Wednesday, July 30, 2025

ମାନବ ଵିଶ୍ଵାସ ଓ Confirmation Bias: Dorothy Martinଙ୍କ କାହାଣୀ ଏଵଂ ଏହାର ମନୋଵୈଜ୍ଞାନିକ ମହତ୍ତ୍ଵ

ମାନଵ ଇତିହାସ ଵିଶ୍ଵାସ ଓ ଆସ୍ଥାର କାହାଣୀରେ ପରିପୂର୍ଣ୍ଣ। ଏହି ଵିଶ୍ଵାସଗୁଡ଼ିକ ସମାଜକୁ ଏକତ୍ରିତ କରିଵା ସହିତ ଵ୍ୟକ୍ତିଙ୍କୁ ଜୀଵନର ଅର୍ଥ ପ୍ରଦାନ କରିଥାଏ। କିନ୍ତୁ ଯେତେବେଳେ ଏହି ଵିଶ୍ଵାସଗୁଡ଼ିକ ଵିରୋଧର ସମ୍ମୁଖୀନ ହୁଏ ସେତେବେଳେ ମାନଵ ଵ୍ୟଵହାର ଯୁକ୍ତିର ସୀମା ଅତିକ୍ରମ କରିଯାଏ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି 1954 ମସିହାରେ ଆମେରିକାର Chicago ସହରରେ Dorothy Martin ଙ୍କ କାହାଣୀ,Leon Festinger ତାଙ୍କ ପୁସ୍ତକ When Prophecy Failsରେ ଏହାର ଵିଵରଣୀ ଯୋଡ଼ିଛନ୍ତି । ଏହି ଘଟଣା Confirmation Bias ବୁଝିଵା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଉଦାହରଣ ହେଵା ସହିତ ମାନଵ ମନ ନିଜ ଵିଶ୍ଵାସକୁ ବଞ୍ଚାଇ ରଖିଵା ପାଇଁ କିପରି ଯୁକ୍ତିକୁ ଢାଲ କରି ଥାଏ ତାହା ଜଣାଇଥାଏ । 

1954 ମସିହାରେ Dorothy Martin(ଛଦ୍ମନାମ-Marian Keech) ଦାବି କଲେ ଯେ ସେ Automatic Writing ମାଧ୍ୟମରେ "Clarion" ନାମକ ଏକ କାଳ୍ପନିକ ଗ୍ରହର ନିଵାସୀଙ୍କଠାରୁ ସନ୍ଦେଶ ପାଉଛନ୍ତି। Automatic Writing ଏମିତି ଏକ ପ୍ରକ୍ରିୟା, ଯାହା ବଳରେ ଜଣେ ଵ୍ୟକ୍ତି ଦାବି କରେ ଯେ ସେ ଅଚେତନ ଵା ସୁଷୁପ୍ତ ଅଵସ୍ଥାରେ କିଛି ଲେଖୁଛନ୍ତି, ଯାହା କଥିତ ଭାବେ କୌଣସି ଅଲୌକିକ ସ୍ରୋତରୁ ପ୍ରେରିତ। Martin ଙ୍କ ମତରେ, Clarion ଗ୍ରହର ପ୍ରାଣୀମାନେ ଏକ ଉନ୍ନତ ସଭ୍ୟତାର ପ୍ରତିନିଧି ଥିଲେ ଏଵଂ ସେମାନେ ଚେତାବନୀ ଦେଇଥିଲେ ଯେ 21 ଡିସେମ୍ବର, 1954ରେ ପୃଥିଵୀ ଏକ ଵିନାଶକାରୀ ଵନ୍ୟାରେ ବୁଡ଼ିଯିଵ। କିନ୍ତୁ, ଯେଉଁମାନେ ତାଙ୍କ ସନ୍ଦେଶ ଉପରେ ଵିଶ୍ଵାସ କରିଵେ, ସେମାନଙ୍କୁ Clarionଵାସୀ ସେମାନଙ୍କ ଅନ୍ତରୀକ୍ଷ ଯାନରେ ନେଇ ନିଜ ଗ୍ରହରେ ଏକ ଵିଳାସମୟ ଜୀଵନ ପ୍ରଦାନ କରିଵେ।

Martin ଙ୍କ ଏହି ଦାବି ଚାରିଆଡ଼େ ପ୍ରଚାରିତ ହେଵାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା। ତାଙ୍କ ଅନୁସରଣକାରୀମାନେ ଅଧିକାଂଶ ସାଧାରଣ ଲୋକ ଥିଲେ ତେଣୁ ଏହି ଭଵିଷ୍ୟତଵାଣୀରେ ଗଭୀର ଭାବେ ଵିଶ୍ଵାସ କରିଵା ଆରମ୍ଭ କରିଦେଲେ। 21 ଡିସେମ୍ବର ତାରିଖ ନିକଟତର ହେଵା ସହିତ Martin ଓ ତାଙ୍କ ଅନୁସରଣକାରୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହୋଇ Clarionଵାସୀଙ୍କ ଅନ୍ତରୀକ୍ଷ ଯାନର ଅପେକ୍ଷା କଲେ। ଏହି ସମୂହ ଭକ୍ତିପୂର୍ଣ୍ଣ ଗୀତ ଗାଇଲେ, ମହମଵତୀ ଜାଳିଲେ ଓ ପୂର୍ଣ୍ଣ ଶ୍ରଦ୍ଧାରେ ନିଜ ଉଦ୍ଧାରର ଅପେକ୍ଷା କଲେ। କିନ୍ତୁ, ଯେପରି ଆଶା କରାଯାଉଥିଲା ସେପରି କିଛି ହେଲା ନାହିଁ । କୌଣସି ଅନ୍ତରୀକ୍ଷ ଯାନ ଆସିଲା ନାହିଁ କି କୌଣସି ପ୍ରଳୟକାରୀ ଵନ୍ୟା ହେଲା ନାହିଁ ।

ଯେତେବେଳେ Dorothy Martinଙ୍କ ଭଵିଷ୍ୟତଵାଣୀ ମିଥ୍ୟା ପ୍ରମାଣିତ ହେଲା ତା
ସେତେବେଳେ ତାଙ୍କ ଅନୁସରଣକାରୀଙ୍କ ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ଥିଲା। କୌଣସି ଅନୁସରଣକାରୀ Martinଙ୍କ ଦାବି ସମ୍ପୂର୍ଣ୍ଣ ଭୁଲ ଥିଲା କିମ୍ବା Clarionଙ୍କ ଅସ୍ତିତ୍ଵ ନାହିଁ ବୋଲି ସ୍ଵୀକାର କରିଵାକୁ ପ୍ରସ୍ତୁତ ନଥିଲେ। ଵରଂ, ସେମାନେ ଏ ସମ୍ବନ୍ଧରେ ଵିଭିନ୍ନ ଯୁକ୍ତି ଗଢ଼ିଲେ ଏଵଂ Dorothy Martinଙ୍କର ସମର୍ଥନ କଲେ। କେହି କେହି କହିଲେ ଯେ ସେମାନେ ସନ୍ଦେଶକୁ ଭୁଲ ବୁଝିଛନ୍ତି ଏଵଂ ପ୍ରଳୟର ତାରିଖ ଭଵିଷ୍ୟତରେ ହୋଇପାରେ।
କେହି କେହି ଵିଶ୍ଵାସ କଲେ ଯେ Clarionଵାସୀମାନେ ପୃଥିଵୀରେ ପ୍ରଳୟ ଘଟାଇଵାର ଯୋଜନା ରଦ୍ଦ କରିଦେଇଛନ୍ତି, କାରଣ ସେମାନଙ୍କର ଉଦ୍ଦେଶ୍ୟ କେଵଳ ଅନୁସରଣକାରୀଙ୍କ ଆସ୍ଥାର ପରୀକ୍ଷା ନେଵା ହିଁ ଥିଲା। ଅନେକ ଅନୁସରଣକାରୀ ଯୁକ୍ତି ଦେଇଥିଲେ ଯେ ସେମାନଙ୍କ ଭକ୍ତି ଓ ପ୍ରାର୍ଥନା ହିଁ ପ୍ରଳୟକୁ ଦୂର କରି ଦେଇଛି। 
ଏହି ପ୍ରତିକ୍ରିୟାଗୁଡ଼ିକ Confirmation Bias ର ଏକ ଉତ୍କୃଷ୍ଟ ଉଦାହରଣ। Confirmation Bias ଏମିତି ଏକ ମନୋଵୈଜ୍ଞାନିକ ପ୍ରଵୃତ୍ତି, ଯହିଁରେ ଲୋକମାନେ ସେହି ସୂଚନାଗୁଡ଼ିକୁ ଅଗ୍ରାଧିକାର ଦିଅନ୍ତି ଯାହା ସେମାନଙ୍କ ଵିଶ୍ଵାସକୁ ସମର୍ଥନ କରେ ଏଵଂ ସେହି ସୂଚନାଗୁଡ଼ିକୁ ଅଣଦେଖା କରନ୍ତି ଯାହା ସେମାନଙ୍କ ଵିଶ୍ଵାସକୁ ଚ୍ୟାଲେଞ୍ଜ୍ କରେ। Dorothy Martinଙ୍କ ଘଟଣାରେ, ଅନୁସରଣକାରୀମାନେ ସେମାନଙ୍କ ଆସ୍ଥା ଭୁଲ୍ ଥିଲା ବୋଲି ମାନିଵାକୁ ମନା କରିଦେଲେ। Dorothy Martinଙ୍କ ଅନୁସରଣକାରୀମାନେ ଏପରି ଵ୍ୟାଖ୍ୟା ଗଢ଼ିଲେ ଯାହା ସେମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କଲା।

