☆☆☆ ସାଵିତ୍ରୀ☆☆☆
ଓଡି଼ଶାର ଘରେ ଘରେ ଜ୍ଯେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀର ପରଦିନକୁ ସାଵିତ୍ରୀ ଅମାଵାସ୍ୟା ଵା ସାଵିତ୍ରୀ ଵ୍ରତ ନାମରେ ସ୍ତ୍ରୀଲୋକମାନେ ପାଳିଥାନ୍ତି । ସ୍ତ୍ରୀମାନେ 'ସାବିତ୍ରୀ' ଙ୍କ ପରି ଆଜୀବନ ସଧଵା ହେଵା ପାଇଁ ଏ ବ୍ରତ କରନ୍ତି। ଏ ଦିନ ସତ୍ଯଵାନ ଓ ସାଵିତ୍ରୀଙ୍କୁ ପୂଜା କରାଯାଏ । ଆମ ଦେଶରେ ସ୍ତ୍ରୀମାନେ ଏ ଦିନ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ନରେ ପୂଜା ଶେଷ ହେଲେ ଧୂଆମୁଗ, ନାରିକେଳ, ପକ୍ବଆମ୍ର, ପଣସ, ରମ୍ଭା, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଏହି ଵ୍ରତ ଚତୁର୍ଦ୍ଦଶ ଵର୍ଷ ସାଧ୍ଯ । ଏହି ଵ୍ରତ ଗ୍ରହଣ ୧୪ ବର୍ଷ ପରେ ଏହାର ଉଦ୍ୟାପନ କରାଯାଏ। ଏ ଵ୍ରତ ରାତ୍ରରେ କର୍ତ୍ତବ୍ଯ, ଦିନଯାକ ଉପବାସ ରହି ରାତ୍ରରେ ପୂଜା କରି ସାବିତ୍ରୀ ଉପାଖ୍ଯାନ ଶୁଣି ତତ୍ପରେ ନୈବେଦ୍ଯ ଭୋଜନ କରାଯାଏ । "ଶ୍ରୀଁ, ହ୍ରୀଁ, କ୍ଲୀଁ, ସାବିତ୍ର୍ଯୈ ସ୍ବାହା" ଏହା ସାବିତ୍ରୀ ପୂଜାର ମନ୍ତ୍ର ଅଟେ ।
★★★ସାଵିତ୍ରୀ ଉପାଖ୍ୟାନ ....
ସାଵିତ୍ରୀ ମଦ୍ର ଦେଶର ରାଜା ଅଶ୍ବପତିଙ୍କର ଏକମାତ୍ର ଦୁହିତା ଓ ପିତାମାତାଙ୍କର ଅତ୍ଯନ୍ତ ସ୍ନେହାସ୍ପଦ ଥିଲେ । ଯୁବତୀ ହେବା ପରେ ଏହାଙ୍କ ପାଇଁ ଉପଯୁକ୍ତ ଵର ନ ମିଳିବାରୁ ଏ ପିତା— ମାତାଙ୍କ ଅନୁମତିକ୍ରମେ ଅମାତ୍ଯଗଣ ସମଭିଵ୍ୟାହାରରେ ଗୋଟିଏ ଅନୁରୂପ ବର ଖୋଜିବାକୁ ବାହାରି ବହୁ ଦେଶ ବୁଲି ବୁଲି ଶେଷରେ ଗୋଟିଏ ତପୋଵନରେ ପହଞ୍ଚିଲେ । ସେଠାରେ ସ୍ବରାଜ୍ଯରୁ ନିର୍ଵାସିତ ଶାଲ୍ବ ଦେଶର ରାଜା ଦ୍ଯୁମତ୍ ସେନ୍ ଓ ତାଙ୍କ ରାଣୀଙ୍କ ସହ ଵାସ କରୁଥିଵା ରାଜପୁତ୍ର ସତ୍ଯଵାନଙ୍କ ଉପରେ ରାଜକନ୍ୟା ସାଵିତ୍ରୀଙ୍କ ଦୃଷ୍ଟି ପଡ଼ିଲା । ଶାଲ୍ବଦେଶର ରାଜା ଦ୍ଯୁମତ୍ସେନଙ୍କ ଔରସରେ ତତ୍ପତ୍ନୀ ଶୈବ୍ଯାଙ୍କ ଗର୍ଭରୁ ସତ୍ୟଵାନ ଜନ୍ମଗ୍ରହଣ କରିଥିଲେ । ଦୈଵଦୁର୍ଵିପାକରୁ ସତ୍ଯଵାନଙ୍କ ଶୈଶଵାଵସ୍ଥାରେ ଦ୍ଯୁମତ୍ସେନ ଅନ୍ଧ ହୋଇଗଲେ ଓ ଭ୍ରଷ୍ଟରାଜ୍ଯ ହୋଇ ପତ୍ନୀ ଓ ପୁତ୍ରଙ୍କ ସହିତ ଵନଵାସୀ ହୋଇଥାନ୍ତି । ସତ୍ଯଵାନ୍ ଵନରେ ଫଳମୂଳ ଖାଇ ମୁନିବୃତ୍ତି ଅଵଲମ୍ବନ କରି ଭକ୍ତିସହକାରେ ପିତାମାତାଙ୍କର ସେଵା କରୁଥାଆନ୍ତି । ସତ୍ଯଵାନଙ୍କର ଅସୀମ ପିତୃଭକ୍ତି ଓ ଧର୍ମପରାୟଣତା ଓ ରୂପରେ ମୁଗ୍ଧା ହୋଇ ଐଶ୍ବର୍ଯ୍ୟ ଭୋଗଲାଳସା ତ୍ଯାଗ କରି ଏହାଙ୍କ ସଙ୍ଗରେ ଵନରେ ମୁନିବୃତ୍ତି ଓ ଦାରିଦ୍ର୍ଯକୁ ଚିରସହଚର କରି ଜୀବନଯାପନ କରିବା ପାଇଁ ସଂକଳ୍ପ କରି ଏହାଙ୍କୁ ପତିରୂପେ ମନରେ ବରଣ କରି ରାଜଧାନୀକୁ ଫେରି ଆସି ପିତାଙ୍କୁ ସମସ୍ତ କଥା ଜଣାଇଲେ । ଏହି ସମୟରେ ଦେଵର୍ଷି ନାରଦ ଅଶ୍ବପତିଙ୍କ ନିକଟରେ ଉପସ୍ଥିତ ହୋଇ ଏ ଵିଵାହରେ ମତ ନ ଦେବା ପାଇଁ ଅଶ୍ବପତିଙ୍କୁ ଅନୁରୋଧ କଲେ । କାରଣ, ନାରଦ ତପୋଵଳରେ ଜାଣିପାରିଲେ ଯେ, ସତ୍ଯଵାନଙ୍କ ପରମାୟୁ ଆଉ ଏକ ବର୍ଷ ମାତ୍ର ଅଛି । ମାତ୍ର ସାବିତ୍ରୀ ଏ ପ୍ରସ୍ତାଵରେ କର୍ଣ୍ଣପାତ ନ କରି କହିଲେ—“ମୁଁ ଯାହାଙ୍କୁ ପତିରୂପେ ବରଣ କରିସାରିଛି, ସେହି ମୋର ପତି, ଓ ତାଙ୍କ ଛଡ଼ା ଅନ୍ଯ କେହି ମୋର ସ୍ବାମୀ ହୋଇ ନ ପାରନ୍ତି । ଶେଷରେ ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତିକ୍ରମେ ଏ ଦୁହିଁଙ୍କର ଵିଵାହ କାର୍ଯ୍ୟ ସମ୍ପନ୍ନ ହେଲା ।
ଵିଵାହ ପରେ ସାଵିତ୍ରୀ ପିତୃଗୃହର ରାଜ ସମ୍ଫଦ, ଵିଳାସ ଓ ଦାସଦାସୀଵର୍ଗଙ୍କୁ ତ୍ଯାଗ କରି ସ୍ବାମୀଙ୍କ ସହିତ ତପୋଵନରେ କୁଟୀରରେ ଏକା ରହି ଶାଶୁ ଓ ଶ୍ବଶୁରଙ୍କ ସେଵାରେ ଲାଗିଲେ । ବିବାହର ଏକ ବର୍ଷ ପୂରିବାକୁ 3 ଦିନ ବାକି ଅଛି ସାବିତ୍ରୀ ତ୍ରିରାତ୍ର—ଵ୍ରତ ଅଵଲମ୍ବନ କଲେ ।
