ଵର୍ଷ ୨୦୨୫, ଅଗଷ୍ଟ ମାସ ୧୩ ତାରିଖ ସକାଳ ସାତଟା ହୋଇଥିଲା । ଦିଲ୍ଲୀର ଧୂଳିମୟ ରାସ୍ତାରେ ଜଣେ ଭାରତୀୟ ଯୁଵକ "ଵିନୋଦ" ତା’ର ପୁରୁଣା ଧଡ଼ଧଡ଼ିଆ ସାଇକେଲର ପେଡାଲ୍ ମାରି ମାରି ଚାନ୍ଦିନୀ ଚଉକ ଆଡ଼କୁ ଚାଲିଯାଉଛି । ରାସ୍ତାର ଦୁଇ ପାର୍ଶ୍ଵସ୍ଥ ସରକାରୀ ଭଵନଗୁଡ଼ିକରେ ବ୍ରିଟିଶ ପତାକା ଫର୍ ଫର୍ ହୋଇ ଉଡ଼ୁଛି। ଵିନୋଦ ଯେବେବି ସେ ଵିଦେଶୀ ପତକାକୁ ଦେଖେ ତା ମନରେ ଏକ ଅଜଣା ଅସନ୍ତୋଷ ଜଳିଉଠେ।
ସେ ତା’ର ବାପାଙ୍କଠାରୁ ସ୍ୱାଧୀନତା ସଂଗ୍ରାମର କାହାଣୀ ଶୁଣିଛି—କିପରି ସୁଭାଷ ବୋଷଙ୍କ ସଶସ୍ତ୍ର ଵିପ୍ଳଵ ଏଵଂ ୧୯୪୬ ଭାରତୀୟ ସୈନ୍ୟଙ୍କ ଵିପ୍ଳଵ ଵିଫଳ ହୋଇଥିଲା ଇତ୍ୟାଦି । ଫେବୃଆରୀ ୧୮, ୧୯୪୬ରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ)ରେ ରୟାଲ ଇଣ୍ଡିଆନ ନେଭି ମ୍ୟୁଟିନି
ଆରମ୍ଭ ହୋଇଥିଲା । ଭାରତୀୟ ନୌସୈନିକମାନେ ବ୍ରିଟିଶ ଶାସନ ଵିରୁଦ୍ଧରେ, ଖରାପ କାର୍ଯ୍ୟପରିସ୍ଥିତି, ଵର୍ଣ୍ଣଵୈଷମ୍ୟ ଓ ସ୍ୱାଧୀନତା ଦାବି ପାଇଁ ଵିଦ୍ରୋହ କରିଥିଲେ। ଏହି ଆନ୍ଦୋଳନ ଦେଶର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଵ୍ୟାପିଥିଲା । ପରେ ଭାରତୀୟ ସେନା ଓ ପୁଲିସ ଵିଭାଗରେ କାମ କରୁଥିଵା ଭାରତୀୟମାନେ ବି ଏଥିରେ ଯୋଗ ଦେଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜିନା ଆଦି ନେତାମାନେ ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହୃତ କରି ନେଵା ପାଇଁ ଅନୁରୋଧ କରିଥିଲେ କିନ୍ତୁ ତାକୁ ଆନ୍ଦୋଳନକାରୀମାନେ ମାନିଲେ ନାହିଁ । ସେଇଦିନ ଅଜ୍ଞାତ କାରଣରୁ ସର୍ଦ୍ଦାର ପଟେଲଙ୍କର ହତ୍ୟା ହୋଇଗଲା ଏଵଂ ଜିନାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା ଫଳତଃ Earth 22765ର ଇତିହାସ ହିଁ ବଦଳିଗଲା ।
ତତ୍କାଳୀନ କଂଗ୍ରେସ ଓ ମୁସଲିମ ଲିଗ୍ର ନେତା ଓ ସମର୍ଥକମାନେ ଆନ୍ଦୋଳନକାରୀଙ୍କ ଵିରୋଧୀ ହୋଇଗଲେ । ଉଭୟଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗିଗଲା । ଏହାର ସୁଯୋଗ ନେଇ ଇଂରେଜମାନେ ଆନ୍ଦୋଳନ ଉପରେ ନିୟନ୍ତ୍ରଣ ରଖିଵାକୁ ଚେଷ୍ଟା କଲେ ।
ଭୀଷଣ ସୈନ୍ୟ ଵିଦ୍ରୋହ ଦେଖି ତତ୍କାଳୀନ ଇଂରେଜ ଶାସନ ଯୁକ୍ତରାଷ୍ଟ୍ର ଆମେରିକାର ସାହାଯ୍ୟ ଲୋଡ଼ିଲେ । ସେତେବେଳେ ଡୋନାଲ୍ଡ ଟ୍ରମ୍ପ୍ USAର ରାଷ୍ଟ୍ରପତି ଥାଆନ୍ତି ।
