ୟୁରୋପରେ ସ୍ଵାତୀ ନକ୍ଷତ୍ରକୁ Arcturus କୁହାଯାଏ। ସ୍ଵାତୀ ନକ୍ଷତ୍ରର ଏହି Arcturus ନାମଟି ଏକ ଗ୍ରୀକ୍ ନାମ Ἀρκτοῦρος (Arktouros)ର ଆଧୁନିକ ରୂପ ଅଟଇ । ଗ୍ରୀକ୍ ଭାଷାରେ , ἄρκτος (arktos)ର ଅର୍ଥ “ଭାଲୁ” ଓ οὖρος (ouros)ର ଅର୍ଥ “ପାଳକ” ଵା “ଜଗୁଆଳି ଅଟେ । The great bear ନାମରେ ଜଣାଶୁଣା Ursa major ନକ୍ଷତ୍ରପୁଞ୍ଜ ନିକଟରେ ଵିଶେଷତଃ ଏହାର ପୁଚ୍ଛରୂପ ସପ୍ତର୍ଷିମଣ୍ଡଳ ନିକଟରେ ଦେଖାଯାଉଥିଵାରୁ ଗ୍ରୀକମାନେ ଏହି ନକ୍ଷତ୍ରର ଏଭଳି ନାମକରଣ କରିଥିଲେ । ଏହି ନାମକରଣ ଵିଷୟରେ ଏକ ଗ୍ରୀକ୍ ଲୋକଗାଥା ରହିଛି ।
ଜିଅସ ଓ କାଲିଷ୍ଟୋଙ୍କର ଗୋଟିଏ ପୁତ୍ର ଥିଲା ଯାହାର ନାମ ଆର୍କସ୍ ଥିଲା । ସେମାନେ ଦେଵୀ ଆର୍ଟେମିସଙ୍କର ଅନୁଗାମୀ ଥିଲେ । ସ୍ଵର୍ଗର ଦେଵତା ଜିଅସ୍ ,କାଲିଷ୍ଟୋଙ୍କ ରୂପରେ ମୋହିତ ହୋଇ ଛଦ୍ମଵେଶ ଧାରଣ କରି ତାଙ୍କ ସହିତ ପ୍ରଣୟ କଲେ । ଆର୍କସଙ୍କର ଜନ୍ମର ବହୁଦିନ ପରେ ଯେତେବେଳେ ଜିଉସଙ୍କର ପତ୍ନୀ ହେରା ଏ ଵିଷୟରେ ଜାଣିଲେ, ସେ କ୍ରୋଧିତ ହୋଇ କଲିଷ୍ଟୋଙ୍କୁ ଭାଲୁରେ ରୂପାନ୍ତରିତ କରିଦେଲେ । ସେହି ଭାଲୁ ରୂପା କାଲିଷ୍ଟୋ କାଳେ ଆର୍କାସଙ୍କର କିଏ କ୍ଷତି ଘଟାଇଵ ଏହି ଭୟରେ ଜିଅସ୍ ତାଙ୍କୁ ସେହି ଅଞ୍ଚଳରେ ଲୁଚାଇ ରଖିଥିଲେ ଯାହା ପରେ ତାଙ୍କ ନାମରେ ଆର୍କାଡିଆ ଭାବେ ନାମିତ ହୋଇଥିଲା । ଏହି ଘଟଣାର ବହୁତ ଦିନ ପରେ ଆର୍କସ୍ ରାଜା ହେଲେ ଏଵଂ ନିଜ ଦେଶର ସର୍ଵୋତ୍ତମ ଶିକାରୀ ଭାବରେ ମଧ୍ୟ ପରିଚିତ ହେଲେ । ଦିନେ ସେ ଜଙ୍ଗଲରେ ଭାଲୁ ରୂପରେ ପରିଵର୍ତ୍ତିତା କଲିଷ୍ଟୋଙ୍କୁ ହାବୁଡ଼ିଗଲେ । ପୁଅକୁ ଚିହ୍ନି ପାରି କାଲିଷ୍ଟୋ ତାଙ୍କୁ ଆଲିଙ୍ଗନ କରିଵାକୁ ଆଗେଇ ଆସିଲେ କିନ୍ତୁ ଆର୍କସ୍ ନିଜ ମାଆଙ୍କୁ ଚିହ୍ନିପାରିଲେ ନାହିଁ ଏଵଂ କେଵଳ ଏକ ଭାଲୁ ତାଙ୍କ ଆଡ଼କୁ ମାଡି଼ ଆସୁଥିଵାର ଦେଖି ନିଜର ଧନୁ ଉଠାଇ ତୀରଟିଏ ମାରିଦେଲେ । ପୁତ୍ର ହସ୍ତରେ ମାତାର ହତ୍ୟା ସହିନପାରି ସ୍ଵର୍ଗର ଦେଵତା ଜିଅସ୍ ଏଥିରେ ହସ୍ତକ୍ଷେପ କରି ମାଆ ଓ ପୁଅକୁ ନକ୍ଷତ୍ରପୁଞ୍ଜରେ ପରିଣତ କରିଦେଲେ ଯାହାକୁ ପରେ Boötes ଓ Ursa Major କୁହାଗଲା ।