ପ୍ରସିଦ୍ଧ ମନୋଵିଜ୍ଞାନୀ Leon Festinger ଏହି ଘଟଣାର ଅଧ୍ୟୟନ କରିଥିଲେ ଏଵଂ ତହିଁର ଵିଵରଣୀକୁ ତାଙ୍କ ପୁସ୍ତକ When Prophecy Failsରେ ଉଦାହରଣ ସ୍ଵରୂପ ଯୋଡ଼ିଛନ୍ତି । Festinger ଏହି ଘଟଣାକୁ Cognitive Dissonance ସିଦ୍ଧାନ୍ତ ମାଧ୍ୟମରେ ଵ୍ୟାଖ୍ୟା କରିଥିଲେ। Cognitive Dissonance ତେବେ ହୁଏ ଯେତେବେଳେ ଜଣେ ଵ୍ୟକ୍ତିଙ୍କ ଵିଶ୍ଵାସ ଓ ଵାସ୍ତଵତା ମଧ୍ୟରେ ସଂଘର୍ଷ ହୁଏ। ଏହି ଅସଙ୍ଗତିକୁ କମାଇଵା ପାଇଁ ଵ୍ୟକ୍ତି ହୁଏତ ନିଜ ଵିଶ୍ଵାସ ବଦଳାଇପାରେ କିମ୍ବା ଵାସ୍ତଵତାକୁ ଅଗ୍ରାହ୍ୟ କରିଵା ପାଇଁ ଯୁକ୍ତି ଗଢ଼ିପାରେ। Martinଙ୍କ ଅନୁସରଣକାରୀମାନେ ଦ୍ଵିତୀୟ ପନ୍ଥା ବାଛିଥିଲେ।

Festingerଙ୍କ ମତରେ, ଯେତେବେଳେ କୌଣସି ଭଵିଷ୍ୟଵାଣୀ ମିଥ୍ୟା ପ୍ରମାଣିତ ହୁଏ, ଵିଶ୍ଵାସୀଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଥାଏ:

କ. ସେମାନଙ୍କ ଵିଶ୍ଵାସ ଭୁଲ୍ ଥିଲା ବୋଲି ସ୍ଵୀକାର କରିଵା ।
ଖ. ଏପରି ଵ୍ୟାଖ୍ୟା କରିବା ଯାହା ସେମାନଙ୍କ ବିଶ୍ଵାସକୁ ଦୃଢ଼ କରିଵା ।

ପ୍ରଥମ ଵିକଳ୍ପଟି ମନୋଵୈଜ୍ଞାନିକ ଦୃଷ୍ଟିରୁ କଠିନ, କାରଣ ଏହା ଵ୍ୟକ୍ତିଙ୍କ ପରିଚୟ ଓ ସାମାଜିକ ସ୍ଥିତିକୁ ଚ୍ୟାଲେଞ୍ଜ କରେ। ତେଣୁ, ଅଧିକାଂଶ ଲୋକ ଦ୍ଵିତୀୟ ପନ୍ଥା ବାଛନ୍ତି, ଯେପରି Martin ଙ୍କ ଅନୁସରଣକାରୀମାନେ କରିଥିଲେ।

ତେବେ Confirmation Bias କେଵଳ ଧାର୍ମିକ ଵା ଅଲୌକିକ ଵିଶ୍ଵାସରେ ସୀମିତ ନାହିଁ ଵରଂ ଦୈନନ୍ଦିନ ଜୀଵନ, ରାଜନୀତି, ଵିଜ୍ଞାନ ଓ ସାମାଜିକ ଵ୍ୟଵହାରରେ ମଧ୍ୟ ଦେଖାଯାଏ।

