ହିନ୍ଦୀରେ ଆଜିକାଲି समझना କ୍ରିୟାଟି ବହୁଳ ଭାବରେ ଵ୍ୟଵହୃତ ହେଉଅଛି କିନ୍ତୁ ଏକଦା ଓଡ଼ିଆ ଭାଷାରେ ମଧ୍ୟ ବୁଝିଵା ଭଳି ସମଜା,ସମୁଜି,ସମୁଜିଵା ,ସମଝିଵା,ସମୁଜାଇଵା ଓ ସମୁଝାଇଵା ଆଦି କ୍ରିୟାଶବ୍ଦ ଵ୍ୟଵହୃତ ହେଉଥିଲା । ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟରେ ଏ କ୍ରିୟାଶବ୍ଦଗୁଡ଼ିକର ବହୁଳ ଵ୍ୟଵହାର ହୋଇଅଛି ।
ପାଞ୍ଚଶହ ଵର୍ଷ ତଳର ଗଞ୍ଜାମର କଵି କୃଷ୍ଣସିଂହଙ୍କ କୃଷ୍ଣ ମହାଭାରତରେ ନିମ୍ନୋକ୍ତ ପଦଟି ଗୋଟିଏ ବଡ଼ ଉଦାହରଣ
“ତପଵ୍ରତେ ସେଵି ତାହାଙ୍କୁ ସମଝାଅ।”
ସେହିପରି ଵିକ୍ରମ ରାମାୟଣରେ ସମଜାଇ ଶବ୍ଦଟି ପ୍ରୟୋଗ କରାଯାଇଛି...
“ମୁହିଁ ଜ୍ଞାନହୀନ କିଛି ବୁଝି ପାରୁ ନାହିଁ,
ତୁମ୍ଭେ କ୍ରୋଧୀ ନୋହି କହ ମୋତେ ସମଜାଇ।”
କଵିସୂର୍ଯ୍ୟ ବଳଦେବ ରଥ ତାଙ୍କର କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଅନ୍ତର୍ଗତ ଘ ଚମ୍ପୂରେ ମଧ୍ୟ ସମଜାଇ ଶବ୍ଦ ପ୍ରୟୋଗ କରାଯାଇଛନ୍ତି
“ଘେନି ଘେନାଇ ଯାଇ କହିଵ ସମଜାଇ
ଘଟିଲେ ଆମ୍ଭେ ଏକ ଜୀଇଲୁ ରେ
ଘଟନା ଵିରହରେ ଅଵଶ୍ୟ ତ ଜହରେ
ତୋ ଘେନି ଆତ୍ମଘାତି ହୋଇଲୁରେ ॥”
ଭୀମଭୋଇ ମଧ୍ୟ ଦ୍ଵିପଞ୍ଚାଶତ ବୋଲିରେ ସମୁଜାଇ ଶବ୍ଦ ଵ୍ୟଵହାର କରିଛନ୍ତି
“ମନ ବୁଦ୍ଧି ବିଚାରରେ ଚେତା ଘରେ ଦେଉଛନ୍ତି ସମୁଜାଇ, ନାଗ ସର୍ପ ପରି ଉଠି ପ୍ରାଣୀମାନେ ଗର୍ବେ ପାରୁଛନ୍ତି କହି ।”
ତେବେ ଆଧୁନିକ ଯୁଗର ଓଡ଼ିଆ ଯୁଵକ ଯୁଵତୀମାନେ ପ୍ରାଚୀନ ଓଡ଼ିଆ ସାହିତ୍ୟ ସହିତ ସେତେଟା ପରିଚିତ ନଥିଵାରୁ କୌଣସି ପୁରାତନ ସାହିତ୍ୟର ପଦରେ ଏ ଶବ୍ଦକୁ ଦେଖି ଏହାକୁ ହିନ୍ଦୀ ହନୁକରଣ ମନେ କରିପାରନ୍ତି ।
କିନ୍ତୁ ସମଝିଵା,ସମଜିଵା,ସମୁଜିଵା ଓ ସମୁଜାଇଵା ଆଦି କ୍ରିୟାଶବ୍ଦଗୁଡ଼ିକ ପ୍ରାଚୀନ ଓଡ଼ିଆ ଭାଷାର ନିଜସ୍ଵ । ତେବେ ଏ କ୍ରିୟାଶବ୍ଦଟି ଵୈଦେଶିକ ନୁହେଁ ଭାରତୀୟ ମୂଳର କ୍ରିୟାଶବ୍ଦ ଅଟେ ।
