୧)ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ ଵିଜଡି଼ତ,ସେମାନେ ସମସ୍ତେ ଓଡ଼ିଆ ଜାତି ।
୨)କେହି କେହି ଉତ୍କଳ ଓ ଓଡ଼ିଶା ମଧ୍ୟରେ ପାର୍ଥକ୍ୟ କରନ୍ତି । ଯଥାର୍ଥରେ ଏ ଉଭୟରେ କୌଣସି ପାର୍ଥକ୍ୟ ନାହିଁ କିଂଵା ରହିଵା ଉଚିତ୍ ନୁହେଁ ।
୩)ବଙ୍ଗଳାର ହୁଅନ୍ତୁ ଵା ପଞ୍ଜାଵର ହୁଅନ୍ତୁ,ମାରଵାର୍'ର ହୁଅନ୍ତୁ ଵା ମାନ୍ଦ୍ରାଜର ହୁଅନ୍ତୁ,ହିନ୍ଦୁ ହୁଅନ୍ତୁ ଵା ମୁସଲମାନ ହୁଅନ୍ତୁ,ଆର୍ଯ୍ୟ ହୁଅନ୍ତୁ ଵା ଆଦିମ ଆଦିଵାସୀ ହୁଅନ୍ତୁ, ଯେ ଉତ୍କଳ ଵା ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସତ୍ଵ ଓ ସ୍ଵାର୍ଥ ମିଳାଇଦେଇଛନ୍ତି , ଓଡ଼ିଶା ତାଙ୍କର ସେ ଓଡ଼ିଶାର...
୪)ପୃଥିଵୀରେ ଏପରି ପ୍ରାୟ ସ୍ଥାନ ନାହିଁ ଯେଉଁଠାରେ ଭିନ୍ନ ଭିନ୍ନ ଜାତି ରହୁନାହାନ୍ତି । ମାତ୍ର ସେମାନଙ୍କର ସ୍ଵାର୍ଥର କେନ୍ଦ୍ର ଏକ । ତେଣୁ କାଳକ୍ରମେ ଏକୀଭୂତ ହେଵା ସେମାନଙ୍କ ପକ୍ଷେ ସ୍ଵାଭାଵିକ ଓ ଶ୍ରେୟସ୍କର ।
୫)ଭାଇ ଉତ୍କଳଵାସୀ, ତୁମେ ଯେ ହୁଅ, ବଙ୍ଗାଳୀ, ଓଡ଼ିଆ,ତେଲେଙ୍ଗା,ହିନ୍ଦୁସ୍ତାନୀ(ହିନ୍ଦିଆ),କୋଲ୍ହ,ହିନ୍ଦୁ, ଖ୍ରୀଷ୍ଟାନ,ମୁସଲମାନ ଯେ ହୁଅ, ଉତ୍କଳ ଭୂମି ତୁମକୁ ଆପଣା ଶରୀରରେ ବହି ତୁମର କେତେ ଅଳି ଅର୍ଦ୍ଦଳି ସହୁଛନ୍ତି । ତୁମ୍ଭେ ଓଡି଼ଆ,ତୁମ୍ଭେ ଉତ୍କଳୀ, ଉତ୍କଳ ସମ୍ମିଳନୀରେ ତୁମ୍ଭ ନିମନ୍ତେ ପ୍ରଶସ୍ତ ସ୍ଥାନ ରହିଅଛି । ଉତ୍କଳମାତା ମଧ୍ୟ ତୁମ୍ଭର ସେଵା ପୂଜା ଗ୍ରହଣ କରିଵାକୁ ସତୃଷ୍ଣ ନୟନରେ ଅନାଇ ରହିଛନ୍ତି ।
୬)ଭାରତରେ ଜାତୀୟତା ଗଠନର ନାନା ଅନ୍ତରାୟ ରହିଅଛି । ନାନା ଭାଷା, ନାନା ଧର୍ମ, ନାନା ଵିଧି ନାନା ଆଚାର ଵ୍ଯଵହାର ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ରହିଅଛି ଯେ,ଭାରତ ଜାତୀୟତା କେହି କେହି ଅସମ୍ଭଵ ମନେ କରନ୍ତି; ସେଥିରେ ପୁଣି କୌଣସି ଏକ ପ୍ରଦେଶ ଵା ଅଞ୍ଚଳରେ ସେହି ପ୍ରକାରର ଭେଦ ଘଟିଲେ ଭଖରତର ଜାତୀୟ ସମସ୍ଯା ଅଧିକ ଦୁଃସାଧ୍ୟ ଓ ଜଟିଳ ହେଵ ।