ଵିଭିନ୍ନ ଧର୍ମ ଓ ସଂସ୍କୃତିରେ, ଯେଉଁମାନେ ଆସ୍ଥା ଉପରେ ପ୍ରଶ୍ନ ଉଠାନ୍ତି, ସେମାନଙ୍କୁ ଅନେକ ସମୟରେ ନକାରାତ୍ମକ ଭାବେ ଦେଖାଯାଏ। ଉଦାହରଣ ସ୍ଵରୂପ, Bible ରେ ଏପରି ଲୋକଙ୍କୁ "Devil’s Advocate" କୁହାଯାଏ, ପଠାଣଙ୍କ ଧର୍ମରେ "Kafir" ଏଵଂ ଭାରତୀୟ ପ୍ରେକ୍ଷାପଟରେ କେହି କେହି ସେମାନଙ୍କୁ "ଵାମପନ୍ଥୀ","ମ୍ଳେଚ୍ଛ" ଵା "ନାସ୍ତିକ" ଭଳି ଶବ୍ଦରେ ସମ୍ବୋଧନ କରନ୍ତି। ଏହି ନକାରାତ୍ମକ ଲେବଲିଂ ଵିଶ୍ଵାସକୁ ଚ୍ୟାଲେଞ୍ଜ କରିଵାର ପ୍ରକ୍ରିୟାକୁ ଆହୁରି କଠିନ କରିଦିଏ।

Confirmation Bias ରାଜନୀତିରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଏ। ଲୋକମାନେ ସେହି ଖବର, ଲେଖା ଓ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ଅଗ୍ରାଧିକାର ଦିଅନ୍ତି ଯାହା ସେମାନଙ୍କ ରାଜନୈତିକ ଆଦର୍ଶକୁ ସମର୍ଥନ କରେ। ଏହା ସମାଜରେ ଧ୍ରୁଵୀକରଣ ବଢ଼ାଇଥାଏ, କାରଣ ଲୋକମାନେ ଵିପରୀତ ମତକୁ ଶୁଣିଵା ଵା ବୁଝିଵାକୁ ମନା କରିଦିଅନ୍ତି।

ଵିଜ୍ଞାନ କ୍ଷେତ୍ରରେ ମଧ୍ୟ ଵୈଜ୍ଞାନିକମାନେ ବେଳେବେଳେ Confirmation Biasର ଶିକାର ହୁଅନ୍ତି। ସେମାନେ ସେହି ଡାଟାକୁ ଅଗ୍ରାଧିକାର ଦେଇପାରନ୍ତି ଯାହା ସେମାନଙ୍କ ପରିକଳ୍ପନାକୁ ସମର୍ଥନ କରେ ଏଵଂ ସେହି ଡାଟାକୁ ଅଣଦେଖା କରିପାରନ୍ତି ଯାହା ତାହାର ଖଣ୍ଡନ କରେ। 

ଏ ସମ୍ବନ୍ଧରେ ପ୍ରସିଦ୍ଧ ଖଗୋଳଵିଜ୍ଞାନୀ ଓ ଵିଜ୍ଞାନ ସଂଚାରକ Carl Saganଙ୍କ ଉକ୍ତି ପ୍ରଣିଧାନ ଯୋଗ୍ୟ ,ସେ କହିଥିଲେ— "ସବୁଠାରୁ ସହଜ ହେଉଛି ଏହା 'ଚିନ୍ତା' କରିଵା ଯେ ମୁଁ ଠିକ୍ ଅଛି। ଆଉ ସବୁଠାରୁ ଅସମ୍ଭଵ ହେଉଛି - ଏହା 'ଜାଣିଵା' ଓ 'ମାନିଵା' ଯେ ମୁଁ ଭୁଲ୍ ହୋଇପାରେ।" 

ଏହି କଥନ ମାନଵତାର ଏକ ମୌଳିକ ଦୁର୍ଵଳତାକୁ ପ୍ରକାଶ କରେ। ନିଜ ଵିଶ୍ଵାସକୁ ଚ୍ୟାଲେଞ୍ଜ କରିଵା ଓ ଏହା ସ୍ଵୀକାର କରିଵା ଯେ ଆମେ ଭୁଲ୍ ହୋଇପାରୁ, ଏକ କଠିନ ଓ ଅସହଜ ପ୍ରକ୍ରିୟା। କିନ୍ତୁ ଏହି ପ୍ରକ୍ରିୟା ଦ୍ଵାରା ହିଁ ଵ୍ୟକ୍ତିଗତ ଓ ସାମାଜିକ ଵିକାଶର ମୂଳଦୁଆ ସ୍ଥାପିତ ହୁଏ ।