ସଂସ୍କୃତ ଭାଷାରେ ସମ୍ବୁଧ୍ୟତେ(saṁbudhyatē) ଶବ୍ଦ ଥିଲା,
ପାଲି ଭାଷାରେ ସମବୁଝତି(sambujjhati) ଶବ୍ଦଟି ବୁଝିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । ପ୍ରାକୃତ ଭାଷାରେ ସଂବୁଜ୍ଝୈ̈(saṁbujjhaï) ମଧ୍ୟ ଚଳୁଥିଲା । ଏହି ଶବ୍ଦଗୁଡି଼କରୁ ଗୋଟିଏ ପଟେ ଓଡ଼ିଆ ଭାଷାରେ ସମଜିଵା,ସମୁଜିଵା,ସମଝିଵା,ସମୁଝାଇଵା ଓ ଭଳି କ୍ରିୟାଶବ୍ଦ ସୃଷ୍ଟି ହୋଇଥିଲା ବେଳେ ଅନ୍ୟ ଏକ ଦିଗରେ ବୁଧ୍ୟତେ ଵା ବୁଧ୍ ଧାତୁ ସହିତ ସମୋଦ୍ଧୃତ ବୁଝିଵା ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି ।
ଓଡ଼ିଆ ତଥା ହିନ୍ଦୀ ଭଳି ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାରେ ଏହି ଶବ୍ଦଟି ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ । ଉଦାହରଣ ସ୍ୱରୂପ
ସିନ୍ଧୀ ଭାଷାରେ ସମୁଝାଣୁ(samujhaṇu), ପଞ୍ଜାବୀରେ ସମଝାଣା(samajhṇā),ପଞ୍ଜାବୀର ଲୁଧିଆନୀ ଶୈଳୀରେ ସମଜ୍ଝାଣା(samjhᵃnā),କଶ୍ମୀରୀରେ ସମଜନୁ(samajṇo),ନେପାଳୀରେ ସମଝାନୁ(samjhanu), ପୁରୁଣା ବଙ୍ଗାଳୀରେ ସମୁଝେ(samujhe), ବଙ୍ଗାଳୀରେ samjā, ଅହମିଆରେ ସମଜ଼ିଵା(samaziba), ଓଡ଼ିଆ ଭାଷାରେ ସମୁଜିଵା-ସମୁଝିଵା(samuj(h)ibā) ତଥା ସମଜିଵା-ସମଝିଵା(samaj(h)ibā), ମୈଥିଳୀରେ ସମୁଝାବ(samujhab), ଭୋଜପୁରୀରେ ସମୁଝାଲ(samujhal), ପୁରୁଣା ଅଵଧିରେ ସମୁଝାଇ(samujhaï),ହିନ୍ଦୀରେ ସମୁଝନା(samujhnā) ଓ ସମଝନା(samajhnā),ପୁରୁଣା ମାରୱାରୀରେ ସମଝାଇ(samajhaï), ଗୁଜରାଟୀରେ ସମଜାଵୁ(samajvũ),ସମଜଣେ(samaj̈ṇẽ), କୋଙ୍କଣୀରେ ସମଜତା(samjatā),
ଓ ପଶ୍ଚିମ ପାହାରୀ ଭାଷାରେ ସମ୍ଝାଣୁ(sɔ́mj̈həṇõ) ଓ ସମଝାଣୁ(sɔ́məj̈hṇõ) ଆଦି ଶବ୍ଦ ଗୋଟିଏ ମୂଳ ଇଣ୍ଡିକ୍ ଶବ୍ଦରୁ ସୃଷ୍ଟି ହୋଇଅଛି ।
