୧୯୧୮ ମସିହାରେ ଆମେରିକାରେ ଜନ୍ମଗ୍ରହଣ କରିଥିଵା ରବର୍ଟ ୱାଡଲୋ ୮ ଫୁଟ ୧୧ ଇଞ୍ଚ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତି ଭାବେ ଇତିହାସରେ ସବୁଠାରୁ ଲମ୍ବା ଵ୍ୟକ୍ତି ଥିଲେ । ଆମେ କେତେ ଲମ୍ବା ହୋଇପାରିଵା ତାହା ଆମର ଜିନ୍ସ ଓ ଅଙ୍ଗଗୁଡ଼ିକର କ୍ଷମତା ଉପରେ ନିର୍ଭର କରେ । ସମସ୍ତ ଵିଷୟକୁ ଧ୍ୟାନରେ ରଖି କହିଲେ ଜଣେ ଵ୍ୟକ୍ତି ସର୍ଵାଧିକ ୮-୯ ଫୁଟ୍ ଡେଙ୍ଗା ହୋଇପାରିଵା ହିଁ ସମ୍ଭଵ । କିନ୍ତୁ କାହିଁକି ?
କାରଣ ଯଦି କୌଣସି ଵ୍ୟକ୍ତିର ଆକାର ୧୦ ଗୁଣ ବୃଦ୍ଧି ପାଇଥାଏ, ତା'ହେଲେ ତା'ର ଆୟତନ ୧୦୦ ଗୁଣ ଏବଂ ଘନଫଳ ପରିମାଣ ୧୦୦୦ ଗୁଣ ବୃଦ୍ଧି ପାଇଵ । ଆମ ଅସ୍ଥି ଓ ହୃତପିଣ୍ଡରେ ଏତେ କ୍ଷମତା ନାହିଁ ଯେ ସେ ଏହି ଭାରକୁ ସହ୍ୟ କରି ଶରୀରର ସଞ୍ଚାଳଣ କରିପାରିଵ । ଏତେ ଦୀର୍ଘକାୟ ଓ ଵିଶାଳ ଶରୀର ପାଇଁ ବଡ଼ ହୃତପିଣ୍ଡ ଏଵଂ ଅଧିକ ଶକ୍ତିଶାଳୀ ଅସ୍ଥି ଆଵଶ୍ୟକ ହେଵ ଅନ୍ୟଥା ସେ ମନୁଷ୍ୟ ଠିକ୍ରେ ଛିଡ଼ା ହୋଇପାରିଵ ନାହିଁ କି ଚାଲି ପାରିଵ ନାହିଁ ପୁଣି ତାହାର ହୃତପିଣ୍ଡରେ ରକ୍ତ ସଞ୍ଚାଳନ ମଧ୍ୟ ସୁଧାରୁ ରୂପେ ହୋଇ ପାରିଵ ନାହିଁ । ତେଣୁ ସାଧାରଣତଃ ସର୍ଵାଧିକ ସାଢ଼େ ସାତ ଫୁଟ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତି ହିଁ ସୁସ୍ଥ ଜୀଵନ ଯାପନ କରିପାରନ୍ତି । ଜଣେ ଦୀର୍ଘକାୟ ଵ୍ୟକ୍ତି ଐତିହାସିକ ଭାଵରେ କେବେ ବି ଦୀର୍ଘ ଓ ସୁସ୍ଥ ଜୀଵନ ବିତାଇ ନାହାନ୍ତି । ଏହା ଆମ ମନୁଷ୍ୟମାନଙ୍କର ଜୈଵିକ ଆକାରର ସୀମା ଅଟେ । ମାନଵ ଶରୀରର ଭୌତିକ ସୀମା ଵିଷୟରେ ଆଲୋଚନା ସମୟରେ ଶରୀରରୁ ଉତ୍ପନ୍ନ ଗନ୍ଧ ଓ ସ୍ଵରାଦି ଅନ୍ୟାନ୍ୟ ଉପାଦାନ ଉପରେ ବି ଆଲୋଚନା କରାଯାଇପାରେ ।
