ଏକ ଶାନ୍ତ ରାତି। ଆକାଶରେ ତାରାଗୁଡ଼ିକ ମିଞ୍ଜି ମିଞ୍ଜି ହୋଇ ଦଳୁଥିଲା । ଆମେରିକାର ଆରିଜୋନା ରାଜ୍ୟର ଏକ ଛୋଟ ଗାଁ, ପିଏଡମଣ୍ଟ। ଏହି ଗାଁରେ ଥାଏ ମାତ୍ର କିଛି ପରିଵାର ଏଵଂ ସେମାନେ ସୁଖ ଶାନ୍ତିରେ ଜୀଵନ ଯାପନ କରୁଥିଲେ।
ସେହି ରାତିରେ ଆମେରିକାର ଏକ ସାମରିକ ଉପଗ୍ରହ ସ୍କୂପ-୭ ମହାକାଶରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଵା ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ, ଏହା ନିୟନ୍ତ୍ରଣ ହରାଇ ଆରିଜୋନାର ପିଏଡମଣ୍ଟ ସହର ନିକଟରେ ଦୁର୍ଘଟଣାରେ ପଡ଼ିଥିଲା।
ପରଦିନ ସକାଳେ ଦୁଇଜଣ ସୈନିକ, ଲେଫ୍ଟନାଣ୍ଟ ଶନ୍ ଓ ଲେଫ୍ଟନାଣ୍ଟ କ୍ରେନ୍, ସ୍କୂପ-୭ ଉପଗ୍ରହକୁ ଖୋଜିଵା ପାଇଁ ପିଏଡମଣ୍ଟ ଗାଁରେ ପହଞ୍ଚିଲେ। କିନ୍ତୁ ଗାଁରେ ପହଞ୍ଚିଵା ପରେ ସେମାନେ ଏକ ଭୟଙ୍କର ଦୃଶ୍ୟ ଦେଖିଲେ। ଗାଁର ରାସ୍ତାରେ ମଣିଷମାନେ ମୃତ ଅଵସ୍ଥାରେ ପଡ଼ିଥିଲେ। କେହି ଘରେ, କେହି ରାସ୍ତାରେ, ଆଉ କେହି ନିଜ କାମ କରୁଥିଵା ଅଵସ୍ଥାରେ ହଠାତ୍ ମରି ଯାଇଥିଲେ। ଏକ ଅଜଣା ଶକ୍ତି ସେମାନଙ୍କ ଜୀଵନ ନେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗାଁରେ ଦୁଇଜଣ ତଥାପି ବଞ୍ଚି ଯାଇଥିଲେ—ଜଣେ ବୃଦ୍ଧ ପିଟର ଜାକସନ୍ ଏଵଂ ଏକ ଛଅମାସର ଶିଶୁପୁତ୍ର ଜେମୀ ରିଟର୍ ।
ସୈନିକମାନେ ସ୍କୂପ-୭ ଉପଗ୍ରହଟି ଖୋଜି ପାଇଲେ, କିନ୍ତୁ ସେମାନେ ନିଜେ ମଧ୍ୟ ଏକ ଅଜଣା ଶକ୍ତିର ଶିକାର ହେଲେ। ସେମାନଙ୍କ ରେଡ଼ିଓ ସମ୍ପର୍କ ଵିଚ୍ଛିନ୍ନ ହୋଇଗଲା, ଆଉ ସେମାନେ ମଧ୍ୟ ମୃତ୍ୟୁଵରଣ କଲେ।