ସଂସ୍କୃତ ଭାଷାର ସମ୍ବୁଧ୍ୟତେ , ପ୍ରାକୃତ ଭାଷାର
ସମ୍ବୁଜ୍ଝୈ̈(saṁbujjhaï) ଓ ପାଲି ଭାଷାର ସମବୁଝତି(sambujjhati) ଇତ୍ୟାଦି ଶବ୍ଦଗୁଡି଼କରେ ଦୁଇଗୋଟି ଶବ୍ଦ ରହିଛି : ସମ୍ ଉପସର୍ଗ ଓ ବୁଧ୍,ବଜ୍ଝ୍ ଓ ବୁଝ୍ ଧାତୁ ।
ଏହି ସମ୍ ଧାତୁ ଓ ବୁଧ୍,ବଜ୍ଝ୍ ଓ ବୁଝ୍ ଧାତୁ ଇତ୍ୟାଦି ଧାତୁ ଶବ୍ଦ ଯେମିତି ଭାରତର ଵିଭିନ୍ନ ଭାଷାରେ ଵ୍ୟାପିକରି ଵ୍ୟଵହାର ହେଉଅଛି ଠିକ୍ ସେହିପରି ୟୁରୋପୀୟମାନଙ୍କର ଵିଭିନ୍ନ ଭାରୋପୀୟ ଭାଷାରେ ମଧ୍ୟ ଏହି ଦୁଇଟି ଶବ୍ଦ ସହିତ ସମୋଦ୍ଧୃତ ଅନେକ ସଗୋତ୍ରୀୟ ଶବ୍ଦ ଚଳୁଅଛି ଵା ଚଳୁଥିଲା ।
ଉଦାହରଣ ସ୍ୱରୂପ ଆମ ଭାରତରେ ଯେମିତି ସମ୍ ଉପସର୍ଗ ଅଛି ଠିକ୍ ସେହିପରି ପ୍ରାଚୀନ ଗ୍ରୀକ୍ ଭାଷାରେ σύν (sún), ξύν (xún) ଓ σούν (soún) ଉପସର୍ଗ ଥିଲା ତଥା ଆଧୁନିକ ଯୁଗରେ ଏହି ଉପସର୍ଗ συν (syn) ରୂପେ ଗ୍ରୀକ୍ ଵ୍ୟତୀତ ଡଚ୍, ଇଂରାଜୀ, ଫ୍ରେଞ୍ଜ୍ ଓ ଜର୍ମାନ୍ ଆଦି ଭାଷାରେ ବି ଵ୍ୟଵହୃତ ହେଉଅଛି । ପାର୍ସୀର هم (ham), ଆର୍ମେନୀୟ ଭାଷାର համ- (ham-),ଲାଟଵୀୟ ଭାଷାର suo ଓ ଲିଥୁଆନିଆର sam ଆଦି ଶବ୍ଦଗୁଡି଼କ ମଧ୍ୟ ଭାରତୀୟ ସମ୍ ଉପସର୍ଗର ସଗୋତ୍ରୀୟ ଅଟନ୍ତି । ଏମନ୍ତକି ସମାନ ଅର୍ଥଜ ଇଂରାଜୀ ଶବ୍ଦ Same ମଧ୍ୟ ଆମ୍ ସମ୍ ଉପସର୍ଗ ସହିତ ସଗୋତ୍ରୀୟ ଅଟଇ ।
ବୁଧ୍,ବୁଧ୍ୟତେ,ବୁଝ୍ ଓ ବୁଜ୍ଝ୍ ଆଦି ସଂସ୍କୃତ,ପାଲି ଓ ପ୍ରାକୃତ ମୂଳର ଶବ୍ଦଗୁଡି଼କ ସହିତ ଅନେକ ସଗୋତ୍ରୀୟ ୟୁରୋପୀୟ ଶବ୍ଦ ଏବେ ବି ଚଳୁଅଛି । ବୁଧ୍ ଓ ବୁଝ୍ ଆଦି ଭାରତୀୟ ଧାତୁ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦରୂପ *bʰewdʰ- (“to wake, rise up”) ନିର୍ଣ୍ଣୟ କରାଯାଇଛି ।
ପ୍ରାକ୍ କେଲ୍ଟିକ୍ *bundeti ଶବ୍ଦ ଏହି ମୂଳରୁ ସୃଷ୍ଟି ହୋଇ ଘୋଷିତ ହେଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ଏଵଂ ପରେ ଏହି ଶବ୍ଦରୁ Welsh ଭାଷାରେ rhybudd ତଥା Irish ଭାଷାରେ rabhadh ଶବ୍ଦଦ୍ଵୟ