ତଦନନ୍ତର ଯେଉଁ ଦିନ ଏକ ଵର୍ଷ ପୂର୍ଣ୍ଣ ହେଵ ଓ ସତ୍ଯଵାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ଯଵାନ ଫଳ ମୂଳ ଓ ସମିଧ ଆହରଣ କରିବାକୁ ଵନକୁ ଯିଵାବେଳେ ସାଵିତ୍ରୀ ତାଙ୍କ ସଙ୍ଗରେ ଗଲେ । ସତ୍ଯଵାନ ଫଳ ଆହରଣ କରିବା ସମୟରେ ଗୋଟାଏ ଗଛର ଡ଼ାଳ ତାଙ୍କ ମୁଣ୍ଡରେ ବାଜିଲା ଓ ସେ ଅଶାନ୍ତି ବୋଧ କରିବାରୁ ଵନ ମଧ୍ଯରେ ଗୋଟିଏ ଵୃକ୍ଷ ମୂଳେ ସାଵିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ଯୁ) ହେଲା । କିନ୍ତୁ ସାବିତ୍ରୀ ମୃତ ସ୍ବାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହି ଗଛ ମୂଳରେ ବସି ରହିଲେ । ଏହି ସମୟରେ ଯମଦୂତମାନେ ସତ୍ଯଵାନଙ୍କ ଆତ୍ମାକୁ ନେବାକୁ ସେଠାକୁ ଆସିଲେ; ମାତ୍ର ସାଵିତ୍ରୀଙ୍କ ପରି ସାଧ୍ବୀଙ୍କ ଅଙ୍ଗକୁ ସ୍ପର୍ଶ କରି ତାଙ୍କ କୋଳରୁ ମୃତ ପତିଙ୍କୁ ଛଡ଼ାଇ ନେବାକୁ ସାହସ କଲେ ନାହିଁ। ଯମଦୂତମାନେ ମୃତ ଆତ୍ମାକୁ ନ ନେଇ ଫେରି ଗଲେ ଏଵଂ ଯମରାଜଙ୍କୁ ସଂଵାଦ ଦେଲେ। ଶେଷକୁ ଯମରାଜ ନିଜେ ଉପସ୍ଥିତ ହେଲେ। ସାଵିତ୍ରୀ ସେହିପରି ମୃତ ସ୍ବାମୀଙ୍କ ମସ୍ତକକୁ କୋଳରେ ଧରି ଅଚଳା ଅଟଳା ହୋଇ ବସି ଥାଆନ୍ତି। ଯମଙ୍କୁ ଦେଖି ସାଵିତ୍ରୀ ତାଙ୍କୁ ସ୍ତଵ କରିବାରେ ଲାଗିଲେ । ଯମ ସ୍ତଵରେ ସନ୍ତୁଷ୍ଟ ହୋଇ ସତ୍ଯଵାନଙ୍କ ଜୀବନ ଛଡ଼ା ଅନ୍ଯ ଯେ କୌଣସି ଵର ମାଗିବା ପାଇଁ ସାଵିତ୍ରୀଙ୍କୁ କହିଲେ । ବୁଦ୍ଧିମତୀ ସାଵିତ୍ରୀ ଶତ ପୁତ୍ର ପାଇଵା ପାଇଁ ପ୍ରାର୍ଥନା କଲେ। ଯମରାଜ ଏ ଵରର ଭେଦ ହଟାତ୍ ବୁଝିନପାରି ସେଥିରେ 'ହଁ' ଭରିସାରି ସତ୍ଯଵାନଙ୍କୁ ଛାଡ଼ିଦେଵା ହେତୁରୁ ସାବିତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତେ
ସାବିତ୍ରୀ କହିଲେ ―
“ହେ ଯମରାଜ ! ମୁଁ ସତୀ; ଆପଣ ମୋ ସ୍ବାମୀଙ୍କୁ ନେଇଗଲେ ମୁଁ କିପରି ଶତପୁତ୍ର ପାଇବି?”
