Wednesday, September 15, 2021

ଯାହାର ଆମ୍ଭେ ମାମୁ (ଶରଦ ଯୋଶୀ)


ଜନୈକ ସଜ୍ଜନ ବନାରସରେ ପହଞ୍ଚିଲେ। ଷ୍ଟେସନରେ ଉହ୍ଲାଉଥାଆନ୍ତି ଏତିକିବେଳେ ଜଣେ ଯୁଵକ ତାଙ୍କ ଆଡ଼କୁ ଦୌଡ଼ି ଅଇଲା । 

'ମାମୁ ! ମାମୁ !' - ଟୋକାଟା ତାଙ୍କର ପାଦ ଛୁଇଁ ଯୁହାର ହେଲା ।  

ସଜ୍ଜନ ଜଣକ ତାକୁ ଚିହ୍ନି ନଥିଲେ । 
କହିଲେ - “ତୁମ୍ଭେ କିଏ ?”

“ମୁଁ ମୁନ୍ନା। ଆପଣ ମୋତେ ଚିହ୍ନିପାରୁନାହାନ୍ତି କି ?” 

'ମୁନ୍ନା?' ସେ ଭାଵିଵାକୁ ଲାଗିଲେ ।

'ହଁ , ମୁନ୍ନା। ମାମୁ ଆପଣ ମୋତେ ପୁରା ଭୂଲିଗଲେଣି ! , ହଁ ଵା , ଏତେ ଵର୍ଷ ହେଇଗଲାଣି ନା ଆଉ କ'ଣ ମୋ କଥା ମନେ ଥିଵ ।'

'ଆଉ ବାବୁ ତୁମ୍ଭର ସବୁ କୁଶଳ ମଙ୍ଗଳ ତ ?'

'ଆଜ୍ଞା ଭଲ ! ମୁଁ ଆଜିକାଲି ଏଇଠି ରହୁଛି।'

'ଆଚ୍ଛା।'

'ହଁ ଆଜ୍ଞା।'

ମାମୁ ନିଜ ଭଣଜା ସହିତ ବନାରସ ବୁଲିଵାକୁ ଲାଗିଲେ । ଯାହା ହେଉ, କେହି ତ ଜଣେ ସାଥିରେ ଅଛି ।‌ କେବେ ଏ ମନ୍ଦିର, କେବେ ସେ ମନ୍ଦିର ଏମିତି କେତେ ଆଡ଼େ ବୁଲି ଅଇଲେ । 

ତହୁଁ ଆସି ପହଁଚିଲେ ଗଙ୍ଗାଘାଟ ପାଖରେ । 

“ଭାବୁଛି , ସ୍ନାହାନ କରିନେଵା ଉଚିତ୍ ହେଵ ।

'ମୁନ୍ନା’, ଗାଧୋଇ ପଡି଼ଵା ?”

'ନିଶ୍ଚୟ ମାମୁ ! ବନାରସ ଆସିଛନ୍ତି ଯେତେବେଳେ ସ୍ନାନ କରିଵେନି , ଏହା କେମିତି ସମ୍ଭଵ ?'

ମାମୁ ଗଙ୍ଗାନଦୀରେ ବୁଡି଼ “ହର ହର ଗଙ୍ଗେ ହର ହର ଗଙ୍ଗେ” ଉଚ୍ଚାରୁ ଥାଆନ୍ତି । 

ନଦୀରୁ ବାହରକୁ ବାହାରି ଦେଖନ୍ତି ତ ତାଙ୍କର ସବୁ ଦରଵ 
କୁଆଡ଼େ ଚାଲିଯାଇଛି । କପଡ଼ା ନାହିଁ ! ସେ ଟୋକା... ମୁନ୍ନା ବି ନାହିଁ !

'ମୁନ୍ନା... ଏ ମୁନ୍ନା!'

କିନ୍ତୁ ମୁନ୍ନା ସେଠାରେ ଥିଲେ ତ ଶୁଣିଵ । ସେ ତ ତଉଲିଆ ଖଣ୍ଡେ ଗୁଡେ଼ଇ ଘାଟ ଉପରଟାରେ ଠିଆ ହୋଇଛନ୍ତି । 

' ଭାଈ , ଆପଣ ମୁନ୍ନାକୁ ଦେଖିଛନ୍ତି ?'