ୱିନେସେଣ୍ଟ୍ ଚର୍ଚ୍ଚିଲ୍ ତାଙ୍କୁ ନିଜର ପୁଅ ତୁଲ୍ୟ ସ୍ନେହ କରୁଥିଲେ । ଟ୍ରମ୍ପ୍ ମଧ୍ୟ ଚର୍ଚ୍ଚିଲଙ୍କୁ ନିଜର ଗୁରୁ ପରି ମାନୁଥିଲେ । ତେଣୁ ସେ କାଳ ବିଳମ୍ବ ନକରି ଭାରତକୁ ଆମେରିକୀୟ ସେନା ପଠାଇଦେଲେ । ଆମେରିକୀୟ ସୈନିକମାନେ ଇଂରେଜମାନଙ୍କ ସହିତ ମିଶି ଦମନ ଲୀଳା ଚଳାଇଲେ । ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଅଧିକାଂଶ ମଲେ ଏଵଂ ଯୋଉମାନେ ବଞ୍ଚିଗଲେ ସେମାନେ ଗୁପ୍ତରୂପେ ଲୁଚିଗଲେ ଓ ଵିଦ୍ରୋହୀ ହୋଇ ଆଜୀଵନ ସ୍ଵାଧୀନତା ସ୍ଵାଧୀନତା ସଂଗ୍ରାମ ଜାରି ରଖିଲେ । ଆମେରିକୀୟ ସୈନିକଙ୍କ ଯୋଗୁଁ ହଜାର ହଜାର ଭାରତୀୟ ମଧ୍ୟ ଯାତନାର ଶିକାର ହେଲେ । ଗାଆଁ ଗଣ୍ଡା ଲୁଣ୍ଠନ ଓ ବଳାତ୍କାର ଆଦିରେ ଲିପ୍ତ ରହି ଆମେରିକୀୟ ସୈନିକ ନିଜ ଦେଶକୁ ଫେରିଲେ । କିନ୍ତୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ଵର୍ଷର ସଂଗ୍ରାମ ପରେ ବି ଭାରତ ସ୍ଵାଧୀନତା ଲାଭ କରିପାରିନାହିଁ ।
ଏହିସବୁ କଥା ମନରେ ଭାବୁ ଭାବୁ ଵିନୋଦ କାରଖାନା ପାଖରେ ଆସି ପହଞ୍ଚିଗଲା ।
ଦିଲ୍ଲୀର ଏକ କପଡ଼ା କାରଖାନାରେ ଵିନୋଦ କାମ କରେ, ଯାହା ବ୍ରିଟିଶ କମ୍ପାନୀର ମାଲିକାନାରେ ପରିଚାଳିତ ହୁଏ । ଭାରତୀୟ ଅର୍ଥନୀତି ଏବେ ବି କୃଷି ଓ କଞ୍ଚାମାଲ ଯୋଗାଣ ଉପରେ ନିର୍ଭରଶୀଳ। ଆମ Earth 616ର ସ୍ୱାଧୀନ ଭାରତରେ ଯେପରି ସୂଚନା ପ୍ରଯୁକ୍ତି ଓ ସେଵା ଶିଳ୍ପର ଉଦୟ ହୋଇଛି, ଏହି Earth 22765ରେ ତାହା ଏକ ସ୍ୱପ୍ନ ମାତ୍ର। ବ୍ରିଟିଶ କମ୍ପାନୀଗୁଡ଼ିକ ଭାରତର ଖଣିଜ ସମ୍ପଦ ଓ ଶ୍ରମକୁ ଶୋଷଣ କରୁଛନ୍ତି, କିନ୍ତୁ ଆୟର ଅଧିକାଂଶ ଅଂଶ ବ୍ରିଟେନକୁ ଯାଉଛି। ଵିନୋଦ ଓ ତା’ର ସାଙ୍ଗମାନେ ଦିନେ ୧୨ ଘଣ୍ଟା କାମ କରି ମାସକୁ ମାତ୍ର କିଛି ଶହ ପାଉଣ୍ଡ ରୋଜଗାର କରୁଛନ୍ତି।
ଵିନୋଦର ଗ୍ରାମ୍ୟ ଵିଦ୍ୟାଳୟରେ ଓଡ଼ିଆ ଭାଷାରେ ପାଠ ପଢ଼ାଯାଉନାହିଁ। ସ୍କୁଲଗୁଡ଼ିକରେ କେଵଳ ଇଂରାଜୀ ଭାଷାରେ ବ୍ରିଟିଶ ଇତିହାସ ପଢ଼ାଯାଏ। ଭାରତୀୟ ପର୍ଵପର୍ଵାଣୀ ଉପରେ କଡ଼ା ନିୟନ୍ତ୍ରଣ ରହିଛି, ଏଵଂ କ୍ରିସମସ୍ ପରି ଖ୍ରୀଷ୍ଟୀୟ ପର୍ଵକୁ ପାଳିଵାକୁ ସମସ୍ତ ଭାରତୀୟଙ୍କୁ ବାଧ୍ୟ କରାଯାଉଛି । ଯିଏ
ପ୍ରତି ରଵିଵାର ଚର୍ଚ୍ଚ୍ ଯାଉନାହିଁ କିମ୍ବା ଖ୍ରୀଷ୍ଟିଆନ ପର୍ଵ ପାଳୁନାହିଁ ତାକୁ ଜୋରିମାନା ଦେଵାକୁ ହେଉଛି । ୧୯୪୬ ସୈନିକ ଵିଦ୍ରୋହ ପରେ