ଚୀନ ଦେଶରେ ସ୍ଵାତୀ ନକ୍ଷତ୍ରକୁ 大角星(Dàjiǎo xīng) ଓ takio କୁହାଯାଏ । ଚୀନ ଦେଶର ଲୋକେ ସ୍ଵାତୀ(Arcturus) ତଥା ଏହା ନିକଟରେ ଦୃଶ୍ୟ ହେଉଥିଵା ଚିତ୍ରା(Spica) ନକ୍ଷତ୍ରଦ୍ଵୟକୁ Azure Dragonର ଶିଙ୍ଗ ଵିଚାର କରୁଥିଲେ । ପୁଣି ଚୀନ ଦେଶର ଲୋକେ ସ୍ଵାତୀ ନକ୍ଷତ୍ରକୁ ଦେଵତା ତଥା ସମ୍ରାଟମାନଙ୍କର ଵାସସ୍ଥଳୀ ମନେକରୁଥିଲେ ।
ଉତ୍ତର ଆମେରିକାର ଏସ୍କିମୋମାନେ ସ୍ଵାତୀ ନକ୍ଷତ୍ରକୁ "Sibwudl କହୁଥିଲେ । ଡିସେମ୍ବର ଏବଂ ଜାନୁଆରୀର ରାତିରେ ମାଛ ଧରିବା ସମୟରେ ସ୍ଵାତୀ ନକ୍ଷତ୍ର ଦିଗ ତଥା ସମୟ ନିର୍ଦ୍ଧାରଣ ଆଦି କାର୍ଯ୍ୟ ପାଇଁ ଉପାଦେୟ ହେଉଥିଲା । ଏହି ଉଜ୍ଜ୍ୱଳ ତାରାର ଅଵସ୍ଥିତି ପୁଣି ଧ୍ରୁଵ ଚାରିପଟେ ଏହା ଘୂରି ବୁଲୁଥିଵାରୁ ଏସ୍କିମୋମାନେ ରାତିର ସମୟ ଵିଷୟରେ ଜାଣିପାରୁଥିଲେ । ଏସ୍କିମୋମାନଙ୍କର ଏକ ଭାଷା Inuitରେ ସ୍ଵାତୀ ନକ୍ଷତ୍ରକୁ Uttuqalualuk(ଵୃଦ୍ଧତାରା) ଓ Sivulliik(ପ୍ରଥମ ତାରା) କୁ଼ହାଯାଉଥିଲା ।
ସେହିପରି କାନାଡ଼ାର Miꞌkmaq ଜନଜାତି ସ୍ଵାତୀ ନକ୍ଷତ୍ରକୁ Kookoogwéss କୁହନ୍ତି ଯାହାର ଅର୍ଥ ପେଚା ଅଟଇ ।
Polynesian ଲୋକେ ସ୍ଵାତୀ ନକ୍ଷତ୍ରକୁ Hōkūleʻa କହୁଥିଲେ ଯାହାର ଅର୍ଥ ଆନନ୍ଦ ପ୍ରଦାୟକ ତାରା ଅଟେ । Polynesian ନାଵିକମାନେ ସ୍ଵାତୀ ଓ ପ୍ରଶ୍ଵା ନକ୍ଷତ୍ର ସାହାଯ୍ୟରେ ସମୁଦ୍ରରେ ଯାତ୍ରା କରୁଥିଲେ ।
ଆରବୀମାନେ ଚିତ୍ରା ଓ ସ୍ଵାତୀ ନକ୍ଷତ୍ର ଦ୍ଵୟକୁ ସ୍ଵର୍ଗ ରକ୍ଷକ ଭାବେ ଅଵତାରଣା କରି al-simāk ତଥା ħāris al-samā ନାମ ଦେଇଥିଲେ । ଆରବରେ
ସ୍ଵାତୀ ନକ୍ଷତ୍ରକୁ Al-simak-al-Ramih ମଧ୍ୟ କୁହାଯାଉଥିଲା ।
