Friday, May 8, 2020

ସୁରତଵାସୀ ଓଡ଼ିଆଙ୍କୁ ଏତେ ଘୃଣାର କାରଣ କ’ଣ ?

ସୁରତଵାସୀ ଓଡ଼ିଆଙ୍କୁ ବହୁ ଆଗରୁ ଲୋକେ ଘୃଣା କରୁଛନ୍ତି ଏଟା ଆଜିର କଥା ନୁହେଁ । ଗଞ୍ଜାମ ଅଞ୍ଚଳ କଥା ମୁଁ ଜାଣିନି କିନ୍ତୁ ଅନ୍ୟ ଉପକୂଳିଆ ଜିଲ୍ଲାର ଲୋକେ ସୁରତରେ ରହୁଥିଵା ଓଡ଼ିଆଙ୍କୁ ଝିଅ ଦିଅନ୍ତି ନାହିଁ । ଖଡ଼ଗପୁରରେ ବସ୍ତା ବୋହୁଥିଵା ଯୁଵକକୁ ଝିଅ ଦେଇଦିଅନ୍ତି ପଛେ ଏମ୍ରୋଡରୀ,ହୀରାକଟା ଭଳି ଧୂଳି ବାଲି ଲାଗୁନଥିଵା କାମ କରୁଥିଵା ଲୋକଙ୍କୁ ଝିଅ ଦିଅନ୍ତି ନାହିଁ ।

ତେଵେ ଏହି ଘୃଣାର ଅନେକ ପୁରୁଣା କାରଣ ରହିଛି । ନିମ୍ନରେ ଈଶ୍ବରଙ୍କ ଦ୍ଵାରା ପ୍ରେରିତ ହୋଇ ତନ୍ମଧ୍ୟରୁ କେତୋଟିର ଉଲ୍ଲେଖ କରୁଅଛି ।

୧)ସୁରତଵାସୀ ଓଡ଼ିଆ ଲକ୍ଷ୍ମୀଛଡ଼ା

ଟ୍ରେନରେ ଆସିଲାଵେଳେ ଵସ୍ତ୍ର ମଇଳା ହେଇନଯାଉ ସେଥିପାଇଁ ସୁରତରୁ ଆସୁଥିଵା ଶ୍ରମିକମାନେ ସୁପରଫାଷ୍ଟ ଟ୍ରେନରେ ଆସୁଥିଵା ସମୟରେ ପୁରୁଣା ଵସ୍ତ୍ର ଓ ପାଣ୍ଡୋଇ ପିନ୍ଧି ଆସିଥାଆନ୍ତି । ଗାଆଁପାଖ ହେଲେ ସେମାନେ ପୁରୁଣା ପୋଷାକ ଓହ୍ଲେଇ ନୂଆ ଵସ୍ତ୍ର ପରିଧାନ କରିଥାଆନ୍ତି । ତେଵେ ଯେଉଁ ନଗରଵାସୀ ପାଠପଢୁ଼ଆ ବାବୁମାନେ ଟିକେଟ୍ ଖର୍ଚ୍ଚ ବଞ୍ଚେଇଵା ପାଇଁ ସୁରତାଗତ ଟ୍ରେନରେ ସମ୍ବଲପୁରଠାରୁ ଖୋର୍ଦ୍ଧାଯାଏଁ ଚଢ଼ନ୍ତି ସେମାନେ ଏମାନଙ୍କ ଭିକାରୀ ସମ ରୂପ ଦେଖି ଏମାନଙ୍କୁ ଲକ୍ଷ୍ମୀଛଡ଼ା ଭାଵିନିଅନ୍ତି । ଈହୁଦୀମାନଙ୍କୁ ଏକଦା ଏଇଭଳି ୟୁରୋପୀୟ ଦେଶଗୁଡି଼କରେ ଘୃଣା କରାଯାଉଥିଲା ।

୨)ସୁରତଵାସୀଙ୍କର ଅଶ୍ଳୀଳ ଭାଷା

ସାଧାରଣତଃ ସୁରତରେ ଗଞ୍ଜାମ ଜିଲ୍ଲାର ଲୋକଙ୍କ ସଂଖ୍ୟା ଅଧିକ । ସେମାନଙ୍କ ଭାଷାଶୈଳୀ କଟକୀ ଭାଷା ଶୈଳୀ ତୁଳନାରେ ସାମାନ୍ୟ ୧୮+ ଭଳି ଲାଗେ ତେଵେ ଉକ୍ତ ଜିଲ୍ଲାରେ ଏହା ସାଧାରଣ କଥା । ଏଭଳି ଭାଷାଶୈଳୀ କଟକିଆ ଓ ବାଲେଶରିଆଙ୍କୁ କର୍ଣ୍ଣକଟୁ ଲାଗିପାରେ କିନ୍ତୁ ଏହା ସେ ଜିଲ୍ଲାର ସ୍ଵାଭାଵିକ କଥିତ ଭାଷା ବୋଲି ସେମାନଙ୍କୁ ଜଣାନଥିଵାରୁ ସେମାନେ ସୁରତଵାସୀ ଓଡ଼ିଆଙ୍କୁ ଘୃଣା କରିଵା ଆରମ୍ଭ କରନ୍ତି ।  ଆମେରିକାରେ ବି କଥିତ ଇଂରାଜୀ ବହୁତ ଅଶ୍ଳୀଳ କିନ୍ତୁ ଟଙ୍କା ଯୋଗୁଁ ତାଙ୍କୁ କେହି ଘୃଣା କରନ୍ତି ନାହିଁ ।

