Thursday, May 14, 2020

କେଉଁମାନେ ଵିଶ୍ଵାସଯୋଗ୍ଯ ନୁହନ୍ତି ?

"ଅନମିତ ବିଶୋଇ ଅଵରଣେ ମଧ୍ଯପାତ୍ର,
ଅଥାପନ ଛତ୍ରୀ ଅଭାଵୀ ମଇତ୍ର ।

ଅଭାଵି ଭାରିଯା ଯେ ଵିଵାଦପ୍ରିୟ ଆଇ,
ୟେତକ ଲୋକନ୍ତ ଵିଶ୍ଵାସ ନ ଯାଇ ।। ୮୪।।"
(ଭୀଷ୍ମପର୍ଵ,ସାରଳା ମହାଭାରତ)

ସାରଳା ମହାଭାରତ ରଚନା ସମୟର ଓଡ଼ିଆ ଭାଷାରେ ଅନେକ ନିଆରା ଶବ୍ଦ ଚଳୁଥିଲା ତନ୍ମଧ୍ୟରୁ ଆଜି ଅନେକ ଶବ୍ଦ ଆଉ ଵ୍ଯଵହୃତ ହେଉନାହିଁ ।

ସାରଳାମହାଭାରତରୁ ଉଦ୍ଧୃତ ପ୍ରୋକ୍ତ ପଦରେ ଆମେ କେତୋଟି ପ୍ରାଚୀନ ଓଡ଼ିଆ ଶବ୍ଦ ଦେଖୁ ଯେଉଁଗୁଡ଼ିକ ଆଜି ପ୍ରାୟତଃ ଅପ୍ରଚଳିତ

ଯଥା―

■ଅନମିତ
ଅନମିତ ଶବ୍ଦଟି ଅନିମିତ୍ତର ଓଡ଼ିଆ ରୂପ । ଅନିମିତ୍ତର ସାଧାରଣ ଅର୍ଥ ଅକାରଣ,ଲକ୍ଷ୍ୟହୀନ,ପ୍ରୟୋଜନହୀନ ଓ ଅଦରକାରୀ ଇତ୍ୟାଦି ହୋଇଥିଲେ ହେଁ ଏଠାରେ ଅନମିତ ଶବ୍ଦ ଲକ୍ଷ୍ଯହୀନ = ଵିଶୃଙ୍ଖଳିତ ଅର୍ଥରେ ଵ୍ଯଵହୃତ ହୋଇଅଛି ।

■ଵିଶୋଇ
ଓଡ଼ିଶାରେ ଆଗେ ରାଜକର୍ମଚାରୀମାନଙ୍କୁ ଵିଶୋଇ ଉପାଧି ପ୍ରାପ୍ତ ହେଉଥିଲା ଅଧୁନା ଏହା ଏକ ଉପନାମରେ ପରିଣତ ହୋଇଅଛି ।

■ଅଵରଣ
ଯାହାକୁ ଵରଣ ଵା ନିମନ୍ତ୍ରଣ କରାଯାଇନାହିଁ ସେ ଅଵରଣ ଅଟେ ।

■ମଧ୍ଯପାତ୍ର
ମଧ୍ଯସ୍ଥି ଲୋକଙ୍କୁ ଆମ ଭାଷାରେ ମଧ୍ଯପାତ୍ର ମଧ୍ୟ କୁହାଯାଇଥାଏ

■ଅଥାପନ
ଏ ଶବ୍ଦଟି ସମ୍ଭଵତଃ ଅସ୍ଥାପନ ସହିତ ସମଦ୍ଧୃତ ।  ସ୍ଥାପନ ଵା ଥାପନ ଶବ୍ଦର ମୂଳ ସ୍ଥା ଧାତୁ ଏଵଂ ଏଥିରେ ସ୍ଥିର ହୋଇ ରହିଵାର ଭାଵ ଲୁଚି ରହିଛି । ତେଣୁ ନାହିଁ ଅର୍ଥରେ 'ଅ' ପ୍ରତ୍ଯୟ ଲାଗି ସୃଷ୍ଟ ଅଥାପନ ଶବ୍ଦ ଏଠାରେ  ଅସ୍ଵୀକୃତ,ଅସ୍ଥିରମତି,ଵିଶୃଙ୍ଖଳିତ ଅର୍ଥରେ ପ୍ରୟୋଗ ହୋଇଥିଵା ସହଜେ ଅନୁମେୟ ।

