Friday, May 19, 2023

ଏକ ପ୍ରାଚୀନ ଭାରତୀୟ ଶବ୍ଦ: ଦାରୁ

ଵୃକ୍ଷ ଓ କାଷ୍ଠ ଅର୍ଥରେ ଵ୍ୟଵହୃତ ଦାରୁ ଶବ୍ଦଟି ଏକ ପ୍ରାଚୀନ ଭାରୋପୀୟ ଶବ୍ଦ ଯାହାକୁ ଆଜି ବି ଓଡ଼ିଶାର ଲୋକେ ନିଜ କଥିତ ଓ ଲିଖିତ ଭାଷାରେ ବଞ୍ଚାଇ ରଖିଛନ୍ତି ।‌ ଆମ ଭାଷାର ଶହ ଶହ କଵିତା,କାଵ୍ୟ ଓ ଗୀତରେ ଦାରୁ ଶବ୍ଦର ପ୍ରୟୋଗ ହୋଇଛି ପୁଣି ସ୍ଵୟଂ ଭଗଵାନ ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗ ଦେଶଵାସୀ ଦାରୁଦିଅଁ,ଦାରୁବ୍ରହ୍ମ,ଦାରୁମୂର୍ତ୍ତି,
ଦାରୁଦେଵତା ଓ ଦାରୁରୂପ ଆଦି ସମ୍ବୋଧନ କରିଥାନ୍ତି । ଏକପ୍ରକାର ଗଛର କାଠରୁ ସଂଗୃହୀତ ଵିଷ ହୋଇଥିଵାରୁ ଆମ ଭାଷାରେ ମହୁରାକୁ ଦାରୁମୁଷି କୁହାଯାଏ । କିଂକର୍ତ୍ତଵ୍ୟଵିମୂଢ଼ ଅର୍ଥରେ ଆମ ଭାଷାରେ ଦାରୁଭୂତ ଓ ଦାରୁଭୂତ ମୁରାରୀ ଵ୍ୟଵହୃତ ହୋଇଥାଏ । ଗଛର କାଠ ହୋଇଥିଵାରୁ ଡାଲଚିନିକୁ ଓଡ଼ିଆ ଭାଷାରେ ଦାରୁଚିନି ବି କୁହାଯାଏ । ଦେଵଦାରୁ ଗଛର ନାଆଁରେ ବି ଦାରୁ ରହିଛି । ଓଡ଼ିଶାରେ ନିମ୍ବଗଛକୁ ଦାରୁ କୁହାଯାଏ ଯେହେତୁ ଏହି କାଠରୁ ଶ୍ରୀଜଗନ୍ନାଥଙ୍କର ଵିଗ୍ରହ ହୋଇଥାଏ । 

 ତେବେ ପ୍ରାୟ ଦୁଇ ଶତାବ୍ଦୀ ଧରି ଏ ଦେଶର ଭାଷାଵିଦମାନେ ଦାରୁ ଶବ୍ଦକୁ ଏକ ଆଷ୍ଟ୍ରୋଏସୀୟ ଭାଷା ମୂଳର ଶବ୍ଦ ବୋଲି ଅନୁମାନ କରି ବସିଯାଇଛନ୍ତି । ସାନ୍ତାଳୀ,ଖଡି଼ଆ,ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି ଓଡ଼ିଶାର କିଛି ଭାଷାଵିଦ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ । ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି ଅନେକ ପୁରାତନ ଗ୍ରନ୍ଥରେ ଦାରୁ ଶବ୍ଦର ଵ୍ଯଵହାର ଦୃଶ୍ୟ ହୋଇଥାଏ । 

ଋକଵେଦର ସୂକ୍ତ ୬:୩ରେ ଦାରୁ ଶବ୍ଦ ଵ୍ଯଵହାର ହୋଇଛି 

"ତିଗ୍ମଂ ଚିଦେମ ମହି ଵର୍ପୋ ଅସ୍ଯ ଭସଦଶ୍ଵୋ ନ ଯମସାନ ଆସା ।
ଵିଜେହମାନଃ ପରଶୁର୍ନ ଜିହ୍ଵାଂ ଦ୍ରଵିର୍ନ ଦ୍ରାଵୟତି ଦାରୁ ଧକ୍ଷତ୍ ॥୪॥"

