Thursday, July 24, 2025

ଅପାଣ୍ଡୁକ ଶବ୍ଦର ଉତ୍ପତ୍ତି ଓ ଅର୍ଥ: ଏକ ଭାଷାତାତ୍ତ୍ଵିକ ଅନୁସନ୍ଧାନ

ଓଡ଼ିଆ ଭାଷାରେ ଶବ୍ଦଗୁଡ଼ିକ କେଵଳ ଅର୍ଥ ଵହନ କରିନଥାଏ ତତ୍ ସହିତ ସାଂସ୍କୃତିକ, ଐତିହାସିକ ଓ ସାମାଜିକ ପୃଷ୍ଠଭୂମିର ଏକ ପରିଚୟ ମଧ୍ୟ ଵହନ କରିଥାଏ। ଏହି ପରିପ୍ରେକ୍ଷୀରେ ‘ଅପାଣ୍ଡୁକ’ ଶବ୍ଦଟି ଏକ ଵିଶେଷ ଆକର୍ଷଣୀୟ ଉଦାହରଣ। ଏହି ଶବ୍ଦଟି ସାଧାରଣତଃ ‘ନିର୍ବୁଦ୍ଧିଆ’ ଵା ‘ବୋକା’ ଅର୍ଥରେ ଵ୍ୟଵହୃତ ହୋଇଥାଏ ଏଵଂ ପ୍ରାୟତଃ ‘ମୂର୍ଖ’ ଶବ୍ଦର ସହଚର ଭାବେ କଥିତ ହୁଏ। ଉଦାହରଣ ସ୍ବରୂପ, “ମୂର୍ଖ ଅପାଣ୍ଡୁକ କୋଉଠିକାର...” ଭଳି ଵ୍ୟକ୍ୟ ଏହାର ପ୍ରଚଳିତ ଉପଯୋଗ ଦର୍ଶାଇଥାଏ। ଏହା କେଵଳ ଏକ ଶବ୍ଦ ନୁହେଁ, ଵରଂ ଏହା ସ୍ଥାନୀୟ ସଂସ୍କୃତି ଓ ଲୋକଵିଶ୍ବାସ ସହିତ ଗଭୀର ଭାବେ ସମ୍ପୃକ୍ତ। କିନ୍ତୁ କେମିତି ? 

 ‘ଅପାଣ୍ଡୁକ’ ଶବ୍ଦଟି ମୂଖ୍ୟତଃ ଏକ ଅଵମାନନାସୂଚକ ଶବ୍ଦ ଭାବେ ଵ୍ୟଵହୃତ ହୁଏ, ଯାହା କୌଣସି ଵ୍ୟକ୍ତିର ବୁଦ୍ଧିହୀନତା ଵା ଅଯୋଗ୍ୟତାକୁ ବୁଝାଇଥାଏ। ଏହାର ଅନ୍ୟ ଏକ ରୂପ ‘ଅପାଣ୍ଡକ’ ମଧ୍ୟ ସ୍ଥାନୀୟ ଭାଷାରେ ପ୍ରଚଳିତ। ଏହି ଶବ୍ଦଟି ପ୍ରାୟତଃ ‘ମୂର୍ଖ’ ଶବ୍ଦର ସହିତ ଯୁକ୍ତ ହୋଇ ଵ୍ୟଵହୃତ ହୁଏ, ଯାହା ଏହାର ଅର୍ଥକୁ ଆହୁରି ତୀଵ୍ର କରିଥାଏ। ତେବେ ଏ ଶବ୍ଦର ଵ୍ୟଵହାର ଲୋକଵାଣୀରେ ମଧ୍ୟ ରହିଛି । ଲୋକେ ଢଗ ମାରି କୁହନ୍ତି:

 “ଝିଅ ଦୋଚାରୁଣୀ ମାଇପ ଚଣ୍ଡ  
   ପୁଅ ଅପାଣ୍ଡୁକ ବାପର ଦଣ୍ଡ”