ଏହି ଘଟଣା ଆମେରିକାର ସାମରିକ ଓ ଵୈଜ୍ଞାନିକ ମହଲରେ ହଇଚଇ ସୃଷ୍ଟି କଲା। ସରକାର ତୁରନ୍ତ ଏକ ଗୁପ୍ତ ପ୍ରୋଜେକ୍ଟ, ‘ଓ୍ଵାଇଲ୍ଡଫାୟାର’କୁ ସକ୍ରିୟ କଲେ। ଏହି ପ୍ରୋଜେକ୍ଟ ଥିଲା ଏକ ଅତ୍ୟାଧୁନିକ ଗୁପ୍ତ ଗଵେଷଣାଗାର ଯାହା ନେଭାଡା ମରୁଭୂମିରେ ଭୂମିତଳେ ନିର୍ମିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମହାକାଶରୁ ଆସିଥିଵା ଅଜଣା ଜୀବାଣୁ ଵା ପଦାର୍ଥର ଅଧ୍ୟୟନ କରି ମଣିଷ ଜାତିକୁ ସୁରକ୍ଷା ଦେଵା।
ଏହି ପ୍ରୋଜେକ୍ଟ ପାଇଁ ଚାରିଜଣ ଵୈଜ୍ଞାନିକଙ୍କୁ ନିଯୁକ୍ତ କରାଗଲା:
- ଡକ୍ଟର ଜେରେମି ଷ୍ଟୋନ, ଜଣେ ପ୍ରସିଦ୍ଧ ମାଇକ୍ରୋବାୟୋଲୋଜିଷ୍ଟ ଓ ଦଳର ନେତା।
-ଡକ୍ଟର ପିଟର ଲେଭିଟ, ଜଣେ ରୋଗ ଵିଶେଷଜ୍ଞ।
-ଡକ୍ଟର ଚାର୍ଲସ ବର୍ଟନ, ଜଣେ ପାଥୋଲୋଜିଷ୍ଟ।
-ଡକ୍ଟର ମାର୍କ ହଲ, ଜଣେ ସର୍ଜନ ଓ ଏକମାତ୍ର ଅଵିଵାହିତ ଵୈଜ୍ଞାନିକ, ଯିଏ ‘Odd Man Hypothesis ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଵାର ଦାୟିତ୍ୱ ପାଇଥିଲେ।
ଏହି ଚାରିଜଣ ଵୈଜ୍ଞାନିକ ପିଏଡମଣ୍ଟରୁ ଉଦ୍ଧାର ହୋଇଥିଵା ସ୍କୂପ-୭ ଉପଗ୍ରହ ଓ ଦୁଇଜଣ ବଞ୍ଚିଥିଵା ବ୍ୟକ୍ତି—ପିଟର ଜାକସନ୍ ଓ ଶିଶୁପୁତ୍ରଟିକୁ—ନେଇ ଓ୍ଵାଇଲ୍ଡଫାୟାର ଗଵେଷଣାଗାରରେ ପହଞ୍ଚିଲେ।
ଗଵେଷଣାଗାରରେ ପହଞ୍ଚିଵା ପରେ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ସ୍କୂପ-୭ ଏକ ଅଜଣା ଜୀଵାଣୁ ଆଣିଛି, ଯାହାକୁ ସେମାନେ ‘ଆଣ୍ଡ୍ରୋମିଡା ସ୍ଟ୍ରେନ୍’ ନାମ ଦେଲେ। ଏହି ଜୀଵାଣୁ ଅତି ଛୋଟ, କିନ୍ତୁ ଅତ୍ୟନ୍ତ ମାରାତ୍ମକ। ଏହା ମଣିଷର ରକ୍ତକୁ ମାତ୍ର କିଛି ସେକେଣ୍ଡରେ ଶୁଖାଇ ଦେଉଥିଲା, ଯାହା ଫଳରେ ତୁରନ୍ତ ମୃତ୍ୟୁ ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଜୀଵାଣୁ ପିଟର ଜାକସନ୍ ଓ ଶିଶୁପୁତ୍ରଟିକୁ କାହିଁକି ମାରି ନଥିଲା?
