ଦେଶ କାହାକୁ କୁହାଯାଏ ଜାଣିଵାକୁ ହେଲେ ପ୍ରଥମେ ଦେଶ ଶବ୍ଦକୁ ଜାଣିଵାକୁ ହେଵ ।
କଳ୍ପଦ୍ରୁମ ସଂସ୍କୃତ ଅଭିଧାନ ଅନୁସାରେ...
“ଦିଶ୍ଯତେ ନିର୍ଦ୍ଦିଶ୍ଯତେ ଇତି ।
ଦିଶ ନିର୍ଦ୍ଦେଶେ + କର୍ମ୍ମଣି ଘଞ୍ = ଦେଶ”
ଦେଶ ଶବ୍ଦକୁ ଦିଶ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ।ଦିଶ୍ ଧାତୁରୁ ଦାନ କରିବା,ଦେଵା,ଦେଖାଇଵା,ପ୍ରଦର୍ଶନ କରିଵା,କହିଵା,ବୁଝେଇଵା, ବୋଧଗମ୍ୟ କରାଇଵା,ପଠାଇଵା,ନିର୍ଦ୍ଦେଶ ଦେଵା ଓ ଆଜ୍ଞା କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।
ମନୁଷ୍ୟମାନେ ଜାତି,ଭାଷା ,ଧର୍ମ ଓ ସଂସ୍କୃତି ଆଧାରରେ ଅଧୁନା ପୃଥିଵୀରେ ୧୯୫ଟି ଦେଶ ଗଢ଼ିଛନ୍ତି ଵା କଳ୍ପନା କରିଛନ୍ତି ।
ଦିଶ୍ ଧାତୁର ନାନା ଅର୍ଥ ଘେନି ଦେଶ ଶବ୍ଦକୁ ଵିଚାର କରାଯାଇପାରେ । ପ୍ରାଚୀନ କାଳରେ ରାଜାମାନେ ଦେଶମାନଙ୍କରେ ଶାସନ କରୁଥିଲେ ଏଵଂ ସେମାନେ କୃଷି ଆଦି ସାମାଜିକକାର୍ଯ୍ୟ ହେତୁକ ପ୍ରଜାମାନଙ୍କୁ ଭୂମିଦାନ କରୁଥିଲେ । ଏକ ଅଞ୍ଚଳର ପ୍ରଜା ଓ ରାଜା ନିଜ ଭୂମିକୁ ଅନ୍ୟ ମାନଵଜାତିଠାରୁ ରକ୍ଷା କରିଵା ପାଇଁ ନିଜର ପରାକ୍ରମ ପ୍ରଦର୍ଶନ କରୁଥିଲେ । ନିଜ ଦେଶ ଅନ୍ୟ ଦେଶଠାରୁ କେଉଁ କେଉଁ କଥାରେ ଭିନ୍ନ ଓ ସ୍ଵତନ୍ତ୍ର ତାହା ସାହିତ୍ୟ,ଵୀରତ୍ଵ ଆଦି ଦ୍ଵାରା ପ୍ରମାଣିତ କରି ଦେଖାଇଵାକୁ ହୋଇଥାଏ । ସେହିପରି ଆଗେ ଗୋଟିଏ ଦେଶ ଏକ ଏକ ରାଜାଙ୍କ ଆଜ୍ଞା ଵା ନିର୍ଦ୍ଦେଶରେ ପରିଚାଳିତ ହୋଇଥିଲା ଏଵଂ ଏବେ ସମ୍ବିଧାନର ଆଇନର ଆଦେଶ ବଳରେ ପରିଚାଳିତ ହେଉଅଛି । ଆଗେ ଏକ ଜାତୀୟ ଵା ଏକଭାଷା ଵ୍ୟଵହାରକାରୀ ଵ୍ୟକ୍ତିମାନଙ୍କର ନିର୍ଦ୍ଦିଷ୍ଟ ବାସସ୍ଥାନକୁ ଦେଶ ଅଭିହିତ କରାଯାଉଥିଲା । ସେହି ହେତୁରୁ ଉଡ୍ରଦେଶ ଓ କଳିଙ୍ଗ ଦେଶ ଆଦି ଶବ୍ଦର ଵ୍ୟଵହାର ରହିଛି ।
ଭାରତରେ ପୂର୍ଵେ ମଧ୍ୟ ନାନାଜାତୀୟ ପ୍ରାକୃତ ଓ ଜନଜାତୀୟ ଭାଷାର ପ୍ରଚଳନ ଥିଲା କିନ୍ତୁ ସେସବୁ ଭାଷାଗୁଡି଼କର ପ୍ରତିନିଧିତ୍ଵ ପୃଥିଵୀର ଶେଷ୍ଠ ଭାଷା ସଂସ୍କୃତ କରୁଥିଲା । ସଂସ୍କୃତ ଥିଲା ଭାରତର ରାଷ୍ଟ୍ରଭାଷା ଓ ରାଜଭାଷା ଏଵଂ ଏବେ ମଧ୍ୟ ଭାରତର ପ୍ରାୟ ସବୁ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ରହିଛି । ଭାରତର ସବୁ ସନାତନୀ ସଂସ୍କୃତ ଭାଷାର ଶବ୍ଦଦ୍ଵାରା ନିଜର ନାମ ରଖିଥାନ୍ତି। ଉଦାହରଣ ସ୍ୱରୂପ ଵିନୋଦ,ମନୋଜ,ଶିଶିର,ଦେଵାଶିଷ ଇତ୍ୟାଦି । ଏ ଦୃଷ୍ଟିରୁ ସଂସ୍କୃତକୁ ଭାରତର ସ୍ଵାଭାଵିକ ରାଷ୍ଟ୍ରଭାଷା ଅଭିହିତ କରାଯାଇପାରେ । ପୁନଶ୍ଚ ଭାରତର ମୂଳ ସଂସ୍କୃତି ସନାତନ ସଂସ୍କୃତି ତଥା ମୂଳ ଧର୍ମ ସନାତନ ଧର୍ମ ଅଟଇ । ଭାରତର ସବୁ ଅଧିଵାସୀ ଏକଜାତି ବୋଲି ମଧ୍ୟ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡି଼ଛି ଏଵଂ ଶେଷଥର ଭାରତୀୟଙ୍କ ଡିଏନଏ ପ୍ରାୟ ୫୦୦୦୦ରୁ ୬୦୦୦୦ ଵର୍ଷ ତଳେ ପରିଵର୍ତ୍ତିତ ହୋଇଥିଵା ଜଣାଯାଇଛି । ତେଣୁ ସନାତନ ସଂସ୍କୃତି,ସନାତନ ଧର୍ମ ତଥା ସଂସ୍କୃତ ଭାଷାର ପ୍ରାଚୀନ ରାଷ୍ଟ୍ରଭାଷା ରୂପେ ପ୍ରଚଳନ ଇତ୍ୟାଦିକୁ ଦୃଷ୍ଟିରେ ରଖି ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଭାରତ ଏକ ଦେଶ ଥିଲା ଓ ଏବେ ମଧ୍ୟ ଅଛି ।
ତେବେ ଦେଶର ଅର୍ଥ କେଵଳ ପୃଥିଵୀର ଏକ ଅଞ୍ଚଳ ଵିଶେଷ ଵା ଭୂମିଖଣ୍ଡ ନୁହେଁ ଵରଂ କାଳାନ୍ତରରେ ଏ ଶବ୍ଦର ଅନ୍ୟାନ୍ୟ ଅନେକ ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଇଛି ।
ଦେଶ ଶବ୍ଦର ସାଧାରଣ ଓ ବହୁ ପ୍ରଚଳିତ ଅର୍ଥ ହେଉଛି “ମହାଦେଶର ଅଂଶ” ତେବେ ଜନ୍ମସ୍ଥାନ ଵା ମାତୃଭୂମି,ଦିଗ(ଯଥା—ଉତ୍ତର ଦେଶ),ଅଵୟଵ(ଯଥା—ପୃଷ୍ଠଦେଶ, ଗଣ୍ଡଦେଶ),କୌଣସି ପଦାର୍ଥର ଅଂଶକୁ ମଧ୍ୟ ଦେଶ ଅଭିହିତ କରାଯାଏ ।
ଦେଶ ଶବ୍ଦର ଅନ୍ୟତମ ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି ରାଷ୍ଟ୍ର । ଏହି ରାଷ୍ଟ୍ର ଶବ୍ଦଟି ଆମ ଦେଶର ଵିଭିନ୍ନ ଭାଷାରେ ରାଜ୍ଯ, ସାମ୍ରାଜ୍ଯ, ଜନପଦ, ଦେଶଓ ପ୍ରକାଶ ଵା ପ୍ରଚାର ଅର୍ଥରେ
ପ୍ରୟୋଗ କରାଯାଏ ।
ରାଷ୍ଟ୍ର ଶବ୍ଦକୁ ରାଜ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ରାଜ୍ ଧାତୁରୁ ଶୋଭାପାଇଵା,ଵଶ କରିବା,କାବୁ କରିଵା ଓ ସଜାଇଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।
ତାହେଲେ ରାଷ୍ଟ୍ର କାହାକୁ କୁହାଯିଵ ?
ଯେଉଁ ଦେଶରେ ରାଜା ଵା ଶାସକ ଶୋଭା ପାଆନ୍ତି ଏଵଂ ଶାସନତନ୍ତ୍ର ତଥା ଆଇନ ବଳରେ ପ୍ରଜାମାନଙ୍କୁ ଵଶ ଵା କାବୁ କରି ରଖିଥାନ୍ତି ଓ ଦେଶରେ ନାନାଵିଧ ଉନ୍ନତି ସାଧନ କରି ତାକୁ ସଜାଇଥାନ୍ତି ତାକୁ ହିଁ ରାଷ୍ଟ୍ର କୁହାଯାଏ ।
No comments:
Post a Comment