ଯଥାକ୍ରମେ :ଵିଜ୍ଞପ୍ତି,ଵିଜ୍ଞାପନ,ଚେତାବନୀ,ନୋଟିସ୍ ଓ ଉପଦେଶ ତଥା ଚେତାଵନୀ ଓ ସତର୍କଵାଣୀ ଅର୍ଥରେ ପ୍ରୟୋଗ କରାଯାଉଛି ।
ପ୍ରାଚୀନ ଗ୍ରୀକ୍ ସାହିତ୍ୟରେ ବୋଧ କରିଵା ଅର୍ଥରେ ଵ୍ୟଵହୃତ ହୋଇଥିଵା πῠνθάνομαι • (punthánomai) ଓ ଜାଣିଵାକୁ ପଚାରିଵା ଅର୍ଥରେ ପ୍ରୟୋଗ କରାଯାଉଥିଵା
πῠ́στῐς (pústis) ଶବ୍ଦଦ୍ଵୟର ମଧ୍ୟ ଆମ ଭାରତୀୟ ବୁଧ୍ ଓ ବୁଝ୍ ଧାତୁ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । ଲାଟଵୀୟ bust ଓ ଲିଥୁଆନିଆର bùsti ଶବ୍ଦ ଜାଗ୍ରତ ହେଵା ଅର୍ଥରେ ପ୍ରୟୋଗ କରାଯାଏ ।
ଋଷି ଭାଷାରେ бдеть (bdetʹ) ବୋଲି ଏକ ଶବ୍ଦ ଚେଇଁ ରହିଵା,ଦୃଷ୍ଟି ରଖିଵା ଅର୍ଥରେ ପ୍ରୟୋଗ କରାଯାଏ । ଏହି ଶବ୍ଦଗୁଡି଼କର ମଧ୍ୟ ଆମ ବୁଧ୍ ଓ ବୁଝ୍ ଧାତୁ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି ।
ମୋଟାମୋଟି ଭାବରେ କହିଵାକୁ ଗଲେ ଭାରତରେ ଯେମିତି ଗୋଟିଏ ପ୍ରାକ୍ ଇଣ୍ଟିକ୍ ମୂଳ ଶବ୍ଦ *budʰyátayରୁ ବୁଧ୍,ବୁଧ୍ୟତେ,ବୁଝିଵା,ସମ୍ବୁଧ୍ୟତେ, ସମ୍ବୁଝତି,ସଂବୁଜ୍ଝୈ̈,ସମଜିଵା ଓ समझना ଭଳି ଶବ୍ଦ ସୃଷ୍ଟି ହୋଇଛି ଠିକ୍ ସେହିପରି ଆଲୋଚିତ ସମସ୍ତ ଭାରୋପୀୟ ଶବ୍ଦଗୁଡି଼କ ଏକ ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *bʰewdʰ-ରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଆଧୁନିକ ଶବ୍ଦ ଵ୍ୟୁତ୍ପତ୍ତି ପ୍ରଣାଳୀଟି ଆମ ଭାରତର ପ୍ରାଚୀନ ନିରୁକ୍ତ ଶାସ୍ତ୍ରର ଅନୁକରଣରେ ହିଁ ଆଧୁନିକ ଭାଷାଵିଦମାନେ ଗଢ଼ିଛନ୍ତି । ଏହା ଆମ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗର୍ଵ ଓ ଗୌରଵର ଵିଷୟ ।
(ଶିଶିର ସାହୁ ମନୋଜ)
No comments:
Post a Comment