ଵୈଜ୍ଞାନିକମାନେ ଦିନରାତି ଗଵେଷଣା ଆରମ୍ଭ କଲେ। ସେମାନେ ଜାଣିଵାକୁ ପାଇଲେ ଯେ ଆଣ୍ଡ୍ରୋମିଡା ସ୍ଟ୍ରେନ୍ କୌଣସି ଜୈଵିକ ଜୀବାଣୁ ନୁହେ ଵରଂ ଏକ କ୍ରିଷ୍ଟାଲାଇନ୍ ଗଠନ ଯାହା ମହାକାଶରୁ ଆସିଛି। ଏହା ଅତି ଦ୍ରୁତ ଗତିରେ ବଢ଼ି ଚାଲିଥାଏ ଏଵଂ ଶକ୍ତି ଶୋଷଣ କରି ନିଜକୁ ପୁନର୍ଜନନ କରୁଥାଏ। ଏହାର ସବୁଠାରୁ ଭୟଙ୍କର ଗୁଣ ଥିଲା ଯେ ଏହା ପ୍ରତିରୋଧକ ଶକ୍ତି ଵିରୁଦ୍ଧରେ ନିଜକୁ ବଦଳାଇ ପାରୁଥିଲା।
ଗବେଷଣା ଚାଲିଥିଵା ବେଳେ ଓ୍ଵାଇଲ୍ଡଫାୟାର ଗଵେଷଣାଗାରରେ ଏକ ନୂଆ ସମସ୍ୟା ଦେଖାଦେଲା। ଜୀଵାଣୁଟି ଗଵେଷଣାଗାରର ଵାୟୁ ନଳୀ ମାଧ୍ୟମରେ ବାହାରକୁ ଵ୍ୟାପିଵାର ଆଶଙ୍କା ଦେଖାଦେଲା। ଯଦି ଏହା ବାହାରକୁ ଵ୍ୟାପିଯାଏ, ତେବେ ଏହା ପୃଥିଵୀସାରା ଵ୍ୟାପୀ ମହାମାରୀ ସୃଷ୍ଟି କରିପାରେ। ଗଵେଷଣାଗାରରେ ଏକ ସ୍ୱୟଂଚାଳିତ ନ୍ୟୁକ୍ଲିୟର ଵିସ୍ଫୋରଣ ଵ୍ୟଵସ୍ଥା ଥିଲା ଯାହା ଜୀଵାଣୁ ବାହାରକୁ ଵ୍ୟାପିଵା ଆରମ୍ଭ କଲେ ଗଵେଷଣାଗାରକୁ ଧ୍ୱଂସ କରିଦେଵ। କିନ୍ତୁ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ନ୍ୟୁକ୍ଲିୟର ଵିସ୍ଫୋରଣ ଆଣ୍ଡ୍ରୋମିଡା ସ୍ଟ୍ରେନ୍କୁ ଆହୁରି ଶକ୍ତିଶାଳୀ କରିଦେଵ, କାରଣ ଏହା ଶକ୍ତି ଶୋଷଣ କରି ବଢ଼ିଥାଏ।
ଡକ୍ଟର ହଲଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ସେ ଏକ ଚାବି ଧରିଥିଲେ, ଯାହା ନ୍ୟୁକ୍ଲିୟର ଵିସ୍ଫୋରଣକୁ ଅଟକାଇ ପାରିଥାନ୍ତା। କିନ୍ତୁ ସମୟ ଖୁବ୍ କମ୍ ଥିଲା। ଗଵେଷଣାଗାରରେ ଵାୟୁ ଲିକ୍ ହେଵା ଆରମ୍ଭ ହୋଇଯାଇଥିଲା ଆଉ ଜୀଵାଣୁ ବାହାରକୁ ଵ୍ୟାପିଵାର ଆଶଙ୍କା ବଢ଼ି ଚାଲିଥିଲା।
ଅନେକ ପରୀକ୍ଷା ପରେ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ଆଣ୍ଡ୍ରୋମିଡା ସ୍ଟ୍ରେନ୍ କେଵଳ ନିର୍ଦ୍ଦିଷ୍ଟ pH ମାତ୍ରାରେ ବଞ୍ଚିପାରେ। ପିଟର ଜାକସନ୍ ଓ ଶିଶୁପୁତ୍ରଟି ବଞ୍ଚିଗଲେ କାରଣ ସେମାନଙ୍କ ରକ୍ତର pH ମାତ୍ରା ସ୍ଟ୍ରେନ୍ ପାଇଁ ଅନୁପଯୁକ୍ତ ଥିଲା। ପିଟର ଅତ୍ୟଧିକ ଅମ୍ଳୀୟ ଔଷଧ ସେଵନ କରୁଥିଲେ, ଆଉ ଶିଶୁଟିର ରକ୍ତ ଅତ୍ୟଧିକ ଆଲକାଲାଇନ୍ ଥିଲା। ଏହି ସୂଚନା ଵୈଜ୍ଞାନିକମାନଙ୍କ ପାଇଁ ସମାଧାନର ପଥ ପରିଷ୍କାର କରିଦେଲା ।
