Wednesday, February 23, 2022

ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ(ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ)


ଜନ୍ମରୁ କହି ଶୁଣି ପଢ଼ି ଲେଖି ମଧ୍ଯ କିଛି ଭୁଷ୍ ପଣ୍ଡିତଙ୍କୁ ତାଙ୍କ ମାତୃଭାଷା ବୋଧଗମ୍ୟ ହେଲା ନାହିଁ ବୋଲି ସେମାନେ ଇଂରାଜୀ, ହିନ୍ଦୀ, ବଙ୍ଗଳାକୁ ‘ହନୁକରଣ’ କରି ଶାସ୍ତ୍ରୀୟ ଭାଷା ଓଡ଼ିଆର ସରଳୀକରଣ ନାମରେ ଆମର  ସାହିତ୍ୟରେ ଥିବା ଅକ୍ଷରକୁ ବଳି ଦେବାକୁ ଷଡ଼ଯନ୍ତ୍ର କଲେ । ଵର୍ଣ୍ଣହତ୍ୟାକାରୀମାନେ
ଏହି ଷଡ଼ଯନ୍ତ୍ରକୁ ଲିପି ସଂସ୍କାର ନାଆଁ ଦେଲେ ।
ପରାଧିନ ଭାରତରେ ଛପୁଥିଵା ଆଶା ପତ୍ରିକାର ଏକ ଆହ୍ଵାନରୁ ଲିପିସଂହାର ଷଡ଼ଯନ୍ତ୍ରର ଅୟମାରମ୍ଭ ହୁଏ । ଏ ଵିଷୟରେ ରାମଶଙ୍କର ରାୟ ତାଙ୍କ ଲିପି ସଂସ୍କାର ପ୍ରବନ୍ଧରେ ଏମନ୍ତ ଲେଖିଛନ୍ତି ...

❝ଆଜିକାଲି ଚତୁର୍ଦ୍ଦିଗରେ ସଂସ୍କାରର ହୁରି ପଡ଼ି ଯାଇଥିଵା ସମୟରେ ଗଞ୍ଜାମର ନଵୀନା ‘ ଆଶା’ ମଧ୍ୟ ଗୋଟିଏ ସଂସ୍କାର ଘେନି ଉପସ୍ଥିତ।
× × × × × × × × × × × × × × × × × ×
‘ଆଶା’ର ଲିପିସଂସ୍କାର ‘ ସ୍ଵାଧୀନତା' ଉପରେ ସ୍ଥାପିତ ହୋଇଅଛି । ‘ପଞ୍ଚମ’ ଇତ୍ୟାଦିକି ‘ ପଂଚମ’ ଇତ୍ୟାଦି ଛାପା କରିଵାରେ ମୁଁ ସ୍ଵଭାଵତଃ ମନେ କରିଥିଲି ଯେ ‘ଆଶା’ର ନୂତନ ପ୍ରେସରେ ବୋଧହୁଏ ଯୁକ୍ତାକ୍ଷର ନ ଥିଵାରୁ ଏପରି ଘଟିଅଛି; ମାତ୍ର ବାଲେଶ୍ଵରର ସମ୍ବାଦଵାହିକା ଟିପି ଦେଵାରୁ କଥାଟା ବାହାରିପଡ଼ିଲା- ଖାଲି ‘ ଆଶା’ର କଥା ନୁହେଁ, ତାଙ୍କ ପୃଷ୍ଠପୋଷକ ମଧ୍ଯ ବାହାରି ପଡ଼ିଲେ।❞

ସେହି “ଲିପିସଂସ୍କାର”ପ୍ରବନ୍ଧରେ ନାନା ଆଲୋଚନା କରିଵା ପରେ ପୁଣିଥରେ ରାମଶଙ୍କର ରାୟ ଲିପି ସଂସ୍କାର ଵିଷୟରେ ଯାହା ଲେଖିଛନ୍ତି ତାହା ଏଠାରେ ଉଦ୍ଧାର କରାଗଲା ..

