ମନୁଷ୍ୟ ମନ ଏକ ରହସ୍ୟମୟ ଶକ୍ତିଶାଳୀ ଯନ୍ତ୍ର। ଏହାର କାର୍ଯ୍ୟପ୍ରଣାଳୀ ଏତେ ଜଟିଳ ଯେ ଵୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିପାରି ନାହାନ୍ତି। ତଥାପି, ଵିଜ୍ଞାନ ଆମକୁ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ସହିତ ପରିଚିତ କରାଇଛି: ଆମର ଚିନ୍ତାଧାରା ଓ ଵିଶ୍ୱାସ ଆମ ଶରୀର ତଥା ମନ ଉପରେ ଗଭୀର ପ୍ରଭାବ ପକାଇପାରେ।
୧୯୯୨ ମସିହାରେ "ଜର୍ଣ୍ଣାଲ ଅଫ୍ ନ୍ୟୁରୋଫିଜିଓଲୋଜି"ରେ ପ୍ରକାଶିତ ଏକ ଗଵେଷଣାତ୍ମକ ଆଲେଖ୍ୟରେ ଵୈଜ୍ଞାନିକମାନେ ମନୁଷ୍ୟ ମନର ଶକ୍ତିକୁ ପରୀକ୍ଷା କରିଥିଵା କଥା ଉଲ୍ଲେଖ ଥିଲା । ଏହି ପରୀକ୍ଷାରେ ଦୁଇଟି ଗୋଷ୍ଠୀକୁ ନିଆଯାଇଥିଲା। ପ୍ରଥମ ଗୋଷ୍ଠୀ ନିୟମିତ ଶାରୀରିକ ଵ୍ୟାୟାମ କରୁଥିଲେ । ଦ୍ୱିତୀୟ ଗୋଷ୍ଠୀ କୌଣସି ଶାରୀରିକ ଵ୍ୟାୟାମ ନକରି କେଵଳ ମନରେ କଳ୍ପନା କରୁଥିଲେ ଯେ ସେମାନେ ଵ୍ୟାୟାମ କରୁଛନ୍ତି। ଏକ ମାସ ପରେ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ପ୍ରଥମ ଗୋଷ୍ଠୀର ଲୋକମାନଙ୍କ ମାଂସପେଶୀ ଶକ୍ତି ୩୦% ବୃଦ୍ଧି ପାଇଥିଲା, ଯାହା ଆଶାକୃତ ଥିଲା। କିନ୍ତୁ ଦ୍ୱିତୀୟ ଗୋଷ୍ଠୀ, ଯେଉଁମାନେ କେଵଳ ମାନସିକ ଭାବେ ଵ୍ୟାୟାମର କଳ୍ପନା କରିଥିଲେ, ସେମାନଙ୍କ ମାଂସପେଶୀ ଶକ୍ତିରେ ବି ୨୨% ବୃଦ୍ଧି ହୋଇଥିଲା। ଏହା ଏକ ଆଶ୍ଚର୍ଯ୍ୟଜନକ ଆଵିଷ୍କାର ଥିଲା ଯେ ମନର ଚିନ୍ତନ ଶାରୀରିକ ଶକ୍ତି ଉପରେ ଏତେ ଗଭୀର ପ୍ରଭାବ ପକାଇ ପାରେ। ଏହି ପରୀକ୍ଷାରୁ ଜଣାପଡି଼ଲା ଯେ ଆମର ମନ ଏକ ଶକ୍ତିଶାଳୀ ଉପକରଣ, ଯାହା କେଵଳ ଚିନ୍ତା ମାଧ୍ୟମରେ ବି ଶାରୀରିକ ପରିଵର୍ତ୍ତନ ଆଣିପାରେ।
