ଲଣ୍ଡନର ଏକ ପୁରୁଣା, ଧୂସର ଓ କୁହୁଳିଆ ସହରୀ ଅଞ୍ଚଳରେ ସନ୍ଧ୍ୟା ସମୟରେ ରାସ୍ତାଗୁଡ଼ିକ ଗ୍ୟାସ୍ ଲାଇଟ୍ରେ ଝାପସା ଆଲୋକିତ ହେଉଥିଲା ଏଵଂ ସେଠାରେ ଥିଲା ଏକ ଭଵ୍ୟ କିନ୍ତୁ ରହସ୍ୟମୟ ଘର। ଏହି ଘରେ Mr. Jack Manningham ଏଵଂ ତାଙ୍କ ସ୍ତ୍ରୀ Bella Manningham ରହୁଥିଲେ । Jack ଥିଲେ ଜଣେ ସୁନ୍ଦର, ମିଷ୍ଟଭାଷୀ, ଚତୁର ଵ୍ୟକ୍ତି, ଯାହାଙ୍କ ସ୍ଵଭାଵ ଅନେକଙ୍କୁ ଆକର୍ଷଣୀୟ ଲାଗୁଥିଲା । Bella ଥିଲେ ଜଣେ ସରଳ, ସମ୍ବେଦନଶୀଳ ଓ ନିରୀହ ମହିଳା, ଯିଏ ନିଜ ସ୍ୱାମୀଙ୍କୁ ଅନ୍ଧ ଭାବେ ଭରସା କରୁଥିଲେ। ସେମାନଙ୍କ ଵୈଵାହିକ ଜୀଵନ ବାହାରୁ ଦେଖାଗଲେ ଶାନ୍ତ ଓ ସୁଖମୟ ଲାଗୁଥିଲା, କିନ୍ତୁ ଘରର ଚାରିକାନ୍ଥ ମଧ୍ୟରେ ଲୁକ୍କାୟିତ ଥିଲା ଏକ ଅନ୍ଧକାର ରହସ୍ୟ।
ବେଲା ଲକ୍ଷ୍ୟ କରିବାକୁ ଲାଗିଲେ ଯେ ତାଙ୍କ ଘରେ କିଛି ଅଜଣା ଘଟଣା ଘଟୁଛି । ସନ୍ଧ୍ୟା ହେଲେ ଘରର ଗ୍ୟାସ୍ ଲାଇଟ୍ଗୁଡ଼ିକ ଧୀରେ ଧୀରେ କ୍ଷୀଣ ଆଲୋକଯୁକ୍ତ ହୋଇ ଯାଉଥିଲା। ଏହା ଏକ ଅଜଣା ଭୟଙ୍କର ଅନୁଭଵ ଥିଲା। ସେ ନିଜ ଆଖିରେ ଦେଖୁଥିଲେ ଯେ ଆଲୋକ କମୁଛି, କିନ୍ତୁ ଯେତେବେଳେ ସେ Jackଙ୍କୁ ଏହା ଵିଷୟରେ ପଚାରୁଥିଲେ, ସେ ଅଳ୍ପ ହସି ଜବାବ ଦେଉଥିଲେ, “Bella,ଏହା ତୁମ ମନର ଭ୍ରମ। ଆଲୋକ ଆଦୌ କମି ନାହିଁ । ତୁମେ ବୋଧେ ଏ ଵିଷୟରେ ଅଧିକ ଚିନ୍ତା କରୁଛ। ତେଣୁ ତୁମେ କିଛି ଦିନ ଵିଶ୍ରାମ କର।” Bella ତାଙ୍କ କଥାକୁ ଵିଶ୍ୱାସ କରୁଥିଲେ, କିନ୍ତୁ ତାଙ୍କ ମନରେ ଏକ ଅଜଣା ସନ୍ଦେହ ତଥାପି ରହିଥାଏ ।