'କିଏ ମୁନ୍ନା?'

'ସେହି ମ ଯାହାର ଆମ୍ଭେ ମାମୁଁ ।'

' ବୁଝିପାରିଲିନି ଆଜ୍ଞା।'

'ଆରେ, ଯାହାର ଆମ୍ଭେ ମାମୁଁ ସେହି ମୁନ୍ନା।'

ସେ ତଉଲିଆଟି ପିନ୍ଧି ଥାଆନ୍ତି ଆଉ ଇଆଡ଼େ ସିଆଡେ଼ ଦୌଡୁ଼ଥାନ୍ତି । ମୁନ୍ନା ମିଳିଲାନି ।

ଭାରତୀୟ ନାଗରିକ ଓ ଭାରତୀୟ ଵୋଟର ଭାବେ ଆମର ବି ଏଇ ପରିସ୍ଥିତି ହେ ବୁନ୍ଧୁଗଣ ! ନିର୍ଵାଚନ ଋତୁରେ କିଏ କେତେ ଆସନ୍ତି ଆଉ ଆମ ଚରଣ ଧରିଵାକୁ ସୁଦ୍ଧା କୁଣ୍ଠାବୋଧ କରିନଥାଆନ୍ତି । ମୋତେ ଚିହ୍ନିନା ମୁଁ ପା ଏଥର ନିର୍ଵାଚନରେ ଛିଡ଼ା ହେଇଛି । ତୁମର ଭାବୀ ଏମ୍.ପି. । ମୋତେ ଚିହ୍ନିନା ? 

 ଆପଣ ପ୍ରଜାତନ୍ତ୍ରର ଗଙ୍ଗାରେ ବୁଡି଼ପଡ଼ନ୍ତି । ବାହରକୁ ବାହାରିଵାରୁ ଆପଣ ଦେଖନ୍ତି ଯେ ସେହି ଲୋକ ଯିଏ କାଲି ଆପଣଙ୍କ ଚରଣ ଛୁଇଁ ଵୋଟ୍ ଭିକ୍ଷା ମାଗିଵାକୁ ଆସିଥିଲା , ଆପଣଙ୍କ ଵୋଟ୍ ନେଇ ଉଭାନ ହୋଇ ସାରିଛି । ଵୋଟ୍‌ର ସମ୍ପୂର୍ଣ୍ଣ ପେଟିଟିକୁ ନେଇକରି ପଳାଇଯାଇଛି । 

ସମସ୍ଯାର ଘାଟ ଉପରେ ଆମ୍ଭେମାନେ ତଉଲିଆ ଗୁଡେ଼ଇ ଠିଆ ହୋଇଛନ୍ତି । ସମସ୍ତଙ୍କୁ ପଚାରୁଛନ୍ତି - ଆଜ୍ଞା ! ସେ ଲୋକଟିକୁ ଆପଣ ଦେଖିଛନ୍ତି କି ? ଆରେ ସେହି ମ ଯାହାର ଆମେ ଵୋଟର ,ଯାହାର ଆମ୍ଭେ ମାମୁ । ଆରେ ସେହି, ଯିଏ ଏଇଥର ନିର୍ଵାଚନ ସମୟରେ ମାମୁ ମଉସା ଡାକି ଵୋଟ ମାଗିଵାକୁ ଆସିଥିଲା ! ପାଞ୍ଚଵର୍ଷ ଏହିପରି ତଉଲିଆ ପିନ୍ଧି ଘାଟ ଉପରେ ଠିଆ ହୋଇ ହୋଇ ଵିତିଯାଇଥାଏ ।  

(ମୂଳ ରଚନା — ହିନ୍ଦୀ ଵ୍ୟଙ୍ଗକାର “शरद जोशी”ଙ୍କର “जिसके हम मामा हें”ର ଓଡ଼ିଆ ଭାଵାନୁଵାଦ ! )

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...