ମନୁଷ୍ୟ ମନ ଏକ ମେକାନିକାଲ ପ୍ରକ୍ରିୟା ଉପରେ କାର୍ଯ୍ୟ କରେ। ଆମେ ଯାହା ଅନୁଭଵ କରୁ ଵା ଶିଖୁ, ତାହା ଆମର ମସ୍ତିଷ୍କରେ ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣ ଆକାରରେ ସଂରକ୍ଷିତ ହୁଏ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ A ରୁ Z ପର୍ଯ୍ୟନ୍ତ ଇଂରାଜୀ ଵର୍ଣ୍ଣମାଳା କହିଵାକୁ କୁହାଯାଏ, ଆପଣ ସହଜରେ କହିଦେବେ। କିନ୍ତୁ Z ରୁ A ପର୍ଯ୍ୟନ୍ତ କହିଵାକୁ କୁହାଗଲେ, ଆପଣ ଅସୁବିଧାର ସମ୍ମୁଖୀନ ହେବେ, କାରଣ ଆପଣଙ୍କ ମସ୍ତିଷ୍କ ଏହି କ୍ରମରେ ତଥ୍ୟ ସଂରକ୍ଷଣ କରିନାହିଁ। ଅର୍ଥାତ୍ ଆମ ମସ୍ତିଷ୍କ ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣ ଅନୁସାରେ କାର୍ଯ୍ୟ କରେ, ଯାହା ଆମର ଅନୁଭଵ ଓ ଶିକ୍ଷଣ ଉପରେ ନିର୍ଭର କରେ।
ଏହି ପ୍ୟାଟର୍ଣ୍ଣ-ଆଧାରିତ ଵ୍ୟଵସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ହେଲା ,ମସ୍ତିଷ୍କ କେଵଳ ଵାସ୍ତଵ ଅନୁଭଵ ହିଁ ନୁହେଁ କାଳ୍ପନିକ ଵା ମିଥ୍ୟା ପ୍ୟାଟର୍ଣ୍ଣକୁ ମଧ୍ୟ ଵାସ୍ତଵ ଭାବେ ଗ୍ରହଣ କରିପାରେ, ଯଦି ତାହା ଆମର ଅଵଚେତନ ମନରେ ଗଭୀର ଭାବେ ପ୍ରଵେଶ କରିଥାଏ। ଉଦାହରଣ ସ୍ୱରୂପ, ପୂର୍ଵଜମାନଙ୍କ ଦ୍ୱାରା ଅନ୍ଧକାର ସମ୍ପର୍କିତ ଭୟଙ୍କର କାହାଣୀ ଶୁଣି ଆମର ମନ ଏକ ପ୍ୟାଟର୍ଣ୍ଣ ତିଆରି କରିଛି, ଯାହା ଆଜି ମଧ୍ୟ ଆମକୁ ଅନ୍ଧକାରରେ ଅସୁବିଧା ଅନୁଭଵ କରାଏ। ଏହା ଆମର ଡିଏନ୍ଏରେ ସଂରକ୍ଷିତ ଏକ ପ୍ରାଚୀନ ପ୍ୟାଟର୍ଣ୍ଣ, ଯାହା ଆମକୁ ଭୟଭୀତ କରେ, ଯଦିଓ ଆମେ ଜାଣୁ ଯେ ଆମ ଆଖପାଖରେ କୌଣସି ଵାସ୍ତଵ ଵିପଦ ନାହିଁ।
ପ୍ୟାଟର୍ଣ୍ଣ-ଆଧାରିତ ମନର ଏହି ଶକ୍ତିକୁ ଵୈଜ୍ଞାନିକମାନେ "ପ୍ଲାସିବୋ ପ୍ରଭାଵ" ନାମ ଦେଇଛନ୍ତି। ପ୍ଲାସିବୋ ପ୍ରଭାଵ ଏପରି ଘଟଣା, ଯହିଁରେ କୌଣସି ଔଷଧ ଵା ଚିକିତ୍ସା ବିନା ଵାସ୍ତଵ ଔଷଧୀୟ ଗୁଣ ଥାଇ ମଧ୍ୟ, ଵିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ଶାରୀରିକ ଵା ମାନସିକ ଉନ୍ନତି ହୁଏ। ଉଦାହରଣ ସ୍ୱରୂପ, ଯଦି ଆପଣ ଡାକ୍ତରଙ୍କ ପ୍ରତି ଵିଶ୍ୱାସ ରଖନ୍ତି, ତେବେ ସେ ଆପଣଙ୍କୁ ଏକ ଚିନିର ବଟିକା ଦେଇ ମଧ୍ୟ ଆପଣଙ୍କୁ ସୁସ୍ଥ କରିପାରନ୍ତି, କାରଣ ଆପଣଙ୍କ ମନ ତାହାକୁ ଔଷଧ ବୋଲି ଗ୍ରହଣ କରେ।
ଏହା କେଵଳ ଔଷଧ କ୍ଷେତ୍ରରେ ସୀମିତ ନୁହେଁ। ଧାର୍ମିକ ଵା ସାଂସ୍କୃତିକ ଵିଶ୍ୱାସ ମଧ୍ୟ ଏହି ପ୍ରଭାଵ ସୃଷ୍ଟି କରିପାରେ। ଉଦାହରଣ ସ୍ୱରୂପ, ଯଦି ଆପଣ ଵିଶ୍ୱାସ କରନ୍ତି ଯେ କୌଣସି ମନ୍ଦିରରେ ନଡ଼ିଆ ଅର୍ପଣ କଲେ ଵା ସୂତ୍ର ବାନ୍ଧିଲେ ଆପଣଙ୍କ ମନୋକାମନା ପୂରଣ ହେଵ ତେବେ ଆପଣଙ୍କ ମନର ଏହି ଵିଶ୍ୱାସ ଆପଣଙ୍କ ଶରୀରରେ ଇତିଵାଚକ ପରିଵର୍ତ୍ତନ ଆଣିପାରେ। ଏହା ହୁଏତ ସଂଯୋଗ ହୋଇପାରେ, କିନ୍ତୁ ଆପଣଙ୍କ ମସ୍ତିଷ୍କ ଏହାକୁ ସେହି ଧାର୍ମିକ କାର୍ଯ୍ୟ ସହିତ ସମ୍ପର୍କିତ କରି ଆପଣଙ୍କୁ ଉର୍ଜ୍ଜାବାନ ଓ ଆତ୍ମଵିଶ୍ୱାସୀ ଅନୁଭଵ କରାଏ।
ଏହି ଵିଷୟକୁ ଆପଣ ନିଜେ ପରୀକ୍ଷା କରି ଦେଖିପାରନ୍ତି। ଯଦି ଆପଣ ଡାହାଣ ହାତରେ ଲେଖନ୍ତି, ତେବେ ଆଖି ବନ୍ଦ କରି ନିଷ୍ଠା ଓ ଵିଶ୍ୱାସ ସହିତ କଳ୍ପନା କରନ୍ତୁ ଯେ ଆପଣ ଶୂନ୍ୟରେ ଆପଣଙ୍କ ବାଆଁ ହାତରେ ନିଜର ହସ୍ତାକ୍ଷର କରୁଛନ୍ତି। ଯଦି ଆପଣ ଏହା ପୂର୍ଣ୍ଣ ନିଷ୍ଠାରେ କରନ୍ତି, ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ କଳ୍ପନାରେ ମଧ୍ୟ ଆପଣ ସେହି ସମାନ ଶୈଳୀରେ ଲେଖିପାରୁଛନ୍ତି, ଯେପରି ଆପଣ ଵାସ୍ତଵରେ ଲେଖନ୍ତି। କିନ୍ତୁ ଯଦି ଆପଣ ଏହା ସିଧାସଳଖ ଲେଖିପାରୁନାହାନ୍ତି, ତେବେ ଏହାର କାରଣ ହେଉଛି ଆପଣଙ୍କ ମସ୍ତିଷ୍କ ଏହି ପ୍ୟାଟର୍ଣ୍ଣରେ ଅଭ୍ୟସ୍ତ ନୁହେଁ। ଏହା ମନର ମେକାନିକାଲ ପ୍ରକୃତିକୁ ପ୍ରମାଣ କରେ।
