Sunday, March 28, 2021

ଦୋଳ ପୂର୍ଣ୍ଣିମା

ସଵୁଜ ଯୁଗର ପ୍ରଖ୍ୟାତ କଵି ଵୈକୁଣ୍ଠନାଥ ପଟ୍ଟନାୟକଙ୍କ କଵିତା
“ଦୋଳ ପୂର୍ଣ୍ଣିମା” ମଧ୍ୟରେ ଚିତ୍ରିତ ହୋଇଅଛି ପୃଥିଵୀର ସବୁଠାରୁ ସୁନ୍ଦର ଋତୁ ଵସନ୍ତ ଋତୁର ଚିତ୍ର ! ଦୋଳ ପର୍ଵ ସହିତ ହୋଲୀ ସହ ଵସନ୍ତ ଋତି କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ଏହି କଵିତା ପାଠକଲେ ହୃଦୟଙ୍ଗମ କରି ହୁଏ । ଵସନ୍ତ ଋତୁ ବିନା ଦୋଳ ଓ ହୋଲିଖୋଳର ରଙ୍ଗ ଫିକା ପଡି଼ଯିଵ । ପୃଥିଵୀରେ ପ୍ରତିଵର୍ଷ  ଵସନ୍ତ ଋତୁ ନ ଆସିଲେ ଆମେ କୋଇଲି,ଆମ୍ବ ଠାରୁ ଶହ ଶହ ପୁଷ୍ପ ଯାଏଁ ସବୁକିଛି ହରେଇ ଦେଵା ...

ଏବେ ବି ସମୟ ଅଛି ଚାଲନ୍ତୁ ପୃଥିଵୀର ଏହି ସବୁଜିମାର ରକ୍ଷାର ଶପଥ ନେଵା । ଜଙ୍ଗଲ ଜଳେଇ ଦେଲେ ଵସନ୍ତ ଋତୁର ଏହି ଅଲୌକିକ ସୌନ୍ଦର୍ଯ୍ୟ କେବେ ବି ଦେଖି ହେଵ ନାହିଁ ଵରଂ ଅଧିକରୁ ଅଧିକ ଗଛ ଲଗାଇ ଚାଲନ୍ତୁ ଆମେ ପୃଥିଵୀ ଓ ତାହାର ଏହି ମନୋହର ଵସନ୍ତ ଋତୁକୁ “ଵିଶ୍ଵତାପନ” ଠାରୁ ରକ୍ଷା କରିଵାର ମହନୀୟ କର୍ମରେ ଵ୍ରତୀ ହେଵା !!!

            ••••√“ଦୋଳ ପୂର୍ଣ୍ଣିମା”√••••

ଫଗୁଣ ପୂନିଅ ଚାନ୍ଦ !
ବାନ୍ଧ ସଜନି ବାନ୍ଧ,
ପୀରତି ନିଵିଡ଼ ଭୁଜ ବନ୍ଧନେ
ଲୟ ହେଉ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !

ଵିଶ୍ଵ କଣ୍ଠୁ ଆଜି ,
ସଙ୍ଗୀତ ଉଠେ ବାଜି !
ଏଇତ ଛନ୍ଦ ଗୀତି,
ଆଦର ମମତା ପ୍ରୀତି,
ଆଦର ମମତା ପ୍ରୀତି,
କଳ୍ପନା କାହିଁ ଧାଏଁ,
ଅନ୍ତରେ ପୁଣି
ବାହାରେ ଖେଳଇ
ଜୋଚ୍ଛନାର ଆହାଲଦ
ଫଗୁଣ ପୂନିଅ ଚାନ୍ଦ !

କେଉଁ ସଜେ ଆଜି ପରଶି ଗଲାଣି
ଚୋରା ମଳୟର ଵାଣୀ
ଶୂନ୍ୟେ ଭାସଇ ଅମୃତ ପରା
ପିଅ ଗୋ ସଜନୀ ଛାଣି ।

ଜୋଛନା ପ୍ଲାଵନେ ସରଗ ମର୍ତ୍ତ୍ୟ
ପଡ଼ ନାହିଁ କିଛି ବୁଝା
ମୁକ୍ତ ପଵନେ ଗଗନେ ଭୁଵନେ
ନଵ ଵସନ୍ତ ପୂଜା !

