“କର୍ମଣ୍ଯେଵାଧିକାରସ୍ତେ ମା ଫଳେଷୁ କଦାଚନ।
ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ଵକର୍ମଣି॥”
ଏହି ଶ୍ଲୋକରେ ଭଗଵାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ତୁମର ଅଧିକାର କେଵଳ କର୍ମ କରିଵାରେ ଅଛି, କର୍ମଫଳ ଉପରେ ନୁହେଁ। କୌଣସି କର୍ମ ଫଳ ପାଇଁ କରାଯିଵା ଉଚିତ୍ ନୁହେଁ ତେଣୁ ତୁମେ କର୍ମଫଳର ଚିନ୍ତା ନ କରି ଅକର୍ମଣ୍ୟତାରେ ଆସକ୍ତ ହୁଅ ନାହିଁ। ତେବେ ହଜାର ହଜାର ଵର୍ଷ ମଧ୍ୟରେ ଶହ ଶହ ଲୋକେ ଧରାପୃଷ୍ଠରେ ଜନ୍ମ ଲଭି ଏହି ଶ୍ଳୋକକୁ ନିଜ ନିଜ ଵିଚାର ଅନୁସାରେ ଵ୍ୟାଖ୍ୟା କରି ଚାଲିଯାଇଛନ୍ତି ।
ଏ ଅକିଞ୍ଚନ ଏହାର ଵୈଜ୍ଞାନିକ ପକ୍ଷଟି ଵିଷୟରେ ଲେଖୁଛି ...
ଭଗବଦ୍ଗୀତାର ପ୍ରୋକ୍ତ ଶ୍ଲୋକରେ ଫଳର ଆସକ୍ତି ତ୍ୟାଗ କରି କର୍ମରେ ନିୟୋଜିତ ରହିଵାକୁ ଆହ୍ୱାନ ଦିଆଯାଇଛି, ଯାହା ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ।
ଵୈଜ୍ଞାନିକ ଦୃଷ୍ଟିରୁ, କାର୍ଯ୍ୟ-କାରଣ ନୀତି ଵା Cause and Effect ସହିତ ଏହାର ସମାନତା ରହିଛି । Cause and Effect ଏକ ମୌଳିକ ସିଦ୍ଧାନ୍ତ ଏଵଂ ଏହି ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ଘଟଣାର ଏକ କାରଣ ଥାଏ ତଥା ତା’ର ଫଳାଫଳ ଅନେକ କାରକ ଉପରେ ନିର୍ଭର କରେ। ଗୀତାର ପ୍ରୋକ୍ତ ଶ୍ଲୋକରେ କର୍ମକୁ କାରଣ (Cause) ରୂପେ ଦେଖାଯାଇଛି, ଯାହା ଉପରେ ମନୁଷ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ମନୁଷ୍ୟ ନିଜର ଉଦ୍ୟମ, ଇଚ୍ଛାଶକ୍ତି ଓ ଦକ୍ଷତା ମାଧ୍ୟମରେ କର୍ମ କରିପାରେ। କିନ୍ତୁ ଫଳ ଵା ପରିଣାମ (Effect) ଅନେକ ଵାହ୍ୟ କାରକ ଯଥା- ପଵିବେଶ, ସାମାଜିକ ପରିସ୍ଥିତି,ଅନ୍ୟ ଵ୍ୟକ୍ତିଙ୍କ କାର୍ଯ୍ୟ ଏଵଂ ଅଣପ୍ରତ୍ୟାଶିତ ଘଟଣାଵଳୀ ଉପରେ ନିର୍ଭର କରେ। ଏହା