Earth 22765 ସମାନ୍ତରାଳ ଵିଶ୍ଵର ପୃଥିଵୀରେ ଇଂରେଜମାନେ ଧାର୍ମିକ ହସ୍ତକ୍ଷେପ କରିଥିଲେ । ଏଥି ଯୋଗୁଁ ଅନେକ ପଠାଣ ଦେଶ ଛାଡ଼ି ପଳାୟନ କଲେ ଏଵଂ କିଛି ବିଦ୍ରୋହ କରି ବ୍ରିଟିଶ୍ ହାତରେ ମଲେ । ଯୋଉମାନେ ରହିଗଲେ ସେମାନେ ଡରି ମରି ରହିଲେ କିମ୍ବା ଖିରସ୍ତାନୀ ହୋଇଗଲେ । ହିନ୍ଦୁମାନେ ସଂଖ୍ୟା ଗରିଷ୍ଠ ଥିଵାରୁ ସର୍ଵାଧିକ ପ୍ରଭାଵିତ ହେଲେ । ଏ ଵିଶ୍ଵର ପୃଥିଵୀରେ ସେବେଠାରୁ ଆଉ କୌଣସି ମନ୍ଦିରରେ ପୂଜାର୍ଚ୍ଚନା ହେଉନାହିଁ। ସମସ୍ତେ ଖିରସ୍ତାନୀ ହୁଅନ୍ତୁ କି ନାହିଁ ତାହାର ଵିଚାର ମାନିଵାକୁ ଵାଧ୍ୟ ହୋଇଛନ୍ତି । ଵିନୋଦର ଦାଦା ଗୋପନରେ ଗୀତା ପଢ଼ନ୍ତି, କିନ୍ତୁ ବ୍ରିଟିଶ ଅଧିକାରୀଙ୍କ ଭୟରେ ଏହାକୁ ଲୁଚାଇ ରଖନ୍ତି। ଅଵଶ୍ୟ ଇଂରେଜଙ୍କ ଧାର୍ମିକ ନୀତି ଵିପକ୍ଷରେ ଅନେକେ ଵିଦ୍ରୋହ କରିଛନ୍ତି କିନ୍ତୁ କଠୋର ହସ୍ତରେ ସେମାନଙ୍କୁ ଦମନ କରାଯାଇଛି ।
ତେବେ ଆମ Earth-616 ଭଳି Earth 22765ରେ ମଧ୍ୟ ଵୈଷୟିକ ଅଗ୍ରଗତି ଘଟିଛି ତେଣୁ ଏଠି ମଧ୍ୟ ଜନସମାଜ ପାଖରେ ମୋବାଇଲ୍ ଓ ଇଣ୍ଟରନେଟ ପହଞ୍ଚି ପାରିଛି ।
ଵିନୋଦ ଏକ ପୁରୁଣା ଫୋନ ଵ୍ୟଵହାର କରେ, କିନ୍ତୁ ଇଣ୍ଟରନେଟ ତା’ ପାଇଁ ଏକ ଵିଳାସପୂର୍ଣ୍ଣ ଦରଵ ଅଟେ। ବ୍ରିଟିଶ ଶାସନରେ ଇଣ୍ଟରନେଟ ସୁଲଭତା କେଵଳ ଶାସକ ଶ୍ରେଣୀ ଓ ଧନୀ ଭାରତୀୟଙ୍କ ପାଇଁ ରହିଛି। ଗୋଟିଏ ମେଗାବାଇଟ ଡାଟାର ମୂଲ୍ୟ ଵିନୋଦର ଏକ ଦିନର ରୋଜଗାର ସହ ସମାନ। ସୋସିଆଲ ମିଡିଆ ପ୍ଲାଟଫର୍ମ ଯେମିତି X ଵା ଫେସବୁକ ଅଛି କିନ୍ତୁ ବ୍ରିଟିଶ ଅଧିକାରୀମାନେ ଏହାକୁ କଡ଼ା ସେନ୍ସରସିପ ମାଧ୍ୟମରେ ନିୟନ୍ତ୍ରଣ କରନ୍ତି । କେଵଳ ଆମେରିକା, ଜର୍ମାନୀ,ରୁଷିଆ ଓ ବ୍ରିଟେନ ଦେଶର ଗୋରାମାନେ ହିଁ ଏସବୁ ସୋସିଆଲ ମିଡିଆ ଚଳାଅନ୍ତି । ସୋସିଆଲ ମିଡିଆ ସାଇଟ୍ଗୁଡ଼ିକରେ କେଵଳ ସ୍ଵାଧୀନ ନାଗରିକମାନେ ହିଁ ସଭ୍ୟ ହୋଇପାରିବେ ଯୋଉମାନଙ୍କ ପାଖରେ ବ୍ରିଟିଶ ଶାସନଠାରୁ ପ୍ରାପ୍ତ ରେଡ୍ କାର୍ଡ୍ ଅଛି । ଭାରତର କିଛି ଧନୀକ ଲୋକମାନଙ୍କ ପାଖରେ ହିଁ ଏହି ରେଡ୍ କାର୍ଡ୍ ଅଛି। ଗରିବ ଭାରତୀୟଙ୍କ ପାଇଁ ଏହା ଦିଵା ସ୍ବପ୍ନ ପରି ହୋଇଯାଇଛି । ତଥାପି କେତେକ ଧନୀକ ଭାରତୀୟଙ୍କ ସହାୟତାରେ ଗୋପନରେ ଏକ ଡିଜିଟାଲ ଗୋଷ୍ଠୀ କାର୍ଯ୍ୟ କରୁଛି , ଯେଉଁଠାରେ ସେମାନେ ସ୍ୱାଧୀନତାର ସ୍ୱପ୍ନ ଓ ଭାରତୀୟ ସଂସ୍କୃତିର ଗୁଣଗାନ କରନ୍ତି।
କିନ୍ତୁ, ସେମାନେ ନିଆଁ ସହିତ ଖେଳୁଛନ୍ତି କାରଣ ଗୋଟିଏ ବି ପୋଷ୍ଟ୍ ଭୁଲ୍ ହାତରେ ପହଞ୍ଚିଲେ ଜେଲ୍ ନିଶ୍ଚିତ। କେଵଳ ଧନୀକ ଲୋକମାନଙ୍କ ପାଖରେ ହିଁ ଟିଵି ରହିଛି ସେଥିରେ ବି ମାତ୍ର ଗୋଟିଏ ଚ୍ୟାନେଲ୍ BBC ଆସୁଛି ଯୋଉଥିରେ ବ୍ରିଟିଶ ଶାସନର କଥା ସବୁ ପ୍ରଚାରିତ ହେଉଛି । ରେଡିଓ କିଛି ମଧ୍ୟମ ଵର୍ଗର ଲୋକଙ୍କ ପାଖରେ ବି ରହିଛି କିନ୍ତୁ ସେଥିରେ କେଵଳ ଇଂରାଜୀ ଆଦି ଵିଦେଶୀ ଭାଷାର ଚ୍ୟାନେଲ ହିଁ ଆସୁଛି । କିଛି ଵିଦ୍ରୋହୀ ଗୋଷ୍ଠୀ ସ୍ଥାନୀୟ ସ୍ତରରେ ଗୁପ୍ତ ଟିଵି ଓ ରେଡିଓ ଚ୍ୟାନେଲ ଖୋଲି ସ୍ଵାଧୀନତା ସଂଗ୍ରାମର ପ୍ରଚାର କରୁଛନ୍ତି କିନ୍ତୁ ଅଳ୍ପ ଦିନରେ ଧରା ପଡ଼ି ଵିଫଳ ବି ହେଉଛନ୍ତି ।