ସଂସ୍କୃତ ଭାଷାରେ ଦାରୁ ଶବ୍ଦର ଗଛ(ଵିଶେଷତଃ ଚନ୍ଦନ,ନିମ୍ବ ଓ ଦେଵଦାରୁ ଆଦି ପଵିତ୍ର ଗଛ),କାଠ,ଇନ୍ଧନ,ଶିଳ୍ପୀ,ବଢ଼େଇ,ଦାତା,ଛେଦକ,ଖଣ୍ଡନଶୀଳ ଓ ଵିଦାରକ ଆଦି ଅର୍ଥରେ ପ୍ରୟୋଗ ରହିଛି । ସେହିପରି ଆଧୁନିକ ଯୁଗରେ ଭାରତରେ ପାର୍ସୀ ମୂଳରୁ ଏକ ଦାରୁ ଶବ୍ଦ ଆସି ବାରୁଦ,ମଦ ଓ ଔଷଧ ଅର୍ଥରେ ଦାରୁ ଶବ୍ଦ ଵ୍ୟଵହୃତ ହେଉଅଛି। କିନ୍ତୁ ଓଡ଼ିଆ ତଥା ଅନ୍ୟ ଅନେକ ଜନଜାତୀୟ ଭାଷାରେ ଗଛ,ନିମ୍ବଗଛ,ନିମ୍ବକାଠକୁ ବି ଦାରୁ କୁହାଯାଏ । 

ଵ୍ୟାସଙ୍କର ମହାଭାରତରେ କାଷ୍ଠ ଅର୍ଥରେ ଦାରୁ ଶବ୍ଦ ଵ୍ୟଵହୃତ ହୋଇଥିଵା ଜଣାଯାଏ । 
 “ଶଣଂ ତୈଳଂ ଘୃତଞ୍ଚୈଵ ଜତୁ ଦାରୂଣି ଚୈଵ ହି । 
 ତସ୍ମିନ୍ ଵେଶ୍ମନି ସର୍ଵ୍ଵାନି ନିକ୍ଷିପେଥାଃ ସମନ୍ତତଃ ॥”
 (ସଂସ୍କୃତ ମହାଭାରତ। ୧ । ୧୪୫ । ୧୧ ।)
 
ସୁଶ୍ରୁତଙ୍କର ଉତ୍ତରତନ୍ତ୍ରରେ ୧୭ତମ ଅଧ୍ୟାୟରେ ଦେଵଦାରୁ ଗଛ ଅର୍ଥରେ ଦାରୁ ଶବ୍ଦ ପ୍ରୟୋଗ କରାଯାଇଛି “ଦାରୁପଦ୍ମକଶୁଣ୍ଠୀଭିରେଵମେଵ କୃତୋଽପି ଵା ॥”

ଋକଵେଦରେ ଶିଳ୍ପୀ ଵା ବଢ଼େଇ ଅର୍ଥରେ ମଧ୍ୟ ଦାରୁ ଶବ୍ଦ ଵ୍ୟଵହାର ହୋଇଛି ।‌
 
“ଇନ୍ଦ୍ରସ୍ଯେଵପ୍ର ତଵସସ୍କୃତାନି ଵନ୍ଦେଦାରୁଂ ଵନ୍ଦମାନୋ ଵିଵଵିଭ ॥” (“ଦାରୁଂ ପୁରାଂ ଭେତ୍ତାରଂ ଵନ୍ଦେ ।” ଇତି ତତ୍ର ସାୟନଃ ॥)
(ଋଗ୍ଵେଦ । ୭ । ୬ । ୧ ।)

ଆମ୍ଭ ଓଡ଼ିଆ ଭାଷାର ସାହିତ୍ୟରେ ଦାରୁ ଶବ୍ଦର ଯେତେ ଵ୍ଯଵହାର ହୋଇଅଛି ତେତେ ସଂସ୍କୃତ ଭିନ୍ନ ଅନ୍ଯ କୌଣସି ଭାରତୀୟ ଭାଷାରେ ଦୃଶ୍ୟ ହୁଏନାହିଁ । 