ମାନଵତାର ପ୍ରଗତି ସେତେବେଳେ ହିଁ ସମ୍ଭଵ ହୋଇଛି ଯେତେବେଳେ ଲୋକମାନେ ନିଜ ଆସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି। ଉଦାହରଣ ସ୍ଵରୂପ, Galileo ପୃଥିଵୀ-କେନ୍ଦ୍ରିକ ଵିଶ୍ଵାସକୁ ଚ୍ୟାଲେଞ୍ଜ କରିଥିଲେ ଫଳତଃ ତାଙ୍କୁ କଠୋର ଦଣ୍ଡର ସାମ୍ନା କରିଵାକୁ ପଡ଼ିଥିଲା। କିନ୍ତୁ ତାଙ୍କ ଆଵିଷ୍କାର ଵିଜ୍ଞାନକୁ ଏକ ନୂଆ ଦିଗ ଦେଇଥିଲା। ସେହିପରି ଦାସତ୍ଵ ଉନ୍ମୂଳନ ଓ ମହିଳାଙ୍କ ମତାଧିକାର ଆଦି ସାମାଜିକ ସଂସ୍କାର ମଧ୍ୟ ଆସ୍ଥାଗୁଡ଼ିକୁ ଚ୍ୟାଲେଞ୍ଜ କରିଥିଲା ଯାହା ସେ ସମୟରେ ସାଧାରଣ ଥିଲା।

ମାନଵ ମନ ନିଜ ଵିଶ୍ଵାସକୁ ଦୃଢ଼ ରଖିଵା ପାଇଁ କେତେ ଜଟିଳ ଓ ସୃଜନଶୀଳ ହୋଇପାରେ ତାହା ଆମ୍ଭେମାନେ Dorothy Martinଙ୍କ କାହାଣୀ ଏଵଂ ଏହାସହ ଜଡ଼ିତ Confirmation Bias ସମ୍ବନ୍ଧୀୟ ତଥ୍ୟରୁ ଜାଣିପାରନ୍ତି । ଏହି ଘଟଣା କେଵଳ ମନୋଵୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକୁ ବୁଝିଵାରେ ସାହାଯ୍ୟ କରେ ନାହିଁ ଵରଂ ଏହା ମଧ୍ୟ ଦେଖାଇଥାଏ ଯେ ଆସ୍ଥା ଓ ଵିଶ୍ଵାସ ସାମାଜିକ ଓ ଵ୍ୟକ୍ତିଗତ ଜୀଵନରେ କେତେ ଗଭୀର ଭାବେ ଜଡ଼ିତ। Confirmation Biasକୁ ବୁଝିଵା ଏଵଂ ଏହାସହ ଲଢ଼ି ସତ୍ୟର ପକ୍ଷଧର ହୋଇ ରହିଵା ଆଧୁନିକ ସମାଜ ପାଇଁ ଏକ ବଡ଼ ଆହ୍ବାନ ଅଟେ। ଏଥିପାଇଁ ଆଵଶ୍ୟକ ଖୋଲା ମନରେ ନିଜ ଵିଶ୍ଵାସଗୁଡ଼ିକର ମୂଲ୍ୟାଙ୍କନ କରିଵା, ଯୁକ୍ତି ଓ ପ୍ରମାଣକୁ ଅଗ୍ରାଧିକାର ଦେଵା ଏଵଂ ଏହା ସ୍ଵୀକାର କରିଵାର ସାହସ ରଖିଵା ଯେ ଆମେ ଓ ଆମର ଵିଶ୍ଵାସ ମଧ୍ୟ ଭୁଲ୍ ହୋଇପାରେ। ଯଦି ଵିଶ୍ଵାସ ସହିତ ସତ୍ୟ ରହିଛି ତେବେ ସେହି ସତ୍ୟକୁ ଜାଣି ବୁଝି ହିଁ ଉକ୍ତ ଵିଶ୍ଵାସକୁ ଗ୍ରହଣ କରାଯାଇପାରେ । ସବୁ କଥାକୁ ଆଖିବୁଜି ଵିଶ୍ଵାସ କରିନେଵା ଆଦୌ ହିତକର ନୁହେଁ । 

No comments:

Post a Comment

ଇଂରାଜୀ ଭାଷାର ଜନ୍ମ ଇତିହାସ(ମଜାକଥା)

ଉପରୁ ଉପରୁ ଦେଖିଲେ ଇଂରାଜୀ ଭାଷାଟା ଗୋଟିଏ ପ୍ରାକୃତିକ ଭାଷା ଜଣାପଡ଼େ କିନ୍ତୁ ପ୍ରକୃତରେ ଇଂରାଜୀ ଭାଷାକୁ ସ୍ଵୟଂ ଭଗଵାନ ସୃଷ୍ଟି କରିଥିଲେ ।‌ ଏ ଵିଷୟରେ ଏକ ଜଣାଶୁଣା ...