Tuesday, September 19, 2023

•ହନ୍ଦୀ ହନୁକରଣ ଭାରତ୍ ମାତା କୀ ଜୟ୍•

ଆଜିକାଲି ବୁଢ଼ାଠାରୁ ହଡ଼ା ଯାଏଁ,ମେଞ୍ଚେଡ଼ ପିଲାଠାରୁ କଞ୍ଚା ଭେଣ୍ଡିଆ ପର୍ଯ୍ୟନ୍ତ ଅଧିକାଂଶ ଜାଣତରେ ହେଉ ଵା ଅଜାଣତରେ ହିନ୍ଦୀ ହନୁକରଣ କରି ଚାଲିଛନ୍ତି ।‌ ଦେଶଭକ୍ତି ନାଆଁରେ ବି ଏଠି ହିନ୍ଦୀ ହନୁକରଣ ହୁଏ ।‌
କେମିତି ?
ଅନେକ ଓଡ଼ିଆ କହିଲା ଓ ଲେଖିଲା ବେଳେ ହିନ୍ଦୀ ହନୁକରଣରେ "ଭାରତ୍ ମାତା କୀ ଜୟ୍" କୁହନ୍ତି । ଏହା ଏକ ହିନ୍ଦୀ ପଦ । ବଡ଼ ଦୁଃଖ ଲାଗେ ଯେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହୋଇ ମଧ୍ୟ ଏହି ଭାଷାକୁ ବୋଲୁଥିଵା ଲୋକେ ଦେଶଭକ୍ତି ପ୍ରଦର୍ଶନ ପାଇଁ ଅନ୍ୟ ଏକ ଭାଷାର ସାହାଯ୍ୟ ନିଅନ୍ତି । ଓଡ଼ିଆ ଭାଷାରେ "ଜୟ ଭାରତମାତା" , "ଜୟ ମାଆ ଭାରତୀ" ଓ "ଭାରତମାତାଙ୍କ ଜୟ" ନକହି ଆମେ ଦେଶଭକ୍ତି ନାଆଁରେ ହିନ୍ଦୀ ପଦ "ଭାରତ୍ ମାତା କୀ ଜୟ୍" କାହିଁକି କହିଵା ? କ'ଣ ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାଟା ହିନ୍ଦୀଠାରୁ ନ୍ୟୂନ ହୀନ ନା ଓଡ଼ିଆ ଭାଷାରେ ଦେଶାତ୍ମବୋଧକ ରଚନା ହୋଇପରିଵ ନାହିଁ ? 

ଉଲ୍ଲେଖଯୋଗ୍ୟ ଯେ
ଓଡ଼ିଆ ଭାଷାରେ 'କି' ବୋଲି ଏକ ଵିଭକ୍ତି ପ୍ରତ୍ୟୟ ନିଶ୍ଚୟ ଅଛି କିନ୍ତୁ ତାହା ହିନ୍ଦୀର की ସହିତ ସମାର୍ଥକ ସଗୋତ୍ରୀୟ ନୁହେଁ ।‌

•ଓଡ଼ିଆ ଭାଷାରେ 
କଅଣ; କେଉଁ; କିସ ଅର୍ଥରେ 'କି' ଵ୍ୟଵହାର କରାଯାଏ 

"ଚିହ୍ନିକି ଲଞ୍ଛନ ସତେ,
ଚାମରଚିକୁରା ମତେ,
ଚହକାଇ ପଚାରିଲୁ କହ।"
( କଵିସୂର୍ଯ୍ୟ, କିଶୋରୀ ଚନ୍ଦ୍ରାନନ୍ଦଚମ୍ପୂ ଗୀତ)

ଅନିର୍ଵଚନୀୟ(Unspeakable) ଅର୍ଥରେ ବି 'କି' ପ୍ରୟୋଗ ହୋଇଛି

"ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ।"(କଵିସୂର୍ଯ୍ୟ, କିଶୋରୀଚମ୍ପୂ. ଖ. ଗୀତ)

ଵିଶେଷଣର ଵିଶେଷଣ ଭାବେ 'କି'। ଶବ୍ଦଟି କେଡ଼େଷର୍ଥରେ ମଧ୍ୟ ପ୍ରୟୋଗ କରାଯାଏ 

"ଫୁଲମଲ୍ଲୀହାସିରେ,
ସତେ ତୁ କି ସାହସୀରେ।"
(କଵିସୂର୍ଯ୍ୟ, ସଙ୍ଗୀତ।)

