ଏକ ଉଚ୍ଚ ପର୍ଵତରେ ଦୈଵାତ୍ ଚକୁଆ ଓ ଗରୁଡ଼ ଦିହେଁ ଭେଟାଭେଟି ହେଇଗଲେ ।
ଗରୁଡ଼କୁ ଚକୁଆ ଦେଖିଲା କ୍ଷଣି
ଆଦରରେ କହିଲା
“ପ୍ରଣାମ ଆଜ୍ଞା ! ଜୟ ଜଗନ୍ନାଥ !
ଗରୁଡ଼ ଟି ଚକୁଆ ଆଡ଼କୁ ଥରେ ଚାହିଁଦେଇ ଵିରସ ମନରେ କହିଲା
“ହଉ ହେଲା ହେଲା !”
ଚକୁଆ ପୁଣି କହି ପକେଇଲା—
“ସବୁ ଭଲ ତ ! ଆଶା କରୁଛି,ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଭଲରେ ଥିଵେ ।”
ସେଇଠୁ ଗରୁଡ଼ କହିଲା—
“ହଁ ଆମ୍ଭେ ଭଲରେ ଅଛୁ କିନ୍ତୁ ତୁମେ ବୋଧହୁଏ ଭୁଲିଯାଉଛ ଏଠି କାହା ସହିତ କଥା ହେଉଛ । ଆମ୍ଭେ ସକଳ ପକ୍ଷୀମାନଙ୍କର ରାଜା ! ଯେତେବେଳ ଯାଏଁ ଆମ୍ଭେ କଥାଭାଷା ହେଵା ଆରମ୍ଭ କରିନାହୁଁ ସେତେବେଳ ଯାଏଁ ତୁମକୁ ଆମ ସହିତ କଥା ହେଵାର ସାହସ କରିଵା କଥା ନୁହେଁ ।”
ଏହା ଶୁଣି ଚକୁଆ ପୁଣି କହିଲା—
“ମୋ ଜାଣିଵାରେ ଆମ୍ଭେ ଦିହେଁ ଏକ କୁଟୁମ୍ବର ! ଭାଇ — ଭାଇ !
ଗରୁଡ଼ ଆଖି ଦେଖେଇ ଘୃଣାରେ ଚକୁଆକୁ ଉତ୍ତର ଦେଲା—
“ଆମେ ଏକ କୁଟୁମ୍ବର ବୋଲି ତୁମକୁ କେଉଁ ମୂର୍ଖ କହିଦେଲା ?”
ଗରୁଡ଼ କଥାରେ ଦବି ନ ଯାଇ ଚକୁଆ ପୁଣି କହିଲା
“ଆପଣଙ୍କ ଓ ମୋ ଭିତରେ ଵେଶି ପ୍ରଭେଦ ନାହିଁ । ଆପଣ ଏକ ପକ୍ଷୀ ମୁଁ ବି ପକ୍ଷୀ, ଆପଣଙ୍କ ଭଳି ମୁଁ ମଧ୍ୟ ବହୁ ଉଚ୍ଚକୁ ଉଡ଼ି ଯାଇପାରେ ଏଵଂ ନିଜର ସୁମଧୁର କଣ୍ଠରେ ଗୀତ ଗାଇ ଅନେକ ଲୋକଙ୍କର ମନୋରଞ୍ଜନ ବି କରିପାରେ କିନ୍ତୁ ଆପଣ ନିଶ୍ଚୟ କାହାକୁ ହେଲେ ସେଭଳି ସୁଖ ଦେଇ ପରିବେନି ”
ଏତିକି ଶୁଣିଵା କ୍ଷଣି ଗରୁଡ଼ ରାଗରେ କମ୍ପମାନ ହେଇ କହିଲା—
“ସୁଖ ଓ ଖୁସୀ !!! ଆରେ ଗାଲୁଆ ମେଞ୍ଚଡ଼ ଚଢ଼େଇ ! ମୋ ଥଣ୍ଟର ଏକା ଚୋଟକେ ତୋର ପ୍ରାଣଵାୟୁ ଉଡି଼ଯିଵ ଜାଣିଛୁ ? ତୁ ତ ମୋ ପାଦଟାକୁ ସରିନୁହେଁ କିଆଁ କରି ବଡ଼ ବଡ଼ କଥା କହୁଛୁ କିରେ ?”