ଅଵଚେତନ ମନ ଵାସ୍ତଵ ଓ କାଳ୍ପନିକ ପ୍ୟାଟର୍ଣ୍ଣ ମଧ୍ୟରେ ପ୍ରଭେଦ କରିପାରେ ନାହିଁ। ଉଦାହରଣ ସ୍ୱରୂପ, ଯଦି ଆପଣ କିଛି ଦିନ ଧରି ନିରନ୍ତର ଭୟଙ୍କର ଚଳଚ୍ଚିତ୍ର ଦେଖନ୍ତି, ତେବେ ରାତିରେ ରୋଷେଇ ଘରେ ବିଲେଇ ଦ୍ୱାରା ଗ୍ଲାସ୍ ପଡ଼ିଲେ ମଧ୍ୟ ଆପଣ ଭୟଭୀତ ହୋଇପାରନ୍ତି। ସେହିପରି, ଯଦି ଆପଣ ଏଲିଅନ୍ ସମ୍ପର୍କିତ ଚଳଚ୍ଚିତ୍ର ଦେଖନ୍ତି, ତେବେ ଆକାଶରେ ଦେଖା ଯାଉଥିଵା ପ୍ରତ୍ୟେକ ଆଲୋକ ଆପଣଙ୍କୁ ଏଲିଅନ୍ ସ୍ପେସ୍ ସିପ୍ ପରି ଲାଗିପାରେ। ତେଣୁ ସଂକ୍ଷେପରେ କହିଲେ ଅଵଚେତନ ମନ କାଳ୍ପନିକ ପ୍ୟାଟର୍ଣ୍ଣକୁ ମଧ୍ୟ ଵାସ୍ତଵ ଭାବେ ଗ୍ରହଣ କରିପାରେ।
ସ୍ୱପ୍ନରେ ମଧ୍ୟ ଏହି ପ୍ରଭାଵ ଦେଖାଯାଏ। ଯଦି ଆପଣ ସ୍ୱପ୍ନରେ କୌଣସି ଭୟଙ୍କର ପରିସ୍ଥିତିରେ ଥାଆନ୍ତି, ତେବେ କୌଣସି ଆଘାତ ପୂର୍ଵରୁ ଆପଣଙ୍କ ମସ୍ତିଷ୍କ ଆପଣଙ୍କୁ ଝଟକା ଦେଇ ଜାଗ୍ରତ କରିଦିଏ, କାରଣ ସ୍ୱପ୍ନରେ ହେଉଥିଵା ଅନୁଭଵ ମଧ୍ୟ ଆପଣଙ୍କ ଶରୀର ଉପରେ ଵାସ୍ତଵ ପ୍ରଭାଵ ପକାଇପାରେ।
ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସ ସମ୍ବନ୍ଧୀୟ ଏହି ଵିଜ୍ଞାନ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ: ଆମର ମନ ଆମର ଜୀଵନକୁ ପରିଵର୍ତ୍ତନ କରିପାରେ। ଯଦି ଆପଣ ନିଷ୍ଠାର ସହିତ ଇତିଵାଚକ ଚିନ୍ତା କରନ୍ତି, ତେବେ ଆପଣଙ୍କ ଶରୀର ଓ ମନ ସେହି ଅନୁସାରେ ପ୍ରତିକ୍ରିୟା କରିଵ। ଏହା କୌଣସି ଚମତ୍କାର ନୁହେଁ ଵରଂ ଆମର ମସ୍ତିଷ୍କର ମେକାନିକାଲ ଓ ପ୍ୟାଟର୍ଣ୍ଣ-ଆଧାରିତ ପ୍ରକୃତିର ଏକ ଫଳ। ଏହି ଶକ୍ତିକୁ ବୁଝି ଓ ଵ୍ୟଵହାର କରି ଆମେ ଆମର ଜୀବନକୁ ଅଧିକ ସୁଖୀ, ସୁସ୍ଥ ଓ ସଫଳ କରିପାରିଵା ।
ମନୁଷ୍ୟ ମନର ଶକ୍ତି ଅସୀମ। ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସ ଆମ ଶରୀର ଓ ମନ ଉପରେ ଗଭୀର ପ୍ରଭାଵ ପକାଇପାରେ। ମନର ଶକ୍ତି ବଳରେ କେଵଳ ଶାରୀରିକ କାର୍ଯ୍ୟ ନୁହେଁ, ମାନସିକ କଳ୍ପନା ମଧ୍ୟ ଆମର ଜୀଵନକୁ ପରିଵର୍ତ୍ତନ କରିପାରେ।
