Saturday, July 5, 2025

ବାର୍ବରା ମାକଲ୍‌ଙ୍କ ଅପହରଣ : ଏକ ଜିଅନ୍ତା କବରର କାହାଣୀ

୧୯୬୮ ମସିହା ଡିସେମ୍ବର ୧୭ ତାରିଖ, ସକାଳ ପ୍ରାୟ ୪ଟା ବେଳେ ଆମେରିକାର ଜର୍ଜିଆ ରାଜ୍ୟରେ ଥିଵା ଆଟଲାଣ୍ଟା ସହରର ରୋଡୱେ ଇନ୍‌ ନାମକ ମୋଟେଲରେ ଏକ ଅଭାଵନୀୟ ଘଟଣା ଘଟିଲା। ଏହି ଘଟଣାକୁ 
"Kidnapping of Barbara Mackle" ନାମରେ ଜଣାଯାଏ । 

ବାର୍ବାରା ମାକଲ୍‌, ଏକ ସମ୍ଭ୍ରାନ୍ତ ପରିଵାରରେ ଜନ୍ମିତ ୨୦ ଵର୍ଷୀୟା ଯୁଵତୀ, ସେତେବେଳେ ଆଟଲାଣ୍ଟାର ଏମୋରୀ ଵିଶ୍ୱଵିଦ୍ୟାଳୟରେ ପାଠ ପଢୁଥିଲେ। ତାଙ୍କ ପିତା ରବର୍ଟ ମାକଲ୍‌ ଥିଲେ ଫ୍ଲୋରିଡାର ଜଣେ ଧନୀ ପ୍ରୋପର୍ଟି ଡେଵ୍‌ଲପର୍ ଏଵଂ ଡେଲ୍‌ଟୋନା କର୍ପୋରେସନ୍‌ର ସହ-ପ୍ରତିଷ୍ଠାତା, ଯାହାର ମୂଲ୍ୟ ସେତେବେଳେ ପ୍ରାୟ ୬୫ ନିୟୁତ ଡଲାର(ଵର୍ତ୍ତମାନ ଏହା ପ୍ରାୟ ୫୫୨.୫ ନିୟୁତ ଡଲାର ସହିତ ସମାନ) ଥିଲା। ବାର୍ବାରାଙ୍କୁ ହଂକଂ ଫ୍ଲୁ ରୋଗ ହେଵାରୁ ତାଙ୍କ ମାଆ ଜେନ୍‌ ତାଙ୍କୁ କ୍ରିସ୍‌ମାସ ଛୁଟିରେ ଘରକୁ ଫେରାଇ ନେଵା ପାଇଁ ଆଟଲାଣ୍ଟା ଆସିଥିଲେ। ସେମାନେ ରୋଡୱେ ଇନ୍‌ରେ ଏକ ରୁମ୍‌ରେ ରହିଥିଲେ।

ସେହି ରାତିରେ, ମାଆ ଓ ଝିଅ ଶୟନ ପୂର୍ଵରୁ ଘରକଥା ହେଉଥିଲେ ଏତିକିବେଳେ କେହି ଜଣେ ରୁମ୍‌ର କବାଟ ଠକ୍ ଠକ୍ କଲା। ଜଣେ ଵ୍ୟକ୍ତି ନିଜକୁ ଡିଟେକ୍ଟିଵ୍ ବୋଲି ପରିଚୟ ଦେଇ କହିଲା ଯେ ବାର୍ବାରାଙ୍କ ପ୍ରେମିକ ଷ୍ଟୁଆର୍ଟ ହଣ୍ଟ ୱୁଡୱାର୍ଡଙ୍କର ଏକ କାର ଦୁର୍ଘଟଣା ଘଟିଛି। ଏହା ଶୁଣି ବାର୍ବରାଙ୍କ ମାଆ ଜେନ୍‌ ଭୟଭୀତ ହୋଇ କବାଟ ଖୋଲିଦେଲେ।