ଅଷ୍ଟ୍ରେଲିଆର ଦକ୍ଷିଣ ପୂର୍ଵ ଅଞ୍ଚଳର Wotjobaluk Koori ଜନଜାତୀୟ ଲୋକେ ସ୍ଵାତୀ ନକ୍ଷତ୍ରକୁ Marpean-kurrk ନାମ ଦେଇଥିଲେ ଏଵଂ ସେମାନଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଏହି ନକ୍ଷତ୍ର Djuit (Antares) ଓ Weet-kurrk (Muphrid)ର ଜନ୍ମଦାତ୍ରୀ ଅଟେ । ଏ ଅଞ୍ଚଳରେ ସ୍ଵାତୀ ନକ୍ଷତ୍ର ଉତ୍ତରରେ ଦେଖାଦେଲେ Formica rufa (wood ant) ନାମକ ଏକ ଜନ୍ଦା ଲାର୍ଭା ଦେଉଥିଲା ଏଵଂ ଏହାର ଦକ୍ଷିଣରେ ଅସ୍ତ ସହିତ ଏମାନଙ୍କର ଲାର୍ଭା ଦେଵା ମଧ୍ୟ ବନ୍ଦ ହୋଇଯାଉଥିଲା ।
ଆମେରିକାର ଲୁମ୍ମୀ ଓ ସ୍ପୋକନେ ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁଯାୟୀ ସ୍ଵାତୀ ନକ୍ଷତ୍ର ଏକ ଶୃଗାଳ ଜାତୀୟ ଜୀଵ Coyoteର ଗୋଟିଏ ଆଖି ଅଟେ । ଉକ୍ତ କାହାଣୀ ଅନୁସାରେ Coyote (ଆମେରିକୀୟ କୋକିଶିଆଳି) ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ସେ ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗୁଥିଲା ଏଵଂ ପୁଣି ତାକୁ ଧରି ଉଦ୍ଭଟ ଖେଳ ଦେଖାଉଥିଲା । ଦିନେ କୟୋଟେ ଯେତେବେଳେ ସେ ସେମାନଙ୍କ ଆଗରେ ଏହି ଖେଳ ଦେଖାଉଥିଲା ସେତେବେଳେ ସେ ନିଜର ଗୋଟିଏ ଆଖିକୁ ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତାହା ଆକାଶରେ ଅଟକି ଗଲା ଏଵଂ ଏକ ତାରକା ହୋଇଗଲା ଆଉ ସେହି ତାରକାଟି ସ୍ଵାତୀ ନକ୍ଷତ୍ର ହୋଇଗଲା ।
ଭାରତୀୟମାନେ ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ଵସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ଵଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ଵିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ଵାଷାଢ଼ା, ଉତ୍ତରାଷାଢା, ଶ୍ରଵଣା, ଧନିଷ୍ଠା, ଶତଭିଷା, ପୂର୍ଵଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେଵତୀ ଆଦି ୨୭ଗୋଟି ଉଜ୍ଜ୍ୱଳ ନକ୍ଷତ୍ରକୁ ଚନ୍ଦ୍ରଙ୍କର ପତ୍ନୀ ଅଭିହିତ କରିଥାନ୍ତି ।