ଚକୁଆ ଉଡ଼ିଯାଇ ଗରୁଡ଼ ପିଠିରେ ବସିପଡ଼ିଲା ଓ ତା’ ଡେଣାରେ ଥଣ୍ଡ ମାରି ମାରି ପର ଛିଡ଼େଇଵାକୁ ଲାଗିଲା । ଗରୁଡ଼ ବି ପ୍ରଚଣ୍ଡ ରାଗିଯାଇଥିଲା । ଚକୁଆକୁ ପାନେ ଦେଵାକୁ ସେ ଆକାଶରେ ବହୁ ଉଚ୍ଚକୁ ଉଡି଼ଗଲା,ଆଗ ପଛ ତଳ ଉପର ହେଇ ଅନେକ ପ୍ରକାରେ ଉଡି଼ଲା ହେଲେ ଚକୁଆ କୋଉ ଛାଡୁ଼ଛି ? ସେ ଆହୁରି ଵେଗରେ ଥଣ୍ଟ ମାରିଲା ।
ବହୁ ସମୟ ଆକାଶରେ ଉଡ଼ି ହାରିଯାଇ ଶେଷକୁ ଗରୁଡ଼ଟା ପୋଖରୀ ହୁଡ଼ାରେ ବସି ପଡ଼ିଲା । ଚକୁଆ ଏଵେ ବି ତା ଉପରେ ବସିରହିଥାଏ ।
“ଗରୁଡ଼ ମନେ ମନେ ନିଜକୁ ବହେ ସୋଦୁଥିଲା, କାହିଁକି ଏ ତୁଚ୍ଛ ଚଢ଼େଇଟା ସହିତ ଲାଗିଲି, ବଡ଼ ହୀନସ୍ଥା ହେଲାଣି !”
କଇଁଛଟେ ସେଇପଟ ଦେଇ ଯାଉଥିଲା ଯେମିତି ଚକୁଆ ଓ ଗରୁଡ଼କୁ ଦେଖି ଦେଇଛି ଆଉକି ସମ୍ଭାଳି ପାରୁଛି , ହସି ହସି ଗଡ଼ିଗଲା । ଗରୁଡ଼ଟା କଇଁଛକୁ ଦେଖି କହିଲା
“ହେଇରେ ! ମାଟିରେ ଘୋଷୁରୁଥିଵା ପୋକ,ଏତେ ହସୁଛୁ କାହିଁକି ଵେ”
ହସି ହସି କଇଁଛ ଉତ୍ତର ଦେଲା—
"କି ସୁନ୍ଦର ଦୃଶ୍ୟ ସତେ ! ଗୋଟେ ଵିଶାଳ ପକ୍ଷୀ ଉପରେ ଏ ଛୋଟିଆ ପକ୍ଷୀଟା ଏମିତି ବଇଛି ଯେମିତି ସେ ଗୋଟାଏ ଘୋଡ଼ା !!”
ଗରୁଡ଼ ଚିଡ଼ିଯାଇ କହିଲା—
“ଆରେ ଯା ଯା ତୁ ତୋ କାମ କର ! ଇଏ ମୋ ଭାଇ ଚକୁଆ ଓ ମୋର ଵ୍ଯକ୍ତିଗତ କଥା ,ଆମ ଘରର ସମସ୍ଯା ! ତୁଟା ଏଥିରେ ତୁଚ୍ଛାକୁ ମୁଣ୍ଡ କାହିଁକି ଖେଳଉଚୁରେ ?”
(ଲେଵାନୀୟ ଲେଖକ ଖଲୀଲ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଓଡ଼ିଆ ଭାଵାନୁଵାଦ)
No comments:
Post a Comment