ପ୍ରକୃତରେ ସେମାନେ ଡିଟେକ୍ଟିଵ୍ ନୁହେଁ ଦୁଇ ଅପରାଧୀ ଥିଲେ । ମୁଖ୍ୟ ଅପରାଧି ଗ୍ୟାରୀ ଷ୍ଟିଵେନ୍‌ କ୍ରିଷ୍ଟ ଜଣେ କୁଖ୍ୟାତ ଜେଲ୍‌-ଫେରାର ଅପରାଧୀ ଏଵଂ ତାହାର ମହିଳା ସାଥି ରୁଥ୍‌ ଆଇସେମାନ୍‌-ଶିଅର୍‌ ମାସ୍କ ପିନ୍ଧି ରୁମ୍ କବାଟ ଠକ୍ ଠକ୍ କରୁଥିଲେ । 

ତେବେ ଜେନ୍ ଯେମିତି କବାଟ ଖେଲି ଦେଇଛନ୍ତି ହଠାତ୍ ଦୁଇଜଣ ଲୋକ ରୁମ୍ ଭିତରକୁ ପଶିଆସି ଏକ ବନ୍ଧୁକ ଧରି ଜେନ୍‌ଙ୍କୁ କ୍ଲୋରୋଫର୍ମ ଦେଇ ଅଚେତ କରିଦେଲେ ଓ ତାଙ୍କ ହାତପାଦ ବାନ୍ଧି ପକାଇଲେ। ବାର୍ବାରାଙ୍କୁ ବନ୍ଧୁକ ଦେଖାଇ ଯୋର୍ କରି ଏକ ନୀଳ ରଙ୍ଗର ଵଲଵୋ ଷ୍ଟେସନ୍‌ ୱାଗନ୍‌ରେ ବସାଇ ନେଇଗଲେ। ସେମାନେ ବାର୍ବାରାଙ୍କୁ ଆଟ୍‌ଲାଣ୍ଟାରୁ ପ୍ରାୟ ୨୦ ମାଇଲ ଦୂରରେ ଗ୍ୱିନେଟ୍‌ କାଉଣ୍ଟିର ଏକ ଘଞ୍ଚ ପାଇନ୍‌ ଜଙ୍ଗଲକୁ ନେଇଗଲେ। ସେଠାରେ ପୂର୍ଵରୁ ଖୋଳା ହୋଇଥିଵା ଗୋଟାଏ ଗାଡ଼ରେ ଏକ ଫାଇବରଗ୍ଲାସ୍‌-ସୁରକ୍ଷିତ ବାକ୍ସ ରହିଥିଲା। ଏହି ବାକ୍ସ ଭିତରେ ଥିଲା ଏକ ଏୟାର ପମ୍ପ, ବ୍ୟାଟେରୀ-ଚାଳିତ ଲାମ୍ପ, ଔଷଧ ମିଶା ପାଣି ଓ କିଛି ଖାଦ୍ୟ। ବାର୍ବାରାଙ୍କୁ ଏହି ବାକ୍ସ ଭିତରେ ଶୋଇଵାକୁ ବାଧ୍ୟ କରାଗଲା। ସେ କାନ୍ଦି କାନ୍ଦି ଅନୁନୟ କଲେ, କିନ୍ତୁ ଅପହରଣକାରୀମାନେ ତାଙ୍କୁ କ୍ଲୋରୋଫର୍ମ ଦେଇ ବାକ୍ସ ଭିତରେ ପୁରାଇ ଢାଙ୍କୁଣୀ ବନ୍ଦ କରିଦେଲେ। ତା’ପରେ ସେମାନେ ବାକ୍ସ ଉପରେ ମାଟି ପକାଇ ବାର୍ବାରାଙ୍କୁ ଜୀଅନ୍ତା ପୋତି ଦେଲେ।

ବାର୍ବାରା ଅନ୍ଧକାର ବାକ୍ସ ଭିତରେ ଏକା ଥିଲେ। ତାଙ୍କ ମନରେ ଭୀଷଣ ଭୟ ଜାତ ହେଉଥିଲେ ବି ସେ ଏହି ଵିପତ୍ତିକୁ ମୁକୁଳିଯିବେ ବୋଲି ଆଶା ରଖିଥିଲେ। 