ଶେଷ ମୁହୂର୍ତ୍ତରେ ଡକ୍ଟର ହଲ ନ୍ୟୁକ୍ଲିୟର ଵିସ୍ଫୋରଣକୁ ଅଟକାଇଲେ। ଵୈଜ୍ଞାନିକମାନେ ଆଣ୍ଡ୍ରୋମିଡା ସ୍ଟ୍ରେନ୍କୁ ନଷ୍ଟ କରିଵା ପାଇଁ ଏକ ରାସାୟନିକ ପ୍ରକ୍ରିୟା ଵ୍ୟଵହାର କଲେ, ଯାହା ଜୀଵାଣୁର pH ମାତ୍ରାକୁ ଵିନାଶ କଲା। ଗଵେଷଣାଗାର ସୁରକ୍ଷିତ ହେଲା, ଆଉ ମଣିଷ ଜାତି ଏକ ମହାଵିପଦରୁ ରକ୍ଷା ପାଇଲା।
କିନ୍ତୁ କାହାଣୀ ଏଠାରେ ଶେଷ ହେଲା ନାହିଁ। ଆଣ୍ଡ୍ରୋମିଡା ସ୍ଟ୍ରେନ୍ ମନୁଷ୍ୟଜାତି ପାଇଁ ଏକ ଚେତାଵନୀ ଥିଲା। ମଣିଷ ମହାକାଶରେ ଅଜଣା ଜୀଵକୁ ଖୋଜୁଛି, କିନ୍ତୁ ସେ କ’ଣ ଜାଣେ ଯେ ସେହି ଅଜଣା ଜୀଵ ତା’ ନିଜର ଵିନାଶ ଆଣିପାରେ? ଓ୍ଵାଇଲ୍ଡଫାୟାର ଦଳ ଏହି ଵିପଦକୁ ଅଟକାଇଲେ, କିନ୍ତୁ ଆଗକୁ ଆହୁରି କେତେ ଅଜଣା ଵିପଦ ଅପେକ୍ଷା କରିଛି, ତାହା କେହି ଜାଣି ନାହାନ୍ତି।
•••••••••••••••••••••••••••••••
୧୯୬୯ରେ ପ୍ରକାଶ ପାଇଥିଵା ଔପନ୍ୟାସିକ Michael Crichtonଙ୍କ ଉପନ୍ୟାସ The Andromeda Strainର ଏହା ସଂକ୍ଷିପ୍ତ କାହାଣୀ । The Andromeda Strainର କାହାଣୀରେ ମଣିଷର ଜିଜ୍ଞାସା,ଵୈଜ୍ଞାନିକ ଆଵିଷ୍କାର ଓ ଅଜଣା ଭୟର ଏକ ରୋମାଞ୍ଚକର ମିଶ୍ରଣ ଘଟିଛି । ଆଣ୍ଡ୍ରୋମିଡା ସ୍ଟ୍ରେନ୍ ଆମକୁ ଶିଖାଏ ଯେ ଵିଜ୍ଞାନର ପ୍ରତ୍ୟେକ ପଦକ୍ଷେପ ଆଗରେ ଏକ ଅଜଣା ରହସ୍ୟ ଲୁଚି ରହିଛି। ଏହି କାହାଣୀ ଅନୁସରଣରେ The Andromeda Strain ନାମରେ ୧୯୭୧ରେ ଏକ ଚଳଚ୍ଚିତ୍ର ଏଵଂ ୨୦୦୮ରେ ଏକ Mini series ମୁକ୍ତିଲାଭ କରିଥିଲା। ଏହି ଉପନ୍ୟାସର sequelକୁ Andromeda Evolution ନାମରେ Daniel H. Wilson ଲେଖିଛନ୍ତି ଯାହା ନଭେମ୍ବର ୨୦୧୯ରେ ପ୍ରକାଶ ପାଇଛି ।
••••••••••••••••••••••••••••••••
The Andromeda Strain ଉପନ୍ୟାସର ଲେଖକ ମାଇକେଲ କ୍ରିଚଟନ୍ (୧୯୪୨–୨୦୦୮) ଜଣେ ପ୍ରସିଦ୍ଧ ଆମେରିକୀୟ ଲେଖକ, ଚଳଚ୍ଚିତ୍ର ନିର୍ମାତା ଓ ଚିକିତ୍ସକ ଥିଲେ। ସେ ଵିଜ୍ଞାନ କାଳ୍ପନିକ ଓ ଥ୍ରିଲର ଉପନ୍ୟାସ ପାଇଁ ଵିଶେଷ ଜଣାଶୁଣା। ତାଙ୍କର ସବୁଠାରୁ ଚର୍ଚ୍ଚିତ ରଚନା