❝ଆଶା’ର ସମ୍ପାଦକ ଓ ଲେଖକମାନେ ଦେଶ ଲୋକଙ୍କୁ ତାଙ୍କ ଲିପିସଂସ୍କାରର ଅନୁଵର୍ତ୍ତୀ ହୋଇ ଲେଖିଵାକୁ ପ୍ରାର୍ଥନା କରିଅଛନ୍ତି। କେହି ମାନିବେ, ଏହା ମୋତେ ଲାଗୁନାହିଁ। ମୁଁ ତାହା ପଢ଼ିଲା ମାତ୍ରକେ ଲାଙ୍ଗୁଳହୀନ ଶୃଗାଳର କଥା ମନରେ ପଡ଼ିଗଲା ।
× × × × × ×× × × × × ×× × × × × ×
ଆଶା'ର ପ୍ରତ୍ୟାଶ ଆକାଶକୁସୁମରେ ପରିଣତ ହେଵାରେ ସନ୍ଦେହ ନାହିଁ। ଏହା ଲିପି ସଂସ୍କାର ଵା ଭାଷା ସଂସ୍କାର ନୁହେଁ- ଏହାକୁ ଲିପି ଵିଭ୍ରାଟ୍ ଵା ଭାଷା ଵିଭ୍ରାଟ୍ ବୋଲାଯିଵ।❞

ଵର୍ଣ୍ଣହତ୍ୟାକାରୀମାନେ ❝ଛପା ସମସ୍ୟା ତଥା ଲିପି ସରଳୀକରଣ❞ର ଯେତେ ଦ୍ଵାହି ଦେଲେ ମଧ୍ୟ ସେମାନେ ଯେ ହିନ୍ଦୀ, ବଙ୍ଗାଳୀ ତଥା ହିନ୍ଦୀଦ୍ଵାରା ପ୍ରଭାଵିତ ହୋଇ ସେହି ସବୁ ଭାଷାର ହନୁକରଣରେ ଓଡ଼ିଆ ଲିପିରୁ ଅକ୍ଷର ,ଦ୍ଵିତକରଣ ତଥା ଯୁକ୍ତାକ୍ଷର ପରମ୍ପରା ଇତ୍ୟାଦି ଉଠାଇଦେଵାକୁ ଚେଷ୍ଟା କରୁଥିଲେ ତାହା ଜଣାପଡି଼ଯାଇଥିଲା ।

ଓଡ଼ିଶାରେ ଆଧୁନିକ ଯୁଗର କଵି ଲେଖକମାନେ ସାଧାରଣତଃ ହିନ୍ଦୀ,ଇଂରାଜୀ ଓ ବଙ୍ଗାଳୀ ଭାଷାଦ୍ଵାରା ପ୍ରଭାଵିତ ହୋଇଥିଲେ । ଓଡ଼ିଆ ଭାଷାରେ ଥିଵା ମୌଳିକତାକୁ ସେମାନେ ଏହି ତିନୋଟି ଭାଷାରେ ନପାଇ ସେସବୁ ମୌଳିକଗୁଣ ଓଡ଼ିଆ ଭାଷାର ଦୁର୍ଗୁଣ ମନେ କରି କଳେ ବଳେ କୌଶଳେ ଲିପିସଂହାରକୁ ଲିପି ସଂସ୍କାର ନାମ ଦେଇ ଚକ୍ରାନ୍ତ କଲେ  ।‌

ଇଂରାଜୀ ଦ୍ଵାରା ପ୍ରଭାଵିତ ଓଡ଼ିଆମାନେ ଯୁକ୍ତିକଲେ ❝ଆମ ଅକ୍ଷର ସଂଖ୍ୟା ପଚାଶ ଟପୁଛି ତାକୁ ଇଂରାଜୀ ଭଳି ଛବିଶ କରିଦେଵାକୁ ହେଵ❞ ...