ତେବେ ପ୍ରାଚୀନ ଭାରତୀୟ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତକମାନେ ମନର ଶକ୍ତି ଵିଷୟରେ ଗଭୀର ଭାବେ ଜାଣିଥିଲେ। ଭାରତୀୟ ଦର୍ଶନ, ଵିଶେଷତଃ ଉପନିଷଦ, ଭଗଵଦ୍ଗୀତା ଓ ଯୋଗସୂତ୍ର ଆଦି ଗ୍ରନ୍ଥରେ ମନର ଶକ୍ତି ଓ ତାହାର ପ୍ରଭାଵ ଉପରେ ଵିସ୍ତୃତ ଆଲୋଚନା ରହିଛି। ଏହି ଗ୍ରନ୍ଥଗୁଡ଼ିକରେ ମନକୁ ଏକ ଶକ୍ତିଶାଳୀ ଉପକରଣ ଭାବେ ଵର୍ଣ୍ଣନା କରାଯାଇଛି, ଯାହା ଠିକ୍ ଦିଗରେ ନିୟନ୍ତ୍ରଣ କଲେ ଜୀଵନକୁ ଉନ୍ନତ କରିପାରେ ଏଵଂ ଅନିୟନ୍ତ୍ରିତ ହେଲେ ଏହା ଵିନାଶର କାରଣ ମଧ୍ୟ ହୋଇପାରେ।
ଏ ସମ୍ବନ୍ଧରେ ଭଗଵଦ୍ଗୀତାର ଏକ ପ୍ରସିଦ୍ଧ ଶ୍ଳୋକର ଉଦାହରଣ ଦିଆଯାଇପାରେ । ଭଗଵଦ୍ଗୀତାର ଅଧ୍ୟାୟ ୬, ଶ୍ଳୋକ ୬ରେ କୁହାଯାଇଛି :
“ବନ୍ଧୁରାତ୍ମାତ୍ମନସ୍ତସ୍ଯ ଯେନାତ୍ମୈଵାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ଵେ ଵର୍ତେ ତାତ୍ମୈଵ ଶତ୍ରୁଵତ୍ ॥”
ଅର୍ଥାତ୍: ଯେଉଁ ଵ୍ୟକ୍ତି ନିଜ ମନକୁ ନିୟନ୍ତ୍ରଣ କରିଛି, ତାହାର ମନ ତା'ର ବନ୍ଧୁ ହୁଏ। କିନ୍ତୁ ଯେଉଁ ଵ୍ୟକ୍ତି ନିଜ ମନକୁ ନିୟନ୍ତ୍ରଣ କରିପାରେ ନାହିଁ, ତାହାର ମନ ତାହାର ଶତ୍ରୁ ପରି କାର୍ଯ୍ୟ କରେ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନର ଶକ୍ତି ଓ ନିୟନ୍ତ୍ରଣର ଗୁରୁତ୍ୱ ଵିଷୟରେ ବୁଝାଇଛନ୍ତି। ମନ ଏକ ଶକ୍ତିଶାଳୀ ଉପକରଣ, ଯାହା ନିୟନ୍ତ୍ରଣରେ ରହିଲେ ଜୀଵନକୁ ସଫଳ ଓ ସୁଖୀ କରିପାରେ। କିନ୍ତୁ ଅନିୟନ୍ତ୍ରିତ ମନ ଭୟ, ସନ୍ଦେହ ଓ ନକାରାତ୍ମକ ଚିନ୍ତା ସୃଷ୍ଟି କରି ଵ୍ୟକ୍ତିର ପତନ ଘଟାଇପାରେ। ଏହା ଆଧୁନିକ ଵିଜ୍ଞାନର ପ୍ଲାସିବୋ ପ୍ରଭାଵ ଓ ମାନସିକ ଚିନ୍ତନର ଶକ୍ତି ସହିତ ସମ୍ପୂର୍ଣ୍ଣ ସମ୍ପର୍କିତ, ଯେଉଁଠି ଚିନ୍ତନ ଓ ଵିଶ୍ୱାସ ଶାରୀରିକ ତଥା ମାନସିକ ଅଵସ୍ଥାକୁ ପରିଵର୍ତ୍ତନ କରିପାରେ।