ତେବେ ସେ ଗ୍ୟାସ୍ ଲାଇଟ୍ର ଆଲୋକ କ୍ଷୀଣ ହେଵା ଵ୍ୟତୀତ ଅନ୍ୟ ଅଜଣା ଘଟଣା ମଧ୍ୟ ଘଟୁଥିଲା। ଘର କାନ୍ଥରେ ଟଙ୍ଗା ହୋଇଥିଵା ଏକ ମୂଲ୍ୟଵାନ ଚିତ୍ରକଳା କେତେବେଳେ ଅଦୃଶ୍ୟ ହୋଇଯାଉଥିଲା, ଆଉ କେତେବେଳେ ପୁଣି ସେହି ସ୍ଥାନକୁ ଫେରି ଆସୁଥିଲା। Bella ଏହା ଵିଷୟରେ ମଧ୍ୟ Jackଙ୍କୁ ଜଣାଇଲେ, କିନ୍ତୁ Jack ତାଙ୍କୁ ଉତ୍ତର ଦେଉଥିଲେ, “Bella, ତୁମ ଆଖି ଭଲ ନାହିଁ ବୋଧହୁଏ। ଚିତ୍ରଟି ପରା ସେଇଠି ଟଙ୍ଗା ହୋଇଛି। କ'ଣ ହୋଇଛି ତୁମର ତୁମେ ଏସବୁ ଛୋଟ ଛୋଟ କଥାକୁ ନେଇ ଏତେ ସମ୍ବେଦନଶୀଳ କାହିଁକି ହୋଇ ଯାଉଛ।”
ରାତିରେ, ଯେତେବେଳେ ଚାରିଆଡ଼ ନିଃଶବ୍ଦ ହୋଇ ପଡ଼ୁଥିଲା, Bella ଅଜଣା ପାଦଶବ୍ଦ ଶୁଣୁଥିଲେ। ଏମିତି ଲାଗୁଥିଲା ସତେ ଯେମିତି କେହି ଘରର ଉପର ମହଲାରେ ଚାଲବୁଲ କରୁଛି। ଭୟଭୀତ ହୋଇ ସେ Jackଙ୍କୁ ଏକଥା ଵିଷୟରେ ମଧ୍ୟ ଜଣାଇଲେ, କିନ୍ତୁ Jack ପୁଣି ତାଙ୍କୁ ଶାନ୍ତ କରି କହିଲେ, “Bella, ତୁମେ ନିଶ୍ଚୟ କୌଣସି ସ୍ୱପ୍ନ ଦେଖିଛ। କାଇଁ ଏମିତି କୌଣସି ଶବ୍ଦ ମୁଁ ତ କେବେ ଶୁଣିନାହିଁ କି ଶୁଣୁନାହିଁ। ତୁମେ ଆରାମ କର, ସବୁ ଠିକ୍ ହୋଇଯିଵ।”
ଏହିପରି ଅନେକ ଦିନ ବିତିଗଲା ଆଉ Bellaଙ୍କ ମନରେ ସନ୍ଦେହ ଆହୁରି ବଢ଼ିଵାକୁ ଲାଗିଲା। ସେ ନିଜକୁ ସବୁବେଳେ ପ୍ରଶ୍ନ କରୁଥିଲେ, “ମୁଁ କ’ଣ ସତରେ ପାଗଳ ହେଉଛି? ମୁ ଅନୁଭଵ କରୁଥିଵା ଏଵଂ ଆଖିରେ ଦେଖୁଥିଵା ଘଟଣାଗୁଡ଼ିକ ତଥା କାନରେ ଶୁଣୁଥିଵା ଶବ୍ଦମାନ କ’ଣ କେଵଳ ମୋ ମନର କଳ୍ପନା ?”