ଜଣେ ମନୁଷ୍ୟ ୩୦ ସେଣ୍ଟିମିଟର ଦୂରରୁ ଚିତ୍କାର କରି ମାପିଲେ ସର୍ଵାଧିକ ୮୮ ଡେସିବେଲ ତୀଵ୍ରତାର ଶବ୍ଦ ଉତ୍ପନ୍ନ କରିପାରେ । ଏହି ଶବ୍ଦ ପୃଥିଵୀର ବାୟୁମଣ୍ଡଳରେ ଗତି କରୁଥିବା ଅନ୍ୟ ଅଣୁ ସହିତ ଧକ୍କା ଖାଇ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ଶକ୍ତି ହରାଇଵା ପରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ । ମୋ ବାପା ମୋର ଜନ୍ମଠାରୁ ପଚିଶ ଵର୍ଷ ପର୍ଯ୍ୟନ୍ତ ପ୍ରତିଦିନ ପାହାନ୍ତା ଓ ରାତି ନଅଟା ବେଳେ ଦୋକାନ ଖୋଲିଵା ଓ ବନ୍ଦ କରିଵା ସମୟରେ ବଡ଼ ପାଟିରେ "ଜୟ ଶ୍ରୀରାମ" ଉଦ୍ଘୋଷ କରୁଥିଲେ ଯାହା ଆମ କନ୍ତିଓ ଗ୍ରାମର ସମୀପଵର୍ତ୍ତୀ ପୁଟସାହି,ଜକା,ଜୁଲଙ୍ଗ,କୁସୁମଯୋଡି଼,କନ୍ତିଓ କାଟେଣୀ,ଖୁଣ୍ଟବାଟି ଓ ବେଳେବେଳେ ପଣ୍ଡୁଆ ପର୍ଯ୍ୟନ୍ତ ଶୁଣାଯାଉଥିଵାର ଅନେକ ଥର ଲୋକେ ଆସି ଜଣାଇଛନ୍ତି । ତେଣୁ ମନୁଷ୍ୟର ଡାକ ଅଧିକତମ ପାଞ୍ଚ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ଏଵଂ ଏହା ଆମ୍ଭମାନଙ୍କର ସ୍ୱରର ସୀମା ଅଟଇ ।
ଏବେ ଆସନ୍ତୁ ଆମ୍ଭମାନଙ୍କ ଶରୀରର “କୌଣିକ ଆମାପ(angular size)”
ଵିଷୟରେ ଆଲୋଚନା କରିଵା । ଯଦି ଜଣେ ମନୁଷ୍ୟର ଉଚ୍ଚତା ୬ ଫୁଟ ଏଵଂ ସେ ସିଧା ରେଖାରେ ଚାଲିଵା ସମୟରେ ତା'ର ବନ୍ଧୁଙ୍କଠାରୁ ଦୂରେଇ ଯାଉଥାଏ, ତେବେ ପ୍ରାୟ ୪.୮ କିଲୋମିଟର ପରେ ସେ ଲୋକଟି ତାହାର ବନ୍ଧୁଙ୍କୁ ଆଉ ଦେଖି ପାରିଵ ନାହିଁ। କାରଣ ପୃଥିଵୀ ଗୋଲାକାର ଏଵଂ ଯେତେବେଳେ ଲୋକଟି ଏକ ସରଳରେଖାରେ ଯାଉଥିଲା, ସେ ସେତେବେଳେ ପ୍ରକୃତରେ ଗଡ଼ାଣିଆ ଢାଲୁ ଆଡ଼କୁ ଗତି କରୁଥିଲା । ପୃଥିବୀର ଵକ୍ରତା(Curvature) ହେତୁ ୬ ଫୁଟ ଲମ୍ବଵିଷିଷ୍ଟ ଦ୍ରଵ୍ୟର ପ୍ରାନ୍ତଵୃତ୍ତି(Horizon) ମାତ୍ର ୪.୮ କିଲୋମିଟର ଦୂର ହିଁ ହୋଇଥାଏ।
କିନ୍ତୁ ଧରନ୍ତୁ ପ୍ରୋକ୍ତ ଲୋକଟି ପୃଥିଵୀପୃଷ୍ଠରେ ଚାଲିଵା ପରିଵର୍ତ୍ତେ ଆକାଶରେ ଉପରକୁ ଆହୁରି ଉପରକୁ ଯାଉଥିଵ, ଏ ପରିସ୍ଥିତିରେ କ'ଣ ହେଵ ?