ବାର୍ବରା ମାଟିତଳେ ବାକ୍ସ ମଧ୍ୟରେ ପୋତି ହୋଇ ନିଜକୁ ଶାନ୍ତ ରଖିଵା ପାଇଁ କ୍ରିସ୍‌ମାସ ସମୟରେ ପରିଵାର ସହ ଆନନ୍ଦ କରୁଥିଵାର କଳ୍ପନା କରୁଥିଲେ। ସେ ନିଶ୍ଚିତ ଥିଲେ ଯେ ତାଙ୍କୁ ଉଦ୍ଧାର କରାଯିଵ। 

ଅପହରଣକାରୀମାନେ ବାର୍ବାରାଙ୍କ ପିତାଙ୍କୁ ୫୦୦,୦୦୦ ଡଲାର (୨୦୨୫ ମୂଲ୍ୟରେ ପ୍ରାୟ ୪.୬ ନିୟୁତ ଡଲାର) ମୁକ୍ତିପଣ(ransom) ଦାବି କଲେ। ରବର୍ଟ ମାକଲ୍‌ ତୁରନ୍ତ ଏହା ଦେଵାକୁ ରାଜି ହେଲେ। ପ୍ରଥମ ମୁକ୍ତିପଣ(ransom) ପ୍ରୟାସ ଵିଫଳ ହେଲା କାରଣ ଦୁଇ ପୋଲିସ୍‌ ଅଫିସର ଅଜାଣତରେ ସେହି ସ୍ଥାନ ଦେଇ ଗାଡ଼ି ଚଲାଇ ଚାଲିଯାଇଥିଲେ ଫଳତଃ ତାହା ଦେଖି ଅପହରଣକାରୀମାନେ ଗାଡ଼ି ଛାଡ଼ି ପଳାଇଲେ। 

ଅପହରଣର ଏଫ୍‌ବିଆଇ ତଦନ୍ତ ଆରମ୍ଭ କଲା। ଅପହରଣକାରୀମାନେ ଛାଡ଼ିଥିଵା ଗାଡ଼ିରୁ କିଛି ପ୍ରମାଣ ମିଳିଲା—ଫୋଟୋ, କ୍ଲୋରୋଫର୍ମ ଓ ଜର୍ଜ ଡିକନ୍‌ ନାମକ ଜଣେ ଵ୍ୟକ୍ତି ନାମରେ ଗାଡ଼ି ରେଜିଷ୍ଟ୍ରେସନ୍‌ ହୋଇଥିଵାର ଜଣାପଡ଼ିଲା । ପରେ ତଦନ୍ତରୁ ଜଣାପଡ଼ିଲା ଯେ ଜର୍ଜ ଡିକନ୍‌ ଗାରୀ କ୍ରିଷ୍ଟର ଛଦ୍ମନାମ ନାମ ଥିଲା । ୧୯୬୬ରେ କାଲିଫର୍ଣ୍ଣିଆର ଏକ ଜେଲରୁ ପଳାୟନ କଲାପରେ ଗାରୀ କ୍ରିଷ୍ଟ୍ ଏହି ଛଦ୍ମନାମ ରଖି ଜାଲ୍ କାଗଜପତ୍ର କରିଥିଲା। ଦ୍ୱିତୀୟ ମୁକ୍ତିପଣ(ransom) ପ୍ରୟାସ ସଫଳ ହେଲା ଏଵଂ ବାର୍ବରାଙ୍କ ବାପା ରବର୍ଟ ମାକଲ୍‌ ମିଆମିର ଏକ ସ୍ଥାନରେ ଟଙ୍କା ରଖି ଆସିଲେ। ଏହାପରେ ଅପହରଣକାରୀ କ୍ରିଷ୍ଟ ଏଫ୍‌ବିଆଇକୁ ଫୋନ୍‌ କରି ବାର୍ବାରାଙ୍କ ଅଵସ୍ଥାନର ଏକ ଅସ୍ପଷ୍ଟ ଵିଵରଣୀ ଦେଲା। 