ଏ ଵିଷୟରେ ସାରଳା ମହାଭାରତର ଵନପର୍ଵରେ ଏମନ୍ତ ଉଲ୍ଲେଖ ଅଛି
“ଚନ୍ଦ୍ର ଦେଵତାଙ୍କୁ ଦିଲା ସତାଇଶ କୁମାରୀ
କାମ୍ୟେକ ପୁରୁଷ ବୋଲି ଦିଲା ସେ ବିଚାରି ॥
ଅଶ୍ୱିନୀ ଦ୍ୱିଜା ଯେ କୃତ୍ତିକା ରୋହିଣୀ ମୃଗଶିରା
ଆର୍ଦ୍ରା ପୁନର୍ଵାସୁ ପୁଷ୍ୟା ଅଶ୍ଲେଷା ମଘା ପୂର୍ଵଫାଲଗୁନୀ ଉତ୍ତରଫାଲଗୁନୀ ହସ୍ତା ଚିତ୍ରା ॥
ସ୍ୱାତୀ ଵିଶାଖା ଅନୁରାଧା ଜ୍ୟେଷ୍ଠା ୟେତେକ ପୁଣି
ମୂଳା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଶ୍ରବଣା ଧନିଷ୍ଠୋୟେ ଘେନି ॥
ଶତଭିଷା ପୂର୍ଵଭୋଦୋ ଉତ୍ତରଭୋଦୋ ଯେ ରେଵତୀ
ୟେମନ୍ତେ ସତାଇଶ କନ୍ୟା ଚନ୍ଦ୍ରଙ୍କୁ ଦିଲାକ ଦକ୍ଷ ପ୍ରଜାପତି ॥”
ପ୍ରାଚୀନ ଭାରତୀୟମାନେ ସ୍ବାତୀ ନକ୍ଷତ୍ର ଵିଷୟରେ ତତ୍କାଳୀନ ଵିଜ୍ଞାନ ଆଧାରରେ ଶାସ୍ତ୍ରରେ ଲେଖିଯାଇଛନ୍ତି । ପ୍ରାଚୀନ ଭାରତୀୟମାନଙ୍କ ଅନୁସାରେ ସ୍ଵାତୀ ନକ୍ଷତ୍ର କୁଙ୍କୁମାରୁଣଵର୍ଣ୍ଣ ଓ ଏକତାରକାଯୁକ୍ତ।ଏହାର ଅଧିଦେଵତା ପଵନ। ଏହି ନକ୍ଷତ୍ରଯୁକ୍ତ ତିଥିରେ ପଵନ ଵା ବତାସ ବହେ ଓ ଵୃଷ୍ଟି ହୁଏ ବୋଲି ଭାରତରେ ଲୌକିକ ଵିଶ୍ଵାସ ପ୍ରଚଳିତ । ଅମାଵାସ୍ୟା, ଶନିଵାର ଓ ସ୍ୱାତି ନକ୍ଷତ୍ର ଏହି ତିନିଙ୍କର ଏକତ୍ର ସଂଯୋଗ ମହାଵାତ୍ୟାସୂଚକ ବୋଲି ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ । ଭାରତୀୟ ପୁରାଣରେ ଉକ୍ତ ଅଛି ଯେ, ସ୍ୱାତି ନକ୍ଷତ୍ରରେ ହେଵା ଵର୍ଷା ଵା ଜଳବିନ୍ଦୁ ସାମୁକାରେ ମୁକ୍ତା, ବାଉଁଶରେ ବଂଶଲୋଚନ ଓ ସର୍ପଙ୍କଠାରେ ଵିଷ ଉତ୍ପାଦନ କରେ।
“କୁଙ୍କୁମାରୁଣତରୈକତାରକେ ଵାୟୁଭେ ସୁଦତି ମୌଳିମାଗତେ । ଶାୟକାମ୍ବରଚରାଚଳାଃ କଳାଶ୍ଚଞ୍ଚଳାକ୍ଷି ଜଗଦୁର୍ମୃଗୋଦୟାତ୍ ॥”
(॥କାଳିଦାସକୃତ ରାତ୍ରିଲଗ୍ନ ନିରୂପକଗ୍ରନ୍ଥ,ଦଂ ୩ । ୧୫ ॥)
କୋଷ୍ଠୀପ୍ରଦୀପ ଶାସ୍ତ୍ର ଅନୁଯାୟୀ
ସ୍ଵାତୀ ନକ୍ଷତ୍ରରେ ଜାତ ଵ୍ୟକ୍ତି କନ୍ଦର୍ପପରି ରୂପଵାନ୍ କାନ୍ତାଜନପ୍ରିୟ, ରତିପ୍ରସନ୍ନ, ମହାମତି ଓ ବିଭୂତିଶାଳୀ ହୁଅନ୍ତି ।