ଏହି ଢଗରେ ‘ଅପାଣ୍ଡୁକ’ ଶବ୍ଦଟି ପୁଅର ଅଯୋଗ୍ୟତା ଵା ନିର୍ବୁଦ୍ଧିଆ ଆଚରଣକୁ ବୁଝାଇଵା ସହିତ ତାହା ପରିଵାର ପାଇଁ ଲଜ୍ଜାଜନକ ବୋଲି ସୂଚାଇଥାଏ। ଏହା ଦର୍ଶାଇଥାଏ ଯେ, ଏହି ଶବ୍ଦଟି କେଵଳ ଵ୍ୟକ୍ତିଗତ ଗୁଣକୁ ନିର୍ଦ୍ଦେଶ କରେ ନାହିଁ ଵରଂ ସାମାଜିକ ମୂଲ୍ୟବୋଧରେ ମଧ୍ୟ ଏହାର ଗୁରୁତ୍ବ ରହିଛି।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଅପାଣ୍ଡୁକ ଶବ୍ଦର ପ୍ରୟୋଗ ରହିଛି ‌। ଚୈତ୍ର ମଙ୍ଗଳା ଓଷା ପୁସ୍ତକରେ ଅପାଣ୍ଡୁକ ଶବ୍ଦ ପ୍ରୟୋଗ ଥିଵା ଦେଖାଯାଏ। 

“ମୁହିଁ ମୂର୍ଖ ଅପାଣ୍ଡୁକ ନ ଜାଣଇ କିଛି । 
କଣ୍ଠରେ ବସିଣ ପଦ କହିଦେବ ବାଛି ॥”

ସେହିପରି ଯୋଗୀନ୍ଦ୍ର ଵିପ୍ରଙ୍କ ଟୀକା ଗୋବିନ୍ଦ ଚନ୍ଦ୍ରରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଇଛି

“ହୀନ କୁଳେ ମୁହିଁ ଜନମ ଲଭିଛି ନ ଛୁଅଁ ମୋର ଶରୀର, 
ଅପାଣ୍ଡୁକ ପଣେ କୁଟୁମ୍ବ ପୋଷଣେ ବୁଲୁଅଛି ଦେଶାନ୍ତର ॥”

‘ଅପାଣ୍ଡୁକ’ ଶବ୍ଦର ମୂଳ ଅନୁସନ୍ଧାନ କଲେ, ଏହାର ସମ୍ପର୍କ ‘ଅପାଣ୍ଡୁ’ ଶବ୍ଦ ସହିତ ଥିଵା ଦେଖାଯାଏ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁଯାୟୀ, ‘ଅପାଣ୍ଡୁ’ ଶବ୍ଦର ଅର୍ଥ ହେଉଛି ‘ଅଯୋଗ୍ୟ’, ‘ଅସଭ୍ୟ’, ‘ଯାହାର ଆଚରଣ ମାର୍ଜିତ ନୁହେଁ’ ଏଵଂ ‘କୁଳାଙ୍ଗାର’। ଏହି ଅର୍ଥଗୁଡ଼ିକ ‘ଅପାଣ୍ଡୁକ’ ଶବ୍ଦର ଅର୍ଥ ସହିତ ସମାନତା ରଖେ। ପୀତାମ୍ବରଙ୍କ ନୃସିଂହପୁରାଣରେ ଏହି ଅପାଣ୍ଡୁ ଶବ୍ଦର ଵ୍ୟଵହାର ଦେଖାଯାଏ:

“ଏଡ଼େକ ସମ୍ଭର୍ଵ କରି ହୋଇଲା ଅପାଣ୍ଡୁ”