୮୩ ଘଣ୍ଟାର ନିଷ୍ଠୁର ଅନ୍ଧକାର ଓ ନିର୍ଜନତା ପରେ, ୧୦୦ରୁ ଅଧିକ ଏଫ୍‌ବିଆଇ ଏଜେଣ୍ଟଙ୍କ ଅକ୍ଲାନ୍ତ ଖୋଜାଖୋଜି ଫଳଦାୟୀ ହେଲା। ଡିସେମ୍ବର ୨୦, ୧୯୬୮ରେ ସେମାନେ ଗ୍ୱିନେଟ୍‌ କାଉଣ୍ଟିର ଏକ ଜଙ୍ଗଲରେ ବାର୍ବାରାଙ୍କୁ ଖୋଳି ବାହାର କଲେ। ବାର୍ବରା ଶାରୀରିକ ଭାବେ ଅକ୍ଷତ ଥିଲେ କିନ୍ତୁ ଭୟଙ୍କର ମାନସିକ ଆଘାତ ଅନୁଭଵ କରୁଥିଲେ। ତେବେ ବାର୍ବରାଙ୍କ ଅଦମ୍ୟ ଆଶା ଓ ଧୈର୍ଯ୍ୟ ତାଙ୍କୁ ଏହି ଭୟଙ୍କର ଅଵସ୍ଥାରୁ ବଞ୍ଚାଇଥିଲା। 

୧୭ରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ପ୍ରାୟ ୮୩ ଘଣ୍ଟା ଧରି ବାର୍ବରା ମାକଲ୍ ମାଟି ତଳେ ଏକ ବାକ୍ସ ମଧ୍ୟରେ ପୋତା ହୋଇ ରହିଥିଲେ ।‌ ତାଙ୍କର ମୁକ୍ତିର ଦୁଇ ପରେ ୧୯୬୮ ଡିସେମ୍ବର ୨୨ରେ ଗ୍ୟାରୀ କ୍ରିଷ୍ଟକୁ ଫ୍ଲୋରିଡାର ହଗ୍ ଆଇଲ୍ୟାଣ୍ଡରୁ ଧରାଗଲା । 

ଅପହରଣର ୭୯ ଦିନ ପରେ,ଓକ୍ଲାହୋମାରେ ଏକ ହସ୍ପିଟାଲରେ ଚାକିରି ଆଵେଦନ ଦେଵାକୁ ଆସିଥିଵା ଗ୍ୟାରୀ କ୍ରିଷ୍ଟର ମହିଳା ସାଥି ରୁଥ୍‌ ଆଇସେମାନ୍‌-ଶିଅର୍‌କୁ ୧୯୬୯ ମାର୍ଚ୍ଚ ୫ରେ ଓକଲାହୋମାରୁ ଗିରଫ କରାଗଲା । ମୁଖ୍ୟ ଅପରାଧି କ୍ରିଷ୍ଟକୁ ଆଜୀଵନ କାରାଦଣ୍ଡ ଦିଆଗଲା, କିନ୍ତୁ ୧୦ ଵର୍ଷ ପରେ ସେ ପାରୋଲ୍‌ରେ ମୁକ୍ତି ପାଇଲା। ରୁଥ୍‌କୁ ମଧ୍ୟ ଦଣ୍ଡ ମିଳିଲା, କିନ୍ତୁ ସେ କିଛି ଵର୍ଷ ପରେ ମୁକ୍ତ ହେଲା। 

ବାର୍ବାରା ନିଜର ଅନୁଭଵକୁ ଏକ ପୁସ୍ତକ “83 Hours Till Dawn”ରେ ଲେଖିଲେ, ଯାହା ୧୯୭୧ରେ ପ୍ରକାଶିତ ହେଲା। ଏହା ଦୁଇଟି ଟେଲିଭିଜନ୍‌ ଚଳଚ୍ଚିତ୍ରର ଆଧାର ହେଲା। ସେ ପରେ ଷ୍ଟୁଆର୍ଟ ୱୁଡୱାର୍ଡଙ୍କୁ ଵିଵାହ କଲେ, ଦୁଇ ସନ୍ତାନର ମାଆ ହେଲେ ଏଵଂ ଆଟଲାଣ୍ଟାରେ ଶାନ୍ତି ସହକାରେ ଜୀଵନ ଯାପନ କଲେ। ତାଙ୍କ ସାହସ ଓ ଧୈର୍ଯ୍ୟର ଏହି କାହାଣୀ ମଣିଷର ଅଦମ୍ୟ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ।