“କନ୍ଦର୍ପରୂପପ୍ରଭୟା ସମେତଃ କାନ୍ତାଜନପ୍ରୀତିରତିପ୍ରସନ୍ନଃ । ସ୍ଵାତିଃ ପ୍ରସୂତୌ ଯଦି ନିତ୍ଯଂ ସ୍ଵାତ୍ ମହାମତିଃ ପ୍ରାତଵିଭୂତିଯୋଗଃ ॥”
(॥ କୋଷ୍ଠୀପ୍ରଦୀପ ॥ )
ଭାରତୀୟ ଜ୍ୟୋତିଷଶାସ୍ତ୍ରରେ
ସ୍ୱାତୀ ଯୋଗ ବୋଲି ଏକ ଯୋଗର ଉଲ୍ଲେଖ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଚନ୍ଦ୍ରଙ୍କର ସ୍ୱାତି ନକ୍ଷତ୍ର ସଙ୍ଗେ ସଂଯୋଗକୁ ସ୍ବାତୀଯୋଗ କୁହାଯାଏ । ପୁଣି
ରଵିଵାର, ଶନିଵାର ଵା ମଙ୍ଗଳଵାର ଦିନ ଅମାଵାସ୍ୟା ହେଵା ଓ ସେ ଦିନ ରଵିଙ୍କର ସ୍ୱାତି ନକ୍ଷତ୍ରରେ ଅଵସ୍ଥିତି ରୂପ ଜ୍ୟୋତିଷିକ ଯୋଗକୁ ବି ସ୍ଵାତୀଯୋଗ କହିଥାନ୍ତି ।
ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ ଯେ ସ୍ୱାତୀ ନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳତିଥିରେ ରାତ୍ରିର ପ୍ରଥମ ପ୍ରହରରେ ବୃଷ୍ଟି ହେଲେ ଶସ୍ୟ ବୃଦ୍ଧି ହୁଏ; ଦ୍ୱିତୀୟ ପ୍ରହରରେ ତିଳାଦି ଶସ୍ୟ ପ୍ରଚୁର ହୁଏ; ତୃତୀୟ ପ୍ରହରରେ ଗ୍ରୀଷ୍ମକାଳୀନ ଶସ୍ୟ ପ୍ରଚୁର ହୁଏ। ଦିଵସର ପ୍ରଥମ ତୃତୀୟ ଓ ଚତୁର୍ଥ ଭାଗରେ ଵୃଷ୍ଟି ହେଲେ ହିତକର ହୁଏ, ଅନ୍ଯଥା ଅଶୁଭ ।
ଦ୍ୱିଜା ଆର୍ଦ୍ରା, ଅଶ୍ଳେଷା, ସ୍ୱାତି, ଜ୍ୟେଷ୍ଠା ଓ ଶତଭିକ୍ଷା ଏହି ଛଅ ନକ୍ଷତ୍ରକୁ ପ୍ରାଚୀନ ଭାରତରେ ଜଘନ୍ୟଭ କୁ଼ହାଯାଉଥିଲା ।
ଫଳିତ ଜ୍ୟୋତିଷ ମତରେ ଅନୁରାଧା, ଧନିଷ୍ଠା, ହସ୍ତା, ଚିତ୍ରା, ସ୍ୱାତୀ, ଜ୍ୟେଷ୍ଠା, ଶତଭିଷା ଓ ରେଵତୀ ଆଦି ନକ୍ଷତ୍ର ନାଟକ ଆରମ୍ଭ କରିଵା ପାଇଁ ଶୁଭ ନକ୍ଷତ୍ର ଅଟନ୍ତି ।
ପ୍ରାଚୀନ ଭାରତୀୟ ଗ୍ରନ୍ଥମାନଙ୍କରେ ଲେଖା ଅଛି ଯେ ସ୍ୱାତୀ ନକ୍ଷତ୍ର ଯୋଗ ଦିନ ଵର୍ଷା ହେଵା ସମୟରେ ସାମୁକା ପାଣିରେ ପାଟି ମେଲା କରି ପହଁରୁ ଥାଏ ଓ ସେହି ଦିନ ତାହା ଗର୍ଭରେ ଵର୍ଷା ବିନ୍ଦୁ ପଡ଼ିଲେ ତାହା ମୋତି ପାଲଟି ଯାଏ।
