୨.ପ୍ରାକୃତ ଵ୍ଯାକରଣ ଲକ୍ଷଣମାନ ଓଡ଼ିଆ ଭାଷାରେ ଯେତେ ପରିମାଣରେ ଅନ୍ଵିତ,ଅନ୍ଯ ଭାଷାମାନଙ୍କରେ ସମ୍ଭଵତଃ ସେତେ ନୁହେଁ ।
୩.ନାନା ଦେଶୀୟ ଭାଷାମାନଙ୍କର ସମଷ୍ଟି ପ୍ରାକୃତ ଯେପରି ଗୋଟିଏ ସ୍ଵତନ୍ତ୍ର ଭାଷା, ଓଡ଼ିଆ ମଧ୍ଯ ସେହିପରି ସ୍ଵତନ୍ତ୍ର । ଓଡ଼ିଆ ରାଜ୍ୟରେ ଏହାର ଅକ୍ଷୁଣ୍ଣ ଅଧିକାର ।
୪.ଓଡି଼ଆରେ ସାଂସ୍କୃତିକ ଶବ୍ଦ ମାନଙ୍କର ମୌଳିକ ଆକାର ଯେପରି ପ୍ରାୟ ଅକ୍ଷୁଣ୍ଣ ରହେ,ତୈଲଙ୍ଗ ପ୍ରଭୃତିରେ ସେପରି ନୁହେଁ । ଏହାର କାରଣ ପ୍ରଥମା ଏକଵଚନ ଵିଭକ୍ତି ପ୍ରତ୍ଯୟର ଅଭାଵ ଓ ସଦ୍ଭାଵ । ତୈଲଙ୍ଗ ପ୍ରଭୃତିରେ ପ୍ରଥମା ଏକଵଚନ ଵିଭକ୍ତି ଯୋଗ ହୋଇଯାଉଥିଵାରୁ ତତ୍ସମ ଶବ୍ଦର କିଞ୍ଚିତ୍ ଭିନ୍ନାକୃତି ଜଣାଯାଏ । ଓଡ଼ିଆ ଭାଷାରେ ତାହା ନଥିଵାରୁ ତତ୍ସମ ଶବ୍ଦ ଅଵିକଳ ସଂସ୍କୃତ ପରି ପ୍ରତିପନ୍ନ ହୋଇଥାଏ ।
୫.ଵିକୃତ ପ୍ରକ୍ରିୟା ଦେଶୀୟ ଭାଷାମାନଙ୍କର ପ୍ରଧାନ ହୃତପିଣ୍ଡ ସ୍ଵରୂପ। ଏସବୁ ନଜାଣି ଲୋକେ ଅନେକ ସମୟରେ ଅଶ୍ରୁତ ତଦ୍ଭଵ ଶବ୍ଦଟିଏ ଶୁଣିଲେ,ତାକୁ ଅପରିଶୁଦ୍ଧ ମନେ କରନ୍ତି । ସେମାନେ କୌଣସି ପ୍ରକାର ଯେଵେ ତା’ର ମୂଳ ଶବ୍ଦଟି ଜାଣିପାରନ୍ତି,ତେଵେ ସେହି ମୂଳ ପ୍ରକୃତିର ରୂପାନୁସାରୀ ଵା ସମାନରୂପ କରୁଣାର୍ଥ ପରିଶୋଧନ କରିଵାକୁ ଚେଷ୍ଟା କରନ୍ତି । କିନ୍ତୁ ସେପରି କରିଵା ଵିହିତ ନୁହେଁ । ସେହି ଶବ୍ଦଟି ପ୍ରାକୃତର ନିୟମିତ ବିକୃତି ପ୍ରକ୍ରିୟାରେ ସାଧୁ ଅଟେ ।
୬.ସଂସ୍କୃତ ଶବ୍ଦ ଓ ପଦର ନିଷ୍ପତ୍ତି ସକାଶେ ଯାଦୃଶ ନିୟମମାନ ପ୍ରଯୋଜ୍ଯ, ଓଡ଼ିଆ ସକାଶେ ମଧ୍ୟ ସେହିପରି । ଓଡ଼ିଆ ନିଜେ ନିର୍ନିୟମ ଭାଷା ନୁହେଁ । ଏହା ଖୁବ୍ ନିୟମବଦ୍ଧ । ନିଯମ ଵ୍ଯତିରିକ୍ତ କୌଣସି ଭାଷାରେ ଶବ୍ଦାଦି ସାଧୁ ହୋଇ ନପାରେ ।