Bella ମାନସିକ ଭାବେ ଦୁର୍ଵଳ ହୋଇ ଯାଇଥିଲେ। ସେ ନିଜର ଆତ୍ମଵିଶ୍ୱାସ ହରାଇ ବସିଥିଲେ। ଘରର ଚାରି କାନ୍ଥ ମଧ୍ୟରେ ସେ ନିଜକୁ ଜଣେ ବନ୍ଦୀ ଭଳି ଦେଖୁଥିଲେ ।
ଦିନେ ସେ ଘରେ ପ୍ରଵେଶ କଲେ Mr. Rough, ଜଣେ ଡିଟେକ୍ଟିଭ୍। Rough ଏକ ପୁରୁଣା ଅପରାଧର ତଦନ୍ତରେ ଲାଗିଥିଲେ, ଯାହା ଏହି ଘର ସହ ଜଡ଼ିତ ଥିଲା। ସେ Bellaଙ୍କ ଅସ୍ୱାଭାଵିକ ଆଚରଣ ଓ ଭୟଭୀତ ଚେହେରା ଲକ୍ଷ୍ୟ କଲେ। ସେ Bellaଙ୍କ ସହ କଥା ହେଲେ। Bella ତାଙ୍କୁ ଗ୍ୟାସ୍ ଲାଇଟ୍ର ମଳିନତା, ଚିତ୍ରକଳାର ଅଦୃଶ୍ୟ ହେଵା ଓ ଉପର ମହଲାରୁ ଆସୁଥିଵା ଅଜଣା ଶବ୍ଦ ଵିଷୟରେ କହିଲେ। Rough ଶାନ୍ତ ମନରେ ସବୁ କଥା ଶୁଣିଲେ ଓ ତାଙ୍କୁ ଆଶ୍ୱାସନା ଦେଲେ, “Bella, ଆପଣ ପାଗଳ ନୁହଁ। ଆପଣଙ୍କ ସହ କିଛି ଅନ୍ୟାୟ ହେଉଛି। ମୁଁ ଏହାର ସତ୍ୟ ବାହାର କରିବି।”
Roughଙ୍କ ତଦନ୍ତରୁ ଏକ ଚମକପ୍ରଦ ସତ୍ୟ ସାମ୍ନାକୁ ଆସିଲା। Jack Manningham ଆଦୌ ଜଣେ ନିରୀହ ସ୍ୱାମୀ ନଥିଲେ। ସେ ଥିଲେ ଏକ ଚତୁର ଓ ନିର୍ଦ୍ଦୟ ଅପରାଧୀ ଆଉ ତାଙ୍କର ପ୍ରକୃତ ନାମ ଥିଲା Sidney Power। କିଛି ଵର୍ଷ ତଳେ, ଏହି ଘରର ପୂର୍ଵତନ ମାଲିକାଣୀ, Alice Barlow ନାମକ ଜଣେ ଧନୀ ମହିଳାଙ୍କୁ Sidney (ଛଦ୍ମବେଶୀ Jack Manningham) ହତ୍ୟା କରିଥିଲେ। Alice ଥିଲେ Bellaଙ୍କ ଦୂର ସମ୍ପର୍କୀୟ, ଏକ ସମ୍ଭ୍ରାନ୍ତ ମହିଳା ଏଵଂ ତାଙ୍କ ପାଖରେ ଏକ ବହୁମୂଲ୍ୟ ରୁବି ଥିଲା। ଏହି ରୁବି ଆର୍ଥିକ,ଐତିହାସିକ ଓ ଭାଵନାତ୍ମକ ଦୃଷ୍ଟିକୋଣରୁ ଅତି ମୂଲ୍ୟବାନ ଥିଲା। ଏହା ଏକ ଵିରଳ ରତ୍ନ ଥିଲା ଯାହାର ଚମକ ଓ ଇତିହାସ ଏହାକୁ ଅନନ୍ୟ କରୁଥିଲା।