ଏହି ପଙ୍କ୍ତିରେ ‘ଅପାଣ୍ଡୁ’ ଶବ୍ଦଟି ଅସଭ୍ୟ ଵା ଅଯୋଗ୍ୟ ଆଚରଣକୁ ସୂଚାଇଥାଏ। ଏହା ସ୍ପଷ୍ଟ କରେ ଯେ, ‘ଅପାଣ୍ଡୁ’ ଓ ‘ଅପାଣ୍ଡୁକ’ ଶବ୍ଦ ଦୁଇଟି ଅର୍ଥଗତ ଦୃଷ୍ଟିରୁ ନିକଟଵର୍ତ୍ତୀ ଏଵଂ ସମ୍ଭଵତଃ ଏକ ମୂଳରୁ ଉତ୍ପନ୍ନ। ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵିପାଣ୍ଡୁକ ଓ ଵିପାଣ୍ଡୁକା ଶବ୍ଦ ମଧ୍ୟ ୫୬୭୮ତମ ପୃଷ୍ଠାରେ ସ୍ଥାନିତ ହୋଇଛି । 

‘ଅପାଣ୍ଡୁ’ ଓ ‘ଅପାଣ୍ଡୁକ’ ଶବ୍ଦର ମୂଳ ଅନୁସନ୍ଧାନ କଲେ, ଏହାର ସମ୍ପର୍କ ‘ଅପାଣ୍ଡଵ’ ଓ ‘ଅପାଣ୍ଡଵା’ ଶବ୍ଦ ଥିଵା ହୃଦବୋଧ ହୁଏ । ଓଡ଼ିଆ ସାହିତ୍ୟ ଓ ଲୋକଵିଶ୍ବାସ ଅନୁଯାୟୀ, ‘ଅପାଣ୍ଡଵ’ ଶବ୍ଦଟି ଏକ ଏଭଳି ଦେଶ ଵା ଭୂଭାଗକୁ ସୂଚାଇଥାଏ, ଯେଉଁଠାରୁ ପାଣ୍ଡଵମାନେ (ମହାଭାରତର ଧାର୍ମିକ, ସଦାଚାରୀ ଓ ପରୋପକାରୀ ଚରିତ୍ର) ନିର୍ଵାସିତ ବା ତାଡ଼ିତ ହୋଇଛନ୍ତି। ପାଣ୍ଡଵମାନେ ସମାଜରେ ଉଚ୍ଚ ନୈତିକତା ଓ ସଦ୍‍ଗୁଣର ପ୍ରତୀକ ଥିଲେ। 


ମହାଭାରତର ଵିରାଟ ପର୍ଵର ଗୋହରଣ ଉପପର୍ଵ(ଅଧ୍ୟାୟ ୨୭) ଅନୁସାରେ ଭୀଷ୍ମଙ୍କ ଦ୍ୱାରା କୁରୁସଭାରେ ଯୁଧିଷ୍ଠିରଙ୍କ ସମ୍ଭାଵ୍ୟ ଅଵସ୍ଥାନ ଓ ଲକ୍ଷଣ ଵର୍ଣ୍ଣନା କରାଯାଇଥିଲା 

“ତତ୍ର ନାହଂ ତଥା ମନ୍ୟେ ଯଥାୟମିତରୋ ଜନଃ ।  
ପୁରେ ଜନପଦେ ଵାପି ଯତ୍ର ରାଜା ଯୁଧିଷ୍ଠିରଃ ॥ ୧୨ ॥  
ନାସୂୟକୋ ନ ଚାପୀର୍ଷୁର୍ନାତିଵାଦୀ ନ ମତ୍ସରୀ ।  
ଭଵିଷ୍ୟତି ଜନସ୍ତତ୍ର ସ୍ଵଂ ସ୍ଵଂ ଧର୍ମମନୁଵ୍ରତଃ ॥ ୧୩ ॥ ”

ଅନ୍ୟ ଲୋକମାନଙ୍କ ଭଳି ମୁଁ ଏପରି ମନେ କରେ ନାହିଁ। ଯେଉଁ ନଗର ଵା ଜନପଦରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ ନା କେହି ଈର୍ଷାପରାୟଣ, ନା ଦୁଷ୍ଟ, ନା ଅତିବାଦୀ, ନା ମତ୍ସରପରାୟଣ ହେଵେ। ସେଠାକାର ଲୋକମାନେ ନିଜ ନିଜ ଧର୍ମ ଅନୁସାରେ କାର୍ଯ୍ୟ କରିଵେ।