ମନୁଷ୍ୟ ମନର ଶକ୍ତି ଅସୀମ ଏଵଂ ଏହା ଚିନ୍ତନ, ଶ୍ରଦ୍ଧା ଓ ଵିଶ୍ୱାସ ମାଧ୍ୟମରେ ଜୀଵନକୁ ରୂପାନ୍ତରିତ କରିପାରେ। ପ୍ଲାସିବୋ ପ୍ରଭାଵ ଓ ୧୯୯୨ର ଅନୁସନ୍ଧାନ ଦର୍ଶାଏ ଯେ ମାନସିକ କଳ୍ପନା ଶାରୀରିକ ପରିଵର୍ତ୍ତନ ଆଣିପାରେ ଆଉ ଭଗଵଦ୍ଗୀତାର ଶ୍ଳୋକ (୬.୬) ମନର ନିୟନ୍ତ୍ରଣକୁ ବନ୍ଧୁ ଭାବେ ଓ ଅନିୟନ୍ତ୍ରିତ ମନକୁ ଶତ୍ରୁ ଭାବେ ଵର୍ଣ୍ଣନା କରେ। ତେଣୁ ଯୋଉମାନେ ଆତ୍ମହତ୍ୟାକୁ ସାହସିକତା କହୁଛନ୍ତି ସେମାନଙ୍କ ଧାରଣା ଭୁଲ୍ ଅଟେ । ଆତ୍ମହତ୍ୟା ଅନିୟନ୍ତ୍ରିତ ମନର ନକାରାତ୍ମକ ଅଵସ୍ଥା । ଯେତେବେଳେ ଜଣକ ମନରେ ନିରାଶା, ଭୟ ଓ ଅସହାୟତା ଆଧିପତ୍ୟ ଵିସ୍ତାର କରେ ସେତେବେଳେ ତା ମୁଣ୍ତ କାମ କରିଵା ହିଁ ବନ୍ଦ କରିଦିଏ ତେଣୁ ଅନ୍ୟ ଉପାୟ ନ ପାଇ ସେ ଆତ୍ମହତ୍ୟା କରେ । ଆଧୁନିକ ମନୋଵିଜ୍ଞାନ ଅନୁସାରେ, ଏହା ମାନସିକ ସଙ୍କଟର ଲକ୍ଷଣ, ଯେଉଁଠାରେ ମନ ସମାଧାନ ଖୋଜିଵା ପରିଵର୍ତ୍ତେ ପଳାୟନ କରିଵାକୁ ବାଛିନିଏ । ଆତ୍ମହତ୍ୟାକୁ ସାହସ କହିଵା ମାନସିକ ସଙ୍କଟକୁ ହେୟଜ୍ଞାନ କରିଵା ଏଵଂ ସମସ୍ୟାର ଗମ୍ଭୀରତାକୁ ଅଵମୂଲ୍ୟାୟନ କରିଵା ଅଟେ। ପ୍ରାଚୀନ ଦର୍ଶନ ଏଵଂ ଆଧୁନିକ ଵିଜ୍ଞାନ ଉଭୟ ଇତିବାଚକ ଚିନ୍ତନ ଓ ମନର ନିୟନ୍ତ୍ରଣରେ ଜୀଵନର ମୂଲ୍ୟ ଦର୍ଶାଏ। ତେଣୁ, ଆତ୍ମହତ୍ୟା କରୁଥିଵା ଵ୍ୟକ୍ତିଙ୍କୁ ସାହସୀ କହିଵା ପରିଵର୍ତ୍ତେ, ସେମାନଙ୍କୁ ଯଦି ବଞ୍ଚିଥିଵା ବେଳେ ସହାନୁଭୂତି, ସମର୍ଥନ ଓ ମାନସିକ ଚିକିତ୍ସା ପ୍ରଦାନ କରି ସେମାନଙ୍କ ମନର ଶକ୍ତିକୁ ଜୀଵନମୁଖୀ କରାଯାଇ ପାରେ ତାହା ସେମାନଙ୍କ ସୁଖୀ ଓ ସଫଳ ଜୀଵନର ପଥ ପ୍ରଶସ୍ତ କରିପାରିଵ ।
No comments:
Post a Comment