ଵିନୋଦର ଗାଁରେ ଏକ ଗୁପ୍ତ ସଭା ହେଉଛି। କିଛି ଯୁଵକ ଏକ ନୂଆ ଵିପ୍ଳଵର ଯୋଜନା କରୁଛନ୍ତି। ବ୍ରିଟିଶ ଗଭର୍ଣ୍ଣର-ଜେନେରାଲଙ୍କ ଶାସନରେ ଭାରତୀୟମାନଙ୍କୁ କୌଣସି ରାଜନୈତିକ ଅଧିକାର ମିଳିନାହିଁ। ସଂସଦ ନାହିଁ, ଭୋଟ ନାହିଁ, କେଵଳ ବ୍ରିଟିଶ ଅଧିକାରୀଙ୍କ ଆଦେଶ ଉପରେ ଆଦେଶ ଆସୁଛି ସିନା ନୂଆ କିଛି ଶୁଣିଵାକୁ ମିଳୁନାହିଁ । ଵିନୋଦର ସାଙ୍ଗ ରାହୁଲ ସବୁବେଳେ କୁହେ, “ଯଦି ଆମେ ୧୯୪୬ର ସୈନିକ ଵିଦ୍ରୋହ ସମୟରେ ସ୍ୱାଧୀନତା ପାଇଥାନ୍ତୁ, ତେବେ ଆଜି ଆମେ ନିଜ ଦେଶର ମାଲିକ ହୋଇଥାନ୍ତୁ।” କିନ୍ତୁ, ଏହି କଥା କହିଵା ମଧ୍ୟ Earth 22765ରେ ଏକ ଭୀଷଣ ଅପରାଧ କାରଣ ଏଠି କାନ୍ଥ ବାଡ଼ ସବୁର କାନ ରହିଛି ।
ଵିନୋଦର ଛୋଟ ଭଉଣୀ ସୁନୀତା ସ୍କୁଲକୁ ଯାଇ ପାଠ ପଢ଼ିଵାକୁ ଇଚ୍ଛା ଥିଲେ ବି ତାହା କରିପାରୁନାହିଁ। ବ୍ରିଟିଶ ଶାସନରେ ଶିକ୍ଷା କେଵଳ ଧନୀ ଭାରତୀୟ ଓ ବ୍ରିଟିଶ ଅଧିକାରୀଙ୍କ ପିଲାଙ୍କ ପାଇଁ ହିଁ ସୀମିତ ରହିଛି । ଗ୍ରାମୀଣ ଅଞ୍ଚଳରେ ସ୍କୁଲ ବହୁତ କମ, ଏବଂ ଶିକ୍ଷା ଵ୍ୟଵସ୍ଥା ବ୍ରିଟିଶ ସଂସ୍କୃତି ଓ ଇତିହାସକୁ ପ୍ରୋତ୍ସାହନ ଦେଉଛି। ତାଛଡ଼ା ଭାରତୀୟ ସମାଜ ଆହୁରି ରକ୍ଷଣଶୀଳ ହୋଇଯାଇଛି ଏଵଂ ନିଜ ଭାଷା ସଂସ୍କୃତିକୁ ଗୁପ୍ତରେ ହେଉ ବଞ୍ଚେଇ ରଖିଵାକୁ ଆପ୍ରାଣ ଉଦ୍ୟମ ଚଳାଇଛି ।
ସୁନୀତା ଘରେ ମାଆଙ୍କଠାରୁ ଓଡ଼ିଆ ଭାଷା ଓ ସଂସ୍କୃତି ଶିଖୁଛି, କିନ୍ତୁ ତାହା ଗୋପନୀୟ। ସାମାଜିକ ଅସମାନତା ଏତେ ବେଶୀ ଯେ ଗରିବ ଭାରତୀୟମାନେ ସବୁବେଳେ ଅଵହେଳିତ ହୋଇ ରହିଛନ୍ତି । ହଜାର ହଜାର ଭାରତୀୟ ଔଷଧ ଅଭାବରୁ ମହାମାରୀର ଶିକାର ହୋଇ ମରୁଛନ୍ତି । ଵର୍ଷେ ଵର୍ଷେ ଦୁର୍ଭିକ୍ଷ ଓ ଵନ୍ୟା ଯୋଗୁଁ ବି ଜନହାନୀ ହେଉଅଛି । ହେଲେ ଇଂରେଜ ଶାସନର ଏଥିପ୍ରତି କୌଣସି ଦାୟିତ୍ଵ ହିଁ ନାହିଁ । ଲୋକଙ୍କୁ ନାନା ଉପାୟରେ ଶୋଷଣ କରି ବ୍ରିଟେନକୁ ସମୃଦ୍ଧ କରିଵା ହିଁ ଇଂରେଜମାନଙ୍କ ମୂଳ ଲକ୍ଷ୍ୟ ।
ଏହି ସମାନ୍ତରାଳ ଵିଶ୍ୱ Earth-22765ରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ନୁହେଁ। ବ୍ରିଟେନର ଅନ୍ୟ ଔପନିବେଶିକ ଅଞ୍ଚଳ ଭଳି ଭାରତ କେଵଳ ଏକ ସମ୍ପଦର ଉତ୍ସ। ଵୈଶ୍ୱିକ ମଞ୍ଚରେ ଭାରତର କୌଣସି ସ୍ୱାଧୀନ ପରିଚୟ ନାହିଁ। ଵିନୋଦ ଥରେ ତାଙ୍କ କପଡ଼ା କମ୍ପାନୀର ଗୋରା ମାଲିକଙ୍କ ଘରେ ଥିଵା ଟେଲିଭିଜନରେ ଦେଖିଥିଲା ଯେ ବ୍ରିଟେନ ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଵିଶ୍ୱରେ ଆଧିପତ୍ୟ ଵିସ୍ତାର କରିଛନ୍ତି, କିନ୍ତୁ ଭାରତ କେଵଳ ଏକ ନାମରେ ହିଁ ରହିଯାଇଛି।