ଭୀମଭୋଇଙ୍କ ଏକ ଭଜନରେ ଆମେ ଦାରୁ ଶବ୍ଦର ବଡ଼ ଵୃକ୍ଷ ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖିଥାଉ 

"ସତ୍ୟ ଯେବେ ସଦଗୁରୁ ଦୂଵ କରି ପାର 'ଦାରୁ'
ସିଦ୍ଧ ଵଚନ ଆଜ୍ଞାରୁ କାହାକୁ ମୋ ନାହିଁ ଭୟେ ॥"

ପୁଣି ତାଙ୍କର ଅନ୍ଯ ଏକ ଭଜନରେ ଦାରୁ ଶବ୍ଦ କାଠ ଵା ନିମ୍ବ କାଠ ଅର୍ଥରେ ଦାରୁ ପ୍ରତିମା ଶବ୍ଦ ପ୍ରୟୋଗ ହୋଇଛି 

"ଦାରୁ ପ୍ରତିମା ମୂର୍ତ୍ତି ଦେଵୀ ଦେଵତା ସବୁଠାରୁ ଚିତ୍ତ ଛାଡିଦେଲେ । 
ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିଵେଦ ସବୁ ଏମାନଙ୍କୁ ଏଡି଼ ଚାଲିଗଲେ ।।"

ଭୀମଭୋଇଙ୍କ ଭଜନରେ ଯେମିତି ଦୁଵ ସହ ଦାରୁ ଶବ୍ଦର ଵ୍ଯଵହାର ହୋଇଛି ସମାନ ଭାବେ କଵି ବଳରାମ ଦାସ ତାଙ୍କ କମଳଲୋଚନ ଚଉତିଶାରେ ଏହିପରି ଭାବେ କରିଅଛନ୍ତି 

"ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । 
ନିସ୍ତରିଯିଵା ନରେ ଦେଖି ।। 
ଟେକିଲେ ଦୂଵ କରେ ଦାରୁ । 
ଟାଣପଣରେ ଭାଙ୍ଗେ ମେରୁ ।।"

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵୈଦେହୀଶ ଵିଳାସ କାଵ୍ଯରେ "ଚନ୍ଦନ ଦାରୁ" ଶବ୍ଦ ପ୍ରୟୋଗ ହୋଇଛି । ଏଠାରେ ଦାରୁ ଶବ୍ଦକୁ କଵିସମ୍ରାଟ ଗଛ ଅର୍ଥରେ ଵ୍ଯଵହାର କରିଛନ୍ତି । 
 
“ଵିଦୁର ଲକ୍ଷ୍ମଣ ଘନ ପଵନ ଭଗ୍ନ ଚନ୍ଦନ ଦାରୁ ଆଣି ଚାରୁଵାସ ବିହି ଯେ ।
ଵିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ ।”(ଵୈଦେହୀଶ ଵିଳାସ,କଵିସମ୍ରାଟ)

ଅତିବଡ଼ ଜଗନ୍ନାଥ ଦାସଙ୍କ ଭାଗଵତର ଅନେକ ସ୍ଥାନରେ ଦାରୁ ଶବ୍ଦଟି କାଠ ଅର୍ଥରେ ଵ୍ଯଵହୃତ ହୋଇଅଛି ।
ଯଥା—

“ସଂସାର ନିସ୍ତାରଣ ସାଧ୍ଯେ 
ଅନଳ ଯେହ୍ନେ ଦାରୁ ମଧ୍ୟେ ॥”
(ସପ୍ତମ ସ୍କନ୍ଧ,ଭାଗଵତ)

“ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ ।
 ତେଜ ପ୍ରକାଶେ ଅନୁଦିନେ ॥”
(ଅଷ୍ଟମ ସ୍କନ୍ଧ,ଭାଗଵତ)

“ପତ୍ର କୁସୁମ ଫଳ ଛାଇ । 
ମୂଳ ବକଳ ଦାରୁ ଦେଇ ॥”
(ଦଶମ ସ୍କନ୍ଧ ଭାଗଵତ)

“ଦାରୁ ପାଷାଣ ଧାତୁମୟୀ । 
ଲେପ ଲେଖନ ଯେତେ ହୋଇ ॥”
(ଏକାଦଶ ସ୍କନ୍ଧ ଭାଗଵତ)

ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଦାରୁ ଶବ୍ଦକୁ ବଡ଼ଗଛ ଵା ଦ୍ରୁମ ଅର୍ଥରେ ପ୍ରୟୋଗ କରିଯାଇଛନ୍ତି ।

“ଵୃକ୍ଷକୁ ଚାହିଂଲା ଅଟଇ କେଡେ ଦାରୁ
ମନେ ମନେ ଵିଚାରି ହସିଲା ରାଜା ଗୁରୁ ॥”
(ଆଦିପର୍ଵ, ସାରଳା ମହାଭାରତ)

ଆଧୁନିକ ଯୁଗରେ ଦାରୁ ଶବ୍ଦଟି ଆମଭାଷାର କଥିତ ଭାଷାରେ କ୍ରମେ ପାର୍ସୀ ମୂଳରୁ ଆସି ବାରୁଦ, ଔଷଧ ଓ ମଦ ଅର୍ଥରେ ଵ୍ଯଵହାର ହେଵାକୁ ଲାଗିଲା 

ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ବାରୁଦ ଅର୍ଥରେ 
ଦାରୁ ଶବ୍ଦର ଵ୍ଯଵହାର କରିଯାଇଛନ୍ତି...
 
“କାଣ୍ଡ ଗୁଳା ଯାରୁ ଗୁଳି,
 ଚାଉଳ କିରି କଦଳୀ 
ତମାଖୁ ଲୁଣ ଆଦି ଆଗ ସେ 
କିରିହପାଳଠାରୁ ଦେଲେ ଚାଳି ॥”

କିଛି ଵର୍ଷ ତଳେ ଏକ ଡହରା ଗୀତ ବି ଆସିଥିଲା ଯହିଁରେ ଦାରୁ ଶବ୍ଦକୁ ମଦ ଅର୍ଥରେ ପ୍ରୟୋଗ କରାଯାଇଥିଲା...

"ଦାରୁ ଦାରୁ ଦାରୁ ଦେ ଦାରୁ" 

ପାର୍ସୀ ଭାଷାରେ ଦାର ଓ ଦରଖ୍ତ୍ ଶବ୍ଦ ଯଥାକ୍ରମେ ଗଛ ଓ ଡାଳ ଅର୍ଥରେ ଵ୍ୟଵହୃତ ହୋଇଥାଏ ସେହିପରି ଗଛରୁ ପ୍ରାପ୍ତ ରସରୁ ପ୍ରସ୍ତୁତ ଔଷଧ ତଥା ମଦକୁ ଦାରୁ କୁହାଯାଏ । 

ଓଡ଼ିଆ ତଥା ସଂସ୍କୃତ ଭାଷାରେ ପ୍ରଚଳିତ 'ଦାରୁ' ଶବ୍ଦର ନିରୁକ୍ତି ଵିଷୟରେ ଵିଭିନ୍ନ ଦିଗରୁ ଭାଷାଵିଦମାନେ ଆଲୋଚନା କରିଛନ୍ତି । ସ୍କନ୍ଧ ପୁରାଣର 'ଉତ୍କଳଖଣ୍ଡ'ରେ 'ଦାରୁ'ର ଵ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି :

⁠"ଖଣ୍ଡନାତ ସର୍ଵଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
⁠ସ୍ୱଭାଵାଦ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।" (୨୮-୩୯)