୩)ଏଡ୍ସରୋଗ ଘୃଣା ବଢେ଼ଇଛି
୧୯୮୦ ମସିହାପରେ ଏଡ୍ସରୋଗ ନିଜର କାୟା ଵିସ୍ତାର କରି ଆମେରିକାରୁ ଆସି ଭାରତରେ ଆସିପହଞ୍ଚିଲା । ସେତେଵେଳେ ସୁରତରେ ଅନେକ ଦେହଵେପାରୀ ରୋଗଗ୍ରସ୍ତ ହେଲେ ଏଵଂ ଯେଉଁ ହାତଗଣତି କିଛି ଓଡିଆ ଲୋକ ସେମାନଙ୍କ ପାଖକୁ ଯାଉଥିଲେ ସେମାନେ ବି ସେ ରୋଗରେ ପଡି଼ ତାକୁ ଓଡ଼ିଶା ଆଣିଲେ । କିଛି ଦିନରେ ସାରା ଗଞ୍ଜାମରେ ଏଡ୍ସରୋଗୀ ହିଁ ଏଡ୍ସରୋଗୀ ହୋଇଯାଇଥିଲେ । ଏକଥା ଯେତେଵେଳେ ଟିଵିରେ ଆସିଲା , ସମ୍ବାଦପତ୍ରରେ ଛପିଲା ଲୋକେ କେତେଟା ଲୋକଙ୍କ ପାଇଁ ସବୁ ସୁରତଵାସୀ ଓଡ଼ିଆଙ୍କୁ ଲମ୍ପଟ ଵିଚାର କରି ଘୃଣା କରିଵା ଆରମ୍ଭ କରିଦେଲେ ।

୪)ମଦ ,ଗଞ୍ଜେଇ ଓ ଜୁଆ ଘୃଣାର ଗୌଣ କାରଣ

ସୁରତରେ ଅନେକ ଭଲପିଲା ବି ଆସିକି ମଦୁଆ,ଗଞ୍ଜେଇଆ ଓ ଜୁଆଡି଼ ହେଇଯାଇଛନ୍ତି । ଏଭଳି ଲୋକଙ୍କୁ ଓଡ଼ିଶାରେ ସଭ୍ଯ ଲୋକେ ଘୃଣା କରିଵା ସ୍ଵାଭାଵିକ କଥା । ସୁରତଫେରନ୍ତା ଟ୍ରେନରେ ସଭ୍ଯଲୋକେ ବିନା ଟିକେଟ୍ ଯାତ୍ରା କଲା ସମୟରେ ଏମାନେ ଗଞ୍ଜେଇ ପିଉଥିଵେ,ମଦ ପିଉଥିଵେ ଓ ଜୁଆ ଖେଳୁଥିଵେ ତ ସେମାନେ ଏମାନଙ୍କୁ ଅସାମାଜିକ ଭାଵିଵେ ହିଁ ଭାଵିଵେ...

୫)ଈର୍ଷ୍ୟା ଓ ଦ୍ଵେଷ ବି ଘୃଣା ବଢା଼ଏ

ସୁରତରେ ବହୁତ ଭଲ ଲୋକ ବି ଅଛନ୍ତି ସେମାନେ ଵ୍ଯସନ ପଛରେ ନପଡି଼ ନିଜ ମାଆବାପାଙ୍କ ପାଇଁ ,ପିଲାଛୁଆଙ୍କ ପାଇଁ ଦିନରାତି ଖଟନ୍ତି । ଏଭଳି ଲୋକେ ଗାଆଁରେ ଭଲ ଘର ଗାଡ଼ି କରିଦେଲେ ଗାଆଁର ଵେକାରିଆମାନଙ୍କ ମନରେ ଈର୍ଷ୍ୟା ଜାତ ହୁଏ । ସେ ଈର୍ଷ୍ୟା ଆଗକୁ ଦ୍ଵେଷ ଓ ଘୃଣାରେ ବଦଳିଯାଏ ।

୬)ଭୟ ହିଁ ଘୃଣାର ଜନନୀ

ସାମ୍ପ୍ରତିକ ସମୟରେ କରୋନା ସଂକ୍ରମଣ ଜନିତ ଭୟ ନିକଟରେ ବହୁଦିନ ଧରି ସୁରତଵାସୀଙ୍କ ପ୍ରତି ଥିଵା ଘୃଣା ଶହ ଶହ ଗୁଣ ଵୃଦ୍ଧିପାଇଛି । ଆଗେ ଗଞ୍ଜାମର ଲୋକେ ସୁରତଵାସୀ ଓଡ଼ିଆଙ୍କ ପ୍ରତି ସେତେ ଘୃଣା କରୁନଥିଲେ କିନ୍ତୁ ଵର୍ତ୍ତମାନ ସମୟରେ ନିଜ ଅଞ୍ଚଳର ଲୋକ ହୋଇ ବି ସେମାନେ ସୁରତଫେରନ୍ତାଙ୍କ ଉପରକୁ ପଥର ମାରୁଛନ୍ତି ସେମାନଙ୍କୁ ଗାଳୀ କରୁଛନ୍ତି । ଏହା ପଛରେ ରହିଛି କରୋନା ଜନିତ ସଂକ୍ରମଣ ହେଵାର ଭୟ । ଭୟ ଯୋଗୁଁ ମନୁଷ୍ୟ ଘୃଣା କରିଥାଏ

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...