କିନ୍ତୁ,ଵିନୋଦ ଏଵଂ ତା ଭଳି ଅନ୍ୟ ଯୁଵକମାନେ ହାର ମାନିନାହାନ୍ତି। ସେମାନେ ଏବେବି ସ୍ୱାଧୀନତାର ସ୍ୱପ୍ନ ଦେଖୁଛନ୍ତି। ଦିନେ ଗୋଟିଏ ରାତିରେ ଵିନୋଦ ଏକ Underground ଗୁପ୍ତ ସଭାରେ ଯୋଗ ଦେଲା । ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନେତୃତ୍ଵରେ ସେତେବେଳେ ଭାରତରେ ସ୍ଵାଧୀନତା ସଂଗ୍ରାମ ଯୋର୍ ସୋର୍ରେ ଚାଲିଥାଏ । ମୋଦିଙ୍କ ଭାଷଣ ଶୁଣି ଵିନୋଦ ମନରେ ନୂଆ ଆଶାର ଆଲୋକ ଦେଖା ଦେଇଛି । ସେ ନିଷ୍ପତ୍ତି ନେଇଛି ଯେ ଦିନେ ସେ ଆଉ ତାହାର ସାଙ୍ଗମାନେ ଏହି ନିଷ୍ଠୁର ଵିଦେଶୀ ଶାସନରୁ ମୁକ୍ତି ପାଇବେ ଏଵଂ ଭାରତ ପୁଣି ଥରେ ନିଜର ପରିଚୟ ଫେରି ପାଇଵ ।
---
ସମାନ୍ତରାଳ ଵିଶ୍ୱ(Parallel Universe) ଵା ସମାନ୍ତରାଳ ବ୍ରହ୍ମାଣ୍ଡ ଏକ ତାତ୍ତ୍ୱିକ ଧାରଣା ଏଵଂ ଏହଖ ଆଧୁନିକ ପଦାର୍ଥ ଵିଜ୍ଞାନ ଓ ବ୍ରହ୍ମାଣ୍ଡ ଵିଜ୍ଞାନରେ ଵ୍ୟଵହୃତ ହୁଏ। ଏହି ତାତ୍ତ୍ଵିକ ଧାରଣା ଅନୁସାରେ, ଆମର ନିଜର ଏଇ ବ୍ରହ୍ମାଣ୍ଡ ଵ୍ୟତୀତ ଅନ୍ୟ ବ୍ରହ୍ମାଣ୍ଡ ମଧ୍ୟ ଅସ୍ତିତ୍ୱରେ ଥାଇପାରେ ଏଵଂ ଆମର ବ୍ରହ୍ମାଣ୍ଡ ସହିତ ସମାନ୍ତରାଳ ଭାବେ ଵିଦ୍ୟମାନ ରହିଥାଏ। ଏହି ସମାନ୍ତରାଳ ବ୍ରହ୍ମାଣ୍ଡଗୁଡ଼ିକରେ ଭିନ୍ନ ଭିନ୍ନ ଭୌତିକ ନିୟମ, ସମୟ, ଘଟଣା ଵା ଜୀବନର ରୂପ ଥାଇପାରେ। ସମାନ୍ତରାଳ ଵିଶ୍ୱର ଧାରଣା ବହୁଵିଶ୍ୱ ତତ୍ତ୍ୱ ଵା Multiverse Theoryର ଏକ ଅଂଶ। ଏହି ଥିଓରୀ ଅନୁସାରେ ଅସଂଖ୍ୟ ବ୍ରହ୍ମାଣ୍ଡ ଅସ୍ତିତ୍ୱରେ ଅଛି, ଯେଉଁଗୁଡ଼ିକରେ ଘଟଣାଗୁଡ଼ିକର ଫଳାଫଳ ଭିନ୍ନ ହୋଇପାରେ। ଉଦାହରଣ ସ୍ୱରୂପ, ଏକ ସମାନ୍ତରାଳ ଵିଶ୍ୱରେ ଆପଣ ଏକ ଭିନ୍ନ ସମୟକାଳରେ ଥାଇପାରନ୍ତି ଵା ଆପଣଙ୍କ ଜୀଵନ ପରିଚୟ ଭିନ୍ନ ହୋଇପାରେ । କ୍ୱାଣ୍ଟମ ପଦାର୍ଥ ଵିଜ୍ଞାନରେ Many Worlds Interpretation ଅନୁଯାୟୀ ପ୍ରତ୍ୟେକ କ୍ୱାଣ୍ଟମ ଘଟଣା ବ୍ରହ୍ମାଣ୍ଡକୁ ଵିଭିନ୍ନ ଶାଖାରେ ଵିଭକ୍ତ କରେ, ଯହିଁରେ ସମସ୍ତ ସମ୍ଭାଵ୍ୟ ଫଳାଫଳ ଘଟେ। ଏହା ସମାନ୍ତରାଳ ଵିଶ୍ୱର ଏକ ଵୈଜ୍ଞାନିକ ଭିତ୍ତି ପ୍ରଦାନ କରେ।
