ତୁ ମନ କାହିଁକି ଏତେ ଅହଂ ଭାବେ ବୁଡିଛୁ,
ହୃଦେ କାମ କ୍ରୋଧ ମୋହ ଧରି ଉଡୁଛୁ ?
ତୋ ଠୁଁ ଵି ବଡ଼ ବଡ଼ ଜନ ଆସି ଗଲେଣି
ଅହଂ ନ ସହଇ କାଳିଆ ନା ସହେ ଧରଣୀ ।
ଥିଲା ଜଣେ ରଜା ଲଙ୍କା ନଗରୀ ମଧ୍ୟରେ
ଅହଂକାର କରି ବଞ୍ଚି ଥିଲା ସେହି ଯୁଗରେ
ନେଲେ ଅଵତାର ଜଗନ୍ନାଥ ରାମ ରୂପରେ
ଏ ମୂର୍ଖ ଲାଗିଲା କଳି ଯାଇ ତାଙ୍କ ସାଙ୍ଗରେ ।
ମାତାଙ୍କୁ ଚୋରେଇ ଅଶୋକ ବନେ ରଖିଲା
ଵିଶ୍ଵପତିଙ୍କୁ ଲଢିବାକୁ ଯୁଦ୍ଧକ୍ଷେତ୍ରେ ଡାକିଲା
ପ୍ରଭୁ ଦେଖିଲେ ଏଟା କେଡ଼େ ନିପଟ ମୂର୍ଖ
ତଥାପି ଶେଷଥରକ ତା ମନ କଲେ ପରଖ ।
ପଠାଇଲେ ଶାନ୍ତିଦୂତ ରାଵଣ ସଭାଗୃହକୁ
ବାଳିପୁତ୍ର ଅଙ୍ଗଦ ପରମ ଵୀରଵରଙ୍କୁ
କିନ୍ତୁ ସେ ମୃଢ ରାବଣ କିଛି ନ ଶୁଣିଲା
ଅଙ୍ଗଦଙ୍କୁ ମାରିଦେବାକୁ ଉଦ୍ୟତ୍ତ ହେଲା ।
କୁହନ୍ତି ଅଙ୍ଗଦ ଦର୍ପେ ଆରେ ହେ ଲଙ୍କାପତି
ଭୂଲିଗଲୁ କି ମୋ ପିତାଙ୍କ ଅମର ଖ୍ୟାତି ?
ମୁଁ କିନ୍ତୁ ଶ୍ରୀରାମ ଭକ୍ତ ପ୍ରଣ କରି କହୁଛି
ସାମର୍ଥ୍ୟ ଅଛି ତ ଉଠା ମୋ ଗୋଡ଼ ଗୋଟି ।
ଉଠାଇ ଦେଉ ଯଦି ତୁ ମୋ ପାଦ ଟା ତଳୁ
ରାମଙ୍କ ରାଣ ଛାଡ଼ି ଯିବୁ ଆମେ ଲଙ୍କାପୁରୀକୁ
ତହୁଁ ଵୀର ଅଙ୍ଗଦ ଭୂମିରେ ପାଦ ଥାପିଲେ
ଶ୍ରୀରାମ ଙ୍କୁ ସୁମରି ପ୍ରଭୁ ନାମ ଜପିଲେ ।
କ୍ରୋଧରେ ରାବଣ ପାଦ ଧରିବାକୁ ଉଠିଲା
ତା ଦେଖି ଅଙ୍ଗଦ ବହେ ହସି ବୋଇଲା,
ରାମଙ୍କ ସଙ୍ଗେ ଯେ ଯେବେ ଵୈର କରେ
କେ କେତେ ଲୋକଙ୍କ ସେ ପାଦ ନ ଧରେ !
ସେ ରାଵଣ ରାକ୍ଷସ ରାମଵାଣରେ ମଲା
ରାମ ନୁହେଁ ତାକୁ ତା’ର ଅହଂ ମାରିଲା
ମୋ ମନ ଶିକ୍ଷା ନେ ତୁ ଯେ ଏହି କଥାରୁ
ଦୂରେ ରହ ଅହଂକାର ଗୁଣ କର୍ମ ଆଦିରୁ ।
ସହସ୍ର ଯୁଗ ଵିତିଛି କେତେ ଜନ୍ମ ହେଇ
ଏଥୁଁ ତରିବା ଆସ ଶ୍ରୀରାମ ନାମ ନେଇ
ଭଣଇ ଦୀନ ଶିଶିର ଶ୍ରୀରାମ କୃପାରୁ
ଏ ହୀନ ମୁଖ ସଦା ରାମନାମ ଗାଉଥାଉ ।
No comments:
Post a Comment