୭.ଆମ୍ଭମାନଙ୍କ ଭାଷାରେ ଏପରି କେତେକ ଶବ୍ଦ ଅଛି, ଯାହା କି ସସ୍ଵରୂପରେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳେ । ସେପରି ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହ ଯେଉଁ ଭାଷାର ସମାଧିକ ପାର୍ଥକ୍ୟ ନାହିଁ, ତହିଁରେ ପ୍ରାୟ ସମାନ ରୂପ ଓ ତୁଲ୍ଯାର୍ଥଵାଚକ ରହେ । ତାହା ବୋଲି ସେପରି ଶବ୍ଦଗୁଡ଼ିକୁ ଓଡ଼ିଆ ନ କହିଵା ସଙ୍ଗତ ନୁହେଁ । ଯଥାର୍ଥତଃ ଓଡ଼ିଆଭାଷା ଅନେକ ଭାଷା ଅପେକ୍ଷା ପ୍ରାଚୀନା ଅଟେ ।
୮.ପ୍ରାକୃତଭାଷାର ଏକ ଅଂଶ ରୂପେ ଵା ଅଵୟଵରୂପେ ଉଡ୍ର ଵା ଉଡ୍ର ଭାଷା ବହୁକାଳରୁ ବିଦ୍ୟମାନ ଅଛି । ତାହା ଓଡ଼ିଆର ନାମାନ୍ତର ମାତ୍ର । ତାତ୍କାଳିକ ଉଡ୍ର ଵା ଓଡ଼ିଆ ଭାଷା ଯାହା, ଆଧୁନିକ ଓଡ଼ିଆ ଭାଷା (ଅବିକଳ) ତା’ ନହେଲେ ସୁଦ୍ଧା ତାହା କେଵଳ କାଳକ୍ରମେ ଏହି ରୂପରେ ପରିଣତ ଓ ପରିଵର୍ତ୍ତିତ ହୋଇଅଛି । ଅତଏଵ ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଭାଷାର ସନ୍ନିହିତ ଏଵଂ ବହୁ ପରିମାଣରେ ସଦୃଶରୂପ ବଙ୍ଗ ଭାଷାରେ ଓଡ଼ିଆର ଯେଉଁ କେତେକ ଶବ୍ଦ ଅବିକଳତଃ ଵ୍ଯଵହୃତ ହେଉଅଛି, ସେଗୁଡ଼ିକୁ ଯଥାର୍ଥତଃ ଚିହ୍ନି ଓଡ଼ିଆ ଶବ୍ଦ ବୋଲି ସ୍ଵୀକାର କରିଵା ଉଚିତ ।
୯.କୌଣସି ଦେଶୀୟ ଭାଷା ତତ୍ର ପ୍ରଚଳିତ ତତ୍ସମ ଅର୍ଥାତ୍ ଶବ୍ଦଗୁଡ଼ିକୁ ଏଵଂ ଵିଜାତୀୟ ଦେଶଜ ଶବ୍ଦଗୁଡ଼ିକୁ ନିଜର ମୂଳ ସମ୍ପତ୍ତି ବୋଲି ଦାଵି କରିନପାରେ । ସଂସ୍କୃତ ଶବ୍ଦ ସମୁଦାୟରେ ସମଗ୍ର ଦେଶୀୟ ଭାଷାମାନଙ୍କର ସମାନ ଅଧିକାର ଓ ତୁଲ୍ଯ ସମ୍ପର୍କ । ଭାଷାର ସ୍ଵୀୟ ଶବ୍ଦସମ୍ପତ୍ତି ପ୍ରଦର୍ଶନ କଲାଵେଳେ ତଦୀୟ ତଦ୍ଭଵ ଶବ୍ଦନିଚୟ ଏଵଂ ସଜାତୀୟ ଦେଶଜ ଶବ୍ଦସନ୍ଦୋହ କେଵଳ ଧାର୍ଯ୍ୟ ହେଵା ଵିହିତ ।