Sidney Power ଏହି ରୁବିକୁ ପାଇଵା ପାଇଁ Aliceଙ୍କୁ ହତ୍ୟା କରିଥିଲେ। ରାତିର ଅନ୍ଧକାରରେ, Sidney ଘରେ ପଶି Aliceଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ, କିନ୍ତୁ ରୁବିଟି ତାଙ୍କୁ ମିଳି ନଥିଲା। Alice, ନିଜର ମୃତ୍ୟୁ ପୂର୍ବରୁ, ରୁବିଟିକୁ ଘରର ଉପର ମହଲାରେ ଏକ ଗୁପ୍ତ ଜାଗାରେ ଲୁଚାଇ ଦେଇଥିଲେ। ହତ୍ୟା ପରେ, Sidney ପୋଲିସ କବଳରୁ ବର୍ତ୍ତିଵା ପାଇଁ ପଳାଇ ଯାଇଥିଲେ, କିନ୍ତୁ ରୁବିର ଲୋଭ ତାଙ୍କୁ ଶାନ୍ତିରେ ରହିଵାକୁ ଦେଇ ନଥିଲା।
କିଛି ଵର୍ଷ ବିତିଗଲା । Sidney ନୂଆ ପରିଚୟରେ ଫେରି ଆସିଲେ—Jack Manningham ଭାବେ। ସେ Bellaଙ୍କୁ ଵିଵାହ କରି ଏହି ଘରେ ପ୍ରଵେଶ କଲେ, କାରଣ Bella ଏହି ଘରର ଉତ୍ତରାଧିକାରୀ ଥିଲେ। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା ରୁବିଟିକୁ ଖୋଜି ବାହାର କରିଵା । ରାତିରେ, ଯେତେବେଳେ Bella ଶୋଉଥିଲେ, Jack ଉପର ମହଲାରେ ଖୋଜାଖୋଜି କରୁଥିଲେ। ଏହି ଖୋଜା ସମୟରେ ସେ ପାଖ ଘରରୁ ଗ୍ୟାସ୍ ଵ୍ୟଵହାର କରୁଥିଲେ, ଯାହା ତାଙ୍କ ଘରର ଗ୍ୟାସ୍ ଲାଇଟ୍ଗୁଡ଼ିକୁ ମଳିନ କରୁଥିଲା। ଏହା ଥିଲା Bellaଙ୍କ ମନରେ ସନ୍ଦେହ ସୃଷ୍ଟି କରିଵାର ଏକ ଚକ୍ରାନ୍ତ। ସେ ଚାହୁଁଥିଲେ ଯେ Bella ନିଜକୁ ପାଗଳ ଭାବି ଘର ଛାଡ଼ି ଚାଲିଯାଆନ୍ତୁ ଫଳତଃ ସେ ନିଶ୍ଚିନ୍ତରେ ଖୋଜାଖୋଜି କରିପାରିବେ ।
ରୁବିଟି ଥିଲା ଏକ ଐତିହାସିକ ରତ୍ନ ଯାହା Alice Barlowଙ୍କ ପରିଵାରରେ ବହୁ ପଢ଼ିଧରି ରହିଥିଲା। ଏହାର ମୂଲ୍ୟ ଲକ୍ଷ ଲକ୍ଷ ପାଉଣ୍ଡରେ ମାପାଯାଉଥିଲା, କିନ୍ତୁ ଏହାର ଇତିହାସ ମଧ୍ୟ ଏହାକୁ ଅନନ୍ୟ କରୁଥିଲା। କୁହାଯାଏ ଯେ ଏହି ରୁବି ଏକ ରାଜପରିଵାରରୁ ଆସିଥିଲା, ଯାହା ଏହାକୁ ଆହୁରି ମୂଲ୍ୟବାନ କରୁଥିଲା। Sidney Power ଏହି ରୁବିକୁ ଲାଭ କରିଵା ପାଇଁ ନିର୍ମମ ହତ୍ୟା କରିଥିଲେ, କିନ୍ତୁ ତାଙ୍କ ଯୋଜନା ଅସଫଳ ହୋଇଥିଲା।