୭)ଏ ପ୍ରଦେଶରେ ଵାସ କରି ସମସ୍ତ ଶ୍ରେୟ ― ସ୍ଵାର୍ଥ ― ମମତା ତହିଁ ସଙ୍ଗେ ମିଶାଇ ନଦେଇ ଯେଉଁମାନେ ସ୍ଵତନ୍ତ୍ର ଓ ସତ୍ଵ ଦାଵୀ କରନ୍ତି ସେମାନେ ସେ ପ୍ରଦେଶର ଉନ୍ନତି ପଥରେ କଣ୍ଟକ ସ୍ଵରୂପ । ନିଜର ଆପାତ ସ୍ଵାର୍ଥ ଲାଗି ଅନ୍ୟ ଜାତିର ଉନ୍ନତିର ଅନ୍ତରାୟ ଏକ ପ୍ରଦେଶ ମଧ୍ୟରେ ସ୍ଵାର୍ଥର ଅନୈକ୍ୟ ଘଟାଇଵା ଦ୍ଵାରା ଭାରତର ସମୂହ କଲ୍ଯାଣର ସେମାନେ ଶତ୍ରୁ; ସୁତରାଂ ଆତ୍ମଘାତୀ ।
୮)କେହି କେହି ପଣ୍ଡିତ ମନୁଷ୍ୟକୁ ରାଜନୈତିକ ପ୍ରାଣୀ ବୋଲି କହିଅଛନ୍ତି । ଯେଉଁମାନେ କୁହନ୍ତି ପରାଧୀନ ଜାତିର ରାଜନୀତି ନାହିଁ ସେମାନେ ମାନଵ ଜୀଵନକୁ ପୂର୍ଣ୍ଣ ଭାଵରେ ଦେଖନ୍ତି ନାହିଁ । ପରାଧୀନ ହେଉ ଵା ସ୍ଵାଧୀନ ଯେଉଁ ଜାତି ଵା ସମାଜ କୌଣସି ରାଜ୍ୟରେ ଵାସକରେ ଏଵଂ କୌଣସି ସୁଗଠିତ ଓ ଶୃଙ୍ଖଳାବଦ୍ଧ ଶାସନଶକ୍ତିର କର୍ତ୍ତୃତ୍ଵ ସ୍ଵୀକାର କରେ,ତାହାର କୌଣସି ନା କୌଣସି ପ୍ରକାରେ ରାଜନୀତି ରହିଵ ।
୯)ଭାରତୀୟ ଆକାଙ୍କ୍ଷା ସହିତ ଉତ୍କଳୀୟ ଆକାଙ୍କ୍ଷାର ସାମଞ୍ଜସ୍ୟ ରହିଵା ଉଚିତ୍ । ଭାରତ ସଙ୍ଗେ ଉତ୍କଳର ନିତ୍ୟ ସମ୍ବନ୍ଧ ରହିଵ ହିଁ ରହିଵ । ଏ ସମ୍ବନ୍ଧ ଚିରଦିନ ରହିଅଛି ।
୧୦)ମନେ ରଖିଵାକୁ ହେଵ,ଆମ୍ଭେମାନେ (ଭାରତ)ଭାରତୀୟ ଜାତିର ଅନ୍ତର୍ଗତ । ଭାରତ ଏକ (ଉପ)ମହାଦେଶ । (ତେଣୁ) ସେଥିରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଜାତି,ପ୍ରାଦେଶିକ ପାର୍ଥକ୍ୟ ଅନୁସାରେ କାଳକ୍ରମେ ଉଦ୍ଭଵ ହୋଇଛନ୍ତି;ମାତ୍ର ସେ ସମସ୍ତଙ୍କ ଭାଗ୍ଯ ଭାରତର
ଭାଗ୍ଯ ସଙ୍ଗେ ସୀମାବଦ୍ଧ ।
୧୧)ଜାତୀୟତାର ଲକ୍ଷ୍ୟରେ ଉଦାର ମାନଵିକତା,ସମଗ୍ର ସାରତଵର୍ଷରେ କେଵଳ ଓଡ଼ିଆ ହିଁ ବୁଝିଥିଲେ ।
୧୨)ଵିଶ୍ଵପ୍ରୀତି ହିଁ ଓଡ଼ିଆର ଜାତୀୟତା,ପୂର୍ଣ୍ଣପ୍ରାଣ ଓଡ଼ିଶାର ମନୁଷ୍ଯତା।
