Tuesday, September 14, 2021

ଉପଯୁକ୍ତ ବେଶ ପକାଇ ଆସ(ମନୋଜ ଦାସ)




ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି । ରାଜ୍ୟ ପରେ ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି, ପଗଡ଼ି ଓ ପରିଧେୟରେ ଚାରି ଛଅ ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାଵର୍ତ୍ତନ କରୁଥିଲେ । ଡେରା ପଡ଼ିଥିଲା ଗୋଟିଏ ପର୍ଵତର ପାଦଦେଶରେ । ଦୁଇ-ରାଜ୍ୟ ମଝିରେ ଏଇଟା ଗୋଟାଏ ଜନହୀନ ପ୍ରାୟ ବଣ ମୁଲକ । ସୈନ୍ୟଵାହିନୀ ଶୋଇ ପଡ଼ିଥିଲେ । ରାଜା ତାଙ୍କ ଶିଵିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ । ହଠାତ୍ ସମ୍ମୁଖଵର୍ତ୍ତୀ ପର୍ଵତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା । ତାଙ୍କ ହୃଦୟ ଵିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା । ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅଵକାଶ ନ ଥିଲା । ଵିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ । ମନ୍ତ୍ରୀ ଅତି ସ୍ବାଭାଵିକ ଭାବରେ କହିଲେ, “ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁଁ ଶୁଣିଥିଲି କି ସେ ପର୍ଵତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି । ଶୀତ ରାତି । ସେ ନିଆଁ ଜାଳିଛନ୍ତି ।” 

—ମନ୍ତ୍ରୀ । ତୁମକୁ ସେ ଆଲୋକ କିପରି ଲାଗୁଛି ? "ରାଜାଙ୍କ ପ୍ରଶ୍ନରେ ଵିସ୍ମିତ ହୋଇ ମନ୍ତ୍ରୀ କହିଲେ, "ମଣିମା। ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେଵା କଥା, ଏହା ସେହିପରି ।” 
“ଆଚ୍ଛା, ଶୋଇଵ ଯାଅ ।" କହିଲେ ରାଜା । ସେ ବୁଝିଲେ ଯେ ଆଲୋକର ଯେଉଁ ଵିଶେଷତ୍ଵ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖିପାରୁ ନାହାନ୍ତି । ପ୍ରଭାତ ହେଲା । ରାଜା ସନ୍ନ୍ୟାସୀଙ୍କୁ ଭେଟିଵାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ । ଦୂତ ଫେରିଆସି କହିଲେ, “ ସନ୍ନ୍ୟାସୀ କହୁଛନ୍ତି କି, ତାଙ୍କୁ ଭେଟିଵାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିଵା ଦରକାର ।” “ ଅଵଶ୍ୟ ।” କହି ରାଜା ତାଙ୍କର ରତ୍ନଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ । ସେ ପର୍ଵତ ଅଧା ଚଢ଼ିଵା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ,
 “ ଗୁରୁଦେଵ ମଣିମାଙ୍କୁ ଦୂରରୁ ଦେଖିଛନ୍ତି । ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିଵା ଦରକାର ।” 

ରାଜା ନୀରଵରେ ଶିଵିରକୁ ଆସି ରତ୍ନପୋଷାକ ଉତାରି, ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, “ଵାସ୍ତଵିକ୍ ରାଜ-ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିଵାକୁ ଵାହାରିଵାଟା ବୋକାମି ଛଡ଼ା ଆଉ କ'ଣ । ” ସେ ପର୍ଵତ ଚଢ଼ିଵାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, 

“ ମହାରାଜ । ଗୁରୁଦେଵ କହୁଛନ୍ତି କି, ଆପଣ ଉପଯୁକ୍ତ ବେଶରେ ଆସନ୍ତୁ । ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି, ପୁଣି ପର୍ଵତ ଚଢ଼ିଵାକୁ ଆରମ୍ଭ କଲେ । 

“ ମହାରାଜ ! ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ । ” ତୃତୀୟ ଚେଲାଟାଏ ତାଙ୍କୁ ଆସି କହିଲା ।