ବ୍ରହ୍ମଘୋଷାଶ୍ଚ ଭୂୟାଂସଃ ପୂର୍ଣ୍ଣାହୁତ୍ୟସ୍ତଥୈଵ ଚ ।  
କ୍ରତଵଶ୍ଚ ଭଵିଷ୍ୟନ୍ତି ଭୂୟାଂସୋ ଭୂରିଦକ୍ଷିଣାଃ ॥ ୧୪ ॥  

ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ ଚାରି ଵେଦର ଧ୍ୱନି ପ୍ରଚୁର ହେଵ, ପୂର୍ଣ୍ଣାହୁତି ସହିତ ଯଜ୍ଞ ହେଵ ଏଵଂ ବହୁ ଦକ୍ଷିଣା ସହିତ ଅନେକ ଯଜ୍ଞ ଅନୁଷ୍ଠିତ ହେଵ।


ସଦା ଚ ତତ୍ର ପର୍ଜନ୍ୟଃ ସମ୍ୟଗ୍ଵର୍ଷୀ ନ ସଂଶୟଃ ।  
ସଂପନ୍ନସସ୍ୟା ଚ ମହୀ ନିରୀତିକା ଭଵିଷ୍ୟତି ॥ ୧୫ ॥  

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେଠାରେ ସମୟାନୁସାରେ ଵୃଷ୍ଟି ହେଵ । ପୃଥିବୀ ଶସ୍ୟରେ ପରିପୂର୍ଣ୍ଣ ହେଵ ଏଵଂ ଉକ୍ତ ଦେଶ ଦୁଃଖରୁ ମୁକ୍ତ ରହିଵ।


ରସଵନ୍ତି ଚ ଧାନ୍ୟାନି ଗୁଣଵନ୍ତି ଫଳାନି ଚ ।  
ଗନ୍ଧଵନ୍ତି ଚ ମାଲ୍ୟାନି ଶୁଭଶବ୍ଦା ଚ ଭାରତୀ ॥ ୧୬ ॥  

ସେହି ଦେଶର ଅନ୍ନ ଗୁଣଯୁକ୍ତ, ଫଳ ରସଯୁକ୍ତ, ଫୁଲ ସୁଗନ୍ଧଯୁକ୍ତ ଏବଂ ଵାଣୀ କଲ୍ୟାଣକାରୀ ଶବ୍ଦଯୁକ୍ତ ହେଵ।


ଵାୟୁଶ୍ଚ ସୁଖଂସଂସ୍ପର୍ଶୋ ନିଷ୍ପ୍ରତୀପଂ ଚ ଦର୍ଶନମ୍ ।  
ଭୟଂ ନାଭ୍ୟାଵିଶେତ୍ତତ୍ର ଯତ୍ର ରାଜା ଯୁଧିଷ୍ଠିରଃ ॥ ୧୭ ॥  

ସେଠାରେ ଵାୟୁ ସୁଖସ୍ପର୍ଶ ଓ ଶୀତଳ ହେଵ, ଶାସ୍ତ୍ରୀୟ ଦର୍ଶନ ଵା ଅଧ୍ୟୟନ ପାଖଣ୍ଡରୁ ମୁକ୍ତ ହେଵ ଏଵଂ ଯେଉଁଠାରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ କୌଣସି ଭୟ ପ୍ରଵେଶ କରିଵ ନାହିଁ।


ଗାଵଶ୍ଚ ବହୁଳାସ୍ତତ୍ର ନ କୃଶା ନ ଚ ଦୁର୍ବୁହାଃ ।  
ପୟାଂସି ଦଧିସୌଂଷି ରସଵନ୍ତି ହିତାନି ଚ ॥ ୧୮ ॥  

ସେହି ଦେଶରେ ଅସଂଖ୍ୟ ଗାଈ ରହିଵେ, ସେମାନେ ଦୁର୍ଵଳ ହେଵେ ନାହିଁ କି କଷ୍ଟସାଧ୍ୟ ଭାବେ ଦୁହାଁଯିଵେ ନାହିଁ । ସେଠାକାର ଦୁଗ୍ଧ, ଦହି ଓ ଘିଅ ରସଯୁକ୍ତ ଏଵଂ ପୁଷ୍ଟିକାରକ ହେଵ।