ମଧ୍ୟରେ The Andromeda Strain, Jurassic Park, Timeline,Prey,Congo, Sphere ଓ State of Fear ଆଦି ଜଣାଶୁଣା । କ୍ରିଚଟନ ଚଳଚ୍ଚିତ୍ର ନିର୍ମାଣ ସହିତ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। କ୍ରିଚଟନ Westworld (1973) ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ। ଏହା ଏକ ଥିମ୍ ପାର୍କରେ ରୋବଟ୍ମାନଙ୍କର ଵିଦ୍ରୋହ ଉପରେ ଆଧାରିତ ଯାହା ଵୈଜ୍ଞାନିକ କଳ୍ପଵିଜ୍ଞାନ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଵ୍ୟସ୍ତ ହୋଇଥିଲା।
Coma (1978) ଚଳଚ୍ଚିତ୍ର ତାଙ୍କ ଉପନ୍ୟାସରୁ ରୂପାନ୍ତରିତ ଯହିଁରେ ଅଵୈଧ ଅଙ୍ଗ ଵ୍ୟଵସାୟ ଉପରେ ଆଲୋକପାତ କରାଯାଇଛି। ER (1994–2009) କ୍ରିଚଟନଙ୍କ ଦ୍ୱାରା ସୃଷ୍ଟ ଏକ ଜନପ୍ରିୟ ଟେଲିଵିଜନ ଧାରାଵାହିକ ଯାହା ଚିକିତ୍ସା ନାଟକ ଶୈଳୀ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଥିଲା। ଏହା ତାଙ୍କର ଚିକିତ୍ସକୀୟ ପୃଷ୍ଠଭୂମିରୁ ପ୍ରେରିତ। Jurassic Park (1993) ଚଳଚ୍ଚିତ୍ର ଷ୍ଟିଭେନ୍ ସ୍ପିଲବର୍ଗଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଵଂ କ୍ରିଚଟନ ଏହାର ଚିତ୍ରନାଟ୍ୟ ଲେଖିଥିଲେ।
ହାର୍ଭାର୍ଡ ଵିଶ୍ୱଵିଦ୍ୟାଳୟରୁ ଚିକିତ୍ସା ଶାସ୍ତ୍ରରେ ଡିଗ୍ରୀ ଲାଭ କରିଥିଵା କ୍ରିଚଟନ୍ ତାଙ୍କ ରଚନାରେ ଵୈଜ୍ଞାନିକ ତଥ୍ୟ ଓ ରୋମାଞ୍ଚକର କାହାଣୀର ଅନୁପମ ମିଶ୍ରଣ କରୁଥିଲେ। ତାଙ୍କ ଅନେକ ଉପନ୍ୟାସ ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାଵାହିକରେ ରୂପାନ୍ତରିତ ହୋଇଛି। ତାଙ୍କ ଲେଖା ପାଠକଙ୍କୁ ଵିଜ୍ଞାନର ସମ୍ଭାଵନା ଓ ଵିପଦ ଉପରେ ଚିନ୍ତା କରିଵାକୁ ପ୍ରେରଣା ଦେଇଥାଏ।
••••••••••••••••••••••••••••••••