 ରାଜା କାନ୍ଦ କାନ୍ଦ ଦେଖାଗଲେ । ମନ୍ତ୍ରୀ ତାଙ୍କ କାନରେ କହିଲେ, “ମହାରାଜ ! ସେ ଉଦ୍ଧତ ସାଧୁକୁ ଏହିକ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି ।”
 ରାଜା ଧୀର କଣ୍ଠରେ କହିଲେ, “ ମନ୍ତ୍ରୀ। କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତମେ ଓ ସେନାପତି ହାଜର କରିଛ । ଜଣେ ନିରସ୍ତ, ନିର୍ଵାକ୍ ସାଧୁଙ୍କୁ ଧରି ଆଣିଵାରେ ବାହାଦୁରି କ'ଣ ?”ଶିଵିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ । ଵାସ୍ତଵିକ, ଆଜିଯାଏଁ ସେ ନିଜକୁ କେଡ଼େ ପ୍ରଭାଵଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ । ଇଏ ହେଲା କ’ଣ ? ବେଶ ବୋଇଲେ ସାଧୁ କ’ଣ ବୁଝାଉଛନ୍ତି ? ଯୋଗ୍ୟତା ? ଵାସ୍ତଵିକ, ସେ କ'ଣ ଜଣେ ସାଧୁଙ୍କୁ ଭେଟିଵାକୁ ଯୋଗ୍ୟ ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ, ସେତିକି ଵିମର୍ଷ ବୋଧ କଲେ । ଅର୍ଥାତ୍ ଜୀଵନରେ ସେ ଯେତେ ଵିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟାଇ ଦେଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆଖରେ ଵିରାଟ କରି ଥାଇପାରେ, କିନ୍ତୁ ସାଧୁଙ୍କ ଆଖିରେ ସେ ଅଯୋଗ୍ୟ ! 

 
“ ପୁଅ ! ଏ ବେଶରେ ତମେ କେତେ ସୁନ୍ଦର ଦିଶୁଛ ।”

ଏ ଅପୂର୍ଵ କଣ୍ଠସ୍ଵର ରାଜାଙ୍କୁ ଚମକାଇ ଦେଲା । ସେ ଅନାଇଵା ବେଳକୁ ତାଙ୍କ ଆଗରେ ଉଭା ସ୍ଵୟଂ ସନ୍ନ୍ୟାସୀ । ରାଜା ତାଙ୍କ ପାଦରେ ଲୋଟିଗଲେ । ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ

 “ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି
  ସୁନ୍ଦର ସାଜ ଆଉ କିଛି ନାହିଁ” । 

“ମହାଭାଗ ! ମୁଁ କେଡ଼େ ମୂର୍ଖ ଥିଲି । ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରଵାନ୍ବିତ ବୋଧ କରୁଥିଲି ।” ରାଜା ମୃଦୁକଣ୍ଠରେ କହିଲେ ।

 “ହଁ ଵତ୍ସ । ସେ ଗୌରଵବୋଧ ଅଜ୍ଞାନପ୍ରସୂତ । ଆଜି ତମେ ଜ୍ଞାନର ଉଷାଲୋକରେ ଉପନୀତ ।" ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ଵାଦକରି ବୁଲିପଡ଼ି ଚାଲିଗଲେ । 
------------------------------------------------------
© ଗଳ୍ପସମ୍ରାଟ ଶ୍ରୀମନୋଜ ଦାସ
------------------------------------------------------
------------------------------------------------------
-------------------------------------------------------
ପ୍ରଥମଠାରୁ ଦ୍ଵାଦଶ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିଗୁଡି଼କ ମଧ୍ୟରେ କେଵଳ ପଞ୍ଚମ ଓ ଦ୍ଵାଦଶ ଶ୍ରେଣୀର ସାହିତ୍ୟ ବହିରେ ମନୋଜ ଦାସଙ୍କ ଦୁଇଗୋଟି ଗଳ୍ପ ସ୍ଥାନ ପାଇଛି । ମୁଁ ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ତାଙ୍କର ଏକ ପ୍ରବନ୍ଧ ସାହିତ୍ୟ ବହିରେ ଥିଲା ଯାହା ଏବେ ଆଉ ନାହିଁ । ପ୍ରୋକ୍ତ କାହାଣୀଟି ପଞ୍ଚମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ । 
------------------------------------------------------
------------------------------------------------------
-------------------------------------------------------

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...