ଏହି ରୁବିଟି ଏହି ଅପରାଧର ପ୍ରମାଣ ମଧ୍ୟ ଥିଲା। ଯଦି ଏହା ପୋଲିସର ହାତକୁ ଆସେ, ତାହେଲେ Sidneyଙ୍କୁ ହତ୍ୟା ଅଭିଯୋଗରେ ଧରାଯିଵ। ତେଣୁ ସେ ଏହାକୁ ଖୋଜିଵା ସହ ଲୁଚାଇଵାକୁ ଚାହୁଁଥିଲେ। Bellaଙ୍କୁ ମାନସିକ ଭାବେ ଅସ୍ଥିର କରିଵା ଥିଲା ତାଙ୍କର ଏକ ଚାଲ୍ । Bellaଙ୍କୁ ଘରୁ କୌଶଳ ପୂର୍ଵକ ବାହାର କରି ସେ ନିଜର ଅପରାଧକୁ ଲୁଚାଇ ରଖିଵାକୁ ଚାହୁଁଥିଲେ । ଗ୍ୟାସ୍ ଲାଇଟ୍ଗୁଡ଼ିକୁ ମଳିନ କରିଵା, ଚିତ୍ରକଳାକୁ ଲୁଚାଇଵା ଏଵଂ ଅଜଣା ଶବ୍ଦ ସୃଷ୍ଟି କରିଵା—ଏ ସବୁ ଥିଲା Bellaଙ୍କ ମନରେ ଭୟ ଓ ସନ୍ଦେହ ଜନ୍ମାଇଵାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।
Mr. Roughଙ୍କ ତଦନ୍ତ ଆଗେଇଲା। ସେ ଘରର ପୁରୁଣା ରେକର୍ଡ, Alice Barlowଙ୍କ ହତ୍ୟା ଓ Sidney Powerଙ୍କ ଅପରାଧୀ ପରିଚୟ ଵିଷୟରେ ଖୋଜି ବାହାର କଲେ। ସେ Bellaଙ୍କୁ ବୁଝାଇଲେ ଯେ Jack ତାଙ୍କୁ ଜାଣିଶୁଣି ମାନସିକ ଭାବେ ଅସ୍ଥିର କରୁଛନ୍ତି। Rough ଏକ ଯୋଜନା ପ୍ରସ୍ତୁତ କଲେ। ସେ Bellaଙ୍କୁ କହିଲେ ଯେ ସେ Jackଙ୍କୁ ସନ୍ଦେହ ନ କରିଵା ପାଇଁ ସାଧାରଣ ଆଚରଣ କରନ୍ତୁ, ଯାହା ତାଙ୍କୁ ଧରିଵାରେ ସାହାଯ୍ୟ କରିବ।
ଦିନେ ରାତିରେ, Rough ଲୁଚି ରହିଲେ, ଆଉ Jack ପୁଣି ଉପର ମହଲାରେ ଖୋଜାଖୋଜି କରିଵାକୁ ଗଲେ। ଏହି ସମୟରେ Bella ସଜାଗ ରହି ତାଙ୍କୁ ଅନୁସରଣ କଲେ। ସେ ଦେଖିଲେ ଯେ ଉପର ମହଲା ଘରେ Jack ଖୋଜାଖୋଜି କରୁଛନ୍ତି ଏଵଂ ତାଙ୍କୁ ଶେଷରେ ଏକ ଗୁପ୍ତସ୍ଥାନରୁ ଏକ ଛୋଟ ବାକ୍ସ ମିଳିଯାଉଛି । ସେହି ଛୋଟ ବାକ୍ସରେ ରୁବିଟି ଲୁଚାଇ ରଖାଯାଇଥିଲା। ଏତିକିବେଳେ ଡିଟେକ୍ଟିଵ୍ Rough ପ୍ରଵେଶ କଲେ ଓ Jackଙ୍କୁ ଅପରାଧୀ ଭାବେ ଧରିଲେ। ସେ ପୋଲିସକୁ ଡାକିଲେ, ଆଉ Jackଙ୍କୁ ଗିରଫ କରାଗଲା।