ଓଡ଼ିଆ ଅଵ୍ୟୟ ଶବ୍ଦ ରୂପେ 'କି' ଶବ୍ଦ ଆଠୋଟି ଅର୍ଥରେ ପ୍ରୟୋଗ କରାଯାଏ।
ଯଥା :

(କ) (ଡାକିଵାଲୋକକୁ ଉତ୍ତର)—କାହିଁକି ଡାକୁଛୁ
(ଖ)(କ୍ରିୟାପରେ) ପ୍ରାଶ୍ନାର୍ଥକ; ଵିତର୍କ
"ନେଲା କେ ତା ହରି କି ରେ ଯାଏ କିଛି ସରି କି ରେ।"( କଵିସୂର୍ଯ୍ୟ, କିଶୋରୀଚମ୍ପୂ. ଚ ଗୀତ।)
(ଗ)(ଅଵଧାରଣାର୍ଥ) ଟି; ହିଁ; ନିଶ୍ଚେଁ
“ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁକି ପ୍ରାଣ।” (କଵିସୂର୍ଯ୍ୟ, କିଶୋରୀ ଚମ୍ପୂ, ଚ ଗୀତ।)
(ଘ)କିମ୍ବା; କିବା; ଅବା; ବା
(ଙ)(ବିତର୍କାର୍ଥ) ପରି; ପ୍ରକାରେ; ସତେ ଯେପରି ମତେ ଲାଗୁଛି
(ଚ)(ବିସ୍ମୟାର୍ଥକ) ଓଃ
(ଛ)(ଖେଦାର୍ଥକ)—କେଡ଼େ କଥା!
(ଜ)(ଅମୁକ) ଆଡ଼କୁ; ଦିଗକୁ
(ଯଥା—ଏଣିକି, ତେଣିକି, ଯେଣିକି।)

ପୁଣି ଓଡ଼ିଆ ପ୍ରତ୍ୟୟ ରୂପରେ 'କି' ଶବ୍ଦର ତିନୋଟି ପ୍ରୟୋଗ ରହିଛି 

(କ)ଦ୍ଵିତୀୟା ଵିଭକ୍ତିର ଚିହ୍ନ 'କୁ' ଵା 'ପ୍ରତି' ସ୍ଥାନରେ 'କି' ଵ୍ୟଵହୃତ ହୋଇଥାଏ

"ପିନ୍ଧିଣଛନ୍ତି ଯେଉଁ ବସନ ଖଣ୍ଡିକି ନିନ୍ଦୁଅଛି ଜ୍ୟୋତିରେ ସେ କଳା ହାଣ୍ଡିକି।"(କୃଷ୍ଣସିଂହ, ମହାଭାରତ, ଵନ।)

(ଖ)4ର୍ଥୀ ଵିଭକ୍ତିରେ ଚିହ୍ନ 'କୁ' ସ୍ଥାନରେ ନିମିତ୍ତ ଵା ସକାଶେ ଅର୍ଥରେ 'କି' ପ୍ରୟୋଗ କରାଯାଏ

“ଇହ ଲୋକ ପାଇଲେ ଲୋକର ପରଲୋକ ହେଉଛି ଏଥିକି କରିଵା କେତେ ଶୋକ।” (କୃଷ୍ଣସିଂହ, ମହାଭାରତ, ଭୀଷ୍ମ।)

{ଦ୍ର:-ଇକାରାନ୍ତ ଶବ୍ଦମାନଙ୍କ ପରେ 'କୁ' ସ୍ଥଳରେ ବିକଳ୍ପେ 'କି' ହୁଏ ଯଥା ଏଣିକି, ଏଣିକୁ; ଗାଈକି, ଗାଈକୁ।}

(ଗ)ପଞ୍ଚମୀ ଵିଭକ୍ତି ଚିହ୍ନ 'ଠୁଁ' ଵା 'ଠାରୁ' ସ୍ଥାନରେ 'ତୁଳନାରେ' ଅର୍ଥରେ 'କି' ଵିଭକ୍ତି ଚିହ୍ନ ପ୍ରୟୋଗ କରାଯାଏ

“ଭୋଗ ଅଳଙ୍କାର ଭୋଜନ ଧନ ଧାନ୍ୟ
 ରତିକି ଊଣା କରି ମଣନ୍ତି ସ୍ତ୍ରୀଜନ।”
(କୃଷ୍ଣସିଂହ, ମହାଭାରତ, ଅନୁଶାସନ ପର୍ଵ)