କିନ୍ତୁ ଇଂରାଜୀରେ ମଧ୍ୟ ଛୋଟ ଓ ବଡ଼ ଅକ୍ଷର (small/capital, lower/upper case) ମିଶାଇଲେ ୨୬×୨= ୫୨ ହୁଏ ! ଗଣିତ ଓ ଵିଜ୍ଞାନ ଶାସ୍ତ୍ରାଦି ଲେଖିବାକୁ ଇଂରାଜୀ ଅକ୍ଷର ନିଅଣ୍ଟ ପଡ଼େ ବୋଲି ଗ୍ରୀକ ଅକ୍ଷର ଯଥା→ ଆଲ୍ଫା (alpha-α),ବିଟା (Beta~β),
ଗାମା(Gamma-Γ,γ)
ଇତ୍ୟାଦି ଆହୁରି ଅନେକ ବର୍ଣ୍ଣ
ଆଵଶ୍ୟକ ପଡ଼େ । ଅର୍ଥାତ୍ ଇଂରାଜୀ ଅକ୍ଷର ବଢ଼େଇ ଲିପିକୁ ଵୈଜ୍ଞାନିକୀକରଣ କରିବା ବେଳେ ଆମ ଭୁଷପଣ୍ଡିତେ ସେଥିକୁ ନିଘା ନଦେଇ ଓଡ଼ିଆ ଅକ୍ଷର ମାରିବାରେ ଵ୍ୟସ୍ତ ହୋଇଗଲେ ।

ପୁଣି ଦଳେ ବାହାରିପଡି଼ଲେ କହିଲେ ❝ଇଂରାଜୀରେ ତ ଗୋଟିଏ S , ଆମର କାହିଁକି ତିନୋଟି ? ଚାଲ ତିନୋଟି ସ/ଶ/ଷ କୁ ମିଶାଇ ଗୋଟିଏ କରିଦେଵା❞

କିନ୍ତୁ ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ । ଇଂରାଜୀରେ ତ କେବେ ସବୁ ମିଶାଇ କେଵଳ ଗୋଟିଏ ‘S’ କରିବାକୁ ଚାହିଁନାହାନ୍ତି  । ଆମେ କାହିଁକି ଶ,ଷ,ସ କୁ କେଵଳ ସ କରିଦେଇ ଆମ ଭାଷାକୁ ଓ ତାହାର ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ତତ୍ପର ?

ଇଂରାଜୀରେ ❝a, e, i, o, u❞ କୁ ଦେଖି ସେମାନେ ପୁଣି ମତ ଦେଲେ ❝ଵିଶ୍ଵଭାଷା ଇଂରାଜୀକୁ ଦେଖ ହୋ ସେଥିରେ ମାତ୍ର ପାଞ୍ଚଟି ସ୍ଵର ତେଣୁ ସେ ଭାଷା ସରଳ ଏବେ ଆମକୁ ମଧ୍ୟ ସ୍ୱରଵର୍ଣ୍ଣରେ ଥିବା ହ୍ରସ୍ୱ ଓ ଦୀର୍ଘ (ଇ,ଈ ଉ,ଊ) ଉଚ୍ଚାରଣକୁ ମିଶାଇ ଦେଵାକୁ ହେଵ ।ଅ❞

ଇଂରାଜୀରେ ସ୍ଵରତତ୍ତ୍ୱକୁ ଗଵେଷଣା କରି a, e, i, o, u ସହ ee, oo, ae, au, ou, oe, oa ଇତ୍ୟାଦି ଅନେକ ଦୀର୍ଘ ସ୍ୱର ଓ ସଂଯୁକ୍ତ ସ୍ୱର ଵ୍ୟଵହାର କରନ୍ତି କିନ୍ତୁ ଆମ ଭୁଷପଣ୍ଡିତେ ସ୍ୱରଵର୍ଣ୍ଣ ମାରିବାରେ ଵ୍ୟସ୍ତ !

