ବୋଲି ପ୍ରାମାଣିକ ମତ ପ୍ରକାଶ କରିଥିଲେ । ଗାଲିଲିଓ ଏହା ସହିତ ବୃହସ୍ପତିର ଚାରୋଟି ଉପଗ୍ରହ ଆଵିଷ୍କାର କରି ତହିଁର ନାମ ଗ୍ରୀକ୍ ଦେଵତା Jeusଙ୍କର ଚାରିଜଣ ପ୍ରେମିକା Io, Europa, Ganymede ଓ Callistoଙ୍କ ନାମାନୁସାରେ ନାମିତ କରିଥିଲେ । ଅନ୍ୟାନ୍ୟ ଆଵିଷ୍କୃତ ଉପଗ୍ରହଗୁଡ଼ିକର ମଧ୍ୟ ଏହିପରି ଭାବେ ଗ୍ରୀକ୍ ଓ ରୋମାନ୍ ଦେଵୀ ଦେଵତାଙ୍କ ନାମାନୁସାରେ ନାମକରଣ କରାଯାଇଛି । 

ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଯେଉଁ ଆମେରିକୀୟ ମହାକାଶ ଯାନରେ ବସି ଚନ୍ଦ୍ରପୃଷ୍ଠରେ ଅଵତରଣ କରିଥିଲେ ତାହାର ନାମ ଗ୍ରୀକ୍ ଦେଵତା Zeus ଓ Letoଙ୍କ ପୁତ୍ର Apolloଙ୍କ ନାମାନୁସାରେ ରଖାଯାଇଥିଲା। 
ଏବେ ଦୁଇ ଵର୍ଷ ପରେ ଯେଉଁ ଆମେରିକୀୟ ମହାକାଶଯାନ ପୁଣି ଚନ୍ଦ୍ରକୁ ଯିଵ ତାକୁ Jeusଙ୍କ ଝିଅ Artemisଙ୍କ ନାମରେ ନାମିତ କରାଯାଇଛି । 
ଋଷ ମଧ୍ୟ ନିଜ ମହାକାଶଯାନର ନାମକରଣ ଚନ୍ଦ୍ରର ରୋମାନ ଅଧିଷ୍ଠାତ୍ରୀ ଦେଵୀ Lunaଙ୍କ ନାମରେ ନାମିତ କରିଥିଲା । ଚୀନାମାନେ ସେହିପରି ନିଜ Space stationର ନାମକରଣ ତାଙ୍କର ସ୍ଵର୍ଗର ଦେଵତା
Tian Diଙ୍କର ଘରର ନାମାନୁସାରେ TIANGONG ରଖିଥିଲେ । ପୁଣି ଚୀନାମାନେ ତାଙ୍କ ଚନ୍ଦ୍ର-ଦେଵୀଙ୍କ ନାମାନୁସାରେ ଚୀନୀ ଚନ୍ଦ୍ରଯାନର ନାମ CHANG ରଖିଥିଲେ । ଚୀନାମାନେ dark matter ଅନୁସନ୍ଧାନ ପାଇଁ ଯେଉଁ କୃତ୍ରିମ ଉପଗ୍ରହ ପଠାଇଥିଲେ ତାହାର ନାମକରଣ ତାଙ୍କର ପୌରାଣିକ ପାତ୍ର ଵାନର ଦେଵତା WUKONGଙ୍କ ନାମ ଅନୁସାରେ କରିଥିଲେ । 

ଏଭଳି ହଜାର ହଜାର ଉଦାହରଣ ଦିଆଯାଇପାରେ । ମହାକାଶୀୟ ପିଣ୍ଡର ପୌରାଣିକ ନାମ ରଖିଵାର ପରମ୍ପରା ବହୁତ ପୁରାତନ କାଳରୁ ଚଳିଆସୁଛି । ତେବେ ପ୍ରାୟ ୧୦୦ ଵର୍ଷ ପୂର୍ଵେ ଏକ ଆନ୍ତର୍ଜାତିକ ସହମତି ଥିଲା ଯେ ଅନ୍ତତଃ ଵୈଜ୍ଞାନିକ, ଦାର୍ଶନିକ କିମ୍ବା ଗଣିତଜ୍ଞଙ୍କ ନାମରେ ଚନ୍ଦ୍ରପୃଷ୍ଠରେ ଥିଵା ସ୍ଥାନଗୁଡ଼ିକର ନାମକରଣ କରାଯିଵ । ତଥାପି ଗତ କିଛି ଦଶନ୍ଧି ମଧ୍ୟରେ ଚୀନ୍, ଗ୍ରୀକ୍, ଇଜିପ୍ଟୀୟ, ରୋମାନ୍ ପୌରାଣିକ ପାତ୍ର ଯଥା ଆପୋଲୋ, ଆର୍ଟେମିସ୍, ଇକାରସ୍, ସେଫିୟସ୍, ଚାଙ୍ଗ୍-ଏନଜିଓ, ବୁଧିୟସ୍, ଓସିରିସ୍ ଇତ୍ୟାଦି ଚରିତ୍ରମାନଙ୍କ ନାମରେ ଡର୍ଜନରେ ଅଧିକ ଚନ୍ଦ୍ରସ୍ଥଳୀର ନାମକରଣ କରାଯାଇଛି। ଏଥିସହିତ ଆଟଲାସ୍, ହର୍କୁଲିସ୍, ଆଣ୍ଡିମିଆନ ଇତ୍ୟାଦି ପୌରାଣିକ ପାତ୍ରମାନଙ୍କ ନାମକୁ ମଧ୍ୟ ଵ୍ୟଵହାର କରାଯାଇଛି।

ତେଣୁ ଯଦି ଭାରତର ମହାକାଶ ଅଭିଯାନ ପାଇଁ ଆଦିତ୍ୟ, ଗଗନ ଓ ପ୍ରଜ୍ଞାନ ଭଳି ସଂସ୍କୃତ ନାମ ରଖାଯାଉଛି କିମ୍ବା ଏହାର ଅଵତରଣ ସ୍ଥଳକୁ "ଶିଵ-ଶକ୍ତି" ନାମରେ ନାମିତ କରାଯାଉଛି କି ଭବିଷ୍ୟତର କୌଣସି ମହାକାଶ ଅଭିଯାନକୁ ପୌରାଣିକ ପାତ୍ରମାନଙ୍କ ନାମରେ ନାମିତ କରିଵାକୁ ଚେଷ୍ଟା କରାଯାଉଛି ତାହେଲେ ଏଥିରେ ଅସୁଵିଧା କୋଉଠି ରହିଲା । ଏଭଳି ନାମ ରଖିଵା ତ ଏକ ଵିଶ୍ୱଵ୍ୟାପୀ ପ୍ରାଚୀନ ପରମ୍ପରା। ତେଣୁ କେଵଳ ଵିରୋଧ ପାଇଁ ଵିରୋଧ କରାଯିଵା ଉଚିତ୍ ନୁହେଁ।

ସେମିତି ବି ଭାରତୀୟ ଦରଵର ନାମ ଆଦିତ୍ୟ,ଶିଵଶକ୍ତି କିମ୍ବା ପ୍ରଜ୍ଞାନ ନରଖି କ'ଣ ଅବ୍ଦାଲୀ,ଘୋରୀ ଓ ଗଜନବୀ ରଖାଯାଇଥାନ୍ତା ?

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...