ଏହା ଶୁଣି ଅଗତ୍ଯା ଯମରାଜା ,ସତ୍ଯଵାନଙ୍କୁ ପୁନଃ ଜୀବିତ କରିଵା ସହ ତାଙ୍କ ପିତାଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ଯ ପୁନଃପ୍ରାପ୍ତ ହେଵାର ଆଶିର୍ଵାଦ ପ୍ରଦାନ କରି ସ୍ଵଧାମ ବାହୁଡି଼ ଗଲେ । ସାବିତ୍ରୀ ସତ୍ଯବାନଙ୍କ ସହିତ ସୁଖରେ ବାସ କରି ଅପତ୍ଯାଦି ଲାଭ କରି ବହୁ ବର୍ଷ ସୁଖରେ କଟାଇ ପ୍ରାଣତ୍ଯାଗ କଲେ।
ସାବିତ୍ରୀଙ୍କ ସତୀତ୍ବ ପୃଥିବୀର ଆଦର୍ଶ ହୋଇ ରହି ଅଛି । ସାବିତ୍ରୀ ସାଧ୍ବୀ ନାରୀଙ୍କର ଆଦର୍ଶ; ତେଣୁ ଅଦ୍ଯାବଧି ମଧ୍ୟ ଏ ଦେଶର ଵିଶେଷତଃ ଓଡ଼ିଶାର ଅନେକ ସଧଵା ସ୍ତ୍ରୀମାନେ ସାଵିତ୍ରୀଙ୍କ ପରି ସାଧ୍ବୀ ହେଵେ ବୋଲି ସାଵିତ୍ରୀ ଅମାବାସ୍ଯା ଦିନ ନିରାହାର ରହି ସାଵିତ୍ରୀ ଵ୍ରତ ପାଳନ କରିଥାନ୍ତି। ଏ ଦିନ କାଚ ଓ ସିନ୍ଦୂର ଆଦି ଦ୍ରଵ୍ୟର ମହତ୍ତ୍ଵ ଅଧିକ ରହିଥିଵା ହେତୁରୁ ଗଞ୍ଜାମରେ ସାଵିତ୍ରୀ ଅମାଵାସ୍ୟାକୁ ‛କାଚ ଅମାଵାସ୍ୟା’ ମଧ୍ୟ କୁହାଯାଏ । ଓଡ଼ିଶାରେ ସାଵିତ୍ରୀ ଵ୍ରତ ପାଳନ ପରି ଗୁଜରାଟର ମହିଳାମାନେ ଵଟସାଵିତ୍ରୀ ଵ୍ରତ ରଖିଥାନ୍ତି ।
ତେବେ ସାଵିତ୍ରୀ ଶବ୍ଦର ଅର୍ଥ କଣ କେଵଳ ସାଵିତ୍ରୀ ଉପାଖ୍ୟାନର ସତୀ ସାଧ୍ଵୀ ସାଵିତ୍ରୀ ଙ୍କ ନାମ ଵିଶେଷ ଅଟେ କି ?
ଏକ ଵ୍ୟକ୍ତିଵାଚକ ଶବ୍ଦ ଭାଵରେ ସାଵିତ୍ରୀ ଶବ୍ଦ ବହୁଲୋକପ୍ରିୟ ଓ ପୁରାଣ ପ୍ରସିଦ୍ଧ ଅଟେ ।
ପୁରାଣରେ ଅନେକ ସାଵିତ୍ରୀଙ୍କ ନାମୋଲ୍ଲେଖ ମିଳେ ଯଥା-
★ ସାଵିତ୍ରୀ―ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ—
★ସାଵିତ୍ରୀ―ବେଦମାତା; ଗାୟତ୍ରୀମନ୍ତ୍ରାଧିଷ୍ଠାତ୍ରୀ ଦେବୀଙ୍କର ଦ୍ବି ପ୍ରହରକାଳୀନ ଧ୍ଯେୟରୂପ । ଏ ଯୁବତୀ, ଶୁକ୍ଲଵର୍ଣ୍ଣା. ଚାରୁରୂପା, ଚତୁର୍ଭୁଜା, ଶୁକ୍ଲାମ୍ବରଦ୍ବୟୋପେତା, ଗରୁଡ଼ସ୍କନ୍ଧସଂସ୍ଥିତା, ଶଙ୍ଖଚକ୍ରଗଦାପଦ୍ମଧାରିଣୀ ଓ ବିଷ୍ଣୁ ବା ଦେବୀ ବୈଷ୍ଣବୀ ଅଟନ୍ତି। ବ୍ରାହ୍ମଣମାନେ ମଧ୍ଯାହ୍ନ ସନ୍ଧ୍ଯା