ତାହେଲେ ଆକାଶରେ ୧୫ କିଲୋମିଟର ଦୂରକୁ ଯିଵା ପରେ ଲୋକଟିକୁ ତା ସାଙ୍ଗ ଆଉ ତଳେ ରହି ଦେଖି ପାରିଵ ନାହିଁ । କାରଣ ସର୍ଵୋତ୍ତମ ପରିସ୍ଥିତିରେ ମଣିଷ ଆଖି ସର୍ଵନିମ୍ନ ୦.୨ ଆର୍କ ସେକେଣ୍ଡର କୋଣ ଚିହ୍ନଟ(angle detect) କରିଵାରେ ସକ୍ଷମ ହୋଇଥାଏ । ଏହି ଆଧାରରେ ୬ ଫୁଟ ଉଚ୍ଚତା ଵିଶିଷ୍ଟ ଵ୍ୟକ୍ତିର ମାନଵୀୟ ଚକ୍ଷୁର ଦୃଶ୍ୟମାନତା ସୀମା ମାତ୍ର ୧୫ କିଲୋମିଟର ହୋଇଥାଏ ଏଵଂ ଏହା ତାହାର ଆକାଶରେ ଦୃଶ୍ୟ ହେଵାର “କୌଣିକ ଆମାପ(angular size)” ସୀମା ଅଟେ ।
ଏବେ ଚାଲନ୍ତୁ ଦେଖିଵା ଓ ଶୁଣିଵା ଵିଷୟରେ ଆଲୋଚନା ପରେ ଗନ୍ଧ ପ୍ରସଙ୍ଗକୁ ଆସିଵା । ଆଘ୍ରାଣ ଵିଷୟରେ ଆପଣଙ୍କର ଧାରଣା କ'ଣ ? ଗନ୍ଧ ଵିଷୟରେ କହିଵାକୁ ଗଲେ, Bloodhound ଜାତିର କୁକୁର ମନୁଷ୍ୟମାନଙ୍କ ଶରୀରର ଗନ୍ଧକୁ ୧୮ କିଲୋମିଟର ଦୂରରୁ ବାରି ପାରନ୍ତି । ସେହିପରି ଭାଲୁ ଭଳି ପ୍ରାଣୀ ମଣିଷଙ୍କ ଶରୀରସ୍ଥ ଗନ୍ଧକୁ ୩୦ କିଲୋମିଟର ଦୂରରୁ ମଧ୍ୟ ବାରି ଦେଇପାରେ । ଏହା ହେଉଛି ଆମ୍ଭମାନଙ୍କ ଗନ୍ଧର ପରିସର ସୀମା ।
ପୃଥିଵୀର ଵାୟୁମଣ୍ଡଳ ଵା ଜୀଵଵିଜ୍ଞାନ ସମ୍ବନ୍ଧୀୟ କାରଣ ଯୋଗୁଁ ଆମ୍ଭମାନଙ୍କର ଭୌତିକ ଶରୀରର ସମସ୍ତ କ୍ଷମତା ପରିସର ସୀମିତ । ତେବେ ମନ ଊଣା କରନ୍ତୁ ନାହିଁ। କାରଣ ଆମ୍ଭମାନଙ୍କ ଶରୀରରେ ଏମିତି ଗୋଟିଏ ଦରଵ ଅଛି ଯାହା ଆମ୍ଭ ଶରୀରର ହିଁ ଅଂଶ ଅଟେ ଏଵଂ ଏହାର ଯାତ୍ରାକୁ ଅଟକାଇ ପାରୁଥିଵା ପ୍ରତିବନ୍ଧକ ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ଆଵିଷ୍କୃତ ହୋଇନାହିଁ ।
ଯେତେବେଳେ ବି କୌଣସି ପ୍ରାଣୁ(ପ୍ରୋଟୋନ୍) ସହିତ ଏକ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍)ର ଧକ୍କା ହୁଏ, ସେତେବେଳେ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍), ପରମାଣୁର କକ୍ଷପଥ ମଧ୍ୟରେ ଏକ ଉଚ୍ଚସ୍ତରୀୟ କକ୍ଷପଥକୁ ସ୍ଥାନାନ୍ତରିତ ହୁଏ । ତା'ପରେ କିଛି ସମୟ ପରେ ଵିଦ୍ୟୁଦଣୁ(ଇଲେକ୍ଟ୍ରୋନ୍) ତା'ର ପୂର୍ଵ ଅଵସ୍ଥାକୁ ଫେରିଵା ସହ ଏକ ହାଲୁକା କଣିକା ଅର୍ଥାତ୍ 'ଭାଣୁ'(Photon) ମୁକ୍ତ କରିଥାଏ । ସୌଭାଗ୍ୟଵଶତଃ ମାନଵ ଶରୀର ମଧ୍ୟ ନିରନ୍ତର ଆଲୋକ କଣିକା ଉତ୍ପାଦନ କରିଥାଏ । ତେବେ ତନ୍ମଧ୍ୟରୁ ଅନେକ ଭାଣୁ(ଫୋଟନ୍) ପ୍ରତି ମୁହୂର୍ତ୍ତରେ ସବୁଜଗୃହ ବାଷ୍ପ(Greenhouse