Roughଙ୍କ ସାହାଯ୍ୟରେ, Bella ନିଜର ମାନସିକ ଶାନ୍ତି ଓ ସ୍ୱାଧୀନତା ଫେରି ପାଇଲେ। ରୁବିଟି ପୋଲିସର ହାତକୁ ହସ୍ତାନ୍ତର କରାଗଲା, ଆଉ Alice Barlowଙ୍କ ହତ୍ୟାର ସତ୍ୟ ସାମ୍ନାକୁ ଆସିଲା। Bella ସେହି ଘରେ ତଥାପି ରହିଵାକୁ ନିଷ୍ପତ୍ତି ନେଲେ କାରଣ ତାଙ୍କୁ ମିଛେଈ କହିଲାବାଲା ଏଵଂ ପାଗଳୀ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରୁଥିଵା ଲୋକ ଆଉ କେହି ସେଠାରେ ନଥିଲେ । Bella ଏବେ ଜଣେ ସ୍ୱାଧୀନ ଓ ସାହସୀ ମହିଳା ଥିଲେ ଏଵଂ ସେଥିପାଇଁ ସେ ସେହି ଘରେ ହିଁ ରହିଗଲେ ।
••••••••••••••••••••••••••••••••
ଗ୍ୟାସ୍ ଲାଇଟ୍ ଏକ ପ୍ରକାରର ଆଲୋକ ଵ୍ୟଵସ୍ଥା ଯହିଁରେ ଜାଳେଣି ଗ୍ୟାସ୍ (ଯଥା କୋଇଲା ଗ୍ୟାସ୍, ପ୍ରାକୃତିକ ଗ୍ୟାସ୍ ଵା ଅନ୍ୟାନ୍ୟ ଜ୍ୱଳନଶୀଳ ଗ୍ୟାସ୍) ଵ୍ୟଵହାର କରି ଆଲୋକ ଉତ୍ପନ୍ନ ହୁଏ । ଏହା ସାଧାରଣତଃ ୧୯ଶ ଶତାବ୍ଦୀରେ ରାସ୍ତା, ଘର ଓ ଜନସାଧାରଣ ସ୍ଥାନଗୁଡ଼ିକୁ ଆଲୋକିତ କରିଵା ପାଇଁ ଵ୍ୟଵହୃତ ହେଉଥିଲା। ଗ୍ୟାସ୍ ଲାଇଟ୍ ସାଧାରଣତଃ ଏକ ବାର୍ନର ଵା ମାଣ୍ଟଲ୍ ମାଧ୍ୟମରେ କାର୍ଯ୍ୟ କରେ ଯହିଁରେ ଗ୍ୟାସ୍ ଜଳି ଆଲୋକ ସୃଷ୍ଟି କରେ। ଲଣ୍ଡନ ଵିଶ୍ୱର ପ୍ରଥମ ସହର ଯେଉଁଠାରେ ଗ୍ୟାସ୍ ଲାଇଟ୍ ରାସ୍ତା ଆଲୋକିକରଣ ପାଇଁ ଵ୍ୟଵହୃତ ହୋଇଥିଲା।
ଲଣ୍ଡନରେ ଗ୍ୟାସ୍ ଲାଇଟ୍ର ପ୍ରଥମ ପ୍ରାମାଣିକ ପ୍ରଦର୍ଶନ ୧୮୦୭ ମସିହା ଜାନୁଆରୀ ୨୮ ତାରିଖରେ ପାଲ୍ ମାଲ୍ (Pall Mall) ରାସ୍ତାରେ ହୋଇଥିଲା। ଏହି ପ୍ରଦର୍ଶନ ଜର୍ମାନ ଉଦ୍ଭାଵକ Frederick Winsorଙ୍କ ଦ୍ୱାରା କରାଯାଇଥିଲା, ଯିଏ ଗ୍ୟାସ୍ ଆଲୋକ ଵ୍ୟଵସ୍ଥାର ଵାଣିଜ୍ୟିକ ଵ୍ୟଵହାରକୁ ପ୍ରୋତ୍ସାହିତ କରିଥିଲେ। ୧୯ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଗ୍ୟାସ୍ଲାଇଟ୍ ଲଣ୍ଡନର ଅନେକ ରାସ୍ତା, ଘର ଏଵଂ ଜନସାଧାରଣ ସ୍ଥାନଗୁଡ଼ିକରେ ଵ୍ୟଵହୃତ ହୃତ ହେଵାକୁ ଲାଗିଲା। ଆଜି ମଧ୍ୟ, ଲଣ୍ଡନରେ ପ୍ରାୟ ୧,୫୦୦ ଗ୍ୟାସ୍ ଲାଇଟ୍ କାର୍ଯ୍ୟଶୀଳ ଅଛି, ଯାହାକୁ "ଲଣ୍ଡନ ଗ୍ୟାସ୍କେଟିୟର୍ସ" ଦ୍ୱାରା ରକ୍ଷଣାଵେକ୍ଷଣ କରାଯାଉଛି। ଏହି ଲାଇଟ୍ଗୁଡ଼ିକ ଲଣ୍ଡନର ଐତିହାସିକ ସମ୍ପଦର ଏକ ଅଂଶ ଭାବେ ଵିଵେଚିତ ହୁଏ।