••••••••••••••••••••••••••••••••••
ବାର୍ବରା ୮୩ ଘଣ୍ଟା ଧରି ଏକ ଅନ୍ଧକାର, ସଙ୍କୁଚିତ ଫାଇବରଗ୍ଲାସ୍ ବାକ୍ସରେ ପୋତା ହୋଇ ରହିଥିଲେ, ଯେଉଁଥିରେ ଅକ୍ସିଜେନ, ଖାଦ୍ୟ, ଓ ପାଣିର ଅଭାବ ଥିଲା। ଏତେ ଭୟଙ୍କର ପରିସ୍ଥିତିରେ ମଧ୍ୟ ସେ ନିଜକୁ ଶାନ୍ତ ରଖିଵା ପାଇଁ ପରିଵାର ସହ କ୍ରିସ୍‌ମାସ ଉତ୍ସବର କଳ୍ପନା କରୁଥିଲେ। ଏହା ମନୋଵିଜ୍ଞାନରେ ସହନଶୀଳ ପଦ୍ଧତି(coping mechanism)ର ଏକ ଉଦାହରଣ। ଏହା ସକାରାତ୍ମକ ଵୀକ୍ଷଣ(positive visualization) ଓ ମାନସିକ ସ୍ଥିତିସ୍ଥାପକତା (mental resilience) ଦର୍ଶାଏ, ଯାହା ମଣିଷକୁ ଚରମ ମାନସିକ ଚାପ ମଧ୍ୟରେ ବି ବଞ୍ଚିଵାରେ ସାହାଯ୍ୟ କରେ।

ସେହିପରି ବାର୍ବରା ୮୩ ଘଣ୍ଟା ଧରି ସୀମିତ ଅକ୍ସିଜେନ, ଖାଦ୍ୟ, ଓ ପାଣି ସହ ବାକ୍ସରେ ବଞ୍ଚିଥିଲେ। ଏହା ମାନଵ ଶରୀରର ଦୈହିକ ସ୍ଵୀକରଣ(physiological adaptation) ଦର୍ଶାଏ। ପୁଣି ସୀମିତ ଅକ୍ସିଜେନ ଓ ଖାଦ୍ୟ ସତ୍ତ୍ୱେ ବାର୍ବରା ଜୀଵିତ ରହିଥିଲେ, ଯାହା ମାନଵ ଶରୀରର ଚୟାପଚୟୀ ପ୍ରତିକ୍ରିୟା (metabolic response) ଓ ଷ୍ଟ୍ରେସ୍ ହରମୋନ୍ (stress hormones ଯେମିତି cortisol) ର ଭୂମିକା ଦର୍ଶାଏ। ଏହି ଘଟଣାର ଅଧ୍ୟୟନରେ ହାଇପୋକ୍ସିଆ (hypoxia) ଓ ଡିହାଇଡ୍ରେସନ୍(dehydration) ପରି ଅଵସ୍ଥାରେ ଶରୀର କିପରି କାର୍ଯ୍ୟ କରେ, ତାହା ବୁଝାଯାଇପାରେ।
  