ମନୁଷ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରେ ରହିଥାଏ। ଉଦାହରଣ ସ୍ୱରୂପ, ଜଣେ କୃଷକ ଵିହନ ବୁଣିଵା, ଜଳସେଚନ କରିଵା ଓ ଫସଲର ଯତ୍ନ ନେଵାରେ ନିଜର ସମ୍ପୂର୍ଣ୍ଣ ଉଦ୍ୟମ ଦେଇପାରେ ଯାହା ତାହାର କର୍ମ ଅଟେ । କିନ୍ତୁ ଫସଲର ପରିମାଣ ଵା ଗୁଣଵତ୍ତା ପାଣିପାଗ,ମାଟିର ଉର୍ଵରତା ତଥା କୀଟପତଙ୍ଗ ଆଦି ଅନେକ ଵାହ୍ୟ କାରକ ଉପରେ ନିର୍ଭର କରେ ଏଵଂ ଏହା କୃଷକର ଫଳ ଅଟେ। ଶ୍ଲୋକରେ ଅତି ସରଳ ଭାଷାରେ କୁହାଯାଇଛି ଯେ କର୍ମ ଉପରେ ଧ୍ୟାନ ଦେଵା ଆମର ଦାୟିତ୍ୱ, କିନ୍ତୁ ଫଳର ଚିନ୍ତା ଆମକୁ ଵିଚଳିତ କରିଵା ଉଚିତ୍ ନୁହେଁ।
କ୍ୱାଣ୍ଟମ ଭୌତିକୀରେ, ହାଇଜେନବର୍ଗଙ୍କ ଅନିଶ୍ଚିତତା ନୀତି (Uncertainty Principle) ଅନୁସାରେ, କୌଣସି ଘଟଣାର ଫଳାଫଳକୁ ସମ୍ପୂର୍ଣ୍ଣ ନିଶ୍ଚିତତାର ସହିତ ପୂର୍ଵାନୁମାନ କରାଯାଇପାରେ ନାହିଁ। ଉଦାହରଣ ସ୍ୱରୂପ, ଆମେ ଏକ କଣିକାର ଗତି ଓ ଅଵସ୍ଥାନକୁ ଏକସଙ୍ଗେ ଉପଯୁକ୍ତ ରୂପେ ମାପିପାରିନଥାଉ । ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ପ୍ରକୃତିରେ ଅନିଶ୍ଚିତତା ଏକ ଅଵିଚ୍ଛେଦ୍ୟ ଅଂଶ। ପ୍ରୋକ୍ତ ଶ୍ଲୋକର ସନ୍ଦେଶ ଏହି ଵୈଜ୍ଞାନିକ ସିଦ୍ଧାନ୍ତ ସହ ସମ୍ପୃକ୍ତ, ଯହିଁରେ କର୍ମ (କାରଣ) ଆମର ନିୟନ୍ତ୍ରଣରେ ଥାଏ, କିନ୍ତୁ ଫଳ (ପରିଣାମ) ଅନେକ ଅଜଣା ଓ ଅନିୟନ୍ତ୍ରିତ କାରକ ଦ୍ୱାରା ପ୍ରଭାଵିତ ହୁଏ। ଏହା ଆମକୁ ଫଳର ଅନିଶ୍ଚିତତାକୁ ଗ୍ରହଣ କରି କେବଳ କର୍ମରେ ମନୋନିଵେଶ କରିଵା ଉଚିତ ବୋଲି ଶିକ୍ଷା ଦେଇଥାଏ । ଗୀତାର ପ୍ରୋକ୍ତ ଶ୍ଲୋକଟି ଵୈଜ୍ଞାନିକ ଦୃଷ୍ଟିରୁ ମାନସିକ ସ୍ଥିରତା ଓ ଦକ୍ଷତା ବୃଦ୍ଧି କରେ, କାରଣ ଅନିଶ୍ଚିତତା ପ୍ରତି ଅନାସକ୍ତି ଆମକୁ ଅଯଥା ଚିନ୍ତାରୁ ମୁକ୍ତ କରେ।