ଗୁଣଵନ୍ତି ଚ ପାନାନି ଭୋଜ୍ୟାନି ରସଵନ୍ତି ଚ ।  
ତତ୍ର ଦେଶେ ଭଵିଷ୍ୟନ୍ତି ଯତ୍ର ରାଜା ଯୁଧିଷ୍ଠିରଃ ॥ ୧୯ ॥  

ଯେଉଁ ଦେଶରେ ଯୁଧିଷ୍ଠିର ରହୁଥିଵେ, ସେଠାରେ ପାନୀୟ ଓ ଭୋଜନ ଗୁଣଯୁକ୍ତ ଏଵଂ ରସଯୁକ୍ତ ହେଵ । 

ରସାଃ ସ୍ପର୍ଶାଶ୍ଚ ଗନ୍ଧାଶ୍ଚ ଶବ୍ଦାଶ୍ଚାପି ଗୁଣାନ୍ଵିତାଃ ।  
ଦୃଶ୍ୟାନି ଚ ପ୍ରସନ୍ନାନି ଯତ୍ର ରାଜା ଯୁଧିଷ୍ଠିରଃ ॥ ୨୦ ॥  

ଯେଉଁଠାରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାରେ ରସ, ସ୍ପର୍ଶ, ଗନ୍ଧ ଓ ଶବ୍ଦ ଗୁଣଯୁକ୍ତ ହେଵ ଏଵଂ ସମସ୍ତ ଦୃଶ୍ୟ ପ୍ରସନ୍ନତାଦାୟକ ହେଵ।

ସ୍ଵୈଃ ସ୍ଵୈର୍ଗୁଣୈଃ ସୁସଂୟୁକ୍ତାସ୍ତସ୍ମିନ୍ଵର୍ଷେ ତ୍ରୟୋଦଶେ ।  
ଦେଶେ ତସ୍ମିନ୍ଭଵିଷ୍ୟନ୍ତି ତାତ ପାଣ୍ଡଵସଂୟୁନେ ॥ ୨୧ ॥  

ହେ ତାତ! ଏହି ତ୍ରୟୋଦଶ ଵର୍ଷରେ ପାଣ୍ଡଵମାନଙ୍କ ସହିତ ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେହି ଦେଶର ସମସ୍ତ ପ୍ରଜା ନିଜ ନିଜ ଗୁଣଯୁକ୍ତ ହେଵେ।


ସଂପ୍ରୀତିମାତ୍ର୍ଜନସ୍ତତ୍ର ସଂତୁଷ୍ଟଃ ଶୁଚିରଵ୍ୟୟଃ ।  
ଦେଵତାତିଥିପୂଜାସୁ ସର୍ଵଭୂତାନୁରାଗଵାନ୍ ॥ ୨୨ ॥  

ସେଠାକାର ଲୋକମାନେ ପ୍ରସନ୍ନ, ସନ୍ତୁଷ୍ଟ, ଶୁଦ୍ଧ, ପଵିତ୍ର, ଧନଵାନ, ଦେଵତା ଓ ଅତିଥି ପୂଜାରେ ରତ ଏଵଂ ସମସ୍ତ ଉତ୍କୃଷ୍ଟ ଭାଵନାରେ ପରିପୂର୍ଣ୍ଣ ହେଵେ।

ଇଷ୍ଟଦାନୋ ମହୋତ୍ସାହଃ ଶଶ୍ଵଦ୍ଧର୍ମପରାୟଣଃ ।  
ଅଶୁଭଦ୍ଵିଦ୍ ଶୁଭପ୍ରେପ୍ସୁର୍ନିତ୍ୟୟଜ୍ଞଃ ଶୁଭଵ୍ରତଃ ।  
ଭଵିଷ୍ୟତି ଜନସ୍ତତ୍ର ଯତ୍ର ରାଜା ଯୁଧିଷ୍ଠିରଃ ॥ ୨୩ ॥  

ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାକାର ଲୋକମାନେ ଇଚ୍ଛାନୁସାରେ ଦାନ ଦେଵେ, ମହାନ ଉତ୍ସାହୀ ହେଵେ, ସଦା ଧର୍ମ ପାଳନ କରିବେ, ଅଶୁଭ କର୍ମରୁ ଦ୍ୱେଷ କରିଵେ, ଶୁଭ କାମନା କରିଵେ, ପ୍ରତିଦିନ ଯଜ୍ଞ କରିଵେ ଏଵଂ ଉତ୍ତମ ଵ୍ରତ ପାଳନ କରିଵେ।


ତ୍ୟକ୍ତଵାକ୍ୟାନୃତସ୍ତାତ ଶୁଭକଲ୍ୟାଣମଙ୍ଗଳଃ ।  
ଶୁଭାର୍ଥେପ୍ସୁଃ ଶୁଭମତିର୍ୟଚ୍ ରାଜା ଯୁଧିଷ୍ଠିରଃ ।  
ଭଵିଷ୍ୟତି ଜନସ୍ତତ୍ର ନିତ୍ୟଂ ଚେଷ୍ଟପ୍ରିୟଵ୍ରତଃ ॥ ୨୪ ॥  

ହେ ତାତ ଦୁର୍ଯୋଧନ! ଯେଉଁ ଦେଶରେ ରାଜା ଯୁଧିଷ୍ଠିର ରହୁଥିଵେ, ସେଠାକାର ଲୋକମାନେ ଅସତ୍ୟ ଭାଷଣ ତ୍ୟାଗ କରି ସତ୍ୟ କହିଵେ, ଶୁଭ, କଲ୍ୟାଣକାରୀ ଓ ମଙ୍ଗଳମୟ କାର୍ଯ୍ୟ କରିଵେ, ଶୁଭ ଅର୍ଥ ପ୍ରାପ୍ତିର ଇଚ୍ଛା ରଖିଵେ, ଉତ୍ତମ ବୁଦ୍ଧି ରଖିଵେ ଏଵଂ ପ୍ରିୟ ଵ୍ରତ ପାଳନରେ ତତ୍ପର ହେଵେ।


ଧର୍ମାତ୍ମା ସ ତଦାଦୃଶ୍ୟଃ ସୋଽପି ତାତ ଦ୍ଵିଜାତିଭିଃ ।  
କିଂ ପୁନଃ ପ୍ରାକୃତୈଃ ପାର୍ଥଃ ଶକ୍ୟୋ ଵିଜ୍ଞାତୁମନ୍ତତଃ ॥ ୨୫ ॥  
  
ହେ ତାତ! କୁନ୍ତୀନନ୍ଦନ ଧର୍ମାତ୍ମା ଯୁଧିଷ୍ଠିରଙ୍କୁ ଜାଣିଵାରେ ଧର୍ମାତ୍ମା ବ୍ରାହ୍ମଣମାନେ ମଧ୍ୟ ସମର୍ଥ ନୁହନ୍ତି, ତେବେ ସାଧାରଣ ମଣିଷମାନେ କିପରି ତାଙ୍କୁ ଜାଣିପାରିଵେ ?

ଯସ୍ମିନ୍ସତ୍ୟଂ ଧୃତିଃ ଦାନଂ ପରା ଶାନ୍ତିନୁଵା କ୍ଷମା ।  
ହ୍ଵୀଃ ଶ୍ରୀଃ କୀର୍ତିଃ ପରଂ ତେଜ ଆନୃଶଂସ୍ୟମଥାର୍ଜଵମ୍ ॥ ୨୬ ॥  

ଯୁଧିଷ୍ଠିରଙ୍କଠାରେ ସତ୍ୟ, ଧୈର୍ଯ୍ୟ, ଦାନ, ଉତ୍କୃଷ୍ଟ ଶାନ୍ତି, ଅଟଳ କ୍ଷମା, ଲଜ୍ଜା, ଶ୍ରୀ, କୀର୍ତି, ଉତ୍କୃଷ୍ଟ ତେଜ, ଦୟା ଓ ସରଳତା ଏହି ଗୁଣଗୁଡ଼ିକ ଵିଦ୍ୟମାନ।