"Odd Man Hypothesis" ପ୍ରକୃତରେ ଏକ କାଳ୍ପନିକ ସିଦ୍ଧାନ୍ତ ଏଵଂ ପ୍ରଥମେ ମାଇକେଲ କ୍ରିଚଟନଙ୍କ ୧୯୬୯ ମସିହାର ଟେକ୍ନୋ-ଥ୍ରିଲର ଉପନ୍ୟାସ The Andromeda Strainରେ ଉପସ୍ଥାପିତ ହୋଇଥିଲା। ଏହି ସିଦ୍ଧାନ୍ତ ଅନୁଯାୟୀ, ଅଵିଵାହିତ ପୁରୁଷମାନେ ସଙ୍କଟ ସମୟରେ (ଯେପରିକି ଜୈଵିକ କିମ୍ବା ପାରମାଣଵିକ ସଙ୍କଟ) ସବୁଠାରୁ ନିରପେକ୍ଷ ଓ ଯୁକ୍ତିସଙ୍ଗତ ନିଷ୍ପତ୍ତି ନେଵାରେ ସକ୍ଷମ ହୋଇଥାନ୍ତି। ଉପନ୍ୟାସରେ, ଏହାକୁ ଏକ କାଳ୍ପନିକ RAND Corporation ରିପୋର୍ଟ ଆକାରରେ ଉପସ୍ଥାପନ କରାଯାଇଛି, ଯହିଁରେ ଵିଭିନ୍ନ ଵ୍ୟକ୍ତିଙ୍କ ନିଷ୍ପତ୍ତି ନେଵାର କ୍ଷମତାକୁ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅଵିଵାହିତ ପୁରୁଷମାନଙ୍କର ନିଷ୍ପତ୍ତି କାର୍ଯ୍ୟକାରିତା ସୂଚକାଙ୍କ (command decision effectiveness index) ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ଥାଏ । ଉପନ୍ୟାସରେ, ଏହି ସିଦ୍ଧାନ୍ତର ଵ୍ୟଵହାର ଡକ୍ଟର ହଲ୍ ନାମକ ଜଣେ ଅଵିଵାହିତ ଵୈଜ୍ଞାନିକଙ୍କୁ ଏକ ଗୁପ୍ତ ଲାବୋରେଟୋରୀ (Wildfire) ରେ ଜୈଵିକ ସଙ୍କଟ ନିୟନ୍ତ୍ରଣ ପାଇଁ ଏକ ପାରମାଣଵିକ ଵିସ୍ଫୋରଣକୁ ନିଷ୍କ୍ରିୟ କରିଵାର ଚାବି ଦିଆଯାଇଛି। ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି କାରଣ ସେ ଅଵିଵାହିତ ଏଵଂ ତାଙ୍କର ନିଷ୍ପତ୍ତି ନେଵାର କ୍ଷମତା ସବୁଠାରୁ ଉଚ୍ଚ ବୋଲି ଵିଵେଚନା କରାଯାଇଛି। ତେବେ, ଏହା ଏକ ସମ୍ପୂର୍ଣ୍ଣ କାଳ୍ପନିକ ସିଦ୍ଧାନ୍ତ ଏଵଂ ଵାସ୍ତଵ ଜୀଵନରେ ଏହାର କୌଣସି ଵୈଜ୍ଞାନିକ ଭିତ୍ତି ନାହିଁ। କ୍ରିଚଟନ ଏହାକୁ ଉପନ୍ୟାସରେ ଏକ ନାଟକୀୟ ଉପାଦାନ ଭାବେ ଵ୍ୟଵହାର କରିଛନ୍ତି, ଯାହା ଏକ କାଳ୍ପନିକ ରିପୋର୍ଟ ଦ୍ୱାରା ସମର୍ଥିତ ହୋଇଛି। ଉପନ୍ୟାସରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି ସିଦ୍ଧାନ୍ତ ଏକ ମିଥ୍ୟା କାଗଜପତ୍ର ଆଧାରରେ ଗଢ଼ାଯାଇଥିଲା । ଵୈଜ୍ଞାନିକମାନଙ୍କୁ ପାରମାଣଵିକ ଅସ୍ତ୍ର ନିୟନ୍ତ୍ରଣର ଦାୟିତ୍ୱ ଦେଵାକୁ ନ୍ୟାୟସଙ୍ଗତ କରିଵା ପାଇଁ ଏଭଳି କରାଯାଇଥିଲା । ଏହା ମୁଖ୍ୟତଃ ଏକ ଗଳ୍ପଗତ ଉପକରଣ ଭାବେ କାମ କରେ, ଯାହା ଉପନ୍ୟାସରେ ରୋମାଞ୍ଚ ଓ ଉତ୍ତେଜନା ସୃଷ୍ଟି କରିଵାକୁ ଵ୍ୟଵହୃତ ହୋଇଛି।
•••••••••••••••••••••••••••••••••••
No comments:
Post a Comment