ଶ୍ରୀଜଗନ୍ନାଥଙ୍କୁ ଆମେ ଦାରୁ ଦିଅଁ ଓ ଦାରୁବ୍ରହ୍ମ କହିଥାନ୍ତି ।ସାଧାରଣ ମତାନୁସାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ
ନିମ୍ବଦାରୁରେ ଗଠିତ ହେଉଥିଵା ହେତୁ ତାଙ୍କୁ ଏପରି ଅଭିହିତ କରାଯାଇଛି କିନ୍ତୁ ଆଧ୍ୟାତ୍ମିକ ଵ୍ଯାଖ୍ଯାକାରଙ୍କ ମତରେ 'ଦାରୁ' ଶବ୍ଦକୁ 'ଦୃ' ଧାତୁ, 'ଦା' ଧାତୁ ଓ 'ଦୋ' ଧାତୁରୁ ନିଷ୍ପନ୍ନ କରାଯାଇଛି । 'ଦୃ' ଧାତୁର ଅର୍ଥ ଵିଦୀର୍ଣ୍ଣ କରିଵା,ପୂଜା କରିଵା,ପାଳନ କରିଵା । 'ଦା'ର ଅର୍ଥ ଦାନ କରିଵା । 'ଦୋ' ଧାତୁର ଅର୍ଥ ଖଣ୍ଡନ କରିଵା । ସୁତରାଂ, ଯିଏ ସଂସାରର ପାଳନକର୍ତ୍ତା,ଯିଏ ସର୍ଵଜୀଵଙ୍କ ଦ୍ଵାରା ପୂଜନୀୟ,ଯିଏ ପାପୀଙ୍କର ପାପକୁ ଵିଦୀର୍ଣ୍ଣ କରିଦିଅନ୍ତି,ଯେ ଅଖଣ୍ଡ ଆନନ୍ଦ ଦାନ ଓ ସର୍ବଦୁଃଖ ଖଣ୍ଡନକାରୀ ସେ ହେଉଛନ୍ତି ଦାରୁବିଗ୍ରହରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ।

"ଭାରତୀୟ ଶାସ୍ତ୍ରୀୟ ନିରୁକ୍ତି ନିର୍ଣ୍ଣୟ ପ୍ରଣାଳୀ"ରେ ଦାରୁ ଶବ୍ଦର ମୂଳ "ଦୃ ଧାତୁ" ବୋଲି ନିର୍ଣ୍ଣିତ ହୋଇଅଛି । ଦୃ ଧାତୁରୁ 
ଵିଦୀର୍ଣ୍ଣ କରିଵା,ପୂଜା କରିଵା,ସମ୍ମାନ କରିଵା,ଶ୍ରଦ୍ଧା କରିଵା,ପାଳନ କରିଵା,ଧ୍ୟାନ ଦେଵା,ଭୟକରିଵା(ଦର=ଭୟ; ଏହାର ତଦ୍ଭଵ ରୂପ ଡର ) ଓ ହତ୍ୟା କରିଵା
ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଦୃ ଧାତୁରୁ ଆଦର,ଉଦରୀ,କଦର,କନ୍ଦର,
କୁଦାର,କୁନ୍ଦୁ(ମୂଷା),କେଦାର,ଦର୍ଦ୍ଦୂର,ଦର୍ବ୍ବୀ,ଦାରୁଣ,ଦୃତ ଓ ଵିଦାରଣ ଆଦି ଅନେକ ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହାର ଅନ୍ୟରୂପ ଦ୍ରୁ ଧାତୁ ଏଵଂ ଏହି ଧାତୁଶବ୍ଦରୁ ଦ୍ରୁ(ଗଛ,ଶାଖା) ଓ ଦ୍ରୁମ(ଗଛ,ବଡ଼ଗଛ) ଭଳି ଶବ୍ଦ ନିଷ୍ପନ୍ନ ହୋଇଅଛି । ପ୍ରାଚୀନ ଭାରତୀୟ ଭାଷାଵିଦମାନେ ଦୃ ଓ ଦ୍ରୁ ଦୁଇଟି ଧାତୁଶବ୍ଦରୁ ଅନେକ ଶବ୍ଦ ନିଷ୍ପନ୍ନ କରିଥିଲେ ହେଁ ଆଧୁନିକ ଯୁଗରେ ଏହି ଦୁଇଗୋଟି ଧାତୁଶବ୍ଦର ମୂଳ ଗୋଟିଏ ବୋଲି ଭାଷାଵିଦମାନେ ମତ ଦିଅନ୍ତି । 

ଭାରତୀୟ ଭାଷାରେ ଯେମିତି ଗଛ ଓ କାଠ ଅର୍ଥରେ ଦାରୁ ଶବ୍ଦ ଚଳୁଅଛି ଠିକ୍ ସେହିପରି ଅନ୍ୟ ଅନେକ ଭାରୋପୀୟ ଭାଷାରେ ମଧ୍ୟ ଦାରୁ ସମସାଦୃଶ୍ଯ ଶବ୍ଦ ରହିଛି ଯହିଁର ଵୃକ୍ଷ,କାଷ୍ଠ ଓ ଶକ୍ତ ଵା ଟାଣ ଆଦି ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୋଇଥାଏ ।