ଭୀଷ୍ମଙ୍କ ଦ୍ୱାରା କୁରୁସଭାରେ ଯୁଧିଷ୍ଠିରଙ୍କ ଗୁଣ ଏଵଂ ସେ ରହୁଥିଵା ଦେଶର ଲକ୍ଷଣ ଵର୍ଣ୍ଣନାରୁ ସ୍ପଷ୍ଟ ହୋଇଯାଏ ଯେ ପାଣ୍ଡଵମାନେ ଵାସ କରୁଥିଵା ସ୍ଥାନ ଆପେ ପଵିତ୍ର ହୋଇଯାଉଥିଲା ।‌ ପାଣ୍ଡଵମାନେ ଯେଉଁ ଦେଶରେ ରୁହନ୍ତି ସେ ଦେଶର ଲୋକେ ମଧ୍ୟ ଉତ୍ତମ ମନୁଷ୍ୟ ହୋଇଯାଆନ୍ତି ‌।

ତେଣୁ, ଏହି ପୌରାଣିକ ମାନ୍ୟତାକୁ ଭିତ୍ତିଭୂମି କରି ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ହୋଇଥିଲା ଯେ ଯେଉଁ ଦେଶରୁ ପାଣ୍ଡଵଙ୍କ ଭଳି ଉତ୍ତମ ଵ୍ୟକ୍ତିମାନେ ଵିତାଡ଼ିତ ହୁଅନ୍ତି, ସେହି ଦେଶକୁ ‘ଅପାଣ୍ଡଵ’ ଵା ‘ଅପାଣ୍ଡଵା’ କୁହାଯାଇଥାଏ, ଯାହାର ଅର୍ଥ ହେଉଛି ଅସଭ୍ୟ ଵା ଅମାର୍ଜିତ ଭୂମି।

ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତର ପ୍ରଥମ ଅଧ୍ୟାୟରେ ଏହି ଅର୍ଥରେ ‘ଅପାଣ୍ଡଵ’ ଶବ୍ଦର ଵ୍ୟଵହାର ଦେଖାଯାଏ:

“ଯୁଦ୍ଧେ ସକଳ ଵୀର ମାରି,  
 ଏ ଭୂମି ଅପାଣ୍ଡଵ କରି।”

ଏହି ପଙ୍କ୍ତିରେ ‘ଅପାଣ୍ଡଵ’ ଶବ୍ଦଟି ଏକ ଏଭଳି ଭୂମିକୁ ସୂଚାଇଥାଏ, ଯେଉଁଠାରେ ଉତ୍ତମ ଗୁଣଵାନ ବ୍ୟକ୍ତିଙ୍କର ଅଭାବ ରହିଛି, ଫଳତଃ ସେହି ଭୂମି ଅସଭ୍ୟ ଵା ଅମାର୍ଜିତ ହୋଇପଡ଼ିଛି।

ତେଣୁ ଅନୁମାନ କରାଯାଇପାରେ ଯେ ହୁଏତ ‘ଅପାଣ୍ଡୁକ’, ‘ଅପାଣ୍ଡୁ’, ‘ଅପାଣ୍ଡକ’, ‘ଅପାଣ୍ଡୁକା’ ,ଵିପାଣ୍ଡୁକ ଓ ଵିପାଣ୍ଡୁକା ଆଦି ଶବ୍ଦଗୁଡ଼ିକର ମୂଳ ‘ଅପାଣ୍ଡଵ’ ଵା ‘ଅପାଣ୍ଡଵା’ ହୋଇଥାଇପାରେ। ଏହି ଶବ୍ଦଗୁଡ଼ିକର ଅର୍ଥଗତ ସମାନତା—ଯଥା ଅଯୋଗ୍ୟ, ଅସଭ୍ୟ, ବୋକା ଇତ୍ୟାଦିରୁ ଅନୁଭୁତ ହୁଏ ଯେ ଏ ଶବ୍ଦଗୁଡ଼ିକ ଏକ ସାଧାରଣ ଭାଷାତାତ୍ତ୍ଵିକ ମୂଳରୁ ଆସିଛି। ପାଣ୍ଡଵମାନଙ୍କର ସଦ୍‍ଗୁଣ ଓ ନୈତିକତାର ପ୍ରତୀକାତ୍ମକ ଅର୍ଥ ଏହି ଶବ୍ଦଗୁଡ଼ିକରେ ଲୁକ୍କାୟିତ ରହିଛି। ଯେଉଁ ଵ୍ୟକ୍ତି ଵା ସମାଜ ଏହି ଗୁଣଗୁଡ଼ିକରୁ ବଞ୍ଚିତ, ତାହାକୁ ‘ଅପାଣ୍ଡୁ’ ଵା ‘ଅପାଣ୍ଡୁକ’ ଭାବେ ଅଭିହିତ କରାଯାଇଥାଏ।