ତେବେ ଓଡ଼ିଆ ଲୋକେ ଇଂରାଜୀ ଅପେକ୍ଷା ହିନ୍ଦୀ ଅନୁକରଣରେ ସବା ଆଗରେ ! ଇଂରାଜୀ ଶାସନ ଯୁଗରେ ଆମ ଓଡ଼ିଶାର କେତେଟା କଵି ଲେଖକ ବିହାର ଇତ୍ୟାଦି ହିନ୍ଦୀଭାଷୀ ଅଞ୍ଚଳ ବୁଲି ଆସି ଓଡ଼ିଶାରେ ଜ୍ଞାନ ଦେଵାକୁ ଲାଗିଲେ ଓଡ଼ିଆ ଭାଷାରୁ ଯୁକ୍ତାକ୍ଷର ହଟାଇ ଦିଅ ,ଵର୍ଣ୍ଣଦ୍ଵିତକରଣ ହଟାଇ ଦିଅ କାରଣ ହିନ୍ଦୀରେ ନାହିଁ । ସେହିପରି ଓଡ଼ିଆରେ ‛ଜ’ ଓ ‛ଯ’କୁ ମିଶାଇ ଗୋଟିଏ କରିଦେଵାକୁ ସେତେବେଳେ ଅନେକେ ଚେଷ୍ଟା କରିଥିଲେ । ହିନ୍ଦୀରେ ଗୋଟିଏ ଜ ରହିଛି ବୋଲି ଏହି ଵିଜାତୀୟ ଭୁଷପଣ୍ଡିତେ ଭାବନ୍ତି କିନ୍ତୁ ପ୍ରକୃତରେ ହିନ୍ଦୀରେ ମଧ୍ୟ ଜ ତଳେ ବିନ୍ଦୁ ଵା ନୁଖ୍ତା ଦେଇ ଏହାର ସମସ୍ୱନିମକୁ ପ୍ରକାଶ କରାଯାଏ ଯଥା :-
ग़ज़ल, फ़र्ज़, फ़िज़ा ଇତ୍ୟାଦି l ଇଂରାଜୀରେ ମଧ୍ୟ G, J, S, Z, Scz ଇତ୍ୟାଦିର ସମସ୍ୱନିମ ଭାଵରେ ଵ୍ୟଵହାର ରହିଛି l  ଓଡ଼ିଆରେ ଵର୍ଗ୍ୟ ‛ଜ’ ଓ ଅଵର୍ଗ୍ୟ ‛ଯ’ ଦୁଇଟି ସହ ‘ୟ’ ମଧ୍ୟ ଵ୍ୟଵହାର ହୁଏ ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଭିନ୍ନ ପରିଚୟ ପ୍ରଦାନ କରେ କିନ୍ତୁ ଆମ ଭୁଷପଣ୍ଡିତେ ଏ ମୌଳିକ ଓଡ଼ିଆ ଵୈଶିଷ୍ଟ୍ୟକୁ ମାରିବା ଷଡ଼ଯନ୍ତ୍ରରେ ନିମଗ୍ନ l

ବଙ୍ଗାଳୀ ଅନୁକରଣରେ ମଧ୍ୟ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ଚକ୍ରାନ୍ତ ହୋଇଥିଲା । ❝‘ବ’ ଓ ‘ଵ’ କୁ ମିଶାଇ ଓଡ଼ିଆରେ ମଧ୍ୟ ଏକ କରିଦେଵା❞ ଥିଲା ଆମ ପୂର୍ଵ ଦୁଇ ଵା ତିନି ପିଢ଼ିଙ୍କର ଦ୍ୱାରା ବଙ୍ଗାଳୀ ଲିପିର ହନୁକରଣ ।ଏ ଚକ୍ରାନ୍ତର ପ୍ରଭାଵ ଯୋଗୁଁ  ଆଜି ଅଧିକାଂଶ ଓଡ଼ିଆ   ‛ଵ’ କୁ ଅନାଵଶ୍ୟକ ମନେ କରନ୍ତି ।
ବଙ୍ଗଳାରେ ଉଭୟ ‘ବ’ ଓ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ব’ ରହିଛି l ବଙ୍ଗଳା ର ହନୁକରଣ ଯୋଗୁଁ  ଓଡ଼ିଆଙ୍କର ଇଂରାଜୀ ଓ ସଂସ୍କୃତ ଉଚ୍ଚାରଣ ଵିକୃତ ଓ ହାସ୍ୟାସ୍ପଦ ହୋଇପଡ଼ିଲା ଯଥା: ଟେଲିଵିଜନ କୁ ପଢ଼ିଲେ ଟେଲିଭିଜନ ତଥା ‘ଵୋଡ଼ା’ ଫୋନ୍ କୁ କହିଲେ ‘ଭୋଡ଼ା’ ଫୋନ୍, ‘ଭଲ’ (bhala) କୁ ଲେଖିଲେ ‘ଵଲ’ (vala) l