ପୂର୍ଵାଞ୍ଚଳର କଥିତ ଭାଷାରେ ସମାପିକା କ୍ରିୟା ରୂପରେ ବି 'କି' ଶବ୍ଦ ଵ୍ୟଵହୃତ ହୋଇଥାଏ 

"କରି ଓ ଅମୁକ କ୍ରିୟା ସମ୍ପାଦନ କରି" ଅର୍ଥରେ 'କି' ସମାପିକା କ୍ରିୟା ଵ୍ୟଵହାର କରାଯାଏ । ଏହାର ଅନ୍ୟରୂପ କରି,କିରି,କିନି,କିଣି ଇତ୍ୟାଦି ଏଵଂ ଏସବୁ କରିଵା କ୍ରିୟାଶବ୍ଦ ସହିତ ସମୋଦ୍ଧୃତ । 

ଏହାର ଵାକ୍ୟ ଵ୍ୟଵହାର ଉଦାହରଣ ସ୍ଵରୂପ ଓଡ଼ିଆ ଭାଷାରେ କୁହାଯାଏ
ମୁଁ ଖାଇ କରି ଯିବି...
ମୁଁ ଖାଇ କିରି ଯିବି...
ମୁଁ ଖାଇ କିଣି ଯିବି...
ମୁଁ ଖାଇ କିନି ଯିବି...
ଓ 
ମୁଁ ଖାଇକି ଯିବି...

କିନ୍ତୁ ହିନ୍ଦୀ ଭାଷାରେ ଯେତେବେଳେ "ଭାରତ୍ ମାତା କୀ ଜୟ୍" କୁହାଯାଏ ସେତେବେଳେ ଏକ ହିନ୍ଦୀ ଵିଭକ୍ତି ପ୍ରତ୍ୟୟ 'की' ଵ୍ୟଵହାର କରାଯାଏ । ଓଡ଼ିଆ ଭାଷାରେ ଯେମିତି ଷଷ୍ଠୀ ଵିଭକ୍ତି ହିନ୍ଦୀ ଷଷ୍ଠୀ ଵିଭକ୍ତି ର,ନ,ଙ୍କ,ଙ୍କର,ମାନଙ୍କ,ମାନଙ୍କର,ଗୁଡ଼ିକ ଓ ଗୁଡ଼ିକର ଆଦି ଚିହ୍ନ ଵ୍ୟଵହାର ହେଉଛି ଠିକ୍ ସେହିପରି ହିନ୍ଦୀରେ ଷଷ୍ଠୀ ଵିଭକ୍ତି ଚିହ୍ନ ଭାବେ का,की ଵ୍ୟଵହାର କରାଯାଏ । ହିନ୍ଦୀରେ का ଵିଭକ୍ତି ପୁରୁଷଙ୍କ ପାଇଁ,की ଵିଭକ୍ତି ସ୍ତ୍ରୀମାନଙ୍କ ପାଇଁ । ଅର୍ଥାତ୍ ହିନ୍ଦୀରେ ମହିଳା ପୁରୁଷ ଭେଦ ଦେଖି ଷଷ୍ଠୀ ଵିଭକ୍ତି ଚିହ୍ନ का ଓ की ଵ୍ୟଵହାର କରାଯାଏ । କିନ୍ତୁ ଓଡ଼ିଆ ଭାଷାରେ ଵିଭକ୍ତି ଚିହ୍ନରେ ସ୍ତ୍ରୀ ଓ ପୁରୁଷ ଭେଦଭାଵ ନାହିଁ ତେଣୁ ଭାରତ୍ ମାତା କୀ ଜୟ୍ କେବେବି ଏକ ଓଡ଼ିଆ ପଦ ନୁହେଁ ଵରଂ ହିନ୍ଦୀ ହନୁକରଣ ପଦ ଅଟେ । 

ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାଟା ହୀନ ନ୍ୟୂନ ଅଯୋଗ୍ୟ କି ? ଆମେ ଆମ ଭାଷାରେ କ'ଣ ଭାରତ ମାତାଙ୍କୁ ଭକ୍ତି ଦେଖାଇ ପାରିଵାନି ଯେ ହିନ୍ଦୀର ସାହାଯ୍ୟ ନେଵା ? 

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...