କେତେକ ସମାନ୍ତରାଳ ଵିଶ୍ୱରେ ଆମ ବ୍ରହ୍ମାଣ୍ଡର ଭୌତିକ ନିୟମ (ଯଥା ଗୁରୁତ୍ୱାକର୍ଷଣ ଵା ସମୟର ପ୍ରକୃତି) ଭିନ୍ନ ହୋଇପାରେ। ଅନ୍ୟ କେତେକରେ ଇତିହାସର ଘଟଣାଗୁଡ଼ିକ ଭିନ୍ନ ରୂପରେ ଘଟିଥାଏ । ତେବେ ଵର୍ତ୍ତମାନ ସୁଦ୍ଧା ସମାନ୍ତରାଳ ଵିଶ୍ୱର କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ଏହା ଏକ ତାତ୍ତ୍ୱିକ ଧାରଣା ମାତ୍ର, ଯାହା ଗଣିତିକ ମଡେଲ ଓ ଵୈଜ୍ଞାନିକ ଅନୁମାନ ଉପରେ ଆଧାରିତ। କେତେକ ଵୈଜ୍ଞାନିକ ଏହାକୁ ସମର୍ଥନ କରନ୍ତି, କିନ୍ତୁ ଅନ୍ୟମାନେ ଏହାକୁ ଅନୁମାନମୂଳକ ବୋଲି ଵିଚାର କରନ୍ତି। ଏଠାରେ ଭାରତ ଏଯାଵତ୍ ପରାଧୀନ ଥିଲେ ଏ ଦେଶର କ'ଣ ଦୁର୍ଗତି ହୋଇଥାନ୍ତା ତାହା କାହାଣୀ ଵର୍ଣ୍ଣନା ଶୈଳୀରେ ଉଲ୍ଲେଖ କରାଯାଇଛି ।
--------
ଭାରତରେ ଇଂରେଜ ଶାସନ (୧୭୫୭-୧୯୪୭) ଦେଶର ଅର୍ଥନୈତିକ, ସାମାଜିକ, ଓ ସାଂସ୍କୃତିକ ଜୀବନ ଉପରେ ଗଭୀର ପ୍ରଭାଵ ପକାଇଥିଲା। ଯଦି ୧୯୪୭ ପରେ ମଧ୍ୟ ଇଂରେଜ ଶାସନ ଜାରି ରହିଥାନ୍ତା, ତେବେ ଭାରତର ସ୍ଥିତି କିପରି ହୋଇଥାନ୍ତା, ତାହା ବୁଝିଵାକୁ ହେଲେ ଇଂରେଜ ଶାସନର ପୂର୍ଵ ସ୍ଥିତି ଓ ତାହାର ନୀତିକୁ ଜାଣିଵାକୁ ହେଵ ।
ଇଂରେଜ ଶାସନ ପୂର୍ଵରୁ ଭାରତ ଏକ ଵିଵିଧତାପୂର୍ଣ୍ଣ ଦେଶ ଥିଲା, ଯେଉଁଠାରେ ମୋଗଲ, ମରାଠା, ଶିଖ ଓ ଅନ୍ୟାନ୍ୟ ଆଞ୍ଚଳିକ ଶକ୍ତିମାନେ ଶାସନ କରୁଥିଲେ। ଭାରତର ଅର୍ଥନୀତି କୃଷି ଓ ହସ୍ତଶିଳ୍ପ ଉପରେ ନିର୍ଭରଶୀଳ ଥିଲା ଏଵଂ ଦେଶ ଵିଶ୍ୱର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଗଣା ହେଉଥିଲା। କିନ୍ତୁ, ଇଂରେଜମାନଙ୍କ ଆଗମନ ସହିତ ଭାରତର ଅର୍ଥନୀତି ଓ ସମାଜ ଉପରେ ଗଭୀର ପ୍ରଭାଵ ପଡ଼ିଥିଲା ।
ଇଷ୍ଟ ଇଣ୍ଡିଆ କମ୍ପାନୀ ଏଵଂ ୧୮୫୭ ପରେ ବ୍ରିଟିଶ ସରକାର ଭାରତୀୟ ସମ୍ପଦକୁ ଶୋଷଣ କରି ବ୍ରିଟେନକୁ ସ୍ଥାନାନ୍ତର କରିଥିଲେ। ଭାରତୀୟ ହସ୍ତଶିଳ୍ପ ନଷ୍ଟ ହୋଇଥିଲା ଏଵଂ ଭାରତକୁ କେଵଳ କଞ୍ଚାମାଲ ଯୋଗାଣ ଓ ବ୍ରିଟିଶ ଉତ୍ପାଦର ବଜାର କରାଯାଇଥିଲା।
ଇଂରେଜମାନେ ଆଧୁନିକ ଶିକ୍ଷା, ରେଳବାଇ, ଓ ଆଇନଗତ ଵ୍ୟଵସ୍ଥା ସହିତ ଭାରତୀୟଙ୍କୁ ପରିଚୟ କରାଇଥିଲେ, କିନ୍ତୁ ଏହା ମୁଖ୍ୟତଃ ସେମାନଙ୍କ ଶାସନକୁ ସୁଦୃଢ଼ କରିଵା ପାଇଁ ଥିଲା। ସତୀଦାହ ଓ ବାଲ୍ୟଵିଵିହ ଭଳି କୁପ୍ରଥା ଵିରୁଦ୍ଧରେ ଆଇନ ଆଣିଥିଲେ, କିନ୍ତୁ ସାମାଜିକ ଅସମାନତା ଓ ଜାତିଗତ ଵିଭେଦକୁ ସେମାନେ ଅଧିକ ଉସ୍କାଇଥିଲେ। ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାଵ ଵୃଦ୍ଧି ପାଇଥିଲା, ଯାହା ଭାରତୀୟ ପରିଚୟକୁ କିଛି ପରିମାଣରେ ଦୁର୍ଵଳ କରିଥିଲା। ଯଦି ୧୯୪୭ ପରେ ମଧ୍ୟ ଇଂରେଜ ଶାସନ ଜାରି ରହିଥାନ୍ତା, ତେବେ ଭାରତର ସ୍ଥିତି କ'ଣ ହୋଇଥାନ୍ତା ତାହା ଉପରେ "Earth 22765" ସମାନ୍ତରାଳ ଵିଶ୍ଵର କାହାଣୀରେ ଉଲ୍ଲେଖ କରାଯାଇଛି ।