ଲିପିସଂହାରକମାନେ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ ଓ ଶକ୍ତିହୀନ କରିଦେଵା ପ୍ରୟାସରେ ଆଜି ବି ଚେଷ୍ଟିତ । କୌଣସି ଭାଷାକୁ ମାରିବାକୁ ହେଲେ ପ୍ରଥମେ କିଛି ଅକ୍ଷରକୁ ମାରିଦିଆଯାଏ ଼ ଲିପି ପଙ୍ଗୁ ହୋଇଗଲେ ଶବ୍ଦର ବୈଜ୍ଞାନିକତା ନଷ୍ଟ ହେବ ଆଉ ତାପରେ ଭାଷା ଆପେ ଆପେ ମରିଯିବ l ଏକଥା ଲିପିସଂହାରକମାନେ ହୃଦବୋଧ କରିନାହାନ୍ତି । ଦୁର୍ଭାଗ୍ୟର ଵିଷୟ ଓଡ଼ିଶାରେ ଆଜି ନିଜକ ଓଡ଼ିଆ ରକ୍ଷକ କହୁଥିଵା ବୁଦ୍ଧିଜୀଵୀମାନେ ହିଁ ନିଜର ଅଦୂରଦର୍ଷିତା ଯୋଗୁଁ ଲିପିସଂହାର ରୂପ ଲିପି ସଂସ୍କାରକୁ ସମର୍ଥନ କରି ଭକ୍ଷକ ସାଜିଛନ୍ତି l ଯେଉଁମାନେ ଭାଷା ପାଇଁ ବାଟ ଦେଖାଇବା କଥା, ସେମାନେ ନିଜେ ବାଟ ହୁଡ଼ି ଅବାଟରେ ଚାଲିଛନ୍ତି । ସମସ୍ୱନିମ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଵା ଲୋକ ହିଁ ଅନ୍ଧ ହୋଇଛନ୍ତି , ମାତୃଭାଷାକୁ ଟାଣି ଅନ୍ଧାରକୁ ନେଉଛନ୍ତି  l ଓଡ଼ିଶାର ବୁଦ୍ଧିଜୀଵିମାନେ ବୁଝିଵା କଥା ଯେ ପ୍ରତ୍ୟେକ ଭାଷାରେ କିଛି ଭଲ, କିଛି ଦୁର୍ଵଳତା ଥାଏ ଯାହା ସେହି ଭାଷାର ପରିଚାୟକ ଓ ଵୈଶିଷ୍ଟ୍ୟ l ଆମେ ଅନ୍ୟର ଭଲକୁ ଗ୍ରହଣ ନ କରି ଯଦି ଏମିତି କେଵଳ ଦୁର୍ବଳତାକୁ ଅନୁକରଣ କରିଚାଲିଵା ତେବେ ଆମ ଭାଷା ନିଜର ମୌଳିକତା ହରାଇଵା ସହ ଏକ ହାସ୍ୟାସ୍ପଦ ଭାଷାରେ ପରିଣତ ହେବ l

🟢🟢🟢🟢🟢🟢🟢🟢
ତଥ୍ୟ ସଂଗ୍ରହ — ଶିଶିର ସାହୁ ମନୋଜ  ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
ସମ୍ପାଦନା — ଶିଶିର ସାହୁ ମନୋଜ
🟢🟢🟢🟢🟢🟢🟢🟢

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...