ଗୋଲାପ ମଦିରା-ରାଗେ,
ତୁମେ ନଵ ଅନୁରାଗେ,
ରଞ୍ଜିତ କର ପ୍ରାଣ,
ଆଣ ଗୋ ଅଵିର ଆଣ,
ଦିଅ ବୋଳି ମୋର ଦେହେ,
ନଵ ଵସନ୍ତ ସ୍ନେହେ !
ଅନ୍ତର ଭର ଵାସେ
ମନ୍ଦ ସୁନ୍ଦର ହାସେ !

ମାତି ଉଠୁ ପ୍ରାଣ ଵିଶ୍ଵ ସହିତେ
ଭୁଲି ସଂଶୟ ଵାଦ !
ଫଗୁଣ ପୂନିଅ ଚାନ୍ଦ !

ଆଜି ଜୋଛନାରେ ଫୁଟିଛି ଗୋଲାପ
ଫୁଟିଛି ମଧୁର ମଲ୍ଲୀ
ଯୌଵନ ଵନେ ନଵ-ଵସନ୍ତ
ଉତ୍ସଵ ନୁହେଁ କଳି ।

ଭୁଲ ଭୁଲ ସବୁ  ସଂଶୟ ଦୁଃଖ
ଆନନ୍ଦ ନିଅ ବାରି !
କ୍ଷଣକର ପ୍ରୀତି ପୁଲକେ ନିଅ ଗୋ
ଜୀଵନ ଅମର କରି

ଉଜାଡ଼ କର ଗୋ ମାଧଵୀ ଜୋଛନା
ନାହିଁ ଭୟ ପରମାଦ
ଫଗୁଣ ପୂନିଅ ଚାନ୍ଦ !

କୋକିଳ ଉଠଇ ଗାଇ,
ଵକୁଳ ଗନ୍ଧରେ ବାଇ,

ପରାଣେ ତା ଚପଳତା
ପୀରତି ମଧୁର ଵ୍ୟଥା
ଚାରୁ କିଶଳୟେ ଲତା—
ପାଦପର ମାଦକତା
ଅକଳନ ଆଜି
କିଂଶୁକ ଵନେ
ଗରଵେ ତୋଳିଛି ମଥା !
ନାହିଁ ନାହିଁ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !

ଵିଶ୍ଵର ନରନାରୀ
ସକଳେ ଆମେ ଗୋ ଆଳି !
ଵୃଦ୍ଧ ତରୁଣ ଯାତ୍ରୀ,
ଉଠ ଆନନ୍ଦେ ମାତି !
ନଵ ଵସନ୍ତେ କଵି,
ରଞ୍ଜିତ ଵାଳ ରଵି,
ଆହ୍ଵାନ କରେ ମଧୁ ଉତ୍ସଵେ
ଖୋଲ ଗୋ ଦୁଆର ଖୋଲ
ଆଜି ପିରତୀର ଦୋଳ !

ଆସ ଗୋ ଆସ ଗୋ ଶିଶୁ
ତୁମ ସଂଗୀତ ମିଶୁ,
ଏ ମୋର କ୍ଷୁଵ୍ଧ ପ୍ରାଣେ,
ଉଛୁଳି ଜୀଵନ ଗାନେ,
ପୌଷ ମରଣ ଭୟ
ଅଵହେଳେ ଆଜି ଜୟ !
ମୁକ୍ତ କର ଗୋ ପ୍ରାଣ;
ଭର ଵସନ୍ତ ଗାନ,

ମଞ୍ଜୁ କୁସୁମ ଗନ୍ଧ,
ମନ୍ଦ ମଳୟ ଛନ୍ଦ,
ଉଜ୍ବଳ ଦିଗ ଭାଗ,
ଜୀଵନ ଦେଵତା ଜାଗ !

ନଵୀନ କୁନ୍ଜେ ଶୁଭଇ କାହାର
ମନ୍ଦ ମୂରଲୀ ନାଦ
ଫଗୁଣ ପୂନିଅ ଚାନ୍ଦ !

©ଵୈକୁଣ୍ଠନାଥ ପଟ୍ଟନାୟକ








No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...