ସମୟରେ ଗାୟତ୍ରୀ ଜପିବା ପୂର୍ବରୁ ଏହାଙ୍କୁ ଧ୍ଯାନ କରନ୍ତି। ଏ ବ୍ରହ୍ମାଙ୍କ ପତ୍ନୀ। ପୁରାଣ କହେ ସବିତା (ସୂର୍ୟ୍ଯ)ଙ୍କ ଔରସରେ ତତ୍ପତ୍ନୀ ପୃଶ୍ନୀଙ୍କ ଗର୍ଭରୁ ଏ ଜନ୍ମିଥିଲେ । ଏହାଙ୍କୁ ଵେଦମାନଙ୍କର ଜନନୀ ଵିଶ୍ଵାସ କରାଯାଇଛି । ଏହାଙ୍କର ଅନ୍ଯ ନାମ ଶତରୂପା, ଗାୟତ୍ରୀ, ସରସ୍ବତୀ, ବ୍ରହ୍ମାଣୀ । ଭାରତର ଭିନ୍ନ ଭିନ୍ନ ତୀର୍ଥରେ ଏ ଵୈଦିକ ଦେଵୀ ଭିନ୍ନ ଭିନ୍ନ ନାମରେ ପୂଜିତ ହେଉଅଛନ୍ତି।
ଯଥା—ପୁଷ୍କରରେ ସାଵିତ୍ରୀ, ଵାରାଣସୀରେ ଵିଶାଳାକ୍ଷୀ, ପ୍ରୟାଗରେ ଲଳିତା, ଏକାମ୍ର କାନନରେ କୀର୍ତ୍ତିମତୀ, ବିନ୍ଧ୍ଯାଚଳରେ ସୀତା, ପୁରୀକ୍ଷେତ୍ରରେ ଵିମଳା ଇତ୍ଯାଦି।
★ସାଵିତ୍ରୀ―ଦେଵୀ ଦୁର୍ଗା ଵା ପାର୍ଵତୀଙ୍କର ଏକ ନାମ ମଧ୍ୟ ସାଵିତ୍ରୀ ଅଟେ ।
★ସାଵିତ୍ରୀ ― ଧର୍ମଙ୍କ ପତ୍ନୀ ଓ ଦକ୍ଷଙ୍କ କନ୍ଯା
★ସାଵିତ୍ରୀ―କଶ୍ଯପଙ୍କ ସ୍ତ୍ରୀ
★ସାଵିତ୍ରୀ―ଅଷ୍ଟାବକ୍ର ଋଷିଙ୍କ କନ୍ଯା
★ସାଵିତ୍ରୀ―ସୂର୍ଯ୍ୟଦେଵଙ୍କ କନ୍ୟା ଯମୁନା(ନଦୀ)ଙ୍କର ଅନ୍ୟ ନାମ ।
★ସାଵିତ୍ରୀ―ସରସ୍ବତୀ ନଦୀର ଏକ ନାମ
★ସାଵିତ୍ରୀ―ପୁରାଣୋକ୍ତ ପ୍ଲକ୍ଷ ଦ୍ବୀପର ଏକ ନଦୀର ନାମ
★ସାଵିତ୍ରୀ―ଧାରା ନଗରୀର ରାଜା ଭୋଜଙ୍କ ସ୍ତ୍ରୀ
★ସାଵିତ୍ରୀ―ତୀର୍ଥବିଶେଷ;ଏକ ତୀର୍ଥର ନାମ
××××××××××××××××××××××××
××××××××××××××
××××××××
■ସାଵିତ୍ରୀ ଗଛ■
●ଅଅଁଳା ଗଛର ଏକ ନାମ ସାଵିତ୍ରୀ ଅଟେ
●ଶଉପ ଜାତୀୟ ଏକପ୍ରକାର ଗୁଳ୍ମକୁ ବି ସାଵିତ୍ରୀ କୁହାଯାଏ । ଏ ଗଛର ପତ୍ର ସୁଵାସିତ ଏଥିର ଫଳପୁଷ୍ପାଦି ଶଉପ ପରି । ଏହି ଫଳ ଵା ମଞ୍ଜି ତୁଣ ତରକାରୀ ଆଦିରେ ମସଲାରୂପେ ଵ୍ୟଵହୃତ ହୁଏ। ଏଥିର ପତ୍ର ଦ୍ବାରା କାଞ୍ଜି ଆଦି ବଘରା ଯାଏ । ଆରବୀ ଭାଷାରେ ଶଉପକୁ 'ଶୀବ୍ବତ' କୁହନ୍ତି ।
×××××××××××××××××××××
×××××××××××
×××××