୧୩)ଓଡ଼ିଆର ଜାତୀୟତା, ଦେଶାନୁରାଗ କେଵେ ଜଡ଼, ନିର୍ଜୀଵ, ନୀରସ ଓ ସ୍ୱାର୍ଥ କଳୁଷିତ ନୁହେଁ । ରାଜ୍ୟଲାଭ ଵା ରକ୍ତପାରେ ଏହାର ପ୍ରତିଷ୍ଠାୁ ନୁହେଁ। ଗଭୀର ଧର୍ମଭାଵ ଏଵଂ ଦୃଢ଼ଵିଶ୍ୱାସ ଏହାର ଭିିତ୍ତି। ସାମ୍ୟ, ମୈତ୍ରୀ, ସ୍ୱାଧିନତା ଏହାର ଵିଗ୍ରହ। ଓଡ଼ିଆର ଏହି ଭାଵ ନୀଳାଚଳାଧାମରେ ପ୍ରକଟିତ, ତେଣୁ ଜଗନ୍ନାଥ ଓଡ଼ିଆର ଜାତୀୟ ଦେଵତା । ବଦ୍ରୀନାଥ, ରାମନାଥ,ଦ୍ଵାରିକାନାଥ ସ୍ଥାନ ଵିଶେଷର 'ନାଥ', ମାତ୍ର ଜଗତର ନାଥ ନୁହନ୍ତି। ପ୍ରାଚୀନ କାଶୀଧାମରେ ଵିଶ୍ୱନାଥ ଅଛନ୍ତି, କିନ୍ତୁ ସମଗ୍ରଵିଶ୍ୱକୁ ଆଲିଙ୍ଗନ କରିଵାର ଉଦାରତା ସେଠାରେ ନାହିଁ ।
୧୪) ନୀଳାଚଳର ନୀତିରେ କ୍ଷୁ୍ଦ୍ର ବୃହତ୍ ନାହିଁ, ରାଜା ପ୍ରଜା ନାହିଁ, ବ୍ରାହ୍ମଣ-ଚାଣ୍ଡାଳ ନାହିଁ, ପାମର-ପ୍ରେମିକ ନାହିଁ, ଏମନ୍ତ କି ହିନ୍ଦୁବୌଦ୍ଧର ଭେଦ ନାହିଁ। ପରଵର୍ତ୍ତୀ ଚୈତନ୍ଯଯୁଗରେ ମଧ୍ଯ ହିନ୍ଦୁ ମହମ୍ମଦୀୟ ଭେଦ ପର୍ଯ୍ୟନ୍ତ ଏଠାରେ ଲୁଚିଯାଇଥିଲା । ଏହି ଉଦାରତାର ମାନଵିକତା ଏବଂ ମହାଭାରତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି ତ କାଳେକାଳେ ଭାରତର ଦଦିଦିଗନ୍ତରୁ ସିଦ୍ଧସାଧକ ଓ ମହାପୁରୁଷମାନେ ଆକୃଷ୍ଟ ହୋଇ ଆସିଛନ୍ତି ।
୧୫)ଓଡ଼ିଆ କେଵେ କାହାକୁ ଵିଦ୍ଵେଷ ଦୃଷ୍ଟିରେ ଦେଖି ନାହିଁ।
୧୬)ଭାଇ ଓଡ଼ିଆ, ଵର୍ତ୍ତମାନ ତୁମ୍ଭେ ଯାହା ହୁଅ କି ତୁମ୍ଭଙ୍କୁ ଅନ୍ୟ ଯାହାବୋଲି ମନେକେରୁ ପଛକେ, ଯେତେଦିନ ଯାଏଁ ନୀଳାଚଳରେ ସାମ୍ୟ-ମୈତ୍ରୀର ଧ୍ଵଜା ଉଡ଼ୁଥିଵ, ସେତେଦିନ ଯାଏଁ ଓଡ଼ିଶା ସମଗ୍ର ଭାରତର ଏକତାର କେନ୍ଦ୍ରଭୂମି ହୋଇ ଵିରାଜୁଥିଵ । ତୁମ୍ଭେ ଏହି ଭାରତୀୟ ଜାତୀୟତା କେନ୍ଦ୍ରରେ ଅଧିକାରୀ । ଏ ଅଧିକାରର ଉପଯୁକ୍ତ କାର୍ଯ୍ୟ କଲେ ଆମ୍ଭମାନଙ୍କୁ ଭାରତ ନିକଟରେ ଅପମାନିତ ହେଵାକୁ ହେଵ ଏଵଂ ଭବିଷ୍ୟତ ପୁରୁଷମାନେ ଆମ୍ଭମାନଙ୍କର ସଂର୍କୀର୍ଣ୍ଣତା ଓ ଅଦୂରଦର୍ଶିାତର ନିନ୍ଦା କରିଵେ ।
(ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତ)
No comments:
Post a Comment