ଅପହରଣକାରୀମାନେ ବାର୍ବରାଙ୍କୁ ରଖିଵା ପାଇଁ ଏକ ଫାଇବରଗ୍ଲାସ୍-ସୁରକ୍ଷିତ ବାକ୍ସ ତିଆରି କରିଥିଲେ, ଯେଉଁଥିରେ ଏୟାର ପମ୍ପ୍, ବ୍ୟାଟେରୀ-ଚାଳିତ ଲାମ୍ପ ,ପାଣି ଓ ଖାଦ୍ୟ ରହିଥିଲା। ଏଥିରୁ ଜଣାଯାଏ ଯେ ଅପରାଧୀଙ୍କୁ ମେକାନିକାଲ ଇଞ୍ଜିନିୟରିଂ ଓ ବାୟୋଇଞ୍ଜିନିୟରିଂ ଵିଷୟରେ ଜଣାଥିଲା । ବାକ୍ସଟି ଏକ ସୀମିତ ପରିବେଶରେ ମଣିଷକୁ ଜୀଵନ୍ତ ରଖିଵା ପାଇଁ ଡିଜାଇନ୍ କରାଯାଇଥିଲା, ଯେଉଁଥିରେ ଅକ୍ସିଜେନ ଯୋଗାଣ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ସରଳ ପ୍ରଯୁକ୍ତି ଵ୍ୟଵହାର ହୋଇଥିଲା। ତେବେ ଵର୍ଷ ଵର୍ଷ ଧରି ପରିଶ୍ରମ କରି ଅର୍ଜିଥିଵା ଵୈଜ୍ଞାନିକ ଓ ପ୍ରଯୁକ୍ତିଗତ ଜ୍ଞାନର ଦୁରୁପଯୋଗ କରି ଅପରାଧୀମାନେ ଶେଷରେ ଦଣ୍ଡ ଭୋଗିଲେ । ବାର୍ବରା ମାକଲ୍‌ଙ୍କ ଅପହରଣ ଘଟଣାରୁ ଏହା ମଧ୍ୟ ଶିକ୍ଷା ମିଳେ ଯେ ଜ୍ଞାନର ସଦା ସର୍ଵଦା ସଦୁପଯୋଗ ହେଵା ଉଚିତ ଅନ୍ୟଥା ଶେଷରେ ଦଣ୍ଡ ଭୋଗିଵା ସାର ହୁଏ । 

ଏଫ୍‌ବିଆଇର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକା ଏକ ସରକାରୀ ତାଲିକା ଯେଉଁଥିରେ ଏଫ୍‌ବିଆଇ ଗୁରୁତର ଅପରାଧ ସହ ଜଡ଼ିତ ଓ ଫେରାର ଅପରାଧୀମାନଙ୍କୁ ରଖିଥାଏ, ଯାହାଙ୍କୁ ଧରିଵା ପାଇଁ ଜନସାଧାରଣଙ୍କ ସହାୟତା ଆଵଶ୍ୟକ ହୋଇଥାଏ। ଏହି ତାଲିକାରେ ସ୍ଥାନ ପାଇଵା ଅର୍ଥ ଅପରାଧୀଙ୍କ ଅପରାଧ ଗୁରୁତର ଏଵଂ ତାଙ୍କୁ ଧରିଵା ଅତ୍ୟନ୍ତ ଜରୁରୀ। ୧୯୬୮ ପର୍ଯ୍ୟନ୍ତ ଏଫ୍‌ବିଆଇର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ କୌଣସି ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ବାର୍ବରା ମ୍ୟାକଲ୍‌ଙ୍କ ଅପହରଣ ମାମଲାରେ ରୁଥ୍‌ ଆଇସେମାନ୍‌-ଶିଅର୍‌କୁ ଜଡ଼ିତ ଥିଵା କାରଣରୁ ସେ ଏହି ତାଲିକାରେ ୧୯୬୮ ଡିସେମ୍ବର ୨୦ରେ ପ୍ରଥମ ମହିଳା ଭାବେ ସ୍ଥାନ ମିଳିଥିଲା । କଥାରେ ଅଛି ମନ୍ଦିର ତୋଳିଲେ ନାଆଁ ବାଟରେ ଵିଷ୍ଟା ତ୍ୟାଗକରି ବି ନାଆଁ । ସେହି ନ୍ୟାୟରେ ଅପହରଣକାରିଣୀ ରୁଥ୍ ଅପରାଧ କରି ବି ଇତିହାସରେ ନିଜର ନାଆଁ ଲେଖାଇଵାରେ ସଫଳ ହୋଇଯାଇଛି । 
•••••••••••••••••••••••••••••••••
 

No comments:

Post a Comment

ଇଂରାଜୀ ଭାଷାର ଜନ୍ମ ଇତିହାସ(ମଜାକଥା)

ଉପରୁ ଉପରୁ ଦେଖିଲେ ଇଂରାଜୀ ଭାଷାଟା ଗୋଟିଏ ପ୍ରାକୃତିକ ଭାଷା ଜଣାପଡ଼େ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାକୁ ସ୍ଵୟଂ ଭଗଵାନ ସୃଷ୍ଟି କରିଥିଲେ ।‌ ଏ ଵିଷୟରେ ଏକ ଜଣାଶୁଣା ...