ଦ୍ବିଜବାଳକର ଉପନୟନକୁ ବି ସାଵିତ୍ରୀ କୁହାଯାଏ । ଆଗେ ଲୋକଵିଶ୍ଵାସ ଥିଲା ଯେ ଏହି ସଂସ୍କାର କରା ନ ଗଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ଯ ବ୍ରାତ୍ଯ ବା ପତିତ ହୁଅନ୍ତି । ଉପନୟନକାଳରେ ଦ୍ବିଜବାଳକ ସାଵିତ୍ରୀ ମନ୍ତ୍ରର ଦୀକ୍ଷା ଗ୍ରହଣ କରେ, ଏଥିପାଇଁ ଏ ସଂସ୍କାରର ନାମ ସାଵିତ୍ରୀ। ବ୍ରାହ୍ମଣର ଷୋଡ଼ଶ ଵର୍ଷ, କ୍ଷତ୍ରିୟର ଦ୍ବାବିଂଶତି ଵର୍ଷ ଓ ବୈଶ୍ଯର ଚତୁବିଂଶତି ଵର୍ଷ ପର୍ଯ୍ୟନ୍ତ ଉପନୟନ ସଂସ୍କାରକାଳ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ବୟସ ମଧ୍ଯରେ ସାଵିତ୍ରୀ ସଂସ୍କାର ନ ହେଲେ ଉକ୍ତ ଜନ୍ମତଃ ଦ୍ବିଜବାଳକକୁ ଵ୍ରାତ୍ଯ ବୋଲାଯାଏ। ତତ୍ପରେ ଉପନୟନ ସଂସ୍କାର କରାଗଲେ ଯାଥାଵିଧାନ ଵ୍ରାତ୍ଯ—ପ୍ରାଯଶ୍ଚିତ୍ତ କରିବାକୁ ହୁଏ। ଦ୍ବିଜଵର୍ଣ୍ଣକ୍ରୟ ଉପନୟନ ପରେ ପ୍ରତିଦିନ ତ୍ରିସନ୍ଧ୍ଯାରେ ସାବିତ୍ରୀ (ଗାୟତ୍ରୀ) ଜପ କରିବେ। ମନୁସଂହିତା ୨ୟ ଅଧ୍ଯାୟ ୭୬ ଶ୍ଲୋକଠାରୁ ୮୩ ଶ୍ଲୋକ ପର୍ଯ୍ୟନ୍ତ ସାଵିତ୍ରୀ ଜପର ଵର୍ଣ୍ଣନା ଅଛି। ପ୍ରଣବ (ଓଁ), ଵ୍ୟାହୃତି (ଭୁଃ, ଭୁଵଃ, ସ୍ବଃ) ସହିତ ସାଵିତ୍ରୀ (ତତ୍ ସଵିତୁର୍ଵରେଣ୍ଯଂ ଭର୍ଗୋ ଦେଵସ୍ଯ ଧୀମହିଃ ଧୀୟୋୟୋନଃ ପ୍ରଚୋଦୟାତ୍) ତ୍ରିସନ୍ଧ୍ଯାରେ ଦ୍ବିଜମାତ୍ରେ ଜପ କରିବେ । ଦେବୀ ଭାଗଵତ (୯/୨୬/୩— ୪)ରେ ଲେଖାଅଛି ଯେ, ଥରେ ମାତ୍ର ସାବିତ୍ରୀ ଜପ କଲେ ଦିନକୃତ ପାପ, ଦଶଵାର ଜପରେ ଅହୋରାତ୍ରକୃତ ପାପ, ଶତଵାର ଜପରେ ମାସାର୍ଜିତ ପାପ, ସହସ୍ରଵାର ଜପରେ ସମ୍ବତ୍ସରାର୍ଜିତ ପାପ, ଲକ୍ଷ ଜପରେ ଇହଜନ୍ମାର୍ଜିତ ପାପ, ଦଶ ଲକ୍ଷ ଜପରେ ଅନ୍ଯ ଜନ୍ମର ପାପ, ଶତ ଲକ୍ଷ ଜପରେ ସର୍ଵଜନ୍ମର ପାପ ଵିନଷ୍ଟ ହୁଏ ଓ ଦଶଶତ ଲକ୍ଷ ଜପ କଲେ ମୋକ୍ଷଲାଭ ହୁଏ ।
(ମୂଳ ତଥ୍ୟ― ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ ସମ୍ପାଦନା―ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ)
No comments:
Post a Comment