ପ୍ରାଚୀନ ଗ୍ରୀକ୍ ଭାଷାରେ ଭାରତୀୟ ଦାରୁ ଶବ୍ଦ ସହିତ ସମୋଦ୍ଧୃତ δόρῠ(dóru),
trum (“ଦୃଢ଼,ଅଟଳ”),δροόν (droón, “ଶକ୍ତ,ବଳୁଆ”) ଓ δρῦς(drûs;ଓକ୍ ଓ ଟିମ୍ବର ଜାତୀୟ ଗଛ) ଆଦି ଶବ୍ଦ ଚଳୁଥିଲା । ସେହିପରି ଲାଟିନ ଭାଷାରେ ବି dūrus ଶବ୍ଦ ଟାଣ ଓ ଶକ୍ତ ଅର୍ଥରେ ଚଳୁଥିଲା । ହିଟାଇଟ୍ ଭାଷାରେ ଗଛ ଓ କାଠକୁ 𒋫𒊒 (taru) କୁହାଯାଉଥିଲା । ଆଵେସ୍ତାନୀ ଭାଷାରେ ଲୋକେ କାଠକୁ 𐬛𐬁𐬎𐬭𐬎‎ (dāuru) କହୁଥିଲେ । ଟୋଚାରିଆନ୍ ଭାଷାରେ କାଠକୁ or କୁହାଯାଏ ଏଵଂ ଏହା ମଧ୍ୟ ଦାରୁ ଶବ୍ଦର ସଗୋତ୍ରୀୟ ଶବ୍ଦ ଅଟେ । 
ଓ୍ଵେଲ୍ସ ଭାଷାରେ ଓକ୍ ଗଛକୁ derw କୁହାଯାଏ । ସ୍ଲାଭିକ୍ ଭାଷାରେ ଗଛ ଓ କାଠକୁ *drъ̏vo କୁହନ୍ତି । ଆଲବେନୀୟ ଭାଷାରେ ବି ଗଛ ଓ କାଠକୁ dru କୁହାଯାଏ । ବ୍ରେଟୋନ୍ ଭାଷାରେ ମଧ୍ୟ ଓକ୍ ଗଛକୁ derv କହିଥାନ୍ତି । ସଂସ୍କୃତ ଭାଷାରେ ଦାରୁ ସହିତ ସମୋଦ୍ଧୃତ ଦ୍ରୋଣ,ଦ୍ରୁମ,ଦର୍ଵି ଭଳି ଶବ୍ଦ ଥିଲା ଭଳି ରୁଷୀ ଭାଷାରେ ମଧ୍ୟ ଏହା ସହିତ ସଗୋତ୍ରୀୟ дром (drom;ବଡଗଛ) ଶବ୍ଦ ଚଳୁଅଛି । ୟୁରୋପରେ ପ୍ରଚଳିତ ମୂଳ ଆର୍ଯ୍ୟଭାଷାର ସବୁଠାରୁ ନିକଟତର ଭାଷାରେ ଲିଥୁଆନିରେ ପ୍ରଚଳିତ dervà (“tar, resin”) ଶବ୍ଦର ମଧ୍ୟ ଦାରୁ ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଜଣାଯାଏ । ଭାରୋ ଇରାନୀୟ ଭାଷା ପାର୍ସୀ, କୁର୍ଦ୍ଦିସ୍ ଭାଷାରେ କାଠି,କାଠ ଓ ଗଛକୁ دار‎ (dar) କୁହାଯାଏ । ବଲୋଚୀ ଭାଷାରେ କାଠି ଓ କାଠକୁ دار (dár) କୁହାଯାଏ । ମାଜନ୍ଦରାନୀ ଭାଷାରେ ଗଛକୁ دار (dâr) କୁହାଯାଏ । ବଖ୍ତୟାରୀ ଭାଷାରେ ଗଛକୁ دار (daar) କୁହାଯାଏ। ପ୍ରୋକ୍ତ ଵୃକ୍ଷ,ଗଛ,କାଠି ଓ ଟାଣ ଆଦି ଅର୍ଥଜ ସମସ୍ତ ସଗୋତ୍ରୀୟ ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *dóru,*deru ଓ *drew ନିର୍ଣ୍ଣୟ କରାଯାଇଛି । 