ସ୍ଵଭାଵ କଵି ଗଙ୍ଗାଧର ମେହେର ତାଙ୍କର ତପସ୍ଵିନୀ କାଵ୍ୟର ପଞ୍ଚମ ସର୍ଗରେ ଏହି କଥାକୁ ଦୃଷ୍ଟାନ୍ତ ସ୍ବରୂପ ଉଲ୍ଲେଖ କରିଛନ୍ତି ।
“ପ୍ରେମ-ପ୍ରଭାମୟ ରାମ-ହୃଦୟ
ରାଜ-ସିଂହାସନେ ହୋଇ ଅଥୟ
ଉଦ୍ୟାନକୁ କିବା ଆସିଛି ଧାଇଁ
ସତୀଙ୍କ ଯାତନା ନାଶିଵା ପାଇଁ,
ସେ ନେତ୍ର ସୁଭଗ ଜ୍ୟୋତି
ସ୍ୱାତୀ-ଜଳ ପରି ସତୀ ହୃଦୟରେ
ସୃଜୁଥାଏ ପ୍ରେମ-ମୋତି ।”
ଖ୍ରୀଷ୍ଟପୂର୍ଵ ୫୨୭ରେ ଜୈନଗୁରୁ ମହାଵୀର କାର୍ତ୍ତିକ ମାସ ସ୍ୱାତୀ ନକ୍ଷତ୍ରରେ ଅମାଵାସ୍ୟା ଦିନ ରାତ୍ରି ଶେଷରେ ନିର୍ଵାଣ ପ୍ରାପ୍ତ ହୋଇ ଥିଲେ ଫଳତଃ ଜୈନମାନଙ୍କ ପାଇଁ ସେହିଦିନଠାରୁ ଦୀପାଵଳି ଏକ ପଵିତ୍ର ଦିଵସ ଭାବେ ପରିଗଣିତ ହେଉଅଛି ।
ସ୍ଵାତି ନକ୍ଷତ୍ରର ଅନ୍ୟତମ ଭାରତୀୟ ନାମ ଅନିଳ ଅଟେ । ପଵନଙ୍କର ଅନ୍ୟନାମ ଅନିଳ ଅଟେ ଏଵଂ ଯେହେତୁ ସ୍ବାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ପଵନ ଅଟନ୍ତି ତେଣୁ ସ୍ଵାତୀ ନକ୍ଷତ୍ରର ଏକ ନାମ ଅନିଳ ହୋଇଅଛି । ମେସୋପୋଟାମିଆର ପ୍ରାଚୀନ ସୁମେରୀୟମାନେ ସେମାନଙ୍କର Enlil,Elil ଓ Nunamnir ନାମରେ ଜଣାଶୁଣା ଜଣେ ଦେଵତାଙ୍କୁ ମଧ୍ୟ ସ୍ଵାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ଭାବରେ ଅଭିହିତ କରୁଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହି ନାମଟି ଵାୟୁଦେଵଙ୍କର ଭାରତୀୟ ନାମ ଅନିଳ ସହିତ ମିଶିଯାଉଛି । ଭାରତରେ ଯେମିତି ପଵନ ଦେଵଙ୍କୁ ଵାୟୁ ଓ ଝଡ଼ର ଅଧିଷ୍ଠାତା ଦେଵତା ଵିଚାର କରାଯାଏ ଠିକ୍ ସେହିପରି ପ୍ରାଚୀନ ସୁମେରୀୟମାନେ Enlil ଵା Elilଙ୍କୁ ପଵନ,ଵାୟୁ,ଝଡ଼ ଓ ପୃଥିଵୀର ଅଧିଷ୍ଠାତା ଦେଵତା ଵିଚାର କରୁଥିଲେ ।
ତେବେ ଆଧୁନିକ ଯୁଗରେ ଜ୍ୟୋତିର୍ଵିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ଵ ଗଵେଷଣା ଓ ଅଧ୍ୟୟନ ଯୋଗୁଁ ଆମ୍ଭମାନଙ୍କୁ ସ୍ଵାତୀ ନକ୍ଷତ୍ର ଵିଷୟରେ ଆହୁରି ଅନେକ ତଥ୍ୟ ପ୍ରାପ୍ତ ହୋଇଛି ।
ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟଠାରୁ ପ୍ରାୟ ୩୬.୭ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ଏହାର ପାଶ୍ଚାତ୍ୟ ନାମ Arcturus ଓ alpha Boötis ଅଟଇ । ସ୍ଵାତୀ ନକ୍ଷତ୍ରର ଵୟସ ୭.୧ ଅବ୍ରୁତ ଵର୍ଷ ଅନୁମାନ କରାଯାଇଛି ଏଵଂ ଏହା ଏକ ଲାଲ୍ ଦାନଵ ନକ୍ଷତ୍ର ଅଟେ । ଦ୍ରଵ୍ୟମାଣ ଦୃଷ୍ଟିରୁ ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟ ଓଜନର ପାଖାପାଖି ହୋଇଥିଲେ ବି ଆକାରରେ ୨୫ଗୁଣ ବଡ଼ ତଥା ଆଲୋକ ଦୃଷ୍ଟିରୁ ୧୭୦ ଗୁଣ ଅଧିକ ଉଜ୍ଵଳ ଅଟେ । ସ୍ଵାତୀ ନକ୍ଷତ୍ରର ଵ୍ୟାସ ପ୍ରାୟ ୩୫ ନିୟୁତ କିଲୋମିଟର ଥିଵା ଜଣାପଡି଼ଛି । ସ୍ଵାତୀ ନକ୍ଷତ୍ର ଆମର ନକ୍ଷତ୍ର ସୂର୍ଯ୍ୟ(୪.୬ ଅବ୍ରୁତ ଵର୍ଷ ଵୟସ୍କ) ଅପେକ୍ଷା ଵୟସରେ ଅର୍ଦ୍ଧାଧିକ ପୁରାତନ ନକ୍ଷତ୍ର ଏଵଂ ସୂର୍ଯ୍ୟ ଆଖପାଖରେ ଏଭଳି ଅତି ଵୟସ୍କ ନକ୍ଷତ୍ର କମ୍ ହିଁ ରହିଛି ।
ସ୍ଵାତୀ ଵା Arcturusକୁ "Arcturus moving group" ଵା Arcturus stream ନାମରେ କେତେଗୁଡ଼ିଏ ତାରକା ସମୂହର ଏକ ତାରକା ଭାବେ ଗଣନା କରାଯାଏ । ଏହି ତାରକା ସମୂହରେ Arcturus ଛଡ଼ା Anser (Alpha Vulpeculae), 27 Cancri ଓ Kappa Gruis ଭଳି ପ୍ରାୟ ୫୨ରୁ ଅଧିକ ତାରକା ଅଛନ୍ତି । ଅନୁମାନ କରାଯାଏ ଏହି ତାରକା ସମୂହରେ ଥିଵା ତାରକାଗୁଡି଼କ Milky way galaxyକୁ ଅତି ପ୍ରାଚୀନ କାଳରେ ଏକ ଉପ-ଛାୟାପଥ(Satellite Galaxy)ରୁ ଆସିଥିଲେ ।
ସୂର୍ଯ୍ୟ ଏବଂ ସୁପରନୋଭା ଵ୍ୟତୀତ ସ୍ଵାତୀ ଵା Arcturus ପ୍ରଥମ ତାରା ଥିଲା ଯାହା ଦିନ ସମୟରେ ଟେଲିସ୍କୋପ ସାହାଯ୍ୟରେ ଦେଖାଯାଇଥିଲା । ୧୬୩୫ ମସିହାରେ ଫ୍ରାନ୍ସର ଜ୍ୟୋତିର୍ଵିଜ୍ଞାନୀ ଓ ଗଣିତଜ୍ଞ ଜାନ୍-ବାପ୍ଟିଷ୍ଟ ମୋରିନ୍ ପ୍ରଥମ ଵ୍ୟକ୍ତି ଭାବେ ଏହି କାର୍ଯ୍ୟ କରି ଦେଖାଇଥିଲେ । ବେଳେ ବେଳେ ସୂର୍ଯ୍ୟ ଅସ୍ତ ହେଵାର ଠିକ୍ ପୂର୍ଵରୁ ଖାଲି ଆଖିରେ ମଧ୍ୟ ସ୍ଵାତୀ ନକ୍ଷତ୍ର ଦୃଶ୍ୟ ହୋଇଥାଏ ।