ଏହା ମଧ୍ୟ ସମ୍ଭବ ଯେ, ସ୍ଥାନୀୟ ଲୋକବିଶ୍ବାସ ଅନୁଯାୟୀ, ଯେଉଁ ଭୂମିରେ ପାଣ୍ଡଵମାନେ ପଦାର୍ପଣ କରିନାହାନ୍ତି, ସେହି ଭୂମିର ଆଚାର-ଵ୍ୟଵହାର ଅମାର୍ଜିତ ବୋଲି ଵିଵେଚନା କରାଯାଇଥାଏ। ଏହି ଵିଶ୍ବାସ ମଧ୍ୟ ‘ଅପାଣ୍ଡଵ’ ଶବ୍ଦରୁ ‘ଅପାଣ୍ଡୁ’ ଓ ‘ଅପାଣ୍ଡୁକ’ ଶବ୍ଦର ଉତ୍ପତ୍ତିକୁ ସମର୍ଥନ କରେ।

‘ଅପାଣ୍ଡୁକ’ ଶବ୍ଦଟି ଓଡ଼ିଆ ଭାଷାର ସାହିତ୍ୟ ଓ ସଂସ୍କୃତିରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରେ। ଏହାର ଅର୍ଥ ‘ନିର୍ବୁଦ୍ଧିଆ’ ଵା ‘ଅଯୋଗ୍ୟ’ ହେଲେ ମଧ୍ୟ, ଏହାର ମୂଳ ‘ଅପାଣ୍ଡଵ’ ଶବ୍ଦରେ ରହିଥିଵା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଏହାକୁ ଆହୁରି ଗଭୀର କରିଥାଏ। ପାଣ୍ଡଵମାନଙ୍କର ସଦ୍‍ଗୁଣ ଓ ନୈତିକତାର ଅଭାବକୁ ସୂଚାଇଵା ପାଇଁ ଏହି ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଏକ ସୁନିର୍ଦ୍ଦିଷ୍ଟ ସାଂସ୍କୃତିକ ପରିଚୟ ସୃଷ୍ଟି କରିଛି। ଏହା ଦର୍ଶାଇଥାଏ ଯେ, ଓଡ଼ିଆ ଭାଷାର ଶବ୍ଦଗୁଡ଼ିକ କେବଳ ଅର୍ଥ ନୁହେଁ, ବରଂ ଏକ ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ପରମ୍ପରାର ପ୍ରତିଫଳନ ମଧ୍ୟ ବହନ କରିଥାଏ।

No comments:

Post a Comment

ଇଂରାଜୀ ଭାଷାର ଜନ୍ମ ଇତିହାସ(ମଜାକଥା)

ଉପରୁ ଉପରୁ ଦେଖିଲେ ଇଂରାଜୀ ଭାଷାଟା ଗୋଟିଏ ପ୍ରାକୃତିକ ଭାଷା ଜଣାପଡ଼େ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାକୁ ସ୍ଵୟଂ ଭଗଵାନ ସୃଷ୍ଟି କରିଥିଲେ ।‌ ଏ ଵିଷୟରେ ଏକ ଜଣାଶୁଣା ...