ଯଦି ଆଜି ବି ଭାରତଵର୍ଷ ପରାଧୀନ ଥାଆନ୍ତା ତେବେ ଇଂରେଜ ଶାସନ ଅଧୀନରେ ଭାରତର ଅର୍ଥନୀତି ବ୍ରିଟିଶ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାନ୍ତା। ଆଧୁନିକ ଭାରତର ଅର୍ଥନୈତିକ ଉନ୍ନତି, ଯେମିତି ସୂଚନା ପ୍ରଯୁକ୍ତି ଶିଳ୍ପ, ଉତ୍ପାଦନ, ଓ ସେବା କ୍ଷେତ୍ରରେ ଯେଉଁ ଅଗ୍ରଗତି ହୋଇଛି, ତାହା ସମ୍ଭଵତଃ ସୀମିତ ହୋଇଥାନ୍ତା। ଭାରତ ଏକ କଞ୍ଚାମାଲ ଯୋଗାଣକାରୀ ଓ ବ୍ରିଟିଶ ଉତ୍ପାଦର ବଜାର ହିଁ ରହିଥାନ୍ତା । ସ୍ୱାଧୀନ ଭାରତରେ ଯେପରି ଟାଟା, ରିଲାଏନ୍ସ ଭଳି ଶିଳ୍ପ ଗୃହ ଉଭା ହୋଇଛନ୍ତି, ଇଂରେଜ ଶାସନରେ ତାହା ଅସମ୍ଭଵ ହୋଇଥାନ୍ତା। କିଛି ହିଡିମ୍ବ ଓ ହିଡିମ୍ବାମାନେ ଵ୍ୟଵସାୟୀଙ୍କୁ ଯେତେ ଗାଳି କରନ୍ତୁ ଏହା ଏକ କଠୋର ସତ୍ୟ ଯେ ଦେଶର ଉନ୍ନତି କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡି଼କର ଯୋଗଦାନ ମହତ୍ତ୍ଵପୂର୍ଣ୍ଣ ।
ଅର୍ଥନୈତିକ ଶୋଷଣ ଯୋଗୁଁ ଦାରିଦ୍ର୍ୟ ଓ ଅସମାନତା ଆହୁରି ବୃଦ୍ଧି ପାଇଥାନ୍ତା। ଇଂରେଜ ଶାସନ ଜାରି ରହିଥିଲେ, ଭାରତୀୟ ସଂସ୍କୃତି ଓ ପରିଚୟ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଆହୁରି ଗଭୀର ହୋଇଥାନ୍ତା । ଇଂରାଜୀ ଭାଷା ଏକମାତ୍ର ପ୍ରଶାସନିକ ଓ ଶିକ୍ଷାର ମାଧ୍ୟମ ହୋଇଥାନ୍ତା, ଯାହା ହିନ୍ଦୀ, ଓଡ଼ିଆ, ବଙ୍ଗଳା ଭଳି ଆଞ୍ଚଳିକ ଭାଷାଗୁଡ଼ିକୁ ଦୁର୍ଵଳ କରିଥାନ୍ତା।
ଇଂରେଜମାନେ ଖ୍ରୀଷ୍ଟୀୟ ଧର୍ମ ପ୍ରଚାରକୁ ପ୍ରୋତ୍ସାହନ ଦେଇଥାନ୍ତେ ଫଳତଃ ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କର ସାଂସ୍କୃତିକ ପରିଚୟକୁ ଦୁର୍ଵଳ କରିଦେଇଥାନ୍ତା । ଶିକ୍ଷା ଵ୍ୟଵସ୍ଥା ବ୍ରିଟିଶ ମଡେଲ ଉପରେ ଆଧାରିତ ହୋଇଥାନ୍ତା, କିନ୍ତୁ ଏହା ସାଧାରଣ ଜନତାଙ୍କ ପାଇଁ ସୀମିତ ହୋଇଥାନ୍ତା, ଯାହା ଅସମାନତାକୁ ବୃଦ୍ଧି କରିଥାନ୍ତା। କେଵଳ ଇଂରେଜ ଓ ଧନୀକ କଳା ଇଂରେଜ ହିଁ ପାଠ ପଢ଼ନ୍ତେ । ଇଂରେଜ ଶାସନରେ ଭାରତୀୟମାନଙ୍କୁ ସମ୍ପୂର୍ଣ୍ଣ ରାଜନୈତିକ ଅଧିକାର ମିଳିଥାନ୍ତା ନାହିଁ। ଗଣତାନ୍ତ୍ରିକ ଵ୍ୟଵସ୍ଥା ବଦଳରେ ଏକ ଔପନିବେଶିକ ଶାସନ ଜାରି ରହିଥାନ୍ତା । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦମନ କରାଯାଇଥାନ୍ତା ଏଵଂ ରାଜନୈତିକ ଆନ୍ଦୋଳନକୁ କଠୋର ଭାବେ ନିୟନ୍ତ୍ରଣ କରାଯାଇଥାନ୍ତା। ଇଂରେଜମାନେ ନିଜ ଵିଭାଜନକାରୀ ନୀତି ଜାରି ରଖି ହିନ୍ଦୁ-ମୁସଲିମ ବିଭେଦକୁ ଆହୁରି ଉସ୍କାଇଥାନ୍ତେ, ଯାହା ସାମ୍ପ୍ରଦାୟିକ ସଂଘର୍ଷକୁ ବୃଦ୍ଧି କରିଥାନ୍ତା।