gases)ଗୁଡ଼ିକ ଦ୍ୱାରା ଅଵଶୋଷିତ ହୋଇଯାଆନ୍ତି । ତଥାପି ଆମ୍ଭମାନଙ୍କ ଶରୀରରୁ ପ୍ରତିକ୍ଷଣରେ ଲକ୍ଷ ଲକ୍ଷ ଭାଣୁ(ଫୋଟନ୍) ବାହାରିଥାଏ । ତନ୍ମଧ୍ୟରୁ ଅନେକ ଭାଣୁ(ଫୋଟନ୍) ପୃଥିଵୀର ସୀମା ଅତିକ୍ରମ କରି ବ୍ରହ୍ମାଣ୍ଡର ମୁକ୍ତ ଯାତ୍ରାରେ ବାହାରି ଯାଆନ୍ତି । ଏହି ଯାତ୍ରା ଥରେ ଆରମ୍ଭ ହେଲାପରେ ଭାଣୁ(ଫୋଟନ୍)ଗୁଡ଼ିକ ପାଖରେ କୋଉଠି ଠାକିଵା-ଲାଖିଵାର କୌଣସି କାରଣ ରହିଯାଏ ନାହିଁ ।
ବ୍ରହ୍ମାଣ୍ଡର ଅମାପ ଗଭୀରତା ମଧ୍ୟରେ ଗତି କରୁଥିଵା ଆମ୍ଭମାନଙ୍କ ଶରୀରର ଏହି ଭାଣୁ ଵା ଫୋଟନ୍ ଅନନ୍ତକାଳ ପର୍ଯ୍ୟନ୍ତ ଅନଵରତ ଯାତ୍ରା କରି ଚାଲିଥିବେ । କେ ଜାଣେ ହୁଏତ ଦିନେ ଏହି ଯାତ୍ରା ଭାଣୁ(ଫୋଟନ)ଗୁଡ଼ିକୁ ବ୍ରହ୍ମାଣ୍ଡର ସୀମା ବାହାରେ ଥିଵା ଅଜଣା ଅଶୁଣା ଅକୁହା ସ୍ଥାନରେ ନେଇ ପହଞ୍ଚେଇ ଦେଵ, ଯେଉଁଠାରେ ପହଞ୍ଚିଵାର ଆଶା ଆକାଂକ୍ଷା ଯୁଗଯୁଗ ଧରି ମଣିଷର ରୋମାଞ୍ଚକର କଳ୍ପନାରେ ରହି ଆସିଛି ।
ତେଣୁ ଜୀଵବିଜ୍ଞାନ ସମ୍ବନ୍ଧୀୟ ବନ୍ଧନ କାରଣରୁ ଆମ୍ଭମାନଙ୍କ ଶାରୀରିକ ଆକାରର ପରିସର ସୀମିତ । ପୃଥିଵୀର ଅଵସ୍ଥା ହେତୁ ଆମ୍ଭମାନଙ୍କର ସ୍ୱର, ଗନ୍ଧ ଏଵଂ ଦୃଶ୍ୟମାନତାର ପରିସର ମଧ୍ୟ ସୀମିତ ।
କିନ୍ତୁ ଆମ୍ଭମାନଙ୍କର ଜୀଵନର ଶକ୍ତି, ଆମ୍ଭ ଜୀଵନର ଆଲୋକ ହେଉଛି ଏକମାତ୍ର ଦରଵ ଯାହା ଆମ୍ଭମାନଙ୍କର ପରିସରକୁ ଅସୀମ ଏଵଂ ଅସ୍ତିତ୍ୱକୁ ଅନନ୍ତକାଳ ପାଇଁ ଅମର କରିଥାଏ ।
ହଁ ଆମର ନିଜସ୍ୱ ପ୍ରକାଶ ଭାଣୁ ଵା Photon ଯୋଗୁଁ ଆମେ ଏ ବ୍ରହ୍ମାଣ୍ଡରେ ଅସୀମିତ ଆକାର ଲାଭ କରି ଵ୍ୟାପିଯାଆନ୍ତି ଏଵଂ ଅନନ୍ତକାଳ ପର୍ଯ୍ୟନ୍ତ ଅମର ହୋଇଯାଆନ୍ତି ।
ତେଣୁ ସବୁବେଳେ ହସୁଥାଆନ୍ତୁ ଓ ହସାଉଥାଆନ୍ତୁ ଏଵଂ ନିଜ ଜୀଵନର ଆଲୋକ ଚାରିଆଡ଼େ ବାଣ୍ଟୁଥାଆନ୍ତୁ ।
(ଵି.ଦ୍ର :- ଲେଖାଟି ପ୍ରସିଦ୍ଧ ଵିଜ୍ଞାନ ଶିକ୍ଷାଵିଦ୍ Michael Stevensଙ୍କ ଭାଷଣରୁ ପ୍ରେରିତ । ତିନି ଵର୍ଷ ତଳେ ଏହି ଲେଖାଟି ଅନ୍ତର୍ଜାଲରୁ ପାଇଥିଲି ତେବେ ଏହା ଅନେକ ଦିନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଭାଵରେ ପଡ଼ିରହିଥିଲା । ଏଇ ତିନି ଦିନ ତଳେ ଏହାର ଅନୁଵାଦ ସମ୍ପୂର୍ଣ୍ଣ ହୋଇଅଛି । କେତେକ ଵୈଜ୍ଞାନିକ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ଲେଖାରେ ପ୍ରଦତ୍ତ ହୋଇଅଛି । )
No comments:
Post a Comment