■ଛତ୍ରୀ
ଛତ୍ରୀ ଶବ୍ଦ କ୍ଷତ୍ରିୟ ଶବ୍ଦର ଓଡ଼ିଆ ରୂପ ଵିଶେଷ । ସମ୍ଭଵତଃ ଏଠାରେ ଛତ୍ରୀ ଶବ୍ଦ ଯୋଦ୍ଧା ଅର୍ଥରେ ଵ୍ଯଵହୃତ ହୋଇଅଛି ।

■ମଇତ୍ର

ଓଡ଼ିଆ ଭାଷାରେ ମିତ୍ର ଶବ୍ଦ ମଇତ୍ର ହୋଇ ଆଜି ବି ଚଳୁଅଛି ତେଵେ ସାରଳାମହାଭାରତରେ ଏ ଶବ୍ଦର ଵ୍ଯଵହାର ଏହାର ପ୍ରାଚୀନତା ପ୍ରମାଣ କରିଥାଏ ।

■ଭାରିଯା

ତତ୍ସମ ଭାର୍ଯ୍ୟା ଶବ୍ଦ ଓଡ଼ିଆ ଭାଷାରେ ଭାରିଯା ହୋଇ ପ୍ରଚଳିତ । ତେଵେ ଏଠାରେ "ଅଭାଵି ଭାରିଯା" ଶବ୍ଦ ଦୁର୍ଵଳମନା,ଗୁଣସଂକୀର୍ଣ୍ଣ ଵା କପଟାଚାରୀ ପତ୍ନୀ ଅର୍ଥରେ ଵ୍ଯଵହାର ହୋଇଅଛି

■ଆଈ
ପ୍ରାଚୀନ ଓଡ଼ିଶାରେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥ ଵ୍ଯଵହୃତ ହେଉଥିଲା । ଅଧୁନା ଏହା ମାତାଙ୍କ ମାଆଙ୍କୁ ସମ୍ବୋଧନାର୍ଥ ଵ୍ଯଵହୃତ ହେଉଅଛି । ଆଈ ଶବ୍ଦ ସାରଳାମହାଭାରତ ପରି ଅନେକ ପ୍ରାଚୀନ କାଵ୍ଯରେ ମାତା ଅର୍ଥରେ ବହୁଳ ଭାଵେ ଵ୍ଯଵହୃତ । ଆଜି ବି ସାନ୍ତାଳୀ ଆଦି ଓଡ଼ିଶାର ଅନେକ ଜନଜାତୀୟ ଭାଷାରେ ଆଈ ଶବ୍ଦ ସହ ସମସାଦୃଶ୍ଯ ମାତାଅର୍ଥଜ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି । ଏଠାରେ  କଳିହୁଡି ମାଆକୁ ଵିଵାଦପ୍ରିୟ ଆଇ କୁହାଯାଇଛି ।

ସାରଳାମହାଭାରତର ଭୀଷ୍ମପର୍ଵରେ ଥିଵା ଏଇ ପଦଟିର ସଂକ୍ଷେପରେ ଅର୍ଥ ହେଵ

●ଅନମିତ ଵିଶୋଇ = ଵିଶୃଙ୍ଖଳିତ ରାଜକର୍ମଚାରୀ

●ଅଵରଣ ମଧ୍ଯପାତ୍ର = ଵରଣ ଵା ନିୟନ୍ତ୍ରିତ ହୋଇନଥିଵା  ମଧ୍ଯସ୍ଥି

●ଅଥାପନ ଛତ୍ରୀ = ଅସ୍ଵୀକୃତ,ଅସ୍ଥିରମତି,ଵିଶୃଙ୍ଖଳିତ ଯୋଦ୍ଧା

●ଅଭାଵୀ ମଇତ୍ର = ଦୁଃଖୀ ମିତ୍ର

●ଅଭାଵି ଭାରିଯା = ଦୁର୍ଵଳମନା,ଗୁଣସଂକୀର୍ଣ୍ଣ ଵା କପଟାଚାରୀ ପତ୍ନୀ

●ଵିଵାଦପ୍ରିୟ ଆଇ = କଳିହୁଡି ମାଆ
ଏମାନେ ଵିଶ୍ଵାସଯୋଗ୍ଯ ନୁହନ୍ତି ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...