ସବୁଠାରୁ ବଡ଼ କଥା ହେଲା ଆଜି ବି ଯଦି ଇଂରେଜ ଶାସନ ଥାଆନ୍ତା ତେବେ ଅଧୁନା ଭାରତୀୟମାନେ ଯେମିତି ସୋସିଆଲ ମିଡିଆରେ ଆସି ଯାହା ତାହା ଲେଖି ଦେଉଛନ୍ତି ତାହା ଅସମ୍ଭଵ ହୋଇଯାଆନ୍ତା ।
ଆଧୁନିକ ଭାରତରେ ଅଳ୍ପ ମୂଲ୍ୟର ଇଣ୍ଟରନେଟ ଓ ସୋସିଆଲ ମିଡିଆର ଵିପ୍ଳଵ ରିଲାଏନ୍ସ ଜିଓ ଭଳି ଭାରତୀୟ କମ୍ପାନୀ ଓ ସରକାରୀ ନୀତି ଯେମିତି ଡିଜିଟାଲ ଇଣ୍ଡିଆର ଫଳ। ଯଦି ଇଂରେଜ ଶାସନ ଜାରି ରହିଥାନ୍ତା, ତେବେ ଇଂରେଜମାନେ ପ୍ରଯୁକ୍ତିକୁ ସାଧାରଣ ଜନତାଙ୍କ ପାଇଁ ସୁଲଭ କରିଵା ବଦଳରେ ଏକ ସୀମିତ ଶ୍ରେଣୀ (ବ୍ରିଟିଶ ଅଧିକାରୀ ଓ ଧନୀ ଭାରତୀୟ) ପାଇଁ ରଖିଥାନ୍ତେ। ଜିଓ ଭଳି କମ୍ପାନୀର ଉଦୟ ହୋଇନଥାନ୍ତା ଏଵଂ ଇଣ୍ଟରନେଟ ମୂଲ୍ୟ ଆକାଶଛୁଆଁ ହୋଇଥାନ୍ତା। ଇଣ୍ଟରନେଟ ଓ ମୋବାଇଲ ପରି ଦରଵ ଭାରତୀୟ ଜନତାଙ୍କ ପାଇଁ ସ୍ଵପ୍ନ ହୋଇଯାଇଥାନ୍ତା । ଇଂରେଜ ଶାସନାଧୀନ ଭାରତରେ ସୋସିଆଲ ମିଡିଆରେ ଭାରତୀୟମାନଙ୍କ ଅଂଶଗ୍ରହଣ ସୀମିତ ହୋଇଥାନ୍ତା, କାରଣ ଇଂରେଜ ଶାସନରେ ମୁକ୍ତ ମତ ପ୍ରକାଶକୁ ନିୟନ୍ତ୍ରଣ କରାଯାଉଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ସେନ୍ସରସିପ ଲାଗୁ ହୋଇଥାନ୍ତା ଏଵଂ ଭାରତୀୟମାନଙ୍କ ପାଇଁ ଏହାର ଵ୍ୟଵହାର ସୀମିତ ହୋଇଥାନ୍ତା। ହୁଏତ କିଛି ହାତଗଣତି ଧନୀ ଭାରତୀୟ ହିଁ ଏହାକୁ ଚଳାଇ ପାରିଥାନ୍ତେ । ସ୍ୱାଧୀନ ଭାରତରେ ଡିଜିଟାଲ ଇଣ୍ଡିଆ ଭଳି ପଦକ୍ଷେପ ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଇଛି। ଇଂରେଜ ଶାସନରେ ଏହା ଅସମ୍ଭଵ ହୋଇଥାନ୍ତା, କାରଣ ସେମାନେ ଗ୍ରାମୀଣ ଉନ୍ନୟନକୁ ପ୍ରାଧାନ୍ୟ ଦେଇନଥାନ୍ତେ।
ଵର୍ତ୍ତମାନ ଭାରତରେ ୮୦୦ ନିୟୁତରୁ ଅଧିକ ଇଣ୍ଟରନେଟ ଵ୍ୟଵହାରକାରୀ ଅଛନ୍ତି ।ୟୁଟ୍ୟୁବ,ଫେସବୁକ, ଟ୍ୱିଟର(X) ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆଜି ଭାରତୀୟମାନଙ୍କୁ ଵୈଶ୍ୱିକ ମଞ୍ଚରେ ମତ ପ୍ରକାଶ କରିଵାରେ ସହାୟକ ହୋଇଛି।
ପରାଧୀନ ଭାରତରେ ଇଂରେଜମାନେ ସମ୍ବାଦପତ୍ର ଓ ମୁକ୍ତମତ ପ୍ରକାଶକୁ ନିୟନ୍ତ୍ରଣ କରୁଥିଲେ। ଆଜି ବି ଇଂରେଜ ଶାସନ ଥିଲେ ସୋସିଆଲ ମିଡିଆ ମଧ୍ୟ ସେନ୍ସରସିପର ଶିକାର ହୋଇଥାନ୍ତା ଏଵଂ ଭାରତୀୟମାନଙ୍କୁ ରାଜନୈତିକ ଵା ସାମାଜିକ ମତ ପ୍ରକାଶ କରିଵାରେ ବାଧା ଦିଆଯାଇଥାନ୍ତା। ଯୋଉ ଗବଗାଣ୍ଡୁମାନେ ଇଂରେଜ ଶାସନ ସମୟରେ ରାମରାଜ୍ୟ ଥିଲା ବୋଲି ଆଜି ସୋସିଆଲ ମିଡିଆରେ ଲେଖି ପୋଷ୍ଟ କରୁଛନ୍ତି ସେମାନେ ଅତୀତର ଭରତର ଚିତ୍ରକୁ କେବେ ହୃଦୟଙ୍ଗମ କରିନାହାନ୍ତି।
No comments:
Post a Comment