ମେଣ୍ଢାଶିଙ୍ଗିଆ ଏକ ଲଟାଳିଆ ଗଛ । କେହି କେହି ମେଣ୍ଢା ଶିଂଘା,ମେଣ୍ଢା ଶିହାଁ ବି କୁହନ୍ତି । ଏହାର ଵୈଜ୍ଞାନିକ ନାମ Gymnema Sylvestre । ଏହି ଗଛର ପତ୍ର ସୁଗନ୍ଧ ଯୁକ୍ତ। ଏହାର ମୂଳ ଔଷଧରେ ଲାଗେ । ଏହାର ଅନ୍ଯ ସଂସ୍କୃତ ନାମ ମେଷକ ଓ ମେଷ ଶୃଙ୍ଗୀ । ଏହାର ଚେର ଦ୍ବାରା ସର୍ପ ଵିଷ ଦୂର ହୁଏ । ଏହାର ପତ୍ର ଚୋବାଇଲେ ଜିଭ ଝିମିଝିମି ହୁଏ । ଏହା ଵାତଵର୍ଦ୍ଧକ, ଶ୍ବାସ ଓ କାଶ ଵର୍ଦ୍ଧକ। ଏ ପତ୍ର ବ୍ରଣ ଓ ଆଖିର ଦରଜ ଦୂର କରେ । ଏଥିର ଫଳ କାଶ, କୃମି, ବ୍ରଣ, ଵିଷ ଓ କୁଷ୍ଠ ଦୂର କରେ । ଏ ଗଛ ପୂର୍ଵଘାଟ ପର୍ଵତମାଳା ଦାକ୍ଷିଣାତ୍ଯର ଜଙ୍ଗଲରେ ଜନ୍ମେ । ହିନ୍ଦିଭାଷୀ ଏ ଗଛକୁ गुड़मार କୁହନ୍ତି ଯେହେତୁ ଏହାର ପତ୍ର ଚୋଵେଇଲେ କୌଣସି ବି ମିଠା ପଦାର୍ଥର ସ୍ଵାଦ ପନ୍ଦର ମିନିଟ୍ ରୁ ୫୦ ମିନିଟ୍ ଯାଏଁ ଆସ୍ଵାଦନ କରିହୁଏ ନାହିଁ । ଗୁଡ଼ ଓ ଚିନିର ବି ସ୍ଵାଦକୁ ମାରିପାରୁଥିଵାରୁ ହିନ୍ଦୀରେ ଏହାର ନାମ ଗୁଡ଼ମାର୍ ହୋଇଅଛି। କପକାଞ୍ଚଳରେ ବି ଏ ଗଛରୁ ସ୍ଥାନୀୟ କଥିତ ଶୈଳୀରେ ଗୁଡ଼ମାରୀ କୁହାଯାଇଥାଏ । ସେହିପରି ମେଣ୍ଢାଶିଙ୍ଗିଆ ନାମ ଏ ଗଛର ଫଳର ଆକାର ଯୋଗୁଁ ଖ୍ୟାତ ହୋଇଅଛି ।
ଅନ୍ଯ ଭାଷାରେ ମେଣ୍ଢାଶିଙ୍ଗିଆ ଗଛର ନାମ
✔️ଶାସ୍ତ୍ରୀୟଭାଷା(ସଂସ୍କୃତ - ଓଡ଼ିଆ)—
ନନ୍ଦୀବୃକ୍ଷ, ଚକ୍ଷୁଃ, ଚକ୍ଷୂର୍ବହଳ, ବହଳଚକ୍ଷୂଃ, ମେଡ୍ରଶୃଙ୍ଗୀ,ଗୃହଦ୍ରୁମା,ଅଜଶୃଙ୍ଗୀ,ମେଷଶୃଙ୍ଗୀ,ବିଷାଣୀ,ମେଷ ଵିଷାଣୀ ମେଷବଲ୍ଲୀ, ଆଜଶୃଙ୍ଗିକା,ମଧୁନାଶିନୀ
✔️ଇଂରାଜୀ—
The creaw tree,gymnema,
Australian cowplant,Periploca of the woods,
✔️ହିନ୍ଦୀ —ଗୁଡ଼ମାର୍,ମେଢ଼ାଶୀଂଗୀ;
✔️ବଙ୍ଗାଳୀ—ଛାଗଲବେଁଟେ, ମେଡ଼ାଶଙ୍ଗୀ;
✔️ମରାଠୀ—ବେଡକୀଚା,ମେଣ୍ଡଫଳୀ,
✔️ଗୁଜରାଟୀ—ମଡ଼ାଶିଙ୍ଗୀ
✔️ଫାର୍ସୀ—ବିସ୍ତ
✔️ଆରଵୀ—ବାର୍କିସ୍।
✔️ସିଂହଳୀ—මස්බැද්ද / Masbadda
✔️ମଳୟାଳମୀ—ചക്കരക്കൊല്ലി
(cakkarakkealli)
✔️ତାମିଳ—சிறுகுறிஞ்சா
(Cirukurinca)
✔️ତେଲୁଗୁ—పొడపత్(podapat)
ମେଣ୍ଢାଶିଙ୍ଗିଆର ଵୈଜ୍ଞାନିକ ନାମ “Gymnema Sylvestre” ମଧ୍ଯରୁ “Gymnema” ଶବ୍ଦରେ ଗ୍ରୀକ୍ ଭାଷାର ଦୁଇଗୋଟି ଶବ୍ଦ "gymnos" (γυμνὀς) ଓ "nēma" (νῆμα) ରହିଛି । ଏ ଶବ୍ଦ ଦ୍ଵୟର ଅର୍ଥ "ନଗ୍ନ" ଓ "ତନ୍ତୁ" ଏଵଂ ଏହାର ଵିଶେଷଣଵାଚକ ନାମ “sylvestre”ର ଅର୍ଥ “ଜଙ୍ଗଲର” ଵା “ଵନ୍ଯ” ଅଟେ ।ତେଣୁ “Gymnema Sylvestre”ର ସମ୍ପୂର୍ଣ୍ଣ ଓଡ଼ିଆ ଭାଵାନୁଵାଦ ହେଵ “ଵନ୍ଯ ନଗ୍ନତନ୍ତୁକା” ଲତିକା ।
(ଶିଶିର ସାହୁ ମନୋଜ ଓ ଉଡ୍ରବନ୍ଧୁ ଡ. ଦେଵାଶିଷ ଜ୍ଯୈଷ୍ଠୀ)
No comments:
Post a Comment