ତେବେ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀରେ ଆଜି ଯେଉଁ tree ଶବ୍ଦଟି ଗଛ ଅର୍ଥରେ ଵ୍ଯଵହାର ହେଉଅଛି ତାହାର ସଗୋତ୍ରୀୟ ସମ୍ପର୍କ ସଂସ୍କୃତ ଦାରୁ ଶବ୍ଦ ରହିଛି । ପ୍ରକୃତରେ ଇଂରାଜୀରେ tree ଶବ୍ଦଟି tre, tree, treo, treou, trew, trow ଆଦି ଵିଭିନ୍ନ ରୂପରେ ଭିନ୍ନ ଭିନ୍ନ ସମୟରେ ଚଳୁଥିଲା । ପୁରୁଣା ଇଂରାଜୀରେ trēo, trēow ଶବ୍ଦ ଗଛ,କାଠ, ବାଡ଼ି ଆଦି ଅର୍ଥରେ ଵ୍ଯଵହାର ହେଉଥିଲା । ତେବେ ଇଂରାଜୀର ଏହି tree ଶବ୍ଦଟି ଜର୍ମାନ୍ ମୂଳର *trewą (“ଗଛ,କାଠ”) ଶବ୍ଦର ଆଧୁନିକ ଇଂରାଜୀ ରୂପ ଅଟେ ଏଵଂ ଆଧୁନିକ ଭାଷାଵିଦମାନଙ୍କ ଅନୁସାରେ ଜର୍ମାନ୍ *trewą ଶବ୍ଦଟି ଆଗେ *dréwom ଥିଲା ଏଵଂ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *dóru (“ଗଛ”) ଅଟେ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଦାରୁ ଶବ୍ଦଟି ଆଷ୍ଟ୍ରୋଏସୀୟ ମୂଳର ଶବ୍ଦ ନୁହେଁ ଵରଂ ଏକ ଭାରୋପୀୟ ଶବ୍ଦ ଏଵଂ ଏହାର ମୂଳ ଭାରୋପୀୟ ଶବ୍ଦରୂପ *dóru ଥିଲା ଯାହାର ସବୁଠାରୁ ନିକଟତର ସ୍ଵରୂପ ଦାରୁ ଶବ୍ଦକୁ ଆଜି ବି ଓଡ଼ିଶାର ଲୋକେ ବଞ୍ଚାଇ ରଖିଛନ୍ତି । 

ଶହେ ଦୁଇଶହ ଵର୍ଷ ତଳେ ଆଜି ଭଳି ସବୁ ଭାରୋପୀୟ ଭାଷାର ଶବ୍ଦ ସମ୍ଭାର ଵିଷୟରେ ଏତେ ତଥ୍ୟ ଉପଲବ୍ଧ ନଥିଲା କି ସହଜରେ ପ୍ରାପ୍ତ ହେଉନଥିଲା ତେଣୁ ସେସମୟରେ ଅଧିକ ଗଵେଷଣା ନକରି ଓଡ଼ିଶାର କିଛି ଭାଷାଵିଦ ଓଡ଼ିଆ ଦାରୁ ଶବ୍ଦଟିକୁ ଏକ ଆଷ୍ଟ୍ରୋଏସୀୟ ଶବ୍ଦ ଘୋଷଣା କରିଦେଇଥିଲେ । ସେହି ପୁରୁଣା ମତ ଏବେ ଭୁଲ୍ ବୋଲି ପ୍ରମାଣିତ ହୋଇସାରିଛି ତଥାପି ଓଡ଼ିଶାର ଵିଶ୍ଵଵିଦ୍ୟାଳୟ ପାଠ୍ୟ ପୁସ୍ତକରେ ଏବେ ବି ପିଲାମାନଙ୍କୁ ଏହି ଭୁଲ୍ ପାଠ କାହିଁକି ପଢ଼ାଯାଉଛି ?

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...