୧୦.ଓଡି଼ଆ ଶବ୍ଦତତ୍ଵପରିଶୀଳଞ ସଂସ୍କୃତ ଓ ପ୍ରାକୃତ—ଉଭୟ ଭାଷାରେ ଅଭିଜ୍ଞତାର ସାପେକ୍ଷ । ସେଥିପାଇଁ ସେହି ଉଭୟ ଭାଷାରେ ପାଣ୍ଡିତ୍ୟ ଦରକାର ।
୧୧.ଯଥାଯଥ ଵର୍ଣ୍ଣଵିନ୍ଯାସ ହେଲେ ଭାଷା ଶୁଦ୍ଧ ଏଵଂ ଅଯଥା ଵର୍ଣ୍ଣଵିନ୍ଯାସରେ ଭାଷା ଅଶୁଦ୍ଧ ହୁଏ । ମୁଖରେ ଏକପ୍ରକାର ଉଚ୍ଚାରଣ କରି ଅନ୍ୟ ପ୍ରକାରର ଲେଖିଵା ବଡ଼ ବାଡ଼ମ୍ଵନା । ଏହା ସର୍ଵଭାଷାଵିତ୍’ମାନଙ୍କର ମତ ।
୧୨.ଭାଷାର ମୌଳିକ ସତ୍ତା କେଵଳ ଜାତୀୟତାର ପ୍ରାଣ ।
୧୩.ଯେଉଁ ଭାଷାରେ ଦେଶଜ ଜାତୀୟ ଶବ୍ଦ ଯେତେ ଅଧିକ,ସେହି ଭାଷା ସେତେ ପରିମାଣରେ ଶକ୍ତିଶାଳିନୀ । ଏହା ଏକପ୍ରକାରେ ସମସ୍ତ ଦେଶର ଭାଷାଵିତ୍ ସମାଜରେ ସର୍ଵଵାଦିସମ୍ମତ । ଦେଶଜ ଶବ୍ଦର ବହୁଳତା ଏଵଂ ପରିପୁଷ୍ପତାରୁ ଜାତୀୟ ପ୍ରାଣର ପୂର୍ଣ୍ଣତା ଏଵଂ ବହୁମୁଖୀ ଚିନ୍ତାର ପରିଚୟ ମିଳେ ।
୧୪.ଜାତୀୟ ପ୍ରାଣର ନୈସର୍ଗିକ ଭାଵଵ୍ଯଞ୍ଜନ ଶବ୍ଦଗୁଡ଼ିକ ଲୋପ ପାଇଗଲେ ଜାତୀୟ ଶକ୍ତିର ଯେ କି ଅନିଷ୍ଟ ହୁଏ, ତାହା ସାମାନ୍ୟ ଚିନ୍ତା କଲେ ଅନାୟସରେ ଜଣାପଡ଼ିଵ ।
୧୫.ଯେଉଁ ଜାତି ସମ୍ଯକ୍ ଉଦୀୟମାନ ହେଲାପରେ ନିଜର ଭାଷା ପ୍ରତି ଓ ନୈସର୍ଗିକ ସତ୍ତାରେ ଗଠିତ ଵିଶୁଦ୍ଧ ଜାତୀୟ ଶବ୍ଦମାନଙ୍କ ପ୍ରତି ସମ୍ଯକ୍ ଆସ୍ଥା ଓ ଅଭିମାନ ରଖେ ନାହିଁ ସେହି ଜାତିର ତାଦୃଶ ଶବ୍ଦମାନ କିଛିକାଳପରେ ଵନ୍ଯ କ୍ଷୁଦ୍ର କ୍ଷୁଦ୍ର ଉଦ୍ଭିଦପ୍ରାୟ ଵିଲୁପ୍ତ ହୋଇଯାଏ ।
No comments:
Post a Comment