ତେବେ ପ୍ରକୃତରେ "କର୍ମଣ୍ଯେଵାଧିକାରସ୍ତେ" ଶ୍ଳୋକରେ ମନୋଵିଜ୍ଞାନ ଓ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ରହିଥିଵାର ମୋର ଅନୁଭୁତ ହୋଇଅଛି । ମନୋଵିଜ୍ଞାନର ଦୃଷ୍ଟିକୋଣରୁ, କର୍ମଫଳ ପ୍ରତି ଅତ୍ୟଧିକ ଆସକ୍ତି ମାନସିକ ଚାପ (Stress), ଉଦ୍ବେଗ (Anxiety) ଓ ନିରାଶା (Depression) ସୃଷ୍ଟି କରିପାରେ। ଯେତେବେଳେ ଆମେ କର୍ମର ଫଳ ଉପରେ ଅଧିକ ଚିନ୍ତା କରୁ, ତା’ର ଅନିଶ୍ଚିତତା ଆମ ମନକୁ ଅସ୍ଥିର କରେ। ଉଦାହରଣ ସ୍ୱରୂପ, ଜଣେ ଛାତ୍ର ପରୀକ୍ଷା ପାଇଁ କଠିନ ପରିଶ୍ରମ କରିପାରେ, କିନ୍ତୁ ଫଳାଫଳର ଚିନ୍ତା ତାକୁ ମାନସିକ ଚାପରେ ରଖିପାରେ। କିନ୍ତୁ କର୍ମରେ ନିୟୋଜିତ ରହି ଫଳ ପ୍ରତି ଅନାସକ୍ତ ରହିଵାର ଵିଚାରଧାରାଟି ମନକୁ ଏକ Mindfulness ଅଵସ୍ଥାରେ ସ୍ଥାପିତ କରେ । ମାଇଣ୍ଡଫୁଲନେସ୍ ହେଉଛି ଏକ ମନୋଵୈଜ୍ଞାନିକ ଅଵସ୍ଥା, ଯହିଁରେ ଵ୍ୟକ୍ତି ବର୍ତ୍ତମାନ ମୁହୂର୍ତ୍ତରେ ସଚେତନ ରହେ ଓ ଭଵିଷ୍ୟତର ଚିନ୍ତାରୁ ମୁକ୍ତ ହୁଏ। ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଗଵେଷଣା ଦର୍ଶାଏ ଯେ ମାଇଣ୍ଡଫୁଲନେସ୍ ମାନସିକ ଚାପ ଓ ଉଦ୍ବେଗ ହ୍ରାସ କରେ ଏଵଂ ଵ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି କରେ। "କର୍ମଣ୍ଯେଵାଧିକାରସ୍ତେ" ଶ୍ଲୋକର ଉପଦେଶ ଏହି ମନୋଵୈଜ୍ଞାନିକ ସିଦ୍ଧାନ୍ତ ସହ ସମ୍ପୂର୍ଣ୍ଣ ସମନ୍ୱିତ।
ସଂକ୍ଷେପରେ କହିଵାକୁ ଗଲେ ଏହି ଶ୍ଲୋକ ଵୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଏକ ଗଭୀର ସନ୍ଦେଶ ଦେଇଥାଏ। କର୍ମକୁ କାରଣ ରୂପେ ଗ୍ରହଣ କରି ତା’ର ଉପରେ ନିୟନ୍ତ୍ରଣ ରଖିଵା ଏଵଂ ଫଳର ଅନିଶ୍ଚିତତା ପ୍ରତି ଅନାସକ୍ତ ରହିଵା ମାନସିକ ସ୍ଥିରତା, ଦକ୍ଷତା, ଓ ସଫଳତାର ମାର୍ଗ ପ୍ରଶସ୍ତ କରେ। ଏହା ଆଧୁନିକ ଵିଜ୍ଞାନ ସହ ଆଧ୍ୟାତ୍ମିକତାର ଏକ ଅନନ୍ୟ ସମ୍ମିଳନ, ଯାହା ଜୀଵନକୁ ଅଧିକ ସନ୍ତୁଳିତ ଓ ଅର୍ଥପୂର୍ଣ୍ଣ କରିଥାଏ ।
No comments:
Post a Comment