Thursday, February 10, 2022

ଓଡ଼ିଶା ଓ ଅଥର୍ଵଵେଦ

   

ଆଗେ ତିନୋଟି ଵେଦ(ଋକ,ସାମ,ଯର୍ଦୁ)ହିଁ ମିଳିଥିଲା ! ଵିଶ୍ବ ଅଥର୍ଵଵେଦର ନାମ ସୁଦ୍ଧା ଜାଣିନଥିଲା ! ଜଣେ ସଂସ୍କୃତପ୍ରେମୀ ୟୁରୋପୀୟଙ୍କ ଠାରୁ ଵିଶ୍ବ ପ୍ରଥମେ ଏ ଵେଦର ପରିଚୟ ପାଇଥିଲା ଏଵଂ ଜଣେ ଭାରତୀୟ ଗଵେଷକ ତହିଁର ଶୁଦ୍ଧପାଠ ଓଡ଼ିଶାରୁ ଆଵିଷ୍କାର କରି କଳିଙ୍ଗଦେଶକୁ ଗୌରଵାନ୍ବିତ କରିଥିଲେ !

ସଂକ୍ଷେପରେ ଅଥର୍ଵଵେଦର କାହାଣୀ ଏହିପରି...

୧୮୫୪ରେ ବର୍ଲିନ୍‌ଠାରେ ୟୁରୋପର ସଂସ୍କୃତ ଵିଦ୍ୱାନ ରୁଡଲଫ୍ ରୋଥ ପ୍ରଥମେ ଅଥର୍ଵଵେଦର ଶୌନକ ସଂହିତା ପାଇ ଜଣାଇଥିଲେ !

ତେବେ ଉକ୍ତ ପାଠଟି ଅତ୍ଯନ୍ତ ଭ୍ରମାତ୍ମକ ପ୍ରମାଦପୂର୍ଣ୍ଣ ଥିଲା ଏଣୁ ରୋଥ ପ୍ରାମାଣିକ ପାଠ ଉଣ୍ଡିଵାରେ ଵ୍ରତୀ ହେଇ ଇଂରେଜ ଶାସକଙ୍କୁ ଭାରତଵର୍ଷରେ ଏହା ଡଗରେଇଵାକୁ ପ୍ରଵର୍ତ୍ତାଇଲେ ! 

ପ୍ରଵଳ ଉଦ୍ଯମ ଫଳରେ ୧୮୭୫ରେ ରୁଡଲଫ୍ ରୋଥଙ୍କୁ କାଶ୍ମୀରରୁ ଅଥର୍ଵଵେଦର ପୈପ୍ପଳାଦ ସଂହିତା ଲାଭ ହୋଇଥିଲା ।

କାଶ୍ମୀରରୁ ମିଳିଥିଵା ଏହି ଵେଦ ପାଠ ବି ପ୍ରାମାଣିକ ନଥିଲା ଏଵଂ ଏହା ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ପ୍ରାପ୍ତ ହୋଇଥିଲା ! ଫଳରେ ଗଵେଷକଙ୍କୁ ସେତେବେଳେ ଵୈଶ୍ବିକ ପଣ୍ଡିତଵର୍ଗଙ୍କ ଵ୍ୟଙ୍ଗର ଶିକାର ହେଵାକୁ ପଡ଼ିଥିଲା ।

କାଶ୍ମୀରରୁ ଅଥର୍ଵଵେଦର ଲୁପ୍ତ ଅଂଶ ଉଦ୍ଧାର ହେଲାରୁ ଲୋକ ତତ୍ ଆଧାରରେ କାଶ୍ମୀରକୁ ଭାରତୀୟ ସଂସ୍କୃତର ମୂଳ କେନ୍ଦ୍ର ଓ ଉତ୍ତର ପଶ୍ଚିମ ଭାରତକୁ ଵୈଦିକ ସଂସ୍କୃତିର ଆଦିଭୂମି ମନେକରିଥିଲେ କିନ୍ତୁ ପରେ ଗଵେଷଣାରୁ ଜଣାଗଲା ଯେ ଦକ୍ଷିଣଭାରତ ଆଡ଼ୁ ଉକ୍ତ ଵେଦ ପାଠ ଜଣେ ପଣ୍ଡିତଙ୍କ ଦ୍ବାରା କାଶ୍ମୀର ଯାଇଥିଲା ! ଏକଥା ଜଣାପଡ଼ିଲାରୁ ଦାକ୍ଷିଣାତ୍ଯର ପଣ୍ଡିତଵର୍ଗ ଆପଣା ଭୂଖଣ୍ଡକୁ ହିଁ ସଂସ୍କୃତର ମୂଳଭୂମି ଏଵଂ ସଂସ୍କୃତର ସବୁ ଶବ୍ଦ ତାମିଳରୁ ନିଆଯାଇଥିଵା ମତ ଦେଵାକୁ ଲାଗିଲେ ।

ସ୍ବାଧିନତାପରେ ୧୯୫୪ରେ ସଂସ୍କୃତ କମିସନ୍ ଗଠନ ହେଲା ଏଵଂ ସାରା ଭାରତରେ ଏମନ୍ତକି ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଅଥର୍ଵଵେଦକୁ ଅନ୍ବେଷଣ କରାଗଲା ।

୧୯୬୩ ଖ୍ରୀଷ୍ଟାବ୍ଦରେ କଲିକତା ସଂସ୍କୃତଵେଦାଧ୍ଯାପକ ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ଯଙ୍କୁ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ବଙ୍ଗ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରୁ ଅଥର୍ଵବେଦର ଅଧିକାଂଶ ସଂହିତାର ପ୍ରାମାଣିକ ପାଠ ମିଳିପାରିଥିଲା ।

ଓଡ଼ିଶାର ପଣ୍ଡିତ ଵଳଦେଵ ଵିଦ୍ଯାଭୂଷଣଙ୍କ(୧୭ଶ) ଗୋପାଳ ତାପନୀ ଉପନିଷଦ ଭାଷ୍ଯରୁ ଭଟ୍ଟାଚାର୍ଯ୍ଯ ଜାଣିପାରିଥିଲେ ଯେ ଓଡ଼ିଶାର ଏହି ପନ୍ଥୀମାନେ ଅଥର୍ଵଵୈଦର ପୈପ୍ପଳାଦ ସଂପ୍ରଦାୟ ଭୁକ୍ତ ଅଟନ୍ତି ।

ପଣ୍ଡିତ ଭଟ୍ଟାଚାର୍ଯ୍ଯ ତେଣୁ ମୟୁରଭଞ୍ଜ ଓ ଏହାର ଉପାନ୍ତ ଅଞ୍ଚଳରେ ବହୁ ପୈପ୍ପଳାଦୀମାନଙ୍କୁ ଭେଟି ତାଙ୍କଠାରୁ ଓଡ଼ିଆଲିପିରେ ଅଥର୍ଵଵେଦର ଅଧିକାଂଶ ସଂହିତାର ଶୁଦ୍ଧ ଓ ପ୍ରାମାଣିକ ପାଠ ପାଇଥିଲେ ।

ଆଜିଯାଏଁ ଅଥର୍ବବେଦର ନଅଟି ଶାଖା ମିଳିଛି ଯଥା-ଗୌଡ଼,ମୌଡ଼,ଜାଳଜ,ଜଳଦ,ବ୍ରହ୍ମଵାଦ,ଚରଣବୈଦ୍ଯ,ପୈପ୍ପଳାଦ ଓ ଶୌନକ ।

ତେବେ ଭାରତୀୟ ପଣ୍ଡିତଙ୍କ ଅନୁସାରେ ଅଥର୍ଵଵେଦର ସଂଖ୍ଯା ଏହାର ପାଞ୍ଚ ଵା ଦଶଗୁଣ ଅଧିକ ଅଟେ ! କାରଣ ସ୍କନ୍ଦପୁରାଣରେ(ନାଗର ଖଣ୍ଡ,୧୭୪ତମ ଅଧ୍ଯାୟ)ରେ ଅଥର୍ଵଵେଦର ଶହେଟି ଶାଖା ଥିଵା ଉଲ୍ଲେଖ ଥିଲା ବେଳେ ମୁକ୍ତି କୋପନିଷଦର ୧୧୩ତମ ଅଧ୍ଯାୟରେ ଏହାର ମୁଖ୍ଯ ସଂଖ୍ଯା ପଚାଶ ବୋଲି କୁହାଯାଇଛି ।

(ସଚ୍ଚି ରାଉତରାୟଙ୍କ “ଓଡ଼ିଶାରେ ଅଥର୍ଵଵେଦ” ପ୍ରବନ୍ଧରୁ ପ୍ରୋକ୍ତ ତଥ୍ଯ ସଂଗୃହୀତ)

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...