ଆମ ସୂର୍ଯ୍ୟ ଅପେକ୍ଷା ଵୟସରେ ସ୍ଵାତୀ ନକ୍ଷତ୍ର ବହୁତ ପୁରୁଣା ନକ୍ଷତ୍ର ଏଵଂ ଵୈଜ୍ଞାନିକମାନେ ଏହାର ଆକାର, ଦ୍ରଵ୍ୟମାଣ ଓ ଵର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଅନୁମାନ କରନ୍ତି ଯେ ଏହି ନକ୍ଷତ୍ରଟି କିଛି ଶହ ନିୟୁତ ଵର୍ଷ ପରେ ଏକ ଶୁଭ୍ର ଵାମନ ତାରକା(white dwarf star)ରେ ପରିଣତ ହୋଇ ଶେଷରେ କୃଷ୍ଣ ଵାମନ ତାରକା( black dwarf star)ରେ ପରିଵର୍ତ୍ତିତ ହେଵ ଏଵଂ ମୃତ୍ୟୁଵରଣ କରିଵ । ପାଞ୍ଚ ଵା ଛଅ ଅବ୍ରୁତ ଵର୍ଷ ପରେ ଆମ ସୂର୍ଯ୍ୟର ମଧ୍ୟ ସମଦଶା ହେଵ ଫଳତଃ ଵୈଜ୍ଞାନିକମାନେ ଏହି ତାରକା ଵିଷୟରେ ଅଧିକରୁ ଅଧିକ ଗଵେଷଣା କରୁଛନ୍ତି ।
ଅନେକେ ଏହା ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ତେବେ ପ୍ରାୟ ଅର୍ଦ୍ଧ ନିୟୁତ ଵର୍ଷ ପୂର୍ଵେ ସ୍ଵାତୀ ଵା Arcturus ନକ୍ଷତ୍ର ପୃଥିଵୀରୁ ଖାଲି ଆଖିରେ ଦେଖାଯାଉନଥିଲା । ଏହା ଵର୍ତ୍ତମାନ ଆମ ସୌରଜଗତ ଆଡ଼କୁ ଗତି କରୁଛି ଏଵଂ ସୂର୍ଯ୍ୟ ତୁଳନାରେ ୧୨୨ କିଲୋମିଟର/ସେକେଣ୍ଡ ବେଗରେ ଗତି କରି ସୌରମଣ୍ଡଳର ପ୍ରାୟ ନିକଟତମ ବିନ୍ଦୁରେ ପହଞ୍ଚିଛି । ପାଖାପାଖି ୪,୦୦୦ ଵର୍ଷ ମଧ୍ୟରେ ଏହା ଆହୁରି ନିକଟତର ହେଵ । ଵୈଜ୍ଞାନିକମାନେ କୁହନ୍ତି ସ୍ଵାତୀ ନକ୍ଷତ୍ର ଏକ ଆଲୋକ ଵର୍ଷର କିଛି ଶହ ଭାଗ ଵର୍ତ୍ତମାନ ତୁଳନାରେ ନିକଟତର ହେଵ ଏଵଂ ତାପରେ ଏହା ଦକ୍ଷିଣ ଦିଗରେ ଗତି କରିଵା ଆରମ୍ଭ କରିଦେଵ ତଥା ଆଉ ୧,୫୦,୦୦୦ ଵର୍ଷ ପରେ ପୃଥିଵୀରୁ ଖାଲି ଆଖିରେ ଦୃଶ୍ୟମାନ ହେଵ ନାହିଁ । ତେବେ ଵର୍ତ୍ତମାନ ସମୟରେ ସ୍ଵାତୀ ନକ୍ଷତ୍ର ପୃଥିଵୀର ରାତ୍ରୀ ଆକାଶରେ ତୃତୀୟ ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଅଭିହିତ ହେଉଅଛି ।
ସତରେ ଆମେ ଭାଗ୍ୟଵାନ ଯେ ଏଭଳି ଏକ ପ୍ରାଚୀନ ନକ୍ଷତ୍ରକୁ ଆମ୍ଭେମାନେ ପୃଥିଵୀର ରାତ୍ରି ଆକାଶରେ ଦେଖିପାରୁଛନ୍ତି ।
No comments:
Post a Comment