••••••••••••••••••••••••••••••••
୧୯୩୮ ମସିହାରେ ପ୍ୟାଟ୍ରିକ୍ ହାମିଲ୍ଟନ୍ଙ୍କ ନାଟକ "Gas Light" ପ୍ରକାଶିତ ହୋଇଥିଲା । ଏହି ନାଟକ ଲୋକପ୍ରିୟ ହେଵାରୁ ପରେ ୧୯୪୦ ଓ ୧୯୪୪ରେ ଚଳଚ୍ଚିତ୍ର ରୂପେ ମଧ୍ୟ ନିର୍ମିତ ହୋଇଥିଲା। ତେବେ ଏହି ଏହି Gas light ନାଟକ ନାମରୁ Gaslighting ଶବ୍ଦ ଗୃହୀତ ହୋଇଛି ।
Gaslighting ଏକ ମନୋଵୈଜ୍ଞାନିକ ହିଂସାର ପ୍ରକାର ଵିଶେଷ, ଯେଉଁଥିରେ ଜଣେ ଵ୍ୟକ୍ତି ଅନ୍ୟ ଜଣେ ଵ୍ୟକ୍ତିଙ୍କୁ ତାଙ୍କର ଵାସ୍ତଵତା, ସ୍ମୃତି ଵା ଧାରଣା ଉପରେ ସନ୍ଦେହ କରିଵାକୁ ବାଧ୍ୟ କରନ୍ତି। ଏହା ଏକ ପ୍ରକାର ମାନସିକ ନିୟନ୍ତ୍ରଣ ଵା ମନିପୁଲେସନ୍, ଯହିଁର ଶିକାର ହୋଇଥିଵା ପୀଡ଼ିତ ଵ୍ୟକ୍ତି ନିଜର ଵିଚାର, ଅନୁଭଵ, ଵା ଵାସ୍ତଵତା ଉପରେ ଆତ୍ମଵିଶ୍ଵାସ ହରାଇ ଦୁର୍ଵଳ ହୋଇପଡ଼ନ୍ତି। ଉଦାହରଣ ସ୍ୱରୂପ, କେହି ଜଣେ ଆପଣଙ୍କୁ କହିପାରନ୍ତି ଯେ ଆପଣ କିଛି ଘଟଣାକୁ ଭୁଲ୍ ଭାବେ ମନେ ରଖିଛନ୍ତି ଵା ଆପଣଙ୍କ ଅନୁଭଵ ଅଵାସ୍ତଵ, କିନ୍ତୁ ପ୍ରକୃତରେ ତାହା ସତ୍ୟ। Gas light ନାଟକରେ Bellaଙ୍କ ସହିତ ସମାନ କଥା ହୋଇଥିଲା ।
୧୯୬୦ ଦଶକରୁ ଏହି Gaslighting ଶବ୍ଦଟି ମନୋଵିଜ୍ଞାନୀମାନେ ଵ୍ୟଵହାର କରିଵା ଆରମ୍ଭ କଲେ ଏଵଂ ସେମାନେ ଏହାକୁ ମାନସିକ ନିୟନ୍ତ୍ରଣର ଏକ ପ୍ରକାର ଭାବେ ଚିହ୍ନିଲେ। ୨୦୧୦ ଦଶକରେ, ସୋସିଆଲ ମିଡିଆ ଓ ଜନସଚେତନତା ବୃଦ୍ଧି ସହିତ, "gaslighting" ଶବ୍ଦଟି ଵ୍ୟାପକ ଭାବେ ପ୍ରଚଳିତ ହେଲା। ଏହା ଵ୍ୟକ୍ତିଗତ ସମ୍ପର୍କ, କାର୍ଯ୍ୟକ୍ଷେତ୍ର, ରାଜନୀତି, ଏଵଂ ସାମାଜିକ ପରିଵେଶରେ ମନିପୁଲେସନ୍ର ଏକ ରୂପ ଭାବେ ଵ୍ୟଵହୃତ ହୁଏ।
•••••••••••••••••••••••••••••••••
No comments:
Post a Comment